Unknown

 

 

 

 

 

 

 

 

 

ରଚନା ବିଚାର

ଗିରିଜାଶଙ୍କର ରାୟ

 

ମୁଖବନ୍ଧ

 

ଶ୍ରୀମାନ୍‍ ଗିରିଜାଶଙ୍କର ରଚନା ବିଚାର ନାମକ ଗୋଟିଏ ଗ୍ରନ୍ଥ ଲେଖି ଅଛନ୍ତି । ସେହି ଗ୍ରନ୍ଥ ବିଷୟରେ କିଛି ଅଭିମତ ବ୍ୟକ୍ତ କରିବା ନିମିତ୍ତ ମୋତେ ସେ ଅନୁରୋଧ କରନ୍ତି । ଗିରିଜାଶଙ୍କର ମୋର ଛାତ୍ର ଓ ବର୍ତ୍ତମାନ ସହକର୍ମ୍ମୀ । ସେ ଇଂରାଜୀ ସାହିତ୍ୟର ଅଧ୍ୟାପକ, ତାହାଙ୍କର ଜ୍ୟେଷ୍ଠ ପିତା ଚିରସ୍ମରଣୀୟ କର୍ମ୍ମୀ ଗୌରୀଶଙ୍କର ଓ ପିତା ରାମଶଙ୍କର ଉତ୍କଳର ପ୍ରଥମ ଉପନ୍ୟାସ ଓ ନାଟକ ଲେଖକ । ତାଙ୍କର ପିତା ଓ ଜ୍ୟେଷ୍ଠ ପିତା ଉଭୟ ଉତ୍କଳ ସାହିତ୍ୟ ଓ ଭାଷାର ଉନ୍ନତିକଳ୍ପେ ବଦ୍ଧପରିକର ଥିଲେ, ଗିରିଜାଶଙ୍କର ମଧ୍ୟ ପିତୃପୁରୁଷଙ୍କର ପଦାଙ୍କ ଅନୁସରଣ କରି ଉପଯୁକ୍ତ ଦାୟାଦରୂପେ ଉତ୍କଳର ଭାରତୀକୁଞ୍ଜକୁ ବିଭୂଷିତ କରିବା ଉଦ୍ଦେଶ୍ୟରେ ସତତ ଯତ୍ନପର । ସେ ଉତ୍କଳ ଭାଷାରେ ଉତ୍କଳ ସାହିତ୍ୟର ସମୃଦ୍ଧିକଳ୍ପେ ନାନା ପ୍ରବନ୍ଧ ଓ ନାଟ୍ୟକଳା, ଭାଷାତତ୍ତ୍ୱ ସମ୍ୱନ୍ଧରେ ପୁସ୍ତକାଦି ପ୍ରଣୟନ କରିଅଛନ୍ତି, ବର୍ତ୍ତମାନ ଉତ୍କଳ ସାହିତ୍ୟରେ ରଚନା ବିଚାର ବିଷୟକ ଗ୍ରନ୍ଥ ଲେଖି ସେ ଗୋଟିଏ ଅଭାବ ପରିପୂରଣ କରିଅଛନ୍ତି । ସେ ପାଶ୍ଚାତ୍ୟ ଇଂରାଜୀ ସାହିତ୍ୟରେ ଅଭିଜ୍ଞଥିବାରୁ ପାଶ୍ଚାତ୍ୟରୀତିରେ ଉତ୍କଳ ସାହିତ୍ୟ ରଚନାର ବିଶ୍ଲେଷଣ କରିଅଛନ୍ତି । ପ୍ରତୀଚି ମନୀଷିଙ୍କର ଅଭିମତମାନ ସନ୍ନିବେଶ କରିବାଦ୍ୱାରା ସାହିତ୍ୟ ଚର୍ଚ୍ଚାର ନୂତନ ଧାରା ପ୍ରାଚ୍ୟସାହିତ୍ୟଜ୍ଞଙ୍କ ସମ୍ମୁଖରେ ଉପସ୍ଥାପିତ କରିଅଛନ୍ତି । ଏହାଦ୍ୱାରା ପ୍ରାଚ୍ୟସାହିତ୍ୟଜ୍ଞଙ୍କର ନିଶ୍ଚୟ ଉପକାର ସାଧିତ ହେବ । ମତର ପାର୍ଥକ୍ୟ ସର୍ବ କ୍ଷେତ୍ରରେ ପରିଦୃଷ୍ଟ ହୁଏ । ଏହି ଗ୍ରନ୍ଥରେ ମଧ୍ୟ ସ୍ଥଳବିଶେଷରେ ବୈମତ୍ୟ ପ୍ରକାଶ କରିବାର ଅବକାଶ ଥିଲେ ହେଁ ଉପଯୋଗିତା ଦୃଷ୍ଟିରେ ଗ୍ରନ୍ଥର ମୂଲ୍ୟ ଅଛି । ସେ ରଚନାର ଉପାଦାନ ଓ ଅବଲମ୍ୱନ ପ୍ରସଙ୍ଗରେ ସାହିତ୍ୟିକ ଓ ବ୍ୟବହାରିକ ରଚନାର ପାର୍ଥକ୍ୟ ନିର୍ଦ୍ଦେଶ କରି ସାହିତ୍ୟିକ ରଚନାରେ ଆବେଗ ଓ କଳ୍ପନାର ଯଥାଯଥ ପ୍ରଭାବ ଓ କାର୍ଯ୍ୟକାରିତା ପ୍ରଦର୍ଶନ କରିଅଛନ୍ତି । ବିଷୟ ନିର୍ବାଚନ ତଥ୍ୟବିନ୍ୟାସ ପ୍ରସଙ୍ଗରେ ସେ ଲେଖିଅଛନ୍ତି–‘ଯାହାର ବିଶ୍ଲେଷଣ ଶକ୍ତି ଅଛି ତାହାର ସମାଲୋଚନାରେ, ବ୍ୟାଖ୍ୟାନରେ, ବିତର୍କରେ ପ୍ରବୃତ୍ତ ହେବା ଉଚିତ, ଯାହାର ଉଦ୍ଭାବନା ଶକ୍ତି ଅଛି ସେ ନାଟକ, ଉପନ୍ୟାସ, ଗଳ୍ପ ପ୍ରଭୃତି ରଚନାରେ ଅବହିତ ଚିତ୍ତହେବା ଆବଶ୍ୟକ ଓ ଯାହାର ହୃଦୟରେ ଛନ୍ଦର ଝଙ୍କାର ସ୍ୱତଃ ସ୍ଫୁରିତ ହୁଏ, କେବଳ ସେ କଳ୍ପନା ବିଳାସକୁ ଆଶ୍ରୟ କରି କବିତା ରଚନାରେ ପ୍ରବୃତ୍ତ ହେବା ପ୍ରୟୋଜନ ।’ ସେ ମଧ୍ୟ ପ୍ରସଙ୍ଗର ଅନୁରୋଧରେ ବିଭିନ୍ନ ରସାଶ୍ରୟରେ ରୀତିର ପାର୍ଥକ୍ୟ ହୁଏ, ଏହା କହି ପ୍ରାଚ୍ୟ ସାହିତ୍ୟିକଙ୍କ ସହିତ ଏକମତ ହୋଇଅଛନ୍ତି । ଗଦ୍ୟସାହିତ୍ୟରେ ଆଖ୍ୟାନ, ବ୍ୟାଖ୍ୟାନ, ବର୍ଣ୍ଣନା, ବିତର୍କ ଏବଂ ଉଦ୍‍ବୋଧନ ଜନିତ ସାହିତ୍ୟିକ ରଚନାର ଅଭିବ୍ୟକ୍ତି ଦର୍ଶାଇଛନ୍ତି । ଲେଖାର ରୀତି ସମ୍ୱନ୍ଧରେ କହିବାକୁ ଯାଇ ସେ ଯଥାର୍ଥ ନିର୍ଦ୍ଦେଶ କରିଅଛନ୍ତି ଯେ, ସମସ୍ତ ରଚନାରେ ରସପୁଷ୍ଟି, ରସସୃଷ୍ଟି, ରସବୋଧଥିବା ଏକାନ୍ତ ଆବଶ୍ୟକ । ଏଥିରୁ ସେ ଗୌଣ ଭାବରେ କାବ୍ୟର ଆତ୍ମାରସ ଏହା ସ୍ୱୀକାର କରିଛନ୍ତି । ଗୁଣର ସ୍ୱତନ୍ତ୍ର ବିଚାର କରି ନଥିଲେହେଁ ରଚନାର ସହଜ ସୌନ୍ଦର୍ଯ୍ୟ ପ୍ରତି ସେ ବିଶେଷ ଆସ୍ଥା ସ୍ଥାପନ କରି ଅଳଙ୍କାରମାନଙ୍କୁ କୃତ୍ରିମ ଓ ବାହ୍ୟରୂପରେ ସ୍ୱୀକାର କରିଅଛନ୍ତି । ସେ ଅଳଙ୍କାରକୁ ନାନା ପ୍ରକାରରେ ବିଶ୍ଲେଷଣ କରି ତାହାର ସ୍ୱରୂପ, କାର୍ଯ୍ୟ, ଉପଯୋଗିତା ଦର୍ଶାଇ କାବ୍ୟପଦ୍ଧତିର ଗୋଟିଏ ଅଭିନବ ବିଶ୍ଲେଷଣ କ୍ରିୟା ସମ୍ପାଦନ କରିଅଛନ୍ତି ।

 

ତାଙ୍କର ଏ କାର୍ଯ୍ୟରେ ମୁଁ ସନ୍ତୁଷ୍ଟ । ସେ ପାଠୁଆ ଘରର ପୁଅର ପରିଚୟ ପ୍ରଦାନ କରୁଅଛନ୍ତି । ଏହି ଗ୍ରନ୍ଥ ଜନସାଧାରଣରେ ପଠିତ ହେଲେ ସାହିତ୍ୟର ଅନୁଶୀଳନୀର ଧାରା ଗୋଟିଏ ନୂତନ ମାର୍ଗ ଅବଲମ୍ୱନ କରିବ, ଏହା ନିଃସନ୍ଦେହ ।

 

ଆର୍ତ୍ତବଲ୍ଲଭ ମହାନ୍ତି

 

Unknown

ପ୍ରଥମ ପରିଚ୍ଛେଦ

ସାହିତ୍ୟିକ ରଚନାର ଉପାଦାନ ଓ ଅବଲମ୍ବନ

 

ମାନବସମାଜରେ ବର୍ତ୍ତମାନ ଜ୍ଞାନର ନାନା ପ୍ରକାର ପ୍ରସାର ଘଟିଅଛି, ବିଜ୍ଞାନ ଉନ୍ନତିଲାଭ କରିଅଛି, ନାନା ଭୌଗୋଳିକ ତଥ୍ୟ ଆବିଷ୍କୃତ ହେଉଅଛି, ଇତିହାସର ନାନା ଉପକରଣ ସଂଗୃହୀତ ହେଉଅଛି ଓ ଅର୍ଥନୀତି, ବ୍ୟବହାରଶାସ୍ତ୍ର ପ୍ରଭୃତି ନାନାବିଷୟକ ଗ୍ରନ୍ଥ ଲୋକଙ୍କ ଜ୍ଞାନର ବହୁତୋମୁଖୀ ବିକାଶର ସୂଚନା ଦେଉଅଛି । ବିଜ୍ଞାନ, ଦର୍ଶନ, ଇତିହାସ, ଭୂଗୋଳ, ଅର୍ଥନୀତି ବିଷୟକ ଗ୍ରନ୍ଥ ବିଦ୍ୟାଳୟମାନଙ୍କରେ ପାଠ୍ୟରୂପରେ ପରିଗଣିତ ହେଉଥିବାରୁ ରଚନା ରୀତିରେ ଗୋଟିଏ ନୂତନ ଆଦର୍ଶର ସୃଷ୍ଟି ହୋଇଅଛି । ଆଜିକାଲି ରଚନାକୁ ସ୍ଥୂଳତଃ ଦୁଇଗୋଟି ବିଭାଗରେ ବିଭକ୍ତ କରାଯାଇପାରେ – ଗୋଟିଏ ସାହିତ୍ୟକ ରଚନା, ଅନ୍ୟଟି ବ୍ୟାବହାରିକ ରଚନା । ଏମାନଙ୍କ ମଧ୍ୟରେ ଆଦର୍ଶଗତ ଓ ଉଦ୍ଦେଶ୍ୟଗତ ପାର୍ଥକ୍ୟ ଏତେ ଅଧିକ ଯେ ବର୍ତ୍ତମାନ ରଚନାପଦ୍ଧତିର ବିଶ୍ଳେଷଣ କରି ଶବ୍ଦ-ବିନ୍ୟାସର ରୀତି ବିଷୟରେ ଲେଖକକୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ହେବାକୁ ପଡ଼େ । ସାହିତ୍ୟିକ ରଚନା ରସୋଦ୍ଦୀପକ, ପାଠକମାନଙ୍କ ମନରେ ଆନନ୍ଦଦାନ ତାହାର ଉଦ୍ଦେଶ୍ୟ-। ଦୁଃଖ-କ୍ଳେଶମୟ ସଂସାରରେ ମନୁଷ୍ୟର ଚିତ୍ତବିନୋଦନ କରି ଆନନ୍ଦର ସ୍ପର୍ଶରେ ତାହାର ମନକୁ ଉଦ୍ଭାସିତ କରିବାରେ ଏହାର ପ୍ରୟୋଜନୀୟତା ଉପଲବ୍ଧ ହୁଏ । ସାହିତ୍ୟିକ ରଚନାର ଆଶ୍ରୟ ମନୁଷ୍ୟର ଚିତ୍ତବୃତ୍ତି, ତାହାର ଅବଲମ୍ବନ ମନୁଷ୍ୟର କଳ୍ପନା ଓ ଆବେଗ । ଅନ୍ୟ ଦିଗରେ ବ୍ୟାବହାରିକ ରଚନାର ଉଦ୍ଦେଶ୍ୟ ଜ୍ଞାନ ବିସ୍ତାର, ନାନା ବିଷୟ ବା ତଥ୍ୟମାନଙ୍କର ସତ୍ୟାସତ୍ୟ ନିର୍ଦ୍ଦେଶ । ମନୁଷ୍ୟକୁ ନୂତନ ନୂତନ ସମ୍ବାଦ ଦେବା, ତାର ବୃଦ୍ଧିବୃତ୍ତିକୁ କରିବା ଏହାର ଉଦ୍ଦେଶ୍ୟ; ମନୁଷ୍ୟର ଚିନ୍ତାଶକ୍ତି ଏହାର ଆଶ୍ରୟ ଓ ଅବଲମ୍ବନ । ଯେଉଁ ରଚନାରେ ସମ୍ବାଦର ସତ୍ୟାସତ୍ୟ, ବିଶ୍ଳେଷଣର ସୂକ୍ଷ୍ମତା, ତର୍କର ଯଥାର୍ଥ୍ୟ ଏକମାତ୍ର ବିଚାର୍ଯ୍ୟ ବିଷୟ ତାହା ବ୍ୟବାହାରିକ ରଚନା; ଯେଉଁ ରଚନା କଳ୍ପନାଦ୍ୱାରା ସମୃଦ୍ଧ, ଯାହା ଆନନ୍ଦଦାନ କରିବା ନିମନ୍ତେ ଉଦ୍ଦିଷ୍ଟ, ଯେଉଁଥିରେ ଆବେଗର ଆଧିକ୍ୟଦ୍ୱାରା ତଥ୍ୟ ପ୍ରଭାବିତ ହେବାର ଅବକାଶ ଥାଏ କିମ୍ୱା ମୂର୍ତ୍ତ ଜଗତର ପରିବେଷ୍ଟନୀ ମଧ୍ୟରୁ ଅମୂର୍ତ୍ତ ଆନନ୍ଦମୟ ରାଜ୍ୟକୁ ଗତି କରିବାର ପ୍ରୟାସ ଥାଏ, ତାହା ସାହିତ୍ୟିକ ରଚନା । ସାହିତ୍ୟକ ରଚନାର ଉଦ୍ଦେଶ୍ୟ ଆନନ୍ଦଦାନ, ବ୍ୟାବହାରିକ ରଚନାର ଉଦ୍ଦେଶ୍ୟ ତଥ୍ୟ ଜ୍ଞାପନ । ଉଦ୍ଦେଶ୍ୟର ଏହି ପାର୍ଥକ୍ୟ ଘେନି ରଚନାକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

 

‘ଶିବାଜୀ ଶତ୍ରୁର ପଶ୍ଚାତ୍‍ଧାବନ କଲେ‘-ଏହି ବାକ୍ୟଟି ଗୋଟିଏ ତଥ୍ୟ ପ୍ରକାଶ କରୁଅଛି, ପାଠକକୁ ଗୋଟିଏ ସଂବାଦ ମାତ୍ର ଦେଉଅଛି; ଏଣୁ ଏହା ବ୍ୟାବହାରିକ ରରନା, ମାତ୍ର ‘ଶିବାଜୀ ବାୟୁବେଗରେ ଶତ୍ରୁର ପଶ୍ଚାତ୍‍ଧାବନ କଲେ’ ଏହି ବାକ୍ୟରେ ‘ବାୟୁବେଗରେ’ ଶବ୍ଦଦ୍ୱାରା ପାଠକର କଳ୍ପନାକୁ ଉଦ୍ଦୀପିତ କରିବାର ଚେଷ୍ଟା କରାଯାଇଅଛି । ଏଠାରେ କେବଳ ସଂବାଦ ଦେବାର ଅଭିପ୍ରାୟ ନାହିଁ, ସଂବାଦକୁ ସରସ କରିବାର ପ୍ରୟାସ ରହିଅଛି; ଏଣୁ ଏହା ସାହିତ୍ୟିକ ରଚନା । ପୁଣି ଶିବାଜୀଙ୍କର ଅଗ୍ରଗତି ମଧ୍ୟରେ ହିନ୍ଦୁ-ସାମ୍ରାଜ୍ୟ ପ୍ରତିଷ୍ଠା-ସମ୍ଭାବନାଜନିତ ହର୍ଷ, ଶତ୍ରୁର ପରାଜୟରେ ଆନନ୍ଦ, ସୈନ୍ୟମାନଙ୍କ ମୃତ୍ୟୁରେ ଅନୁକମ୍ପା, ଯବମାନଙ୍କ ପ୍ରତି ଘୃଣା ହିନ୍ଦୁ ବୀରର ବିଜୟରେ ଉତ୍ତେଜନା ପ୍ରତୃତି ଆବେଗ ପ୍ରକାଶର ଅବକାଶ ମଧ୍ୟ ଅଛି । ଏହି ଆବେଗଦ୍ୱାରା ତଥ୍ୟ ପ୍ରଭାବିତ ହେଲେ ତାହା ମଧ୍ୟ ସାହିତ୍ୟିକ ରଚନାରୂପରେ ପରିଗଣିତ ହୋଇପାରେ । ସାହିତ୍ୟିକ ରଚନା ଇତିଦ୍ୱାସର ଭାଷାଠାରୁ ଭିନ୍ନ, କାରଣ ସାହିତ୍ୟ କଲ୍ପନା ଓ ଆବେଗଦ୍ୱାରା ପ୍ରଭାବିତ, ଇତିହାସ କେବଳ ତଥ୍ୟ ନିର୍ଦ୍ଦେଶରେ ସନ୍ତୁଷ୍ଟ । ଏହିପରି ଭାରତର ଉତ୍ତର ଦିଗରେ ହିମାଳୟ ପର୍ବତ ଅବସ୍ଥିତ‘ ଏହା ଭୌଗୋଳିକ ତଥ୍ୟ, ମାତ୍ର ଭାରତର ଉତ୍ତରରେ ପ୍ରଚୀରସ୍ୱରୁପ ଚିରତୁଷାରମୟହିମାଳୟ ପର୍ବତମାଳା ଅବସ୍ଥିତ‘-ସାହିତ୍ୟିକ ରଚାନା । ପୁନରାୟ ‘ମନୁଷ୍ୟ ଓ ଭଗବାନ୍‌ ମଧ୍ୟରେ ନିତ୍ୟ ସମ୍ବନ୍ଧ ବିଦ୍ୟାମାନ’–ଦାର୍ଶନିକ ତତ୍ତ୍ୱ ମାତ୍ର, କିନ୍ତୁ ‘ମନୁଷ୍ୟ ଓ ଭଗବାନ ପରସ୍ପର ସହିତ ପ୍ରେମର ସୂତ୍ରରେ ଗ୍ରଥିତ, ମନୁଷ୍ୟ ମଧ୍ୟରେ ଯେପରି ଭଗବତ୍‌ ସାନ୍ନିଧ୍ୟ ଲାଭ କରିବା ନିମନ୍ତେ ଅନନ୍ତ ପିପାସା ରହିଅଛି, ଭଗବାନଙ୍କ ମଧ୍ୟରେ ସେହିପରି ମନୁଷ୍ୟର ହୃଦୟମନ୍ଦିରରେ ନିଜର ଆସନ ପ୍ରତିଷ୍ଠିତ କରିବାର ଶାଶ୍ୱତ ପ୍ରୟାସ ରହିଅଛି, ଏହି ଦାର୍ଶନିକ ତତ୍ତ୍ୱକୁ ଆବେଗମୟ କଳ୍ପନାମୁଖର ବାକ୍ୟରେ ବ୍ୟକ୍ତ କରି ତାକୁ ସାହିତ୍ୟିକ ରଚନାରେ ପରିଣତ କରୁଅଛି ।

 

ଅବଶ୍ୟ ଅନେକ ସ୍ଥଳରେ କଳ୍ପନା ବା ଆବେଗକୁ ନିରୋଧ କରି ମଧ୍ୟ ପାଠକର କଳ୍ପନାକୁ ଉଦ୍ଦୀପିତ କରାଯାଇପାରେ । ଏ ପ୍ରକାର ରଚନାରେ ସ୍ପଷ୍ଟ କଳ୍ପନା ବା ଆବେଗର ଆଭାସ ନ ଥିଲେ ମଧ୍ୟ ଏହା ସାହିତ୍ୟିକ ରଚନା ରୂପରେ ପରିଗଣିତ ହୁଏ । ଉକ୍ତିର ଅସ୍ପଷ୍ଟତା, ଶବ୍ଦମାନଙ୍କର ଧ୍ୱନିସଙ୍ଗତି, ପରିସ୍ଥିତିର ଅସାଧାରଣତ୍ୱ ଅନେକ ସମୟରେ ସ୍ୱତଃ କଳ୍ପନାକୁ ଜାଗ୍ରତ କରିବାକୁ ସମର୍ଥ ହୁଏ । କାଲି ସନ୍ଧ୍ୟା ସମୟରେ କୁଳବୃଦ୍ଧ ମଧୁସୂଦନଙ୍କ ମୃତଦେହ ଶୋଭା-ଯାତ୍ରା ସହ କଟକ ନଗରୀର ରାଜପଥରେ ନିଆଯାଇ ପରେ ସମାହିତ କରାଗଲା’ ବାକ୍ୟଟି ନିରାଡ଼ମ୍ୱର, ଏଥିରେ କଳ୍ପନା ବା ଆବେଗର ଚିହ୍ନ ବର୍ଣ୍ଣ ମଧ୍ୟ ନାହି କିନ୍ତୁ ଏହି ସାମାନ୍ୟ ଉକ୍ତି ପାଠକମନରେ କଲ୍ପନା ଜାଗ୍ରତ କରିବାକୁ ସମର୍ଥ; ବାକ୍ୟଟି ପଢ଼ି ମଧୁସୂଦନଙ୍କ ବ୍ୟକ୍ତିତ୍ୱ ତାହାର ମନରେ ସ୍ୱତଃ ସ୍ଫୁରିତ ହୁଏ । ସନ୍ଧ୍ୟାକାଳୀନ ସୂର୍ଯ୍ୟାସ୍ତ ସହିତ ମଧୁସୂଦନଙ୍କ ତିରୋଧାନର ତୁଳନା ସ୍ପଷ୍ଟ ତାହାର ମନରେ ସଞ୍ଚାରିତ ହୁଏ, ଶୋଭାଯାତ୍ରାକାଳୀନ ବିରାଟ ଜନତା, ଜନତାର ନୀରବ ଶବାନୁଗମନ, କର୍ମକ୍ଲାନ୍ତ ବୀରର ଚିରଶାନ୍ତିଲାଭ ପ୍ରଭୃତିର ଚିତ୍ର ସ୍ୱତଃ ତାହାର ମନରେ ପ୍ରସ୍ଫୁଟିତ ହୁଏ ଓ ମଧୁସୂଦନଙ୍କ ମୃତ୍ୟୁଜନିତ ଶୋକରେ ତାହାର ମନ ଆଚ୍ଛନ୍ନ ହୋଇଯାଏ । ଏଣୁ ଏପରିସ୍ଥଳେ ସାହିତ୍ୟିକ ଅଯଥା ବାକ୍ୟବ୍ୟୟ ନ କରି କେବଳ ସାଧାରଣ ଭାବରେ ତଥ୍ୟ ନିର୍ଦ୍ଦେଶ କରନ୍ତି; କାରଣ ତଥ୍ୟର ଅନ୍ତର୍ନିହିତ କଳ୍ପନା ଓ ଆବେଗ ତାକୁ ସରସ କରେ ଓ ପାଠକର ମନୁକୁ ପ୍ରଭାବିତ କରିବାକୁ ସମର୍ଥ ହୁଏ । ‘ଭାରତର ଲୋକସଂଖ୍ୟା ଚାଳିଶ କୋଟି, ‘ଆଜିକାଲି ଯୁଦ୍ଧରେ ଦୈନିକ ଅଠର କୋଟି ଟଙ୍କା ଖରଚ ହେଉଅଛି’ ପ୍ରତଟି ବାକ୍ୟରେ ଏହିପରି ନିରାଡ଼ମ୍ୱର ଉକ୍ତି ମଧ୍ୟରେ କଳ୍ପନାର ସୂଚନା ରହିଅଛି । ଅନେକ ସମୟରେ ହାସ୍ୟରସମୁଖର ଲେଖାରେ ଓ କରୁଣା ରସଯୁକ୍ତ ରଚନାରେ ସାହିତ୍ୟିକ ଏହିପରି ସାମାନ୍ୟ ବାକ୍ୟର ପ୍ରୟୋଗ କରିଥାନ୍ତି । କେବଳ ତଥ୍ୟ ନିର୍ଦ୍ଦେଶ ତାହାର ଉଦ୍ଦେଶ୍ୟ ଥିଲା ପରି ବୋଧହୁଏ, କିନ୍ତୁ ବାସ୍ତବରେ ଅଙ୍ଗସୌଷ୍ଠବ ଥିଲେ ଅଳଙ୍କାର ସାହିତ୍ୟରେ ଯେପରି ନଗ୍ନ ସୌନ୍ଦର୍ଯ୍ୟ ଫୁଟିଉଠେ, ସେହିପରି ବିଷୟବସ୍ତୁର ଅନ୍ତର୍ନିହିତ ସରସତା ଥିଲେ ସାମାନ୍ୟ ତଥ୍ୟନିର୍ଦ୍ଦେଶଦ୍ୱାରାହିଁ ସାହିତ୍ୟିକ ରଚନା ସମୃଦ୍ଧ ହୋଇପାରେ । କିନ୍ତୁ ସାହିତ୍ୟିକ ରଚନାର ଉଦ୍ଦେଶ୍ୟ ବ୍ୟାବହାରିକ ରଚନାର ଉଦ୍ଦେଶ୍ୟଠାରୁ ପୃଥକ୍‌ । କୌଣସି କୌଣସି କ୍ଷେତ୍ରରେ ବ୍ୟାବହାରିକ ରଚନା ମଧ୍ୟରେ ସାହିତ୍ୟିକ ଉପାଦାନ ସ୍ୱୀକୃତ ହେଲେ ହେଁ ଓ ସାହିତ୍ୟିକ ମଧ୍ୟ ସମୟ ସମୟରେ କେବଳ ବ୍ୟାବହାରିକ ରଚନାପଦ୍ଧତିର ଆଶ୍ରୟ ନେଲେହେଁ ସାହିତ୍ୟିକ ରଚନା ବ୍ୟାବହାରିକ ରଚନାଠାରୁ ପୃଥକ୍‌ । ସେମାନଙ୍କ ଉଦ୍ଦେଶ୍ୟର ପାର୍ଥକ୍ୟ ହିଁ ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ୱରୁପ ସ୍ୱୀକାର କରାଯାଏ ।

 

ଯେଉଁ ଲେଖା ମଧ୍ୟରେ କେବଳ ତଥ୍ୟ ବିଜ୍ଞପ୍ତି ବା ସତ୍ୟ ନିରୂପଣ ଲେଖକର ଉଦ୍ଦେଶ୍ୟ ଥାଏ, ସେ ସମସ୍ତ ବ୍ୟାବହାରିକ ଲେଖା, ସେଗୁଡ଼ିକ ଶାସ୍ତ୍ର ମାତ୍ର ଯେଉଁ ମଧ୍ୟରେ କଳ୍ପନା ବା ଆବେଗର ଆଭାସ ଥାଏ କିମ୍ୱା କୌଶଳକ୍ରମେ ପାଠକମନରେ କଳ୍ପନା ବା ଆବେଗ ସଞ୍ଜୀବିତ କରିବାର ପ୍ରୟାସ ଥାଏ, ସେ ସବୁ ସାହିତ୍ୟ । ଅବଶ୍ୟ ଇତିହାସରେ ସ୍ଥାନେ ସ୍ଥାନେ କଳ୍ପନାର ଆଶ୍ରୟ ଗ୍ରହଣ କରାଯାଇ ଥାଏ, ନୀରସ ଅର୍ଥଶାସ୍ତ୍ର ମଧ୍ୟରେ ତଥ୍ୟ ସହିତ ଆବେଗର ସଂସ୍ଫର୍ଶ ଘଟିଥାଏ, ସୁଗଭୀର ଚିନ୍ତାଯୁକ୍ତ ଦର୍ଶନଶାସ୍ତ୍ରର ଭାଷାକୁ ମଧ୍ୟ ସରସ ଓ ମଧୁର କରିବାର ପ୍ରୟାସ କରାଯାଇଥାଏ, ମାତ୍ର ଏ ସବୁ ଗ୍ରନ୍ଥରେ ତଥ୍ୟାନିରୂପଣ ଓ ତଥ୍ୟ ବିଜ୍ଞପ୍ତି ହିଁ ପ୍ରଧାନ ବିଷୟବସ୍ତି କଳ୍ପନା ବା ଆବେଗ ଏଥିରେ ଅବାନ୍ତର ଓ ଅନେକ ସମୟରେ ପ୍ରକୃଷ୍ଟତାର ପରିପନ୍ଥୀ । ଅନ୍ୟ ଦିଗରେ ସାହିତ୍ୟିକ ରଚନା ମଧ୍ୟ ଅନେକ ସମୟରେ ନିରାଭରଣ ଓ ତଥ୍ୟପୂର୍ଣ୍ଣ ପ୍ରତୀତ ହୁଏ । କିନ୍ତୁ ରସସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ; ସତ୍ୟନିରୁପଣ ଏଥିରେ ଅବାନ୍ତର ଓ ଅନଭିପ୍ରେତ । ଅବଶ୍ୟ ତଥ୍ୟ ନ ଥାଇ ରଚନା ସମ୍ଭବପର ନୁହେଁ ଓ କଳ୍ପନା ବା ଭାବବିଳାସ ମାତ୍ରକୁ ଆଶ୍ରୟ କରି ରସସୃଷ୍ଟି ମଧ୍ୟ ଅସମ୍ଭବ; ଏଣୁ ପ୍ରତ୍ୟେକ ସାହିତ୍ୟିକ ରଚନାରେ ଦୁଇଗୋଟି ବିଷୟ ପ୍ରତି ଆମ୍ଭମାନଙ୍କୁ ଅବହିତ ହେବାକୁ ହୁଏ । ଏକ ଦିଗରେ ବିଷୟବସ୍ତୁର ସତ୍ୟତା ଓ ବାସ୍ତବତା, ଅଥବା ଚିନ୍ତାର ଗଭୀରତା ଆବଶ୍ୟକ, ଅନ୍ୟ ଦିଗରେ ତାହା କଳ୍ପନାଦ୍ୱାରା ଅନୁରଞ୍ଜିତ, ଆବେଗଦ୍ୱାରା ଅନୁପ୍ରାଣିତ ହେବା ମଧ୍ୟ ପ୍ରୟୋଜନ । ବାସ୍ତବତାର ଅଭାବ ହେଲେ କିମ୍ୱା ଚିନ୍ତାଧାରାର ଭଗୀରତା ନ ଥିଲେ ସାହିତ୍ୟିକ ରଚନା ଯେପରି ପ୍ରୀତିକର ହୁଏ ନାହିଁ ସେହିପରି କଳ୍ପନାର ଆଧିକ୍ୟ ଥିଲେ ମଧ୍ୟ ତାହା ହୃଦୟଗ୍ରାହୀ ହୋଇପାରେ ନାହିଁ । ବାସ୍ତବକୁ ଅବାସ୍ତବରେ ପରିଣତ କରି ପାଠକର ଚିତ୍ତରଞ୍ଜନ କରିବା କଳ୍ପନାର କାର୍ଯ୍ୟ, ପାଠକମନରେ ଅନୁଭୂତିକୁ ସନ୍ଦୀପିତ କରି ଲେଖାର ମାଧୁର୍ଯ୍ୟ ବିଷୟରେ ପାଠକକୁ ସଚେତ କରିବା ଆବେଗର ଉଦ୍ଦେଶ୍ୟ ଏବଂ କଳ୍ପନାର ବିକାଶ ଓ ଆବେଗର ପ୍ରକାଶକୁ ସଂଯତ, ନିୟତ୍ରିତ କରି ପାଠକର ମନକୁ ପ୍ରଭାବିତ କରିବା ଓ ତାହାର ମନକୁ ବିଷୟବସ୍ତୁର ସତ୍ୟତା ବିଷୟରେ ନିଃସନ୍ଦିଗ୍ଧ କରିବା ବାସ୍ତବତାର ଲକ୍ଷ୍ୟ । ବାସ୍ତବତା ଏକ ଦିଗରେ କଳ୍ପନା ଓ ଆବେଗକୁ ନିୟନ୍ତ୍ରିତ କରେ, ଅନ୍ୟ ଦିଗରେ କଳ୍ପନା ଓ ଆବେଗ ବାସ୍ତବତାକୁ ଅନୁରଞ୍ଜିତ କରେ; ଏଣୁ ଉଭୟର ଯଥାଯଥ ବିନ୍ୟାସ ବା ପ୍ରୟୋଗରେ ସାହିତ୍ୟିକ ରସସୃଷ୍ଟି ହୋଇପାରେ । କଳ୍ପନା, ଆବେଗ ଓ ବାସ୍ତବତା ସାହିତ୍ୟସୃଷ୍ଟିର ଉପାଦାନ । ଉପାଦାନମାନଙ୍କର ଅଯଥା ଆଧିକ୍ୟଦ୍ୱାରା ରଚନା ଅସୁନ୍ଦର ହେବା ସ୍ୱାଭାବିକ । ରଚନାର ସୌନ୍ଦର୍ଯ୍ୟ ଏହି କାରଣକୁ କେବଳ ଉପାଦାନ ଉପରେ ନିର୍ଭର କରେ ନାହିଁ, ଉପାଦାନମାନଙ୍କର ବିନ୍ୟାସ ଓ ଯଥାଯଥ ବ୍ୟବହାର ଉପରେ ସାହିତ୍ୟିକ ରଚନାର ଉତ୍କର୍ଷ ନିର୍ଭର କରେ ।

 

ସାହିତ୍ୟର ପ୍ରକାଶ ଭାଷା ମଧ୍ୟରେ । ଭାଷାର ଯଥାଯଥ ବ୍ୟବହାରଦ୍ୱାରାହିଁ ବାସ୍ତବତା, ଆବେଗ ଓ କଳ୍ପନାର ପ୍ରକାଶ ହୋଇପାରେ । ଭାଷାଦ୍ୱାରା ପାଠକ ଓ ଲେଖକ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇପାରେ । ଭାଷା କଳ୍ପନାର ଚିତ୍ରକୁ ସ୍ୱରୂପ ଦେଇପାରେ, ତଥ୍ୟର ବିଜ୍ଞପ୍ତିରେ ସାହାଯ୍ୟ କରିପାରେ, ଆବେଗର ଉଦ୍ଦାମତାକୁ ପ୍ରକାଶିତ କରିପାରେ; ଏଣୁ ଭାଷା ସାହିତ୍ୟର ବାହନ । ଭାଷାଦ୍ୱାରାହିଁ ସାହିତ୍ୟିକ ରଚନା ସମ୍ଭବ ହୋଇପାରେ, ଭାଷା ମାଧ୍ୟରେହିଁ ସାହିତ୍ୟିକର କୌଶଳ ଆତ୍ମପ୍ରକାଶ କରିପାରେ । ଏଣୁ ଭାଷାକୁ କିଭଳି ଭାବରେ ନିୟନ୍ତ୍ରିତ କଲେ ବାସ୍ତବତା ରକ୍ଷିତ ହୋଇ ପାରିବ, କଳ୍ପନା ଯଥାଯଥ ଭାବରେ ପ୍ରକାଶିତ ହୋଇ ପାରିବ ଓ ଆବେଗ ସଂଯତଭାବରେ ସଞ୍ଚାରିତ ହୋଇ ପାରିବ ସାହିତ୍ୟିକ ପକ୍ଷରେ ତାହାହିଁ ପ୍ରଥମେ ଶିକ୍ଷଣୀୟ । ଭାଷାର ବିନ୍ୟାସ, ବାକ୍ୟମାନଙ୍କର ଗଠନ ଓ ଶବ୍ଦମାନଙ୍କର ନିର୍ବାଚନ ବିଷୟରେ ସାହିତ୍ୟିକମାନେ ନାନା କୌଶଳର ଆଶ୍ରୟ ଗ୍ରହଣ କରିଥିାନ୍ତି । ପ୍ରତିଭାସମ୍ପନ୍ନ ଲେଖକମାନେ ନାନା ରୀତି ପ୍ରବର୍ତ୍ତିତ କରି ପାଠକର ମନକୁ ନାନା ପ୍ରକାରେ ପ୍ରଭାବିତ କରନିଥାନ୍ତି । ନବୀନ ଲେଖକ ପକ୍ଷରେ ଏହି ରୀତିମାନଙ୍କର ବିଶ୍ଳେଷଣ, ଅନୁକରଣ ଓ ଅନୁସରଣରେ ପ୍ରବୃତ୍ତ ହେବାହିଁ ବିଧି । ଏହି କାରଣରୁ ରଚନାର ବିଶ୍ଳେଷଣ ଶିକ୍ଷା କରିବା ସାହିତ୍ୟିକର ଏକାନ୍ତ କର୍ତ୍ତବ୍ୟ ।

 

ସାହିତ୍ୟିକ-ସୃଷ୍ଟିର ଚିତ୍ତବିନୋଦନଶକ୍ତି ଅବଶ୍ୟ ଅନେକ ପରିସ୍ଥିତି ଉପରେ ନିର୍ଭର କରେ-। ସମୟ ସମୟରେ ଉଚ୍ଛୃଙ୍ଖଳ କଳ୍ପନାବିଳାସ ଲେଖକର ନୈପୁଣ୍ୟଦ୍ୱାରା ଆନନ୍ଦଜନନକ ହୋଇଥାଏ । ବେଳେ ବେଳେ ଦେଶାତ୍ମବୋଧ ବା ଜାତୀୟ ଭାବନିଚୟଦ୍ୱାରା ଅନୁପ୍ରାଣିତ ହୋଇ ପାଠକ ସରସ ଲେଖାକୁ ବିସ୍ୱାଦ ବୋଲି ମନେ କରିଥାଏ । ଯେଉଁ ଲେଖା ଭାରତୀୟ କୃଷ୍ଟିର ପରିପନ୍ଥୀ, ଭାରତୀୟ ରୀତିନୀତିମାନଙ୍କୁ ନିନ୍ଦନୀୟଭାବରେ ଚିତ୍ରିତ କରେ ସେପରି ଲେଖାରେ କୌଣସି ଭାରତୀୟ ଆନନ୍ଦର ସନ୍ଧାନ ପାଇ ନପାରେ । ପୁଣି ଯେଉଁ ଲୋକ ପ୍ରାଚୀନ ସାହିତ୍ୟରେ ପଣ୍ଡିତ ସେ କେବେହେଁ ନୂତନ ପ୍ରକାର ରସସୃଷ୍ଟି ମଧ୍ୟରେ ସହଜରେ ସରସ ବସ୍ତୁର ସନ୍ଧାନ ପାଇ ନପାରେ । ଅନେକ ପାଠକ ପୁଣି ଶିକ୍ଷାଭିମାନ ବା ରକ୍ଷଣଶୀଳତାଦ୍ୱାରା ପରିଚାଳିତ ହୋଇ ନୀରସ ଲେଖା ମଧ୍ୟରେ ସରସତାର ସନ୍ଧାନ ପାଇ ବିହ୍ୱଳ ହୋଇଥାନ୍ତି । ଆଧୁନିକ ନୂତନ ସାହିତ୍ୟ ସହିତ ଯେଉଁ ବ୍ୟକ୍ତି ପରିଚିତ ସେ ପ୍ରାଚୀନ ମଧ୍ୟରେ ସାହିତ୍ୟ ମଧ୍ୟରେ ଆନନ୍ଦଜନକ ଉପାଦନ ନ ପାଇ ବିଭ୍ରାନ୍ତ ହୁଏ, ପୁଣି ରକ୍ଷଣଶୀଳ ପାଠକ ସବୁପ୍ରକାର ନୂତନହକୁ ଉପହାସ କରି ସାହିତ୍ୟର ନବୀନ ବେଶକୁ ବାକ୍ୟବାଣଦ୍ୱାରା ଜର୍ଜରିତ କରେ । ସାହିତ୍ୟର ଗତି ସ୍ରୋତର ଗତିତୁଲ୍ୟ, ସାହିତ୍ୟ ସର୍ବଦା ଗତିମୁଖର, ମାତ୍ର ସର୍ବଦା ପରିବର୍ତ୍ତନଶୀଳ । କେତେବେଳେ ବା ତହିଁରେ ଅଗଭୀର ଜଳର କଳନାଦ ଶ୍ରୁତ ହୁଏ, କେତେବେଳେ ଅବା ତାହା ଗଭୀର ଓ ମନ୍ଥରଭାବରେ ଅଗ୍ରସର ହୁଏ, କେତେବେଳେ ତାହା ସ୍ୱଚ୍ଛ ଅନାବିଳ, କେତେବେଳେ ଅବା ଆବିଳତାପୂର୍ଣ୍ଣ ଓ ଆବର୍ତ୍ତମୟ; କେତେବେଳେ କ୍ଷୀଣ ଧାରାରେ ପ୍ରବାହିତ, କେତେବେଳେ ଅବା ଅନ୍ୟାନ୍ୟ ଧାରା ସହିତ ମିଶ୍ରିତ ହୋଇ ଉତ୍ତାଳ ତରଙ୍ଗମୟ ସାବଲୀଳ । ସାହିତ୍ୟ-ସ୍ରୋତର ଏହି ବୈଚିତ୍ର୍ୟ ମଧ୍ୟରେ ସବୁ ସ୍ଥାନରେ, ସବୁ ପରିସ୍ଥିତି ମଧ୍ୟରେ ସରସତାର ସନ୍ଧାନ ପାଇବା ବିଶେଷ କ୍ଷମତାସାପେକ୍ଷ । ସେପରି କ୍ଷମତା ନ ଥିଲେ ସମାଲୋଚନା କାର୍ଯ୍ୟରେ ପ୍ରବୃତ୍ତ ହେବା ବିଡ଼ମ୍ୱନା ମାତ୍ର । କାରଣ ସମାଲୋଚକର କାର୍ଯ୍ୟ ପାଠକର ରସାନୁଭୂତିରେ ସାହାଯ୍ୟ କରିବା, ମାତ୍ର ସମାଲୋଚକ ନିଜେ ଅନ୍ଧ ହେଲେ ଅନ୍ୟକୁ ପରିଚାଳିତ କରିବା ଏକ ହାସ୍ୟକର ବ୍ୟାପାର ମାତ୍ରରେ ପର୍ଯ୍ୟବେସିତ ହୋଇଥାଏ ।

 

କିନ୍ତୁ ସାହିତ୍ୟିକ ରଚନା ମଧ୍ୟରେ କେତେକ ଚିରାଚରିତ ବା ପ୍ରଚଳିତ ଉପାଦାନ ମଧ୍ୟ ଅଛି-। ଯାହାଦ୍ୱାରା ମନୁଷ୍ୟତ୍ୱର ପ୍ରତିଷ୍ଠା ହୋଇପାରେ; ପ୍ରେମ, ଭକ୍ତି, ସହାନୁଭୂତି ପ୍ରଭୁତି ମାନବିକ ବୃତ୍ତମାନଙ୍କର ବିକାଶ ସମ୍ଭବପର ହୁଏ, ଯାହାଦ୍ୱାରା ଭଗବାନଙ୍କ ସହିତ ଓ ପ୍ରକୃତ ଓ ପ୍ରକୃତି ସହିତ ମନୁଷ୍ୟର ସମ୍ୱନ୍ଧ ନିବିଡ଼ ହୋଇପାରେ, ତାହାହିଁ ସାହିତ୍ୟର ଚିରନ୍ତନ ଉପାଦାନ । ଏହି ଗ୍ରନ୍ଥରେ ଉପାଦାନ ସହିତ ଆମ୍ଭମାନଙ୍କର ସମ୍ପର୍କ ନାହିଁ । ଉପାଦାନମାନଙ୍କର ସାହିତ୍ୟିକ ବିନ୍ୟାସ ସହିତହିଁ ଆମ୍ଭମାନଙ୍କର ସାକ୍ଷାତ୍‌ ଭାବରେ ସମ୍ପର୍କ; କାରଣ ବିନ୍ୟାସହିଁ ରଚନା, ମାତ୍ର ବିନ୍ୟାସର ଉତ୍କର୍ଷ ଅନେକ ସମୟରେ ଉପାଦାନର ଉତ୍କର୍ଷ ଉପରେ ନିର୍ଭର କରୁଥିବାରୁ ଏହାର ସାମାନ୍ୟ ଉଲ୍ଲେଖ ଏଠାରେ ପ୍ରୟୋଜନ । ଉପାଦାନ ଦିଗରୁ ଚିନ୍ତାକୁ ନିବୃତ୍ତ ରଖିଲେ ସାହିତ୍ୟିକ ରଚନାର ଉତ୍କର୍ଷକୁ ପାଠକର ରସାନୁଭୂତି ଶକ୍ତି ଆଗରୁ ଆଲୋଚନା କରିବାକୁ ହୁଏ, ଅର୍ଥାତ୍‌ କେଉଁ ସାହିତ୍ୟ କି ପ୍ରକାର ପାଠକ ପ୍ରତି ଉଦ୍ଦିଷ୍ଟ ପ୍ରଥମେ ସେ ବିଷୟରେ ଲେଖକକୁ ଅବହିତ ହେବାକୁ ହୁଏ । ନାଟକ ଅଭିନୟକାଳୀନ ସାଫଲ୍ୟଲାଭ କରି ନ ପାରିଲେ, ପଦ୍ୟ ସୁମଧୁର ପଦଲାଳିତ୍ୟଦ୍ୱାରା ଆବୃତ୍ତ ସମୟରେ ମଧୁର ବୋଲି ପ୍ରତୀତ ନ ହେଲେ, ଗଦ୍ୟ ସ୍ୱଚ୍ଛନ୍ଦ ଗତିରେ ଅଗ୍ରସର ନ ହେଲେ ଏ ସବୁ ସରସ ଉପାଦାନରେ ଗଠିତ ହେଲେହେ ଉଚ୍ଚାଙ୍ଗ ରଚନା ବୋଲି ସ୍ୱୀକୃତ ହୋଇ ପାରିବ ନାହିଁ । ପୁଣି ପାଠକର ରୁଚି, ସାହିତ୍ୟ ରଚନାର ସ୍ଥାନ, କାଳ ଓ ପରିବେଷ୍ଟନୀ ପ୍ରଭାତି ବିଷୟରେ ଅବହତ ନ ହେଲେ କୌଣସି ଲେଖା ଚିତ୍ତାକର୍ଷକ ହୋଇ ନପାରେ । ଉଦ୍ଦିଷ୍ଟ ପାଠକ ଏକ ଦିଗରେ ସାହିତ୍ୟର ପ୍ରଧାନ ମାନ । ପାଠକର ମନକୁ ପ୍ରଭାବିତ କରି ପାରିଲେ, ତାହାର ଚିତ୍ତକୁ ଆଲୋଡ଼ିତ କରି ପାରିଲେ ସାହିତ୍ୟିକ ରଚନା ସଫଳ ହୋଇଅଛି ବୋଲି ମନେ କରାଯାଇପାରେ ।

 

ସାହିତ୍ୟିକ ରଚନାର ମୂଳରେ ଅବଶ୍ୟ କୌଣସି ବର୍ଣ୍ଣନୀୟ ବିଷୟ ବା ତଥ୍ୟ ଥିବା ସ୍ୱାଭାବିକ । ଏହି ତଥ୍ୟ କଳ୍ପିତ ହୋଇପାରେ; ବାସ୍ତବ ମଧ୍ୟ ହୋଇପାରେ; କଳ୍ପିତ ହେଲେ ମଧ୍ୟ ବାସ୍ତବ ଆକାରରେ ଲିଖିତ ହେବା ପ୍ରୟୋଜନ । ତଥ୍ୟଟି ଯେତେ ସୁସ୍ପଷ୍ଟ, ସୁବ୍ୟକ୍ତ, ସୁଚିନ୍ତିତ, ସୁପରିପୁଷ୍ଟ, ସୁପରିଚିତ ଓ ସୁବିନ୍ୟସ୍ତ ହେବ ସାହିତ୍ୟିକ ରଚନା ତେତେ ହୃଦୟଗ୍ରାହୀ ହେବା ସ୍ୱାଭାବିକ । ତଥ୍ୟକୁ ସୁଷ୍ପଷ୍ଟ କରିବାକୁ ହେଲେ ଭାଷା ମଧ୍ୟରେ ଆବିଳତା ପରିହାର କରିବାକୁ ପଡ଼େ ଦ୍ୱ୍ୟର୍ଥସୂଚକ ପଦମାନ ପରିତ୍ୟାଗ କରିବାକୁ ହୁଏ ଏବଂ ଯେତିକି ଶବ୍ଦର ବ୍ୟବହାର ଅର୍ଥପ୍ରକାଶ କରିବା ନିମନ୍ତେ ପ୍ରୟୋଜନ ତଦପେକ୍ଷା ଅଧିକ ବା ଅଳ୍ପସଂଖ୍ୟକ ପଦର ବ୍ୟବହାର ଏଡ଼ିବାକୁ ହୋଇଥାଏ । ତଥ୍ୟାକୁ ସୁବ୍ୟକ୍ତ କରିବାକୁ ହେଲେ ଯେଉଁ ସ୍ଥାନରେ ଗୁରୁତ୍ୱ ଆରୋପ କରିବା ପ୍ରୟୋଜନ ସେଠାରେ ଗୁରୁତ୍ୱ ଅର୍ପିତ ହୋଇଅଛି କି ନାହିଁ ତାହା ଦେଖିବାକୁ ହୁଏ । ତଥ୍ୟକୁ ସୁପରିପୁଷ୍ଟ କରିବାକୁ ହେଲେ ସେଥି ସହିତ ସଂପୃକ୍ତ ବିଷୟମାନଙ୍କର ଅବତାରଣା କରି ଉଦାହରଣ ପ୍ରଭୃତିର ପ୍ରୟୋଗଦ୍ୱାରା ତଥ୍ୟଟିକୁ ସ୍ଫୀତ କରିବାକୁ ହୁଏ ଓ ତାହାକୁ ସୁଚିନ୍ତିତ କରିବାକୁ ହେଲେ ତାହାର ବିଶ୍ଳେଷଣଦ୍ୱାରା ଅବୟବମାନଙ୍କର ସବିଶେଷ ନିର୍ଦ୍ଦେଶ ଦେବାକୁ ହୁଏ । ତଥ୍ୟର ନିର୍ଦ୍ଦେଶ ମଧ୍ୟରେ ଭାବସଙ୍ଗତି ରକ୍ଷିତ ହୋଇ ଯଥାଯଥ ସ୍ଥାନେ ଗୁରୁତ୍ୱ ଆରୋପିତ ହୋଇଥିଲେ ତାହା ସୁବିନ୍ୟସ୍ତ ବୋଲି ମନେ କରାଯାଇପାରେ ଏବଂ ତଥ୍ୟଟି କୌଣସି ସାଧାରଣ ମାନବିକ ଧର୍ମକୁ ଆଶ୍ରୟ କରି ରଚିତ ହେଲେ ତାହା ସୁପରିଚିତ ବୋଲି ସ୍ୱୀକୃତ ହୋଇଥାଏ । ସାହିତ୍ୟିକ ରଚନା ଲେଖିବା ସମୟରେ ଲେଖକ ଏହି ସମସ୍ତ ବିଷୟ ପ୍ରତି ଅବହିତ ହେଲେ ତାହାର ରଚନା ନିଶ୍ଚୟ ହୃଦୟଗ୍ରାହୀ ହୋଇ ପାରିବ । ମାତ୍ର ଏତେ ଦିଗରୁ ବିଚାର କରି କୌଣସି ରଚନା ଲେଖିବା ଅସମ୍ଭବ । ସାଧାରଣ ଭାବରେ ରଚନା ସମ୍ୱନ୍ଧରେ ତିନିଗୋଟି ବିଷୟ ପ୍ରତି ଅବହିତ ହେବା ଉଚିତ (୧) ତଥ୍ୟଟି ଉଦ୍ଦିଷ୍ଟ ପାଠକମାନଙ୍କର ଉପଯୋଗୀ ହୋଇଅଛି କି ନାହିଁ, (୨) ତଥ୍ୟଟିର ପ୍ରତ୍ୟେକ ଅଂଶ ଯଥାଯଥ ଭାବରେ ବ୍ୟକ୍ତ ହୋଇଅଛି କି ନାହିଁ, (୩) ତଥ୍ୟଟି ସୁବିନ୍ୟସ୍ତ ଭାବରେ ଓ ସରସ ଭାବରେ ପ୍ରକାଶିତ ହୋଇ ପାରିଅଛି କି ନାହଁ ।

 

ଉଦ୍ଦିଷ୍ଟ ପାଠକ-ସମଗ୍ର ମାନବ ଜାତି ସାହିତ୍ୟିକ ରଚନାର ଉଦ୍ଦିଷ୍ଟପାଠକ । ସମଗ୍ର ଜଗତର ସର୍ବକାଳୀନ ମାନବସମାଜ ପ୍ରତି ଏହା ଉଦ୍ଦିଷ୍ଟ ଅର୍ଥାତ୍‌ ସାହିତ୍ୟର ବ୍ୟାପ୍ତି ଯେତେ ଅଧିକ ହୁଏ, ଯେତେ ଅଧିକ ପାଠକ ଏଥିରେ ରସର ସନ୍ଧାନ ପାଇ ପାରନ୍ତି, ରଚନା ତେତେ ସାହିତ୍ୟିକ ହେବା ସ୍ୱାଭାବିକ । ଏହି କାରଣରୁ ବିଶ୍ୱ ସାହିତ୍ୟ ଜାତୀୟ ସାହିତ୍ୟଠାରୁ ଗରୀୟାନ୍‌, ଜାତୀୟ ସାହିତ୍ୟ ପ୍ରାଦେଶିକ ସାହିତ୍ୟଠାରୁ ମହତ୍ତର । ସାହିତ୍ୟ ଏପରି ଭାବରେ ରଚିତ ହେବା ଉଚିତ ଯେ ତାହାର ମାଧୁର୍ଯ୍ୟ କେବଳ ଗୋଟିଏ ଭାଷାରେ ସୀମାବଦ୍ଧ ନ ହୋଇ ଭାଷାନ୍ତରରେ ପ୍ରକାଶିତ ହୋଇ ପାରିବ । ଯଦି ସମଗ୍ର ବିଶ୍ୱରେ ସବୁ ସମୟରେ ଗୋଟିଏ ଭାଷା ପ୍ରଚଳିତ ହୋଇ ରହନ୍ତା, ତେବେ ଅବଶ୍ୟ ସାହିତ୍ୟିକ ରଚନାର ଭାଷା ବିଷୟରେ କିଛି ସନ୍ଦେହ ଉପସ୍ଥିତ ହୁଅନ୍ତା ନାହିଁ । କିନ୍ତୁ ଯେଉଁଠାରେ ଭାବର ବ୍ୟବହାରଦ୍ୱାରା ସାହିତ୍ୟର ବିଶେଷ ରୀତି ସଂପୃକ୍ତ, ଯେଉଁଠାରେ ଜାତୀୟ ଭାଷାର ବ୍ୟବହାରଦ୍ୱାରା ସାହିତ୍ୟର ବିଶେଷ ରୀତି ପ୍ରଚଳିତ, ଯେଉଁଠାରେ ଭାବର ମାଧୁର୍ଯ୍ୟ ପୁଣି କୃଷ୍ଟିଗତ ରସାନୁଭୂତି ଉପରେ ନିର୍ଭର କରେ ସେଠାରେ ଭାଷା ବିଷୟରେ ରଚନାକାଳୀନ ସାବଧାନତାର ପ୍ରୟୋଜନ ହୁଏ । ଭାଷା ପ୍ରତ୍ୟେକ ଲେଖକର ନିଜସ୍ୱ, ତାହାର ବ୍ୟବହାର ତାହାର ଜାତୀୟତା ଉପରେ ନିର୍ଭର କରେ । ମାତ୍ର ସାହିତ୍ୟିକ ରଚନା ମଧ୍ୟରେ ଯଦି ଏପରି ଭାଷା ବ୍ୟବହୃତ ହୁଏ-ଯାହା କି କେବଳ ଗୋଟିଏ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ନିବଦ୍ଧ କିମ୍ୱା ଗୋଟିଏ ବିଶେଷ ଶ୍ରେଣୀର ଲୋକଙ୍କ ମଧ୍ୟରେ ପ୍ରଯୁକ୍ତ, ତେବେ ସେହି ଭାଷା କେବେହେଁ ହୃଦୟଗ୍ରାହୀ ହୋଇପାରେ ନାହିଁ । ଭାଷାର ସୌଷ୍ଠବ ତାହାର ବ୍ୟାପ୍ତି ଉପରେ ନିର୍ଭର କରେ ; ଏଣୁ ସାହିତ୍ୟିକ ଭାଷା ଅନେକାଂଶରେ କୃତ୍ରମ ଭାଷା, ଏହା ସାଧାରଣ କଥ୍ୟ ଭାଷା ନୁହେଁ । ପୁନଶ୍ଚ କେବଳ ପଣ୍ଡିତମାନଙ୍କଦ୍ୱାରା ବ୍ୟବହୃତ ଭାଷା ନୁହେଁ; କାରଣ ଏପରି ଭାଷାର ରସ ଗ୍ରହଣ ଶ୍ରମସାପେକ୍ଷ; କେବଳ ବିଶେଷ ଭାବରେ ଶିକ୍ଷାପ୍ରାପ୍ତ ଅଳ୍ପସଂଖ୍ୟକ ଲୋକ ଏହାକୁ ଆୟତ୍ତ କରି ପାରନ୍ତି । ସାହିତ୍ୟିକ ଭାଷା ମଧ୍ୟରେ ମାର୍ଜିତ ରୁଚିର ପରିଚୟ ଥିବା ଉଚିତ ଏବଂ ଏହା ମଧ୍ୟରେ ସରଳ ବାକ୍ୟବିନ୍ୟାସ ଥିବା ମଧ୍ୟ ପ୍ରୟୋଜନ । ଗ୍ରାମ୍ୟଭାଷା, କଥ୍ୟଭାଷା ଯେ ସାହିତ୍ୟରେ ଅବ୍ୟବହାର୍ଯ୍ୟ ତାହା ନୁହେଁ, ମାତ୍ର ରଚନା ମଧ୍ୟରେ କେବଳ ଗ୍ରାମ୍ୟତା ବା କଥ୍ୟଭାଷାର ପ୍ରୟୋଗଦ୍ୱାରା ରଚନାର ବ୍ୟାପ୍ତିରେ ଦୋଷ ଘଟୁଅଛି କି ନାହିଁ ସର୍ବଦା ଦେଖିବାକୁ ହୁଏ । ସାଧାରଣ ଶିକ୍ଷିତ ଜନସାଧାରଣଙ୍କ ଭାଷାହିଁ ସାହିତ୍ୟିକ ଭାଷା । କାରଣ ସାହିତ୍ୟ ଯେଉଁମାନେ ପାଠ କରିବେ, ସେମାନଙ୍କ ମଧ୍ୟରେ ଏହି ଭାଷା ପରିଚିତ ଓ ପ୍ରଚଳିତ । ବିଶ୍ୱ ସାହିତ୍ୟରେ ‘ବିଶ୍ୱ ଭାଷା’ ବ୍ୟବହୃତ ହୋଇ ନ ପାରିଲେହେଁ ଅନ୍ତତଃ କୌଣସି ବିଶେଷ ଅଞ୍ଚଳର ଭାଷାରେ ସୀମାବଦ୍ଧ କରି ସାହିତ୍ୟ ରଚନା କରିବା ସମ୍ଭବ ନୁହେଁ । ଅବଶ୍ୟ କଥ୍ୟ ଭାଷାରେ ଯେ ଉଚ୍ଚାଙ୍ଗର ସାହିତ୍ୟ ରଚିତ ହୋଇ ନାହିଁ ତାହା ନୁହେଁ, ମାତ୍ର ତାହା ପ୍ରତିଭା ସାପେକ୍ଷ । ସାଧାରଣତଃ ପାଠକମାନଙ୍କର ଜାତୀୟତାକୁ ସ୍ମରଣ କରି ସାହିତ୍ୟକୁ ମାର୍ଜିତ ଜାତୀୟ ଭାଷାରେ ରଚନା କରିବାକୁ ହୁଏ ।

 

ରଚନାଟି ଯଥାଯଥ ଭାବରେ ବ୍ୟକ୍ତ ହୋଇଅଛି କି ନାହିଁ, ତାହା ରଚନାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କଲେ ଜଣା ପଡ଼େ । କାରଣ ଗୁରୁ (ଚିନ୍ତାମୂଳକ) ବିଷୟର ବ୍ୟାଖ୍ୟାନ ଯେଉଁ ରଚନାର ଉଦ୍ଦେଶ୍ୟ ସେଥିରେ ଯେପରି ଭାଷା ବ୍ୟବହୃତ ହୁଏ, ଲଘୁ ବିଷୟଯୁକ୍ତ ବ୍ୟାଖ୍ୟାନରେ ସେପରି ଭାଷାର ପ୍ରୟୋଗ ଅସମୀଚୀନ । ପୁଣି ପ୍ରବନ୍ଧରେ ବା ବିତର୍କରେ ଯେପରି ଭାଷା ବ୍ୟବହୃତ ହୁଏ, ଗଳ୍ପ ଲେଖାରେ ସେପାରି ଭାଷାର ବ୍ୟବହାର ଅସଙ୍ଗତ । ‘ଚିଲିକା’ରେ କବି ଯେପରି ଭାବବିଳାସର ପରିଚୟ ଦେଇଅଛନ୍ତି, ନିଜ ଜୀବନର କରୁଣ ଛବି ଉଦ୍‌ଘାଟିତ କରିଅଛନ୍ତି କିମ୍ୱା ଉତ୍କଳର ଅତୀତ ଗୌରବ ବିଷୟକ ଗଦ୍ୟ ପ୍ରବନ୍ଧରେ ସେଭଳି ଚିତ୍ର ସନ୍ନିବେଶିତ ହେବା ସମ୍ଭବ ନୁହେଁ । ପ୍ରତ୍ୟେକ ରଚନା ବିଭିନ୍ନ ଶ୍ରେଣୀର ପାଠକ ନିମନ୍ତେ ବିଭିନ୍ନ ଉପାଦାନ ନେଇ ବିଭିନ୍ନ ଭାବରେ ଗଠିତ, ଏଣୁ ରଚନାର ଭାଷା ମୂଖ୍ୟତଃ ବିଷୟବସ୍ତୁର ନିର୍ବାଚନ ଓ ରସ ସୃଷ୍ଟିର ଉଦ୍ଦେଶ୍ୟ ଉପରେ ନିର୍ଭର କରେ । ପୁଣି ବିଷୟବସ୍ତୁର ପ୍ରତ୍ୟେକ ଅଙ୍ଗ ଉପରେ ଯଥାଯଥ ଗୁରୁହ ଆରୋପିତ ହୋଇଅଛି କି ନାହିଁ ତାହା ମଧ୍ୟ ଦେଖିବାକୁ ହୁଏ ।
 

ପ୍ରତ୍ୟେକ ରଚନା ମୂଳତଃ ଗୋଟିଏ ବିଶେଷ ବିଷୟ ଘେନି ରଚିତ ହୁଏ । ବିଷୟବସ୍ତୁ ମଧ୍ୟରେ ନାନା ଅସଙ୍ଗତ ଓ ଅସଂଲଗ୍ନ ତଥ୍ୟର ସମାବେଶ ଥିଲେ ତାହା ଚିତ୍ତାକର୍ଷକ ହୁଏ ନାହିଁ । ଗୋଟିଏ ରଚନାରେ ବାସ୍ତବରେ ଗୋଟିଏ ବିଷୟ ପ୍ରତି ଲୋକଙ୍କର ଦୃଷ୍ଟି ଆକୃଷ୍ଟି ହୋଇଥାଏ । ଯଦ୍ଥି ଅସମ୍ପୃକ୍ତ କୌଣସି ଅଂଶ ଉପରେ ପ୍ରାଧାନ୍ୟ ଆରୋପିତ ହୁଏ, ତେବେ ତାହା ରଚନାର ଦୋଷ ବୋଲି ପରିଗଣିତ ହୁଏ । ପ୍ରଧାନ ବିଷୟବସ୍ତୁ ଉପରେ ସମଧିକ ଗୁରୁତ୍ୱ ଆରୋପିତ ହୋଇଅଛି କି ନାହିଁ ଓ ଅନ୍ୟାନ୍ୟ ବିଷୟ ମୂଳ ବିଷୟକୁ ପରିପୋଷଣ କରୁଅଛି କି ନାହିଁ, ଏହାହିଁ ରଚନାର ପ୍ରଥମ ଓ ପ୍ରଧାନ ଆଲୋଚ୍ୟ ବସ୍ତୁ । ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଯଥାଯଥ ଭାବରେ ଆରୋପିତ ହୋଇଥାଏ ଏବଂ ପ୍ରଧାନ ବିଷୟବସ୍ତୁକୁ ପରିପୋଷଣ କରାଯିବା ଭଳି ଗୁରୁତ୍ୱ ସେମାନଙ୍କ ଉପରେ ଅର୍ପିତ ହୁଏ । ବିଷୟବସ୍ତୁର ଅଂଶମାନଙ୍କର ଗୁରୁହ ଘେନି ରଚନାର ଦୈର୍ଘ୍ୟ ରଚନାର ଅଂଶମାନଙ୍କର ବିନ୍ୟାସ ନିର୍ଣ୍ଣୀତ ହୋଇଥାଏ । ପୁଣି ପ୍ରସଙ୍ଗମାନଙ୍କର କ୍ରମଦ୍ୱାରା ମଧ୍ୟ ସାହିତ୍ୟିକ ରଚନା ବିନ୍ୟାସ ନିର୍ଣ୍ଣୀତ ହୋଇଥାଏ ପୁଣି ପ୍ରସଙ୍ଗମାନଙ୍କର କ୍ରମଦ୍ୱାରା ମଧ୍ୟ ସାହିତ୍ୟିକ ରଚନାର ବିନ୍ୟାସ ନିୟତ୍ରିତ ହୋଇଥାଏ । ଗଳ୍ପରେ କାଳକ୍ରମ, ବର୍ଣ୍ଣନାରେ ପ୍ରସଙ୍ଗକ୍ରମ, ବିତର୍କରେ ଚିନ୍ତାକ୍ରମ ବ୍ୟାହତ ହେଲେ ସାଧାରଣତଃ ରଚନା ମନୋହର ହୋଇପାରେ ନାହିଁ ।

 

କିନ୍ତୁ ସାହିତ୍ୟିକ ରଚନାର ଦୋଷ ଗୁଣ ପ୍ରଧାନତଃ ଦୁଇଗୋଟି ବିଷୟ ଉପରେ ନିର୍ଭର କରେ-ରଚନା ମଧ୍ୟରେ ଆବେଗର ବା କଳ୍ପନାର ଆଭାସ । ଲେଖକ ନିଜର ହୃଦୟାବେଗଦ୍ୱାରା ଲେଖାକୁ ଅନୁପ୍ରାଣିତ କରେ ଓ ଏହି ଆବେଗମୟ ଭାଷାଦ୍ୱରା ପାଠକର ଚିତ୍ତ ମଧ୍ୟ ପ୍ରଭାବିତ ହୁଏ-। ଆବେଗର ସଞ୍ଚାରଦ୍ୱାରା ମନରେ ଆନନ୍ଦ ଜାତ ହୁଏ; ଏଣୁ ଆବେଗ ରସସୃଷ୍ଟିର ଅନ୍ୟତମ ପ୍ରଧାନ ଉପାଦାନ । ମନୁଷ୍ୟର ଆାବେଗ ନାନା ପ୍ରକାରର, କେତେବେଳେ ମନୁଷ୍ୟ ଦୁଃଖରେ ମୁହ୍ୟମାନ ହୁଏ, କେତେବେଳେ ପ୍ରେମର ଆସ୍ୱାଦ ପାଇଁ ବ୍ୟଗ୍ର ହୁଏ, କେତେବେଳେ କ୍ରୋଧରେ ଅସ୍ଥିର ହୁଏ, କେତେବେଳେ ଅବା ଭୟରେ ଅଭିଭୂତ ହୋଇପଡ଼େ । ପ୍ରତ୍ୟେକ ତଥ୍ୟ ବିଭିନ୍ନ ପରିସ୍ଥିତିରେ ବିଭିନ୍ନ ଲୋକମନରେ ବିଭିନ୍ନ ଆବେଗ ଜାତ କରିପାରେ । ‘ଶିବାଜୀ ଆଓରଂଜେବଙ୍କ କବଳରୁ ପଳାୟନ କଲେ’ ଏହି ତଥ୍ୟ କାହାରି ମନରେ ହର୍ଷ, କାହାରି ମନରେ ଦୁଃଖ ପୁଣି ଅନ୍ୟ କାହାରି ମନରେ ଭୟ ବା କ୍ରୋଧ ଳନ୍ମାଇପାରେ; ତେଣୁ ଲେଖକ ଗୋଟିଏ ବିଷୟବସ୍ତୁର ପରିକଳ୍ପନାଦ୍ୱାରା ଯେପରି ହୃଦୟାବେଗ ଅନୁଭବ କରେ, ଭାଷାଦ୍ୱାରା ପାଠକମନରେ ଅନୁରୂପ ଆବେଗର ସଞ୍ଚାର କରିବାକୁ ସକ୍ଷମ ହୁଏ । ଅତଏବ ରଚନାର ଭାଷା ପରିକଳ୍ପିତ ଆବେଗର ପରିପୋଷକ ହୋଇଅଛି କି ନାହିଁ ଓ ପାଠକମନରେ ଆବେଗର ସଞ୍ଚାର କରିବାକୁ ସମର୍ଥ ହୋଇଅଛି କି ନାହିଁ, ପ୍ରଥମେ ଏହାର ଆଲୋଚନା କରିବାକୁ ହୁଏ । ଅନେକ ସମୟରେ ଆବେଗାନୁକୂଳ ଶବ୍ଦମାନଙ୍କର ବ୍ୟବହାର ପ୍ରୟୋଜନ ହୁଏ, ଅନ୍ୟତ୍ର କେବଳ ନିରାଡ଼ମ୍ୱର ଭାଷାଦ୍ୱାରା ମଧ୍ୟ ଆବେଗ ପ୍ରକାଶିତ ହୋଇପାରେ । ‘ତାଙ୍କର ଘର ପୋଡ଼ିଗଲା, ସେ ସର୍ବସ୍ୱ ହରାଇଲେ’ ବାକ୍ୟଟି ନିରାଡ଼ମ୍ୱର, ମାତ୍ର ଏହା ମଧ୍ୟରେ ଲେଖକର ଆବେଗ ଓ ସହାନୁଭୂତି ପ୍ରଚ୍ଛନ୍ନ, କିନ୍ତୁ ‘ଗୃହଦାହରେ ତାଙ୍କର ସର୍ବସ୍ୱ ଭସ୍ମୀଭୂତ ହୋଇଗଲା’ ବାକ୍ୟରେ ଅନୁରୂପ ଅର୍ଥ ପ୍ରକାଶିତ ହେଉଥିଲେହେଁ, ଏଥିରେ ଆାବେଗର ମାତ୍ର ଅଳ୍ପ କିନ୍ତୁ ‘ସର୍ବସ୍ୱର ‘ଭସ୍ମ’ରେ ପରିଣତ ହେବାର ଚିତ୍ର ମଧ୍ୟରେ କଳ୍ପନାକୁ ଉଦ୍ରିକ୍ତ କରିବାର ପ୍ରୟାସ ସୁସ୍ପଷ୍ଟ । ପୁଣି ‘ତାଙ୍କ ଘର ପୋଡ଼ି ଜଳି ଶେଷ ହୋଇଗଲା’ ବାକ୍ୟରେ ପୋଡ଼ିବାର ସମାର୍ଥକ ଶବ୍ଦମାନଙ୍କର ପୁନଃପୁନଃ ବ୍ୟବହାରରେ ପାଠକ ଆବେଗର ଆାଧିକ୍ୟ ସ୍ପଷ୍ଟ ଉପଳବ୍‌ଧି କରିପାରେ । ରଚନାରେ ଭାଷାକୁ ସକ୍ରିୟ କରିବା ଅର୍ଥାତ୍ ପାଠକମନକୁ ପ୍ରଭାବିତ କରିବା ଓ ତାକୁ ବିଷୟବସ୍ତୁର ସତ୍ୟାତା ନିଃସନ୍ଦେହଭାବରେ ଗ୍ରହଣ କରି ନେବାକୁ ଉନ୍ନୁଖ କରିବା ଆବେଗର କାର୍ଯ୍ୟ । ରଚନାର ସକ୍ରିୟତା ଯଥାଯଥ ଭାଷାରେ ଆବେଗର ପ୍ରକାଶ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ ।

 

ଆବେଗର ଆଧିକ୍ୟ ହେଲେ ରସାନୁଭୂତି ବ୍ୟାହତ ହୁଏ । ଆବେଗରେ ଅଳ୍ପତା ମଧ୍ୟ ହୃଦୟତନ୍ତ୍ରୀ ଉପରେ ଯଥାଯଥ ଭାବରେ ଆଘାତ କରିବାକୁ ଅସମର୍ଥ ହୁଏ । ଅନେକ ସମୟରେ ନାଟକମାନଙ୍କରେ ତରୁଣ ଲେଖକମାନେ ଆବେଗର ଆଧିକ୍ୟକୁ ଅଯଥା ବ୍ୟସ୍ତତା, ଅନୁଚିତ କାର୍ଯ୍ୟତତ୍ପରତାଦ୍ୱାରା ପ୍ରକାଶିତ କରିବାର ଚେଷ୍ଟା କରିଥାନ୍ତି । ‘ମୀର୍‌କାଶିମ୍‌’ ପ୍ରଭାତି ନାଟକ ଏହାର ପ୍ରକୃଷ୍ଟ ଉଦାହରଣ । ଏପରି ଆବେଗର ଆଧିକ୍ୟ ରସାସ୍ୱାଦନର ପରିପନ୍ଥୀ । ରଚନାର ପ୍ରଧାନ କୌଶଳ ଆବେଗକୁ ପ୍ରଚ୍ଛନ୍ନ ରଖି ଆବେଗର ସଞ୍ଚାର କରିବା ଅର୍ଥାତ୍‌ ପାଠକମନରେ ଆବେଗ ସଞ୍ଚାରିତ ହେବ, ମାତ୍ର ଲେଖକ ଯେ ଆବେଗଦ୍ୱାରା ଅନୁପ୍ରାଣିତ ଓ ଅଭିଭୂତ ହେଉଅଛି ତାହାର ବାହ୍ୟ ପ୍ରକାଶ ନ ଥିବ । ବାସ୍ତବରେ ଆବେଗର ଆଧିକ୍ୟଦ୍ୱାରା ଆବେଗ ସଞ୍ଚାରିତ ହୋଇପାରେ ନାହିଁ ବରଂ ତାହା ହାସ୍ୟରସର ଉଦ୍ରେକ କରେ । ଅନେକ ଲେଖାରେ ପୁଣି ଆବେଗର ଅଳ୍ପତା ରସାନୁଭୂତିକୁ ବ୍ୟାହତକରେ । ମୁତ୍ୟୁର ବିଶଦ ବର୍ଣ୍ଣନାଦ୍ୱାରା ଏହିପରି ଆବେଗର ଅଳ୍ପତା ପ୍ରକାଶିତ ହୋଇପାରେ, କାରଣ ପ୍ରାଞ୍ଜଳ ଓ ବିସ୍ତାରିତ ବର୍ଣ୍ଣନା ଆବେଗର ପରିପନ୍ଥୀ । ପୁଣି ସଂଖ୍ୟା ବା ପରିମାଣ ବିଷୟରେ ନିଶ୍ଚିତତା ମଧ୍ୟ ଆବେଗର ଅଳ୍ପତା ସୂଚିତ କରେ, କାରଣ ଅନିଶ୍ଚିତତା ଆବେଗର ପରିପୋଷକ । ‘ବିରାଟ ଜନତା’ ଅସ୍ପଷ୍ଟ, ମାତ୍ର ଆବେଗସୂଚକ; ‘ତିନି ହଜାର ଲୋକ ଜମା ହେଲେ’ ନିଶ୍ଚିତ ତଥ୍ୟ ନିର୍ଦ୍ଦେଶକ, ମାତ୍ର ଆବେଗର ପରିପନ୍ଥୀ ।

 

ପାଠକ ମନରେ ନାନାପ୍ରକାରେ ଆବେଗ ସଞ୍ଚାରିତ କରି, ହୁଏ, କିନ୍ତୁ ରଚନାର ଆବେଷ୍ଟନୀଦ୍ୱାରା ଆବେଗ ପ୍ରଭାବିତ ହେବା ସ୍ୱାଭାବିକ । ରଚନା ସାଧାରଣତଃ ଲଘୁ, ଚିତ୍ତବିନୋଦନ ନିମନ୍ତେ ଲିଖିତ ହାସ୍ୟରସାତ୍ମକ ହୋଇପାରେ କିମ୍ୱା ଗାମ୍ଭୀର୍ଯ୍ୟପୂର୍ଣ୍ଣ ଓ ତତ୍ତ୍ୱନିରୂପଣ ନିମନ୍ତେ ପ୍ରଯୁକ୍ତ ହୋଇପାରେ । ଗୁରୁରଚନାରେ ପ୍ରେମ ନିବେଦନ କିମ୍ୱାଲଘୁ ରଚନା ମଧ୍ୟରେ ଶୋକ ପ୍ରକାଶ ପ୍ରଭୁତି ଅଶୋଭନ । ସେଥିନିମନ୍ତେ ଆବେଗପ୍ରକାଶକ ଭାଷା ବ୍ୟବହାର ପୂର୍ବରୁ ଲେଖାର ଆବେଷ୍ଟିନୀ, ପାରିପାର୍ଶିକ ଅବସ୍ଥା ପ୍ରଭୃତି ପ୍ରତି ଅବହିତ ହେବା ଏକାନ୍ତ ପ୍ରୟୋଜନ । ଅନେକ ସମୟରେ ଅତ୍ୟଧିକ ଗାମ୍ଭୀର୍ଯ୍ୟ ରଚନାକୁ ହାସ୍ୟରସାତ୍ମକ କରେ; ଏଣୁ ଲେଖାର ସଙ୍ଗତି ବିଷୟରେ ସତର୍କତା ପ୍ରତ୍ୟେକ ଲେଖକକୁ ଅବଲମ୍ୱନ କରିବାକୁ ହୁଏ । ନାଟକ ପ୍ରଭୃତିରେ ଆବେଗମୟ ଉଜ୍ଜ୍ୱାସପୂର୍ଣ୍ଣ ଭାଷାର ବ୍ୟବହାର ସମୀଚୀନ, କାରଣ ଏଠାରେ ଆବେଗହିଁ ରଚନାର ପ୍ରାଣ ଓ ପ୍ରଧାନ ଅବଲମ୍ୱନ । ନାନା ଉପାୟରେ ଏହି ଆବେଗ ପ୍ରକାଶିତ ହୋଇପାରେ । କେତେକ ସତଇାନରେ ଲେଖକ ସ୍ପଷ୍ଟ ଆବେଗପ୍ରକାଶକ ଅବ୍ୟୟପଦ (ଛିଃ ! ବାଃ ! ଆହା ପ୍ରଭୁତି)ମାନଙ୍କୁ ବ୍ୟବହାର କରେ ଅନ୍ୟତ୍ର କେବଳ ଅତ୍ୟୁକ୍ତି କିମ୍ୱା ପୁନରୁକ୍ତିଦ୍ୱାରା ମଧ୍ୟ ଆବେଗ ସୂଚିତ ହୋଇପାରେ । ଅନେକ ସମୟରେ କେବଳ ଗୋଟିଏ ସମ୍ଭୋଧନ ପଦଦ୍ୱାରା ବକ୍ତା ଯେପରି ଆବେଗର ପ୍ରକାଶ କରିପାରେ ଉଚ୍ଛ୍ୱାସମୟ ନାନା ଶବ୍ଦର ପ୍ରୟୋଗଦ୍ୱାରା ମଧ୍ୟ ସେହିପରି ଆବେଗ ପ୍ରକାଶିତ ହୋଇପାରେ ନାହିଁ । ‘ସେଠି କ’ଣ ନ ଦେଖିଲି !’ ଆବେଗ ପ୍ରକାଶକ, ମାତ୍ର ଅସମ୍ପୂର୍ଣ୍ଣ ବାକ୍ୟ ଏବଂ ଏଥିରେ ବିସ୍ମୟର ମାତ୍ରାଧିକ୍ୟ ସ୍ପଷ୍ଟ ସୂଚିତ ହେଉଅଛି; କିନ୍ତୁ ସମାର୍ଥକ ‘ମୁ’ ସେଠି ଏତେପ୍ରକାର ନୂତନ ପଦାର୍ଥ ଦେଖିଲି ଯେ ସେମାନଙ୍କ ବିଷୟରେ କିଛି କହି ପାରୁ ନାହିଁ ବାକ୍ୟରେ ଆବେଗର ମାତ୍ରା କମ୍‌ ହୋଇ ଯାଉଅଛି । ସମୟ ସମୟରେ ଉପର୍ଯ୍ୟୁପରି କ୍ଷୁଦ୍ର କ୍ଷୁଦ୍ର ବାକ୍ୟମାନଙ୍କର ପ୍ରୟୋଗଦ୍ୱାରା ଯେଉଁ ଆବେଗ ସୂଚିତ ହୁଏ, ସେହି ବାକ୍ୟମାନଙ୍କୁ ମିଳିତ କରି ଗୋଟିଏ ଦୀର୍ଘ ବାକ୍ୟରେ ପରିଣତ କଲେ ଆବେଗର ମାତ୍ରା ସ୍ପଷ୍ଟ ଅଳ୍ପ ହୋଇଯାଏ । (ତୁଳନୀୟ:-ଅନେକ ଦିନ ପରେ ସେ ଗାଆଁରେ ପହଞ୍ଚିଲା । ଏହି ତାହାର ଜନ୍ମଭୁମି । ଏହିଠାରେ ତାହାର ଶୈଶବ ଅଭିବାହିତ । ଶୈଶବର କେତେ ମଧୁରସ୍ମୃତି ତାହାର ମନରେ ଭାସି ଉଠିଲା । କିନ୍ତୁ ଗାଆଁରେ ବର୍ତ୍ତମାନ ସମସ୍ତେ ତାହାର ଅପରିଚିତ । ଅନେକ ଖୋଜି ଖୋଜି ନିଜର ଘର ନିକଟରେ ପହଞ୍ଚଲା’-’ଯେଉଁ ଗ୍ରାମାରେ ତାହାର ଜନ୍ମ, ଯେଉଁଠାରେ ତାହାର ଶୈଶବ ଅତିବାହିତ, ସେହି ଗ୍ରାମରେ ଅନେକ ଦିନ ପରେ ପହଞ୍ଚିବାରୁ ତାର ମନରେ ଶୈଶବର ନାନା ସ୍ମୃତି ଭାସି ଉଠିଲା, କିନ୍ତୁ ସେ ପ୍ରଥମେ କାହାରିକୁ ଚିହ୍ନି ପାରିଲା ନାହିଁ ଓ ଅନେକ ଖୋଜି ନିଜ ଘରେ ପହଞ୍ଚିଲା’) । ଅନେକ ରଚନାରେ ପୁଣି ସ୍ୱାଭାବିକ ଆବେଗର ଅନୁକରଣରେ ଅସଂଲଗ୍ନ ଉକ୍ତି ବା ଅସମ୍ପୂର୍ଣ୍ଣ ବାକ୍ୟଦ୍ୱାରା ମଧ୍ୟ ଆବେଗ ସୂଚିତ ହୋଇପାରେ (ତୁ:-ଟିକିଏ ପାଣି-ଟିକିଏ ପାଣି-ପାଣି-ଓଃ କି ଜ୍ୱାଳା !) । କେତେକ ସ୍ଥାନରେ ଅମ୍ୱାଭାବିକ କାର୍ଯ୍ୟର ରୀତ୍ୟନୁଯାୟୀ ବର୍ଣ୍ଣନାଦ୍ୱାରା ମଧ୍ୟ ଆବେଗ ପ୍ରକାଶିତ ହୋଇପାରେ । ପ୍ରେମ ନିବେଦନରେ ସଙ୍ଗୀତର ବ୍ୟବହାର, ଶୋକ ପ୍ରକାଶ ନିମନ୍ତେ ସୁଲଳିତ ସଙ୍ଗୀତ ପ୍ରଭୃତି ନାଟକରେ ପ୍ରଚଳିତ । ଏ ସବୁ ସାମୟିକ ଉତ୍ତେଜନା ସଞ୍ଚାରିତ କରିବାକୁ ସମର୍ଥ, କିନ୍ତୁ ଏଗୁଡ଼ିକ ବାସ୍ତବରେ ଚିତ୍ତର ବିଭ୍ରମ ମାତ୍ର ଜାତ କରେ, ଏପରି ଅସ୍ୱାଭାବିକ ରଚନାର ଉତ୍ତେଜନା ଅତି କ୍ଷୀଣ ଓ ଅଳ୍ପକ୍ଷଣସ୍ଥାୟୀ ହୁଏ ।

 

ଆବେଗ ଯେପରି ରଚନାକୁ ସକ୍ରିୟ କରେ, କଳ୍ପନା ସେହିପରି ତାକୁ ମଧୁର ଓ ସରସ କରେ । କଳ୍ପନା ଯେତେ ଅଳ୍ପ ହେବ ବିଷୟବସ୍ତୁ ତେତେ ନୀରସ ତଥ୍ୟ ବିଜ୍ଞପ୍ତି ମାତ୍ର ହେବ । ଇତିହାସ, ଦର୍ଶନ, ବିଜ୍ଞାନ ପ୍ରଭୁତିରେ ତଥ୍ୟ ବିଜ୍ଞପ୍ତହିଁ ସ୍ପୃହଣୀୟ । ବିଜ୍ଞାନ ସତ୍ୟାନୁସନ୍ଧାନରେ ବ୍ୟସ୍ତ, ଏଥିରେ କଳ୍ପନାର ସ୍ଥାନ ନାହିଁ । ଶିବାଜୀ ଶୀଘ୍ର ଶତ୍ରୁକୁ ଆକ୍ରମଣ କଲେ’ ଇତିହାସର ଭାଷା, ମାତ୍ର ‘ଶିବାଜୀ ବିଦ୍ୟୁତ୍‌ଗତିରେ ଶତ୍ରୁସୈନ୍ୟ ଉପରେ ନିପତିତ ହେଲେ’ ସାହିତ୍ୟ; କାରଣ ଏଥିରେ କଳ୍ପନାର ପ୍ରୟୋଗ ସୁଷ୍ପଷ୍ଟ । ‘ଏହି କରଭାରଦ୍ୱାରା ଭାରତୀୟ ଶିଳ୍ପକେନ୍ଦ୍ରମାନ ସମୂଳେ ବିନଷ୍ଟ ହୋଇଗଲା’ ସାହିତ୍ୟିକ ଭାଷା, କାରଣ ଏଥିରେ ଆବେଗଦ୍ୱାରା ତଥ୍ୟର ମାତ୍ରା ପ୍ରଭାବିତ ହେଉଅଛି ଓ କଳ୍ପନାଦ୍ୱାରା ମଧ୍ୟ ପାଠକର ମନକୁ ଆନ୍ଦୋଳିତ କରିବାର ଚେଷ୍ଟା ହେଉଅଛି । ମାତ୍ର ‘ନୂତନ ନୂତନ କର ହେତୁରୁ ଭାରତୀୟ ଶିଳ୍ପୀ ଅନ୍ୟ ଦେଶର ଶିଳ୍ପୀ ସହିତ ପ୍ରତିଯୋଗିତା କରିବାକୁ ଅସମର୍ଥ ହେଲେ ଓ ଦଶଗୋଟି ଶିଳ୍ପକେନ୍ଦ୍ର କ୍ଷତି ସହି ନ ପାରି ଲୁପ୍ତ ହୋଇଗଲେ’ ବାକ୍ୟ ଅର୍ଥନୀତି ପୁସ୍ତକର ଭାଷା, କାରଣ ଏଥିରେ ତଥ୍ୟ ବିଜ୍ଞପ୍ତି ହିଁ ମୂଳ ଉଦ୍ଦେଶ୍ୟ ।

 

କଳ୍ପନାର ଉତ୍ତେଜନା ପାଠକମନରେ ଆନନ୍ଦ ଜାତ କରାଏ । କଳ୍ପନାର ମାଧୁର୍ଯ୍ୟଦ୍ୱାରା ପାଠକର ମନ ଅଭିଭୂତ ହୁଏ, ଏଣୁ ସେ ସତ୍ୟାନୁସନ୍ଧାନ ଛାଡ଼ି ରଚନାକୁ ଉପଭୋଗ କରିବା ନିମନ୍ତେ ବ୍ୟସ୍ତ ହୁଏ । ବିସଦୃଶ ବସ୍ତୁମାନଙ୍କ ମଧ୍ୟରେ ସାଦୃଶ୍ୟ ଦେଖି, ସାଧାରଣ ପଦାର୍ଥମାନଙ୍କ ମଧ୍ୟରେ ଲୋକୋତ୍ତର ପଦାର୍ଥମାନଙ୍କର ଗୁଣ କଳ୍ପନା କରି, ଅମାନବଠାରେ ମନୁଷ୍ୟର ବୃତ୍ତି ବା ଆବେଗମାନ ଆରୋପିତ କରି, ବାସ୍ତବ ପଦାର୍ଥକୁ ଅବାସ୍ତବ ରୂପରେ କଳ୍ପିତ କରି ପାଠକ ଆନନ୍ଦ ଅନୁଭବ କରିବାକୁ ସମର୍ଥ ହୁଏ । ଓ କଳ୍ପନାର ସରସତାଦ୍ୱାରା ପାଠକ ବିଷୟବସ୍ତୁର ମାଧୁର୍ଯ୍ୟ ଉପଲବ୍‌ଧ କରି ଆନନ୍ଦରସରେ ଆପ୍ଳୁତ ହୋଇ ତଥ୍ୟ ବିଜ୍ଞପ୍ତି ପ୍ରତି ଆଦୌ ଅବହିତ ହୁଏ ନାହିଁ ।

 

ରଚନା ମଧ୍ୟରେ କଳ୍ପନାର ସଙ୍ଗତି ରହିବା ପ୍ରୟୋଜନ । କେତେକ ରଚନାରେ କଳ୍ପନାର ଆଧିକ୍ୟ ଶୋଭନୀୟ, ଅନ୍ୟ ଅନେକ ଲେଖାରେ କଳ୍ପନାର ଈଷତ୍‌ସ୍ପୁରଣ ପାଠକର କଳ୍ପନାକୁ ଉଦ୍ଦୀପିତ କରିବାକୁ ସମର୍ଥ । କେତେକ ଲେଖାରେ କଳ୍ପନା ଉଦ୍ଦାମ ଓ ଅବାଧ ଗତିରେ ଅଗ୍ରସର, ଅନ୍ୟ ଅନେକ ଲେଖାରେ ତାହା ରୀତିଦ୍ୱାରା ସଂଯତ ଓ ନିୟନ୍ତ୍ରିତ । ମାତ୍ର ପ୍ରତ୍ୟେକ ସାହିତ୍ୟିକ ରଚନା କଳ୍ପନାବିଳାସ ଉପରେ ପ୍ରତିଷ୍ଠିତ । ସାହିତ୍ୟିକ ରଚନା ମଧ୍ୟରେ କଳନାର ବିକାଶ ଏତେ ବ୍ୟାପକ ଓ ଏଥିରେ ସତ୍ୟର ଅପଳାପ ଏତେ ପ୍ରତ୍ୟାଶିତ ଯେ ସତ୍ୟ ଘଟଣା ଉପରେ ପ୍ରତିଷ୍ଠିତ ଆଖ୍ୟାନମାନଙ୍କୁ ସ୍ୱତନ୍ତ୍ରଭାବରେ ନିର୍ଦ୍ଦେଶିତ କରିବାକୁ ପଡ଼େ, କିନ୍ତୁ ଏହି ବ୍ୟାପକତା ହେତୁରୁ କଳ୍ପନା ବିଷୟରେ କୌଣସି ସ୍ଥିର ନିର୍ଦ୍ଦେଶ ଦେବା ଅସମ୍ଭବ ହୁଏ ।

 

କଳ୍ପନାର ପ୍ରୟୋଗ ବିଷୟରେ କେତେକ ରୀତି ପ୍ରଚଳିତ ଅଛି । ସୁନ୍ଦରୀ ନାରୀର ଆଖିକୁ ହରିଣର ଆଖି ସହିତ ତୁଳନା କରାଯାଏ, ମାତ୍ର ତାହା ନ କରି ଯଦି କୌଣସି ଲେଖକ ଶିମୁଳିଭଣ୍ଡା ସହିତ ତୁଳିତ କରେ ତେବେ ତାହା ସୁରୁଚିସଙ୍ଗତ ବୋଲି ବିବେଚିତ ହେବ ନାହିଁ । ଚନ୍ଦ୍ର ସହିତ ମୁଖର ତୁଳନା ପ୍ରଚଳିତ ରୀତି, ମାତ୍ର ମୁଖର ବର୍ତ୍ତୁଳତ୍ୱକୁ ଯଦି ଫୁଟବଲ୍‌ ସହିତ ତୁଳନା କରାଯାଏ, ତେବେ କଳ୍ପନାର ସରସତା ବ୍ୟାହତ ହୁଏ । ମାତ୍ର ନୁତନତ୍ୱକୁ ଆଶ୍ରୟ କଲେ ଯେପରି କଷ୍ଟ-କଳ୍ପନାଦ୍ୱାରା ରସବୋଧ ନଷ୍ଟ ହେବା ସମ୍ଭବ ସମ୍ପୂର୍ଣ୍ଣଭାବରେ ପ୍ରଚଳିତ ପ୍ରଥମାତ୍ରକୁ ଅବଲମ୍ୱନ କଲେ ମଧ୍ୟ ରଚନା ସୁଖାପାଠ୍ୟ ହୁଏ ନାହିଁ । ଏଣୁ ପୁରାତନ ରୀତି ମଧ୍ୟରେ ନୂତନତ୍ୱର ସନ୍ଧାନ ପ୍ରତ୍ୟେକ କ୍ଷେତ୍ରରେ ବାଞ୍ଚନୀୟ ହୋଇଥାଏ । ରଚନାର ଆବେଷ୍ଟନୀ ମଧ୍ୟ ଅନେକ କ୍ଷେତ୍ରରେ କଳ୍ପନାର ପ୍ରୟୋଗକୁ ନିୟନ୍ତ୍ରିତ କରେ । ହାସ୍ୟରସମୟ ରଚନାରେ ନିମ୍ନଗାମୀ କଳ୍ପନା ଶୋଭନୀୟ, ମାତ୍ର ଗମ୍ଭୀର ଲେଖାରେ ତାହା ରୁଚିବିଗର୍ହିତ । ‘ଅସ୍ତୋନ୍ମୁଖ ସୂର୍ଯ୍ୟର ରକ୍ତବର୍ଣ୍ଣ’କୁ ପାନ ଖାଇଥିବା ସ୍ତ୍ରୀଲୋକର ରକ୍ତିମ ଅଧରୋଷ୍ଠ ସଙ୍ଗେ ତୁଳିତ କଲେ ତାହା ହାସ୍ୟରସର ଉଦ୍ରେକ କରିଥାଏ । ଅନ୍ୟ ଦିଗରେ କଳ୍ପନା ଅତିଶୟୋକ୍ତିରେ ପରିଣତ ହେଲେ ତାହା ମଧ୍ୟ ହାସ୍ୟକର ହୁଏ, ଯଥା-ଦନ୍ତପଂକ୍ତିକୁ ପର୍ବତମାଳା ସହିତ ତୁଳନା । ପରିଚିତି ମଧ୍ୟ କଳ୍ପନାକୁ ଯେପରି ସରସ କରେ, ଅନ୍ୟପ୍ରକାରେ ତାହା ସମ୍ଭବ ହୁଏ ନାହିଁ । ଉଚ୍ଚାଶାକୁ ହିମାଳୟ ସହିତ ତୁଳିତ କରାଯାଇପାରେ, ମାତ୍ର ଏଭରେଷ୍ଟ ସହିତ ତୁଳନା କଲେ ସରସତା ବ୍ୟାହତ ହୁଏ; କାରଣ ହିମାଳୟ ପରିଚିତ, ଏଭରେଷ୍ଟ ତାହାର ଅଂଶ ହେଲେହେଁ ଅପରିଚିତ ।

 

ରଚନାରେ ଲେଖକର କଳ୍ପନାବିଳାସ ଅପେକ୍ଷା ପାଠକମନରେ କଳ୍ପନାକୁ ଉଦ୍ଦୀପିତ କରିବାର କ୍ଷମତା ଅଧିକ ପ୍ରୟୋଜନ, ଅର୍ଥାତ୍‌ ଲେଖକ ପାଠକର କଳ୍ପନାକୁ ଜାଗ୍ରତ କରିବାକୁ ସମର୍ଥ ହୋଇଅଛି କି ନାହିଁ, ଏହାହିଁ ପ୍ରଧାନ ବିଚାର୍ଯ୍ୟ ବିଷୟ; ଏଣୁ ଅନେକ ସମୟରେ ନିରାଭରଣ ଲେଖା ସାଳଙ୍କାର ଲେଖା ଅପକ୍ଷା ଅଧିକ ସରସ ହୋଇଥାଏ । ‘ପକ୍ୱବିମ୍ୱାଧରୋଷ୍ଠୀ, ଚାରୁଭ୍ରୂଲତାସମ୍ପନ୍ନା, ଚମ୍ପକବରଣା, ଚନ୍ଦ୍ରାନନା ତରୁଣୀ’ ବାକ୍ୟାଂଶରେ କଳ୍ପନାର ବାହୁଲ୍ୟ ଅଛି, ମାତ୍ର ‘ଅଶ୍ରୁମୁଖୀ ସୀତା ରାଜଭୋଗ ଛାଡ଼ି ପତିଙ୍କର ଅନୁସରଣ କଲେ’ ବାକ୍ୟରେ କଳ୍ପନାର ଅବକାଶ ଅଧିକ ଏବଂ ଦ୍ୱିତୀୟ ବାକ୍ୟଟି ପାଠକମନରେ ଅଧିକ ପ୍ରଭାବ ବିସ୍ତାର କରିବାକୁ ସମର୍ଥ, ଅର୍ଥାତ୍‌ ବାକ୍ୟଟି ନିରାଭରଣ ହେଲେହେଁ ଅଧିକ ସକ୍ରିୟ ।

 

କଳ୍ପନାର ଆଶ୍ରୟସ୍ଥଳ ପ୍ରଧାନତଃ ଦୁଇଗୋଟି-ଗୋଟିଏ ସମତା, ଅନ୍ୟଟି ବିଷମତା । ସମତାଦ୍ୱାରା ଗୋଟିଏ ବସ୍ତୁକୁ ଅନ୍ୟ ବସ୍ତୁ ସହିତ ତୁଳନା କରାଯାଏ, ଗୋଟିକର ଗୁଣକ୍ରିୟା ପ୍ରଭୁତି ଅନ୍ୟଟି ଉପରେ ଆରୋପିତ କରାଯାଏ, ଗୋଟିକର ଗତି ଓ ପରିଣତିକୁ ଅନ୍ୟଟି ସହିତ ସାମଞ୍ଜସ୍ୟ ଥିବା ଭଳି କଳ୍ପନା କରାଯାଏ । ‘ଚନ୍ଦ୍ରମୁଖ’ ଏହିପରି କଳ୍ପନାଗତ ସମତାର ନିଦର୍ଶନ । ବିଷମତାଦ୍ୱାରା ଦୁଇଗୋଟି ପଦାର୍ଥ ବା ଭାବ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଦେଶ କରି ପାଠକର କଳ୍ପନାକୁ ଜାଗ୍ରତ କରିବାର ଚେଷ୍ଟା କରାଯାଇଥାଏ । ‘ରାମଚନ୍ଦ୍ରଙ୍କର ଯୌବରାଜ୍ୟାଭିଷେକୋତ୍ସବ ଆସନ୍ନ ଅଥଚ ସେ ବକୁଳ ପରିଧାନ କରି ବନକୁ ଗଲେ; ଏହି ବାକ୍ୟରେ ଦୁଇଗୋଟି ପରିସ୍ଥିତିର ବିଷମତା ଲୋକଙ୍କର କଳ୍ପନାକୁ ସ୍ୱତଃ ଉଦ୍ଦୀପିତ କରିବାକୁ ସମର୍ଥ । କଳ୍ପନାର ଅନ୍ୟ ନାନା ପ୍ରକାର ପ୍ରୟୋଗକୌଶଳ ସାହିତ୍ୟିକ ରଚନାରେ ଦେଖାଯାଏ । କେତେକ ରଚନାରେ କଳ୍ପନା ପରାସ୍ତ, ଏହା କହିବାଦ୍ୱାରା କଳ୍ପନାକୁ ପରିପୁଷ୍ଟ କରାଯାଏ, ଅନ୍ୟ କେତେକ କ୍ଷେତ୍ରରେ କଳ୍ପନାକୁ ଉତ୍ତେଜିତ କରି ପରେ ବିଷୟବସ୍ତୁ ବିଷୟରେ ନୀରବତା ମଧ୍ୟ ପାଠକର କୌତୂହଳକୁ ଏକାନ୍ତ ଜାଗ୍ରତ କରେ । କିନ୍ତୁ ଏପରି କୌଶଳମାନ ନିତ୍ୟନୂତନ ଭାବରେ ପ୍ରଯୁକ୍ତ ହେଉଥିବାରୁ ଏମାନଙ୍କର ସମ୍ପୂର୍ଣ୍ଣ ବିବରଣ ଦେବା ସମ୍ଭବ ନୁହେଁ ।

 

ବିଷୟବସ୍ତୁକୁ ପ୍ରକାଶିତ କରିବାକୁ ହେଲେ ଅନେକଗୁଡ଼ିଏ ବିସ୍ତାରିତ ବିବରଣୀ ଦେବାର ପ୍ରୟୋଜନ ହୁଏ । ଅନେକ ରଚନାରେ ବିବରଣୀର ଆଧିକ୍ୟ ଥାଏ, ପୁଣି ଅନ୍ୟ ଅନେକ ବର୍ଣ୍ଣନାରେ ବିବରଣୀମାନଙ୍କୁ ସଂକୁଚିତ କରିବାର ପ୍ରୟାସ କରାଯାଇଥାଏ । କିପରି ରଚନାରେ କି ପରିମାଣରେ ବିବରଣୀ ରହିଲେ ପାଠକର ମନକୁ ଆକୃଷ୍ଟ କରିବାକୁ ଓ ତାହାର କଳ୍ପନାକୁ ଉତ୍ତେଜିତ କରିବାକୁ ସମର୍ଥ ହେବ ତାହା ଲେଖକକୁ ବିଚାର କରିବାକୁ ହୋଇଥାଏ । ବିସ୍ମୟ ଉତ୍ପାଦନ କରିବା ଯେଉଁ ଲେଖାର ଉଦ୍ଦେଶ୍ୟ ସେଠାରେ ବିବରଣୀର ଆଧିକ୍ୟ ରହିବା ଉଚିତ ନୁହେଁ-। ପୁଣି ଗମ୍ଭୀର ଲେଖାରେ, ଶୋକସୂଚକ ଲେଖାରେ ଓ ଭାବପୂର୍ଣ୍ଣ ଲେଖାରେ ମଧ୍ୟ ବିବରଣୀର ଅଳ୍ପତା ଲେଖାକୁ ସରସ କରିବାକୁ ସମର୍ଥ । ଅନ୍ୟ ଦିଗରେ ହାସ୍ୟରସାତ୍ମକ ଲେଖାରେ ବିବରଣୀର ଆଧିକ୍ୟ ସମୀଚୀନ ଓ ବିଷମ କଳ୍ପନାରେ ପରିମାଣଗତ ବୈଷମ୍ୟ ବିଷୟରେ ସୂଚନା ହାସ୍ୟରସର ବିଶେଷ ପରିପୋଷକ । ‘ମତେ ରାଜା ଗଙ୍ଗାରୁ ଗୋଦାବରୀଯାଏ ଲମ୍ୱ ଖଣ୍ଡେ ପାଟଯଥା ଦେଲେ ଯେ, ତାହା ମୋର ବେଢ଼କୁ ଅଣ୍ଟିଲା ନାହିଁ ବାକ୍ୟରେ ଏହିପରି ବିଷମ କଳ୍ପନାରେ ବିବରଣୀର ଆଧିକ୍ୟ ହାସ୍ୟକର ହୋଇଅଛି, କିନ୍ତୁ ବିବରଣୀର ଅଳ୍ପତା ବା ଅସ୍ପଷ୍ଟତା କଳ୍ପନାର ବିଶେଷ ପରିପୋଷକ । ‘ବିରାଟ ଜନତା’ ଏହିପରି ଗୋଟିଏ ଅସ୍ପଷ୍ଟ ଉକ୍ତି । ଏଠାରେ ପରିମାଣଗତ ଅସ୍ପଷ୍ଟତା କଳ୍ପନାକୁ ସାହାଯ୍ୟ କରୁଅଛି । ପୁଣି ‘ବିରାଟ ଜନସମୁଦ୍ର’ କହିଲେ କଳ୍ପନାକୁ ସ୍ପଷ୍ଟତର କରାଯାଇ ତାହାର ଶକ୍ତି ବର୍ଦ୍ଧିତ କରାଯାଉଅଛି, କିନ୍ତୁ କେବଳ ‘ଜନସମୁଦ୍ର’ କହିବାଦ୍ୱାରା କଳ୍ପନାର ମାତ୍ର। ଅବ୍ୟାହତ ରହିଲେ ମଧ୍ୟ ତାହାର ଶକ୍ତି କ୍ଷୁଣ୍ଣ ହେଉଅଛି । ‘ଅତିକାୟ ପ୍ରାଣୀ’ ଏହିପରି ଗୋଟିଏ ଅସ୍ପଷ୍ଟ ଉକ୍ତି, କାରଣ ‘କାୟା’ର ପରିମାଣ ସମ୍ୱନ୍ଧରେ କୋଣିସି ସ୍ଥିର ମାନଦଣ୍ଡ ନାହିଁ । କେତେକ କ୍ଷେତ୍ରରେ ବିବରଣୀର ବାହୁଲ୍ୟଦ୍ୱାରା ଲେଖାକୁ ବାସ୍ତବ କରିବାର ଚେଷ୍ଟା କରାଗଲେ ମଧ୍ୟ, ଏପରି ବାହୁଲ୍ୟ କଳ୍ପନାର ସହାୟକ ହୋଇଥାଏ । ‘ସେ ଅତିବୃଦ୍ଧ’ ବିବରଣୀ ବର୍ଜିତ ଭାଷା, ଏଠାରେ ଉକ୍ତିର ଅସ୍ପଷ୍ଟତାଦ୍ୱାରା କଳ୍ପନା ଉଦ୍ରିକ୍ତ ହେଉଅଛି । କାରଣ ଅତିବୃଦ୍ଧ କହିଲେ ବୟସ ବିଷୟରେ ନିଶ୍ଚିତ ଜ୍ଞାନ ହେଉ ନାହିଁ ଓ ବାର୍ଦ୍ଧକ୍ୟଜନିତ ଅଙ୍ଗପ୍ରତ୍ୟଙ୍ଗର ଶୈଥିଲ୍ୟ ବିଷୟରେ କଳ୍ପନାଜନିତ ଅସ୍ପଷ୍ଟ ଜ୍ଞାନ ମାତ୍ର ହେଉଅଛି । ମାତ୍ର ‘ତାଙ୍କର ବୟସ ବର୍ତ୍ତମାନ ଅଶୀବର୍ଷ, ଦେହର ମାଂସ ଲୋକ ହୋଇଗଲାଣି, ହସ୍ତପଦାଦି ଅଚଳ ହୋଇଗଲାଣି, ବୁଲାଚଲା ସାମର୍ଥ୍ୟ ନାହିଁ ବାକ୍ୟରେ ବିବରଣୀର ବାସ୍ତବତା (ବୟସର ପରିମାଣ ନିର୍ଦ୍ଦେଶ) ଓ ବାହୁଲ୍ୟ (ଶୈଥିଲ୍ୟର ନିର୍ଦ୍ଦେଶ)ଦ୍ୱାରା ତଥ୍ୟ ବିଜ୍ଞପ୍ତି ପ୍ରୟାସ ଥିଲେହେଁ ପାଠକର କଳ୍ପନା ଉଦ୍ରିକ୍ତ ହେଉଅଛି । ଏଣୁ ବାସ୍ତବ ବର୍ଣ୍ଣନାର ବାହୁଲ୍ୟ ଯେପରି କଳ୍ପନାକୁ ଉଦ୍ରକ୍ତ କରେ ତାହାର ଅଳ୍ପତା ମଧ୍ୟ ସେହିପରି କଳ୍ପନାର ପରିପୋଷକ ହୋଇଥାଏ ।

 

ବିସ୍ମୟ ଓ ଉତ୍କଣ୍ଠା ଜାତ କରିବାକୁ ଯେଉଁ ରଚନା ସକ୍ଷମ ସେଭଳି ରଚନାଦ୍ୱାରା କଳ୍ପନା ମଧ୍ୟ ସହଜରେ ଜାଗ୍ରତ ହୋଇପାରେ । ଉତ୍କଣ୍ଠା ନାନା ଆକାରରେ ଉଦ୍ଦୀପିତ କରାଯାଇପାରେ । ସାଧାରଣତଃ ପ୍ରତ୍ୟାଶିତ ବସ୍ତୁକୁ ପାଠକର ମନରୁ ଦୂରରେ ରଖିବାଦ୍ୱାରା ତାହାର ମନରେ ଉତ୍କଣ୍ଠାଜାତ କରାଯାଇ ଥାଏ । ଜଣେ ନିରପରାଧ ଲୋକ ବିରୁଦ୍ଧରେ ବିଷମ ଅଭିଯୋଗ ଆନୀତ, ସ୍ଥାନ ବିଚାରାଳୟ, ଜନତା ଉଦ୍‌ବିଗ୍ନଭାବରେ ବିଚାରଫଳ ଜାଣିବା ନିମନ୍ତେ ବ୍ୟଗ୍ର, ଆଇନଜ୍ଞମାନଙ୍କର ବକୃତା ଶେଷ ହୋଇଯାଇଅଛି; ପାଠକ ମଧ୍ୟ ଫଳ ଜାଣିବା ନିମନ୍ତେ ବ୍ୟଗ୍ର, ଉତ୍କଣ୍ଠିତ, ଉତ୍ସୁକ ମାତ୍ର ଲେଖକ ଠିକ୍‌ ଏହି ସମୟରେ ଅନ୍ୟ ବିଷୟର ଅବତାରଣ କରି ପାଠକର ଉତ୍କଣ୍ଠାକୁ ବର୍ଦ୍ଧତ କରିପାରେ । କିନ୍ତୁ ଏପରି ସ୍ଥଳରେ ଦ୍ୱିତୀୟ ବିଷୟଟି ପାଠକର ମନକୁ ଆକୃଷ୍ଟ କରିବାକୁ ସମର୍ଥ ନ ହେଲେ ପାଠକ ସେହି ବିଷୟକୁ ଅବାନ୍ତର ବୋଲି ତ୍ୟାଗ କରି ଅନ୍ୟ ପରିଚ୍ଛେଦ ଶେଷରେ ଥିବା ପୂର୍ବ ବିଷୟଟିର ଶେଷ ଫଳ ଜାଣିବା ନିମନ୍ତେ ବ୍ୟଗ୍ର ହୋଇ ରଚନାକୁ ସମଗ୍ରଭାବରେ ପାଠ କରେ ନାହିଁ ; ଏହି କାରଣରୁ ରଚନାର ସରସତା ମଧ୍ୟ ବ୍ୟାହତ ହୁଏ । ଠିକ୍‌ ଯେଉଁ ସ୍ଥାନରେ ପାଠକର ଉତ୍କଣ୍ଠା ସମଧିକ ଜାଗ୍ରତ ହୁଏ, ସେହି ସ୍ଥାନରେ ତାକୁ ଚରିତାର୍ଥ ନ କରି କିଛି ସମୟ ପର୍ଯ୍ୟନ୍ତ ଜାଗରୁକ ରଖିଲେ ବା ବିଷୟାନ୍ତରରେ ବ୍ୟାପୃତ ରଖିଲେ, ପାଠକର କଳ୍ପନା ଯଥାଯୁଥ ଭାବରେ ଉତ୍ତେଜିତ ହୁଏ ଓ ତାହା ରସାନୁଭୂତିର ସହାୟକ ମଧ୍ୟ ହୁଏ । ଅନେକ ସମୟରେ ବିଷୟବସ୍ତୁର ଜଟିଳତା ଏପରି ଉତ୍କଣ୍ଠା ଜାତ କରିବାକୁ ସମର୍ଥ ହୁଏ, ମାତ୍ର ସାଧାରଣତଃ କଟିନତାଦ୍ୱାରା ରସାନୁଭୁତି ବ୍ୟାହତ ହୁଏ; କାରଣ କଥାବସ୍ତୁକୁ ଅନୁସରଣ କରିବା ସମ୍ଭବପର ହୁଏ ନାହିଁ । ‘ବନବାଳା ନାଟକ’ ଏପରି ଜଟିଳ କଥାବସ୍ତୁର ଉଦାହରଣ । ସମୟ ସମୟରେ ଗୋଟିଏ ପରିଣତି ଦେଇ ପରେ ତାହାର କାରଣ ନିର୍ଦ୍ଦେଶ ମଧ୍ୟ କରାଯାଇ ଥାଏ, କାର୍ଯ୍ୟବଳିର ମଧ୍ୟଭାଗର ବର୍ଣ୍ଣନାଦ୍ୱାରା ତାହାର ପରିଚୟ ପରେ ଉଦ୍‌ଘାଟିତ ହୋଇଥାଏ । ପାଠକ ସମକ୍ଷରେ ଅବାନ୍ତର ପ୍ରସଙ୍ଗ ଉତ୍‍ଥାପିତ କରି ପାଠକମନରେ ନାନା ଭାବ ଜାତ କରି ତାର ଚିତ୍ତକୁ ବିକ୍ଷିପ୍ତ କରିବାର ପ୍ରୟାସ କରାଯାଇଥାଏ ଓ ଏହିପରି ଅନ୍ୟାନ୍ୟ କୌଶଳଦ୍ୱାରା ମଧ୍ୟ ରଚନାର ସୌନ୍ଦର୍ଯ୍ୟ ଯଥାଯଥ ଭାବରେ ରକ୍ଷିତ ହୁଏ ।

 

କଳ୍ପନାକୁ ଉତ୍ତେଜିତ କରିବାର ଦ୍ୱିତୀୟ ଉପାୟ-ପାଠକମନରେ ବିସ୍ମୟ ସଞ୍ଚାର କରିବା । କୌଣସି ନୂତନ ତଥ୍ୟ ପ୍ରତିପାଦନ କରି କିମ୍ୱା ବିଷମ ବସ୍ତୁମାନଙ୍କରେ ସମତା କଳ୍ପନା କରି ଏପ୍ରକାର ବିସ୍ମୟ ଜାତ କରାଇବା ସ୍ୱଭାବିକ । ଜ୍ଞାନର ଗଭୀରତା, କଳ୍ପନାର ବହୁମୁଖିତା, ଅସାଧାରଣ କଥାବିନ୍ୟାସ ପ୍ରଭୁତି ନାନା ଉପାୟରେ ପାଠକମନରେ ବିସ୍ମୟ ଜାତ କରାଯାଇଥାଏ । କୌଣସି ଅଭିନବ ବିଷୟବସ୍ତୁର ସର୍ନ୍ଦର୍ଶନରେ ଲୋକେ ସହଜରେ ବସ୍ମିତ ହୁଅନ୍ତି । ବିଷୟମସ୍ତୁର ନୂତନତ୍ୱ ସେମାନଙ୍କ ମନରେ ସ୍ୱତଃ ଆଘାତ କରିବାକୁ ସମର୍ଥ ହୁଏ ଓ ଏହି ଆଘାତର ପ୍ରତିଘାତଦ୍ୱାରା ରସାନୁଭୂତି ସଂଜାତ ହୋଇଥାଏ । ଯେ କୌଣସି ଅପ୍ରତ୍ୟଶିତ ବିଷୟବସ୍ତୁଦ୍ୱାରା ବିସ୍ମୟ ଜାତ ହୋଇପାରେ । ଅପ୍ରତ୍ୟାଶିତ ଶବ୍ଦ ନିର୍ବାଚନ, ଅପ୍ରତ୍ୟାଶିତଭାବରେ କଥାବସ୍ତୁର ପରିଣତି, ଅପ୍ରତ୍ୟାଶିତ ଭାବବିନ୍ୟାସ ପ୍ରତ୍ୟେକେ ବିସ୍ମୟ ଜାତ କରିବାକୁ ସମର୍ଥ, ଏଣୁ ପ୍ରତ୍ୟେକ ରଚନାରେ ଲେଖକ ରୀତି ଓ ପ୍ରଚଳିତ ପ୍ରଥାକୁ ପରିହାର କରି ନୂତନ ବିଷୟ ସନ୍ନିବେଶିତ କରିବା ନିମନ୍ତେ ସଚେଷ୍ଟ ହୁଏ, ମାତ୍ର ନୂତନ ସୃଷ୍ଟି ପୁଣି ପରିଚିତ ହୃଦୟବୃତ୍ତି ବା ପୁରାତନ ପ୍ରଥା ସହିତ ସମଞ୍ଚସ ନ ହେଲେ ବା ଅଜାନିତଭାବରେ ସ୍ୱୀକୃତ ନ ହୋଇ ପାରିଲେ ବିସ୍ମୟ ଜାତ ନ କରି ହାସ୍ୟରସର ଉଦ୍ରେକ କରେ । ଲେଖକ ଯେତେବେଳେ କୌଣସି ନୂତନ ପରିକଳ୍ପନା ବା ନୂତନ ସ୍ୱରର ଝଙ୍କାର ବା ନୂତନ ପ୍ରକାରର ତୁଳନା ପାଠକ ସମକ୍ଷରେ ଉପସ୍ଥାପିତ କରେ, ତେତେବେଳେ ପାଠକ ସହଜରେ ସେହି ନୂତନ ବିଷୟକୁ ସ୍ୱୀକାର କରିନେବ, ଏହିପରି ଭାବରେ ତାକୁ ଉପସ୍ଥାପିତ କରିଥାଏ; ତେଣୁ ପୁରାତନ ସହିତ ସମ୍ୱନ୍ଧ ସମ୍ପୂର୍ଣ୍ଣଭାବରେ ପରିତ୍ୟକ୍ତ ହୋଇପାରେ ନାହିଁ । ଦୁଇଗୋଟି ପରସ୍ପରବିରୁଦ୍ଧ ଭାବର ଏକତ୍ର ସମାବେଶଦ୍ୱାରା ମଧ୍ୟ ଏହିପରି ବିସ୍ମୟ ସୂଚିତ ହୋଇ, ‘ଜୀବନ ନୁହେ ତାହା ଜୀବନ୍ତ ମରଣ’ରେ ଏହିପରି ବିରୁଦ୍ଧ ବିଷୟମାନଙ୍କର ସମାବେଶ ଅଛି । ପୁଣି ପୁତ୍ରଲାଳନପାଳନରୂପ ଦୁଃଖରେ ମାତାର ସ୍ନେହନିବନ୍ଧନ ସୁଖାନୁଭୂତି ବର୍ଣ୍ଣନା ମଧ୍ୟ ଦୁଇଗୋଟି ବିରୁଦ୍ଧ ପଦାର୍ଥର ଏକତ୍ର ସମାବେଶଦ୍ୱାରା ବିସ୍ମୟ ପରିପୋଷଣ କରୁଅଛି ।

 

ପୁଣି ସ୍ଥାନେ ସ୍ଥାନେ ଗୋଟିଏ ପଦର ନାନା ଅର୍ଥରେ ବ୍ୟବହାର ମଧ୍ୟ ଆମ୍ଭମାନଙ୍କ ମନରେ ବିସ୍ମୟ ଉତ୍ପାଦନ କରିବାକୁ ସମର୍ଥ ହୁଏ । ‘ବିଜ୍ଞାନ’, ‘ଅପୂର୍ବଶୁଭ’, ‘ଅହିମକର’ ପ୍ରଭୁତି ଶବ୍ଦର ନାନା ଅର୍ଥରେ ବ୍ୟବହାର ପ୍ରସିଦ୍ଧ, ମାତ୍ର ଏଠାରେ ଶବ୍ଦମାନଙ୍କର ଅର୍ଥ ସାମର୍ଥ୍ୟ ଉତ୍ପାଦନ କରିବାକୁ ସମର୍ଥ ହେଲେହେଁ ତାହା ସାମୟିକ ଓ ଅର୍ଥଗ୍ରହଣ ସାପେକ୍ଷ । ଅନ୍ୟ ଦିଗରେ ‘ପଟ୍ଟ ଶିଷ୍ୟ ମୁହିଁ ଦୁଃଖ-ଗୁରୁଙ୍କର’ ପ୍ରଭୁତି ବାକ୍ୟରେ ଅତ୍ୟୁକ୍ତି ମଧ୍ୟ କଳ୍ପନାର ପରିପୋଷକରୂପେ ବ୍ୟବହୃତ ।

 

ସାହିତ୍ୟିକ ରଚନାର ମୁଖ୍ୟ ଉଦ୍ଦେଶ୍ୟ ଆନନ୍ଦପ୍ରଦାନ ଓ ରସସୃଷ୍ଟି । ଭାଷା ଏହି ସୃଷ୍ଟିର ଉପାଦାନ ମାତ୍ର । କିନ୍ତୁ ସୌଧରଚନାରେ ଯେପରି ଭିତ୍ତି, ପରିକଳ୍ପନା, ସଂହତି ପ୍ରଭୃତିର ପ୍ରୟୋଜନ ହୁଏ, ସାହିତ୍ୟ ରଚନାକୁ ମଧ୍ୟ ଏସବୁ ଦିଗରୁ ଆଲୋଚନା ଓ ବିଶ୍ଳେଷଣ କରାଯାଇପାରେ । ପ୍ରତ୍ୟେକ ରଚନା ପୁର୍ବରୁ ଗୋଟିଏ ପରିକଳ୍ପନା ଥିବା ପ୍ରୟୋଜନ, ଏହି ପରିକଳ୍ପନାଦ୍ୱାରା ସମଗ୍ର ରଚନାର ଗଠନ ପ୍ରଭାବିତ ହୋଇପାରେ । ପୁଣି ସମଗ୍ର ପରିକଳ୍ପନାଟି ଗୋଟିଏ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥାଏ ଓ ଭିତ୍ତି ଉପରେ ପ୍ରଧାନତଃ ରଚନାର ସ୍ଥାୟିତ୍ୱ ନିର୍ଭର କରେ । ଏହି ସବୁ କାରଣରୁ ପ୍ରତ୍ୟେକ ସାହିତ୍ୟିକ ରଚନାର ଉପାଦାନ, ଭିତ୍ତି, ଓ ପରିକଳ୍ପନା ବିଶ୍ଳେଷଣ କରି ତାହାର ମୂଲ୍ୟ ନିର୍ଦ୍ଧାରଣ କରିବା ପ୍ରୟୋଜନ ହୁଏ ।

 

ଭାଷା ରଚନାର ଉପାଦନ । ଭାଷା ଅନ୍ୟନ୍ତ କ୍ଲିଷ୍ଟ ହେଲେ, ପାଣ୍ଡିତ୍ୟପୂର୍ଣ୍ଣ ଶବ୍ଦସମ୍ଭାରର ଅଯଥା ଆଡ଼ମ୍ୱରଦ୍ୱାରା ନୀରସ ହେଲେ ତଦ୍ୱାରା ଉତ୍କୃଷ୍ଟ ସାହିତ୍ୟିକ ରଚନା ସମ୍ଭବପର ହୁଏ ନାହିଁ । ଭାଷା ଯେତେ ସରସ ହେବ, ଯେତେ ସକ୍ରିୟ ହେବ, ଯେତେ କଳ୍ପନାର ପରିପୋଷକ ହେବ, ତାହାର ବ୍ୟାପ୍ତି ଯେତେ ଅଧିକ ହେବ ଏବଂ ତାହା ଯେତେ ନମନୀୟ, ସାର୍ଥକ ଓ ଇଙ୍ଗିତପୂର୍ଣ୍ଣ ହେବ ପାଠକର ମନ ତାହାଦ୍ୱାରା ତେତେ ଅନୁରଞ୍ଜିତ ହୋଇ ପାରିବ । ଭାଷାକୁ ସକ୍ରିୟ କରିବାକୁ ହେଲେ ତାହା ମଧ୍ୟରେ ଆବେଗ ସଞ୍ଚାର କରିବାକୁ ହେବ, ସରସ କରିବାକୁ ହେଲେ ତାକୁ କଳ୍ପନାଦ୍ୱାରା ଅନୁପ୍ରାଣିତ କରିବାକୁ ହେବ । ଅବଶ୍ୟ ପ୍ରତ୍ୟେକ ପ୍ରତିଭାବାନ୍‌ ଶିଳ୍ପୀ ନିଜ ପ୍ରତିଭା ବଳରେ ରଚନାର ଯୋଗ୍ୟ ଉପାଦାନ ସଂଗ୍ରହ କରିପାରେ, ଭାଷାକୁ ନାନା ଉପାୟରେ ନିୟନ୍ତ୍ରିତ କରି ନିଜର ପ୍ରୟୋଜନସିଦ୍ଧ କରିପାରେ, ପୁଣି ଭାଷା ମଧ୍ୟରେ ନାନା ନୂତନ ଶବ୍ଦକୁ ଅନୁପ୍ରବିଷ୍ଟ କରାଇ ନିଜର ଭାବରୁ ଯଥାଯଥ ଭାବରେ ପ୍ରକାଶିତ କରିପାରେ । ଜଣେ ଲେଖକହାତରେ ଯେଉଁ ଶବ୍ଦ ନିରାଡ଼ମ୍ୱର ଓ ପ୍ରାଣଶୁନ୍ୟ ଅନ୍ୟ ଜଣେ ଲେଖକହାତରେ ମନୋହର ଓ ପ୍ରାଣମୟ ହୋଇପାରେ, ଏହା ଆମ୍ଭେମାନେ ନିତ୍ୟ ଦେଖିଥାଉଁ । ରଚନା ପ୍ରଧାନତଃ ପ୍ରତିଭାସାପେକ୍ଷ ଏବଂ ଉପାଦାନକୁ ନିୟନ୍ତ୍ରିତ କରିବାରେ ପ୍ରତିଭାର ବିକାଶ ସମଧିକ ଦେଖାଯାଏ । ଏହି ଉପାଦାନ ବିଷୟରେ ନିଶ୍ଚିତଭାବରେ କିଛି କହିବା ଅସମ୍ଭବ । ଶବ୍ଦନିର୍ବାଚନ, ଭାଷାବିନ୍ୟାସ, ତଥ୍ୟପ୍ରକାଶ ବିଷୟରେ ନାନା ଶିଳ୍ପୀ ନାନା ପ୍ରକାରେ ନିଜର ରଚନାକୌଶଳ ପ୍ରଦର୍ଶନ କରିଥାନ୍ତି ଏବଂ ତାଙ୍କର କୌଶଳକୁ ବିଶ୍ଳେଷଣ କରି ଦେଖିବାହିଁ ସାଧାରଣ ପାଠକର ଏକମାତ୍ର କର୍ତ୍ତବ୍ୟ । କ୍ରମଶଃ ଏପରି ବିଶ୍ଳେଷଣଦ୍ୱାରା ରଚନାକୌଶଳ ଆୟତ୍ତ କରାଯାଇପାରେ କିମ୍ବା ନିଜସ୍ୱ ରଚନାକୌଶଳର ବିକାଶ ମଧ୍ୟ ହୋଇପାରେ । ରଚନାକୌଶଳ ଏତେ ବିଭିନ୍ନ ରୂପ ଘେନି ସାହିତ୍ୟରେ ଆତ୍ମପ୍ରକାଶ କରେ ଓ ପ୍ରତ୍ୟେକ ଲେଖକର ବ୍ୟକ୍ତିତ୍ୱ ତାହାର ଲେଖା ମଧ୍ୟରେ ଏତେ ପରିମାଣରେ ପ୍ରସ୍ଫୁଟିତ ହୁଏ ଯେ, ସେ ବିଷୟ କିଛି ସ୍ଥିର ନିର୍ଦ୍ଦେଶ ଦେବା ଅସମ୍ଭବ ହୋଇପଡ଼େ ।

 

ଉପାଦାନ ନିର୍ବାଚନ କରିବା ସମୟରେ ପ୍ରଧାନତଃ ଦେଖିବାକୁ ହୁଏ ଯେ ଉପାଦାନଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ ଥିବା ବାଞ୍ଚନୀୟ । ଯେପରି ସୌଧ-ରଚନା ସମୟରେ ଏକାପ୍ରକାର ଉପାଦାନ ବ୍ୟବହାର କରିବା ରୀତି, ସେହିପରି ସାହିତ୍ୟ ରଚନାରେ ଉପାଦାନ ମଧ୍ୟରେ ବ୍ୟାପ୍ତିଗତ, ବ୍ୟବହାରଗତ ଓ ଉତ୍ପତ୍ତିଗତ ସାମଞ୍ଜସ୍ୟ ଥିବା ପ୍ରୟୋଜନ । ଶବ୍ଦ ନିର୍ବାଚନ ଆଲୋଚନା ସମୟରେ ଏବିଷୟରେ ବିସ୍ତୃତ ନିର୍ଦ୍ଦେଶ ଦିଆଯିବ, କିନ୍ତୁ ପ୍ରତ୍ୟେକ ଲେଖାକର ଏତିକି ଦେଖିବା ପ୍ରୟୋଜନ ଯେ ଯେପରି ଉପାଦାନଗୁଡ଼ିକ ଏପରି ଭାବରେ ଆହୁତ, ବିନ୍ୟାସ୍ତ ଓ ବ୍ୟବହୃତ ହେବ ତାହା ଉଦ୍ଦିଷ୍ଟ ପାଠକର ମନରେ ଆଘାତ ନ ଦେଇ ତାକୁ ଅର୍ଥ ଗ୍ରହଣରେ ଉନ୍ନୁଖ କରିବ ଓ ଭାବର ସାଧାରଣ ପ୍ରକାଶଦ୍ୱାରା ଅର୍ଥଗ୍ରହଣକୁ ସହଜସାଧ୍ୟ କରିବା । ଅବଶ୍ୟ ସାଧାରଣରେ ଯାହା ଗୁରୁ-ଚଣ୍ଡାଳ ଦୋଷ ବୋଲି କଥତ ହୁଏ କିମ୍ୱା ଯାହାକୁ ପ୍ରାଦେଶିକତାପୂର୍ଣ୍ଣ ବୋଲି ବିଦ୍ରୁପ କରାଯାଏ, ସେ ସବୁକୁ ଆଲୋଚନା କଲେ ତହିଁରେ ବ୍ୟପ୍ତିଗତ ବା ବ୍ୟବହାରଗତ ଦୋଷର ସନ୍ଧାନ ମିଳେ, କିନ୍ତୁ ସବୁ କ୍ଷେତ୍ରରେ ଯେ ଏପରି ବ୍ୟବହାର ନିନ୍ଦନୀୟ ତାହା ନୁହେଁ । ‘ରାମଚନ୍ଦ୍ର ଚତୁର୍ଦ୍ଦଶବର୍ଷ ବନଗମନ କଲେ’ ସ୍ଥଳରେ ‘ରାମଚନ୍ଦ୍ର ଚଉଦ ବର୍ଷ ବନଗନ କଲେ’ କହିଲେ ମଧ୍ୟ ଦୋଷ ନ ହୋଇପାରେ; କିନ୍ତୁ ‘ରାମଚନ୍ଦ୍ର ଚଉଦ ବର୍ଷ ଜଙ୍ଗଳକୁ ଗଲେ’ କହିଲେ ତାହା ଦୂଷଣୀୟ କାରଣ ଏଠାରେ ’ଜଙ୍ଗଲ’ ଶବ୍ଦର ଅନ୍ୟ ଶବ୍ଦମାନଙ୍କ ସହିତ ବ୍ୟବହାରଗତ ସାମଞ୍ଜସ୍ୟ ନାହିଁ । ଅବଶ୍ୟ ପ୍ରତିଭାବାନ ମାତ୍ର ଯାହା ପ୍ରତିଭା ସାପେକ୍ଷ ତାହା ସାଧାରଣଙ୍କର ଅନୁକରଣଯୋଗ୍ୟ ନୁହେଁ । ସାଧାରଣ ଲେଖକ ପକ୍ଷରେ ଉପାଦାନର ସଙ୍ଗତି ବିଷୟରେ ଅବହିତ ହେବ ପ୍ରୟୋଜନ ।

 

ପୁଣି ସୌଧରଚନା ସମୟରେ ଉପାଦାନର ସଙ୍ଗତି ବିଷୟରେ କେବଳ ଦୃଷ୍ଟି ଦିଆଯାଏ ନାହିଁ, ଉପାଦାନର ସଂହତି ବିଷୟରେ ମଧ୍ୟଦୃଷ୍ଟି ଦିଆଯାଇ ଥାଏ । ଶବ୍ଦମାନଙ୍କର ସଂହିତ ବ୍ୟାକରଣଗତ ପ୍ରୟୋଗସାପେକ୍ଷ । ଅନେକ କ୍ଷେତ୍ରରେ ଶବ୍ଦଗୁଡ଼ିକ ବିଶ୍ଳିଷ୍ଟଭାବରେ ବ୍ୟବହୃତ ହେବାଦ୍ୱାରା କିମ୍ୱା ବାକ୍ୟ ଗୁଡ଼ିକରେ ସୁବିନ୍ୟାସର ଅଭାବଦ୍ୱାରା ଉପାଦାନର ସଂହତି ନଷ୍ଟ ହୋଇଯାଏ । ଏଣୁ ବାକ୍ୟଗୁଡ଼ିକ ଯେପରି ଅଯଥା ଦୀର୍ଘ ନହୁଏ କିମ୍ୱା ଶବ୍ଦଗୁଡ଼ିକ ଯେପରି ଅଯଥା ପ୍ରଯୁକ୍ତ ନ ହୁଏ, ପ୍ରତ୍ୟେକ ଲେଖକର ସେ ଦିଗରେ ଦୃଷ୍ଟି ଦେବା ଉଚିତ । ଆବେଗପୂର୍ଣ୍ଣ ଲେଖାରେ ଅନେକ ସମୟରେ ସଂହିତ ବ୍ୟାହତ ହୋଇଥାଏ, ପୁଣି ଅସଂଯତ ଭକ୍ତି ଅନେକ କ୍ଷେତ୍ରରେ ଆବେଗର ପରିପୋଷକ କିନ୍ତୁ ବିଶେଷ ପ୍ରୟୋଜନ ଥିବା ସ୍ଥଳେ ସଂହତିକୁ ନଷ୍ଟ କଲେ ରଚନାର ଉଦ୍ଦେଶ୍ୟ ବ୍ୟର୍ଥ ହୁଏ । ଅସଂଯତ ଭାବବିଳାସ ବା ଅଯଥା ଅଧିକ ଶବ୍ଦର ପ୍ରୟୋଗ ରଚନାକୁ ନିରର୍ଥକ କରେ ଓ ତାକୁ ଦୁର୍ବଳ କରି ତାର ସକ୍ରିୟତାକୁ ନଷ୍ଟ କରିଦିଏ; ଏଣୁ ରସରଚନାରେ ସଂଯତ, ସୁସମୃଦ୍ଧ, ସୁବିନ୍ୟସ୍ତ ଭାଷାର ପ୍ରୟୋଗ କରିବାହିଁ ବିଧି । ସଂହତି ପୁଣି ଅର୍ଥଗତ ହୋଇପାରେ, ଅର୍ଥାତ୍‌ ବାକ୍ୟର କ୍ରମ ମଧ୍ୟରେ ଅର୍ଥର ବା ଭାବର କ୍ରମବିକାଶ ନ ଥିଲେ ମଧ୍ୟ ରଚନାର ସୌଷ୍ଠବ ନଷ୍ଟ ହୁଏ । ରଚନା ମଧ୍ୟରେ ଭାବର କ୍ରମ ବିନ୍ୟାସ ନ ଥିଲେ ପାଠକର ଚିତ୍ତ-ବିକ୍ଷେପ ହେବା ସ୍ୱାଭାବିକ ଓ ତାହାଦ୍ୱାରା ତାହାର ମନ ବିଭ୍ରାନ୍ତ ହୋଇ ରସ-ଗ୍ରହଣୀରେ ବାଧା ଜାତ କରିଥାଏ ।

 

ରଚନା ସ୍ଥାୟିତ୍ୱ ଅନେକ ଅଂଶରେ ତାହାର ଭିତ୍ତି ଉପରେ ନିର୍ଭର କରେ ଅର୍ଥାତ୍‌ ରଚନାର ଭିତ୍ତି ସୁଦୃଢ଼ ନ ହେଲେ ତାହାର ସ୍ଥାୟିତ୍ୱ ବିଷୟରେ ସନ୍ଦେହ ଜାତ ହେବା ସ୍ୱଭାବିକ । ସାଧାରଣତଃ ଯାହା ପ୍ରଚଳିତ, ଯାହା ସୁନ୍ଦର ବୋଲି ଆଦୃତ, ତାହାହିଁ ନୂତନ ରଚନାର ଭିତ୍ତି ବୋଲି ଗୃହୀତ ହୋଇଥାଏ । ମହାକବିମାନେ ଯେଉଁ ସବୁ କଳ୍ପନାକୁ ମୂର୍ତ୍ତ କରିଅଛନ୍ତି, ତାହାର ଉପରେ ନୂତନ ରଚନା ସାଧାରଣତଃ ପ୍ରତିଷ୍ଠିତ ହୋଇଥାଏ । ବିଷୟବସ୍ତୁ, ଭାବପ୍ରକାଶ, ଶବ୍ଦ ନିର୍ବାଚନ ପ୍ରଭୃତି ବିଷୟରେ ନାନା ପ୍ରଚଳିତ ରୀତି ସାହିତ୍ୟିରେ ପରିଦୃଷ୍ଟ ହୁଏ । ସାଧାରଣତଃ କୌଣସି ରଚନା କରିବା ସମୟରେ ଆମ୍ଭେମାନେ ଏହି ପ୍ରଚଳିତ ରୀତିକୁ ଅନୁସରଣ କରିଥାଉ, ଏହାହିଁ ସାହିତ୍ୟ ରଚନାର ଭିତ୍ତି । ରାମାୟଣରୁ କିମ୍ୱା ମହାଭାରତରୁ ଆମ୍ଭେମାନେ କଥାବସ୍ତୁ ଆହରଣ କରୁ, ଏହି କଥାବସ୍ତୁ ଆମ୍ଭମାନଙ୍କର ସାହିତ୍ୟିକ ରଚନାର ଭିତ୍ତିସ୍ୱରୂପ ହୋଇପାରେ, ଏହାରି ଉପରେ କଳ୍ପନାବଳରେ ଆମ୍ଭେମାନେ ନୂତନ ବିଷୟବସ୍ତୁ ପ୍ରତିଷ୍ଠିତ କରିପାରୁ । ରାଧାନାଥଙ୍କ ‘ଚିଲିକା’କୁ ଅନୁକରଣ କରି ଆମ୍ଭେମାନେ କୌଣସି ନୂତନ ସ୍ଥାନର ବର୍ଣ୍ଣନା କରିପାରୁଁ, ଏଠାରେ ଏହି ନୂତନ ସ୍ଥାନର ବର୍ଣ୍ଣନାଚିଲିକାର ବର୍ଣ୍ଣନାପଦ୍ଧତିର ଭିତ୍ତି ଉପରେ ପ୍ରତିଷ୍ଠିତ । ଉପେନ୍ଦ୍ର ଭଞ୍ଜଙ୍କ ବର୍ଣ୍ଣନାଚାତୁରୀକୁ ଅନୁସରଣ କରି କୌଣସି ନୂତନ ପୁସ୍ତକ ଲିଖିତ ହେଲେ ତାହା ଭଞ୍ଜକବିତାର ଭିତ୍ତି ଉପରେ ପ୍ରତିଷ୍ଠିତ ବୋଲି ମନେ କରିବାକୁ ହେବ । ଅବଶ୍ୟ ଭିତ୍ତି ସୁଦୃଢ଼ ହେବ, ସାହିତ୍ୟିକ ରଚନା ତେତେ ସ୍ଥାୟିତ୍ୱ ଲାଭ କରି ପାରିବ; ଏହା ସର୍ବଥା ଆଶା କରାଯାଏ ଏବଂ ଯେଉଁ ବସ୍ତୁ ଯେତେ ଅଧିକକାଳ ଲୋକସମାଜରେ ଆଦୃତ, ତାହା ତେତେ ସୁଦୃଢ଼ ଭାବରେ ମନୁଷ୍ୟଚିତ୍ତରେ ପ୍ରତିଷ୍ଠିତ, ଏହା ସହଜରେ ସ୍ୱୀକାର କରାଯାଏ ଏବଂ ଯେଉଁ ବସ୍ତୁ ଯେତେ ଅଧିକକାଳ ଲୋକସମାଜରେ ଆଦୃତ, ତାହା କରାଯାଇପାରେ । ଏହି କାରଣରୁ ଓଡ଼ିଆ ରଚନାରେ ସଂସ୍କୃତ ସାହିତ୍ୟର ଆଦର୍ଶ ଉପରେ ପ୍ରତିଷ୍ଠିତ କରିବା ନିମନ୍ତେ ଓ ଓଡ଼ିଆ ରଚନାରେ ସଂସ୍କୃତ ସାହିତ୍ୟିର ଆଦର୍ଶ ଉପରେ ପ୍ରତିଷ୍ଠିତ କରିବା ନିମନ୍ତେ ଓ ଓଡ଼ିଆ ରଚନାରେ ସଂସ୍କୃତ ନିୟମମାନଙ୍କୁ ଅନୃସରଣ କରିବା ନିମନ୍ତେ ଅନେକ ଲେଖକ ବ୍ୟସ୍ତ । ପୁଣି ପ୍ରାଚୀନ ଓଡ଼ିଆରେ ଅନୁସୃତ ଭାବ ଓ ଭାଷା ଉପରେ ଓଡ଼ିଆ ରଚନାକୁ ସର୍ବତୋଭାବେ ପ୍ରତିଷ୍ଟିତ କରିବା ନିମନ୍ତେ ମଧ୍ୟ ଅନେକ ସମାଲୋଚକ ବ୍ୟଗ୍ର । ଯାହା ଜାତୀୟ ଗର୍ବର ସାମଗ୍ରୀ ତାକୁ ପରିହାର କରି ନୂତନ ଜାତୀୟ ସାହିତ୍ୟ ସଂଗଠିତ ହେବା ଅସମ୍ଭବ, ଏହା ଅନେକ ଲୋକଙ୍କର ମତ । କିନ୍ତୁ ଯାହା ବହୁ ପ୍ରାଚୀନକାଳରୁ ଆଦୃତ, ତାହାହିଁ ଯେ କେବଳ ନୂତନ ସାହିତ୍ୟିକ ରଚନାର ଭିତ୍ତି ହେବ, ଅନ୍ୟ ପ୍ରକାର ସାହିତ୍ୟିକ ରଚନାକୁ ଅନୁସରଣ କରିବାକୁ ହେବ, ତାହା ନୁହେଁ । କାରଣ ପ୍ରାଚୀନ ଭିତ୍ତିର ଦୃଢ଼ତା । ବିଷୟରେ ସନ୍ଦେହ ନ ଥିଲେହେଁ ନୃତନ ପରିକଳ୍ପନା ନିମନ୍ତେ ନୂତନ ଭିତ୍ତି ପ୍ରତିଷ୍ଠା କରିବା ଅସମ୍ଭବ ନୁହେଁ ଓ ନୂତନ ଛନ୍ଦ, ନୂତନ ଭାବବିଳାସ, ନୂତନ ଭାଷାବିନ୍ୟାସଦ୍ୱାରା ନୂତନ ରଚନାକୁ ସୌଷ୍ଠବପୂର୍ଣ୍ଣ କରିବା ସହଜସାଧ ନ ହେଲେହେଁ ଏକାନ୍ତ ଅସମ୍ଭବ ନୁହେ । ସାହିତ୍ୟିକ ରଚନାର ଭିତ୍ତି ବିଷୟରେ ଦୁଇଗୋଟି ବିଷୟପ୍ରତି ମନୋଯୋଗ ଦିଆଯାଇପାରେ । ଏକ ଦିଗରେ ସାହିତ୍ୟ ମାନବିକତାର ପ୍ରକାଶ (Human Interest) ଉପରେ ପ୍ରତିଷ୍ଠିତ, ଅନ୍ୟ ଦିଗରେ ସେଥିରେ ଭାଷାର .ସାବଲୀଳ ଗତି ସ୍ପୃହଣୀୟ । ମାନବିକତା ସାହିତ୍ୟର ଚିରନ୍ତନ ପଦାର୍ଥ, ଏହା ସାହିତ୍ୟର ଚିରନ୍ତନ ଭିତ୍ତି, ପ୍ରାଚୀନ ସାହିତ୍ୟର ସୌନ୍ଦର୍ଯ୍ୟ ଏହି ମାନବିକତା ଉପରେ ପ୍ରତିଷ୍ଠିତ । ମାନବିକତାର ନୂତନ ପ୍ରକାଶ ଯଦି ପରିକଳ୍ପିତ ହୋଇପାରେ, ତେବେ ତାହାର ନୂତନ ଭିତ୍ତି ମଧ୍ୟ ଉଦ୍ଭାବିତ ହୋଇପାରେ । ଯୁଗେ ଯୁଗେ ଏହିପରି ନୂତନ ସାହିତ୍ୟ ଆତ୍ମପ୍ରକାଶ କରିଅଛି, ନୂତନ ଭାବ, ନୂତନ ଭାଷାରେ ସମୃଦ୍ଧ ହୋଇ ନୂତନ ସାହିତ୍ୟ ନୂତନ ଭାବରେ ଜନସମାଜକୁ ଆକର୍ଷଣ କରି ପାରିଛି । ଭଞ୍ଜକାବ୍ୟ ଯେଉଁ ଭିତ୍ତି ଉପରେ ପ୍ରତିଷ୍ଠିତ, ରାଧାନାଥ ସେ ଭିତ୍ତିକୁ ପରିହାର କରି ନୂତନ ପ୍ରକାର ଭିତ୍ତି ଉପରେ ନିଜ ସାହିତ୍ୟିକ ରଚନାକୁ ପ୍ରତିଷ୍ଠିତ କରିଥିଲେ । ପୁଣି ସବୁଜ ସାହିତ୍ୟସଂଘର କବିମାନେ ରାଧାନାଥଙ୍କ ସୃଷ୍ଟିକୁ ପରିହାର କରି ନୂତନ ଦିଗରେ ସାହିତ୍ୟକୁ ପରିଚାଳିତ କରୁଅଛନ୍ତି; ଏଣୁ ସାହିତ୍ୟରେ ନୂତନତା ଦୂଷଣୀୟ ନୁହେଁ ମାତ୍ର ନୂତନତା ମାନବିକତାର ପରିପୋଷକ ହେବା ପ୍ରୟୋଜନ । ଯଦି କୌଣସି ରଚନା ମଧ୍ୟରେ ମାନବିକତାର ନୂତନ ଆଭାସ ନ ଥାଏ, ତେବେ ତାହା ପ୍ରାଚୀନ ଭିତ୍ତି ଉପରେ ପ୍ରତିଷ୍ଠିତ ହେବାହିଁ ବାଞ୍ଛନୀୟ ।

 

ସାହିତ୍ୟରେ ଭାଷାର ସାବଲୀଳ ଗତି ବିଷୟରେ ମଧ୍ୟ ନୂତନ ଓ ପୁରାତନ ମଧ୍ୟରେ ସଂଘାତ ହେବା ସମ୍ଭବପର । ପ୍ରତ୍ୟେକ ଯୁଗରେ ଭାଷା ନୂତନ ଭାବରେ ଅନୁପ୍ରାଣିତ ହେଉଅଛି, ନୂତନ ଶବ୍ଦସମ୍ଭାରରେ ସମୃଦ୍ଧ ହେଉଅଛି । ଏଣୁ ତାହାର ଗତିର ପରିବର୍ତ୍ତନ ମଧ୍ୟ ସ୍ୱାଭାବିକ । କବିସୂର୍ଯ୍ୟଙ୍କ ଚମ୍ପୂ ମଧ୍ୟରେ ଯେପରି ଭାଷାର ବ୍ୟବହାର ଅଛି, ଶାରଳା ମହାଭାରତରେ ତାହା ଆଶା । କରିବା ଅସମ୍ଭବ । ପୁଣି ଚମ୍ପୂର ଭାଷା ରାଧାନାଥଙ୍କ ଭାଷାଠାରୁ ମଧ୍ୟ ନାନା ରୂପରେ ଭିନ୍ନ-। ଏହି ସବୁ କାରଣରୁ ଭାଷାର ନୂତନତ୍ୱ ସାହିତ୍ୟରେ ଦୃଷଣୀୟ ନୁହେଁ ଓ ଭାଷା ପ୍ରାଚୀନ ଭିତ୍ତି ଉପରେ ପ୍ରତିଷ୍ଠିତ ନ ହେଲେ ସାହିତ୍ୟ ଦୁର୍ବଳ ହୋଇ ପଡ଼େ ନାହିଁ, କିନ୍ତୁ ଯଦି ନୂତନତ୍ୱ ଫଳରେ ଭାଷା ନର୍ବୀର୍ଯ୍ୟ, ପ୍ରାଣହୀନ ହୋଇ ପଡ଼େ, ତେବେ ସେ ଭାଷା ରଚନାର ସୌଷ୍ଠବକୁ ବ୍ୟାହତ କରେ । ଶବ୍ଦର ନିର୍ବାଚନ ଓ ବାକ୍ୟର ବିନ୍ୟାସ ଉପରେ ଭାଷାର ଗତି ନିର୍ଭର କରେ, ଏହା କାରଣରୁ ପ୍ରତ୍ୟେକ ସାହିତ୍ୟିକକୁ ଭାଷାର ଯଥାଯଥ ବିନ୍ୟାସ ଶିକ୍ଷା କରିବାକୁ ହୁଏ । ଅବଶ୍ୟ ଯେଉ ସାହିତ୍ୟିକୁ ଭାଷାର ଯଥାଯଥ ବିନ୍ୟାସ ଶିକ୍ଷା କରିବାକୁ ହୁଏ । ଅବଶ୍ୟ ଯେଉଁ ସାହିତ୍ୟିକ ଭାଷାକୁ ସେତେ ଆୟତ୍ତ କରି ତାହାର ସଂକେତକୁ ଓ ସମ୍ଭାବନାକୁ ନିଜସ୍ୱ ଭାବରେ ପ୍ରଯୁକ୍ତ କରି ପାରନ୍ତି, ସେ ତେତେ ପ୍ରାଚୀନ ଆବେଷ୍ଟନୀକୁ ପରିହାର କରି ନୃତନ ସୃଷ୍ଟି କରିବାକୁ ସମର୍ଥ ହୃଅନ୍ତି, ମାତ୍ର ଏ ବିଷୟରେ ମଧ୍ୟ ସାହିତ୍ୟିକ ପ୍ରତିଭା କାର୍ଯ୍ୟକରୀ ହୁଏ । କେବଳ ପୁରାତନକୁ ପରିହାର କରି ନୂତନ ସୃଷ୍ଟି କରିବାର ପ୍ରୟାସ ଅନ୍ୟାୟ, ପୁଣି ସର୍ବଦା ପୁରାତନ ଭାଷାବିନ୍ୟାସଦ୍ୱାରା ପରିଚାଳିତ ହେବା ମଧ୍ୟ ଆଶୋଭନୀୟ । ମାନବିକତା ଓ ଭାଷାଗତ ଗତିଶୀଳତା ଏହି ଉଭୟ ଭିତ୍ତିଉପରେ ପ୍ରତିଷ୍ଠିତି ହୋଇ ଯେଉଁ ସାହିତ୍ୟ ରଚିତ ହୁଏ, ତାହାର ମର୍ଯ୍ୟାଦା ଯୁଗେ ଯୁଗେ ଅକ୍ଷୁଣ୍ଣ ରହେ ।

 

ସାହିତ୍ୟିକ ରଚନା ବିଷୟରେ ତୃତୀୟ ବିଚାର୍ଯ୍ୟ ବିଷୟ-ତାହାର ପରିକଳ୍ପନା (Design) । ଯେପରି ପ୍ରତ୍ୟେକ ସୌଧର ଗୋଟିଏ ପରିକଳ୍ପନା ଅଛି ଓ ପରିକଳ୍ପନାଦ୍ୱାରା ସୌଧର ରଚନା ନିୟନ୍ତ୍ରିତ ହୁଏ, ସେହିପରି ସାହିତ୍ୟିକ ରଚନାର ପରିକଳ୍ପନା ଅନୁସାରେ ରଚନାର ଅଙ୍ଗପ୍ରତ୍ୟଙ୍ଗ ନିୟନ୍ତ୍ରିତ ହେବା ସ୍ୱାଭାବିକ । ପରିକଳ୍ପନା ଦିଗରୁ ପ୍ରଥମ ବିଚାର୍ଯ୍ୟ ବିଷୟ-ରଚନାର ସମଗ୍ର ରୂପ । ଯେ କୌଣସି ବିଷୟବସ୍ତୁ ହେଉ ନା କାହିକି, ତାହା ହୁଏ ଗଦ୍ୟରେ ନ ହେଲେ ପଦ୍ୟରେ କିମ୍ୱା ନାଟକାକାରରେ ପ୍ରକାଶିତ ହୋଇପାରେ ଓ ରଚନାର ରୂପ ଅନୁସାରେ ବିଭିନ୍ନ ନିୟମ ଅନୁସାରେ ଏହାର ବିଶ୍ଳେଶଣ କରିବା ସମ୍ଭବପର ହୁଏ ଯାହା ନାଟକାକାରରେ ରଚନାର ଉତ୍କର୍ଷ ବିଧାନ୍ନ କରେ ତାହା ଗଦ୍ୟ ରଚନାରେ ଅଶୋଭନୀୟ ବିବେଚିତ ହୋଇପାରେ, ପୁଣି କାବ୍ୟରେ ଯେପରି ଭାବିବିଳାସ ବା କଳ୍ପନାବାହୁଲ୍ୟ ସମ୍ଭବ ଗଦ୍ୟରେ କିମ୍ୱା ନାଟକରେ ତାହାର ବ୍ୟବହାର ନିତାନ୍ତ ବିସଦୃଶ ହୋଇପାରେ । ‘କାଞ୍ଚକାବେରୀ’ ନାଟକରେ ଦୂତମୁଖରେ ଯେଉଁ ପ୍ରାଣସ୍ପର୍ଶୀ ବାଣୀ ଦିଆଯାଇଅଛି ଗଦ୍ୟରେ ତାହାର ସରସତା ରହିବା ଅସମ୍ଭବ, ପୁଣି ‘ସାମାଜିକ ପ୍ରବନ୍ଧ’ର ବିଷୟବସ୍ତୁ ନାଟକ କିମ୍ୱା ପଦ୍ୟ ଆକାରରେ ପ୍ରକାଶିତ ହେବା ଅସମ୍ଭବ । ଏହି ସବୁ କାରଣରୁ ଲେଖକ ପ୍ରଥମେ ବିଷୟବସ୍ତୁଟିକୁ କିପରି ଭାବରେ ପ୍ରକାଶିତ କରିବେ, ତାହା ଚିନ୍ତା କରି ରଚନାରେ ପ୍ରବୃତ୍ତ ହୋଇଥାନ୍ତି ଓ ରଚନାର ଉତ୍କର୍ଷ ପରିକଳ୍ପନା ଉପରେ ଅନେକାଂଶରେ ନିର୍ଭର କରିଥାଏ । ପ୍ରଥମେ ସମଗ୍ର ରୂପପଟିର ପରିକଳ୍ପନା ସ୍ଥିର ହୋଇଗଲେ ଉପାଦାନ ନିର୍ବାଚନ ପ୍ରଭୃତିର ପ୍ରଶ୍ନ ଉଠିପାରେ, ମାତ୍ର ସମଗ୍ର ରୂପଟି ଯଦି ଭ୍ରମାତ୍ମକଭାବରେ ପରିକଳ୍ପିତ ହୁଏ, ତେବେ ରଚନାର ପାରିପାଟ୍ୟ ଭିତ୍ତି ବା ଉପାଦାନର ସୌଷ୍ଠବସତ୍ତ୍ୱେ ସମ୍ପୂର୍ଣ୍ଣଭାବରେ ନଷ୍ଟ ହୋଇଯାଏ ।

 

ପରିକଳ୍ପନାର ଦ୍ୱିତୀୟ ବିଚାର୍ଯ୍ୟ ବିଷୟ–ରଚନାର ଦୈର୍ଘ୍ୟ । ‘ଚିଲିକା’ ବର୍ତ୍ତମାନ ଯେଉଁ ଆକାରରେ ଅଛି, ତାହା ସହିତ କବିଙ୍କର ଅନ୍ୟାନ୍ୟ ଅନୁଭୂତି ଏକତ୍ର କରି ଯାହାକୁ ଅଧିକ ବିସ୍ତୃତ ଓ ଦୀର୍ଘ କରିବା ସମ୍ଭବ ହୋଇଥାନ୍ତା କିମ୍ୱା ତାହା ମଧ୍ୟରୁ କେତେକ ଅଂଶ ପରିହାର କରି ତାକୁ ସଂକୁଚିତ କରାଯାଇ ପାରନ୍ତା । ଫକୀରମୋହନଙ୍କର ‘ମାମୁ’ ଉପନ୍ୟାସକୁ ସଂକୁଚିତ କରି କ୍ଷୁଦ୍ର ଗଳ୍ପରୂପରେ ପ୍ରକାଶିତ କରାଯାଇ ପାରନ୍ତା । ପୁଣି ‘ବିରେଇ ବିଶାଳ’ ଗଳ୍ପକୁ ନାନାପ୍ରକାରେ ବର୍ଦ୍ଧିତ କରି ଉପନ୍ୟାସ ଆକାରରେ ମଧ୍ୟ ପ୍ରକାଶ କରିବା ସମ୍ଭବପର ହୁଅନ୍ତା । ରଚନାର ଦୈର୍ଘ୍ୟରେ ଏପରି ପରିବର୍ତ୍ତନ ସୁନ୍ଦର ଓ ସୁଶୋଭନ ହୁଅନ୍ତା କି ନାହିଁ ଏହା ବିଚାର୍ଯ୍ୟ । ରଚନାର ପରିକଳ୍ପନା ସମୟରେ ଲେଖକକୁ ରଚନାର ଦୈର୍ଘ୍ୟ ବିଷୟରେ ସ୍ଥିରସିଦ୍ଧାନ୍ତରେ ଉପନୀତ ହୋଇ ରଚନାର ବିଷୟବସ୍ତୁକୁ ନିୟନ୍ତ୍ରିତ କରିବାକୁ ହୁଏ । ‘ଧାମରା’ ବିଷୟରେ ଗୋଟିଏ ଚତୁର୍ଦଶପଦୀ କବିତା ଲେଖାଯାଇପାରେ କିମ୍ୱା ଗୋଟିଏ ବୃହତ୍‌ ବର୍ଣ୍ଣନାତ୍ମକ କବିତା ମଧ୍ୟ ଲେଖାଯାଇପାରେ । ଚତୁର୍ଦ୍ଦଶପଦୀ କବିତା ମଧ୍ୟରେ ଯେଉଁ ବିଷୟବସ୍ତୁ ରହିବା ସମୀଚୀନ, ବୃହତ୍‌କାବ୍ୟ ମଧ୍ୟରେ ତହିଁରୁ ଯଥେଷ୍ଟ ଅଧିକ ବିଷୟବସ୍ତୁ ରହିବା ସମ୍ଭବପର । ବୃହତ କାବ୍ୟରେ ଯେ ପ୍ରକାର ଭାବାଭିବ୍ୟକ୍ତି ସମଞ୍ଜସ, କ୍ଷୁଦ୍ର କବିତାରେ ତାହା କେବେହେ ସମୀଚୀନ ନୁହେଁ । ରଚନାର ଦୈର୍ଘ୍ୟ ଘେନି ତାହାର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ, ପ୍ରତ୍ୟେକ ଭାବ, ପ୍ରତ୍ୟେକ ଅଂଶର ବର୍ଣ୍ଣନା ନିୟନ୍ତ୍ରିତ ହେବା ସ୍ୱାଭାବିକ ଓ କୌଣସି ସାହିତ୍ୟିକ ଲେଖାକୁ ରଚନା ଦିଗରୁ ଆଲୋଚନା କରିବାକୁ ହେଲେ ସେଥିରେ ଭାବର ଗୁରୁହ ଓ ବର୍ଣ୍ଣନାର ପ୍ରୟୋଜନ ଘେନି ପ୍ରତ୍ୟେକ ଅଂଶର ଦୈର୍ଘ୍ୟ ସମଗ୍ର ରଚନାର ଦୈର୍ଘ୍ୟ ସହିତ ସୁସମଞ୍ଜସ ଭାବରେ ନିୟନ୍ତ୍ରିତ ହୋଇଅଛି କି ନାହିଁ ତାହା ଆଲୋଚନା କରି ଦେଖିବା ପ୍ରୟୋଜନ ହୋଇଥାଏ ।

 

ରଚନାର ପରିକଳ୍ପନା ବିଷୟରେ ତୃତୀୟ ବିଚାର୍ଯ୍ୟ ବିଷୟ ତାହାର ଉଦ୍ଦେଶ୍ୟ । ସାହିତ୍ୟିକ ଯେଉଁ ଉଦ୍ଦେଶ୍ୟ ଘେନି ରଚନାରେ ପ୍ରବୃତ୍ତ ହେଉଅଛି ତାହାଦ୍ୱାରା ରଚନାର ରୂପରେଖ ନିୟନ୍ତ୍ରିତ ହେବା ସ୍ୱାଭାବିକ । ପ୍ରବନ୍ଧ ସୋପାନର ଉଦ୍ଦେଶ୍ୟ ଲୋକଶିକ୍ଷା, ଏଣୁ ଏହାର ପରିକଳ୍ପନା ପ୍ରବନ୍ଧ ଆକାରରେ । କ୍ଷୁଦ୍ର କ୍ଷୁଦ୍ର ପ୍ରବନ୍ଧଦ୍ୱାରା ଏଥିରେ ଲେଖକ ନିଜର ମନୋଗତ ଭାବକୁ ପାଠକ ସମକ୍ଷରେ ଉପସ୍ଥାପିତ କରି ପାରିଅଛିନ୍ତି । ‘ସାଇଣ୍ଟା ଚାଙ୍ଗୁଡ଼ି’ର ଉଦ୍ଦେଶ୍ୟ ଧର୍ମମତ ପ୍ରଚାର, ଏଣୁ ଏଥିରେ ମଧ୍ୟ ଲେଖକ ଉଦ୍ଦିଷ୍ଟ ପାଠକସମକ୍ଷରେ ନିଜର ବକ୍ତବ୍ୟ ଉପସ୍ଥାପିତ କରିଅଛନ୍ତି, କିନ୍ତୁ ପ୍ରଚାର ଆବେଗଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ, ସେଥିରେ କଳ୍ପନାର ଆଶ୍ରୟ ନେବା ମଧ୍ୟ ସ୍ୱାଭାବିକ । ପ୍ରଚାର ମଧ୍ୟରେ ପାଠକର ମନୋବୃତ୍ତିକୁ ଆକୃଷ୍ଟି ଓ ପ୍ରଭାବିତ କରିବାର ଚେଷ୍ଟା ଥିବା ଉଚିତ, ମାତ୍ର ଚିନ୍ତାଧାରାର ବିକାଶ ମଧ୍ୟରେ (ଯଥା-ପ୍ରବନ୍ଧ ସୋପାନ) ଆବେଗ ବା କଳ୍ପନାର ସ୍ଥାନ ଅଳ୍ପ । ଯେଉଁ ନାଟକ ଦର୍ଶକମାନଙ୍କ ମନରେ ସ୍ୱଦେଶପ୍ରୀତି ଜାଗରୂକ କରିବା ନିମନ୍ତେ ଲିଖିତ, ତାହାର ରୂପରେଖ ସାମାଜିକ ନାଟକର ରୂପରେଖଠାରୁ ଭିନ୍ନ ହେବା ସ୍ୱାଭାବିକ । ଉଭୟେ ନାଟକ, କିନ୍ତୁ ଲେଖକର ଉଦ୍ଦେଶ୍ୟ ଘେନି ଉଭୟେ ଭିନ୍ନ ଭାବରେ ପରିକଳ୍ପିତ । ଗୋଟିକରେ ହାସ୍ୟରସର ଅସଦ୍ଭାବ ଥାଇପାରେ, ବୀରରସର ଉନ୍ମାଦନା ରହିପାରେ, ଆବେଗପୂର୍ଣ୍ଣ ଉଦ୍ଦୀପନାମୟ ଭାଷାର ବ୍ୟବହାର ଥାଇପାରେ, ଅନ୍ୟଟିରେ ଏ ସବୁ ଭିନ୍ନଭାବରେ ଆତ୍ମପ୍ରକାଶ କରିପାରେ । କୌଣସି ରଚନାର ଉଦ୍ଦେଶ୍ୟ ଘେନି ତାହାର ପରିକଳ୍ପନା ଭିନ୍ନ ରୂପ ଧାରଣ କରିବା ଏତେ ସ୍ୱାଭାବିକ ଯେ, ରଚନାର ଉଦ୍ଦେଶ୍ୟକୁ ଅନୁସରଣ କରିବା ଏକାନ୍ତ ପ୍ରୟୋଜନ ହୁଏ । ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ ସାହିତ୍ୟ ମଧ୍ୟରେ ବ୍ୟଙ୍ଗ, ବିଦ୍ରୂପ ବା ହାସ୍ୟରସର ଅବସର ଥାଏ, ଚିତ୍ତବିନୋଦନ ନିମନ୍ତେ ଲିଖିତ ସାହିତ୍ୟିକ ରଚନାରେ କଳ୍ପନାର ବାହୁଲ୍ୟ ପରିକ୍ଷିତ ହୁଏ, ଚିନ୍ତାଧାରାର ବିକାଶ ନିମନ୍ତେ ଲିଖିତ ରଚନାରେ ନିରାଡ଼ମ୍ୱର ପାଣ୍ଡିତ୍ୟପୂର୍ଣ୍ଣ ଭାଷାର ବ୍ୟବହାର ସମୀଚୀନ ହୋଇଥାଏ, ପୁଣି ଅନ୍ୟର ମନକୁ ପ୍ରଭାବିତ କରି ତାହା ମଧ୍ୟରେ କର୍ମ-ପ୍ରେରଣା ଜାଗ୍ରତ କରିବା ନିମନ୍ତେ ଲିଖିତ ରଚନାରେ ଆବେଗ ପରିପୋଷକ ଉତ୍ତେଜନାମୟ ଭାଷାର ବ୍ୟବହାର ସ୍ୱାଭାବିକ ହୁଏ । ଏହି ସବୁ କାରଣରୁ ରଚନାର ଉଦ୍ଦେଶ୍ୟ ଘେନି ତାହାର ପରିକଳ୍ପନାକୁ ଓ ତାହାର ରସସମାବେଶକୁ ବିଚାର କରିବା ପ୍ରୟୋଜନ ହୁଏ; କାରଣ ଲଘୁ ଲେଖାରେ ଯାହା ସମୀଚୀନ, ଗୁରୁ ଉଦ୍ଦେଶ୍ୟପୂର୍ଣ୍ଣ ରଚନାରେ ତାହା ନିତାନ୍ତ ଅସମୀଚୀନ ବୋଧ ହେବା ସ୍ୱାଭାବିକ । ଶବ୍ଦନିର୍ବାଚନ, ବାକ୍ୟବିନ୍ୟାସ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ଏହି କାରଣରୁ ଲେଖାର ଉଦ୍ଦେଶ୍ୟ ଘେନି ରଚନାର ରୂପ ନିୟନ୍ତ୍ରିତ ହୋଇଥାଏ । ଅଫିସ ନିମନ୍ତେ ଯେଉଁ ସୌଧ ରଚିତ ହୁଏ ତାହା ଯେପରି ଗୃହସ୍ଥର ଚଳାଚଳ ପକ୍ଷରେ ଅନୁପଯୁକ୍ତ ବୋଧହୁଏ, ସେହିପରି ଗୋଟିଏ ଉଦ୍ଦେଶ୍ୟ ଘେନି ଲିଖିତ ରଚନା ଅନ୍ୟ ଉଦ୍ଦେଶ୍ୟଯୁକ୍ତ ରଚନାଠାରୁ ସମ୍ପୂର୍ଣ୍ଣଭାବରେ ଭିନ୍ନ ହୁଏ ।

 

ପରିକଳ୍ପନାର ଚତୁର୍ଥ ଓ ପ୍ରଧାନ ବିଚାର୍ଯ୍ୟ ବିଷୟ ଅଳଙ୍କାର । ସୌଧ ନିର୍ମାଣରେ ଯେପରି କାରିଗର ବାହ୍ୟ ଓ ଅଭ୍ୟନ୍ତର ନାନା ଅଳଙ୍କାରଦ୍ୱାରା ସୌଧକୁ ବିମଣ୍ଡିତ କରେ, ସୌଧର ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି ତାକୁ ସୁନ୍ଦରଭାବରେ ବିଭୂଷିତ କରି ନାନା ପ୍ରକାର ଭାଷା ଓ ଭାବଗତ ଅଳଙ୍କାରଦ୍ୱାରା ବିମଣ୍ଡିତ କରି ଶିଳ୍ପଚାତୁର୍ଯ୍ୟର ପରିଚୟ ପ୍ରଦାନ କରେ । ଅଳଙ୍କାର ରଚନାର ଉଦ୍ଦେଶ୍ୟର ପରିପନ୍ଥୀ ନୁହେଁ, ରଚନାର ଦୈର୍ଘ୍ୟଦ୍ୱାରା ତାହା ଯଥେଷ୍ଟ ଭାବରେ ନିୟନ୍ତ୍ରିତ ହୋଇଥାଏ, ମାତ୍ର ଅଳଙ୍କାର ରଚନାକୁ ମନୋଜ୍ଞ କରେ, ସୁନ୍ଦର ଓ ସରସ କରେ ଓ ପାଠକର ମନକୁ ଆକୃଷ୍ଟ କରିବା ନିମନ୍ତେ ସାହାଯ୍ୟ କରେ । କେବଳ ତଥ୍ୟଜ୍ଞାପନଠାରୁ ଯାହା ରଚନାର ଭାଷାକୁ ଭିନ୍ନ କରେ ତାହାହିଁ ଅଳଙ୍କାର । ଯେଉଁଠାରେ ଲେଖକ ନିରାଡ଼ମ୍ୱର ତଥ୍ୟ ନିର୍ଦ୍ଦେଶ ମାତ୍ର ନ କରେ ତାହାହିଁ ରଚନାର ଅଳଙ୍କାରସ୍ୱରୂପ ହୋଇଥାଏ । ସାହିତ୍ୟିକ ରଚନାରେ ଏହି କାରଣରୁ ଅଳଙ୍କାରପ୍ରାଚୁର୍ଯ୍ୟ ଅହରହଃ ଦେଖାଯାଏ ।

 

ଅଳଙ୍କାର ବାସ୍ତବରେ ବାହ୍ୟ ଓ ଅଭ୍ୟନ୍ତର ଏହି ପ୍ରଧାନ ଭାଗରେ ବିଭକ୍ତ । ରଚନା ମଧ୍ୟରେ ଯେଉଁ ଅଳଙ୍କାର କେବଳ ଭାଷାର ବ୍ୟବହାର ଉପରେ ନିର୍ଭର କରେ, ତାହା ବାହ୍ୟ ଅଳଙ୍କାର, ଏପରି ଅଳଙ୍କାରଦ୍ୱାରା ପାଠକର ମନ ସାମୟିକ ଭାବରେ ପ୍ରଭାବିତ ହୋଇପାରେ, ପାଠକ କ୍ଷଣିକ ସୁଖଦ୍ୱାରା ବିମୁଗ୍ଧ ହୋଇପାରେ ମାତ୍ର ଏମାନେ ବାହ୍ୟ ଚାକଚିକ୍ୟଶାଳୀ ବାଗାଡ଼ମ୍ୱର ମାତ୍ର; ଏମାନଙ୍କର କୌଣସି ସ୍ଥାୟୀ ପ୍ରଭାବ ନାହିଁ, କିମ୍ୱା କେବଳ ଏମାନଙ୍କ ସାହାଯ୍ୟରେ କୌଣସି ମହାନ୍‌ ସାହିତ୍ୟସୌଧ ପ୍ରତିଷ୍ଠିତ ହୋଇପାରେ । ଧ୍ୱନିମୂଳକ ପ୍ରତ୍ୟେକ ଅଳଙ୍କାର, ପ୍ରତ୍ୟେକ ଅନୁପ୍ରାସ, ପ୍ରତ୍ୟେକ ଯମକ, ଏକ ଶବ୍ଦର ବିଭିନ୍ନାର୍ଥରେ ପ୍ରୟୋଗ ଏହିପରି ବାହ୍ୟ ଅଳଙ୍କାରର ନିଦର୍ଶନ । ସାହିତ୍ୟିକ ରଚନାରେ ଏମାନଙ୍କର ବ୍ୟବହାର ସୁପ୍ରଚଳିତ, କିନ୍ତୁ ଏମାନଙ୍କର କୌଣସି ବିଶେଷ ସ୍ଥାୟୀ ମୁଲ୍ୟ ନାହିଁ । ପୁଣି ଅନେକ କ୍ଷେତ୍ରରେ ସାହିତ୍ୟିକ ରଚନାରେ ବ୍ୟବହୃତ ଉପମା ପ୍ରଭୃତି ମଧ୍ୟ ଏହିପରି ବାହ୍ୟ ଅଳଙ୍କାରର ନିଦର୍ଶନରୂପରେ ଗୃହୀତ ହୋଇପାରେ, ଅର୍ଥାତ୍‌ ଯେଉଁଠାରେ ଉପମା କେବଳ ଗତାନୁଗତିକ ତୁଳନାର ପ୍ରକାଶ ମାତ୍ର ସେଠାରେ ତାଦ୍ୱାରା କୌଣସି ମୂଲ୍ୟ ନାହିଁ । ପାଠକ ଏପରି ତୁଳନାରେ ଏତେ ଅଭ୍ୟସ୍ତ ଯେ ସେ ତାହା ପାଠ କରି କୌଣସି ନୂତନ ସ୍ପନ୍ଦନ ଲାଭ କରେ ନାହିଁ ଓ ତାହାର ମନ କୌଣସି ନୂତନ ଭାବରେ ଆଲୋଡ଼ିତ ହୁଏ ନାହିଁ । ଚନ୍ଦ୍ରମୁଖ, ସିଂହକଟୀ, କମ୍ବୁଗ୍ରୀବ ପ୍ରଭୃତି ମଧ୍ୟରେ ତୁଳନା ଓ କଳ୍ପନାର ଆଭାସ ସୁସ୍ପଷ୍ଟ, ମାତ୍ର ଏଗୁଡ଼ିକ ବାସ୍ତବରେ ବହୁକାଳ ସାହିତ୍ୟରେ ପ୍ରଚଳିତ ଥିବାରୁ ବର୍ତ୍ତମାନ ଏମାନଙ୍କର ବ୍ୟବହାର ପାଠକର ମନକୁ ସ୍ପର୍ଶ କରିପାରେ ନାହିଁ, ପାଠକ ଏସବୁକୁ ଗତାନୁଗତିକ ବୋଲି ଅବହେଳା କରିଥାଏ । ଏଣୁ ବର୍ତ୍ତମାନ ଏପ୍ରକାର ଅଳଙ୍କାର ବାହ୍ୟ ଅଳଙ୍କାର ବୋଲି ପରିଗଣିତ ହୋଇପାରେ । ପୁଣି ଯଦି ପାଠକମନରେ ନୂତନତ୍ୱର ଆଘାତ ଦେବା ନିମନ୍ତ କୌଣସି ଉପମାର ବ୍ୟବହାର କରାଯାଏ, ତେବେ ତାହା ମଧ୍ୟ ବାହ୍ୟ ଅଳଙ୍କାର ବୋଲି ପରିଗଣିତ ହେବ, କାରଣ ପାଠକର ମନ ଏପ୍ରକାର ଆଘାତଦ୍ୱାରା ବିସ୍ମୟ ବିମୂଢ଼ ହେଲେ ମଧ୍ୟ ତାହା ମନରେ ଏହାଦ୍ୱାରା କୌଣସି ଗଭୀର ରେଖାପାତ ହେବାସମ୍ଭବ ନୁହେଁ । ଯଦି କୌଣସି କବି ଲେଖେ ‘ସଦା ଚଞ୍ଚଳ ସେ ଯଥା ଇଲେକ୍‌ଟ୍ରିକ୍‌ପଙ୍ଖା’ ତେବେ ଉପମାର ନୂତନତ୍ୱ ପାଠକକୁ କ୍ଷଣିକ ଆମୋଦ ଦେଇପାରେ କିନ୍ତୁ ଏହା କେବଳ ବାହ୍ୟ ଅଳଙ୍କାର, ଏହାଦ୍ୱାରା ‘ଚଞ୍ଚଳତା’ର କୌଣସି ଗଭୀର ଅଭିବ୍ୟକ୍ତି ପାଠକମନରେ ପ୍ରତିଫଳିତ ହେଉ ନାହିଁ ।

 

କିନ୍ତୁ ରଚନାର କେତେଗୁଡ଼ିଏ ଆଭ୍ୟନ୍ତରିକ ଅଳଙ୍କାର ଅଛି, ସାଧାରଣତଃ ଏପରି ଅଳଙ୍କାର ଭାଗବତ । ଭାବର ବିନ୍ୟାସ ମଧ୍ୟରେ, ଚିନ୍ତାଧାରାର ଗଭୀର ମନୋଜ୍ଞ ପ୍ରକାଶ ମଧ୍ୟରେ ଏପରି ଅଳଙ୍କାରର ସୁସ୍ପଷ୍ଟ ନିଦର୍ଶନ ଆମ୍ଭେମାନେ ପାଇଥାଉଁ । ରାଧାନାଥଙ୍କର ‘ଜୀବନ ନୁହେଁ ତାହା ଜୀବନ୍ତ ମରଣ’ ବାକ୍ୟରେ ଏପରି ଅଳଙ୍କାରର ନିଦର୍ଶନ ମିଳେ । ଅବଶ୍ୟ ଏ କ୍ଷେତ୍ରରେ ଦୁଇଗୋଟି ପରସ୍ପର ବିରୁଦ୍ଧ ପଦର ଏକତ୍ର ସମାବେଶଦ୍ୱାରା ଭାବଟି ଅତି ମନୋଜ୍ଞଭାବରେ ପ୍ରକାଶିତ ହୋଇଅଛି, କିନ୍ତୁ ଏଠାରେ ଭାଷା ପ୍ରଧାନ ନୁହେଁ, ଭାବର ସୌଷ୍ଠବ ଓ ଶବ୍ଦର ବିନ୍ୟାସହିଁ ପ୍ରଧାନ; ଏଣୁ ଏହା କେବଳ ବାହ୍ୟ ଅଳଙ୍କାର ମାତ୍ର ନୁହେଁ, ଏହା ପାଠକର ମନରେ ଗଭୀର ରେଖାପାତ କରିବାକୁ ସମର୍ଥ; ପାଠକକୁ ଏତେଦୂର ପ୍ରଭାବିତ କରିବାକୁ ସମର୍ଥ ଯେ, ଏହା ପ୍ରବଚନରୂପରେ ବହୁ ବ୍ୟବହୃତ ଓ ପାଠକର ସ୍ମୃତିପଟରେ ଅହରହଃ ଜାଗ୍ରତ । ରଚନାର ସୌନ୍ଦର୍ଯ୍ୟବୃଦ୍ଧି ନିମନ୍ତେ ନୂତନ ଅଳଙ୍କାରମାନଙ୍କର ପରିକଳ୍ପନା ହେଉଅଛି । ନିତ୍ୟ ସାହିତ୍ୟିକମାନେ ନାନା ନୂତନ ବିଷୟବସ୍ତୁ ଓ ଭାବସମାରୋହଦ୍ୱାରା ରଚନାକୁ ସମୃଦ୍ଧ ଓ ମନୋଜ୍ଞ କରୁଅଛନ୍ତି, ସାହିତ୍ୟଜଗତରେ ଅବିରାମ ନୂତନ ସୌନ୍ଦର୍ଯ୍ୟ ସୃଷ୍ଟ ହେଉଅଛି, ଅବିରାମ ନାନା ଉପାୟଦ୍ୱାରା ରଚନାସୌଧ ଅଳଙ୍କୃତ ଓ ବିମଣ୍ଡିତ ହେଉଅଛି । ସବୁପ୍ରକାର ଅଳଙ୍କାର ନିର୍ଦ୍ଦେଶ ଦେବା ଅସମ୍ଭବ, ପ୍ରତିଭାକୁ ପୂର୍ଣ୍ଣଭାବରେ ବିଶ୍ଳେଷଣ କରିବା ମଧ୍ୟ ଅସମ୍ଭବ । କିନ୍ତୁ ରଚନା ବିଷୟରେ କେତେକ ସାଧାରଣ ଜ୍ଞାନ ସବୁ ଶ୍ରେଣୀର ଲେଖକ ପକ୍ଷରେ ପ୍ରୟୋଜନ ଓ ଏ ବିଷୟରେ ସାଧାରଣ ଭାବରେ ଇଙ୍ଗିତ ବା ସଙ୍କେତ ଦେବା ମଧ୍ୟ ସମ୍ଭବପର । ପ୍ରତ୍ୟେକ ସାହିତ୍ୟକର ରଚନାର ମୂଳ ନିୟମମାନଙ୍କୁ ଅନୁସରଣ କରି ରଚନାରେ ପ୍ରବୃତ୍ତ ହେବା ଉଚିତ ଓ ରଚନାକୁ ବିଶ୍ଳେଷଣ କରି ପାରିବାର ଶକ୍ତି ସବୁ ସମାଲୋଚକର ଥିବା ପ୍ରୟୋଜନ ।

 

***

 

Unknown

ଦ୍ୱିତୀୟ ପରିଚ୍ଛେଦ

ବିଷୟନିର୍ବାଚନ ଓ ତଥ୍ୟବିନ୍ୟାସ

 

ରଚନାର ପ୍ରକାରଭେଦ ଅନୁସାରେ ସାହିତ୍ୟରେ ନାନାପ୍ରକାର କୌଶଳ ପ୍ରଯୁକ୍ତ ହୋଇଥାଏ; ଏଣୁ ରଚନାର ପ୍ରକାର ଓ ଉଦ୍ଦେଶ୍ୟ ଉପରେ କଥାବସ୍ତୁର ବିନ୍ୟାସ ସମୂହଭାବରେ ନିର୍ଭର କରେ । ସାଧାରଣତଃ ସାହିତ୍ୟିକ ଲେଖାକୁ ତିନିଗୋଟି ମୁଖ୍ୟ ବିଭାଗରେ ବିଭକ୍ତ କରାଯାଇଥାଏ-ଗଦ୍ୟ, ପଦ୍ୟ ଓ ନାଟକ । ନାଟକରେ ନାଟକୀୟ ଚରିତ୍ରମାନଙ୍କର କାର୍ଯ୍ୟାବଳୀ ଓ କଥାବାର୍ତ୍ତାଦ୍ୱାରା ନାଟକୀୟ ବିଷୟବସ୍ତୁ ପ୍ରକାଶିତ କରାଯାଏ ଏବଂ କଥାବାର୍ତ୍ତାର ଭାଷାରେ ଗଦ୍ୟ ରୀତି କିମ୍ବା ପଦ୍ୟ ରୀତି ଅନୁସୃତ ହୁଏ । ନାଟକ ଦୃଶ୍ୟ, କାବ୍ୟ, ଅଭିନୟର ବାସ୍ତବତା ଏହାର ପ୍ରାଣ-। ନାଟକରେ ସାଧାରଣ ଜୀବନର ଚିତ୍ର ଦର୍ଶକସମ୍ମୁଖରେ ଉପସ୍ଥାପିତ କରାଯାଏ, ଏଣୁ ବାସ୍ତବତା ବ୍ୟାହତ ହେଲେ ନାଟକର ସରସତା ନଷ୍ଟ ହୋଇଯାଏ । ନାଟକରେ ସାଧାରଣତଃ ଉତ୍ତେଜନାର ମାତ୍ରା ଅଧିକ, ଏଥିରେ ଆବେଗର ପ୍ରାଧାନ୍ୟ ଥିବାରୁ ଏହାର ରଚନା ମଧ୍ୟ ଅନେକ ରୀତିଦ୍ୱାରା ପ୍ରଭାବିତ ହୋଇଥାଏ । କଥାବାର୍ତ୍ତାର ସ୍ୱାଭାବିକତା, ଆବେଗ ପରିପୋଷକ ରୀତିମାନଙ୍କର ଅନୁସରଣ, ପାତ୍ରାନୁଯାୟୀ ରଚନାପଦ୍ଧତିର ନିୟନ୍ତ୍ରଣ, ବିଷୟବସ୍ତୁର ଚମତ୍କାରିତା ବା ଆକସ୍ମିକ ପରିବର୍ତ୍ତନ ଉପରେ ନାଟକରେ ସରସତା ନିର୍ଭର କରେ । ନାଟକର ରଚନାପଦ୍ଧତିକୁ ବିଶ୍ଲେଷଣ କଲେ ଦେଶ-କାଳ-ପାତ୍ର ଅନୁଯାୟୀ ଭାଷାବିନ୍ୟାସର ବିଶ୍ଳେଷଣ କରିବା ପ୍ରୟୋଜନ ହୁଏ ଓ ଭାଷା ମଧ୍ୟରେ କଥାବସ୍ତୁର ପ୍ରଗତି, ଚରିତ୍ରଚିତ୍ରଣର ବାସ୍ତବତା, ଘଟନାସ୍ରୋତକୁ ବ୍ୟାଖ୍ୟାନ କରିବାର ପ୍ରୟାସ ମଧ୍ୟ କରାଯାଇଥାଏ । ଏଣୁ ନାଟକୀୟ ଭାଷା ସାଧାରଣ ଗଦ୍ୟ ବା ପଦ୍ୟଠାରୁ ଭିନ୍ନ ଓ ନାଟକୀୟ ରଚନାର ଆଲୋଚନା କରିବା ସମୟରେ କେବଳ ଭାଷାବିନ୍ୟାସ ପ୍ରତି ଅବହିତ ହେବା ଉଚିତ ନୁହେଁ । ପଦ୍ୟର ମାଧୁର୍ଯ୍ୟ ଛନ୍ଦ ଉପରେ ପ୍ରତିଷ୍ଠିତ । ଏଥିରେ କଳ୍ପନାର ମାତ୍ରା ଅଧିକ, ଏହା ଚିତ୍ତବୃତ୍ତି ଉପରେ ପ୍ରଭାବ ବିସ୍ତାର କରିବା ନିମନ୍ତେ ଲିଖିତ । ସୁଲଳିତ ମନୋହର ପଦାବଳୀର ମାଧୁର୍ଯ୍ୟଦ୍ୱାରା ବାସ୍ତବ ଜଗତକୁ ପାଠକମନରୁ ଅପସୃତ କରି ପଦ୍ୟ ତାହାର ମାନସନେତ୍ର ସମ୍ମୁଖରେ ଏକ ଅବାସ୍ତବ କଳ୍ପନାମୟ ଅତୀନ୍ଦିୟ ରାଜ୍ୟର ଚିତ୍ର ଉଦ୍ଭାସିତ କରିଦିଏ । ପାଠକ ଛନ୍ଦର ଝଙ୍କାରରେ ବିମୋହିତ ହୋଇ କଳ୍ପନାବିଳାସକୁ ବାସ୍ତବ ସତ୍ୟ ରୂପରେ ଗ୍ରହଣ କରେ ଓ ସତ୍ୟକୁ ସାମୟିକ ଭାବରେ ବିସ୍ମୃତ ହୋଇଯାଏ । ପଦ୍ୟ ପାଠକର କଳ୍ପନା ଉପରେ ପ୍ରତିଷ୍ଠିତ, କଳ୍ପନାକୁ ଜାଗ୍ରତ କରିବା ନିମନ୍ତେ ସଚେଷ୍ଟ, ଏହାର ଅବଲମ୍ବନ ଛନ୍ଦର ମାଧୁର୍ଯ୍ୟ, ଏହାର ପ୍ରତିଷ୍ଠା ପାଠକର ଚିତ୍ତବୃତ୍ତି ଉପରେ । ଗଦ୍ୟ କିନ୍ତୁ ଅନ୍ୟ ଦିଗରେ ଜ୍ଞାନ ବା ବୃଦ୍ଧିବୃତ୍ତିକୁ ଆଶ୍ରୟ କରେ, ତଥ୍ୟର ସତ୍ୟାସତ୍ୟ ବିଷୟରେ ବିତର୍କ କରେ, ଭାବର ସଙ୍ଗତି ବିଷୟରେ ସର୍ବଦା ସତର୍କ ରହେ, ଏଣେ ସରସ ସୁବିନ୍ୟସ୍ତ ଭାଷା ବ୍ୟବହାରଦ୍ୱାରା ପାଠକର ମନକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ । ଏଣୁ ତଥ୍ୟ ନିର୍ଣ୍ଣୟ ଗଦ୍ୟ ଲେଖାର ପ୍ରଥମ ବିଚାର; ଦ୍ୱିତୀୟ ବିଚାର ମନୋହରତ୍ୱ-ଉଭୟର ଯଥାଯଥ ସମାବେଶ ନ ଥିଲେ ଗଦ୍ୟ ସୁନ୍ଦର ବା ହୃଦୟଗ୍ରାହୀ ହୋଇ ନପାରେ । ନାଟକ, ଗଦ୍ୟ ଓ ପଦ୍ୟ ସାହିତ୍ୟର ରୂପଗତ ବିଭାଗ, ଏମାନଙ୍କ ମଧ୍ୟରେ ପୁଣି ନାନା ଶ୍ରେଣୀ ବା ଉପବିଭାଗ ଦେଖାଯାଇପାରେ । ନାଟକ ହାସ୍ୟରସାଶ୍ରିତ ବା କରୁଣ ରସାଶ୍ରିତ ହୋଇପାରେ, ସମସ୍ୟାମୂଳକ କିମ୍ବା ଲଘୁପ୍ରେମ ନିବେଦନ ମାତ୍ର ହୋଇପାରେ । ସେଥିରେ ରାଜକୀୟ ଚରିତ୍ର ରହିପାରେ କିମ୍ବା ସାଧାରଣ ଗାର୍ହସ୍ଥ୍ୟ ବିଷୟବସ୍ତୁ ମଧ୍ୟ ଅନୁସୃତ ହୋଇପାରେ । ନାଟକକୁ ଅଙ୍କ ଓ ଗର୍ଭାଙ୍କରେ ବିଭକ୍ତ କରାଯାଇଥାଏ ଓ କାଳଗତ କ୍ରମ ଏବଂ ଚରିତ୍ରଗତ ସଙ୍ଗତି ଅଥବା ରସଗତ ବୈଚିତ୍ର୍ୟଦ୍ୱାରା ମଧ୍ୟ ଏହାକୁ ସରସ କରାଯାଇଥାଏ । ମାତ୍ର ନାଟକ ମୂଳତଃ ଆଖ୍ୟାନ ଓ ଆଖ୍ୟାନରେ ଯେପରି ଭାବରେ ତଥ୍ୟ ବିନ୍ୟାସ କରିବା ପ୍ରୟୋଜନ, ନାଟକରେ ମଧ୍ୟ ସେହି ବିନ୍ୟାସକ୍ରମ ରକ୍ଷିତ ହୋଇଥାଏ । କେବଳ ନାଟକୀୟ ଛଟାଗତ ପାର୍ଥକ୍ୟ କିମ୍ବା ନାଟକର ରୂପଗତ ବୈଚିତ୍ର୍ୟ ଛାଡ଼ିଦେଲେ ନାଟକ ମୂଳତଃ ଗୋଟିଏ ଆଖ୍ୟାନ ବା କଥା ଉପରେ ପ୍ରତିଷ୍ଠିତ ଓ ତାହାର ନାଟକୋଚିତ ବୈଶିଷ୍ଟ୍ୟ ଛାଡ଼ିଦେଲେ ତାକୁ ଏହି ଆଖ୍ୟାନ ଦିଗରୁ ବିଚାର କରିବାକୁ ହୁଏ । ପଦ୍ୟର ବୈଶିଷ୍ଟ୍ୟ ଛନ୍ଦ, ପଦ୍ୟ ନାନା ବିଷୟରେ ରଚିତ ହୋଇପାରେ ଓ ଗଦ୍ୟରେ ଯେତେ ପ୍ରକାରର ରଚନାପଦ୍ଧତି ସମ୍ଭବ, ପଦ୍ୟରେ ମଧ୍ୟ ସେ ସବୁ ଅନୁସୃତ ହୋଇପାରେ । ପଦ୍ୟରେ ଆଖ୍ୟାନ ଲିଖିତ ହୋଇପାରେ, ଉଚ୍ଛ୍ୱାସ ଲିପିବଦ୍ଧ ହୋଇପାରେ, ବିବୃତି ଦିଆଯାଇପାରେ, ଆବେଗ ମଧ୍ୟ ପ୍ରକାଶିତ ହୋଇପାରେ । ପଦ୍ୟ ନାନାରୂପୀ, ନାନା ବିଷୟବସ୍ତୁ ଓ ଆବେଗକୁ ଅବଲମ୍ବନ କରି ଲିଖିତ, ନାନା ବୈଚିତ୍ର୍ୟଦ୍ୱାରା ଅନୁପ୍ରାଣିତ । ମାତ୍ର କଳ୍ପନା ବିଳାସ ଓ ଛନ୍ଦଗତ ବୈଚିତ୍ର ଛାଡ଼ିଦେଲେ ପଦ୍ୟକୁ ସାଧାରଣ ରଚନାପଦ୍ଧତି ଦିଗରୁ ଆଲୋଚନା କରାଯାଇପାରେ । ନାଟକ ବା ପଦ୍ୟର ବୈଶିଷ୍ଟ୍ୟ ଆଲୋଚନା ଏ ଗ୍ରନ୍ଥର ବିଷୟୀଭୂତ ନୁହେଁ, ମାତ୍ର ରଚନାପଦ୍ଧତି ବିଷୟରେ ଯାହା ଲିଖିତ ହେବ, ତାହା ବିଶେଷଭାବରେ ଗଦ୍ୟପ୍ରତି ପ୍ରଯୁଜ୍ୟ ହେଲେହେଁ, ନାଟକ ଓ ପଦ୍ୟ ପ୍ରତି ମଧ୍ୟ ସାଧାରଣଭାବରେ ପ୍ରଯୁଜ୍ୟ ବୋଲି ବିଚାର କରିବାକୁ ହେବ । କାରଣ ଗଦ୍ୟ ବୈଶିଷ୍ଟ୍ୟହୀନ ରଚନା, ଏହା ସାହିତ୍ୟର ସାଧାରଣ ପ୍ରକାଶ, ଏହା ଲେଖକର ମନୋଭାବକୁ ବ୍ୟକ୍ତ କରିବା ନିମନ୍ତେ ସାଧାରଣ ଉପାୟ ଓ ଏହାର କୌଣସି ରୂପଗତ ବୈଶିଷ୍ଟ୍ୟ ନ ଥିବାରୁ ଏହାର ବୈଚିତ୍ର୍ୟ ଏବଂ ବ୍ୟାବହାରିକ ଶକ୍ତି ମଧ୍ୟ ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ଅଧିକ । ମାତ୍ର ଗଦ୍ୟ ପ୍ରତି ସାଧାରଣ ଭାବରେ ଯାହା, ପ୍ରଯୁଜ୍ୟ, ତାହା ସାହିତ୍ୟ ପ୍ରତି ସାଧାରଣଭାବରେ ପ୍ରଯୁଜ୍ୟ ବୋଲି ସ୍ମରଣ ରଖିବାକୁ ହେବ ।

 

ରଚନା ପୂର୍ବରୁ ଲେଖକକୁ ଗୋଟିଏ ବିଷୟବସ୍ତୁ ନିର୍ବାଚନ କରିବାକୁ ହୁଏ । ସାଧାରଣତଃ ବିଷୟବସ୍ତୁଟି ଲେଖକମନରେ ସ୍ୱତଃ ସ୍ଫୁରିତ ହୋଇଉଠେ । ଲେଖକର ଜ୍ଞାନ, ଅନୁଭୂତି, ଆବେଗ, ଆବେଷ୍ଟନୀ ପ୍ରଭୃତି ନାନାବିଧ ପ୍ରଭାବଦ୍ୱାରା ତାହାର ଚିତ୍ତବୃତ୍ତି ନାନାପ୍ରକାରେ ପ୍ରଭାବିତ ହୁଏ ଓ କୌଣସି ବିଷୟବସ୍ତୁ ଅବଲମ୍ବନରେ ଲେଖିବା ନିମନ୍ତେ ତାହା ମନରେ ସ୍ୱତଃ ଗଭୀର ଆକାଙ୍‍କ୍ଷା ଜାତ ହୁଏ । ଆମ୍ଭେମାନେ ଅନେକ ସମୟରେ ଅନ୍ୟର ନିର୍ଦ୍ଦେଶରେ କିମ୍ବା ପ୍ରୟୋଜନବୋଧରେ ରଚନାରେ ପ୍ରବୃତ୍ତ ହେଉଁ ସତ୍ୟ, ମାତ୍ର ଉଚ୍ଚାଙ୍ଗ ରଚନାରେ ବିଷୟବସ୍ତୁର ସ୍ୱତଃ ସ୍ଫୁରଣ, ଆବେଗର ସ୍ୱତଃ ପ୍ରକାଶ, ଚିନ୍ତାଧାରାର ସ୍ୱତଃ ବିକାଶ ସ୍ପଷ୍ଟ ଦେଖାଯାଏ । ଲେଖକର ଅନ୍ତରରେ ଉନ୍ମାଦନା ଓ ଅନୁଭୂତିର ସ୍ୱତଃ ସ୍ପନ୍ଦନ ନ ଥିଲେ ସାହିତ୍ୟ ସରସ ହୁଏ ନାହିଁ ଓ ପାଠକର ମନ ମଧ୍ୟ ତାହାଦ୍ୱାରା ପ୍ରଭାବିତ ଓ ଅଭିଭୂତ ହୁଏ ନାହିଁ । ବୁଦ୍ଧିବୃତ୍ତିର ସାଧାରଣ ପରିଚାଳନାଦ୍ୱାରା ନୀରସ ତଥ୍ୟ ନିର୍ଦ୍ଦେଶ କରିବା ସମ୍ଭବପର, ମାତ୍ର ତାହାଦ୍ୱାରା ଭାବର ମାଧୁର୍ଯ୍ୟ କିମ୍ବା ଭାଷାର ପ୍ରଭାବ ଉପଲବ୍ଧ ହୋଇପାରେ ନାହିଁ । ଏଣୁ ଉଚ୍ଚାଙ୍ଗ ସାହିତ୍ୟରେ ବିଷୟନିର୍ବାଚନ ମୂଳତଃ ଆବେଷ୍ଟନୀ ଓ ଅନୁଭୂତି ଉପରେ ପ୍ରତିଷ୍ଠିତ । କବିର ହୃଦୟ ପ୍ରକୃତିର ନାନା ସୁଷମା ମଧ୍ୟରୁ ଗୋଟିକୁ ବାଛି ନିଏ, ନାଟ୍ୟକାର ସମାଜର ନାନା ଚିତ୍ରମଧ୍ୟରୁ ଗୋଟିକୁ ସ୍ୱୀକାର କରେ, ପ୍ରବନ୍ଧ ଲେଖକ ନାନା ବିଷୟବସ୍ତୁ ମଧ୍ୟରେ ଗୋଟିକଦ୍ୱାରା ଅନୁପ୍ରାଣିତ ହୋଇ ଉଠେ । କେଉଁ ଲେଖକ କିପରି ପରିସ୍ଥିତିରେ ଗୋଟିଏ ବିଶେଷ ବିଷୟବସ୍ତୁକୁ ସ୍ୱୀକାର କରି ରଚନାରେ ପ୍ରବୃତ୍ତ ହୋଇଅଛନ୍ତି ତାହାର ବିଶ୍ଳେଷଣ ସାହିତ୍ୟର ଇତିହାସରେ ଆଲୋଚ୍ୟ; ରଚନାର ଉତ୍କର୍ଷ ବିଷୟରେ ଆଲୋଚନା କରିବା ସମୟରେ ଏଦିଗରେ କୌଣସି ଆଲୋଚନା ନିଷ୍ପ୍ରୟୋଜନ । ଯେଉଁଠାରେ ବିଷୟବସ୍ତୁ ଲେଖକର ଅନ୍ତରଦେଶରେ ସ୍ୱତଃ ସ୍ଫୁରିତ, ସେଠାରେ ବିଷୟବସ୍ତୁର ବିନ୍ୟାସ ବିଷୟରେ ମଧ୍ୟ ଇଙ୍ଗିତ ଲେଖକ ନିଜ ହୃଦୟବୃତ୍ତି ମଧ୍ୟରେ ପାଇଥାଏ ଅର୍ଥାତ୍‌ ଲେଖକ ଏକ ସ୍ୱପ୍ନାବେଶ ମଧ୍ୟରେ ରହି ରଚନାରେ ପ୍ରବୃତ୍ତ ହୁଏ । ରଚନାର ମୂଳ ଅଙ୍ଗମାନ ତାହାର ବିଚାରବୁଦ୍ଧି ଉପରେ ନିର୍ଭର ନ କରି ପ୍ରଧାନତଃ ଅନୁଭୂତି ଉପରେ ପ୍ରତିଷ୍ଠିତ । ଏପରି ରଚନାକୁ ବିଶ୍ଳେଷଣ କରିବା ମଧ୍ୟ କଠିନ, କାରଣ ପ୍ରତିଭାର ମାପକାଠି ବର୍ତ୍ତମାନ ପର୍ଯ୍ୟନ୍ତ ଅଜ୍ଞାତ, ପ୍ରତିଭାର ଅନୁସରଣ କରିବା ସମ୍ଭବ, ଅନୁକରଣ କରିବା ପ୍ରୟାସ ସାପେକ୍ଷ, ମାତ୍ର ବିଶ୍ଳେଷଣ କରିବା ଅସମ୍ଭବ ।

 

ବିଷୟବସ୍ତୁଟି ହୃଦୟରେ ସ୍ୱତଃ ସ୍ଫୁରିତ ହେଲେ ମଧ୍ୟ ରଚନାଦ୍ୱାରା ତାହାର ସୁବିନ୍ୟସ୍ତ ଓ ପ୍ରଭାବଶାଳୀ ପ୍ରକାଶ ସମ୍ଭବପର । ରଚନା ଲେଖକର କ୍ଷମତା ଉପରେ ନିର୍ଭର କରେ । ଲେଖକ ଅକ୍ଷମ ହେଲେ ତାହାର ଉଦ୍ଭାବନୀ ଶକ୍ତି ପାଠକକୁ ପ୍ରଭାବିତ କରିବାକୁ ଅସମର୍ଥ ହୁଏ, ତାହାର ମନ ଆନନ୍ଦରସରେ ଆପ୍ଳୁତ ହେଲେହେଁ ସେହି ଆନନ୍ଦରସକୁ ବିକୀରଣ କରିବାକୁ ଅପାରଗ ହୁଏ, ନିଜେ ଆବେଗ ବା ଅନୁଭୂତିଦ୍ୱାରା ଅନୁପ୍ରାଣିତ ହେଲେହେଁ ପାଠକର ହୃଦୟର ଆବେଗ ସଞ୍ଚାର କରିବାକୁ ଅକ୍ଷମ ହୁଏ । ଏଣୁ ରଚନାର ମାଧୁର୍ଯ୍ୟ କ୍ଷମତା ସାପେକ୍ଷ, ଲେଖକର କ୍ଷମତା ଉପରେ ପ୍ରତିଷ୍ଠିତ; ମାତ୍ର ପ୍ରତିଭା ନ ଥିଲେ ମଧ୍ୟ ରଚନାକୁ କୃତ୍ରିମ ଉପାୟରେ ସରସ କରିବା ଅସମ୍ଭବ ନୁହେଁ-। ବିଭିନ୍ନ ପ୍ରକାରର ରଚନା ବିଭିନ୍ନ କ୍ଷମତାର ଉତ୍କର୍ଷର ଅପେକ୍ଷା ରଖେ । ଯେପରି ସୁଗଭୀର ଜ୍ଞାନ ବା ବ୍ୟାପକ ଚିନ୍ତାଶକ୍ତି ଥିଲେ ଗୁରୁଗମ୍ଭୀର ପ୍ରବନ୍ଧ ଲେଖିବା ସମ୍ଭବ, ଯେପରି ସୂକ୍ଷ୍ମ ବିତର୍କଶକ୍ତି ଓ ବିଶ୍ଳେଷଣ କରିବାର କ୍ଷମତା ଥିଲେ ନୂତନ ତଥ୍ୟ ପ୍ରତିଷ୍ଠିତ କରିବା ସମ୍ଭବ, ସାଧାରଣ ଗଳ୍ପଗ୍ରନ୍ଥରେ ସେପରି ଶକ୍ତି ବା କ୍ଷମତାର ପ୍ରୟୋଜନ ଆଦୌ ଅନୁଭୂତ ହୁଏ ନାହିଁ । ଉପନ୍ୟାସ ରଚନାରେ ପ୍ରୟୋଜନ ଉଦ୍ଭାବନୀ ଶକ୍ତି, ପ୍ରବନ୍ଧରେ ପ୍ରୟୋଜନ ବିଶ୍ଳେଷଣ କ୍ଷମତା, ବକ୍ତୃତାରେ ପ୍ରୟୋଜନ ବିତର୍କଶକ୍ତି ଓ ଉଦ୍ଦୀପନା, ବର୍ଣ୍ଣନାରେ ଆବଶ୍ୟକ ସାଧାରଣ ବିଷୟବସ୍ତୁ ମଧ୍ୟରେ ମାଧୁର୍ଯ୍ୟର ସନ୍ଧାନ ପାଇବା କ୍ଷମତା; ଏହି କାରଣରୁ ବିଶେଷ ଶକ୍ତିସମ୍ପନ୍ନ ଲେଖକ ବିଷେଶ ପ୍ରକାର ରଚନାରେ ଉତ୍କର୍ଷଲାଭ କରିପାରେ । କବିବର ରାଧାନାଥଙ୍କ ଗଦ୍ୟ ରଚନା କିମ୍ବା ଭକ୍ତକବି ମଧୁସୂଦନଙ୍କ ପଦ୍ୟାବଳୀ ଏହି କାରଣରୁ ଉଚ୍ଚାଙ୍ଗ ସାହିତ୍ୟରୂପରେ ପରିଗଣିତ ହୋଇପାରି ନାହିଁ ।

 

ଯାହାର ବିଶ୍ଳେଷଣଶକ୍ତି ଅଛି, ତାହାର ସମାଲୋଚନାରେ, ବ୍ୟାଖ୍ୟାନରେ, ବିତର୍କରେ ପ୍ରବୃତ୍ତ ହେବା ଉଚିତ, ଯାହାର ଉଦ୍ଭାବନୀ ଶକ୍ତି ଅଛି ସେ ନାଟକ, ଉପନ୍ୟାସ, ଗଳ୍ପ ପ୍ରଭୃତି ରଚନାରେ ଅବହିତଚିତ୍ତ ହେବା ଆବଶ୍ୟକ ଓ ଯାହାର ହୃଦୟରେ ଛନ୍ଦର ଝଙ୍କାର ସ୍ୱତଃ ସ୍ଫୁରିତ ହୁଏ, କେବଳ ସେହି କଳ୍ପନାବିଳାସକୁ ଆଶ୍ରୟ କରି କବିତା ରଚନାରେ ଉନ୍ମୁଖ ହେବା ପ୍ରୟୋଜନ । ମାତ୍ର ସାଧାରଣ ବ୍ୟକ୍ତି ପକ୍ଷରେ ରଚନା ନିର୍ଦ୍ଦେଶସାପେକ୍ଷ । ଶକ୍ତି ଥାଉ ବା ନ ଥାଉ, ପ୍ରେରଣା ଅନୁଭୂତ ହେଉ ବା ନ ହେଉ ଆମ୍ଭମାନଙ୍କୁ ନାନାପ୍ରକାର ନାନାବିଷୟକ ରଚନାରେ ପ୍ରବୃତ୍ତ ହେବାକୁ ହୁଏ ଓ ନାନା କୌଶଳ ଅବଲମ୍ବନ କରି ଆମ୍ଭେମାନେ ଲେଖାକୁ ସରସ ଓ ଶ୍ରୀସମ୍ପନ୍ନ କରିବାକୁ ଚେଷ୍ଟା କରିଥାଉଁ ।

 

ସବୁପ୍ରକାର ରଚନାରେ କଥାବସ୍ତୁର ବିନ୍ୟାସ ପ୍ରତି ଦୃଷ୍ଟି ରଖିବାକୁ ହୁଏ । ପ୍ରତ୍ୟେକ ସାହିତ୍ୟିକ ରଚନା ଗୋଟିଏ ନୂତନ ସୃଷ୍ଟି । ଏଣୁ ବୈଚିତ୍ର୍ୟ ଏହାର ପ୍ରାଣ; ବୈଚିତ୍ର୍ୟର ଅଭାବ ଥିଲେ ଓ ଭାଷା ବା ଭାବର ଗତାନୁଗତିକତା ଥିଲେ ରଚନା କେବେହେଁ ହୃଦୟଗ୍ରାହୀ ହୋଇପାରେ ନାହିଁ । ମାତ୍ର ସୃଷ୍ଟିର ବିଭିନ୍ନ ଉପାଦାନ ଯଥାଯଥଭାବରେ ସଂଶ୍ଳିଷ୍ଟ ନ ହେଲେ ଏବଂ ସେମାନଙ୍କ ମଧ୍ୟରେ ରସଗତ ସହଯୋଗିତା ନ ଥିଲେ ସୃଷ୍ଟି କେବେହେଁ ସୁନ୍ଦର ବା ଚିତ୍ତାକର୍ଷକ ହୋଇପାରେ ନାହିଁ । ଅନ୍ୟ ଦିଗରେ ନାନା ଉପାଦାନ ମଧ୍ୟରେ ପ୍ରତ୍ୟେକ ସୃଷ୍ଟି ଗୋଟିଏ ବିଷୟବସ୍ତୁକୁ ଅବଲମ୍ବନ କରେ, ସେହି ବିଷୟବସ୍ତୁ ମୂଳ ପଦାର୍ଥ, ତାହାରି ବିନ୍ୟାସ ନାନା ଉପାଦାନଦ୍ୱାରା ସମ୍ଭବପର ହୁଏ । ଏହିସବୁ କାରଣରୁ ରଚନାର ବିନ୍ୟାସ ଗୋଟିଏ କଠିନ ବ୍ୟାପାର । ବିନ୍ୟାସର ଅଭାବରେ ବିଷୟବସ୍ତୁର ସରସତା ମଧ୍ୟ ବିଶୃଙ୍ଖଳାଜନିତ ବିଭ୍ରମ ଆନୟନ କରେ । ନାଟକର ବିନ୍ୟାସରେ ପ୍ରତ୍ୟେକ ଅଙ୍କ ଓ ପ୍ରତ୍ୟେକ ଦୃଶ୍ୟ ମୂଳ ବିଷୟବସ୍ତୁକୁ ପରିସ୍ଫୁଟ କରିବା ଦିଗରେ ସାହାଯ୍ୟ କରୁଅଛି କି ନାହିଁ ତାହା ଦେଖିବାକୁ ହୁଏ । କୌଣସି ଅବାନ୍ତର ଚରିତ୍ର କିମ୍ବା ଅନାବଶ୍ୟକ ଘଟନାସମାବେଶଦ୍ୱାରା ନାଟକୀୟ କଥାବସ୍ତୁ ଅଯଥା ଜଟିଳ ହେଉ ଅଛି କି ନାହିଁ, ପୁଣି ପ୍ରତ୍ୟେକ ଦୃଶ୍ୟର ରସ ପରିପୋଷକ ଶକ୍ତି ଅବ୍ୟାହତ ରହି ଅଛି କି ନାହିଁ, ଏସବୁ ବିଷୟ ପ୍ରତି ଲକ୍ଷ୍ୟ ରଖିବା ଆବଶ୍ୟକ । ସୁବିନ୍ୟସ୍ତ ସୁରଚିତ ନାଟକରେ ପ୍ରଧାନ ବିଷୟବସ୍ତୁକୁ ମଧ୍ୟସ୍ଥଳରେ ରଖି ଘଟନାପରମ୍ପରାଦ୍ୱାରା ତାହାର କ୍ରମାଭିବ୍ୟକ୍ତି ଓ ପରିଣତ ଚିତ୍ରିତ କରା ହୋଇଥାଏ ଓ ବିରୁଦ୍ଧ ରସର ଯଥାଯଥ ପ୍ରୟୋଗଦ୍ୱାରା ମୂଳ ରସ ଉପରେ ଗୁରୁତ୍ୱ ଆରୋପ କରାଯାଏ କିମ୍ବା ଗୋଟିଏ ଅନୁଭୂତିର ପ୍ରାବଲ୍ୟରୁ ମନକୁ ମୁକ୍ତ କରି ତାହା ମଧ୍ୟରେ ପୁନରାୟ ଅନ୍ୟ ରସାନୁଭୂତି ଉଦ୍ଦୀପିତ କରିବାର ଚେଷ୍ଟା କରାଯାଇଥାଏ । କାବ୍ୟରେ ମଧ୍ୟ ଏହିପରି ଭାବମାନଙ୍କର ଯଥାଯଥ ବିନ୍ୟାସ, କଳ୍ପନାବିଳାସ ଯଥାସ୍ଥାନରେ ପ୍ରୟୋଗ ପଦ୍ୟକୁ ସରସ ଓ ଚିତ୍ତାକର୍ଷକ କରେ ଓ ଅବାନ୍ତର ବିଷୟର ବିବୃତି କିମ୍ବା ପୁନଃପୁନଃ ଏକପ୍ରକାର ଭାବର ଉଦ୍ଦୀପନା ପାଠକର ଚିତ୍ତକୁ ବିକ୍ଷିପ୍ତ କରିଦିଏ । ପଦ୍ୟର ବିନ୍ୟାସରେ ଛନ୍ଦର ମାଧୁର୍ଯ୍ୟ ପ୍ରଧାନ ବିଚାର୍ଯ୍ୟ ବିଷୟ ହେଲେହେଁ ପଦ୍ୟ ମଧ୍ୟରେ ଲେଖକର ବ୍ୟକ୍ତିତ୍ୱ କିପରିଭାବରେ ଫୁଟି ଉଠିଅଛି, ଲେଖକର ଅନୁଭୂତିମାନ ପଦ୍ୟକୁ କିପରିଭାବରେ ଅନୁପ୍ରାଣିତ କରି ପାରିଅଛି, ସେ ସବୁର ବିଚାର କରିବା ପ୍ରୟୋଜନ ହୋଇଥାଏ । ପଦ୍ୟର ଜନ୍ମ ଲେଖକର ହୃଦୟକ୍ଷେତ୍ରର ସରସତାରେ । ଲେଖକର ରସାନୁଭୂତି ଯଦି ଏକମୁଖୀ ନ ହୁଏ ତେବେ ପଦ୍ୟବିନ୍ୟାସରେ ବାଧା ଘଟିବା ସ୍ୱାଭାବିକ । କେବଳ ମହାକବିମାନଙ୍କ ରଚିତ ଆଖ୍ୟାନମାନଙ୍କରେ ନାନାବିଷୟକ ରସ ଏକତ୍ର ସୁବିନ୍ୟସ୍ତଭାବରେ ପ୍ରକାଶିତ ହୋଇପାରେ, ମାତ୍ର ସାଧାରଣ କବିତାରେ ରସର ଏକମୁଖୀ ପ୍ରବାହହିଁ ପାଠକର ଚିତ୍ତାକର୍ଷଣ କରିବାକୁ ସମର୍ଥ ହୁଏ । ଗଦ୍ୟର ସରସତା ମଧ୍ୟ ଭାବର ବିନ୍ୟାସ ଓ ପ୍ରକାଶର ବୈଚିତ୍ର୍ୟ ଉପରେ ଯଥେଷ୍ଟ ପରିମାଣରେ ନିର୍ଭର କରେ । ଭାଷାର ଯଥାଯଥ ପ୍ରୟୋଗ, ଅନୁଚ୍ଛେଦମାନଙ୍କର ଯଥାଯଥ ବ୍ୟବହାର, ବାକ୍ୟର ଅର୍ଥପ୍ରକାଶ କ୍ଷମତା ଓ ସକ୍ରିୟତା ଉପରେ ଗଦ୍ୟ ବିଷୟବସ୍ତୁର ବିନ୍ୟାସ ସମ୍ପୂର୍ଣ୍ଣ ନିର୍ଭର କରେ । ମାତ୍ର ଭାଷାରେ ଅସଂଯମ, ଭାବପ୍ରକାଶରେ ଅକ୍ଷମତା, ଗୁରୁତ୍ୱବିହୀନ ଭାବ ଉପରେ ମନକୁ ଅଧିକକ୍ଷଣ ନ୍ୟସ୍ତ କରି ରଖିବାଦ୍ୱାରା ପାଠକର ଚିତ୍ତ ବିକ୍ଷିପ୍ତ ହୋଇ ତାର ରସାନୁଭୂତିରେ ବାଧା ଜାତ କରିଥାଏ ।

 

ଅବଶ୍ୟ ପ୍ରତ୍ୟେକ ରଚନା ଯେ ଏକପ୍ରକାରର ହେବ, ପ୍ରତ୍ୟେକ ନାଟକ ଯେ ଏକା ଛାଞ୍ଚରେ ଗଢ଼ା ହେବ, ପ୍ରତ୍ୟେକ କାବ୍ୟ ଯେ ଏକପ୍ରକାର ରସଦ୍ୱାରା ଅନୁପ୍ରାଣିତ ହେବ, ତାହା ନୁହେଁ; ମାତ୍ର ବୈଚିତ୍ର୍ୟ ଯେପରି ବିଶୃଙ୍ଖଳାରେ ପରିଣତ ନ ହୁଏ ତାହାହିଁ ଦେଖିବାକୁ ହେବ । ଏ ବିଷୟରେ କୌଣସି ସ୍ଥିର ନିର୍ଦ୍ଦେଶ ଦେବା ଅସମ୍ଭବ ଏବଂ ସାହିତ୍ୟ ସୃଷ୍ଟି ପରେ ତାହାର ବିଶ୍ଳେଷଣ କରିବା ସମ୍ଭବପର ହେଲେହେଁ ରଚନା ପୂର୍ବରୁ କୌଣସି ନିର୍ଦ୍ଦେଶଦ୍ୱାରା ଲେଖକର ସୃଜନୀଶକ୍ତିକୁ ନିୟନ୍ତ୍ରିତ କରିବା ସମ୍ଭବ ନୁହେଁ । ରଚନାର ରସପରିପୋଷକ ଶକ୍ତି ବିଷୟରେ ଆଲୋଚନା ସମ୍ଭବ; ମାତ୍ର ରଚନାକୁ ଶୃଙ୍ଖଳିତ କରିବାର ଚେଷ୍ଟା ଅନ୍ୟାୟ । ନୃତନତ୍ୱ ବା ବୈଚିତ୍ର୍ୟ ରଚନାର ପ୍ରଧାନ ଗୌରବ ଓ ଆଜି ଯାହା ଦେୟ ମନେ ହେଉଅଛି, କାଲି ତାହା ସମାଦର ଲାଭ କରିପାରେ; ଏହି ମନୋଭାବ ନେଇ ରଚନାର ଆଲୋଚନାରେ ପ୍ରବୃତ୍ତ ହେବା ବିଧେୟ । ପାଠକର ମନ ସତତ ରସପିପାସ୍ତ, କେତେବେଳେ ତାହା ନୂତନର ଚମତ୍କାରିତା ମଧ୍ୟରେ ରସର ସନ୍ଧାନ ପାଏ, କେତେବେଳେ ପୁଣି ନୂତନ ରସର ବିସ୍ୱାଦ ତିକ୍ତତାରେ ବିରକ୍ତ ହୋଇ ପୁନରାୟ ପୁରାତନ ପଦ୍ଧତିମାନଙ୍କରେ ସରସତାର ନୂତନ ଉତ୍ସମାନ ଆବିଷ୍କାର କରେ । ରଚନାପଦ୍ଧତି ଆଲୋଚନା କରିବା ସମୟରେ ବୈଚିତ୍ର୍ୟ ପ୍ରତି ମଧ୍ୟ ଏହି କାରଣରୁ ସର୍ବଦା ଅବହିତ ରହିବାକୁ ହୁଏ ।

 

ପ୍ରତ୍ୟେକ ରଚନାରେ ଗୋଟିଏ ମୂଳ ବିଷୟବସ୍ତୁ ଥାଏ । ଏହି ବିଷୟବସ୍ତୁ ଉପରେ ଯଥାଯଥଭାବରେ ଗୁରୁତ୍ୱ ଆରୋପିତ ହେବା ପ୍ରୟୋଜନ । ରଚନା ମଧ୍ୟରେ ଦୁଇଗୋଟି ଉପାୟରେ କୌଣସି ବିଶେଷ ବିଷୟ ପ୍ରତି ଗୁରୁତ୍ୱ ଆରୋପିତ ହୋଇପାରେ-(୧) ପ୍ରୟୋଜନା ସ୍ଥାନ, (୨) ଲେଖାର ପରିମାଣ ନିୟନ୍ତ୍ରଣ । ଅର୍ଥାତ୍‌ କେତେକ କ୍ଷେତ୍ରରେ ପ୍ରଧାନ ପ୍ରତିପାଦ୍ୟ ବିଷୟକୁ ରଚନା ମଧ୍ୟରେ କୌଣସି ବିଶେଷ ସ୍ଥାନ ଦିଆଯାଇ ତାହା ଉପରେ ଗୁରୁତ୍ୱ ଆରୋପିତ ହୋଇପାରେ, ପୁଣି ଅନ୍ୟ କେତେକ କ୍ଷେତ୍ରରେ ପ୍ରଧାନ ବିଷୟ ଓ ଅପ୍ରଧାନ ବିଷୟମାନଙ୍କର ପରିମାଣଗତ ତାରତମ୍ୟ କରାଯାଇ ପ୍ରଧାନ ବିଷୟ ପ୍ରତି ଦୃଷ୍ଟି ଆକୃଷ୍ଟ କରାଯାଇଥାଏ । ଗୁରୁତ୍ୱ ଆରୋପିତ କରିବାକୁ ହେଲେ ସାଧାରଣତଃ ବିଷୟବସ୍ତୁକୁ ଆଦ୍ୟରେ ବା ଅନ୍ତରେ ସ୍ଥାନ ଦିଆଯାଏ, ଅର୍ଥାତ୍‌ ରଚନାର ପ୍ରଥମ ଭାଗରେ କିମ୍ବା ଶେଷ ଭାଗରେ ଯେଉଁ ବିଷୟବସ୍ତୁ ସଂଯୋଜିତ ହୁଏ, ପାଠକମାନଙ୍କର ଦୃଷ୍ଟି ତାହାପ୍ରତି ସ୍ୱତଃ ଅଧିକ ଆକୃଷ୍ଟ ହୁଏ । ପ୍ରତ୍ୟେକ ବାକ୍ୟ, ପ୍ରତ୍ୟେକ ଅନୁଚ୍ଛେଦ, ପ୍ରତ୍ୟେକ ସାହିତ୍ୟିକ ରଚନାକ୍ଷେତ୍ରରେ ଏହା ସତ୍ୟ, ଅର୍ଥାତ୍‌ ବାକ୍ୟ ରଚନାରେ ପ୍ରଧାନ ଶବ୍ଦକୁ ପ୍ରଥମରେ ବା ଶେଷରେ ସ୍ଥାପନ କରାଯାଏ, ଅନୁଚ୍ଛେଦ ରଚନାରେ ପ୍ରଧାନ ଭାବଯୁକ୍ତ ବାକ୍ୟକୁ ଅନୁଚ୍ଛେଦର ପ୍ରଥମରେ କିମ୍ବା ଶେଷାଂଶରେ ରଖାଯାଏ, ରଚନାରେ ପ୍ରଧାନ ଅନୁଚ୍ଛେଦ ରଚନାର ପ୍ରଥମରେ ବା ଶେଷଭାଗରେ ଲେଖାଯାଇଥାଏ । ଅବଶ୍ୟ ଅନେକ ସମୟରେ ବିନ୍ୟାସର ବୈଚିତ୍ର ସମ୍ପାଦନ କରିବା ନିମନ୍ତେ ପ୍ରଧାନ ବିଷୟବସ୍ତୁକୁ ମଧ୍ୟରେ ସ୍ଥାନ ଦିଆଯାଇ ଆନୁଷଙ୍ଗିକ କିମ୍ବା ସମ୍ପୃକ୍ତ ବିଷୟର ସୂଚନାଦ୍ୱାରା ରଚନାଟିର ଆରମ୍ଭ କରାଯାଇପାରେ ଓ ଅପେକ୍ଷାକୃତ ଅବାନ୍ତର ବିଷୟଦ୍ୱାରା ରଚନାର ପରିସମାପ୍ତି ମଧ୍ୟ କରାଯାଇପାରେ । ନାଟକ, ଉପନ୍ୟାସ ପ୍ରଭୃତିରେ ସାଧାରଣତଃ ଏହି ରୀତି ଅବଲମ୍ବିତ ହୋଇଥାଏ ଓ ଆଖ୍ୟାନଭାଗର ମଧ୍ୟଦେଶରେ ପ୍ରଧାନ ବିଷୟବସ୍ତୁର ଅବତାରଣା କରାଯାଇଥାଏ । କିନ୍ତୁ ସାଧାରଣତଃ ରଚନାର ଆଦ୍ୟ ଓ ପ୍ରାନ୍ତ ପ୍ରତି ପାଠକର ମନ ବିଶେଷଭାବରେ ଆକୃଷ୍ଟ ହୋଇଥାଏ, ଏଣୁ ଅନେକ ନାଟକର ମଧ୍ୟଦେଶରେ ପ୍ରଧାନ ବିଷୟବସ୍ତୁ ନିହିତ ଥିଲେହେଁ ନାଟକର ପ୍ରଥମ ଅଂଶରେ ସମାଲୋଚକମାନେ ନାଟକୀୟ କଥାବସ୍ତୁର ଅବତରଣିକାର ସନ୍ଧାନ କରିଥାନ୍ତି । ବିତର୍କ, ବ୍ୟାଖ୍ୟାନ, ପ୍ରବନ୍ଧ କିମ୍ବା ବାଗ୍ନିତାରେ ସାଧାରଣତଃ ପ୍ରଧାନ ଅଂଶକୁ ପ୍ରଥମେ କିମ୍ବା ଶେଷଭାଗରେ ଦିଆଯାଇ ତାହା ଉପରେ ସବିଶେଷ ଗୁରୁତ୍ୱ ଆରୋପିତ ହୋଇଥାଏ । ପୁଣି ଅନେକ ସମୟରେ ଲେଖା ମଧ୍ୟରେ କୌଣସି ବିଶେଷ ବିଷୟକୁ ଅଧିକ ସ୍ଥାନ ଦିଆଯାଇ ତାହା ପ୍ରତି ପାଠକର ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା କରାଯାଇଥାଏ । ପ୍ରଧାନ ବିଷୟ ଯେ ରଚନା ମଧ୍ୟରେ ଅଧିକ ସ୍ଥାନ ଗ୍ରହଣ କରି ପାଠକମନରେ ପ୍ରଭାବ ବିସ୍ତାର କରିବାକୁ ସମର୍ଥ ହେବ, ଏଥିରେ କୌଣସି ସନ୍ଦେହ ଥାଇ ନପାରେ । ନାଟକରେ ପ୍ରଧାନ ବିଷୟସମ୍ବଳିତ ଦୃଶ୍ୟ ସାଧାରଣତଃ ଦୀର୍ଘତର ହୁଏ, ପଦ୍ୟରେ ପ୍ରଧାନ ଭାବଟି ନାନାପ୍ରକାର କଳ୍ପନାଦ୍ୱାରା ଅଳଙ୍କୃତ ହୋଇ ବ୍ୟକ୍ତ ହୁଏ, ପ୍ରବନ୍ଧ ପ୍ରଭୃତିରେ ମୂଳ ପ୍ରତିପାଦ୍ୟ ବିଷୟ ଅଧିକ ସ୍ଥାନ ଗ୍ରହଣ କରି ପାଠକର ମନକୁ ପ୍ରଭାବିତ କରେ । ବର୍ଣ୍ଣନାର କ୍ରମ ଓ ବିସ୍ତୃତି ଏହିପରି ଭାବରେ ବିଷୟବସ୍ତୁର ଗୁରୁତ୍ୱର ପରିଚାୟକ ହୁଏ ଓ ଯଥାଯୋଗ୍ୟ ବିଷୟ ଉପରେ ଗୁରୁତ୍ୱ ଆରୋପିତ ନ ହୋଇ ପାରିଲେ ତାହାଦ୍ୱାରା ରଚନାର ସରସତା ନଷ୍ଟ ହୁଏ ଓ ଭାବରାଜ୍ୟରେ ବିଶୃଙ୍ଖଳା ଘଟିବାଦ୍ୱାରା ଅର୍ଥଗ୍ରହଣରେ ମଧ୍ୟ ବାଧା ଜାତ ହୋଇଥାଏ ।

 

ରଚନାରେ ଦ୍ୱିତୀୟ ବିଚାର୍ଯ୍ୟ ବିଷୟ ତାହାର ଆବେଷ୍ଟନୀ । ଅନେକ ଲେଖା କେବଳ ବିଦ୍ୱାନ୍‌ ଲେଖକମାନଙ୍କଦ୍ୱାରା ବିଜ୍ଞ ପାଠକମାନଙ୍କ ନିମନ୍ତେ ଅଭିପ୍ରେତ, ଅନେକ ଲେଖା ଅଗଭୀର ଚିନ୍ତା ଓ ଲଘୁ ବିଚାରଦ୍ୱାରା ହାସ୍ୟମୁଖର, ପୁଣି ଅନ୍ୟ କେତେକ ଲେଖା ଗୁରୁ ବିଷୟର ସୁଚିନ୍ତିତ ଓ ମନୋରମ ପ୍ରକାଶ ଉଦ୍ଦେଶ୍ୟରେ ରଚିତ । ଲେଖାର ଉଦ୍ଦେଶ୍ୟ ଘେନି ରଚନାର ରୀତି ପ୍ରଭାବିତ ହୋଇଥାଏ ଏବଂ ଏକ ପ୍ରକାର ଲେଖାରେ ଯାହା ସୁନ୍ଦର ଓ ମନୋଜ୍ଞ ଅନ୍ୟ ପ୍ରକାର ଲେଖାରେ ତାହା ସୁଖକର ହୁଏ ନାହିଁ । ଅବଶ୍ୟ ଲେଖକର ଉଦ୍ଦେଶ୍ୟ ଘେନି ରଚନାର ରସ ନିରୂପିତ ହୋଇଥାଏ । ଲେଖକର ଉଦ୍ଦେଶ୍ୟ ଓ ବ୍ୟକ୍ତିତ୍ୱଦ୍ୱାରା ରଚନା ଏତେଦୂର ପ୍ରଭାବିତ ହୁଏ ଯେ କୌଣସି ନିୟମ ବା ନିର୍ଦ୍ଦେଶଦ୍ୱାରା ରଚନାର ରୂପ ବା ରସକୁ ନିୟନ୍ତ୍ରିତ କରିବା ଅସମ୍ଭବ । କେବଳ ଏତିକି ମାତ୍ର କୁହାଯାଇପାରେ ଯେ, ବିଜ୍ଞ ପାଠକମାନଙ୍କ ଉଦ୍ଦେଶ୍ୟରେ ରଚିତ ଗୁରୁଗମ୍ଭୀର ରଚନାରେ ଅବିକୃତ ଶବ୍ଦମାନଙ୍କର ବାହୁଲ୍ୟ ଓ ବାକ୍ୟମାନଙ୍କର ବିସ୍ତୃତି(Length) ଅପରିହାର୍ଯ୍ୟ, ସୂକ୍ଷ୍ମ ବିତର୍କ ଥିଲେ ପାରିଭାଷିକ ଶବ୍ଦମାନଙ୍କର ପ୍ରୟୋଗ ଅପରିହାର୍ଯ୍ୟ, ମାତ୍ର ଏପରି ଲେଖାରେ ଆବେଗ ବା କଳ୍ପନାର ଉଦ୍ଦୀପନା ନିତାନ୍ତ ସୀମାବଦ୍ଧ । ହାସ୍ୟରସାଶ୍ରିତ ଲେଖାରେ ଛୋଟ ଛୋଟ ଶବ୍ଦ ଓ ସ୍ୱଳ୍ପ ଶବ୍ଦଯୁକ୍ତ ବାକ୍ୟମାନଙ୍କର ଆଧିକ୍ୟ ଆଶା କରିବା ସଙ୍ଗତ । ଏଭଳି ଲେଖାରେ ଆବେଗର ସ୍ଥାନ ଅଳ୍ପ ଓ କଳ୍ପନା ସାଧାରଣତଃ ବିରୁଦ୍ଧ ପଦାର୍ଥମାନଙ୍କର ସମାବେଶ ଉପରେ ପ୍ରତିଷ୍ଠିତ ହୁଏ । ଲଘୁ ରଚନାରେ ମନେହାରିତ୍ୱ ପାଇବା ସକାଶେ ଅର୍ଥସଙ୍ଗତି ପ୍ରତି ଦୃଷ୍ଟି ଦିଆଯାଏ ନାହିଁ, ପୁଣି ବିତର୍କ ପ୍ରଭୃତିରେ ଅର୍ଥସଙ୍ଗତି ପାଇବା ନିମନ୍ତେ ମନୋହାରିତାକୁ ବଳିଦେବା ପ୍ରୟୋଜନ ହୁଏ, ଏଣୁ ଲଘୁ ରଚନାରେ ଯାହା ଗୁଣ ଗୁରୁ ରଚନାରେ ତାହା ଦୋଷାବହ ହୋଇପାରେ ।

 

ବାସ୍ତବରେ ରଚନାର ରୂପ, ଉଦ୍ଦେଶ୍ୟ, ଅବଲମ୍ବିତ ରସ ଓ ପରିସର ପ୍ରଭୃତି ଘେନି ତାହାର ବିଚାର କରିବାକୁ ହୁଏ । ନାଟକରେ ଯେପରି ଅବାଧ କଥୋପକଥନ ବ୍ୟବହୃତ ହୋଇପାରେ, ଗଳ୍ପ ଉପନ୍ୟାସ ପ୍ରଭୃତିରେ ସେପରି ଉକ୍ତି ପ୍ରତ୍ୟୁକ୍ତି ଅବାଧରେ ବ୍ୟବହୃତ ହୋଇପାରେ ନାହିଁ । ପଦ୍ୟ ଆଖ୍ୟାନରେ କାର୍ଯ୍ୟକ୍ରମ ବା ଘଟନାସମାବେଶ ଯେପରି ସର୍ବତ୍ର କଳ୍ପନାଦ୍ୱାରା ପ୍ରଭାବିତ ହୁଏ ଓ କଳ୍ପିତ ତୁଳନାର ପ୍ରକାଶ ପାଇଁ ଘଟନାର ସୂତ୍ର ଛିନ୍ନ ହୁଏ କିମ୍ବା ଘଟନାସ୍ରୋତ ଅଚଳ ଓ ପ୍ରବାହହୀନ ହୁଏ, ଗଦ୍ୟ ଗଳ୍ପରେ ବା ନାଟକରେ ତାହା କଦାପି ସ୍ୱୀକୃତ ହୋଇ ପାରିବ ନାହିଁ । ପୁଣି ପ୍ରବନ୍ଧରେ ଯେପରି ସୁକ୍ଷ୍ମ ବିଚାରକୁ ଅବଲମ୍ବନ କରାଯାଇପାରେ ନାଟକ କିମ୍ବା ପଦ୍ୟର ସେପରି ବିଚାର ପ୍ରତ୍ୟାଶା କରିବା ବାତୁଳତା । ରଚନାର ରୂପ ଘେନି ପୁଣି ତାକୁ ବିଜ୍ଞ, ମନୋହର ଓ ଲଘୁ ଏହି ତିନି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ନାଟକ ପଦ୍ୟ ପ୍ରଭୃତି ସାଧାରଣତଃ ମନୋହର ରୂପରେ କଳ୍ପିତ, ଏମାନେ ଲଘୁ ପ୍ରହସନ ବା ବ୍ୟଙ୍ଗ କବିତା ରୂପରେ ଆତ୍ମପ୍ରକାଶ କରି ପାରନ୍ତି, ମାତ୍ର କୌଣସି ପୂର୍ଣ୍ଣାଙ୍ଗ ନାଟକ ବା ଦୀର୍ଘ ପଦ୍ୟ ଲଘୁଭାବରେ ହାସ୍ୟରସକୁ ଆଶ୍ରୟ କରି ରଚିତ ହୋଇପାରେ ନାହିଁ । ନାଟକ ପଦ୍ୟ ପ୍ରଭୃତିରେ କେବଳ ବିଜ୍ଞତା ମଧ୍ୟ ପ୍ରତ୍ୟାଶା କରାଯାଇ ନପାରେ, କାରଣ ନାଟକ ସାଧାରଣ ଦର୍ଶକର ଚିତ୍ତବିନୋଦନ ନିମନ୍ତେ ଲିଖିତ । ପଦ୍ୟର ସରସ ଛନ୍ଦମାଧୁର୍ଯ୍ୟଦ୍ୱାରା ପାଠକର ଚିତ୍ତ ବିଭ୍ରାନ୍ତ ହେବା ସ୍ୱାଭାବିକ । ଗଦ୍ୟର ରଚନାରେ କେବଳ ବିଜ୍ଞତା, ଅନାବିଳ ଲଘୁତା ଓ ଅନବଦ୍ୟ ମାଧୁର୍ଯ୍ୟ ଉପଭୋଗ କରାଯାଇପାରେ-। ପୁଣି ନାଟକ ପଦ୍ୟ ପ୍ରଭୃତି ସାହିତ୍ୟର କୃତ୍ରିମ ରୂପ, ଗୋଟିକରେ କୃତ୍ରିମ ବାସ୍ତବତା ଓ ଅନ୍ୟଟିରେ କୃତ୍ରିମ ଅବାସ୍ତବତା ସ୍ୱୀକୃତ ହେଇଥାଏ । ନାଟକରେ ପ୍ରଧାନ ଅବଲମ୍ବନ ଆବେଗ, ପଦ୍ୟର ପ୍ରଧାନ ଅବଲମ୍ବନ କଳ୍ପନା; ଏଣୁ କେବଳ ଗଦ୍ୟ ରଚନାରେ ସ୍ୱାଭାବିକ ଭାବରେ ଭାଷା ଓ ଭାବକୁ ସମ୍ୟକ୍‌ ପ୍ରଣିଧାନ କରିବା ସମ୍ଭବପର ହୁଏ । ଗଦ୍ୟ ସାହିତ୍ୟର ସାଧାରଣ ରୂପ, ଏହା ନାନା ଭାବରେ, ନାନା ଉଦ୍ଦେଶ୍ୟରେ ପ୍ରଯୁକ୍ତ ହୋଇପାରେ । ବିଜ୍ଞଲୋକମାନଙ୍କୁ ଆନନ୍ଦଦାନ, ଗୁରୁଗମ୍ଭୀର ଭାବର ସୂକ୍ଷ୍ମ ବିଶ୍ଳେଷଣ, ମାନସିକ ବୃତ୍ତମାନଙ୍କର ଉଦ୍ଦୀପନା, ମତବାଦର ପ୍ରତିଷ୍ଠା, ଚଟୁଳ ହାସ୍ୟମୁଖର ରଚନାଦ୍ୱାରା ପାଠକର ଚିତ୍ତବିନୋଦନ ଓ ଶ୍ରୋତାମାନଙ୍କ ମନରେ ଉନ୍ମାଦନା ଜାତ କରିବା ନିମନ୍ତେ କେବଳ ଗଦ୍ୟ ହିଁ ସମର୍ଥ । ଗଦ୍ୟ ବହୁମୂଖୀ, ବହୁ ବୈଚିତ୍ର୍ୟପୂର୍ଣ୍ଣ, ବହୁ ରୂପରେ ପ୍ରକାଶିତ; ଏଣୁ ଗଦ୍ୟସାହିତ୍ୟର ରଚନା ମଧ୍ୟରେ ଲେଖକର ବ୍ୟକ୍ତିତ୍ୱ ସୁପରିସ୍ଫୁଟ ।

 

ସାହିତ୍ୟର ଉଦ୍ଦେଶ୍ୟ ଘେନି ମଧ୍ୟ ତାହାର ରୂପଭେଦ ହେବା ସ୍ୱାଭାବିକ । ମୂଳତଃ ସାହିତ୍ୟିକ ରଚନାର ଉଦ୍ଦେଶ୍ୟ ଦୁଇ ପ୍ରକାର । କେତେକ ସାହିତ୍ୟିକ କେବଳ ଚିତ୍ତବିନୋଦନ କରିବା ନିମନ୍ତେ ବ୍ୟସ୍ତ; ସେମାନେ ଗଳ୍ପ, ଉପନ୍ୟାସ ପ୍ରଭୃତି ଦ୍ୱାରା, ହାସ୍ୟରସାଶ୍ରିତ ପ୍ରବନ୍ଧ ପ୍ରଭୃତିଦ୍ୱାରା ଓ ମନୋରମ ପରିକଳ୍ପନାଦ୍ୱାରା ପାଠକର ମନକୁ ଅନୁରଞ୍ଜିତ କରନ୍ତି । ଅନ୍ୟ କେତେକ ଲେଖକ ସାଧାରଣତଃ ତଥ୍ୟ ନିର୍ଦ୍ଦେଶ ନିମନ୍ତେ ରଚନାରେ ପ୍ରବୃତ୍ତ ହୁଅନ୍ତି, ସେମାନଙ୍କର ଲେଖା ତଥ୍ୟପୂର୍ଣ୍ଣ, ସେମାନଙ୍କର ରଚନା ଜ୍ଞାନଗର୍ଭକ, ବିଶିଷ୍ଟ ଜ୍ଞାନୀ ପାଠକ ନିମନ୍ତେ ଉଦ୍ଦିଷ୍ଟ । ମାତ୍ର ବିଜ୍ଞ ରଚନା ମଧ୍ୟରେ ସାହିତ୍ୟିକ କଳ୍ପନା ପାରିପାଟ୍ୟ ନ ଥିଲେ, ଚଟୁଳ ହାସ୍ୟମୁଖର ରଚନା ମଧ୍ୟରେ ଜ୍ଞାନରେ ଆଶ୍ରୟ ନ ଥିଲେ ଲେଖା ମନୋରମ ହୁଏ ନାହିଁ, ଅର୍ଥାତ୍‌ ସାହିତ୍ୟିକ ଲେଖାରେ କୌଣସି ବିଶେଷ ରୀତିର ପ୍ରଧାନ୍ୟ ଥିଲେ ମଧ୍ୟ ତାହା କେବଳ ଏକଦେଶଦର୍ଶୀ ହୁଏ ନାହିଁ । ଏହି କାରଣରୁ ଗଳ୍ପ ମଧ୍ୟରେ ନୀତିଶିକ୍ଷା ଅନ୍ତର୍ନିହିତ ଥାଏ, ଗୁରୁଗମ୍ଭୀର ଲେଖା ମଧ୍ୟରେ କଳ୍ପନା ବିଳାସର ଅବକାଶ ଥାଏ । ସାହିତ୍ୟ ପୂର୍ଣ୍ଣ ମାନବିକତା ବିକାଶର ପରିପୋଷକ; ଏଣୁ ସେଥିରେ ବୈଚିତ୍ର୍ୟହୀନ ଲେଖାର ସମାଦର ଆଶା କରିବା ଅନୁଚିତ ।

 

ରଚନା ବାସ୍ତବରେ ପାଞ୍ଚ ପ୍ରକାରର-(୧) ଆଖ୍ୟାନ, (୨) ବ୍ୟାଖ୍ୟାନ, (୩) ବର୍ଣ୍ଣନା,(୪) ବିତର୍କ, (୫) ଉଦ୍‌ବୋଧନ । ନାଟକ ହେଉ ବା ପଦ୍ୟ ହେଉ ବା ଗଦ୍ୟ ରଚନା ହେଉ, ପ୍ରାୟ ସବୁ ପ୍ରକାରର ସାହିତ୍ୟକ ରଚନାକୁ ଏହି ପାଞ୍ଚ ଭାଗରେ ବିଭକ୍ତ କରାଯାଇପାରେ । ନାଟକ ଓ ପଦ୍ୟରେ ବିଶେଷ ରୀତି ଅନୁସୃତ ହେଉଥିବାରୁ ଓ ନାଟକରେ ଆବେଗ ଓ ପଦ୍ୟରେ କଳ୍ପନାର ଆଧିକ୍ୟ ଏକାନ୍ତ ପ୍ରୟୋଜନ ହେବାରୁ ଏମାନଙ୍କର ରଚନାପଦ୍ଧତି ସାଧାରଣ ନିୟମମାନଙ୍କଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ । ନାଟକ ଓ ପଦ୍ୟର ତଥ୍ୟବିନ୍ୟାସ ରୀତି ମଧ୍ୟ ଲେଖକର ଅନୁଭୂତି ଉପରେ ଏତେଦୂର ନିର୍ଭର କରେ ଯେ, ସେମାନଙ୍କ ବିଷୟରେ କୌଣସି ସାଧାରଣ ନିୟମ ବା ବିଧିବିଶେଷର ସୂଚନା ଦେବା ସମ୍ଭବ ହୁଏ ନାହିଁ । ଏଣୁ ନମ୍ନରେ ତଥ୍ୟବିନ୍ୟାସ ବିଷୟରେ ଯେଉଁ ଆଲୋଚନା କରାଗଲା, ତାହା ମୁଖ୍ୟତଃ ଗଦ୍ୟ ରଚନା ପ୍ରତି ପ୍ରଯୋଜ୍ୟ ବୋଲି ମନେ କରିବାକୁ ହେବ । ନାଟକୀୟ ଛଟା ବା ଛନ୍ଦର ବିଶ୍ଳେଷଣ ଏଠାରେ ବିଚାର୍ଯ୍ୟ ନୁହେଁ ।

 

ଆଖ୍ୟାନରେ ଗୋଟିଏ ଘଟନାପାମ୍ପରାର ଚିତ୍ର ପାଠକ ସମ୍ମୁଖରେ ଉପସ୍ଥାପିତ କରାଯାଏ-। ଏହି କଥାବସ୍ତୁ କ୍ଷୁଦ୍ର ଉପାଖ୍ୟାନ ଛଳରେ ବା ବୃହତ୍‌ ଉପନ୍ୟାସ ଆକାରରେ ଦିଆଯାଇପାରେ । ଆଖ୍ୟାନର ମୁଖ୍ୟ ଉପାଦାନ ଓ ମୂଳ ଅବଲମ୍ବନ ଘଟନାପରମ୍ପରା ବା ଘଟନାକ୍ରମ । ଯେଉଁ ଘଟନାରାଜି ସାଧାରଣ ଜୀବନରେ ଘଟଅଛି ବା କଳ୍ପନାବଳରେ ସୃଷ୍ଟ ହେଉଅଛି, ସେମାନଙ୍କର ପରସ୍ପର ସମ୍ବଦ୍ଧ ଆଲେଖ୍ୟ ଦେଇ ପାଠକ ମନରେ ଗୋଟିଏ ପୂର୍ଣ୍ଣ ଗତିଶୀଳ ଚିତ୍ର ଅଙ୍କନ କରିବା ଆଖ୍ୟାନର ଉଦ୍ଦେଶ୍ୟ । ଆଖ୍ୟାନ ବାସ୍ତବରେ ଦୁଇ ପ୍ରକାରର । ଗୋଟିଏ ପ୍ରକାର ଆଖ୍ୟାନରେ ଗୋଟିଏ କଥାବସ୍ତୁ ବା ଆଖ୍ୟାୟିକା ଥାଏ, ଅନ୍ୟ ପ୍ରକାର ଆଖ୍ୟାନରେ ଗଳ୍ପ ନ ଥାଏ, କେବଳ ପରସ୍ପରସମ୍ବନ୍ଧ ଘଟନାକ୍ରମର ବର୍ଣ୍ଣନା ଥାଏ । ଉପନ୍ୟାସ, ଉପାଖ୍ୟାନ, ଗଳ୍ପ ପ୍ରଭୃତି ପ୍ରଥମ ପ୍ରକାର ଆଖ୍ୟାନର ଅର୍ଥାତ୍‌ କଥାବସ୍ତୁସମନ୍ୱିତ ଆଖ୍ୟାନର ଉଦାହରଣ; ଭ୍ରମଣବୃତ୍ତାନ୍ତ, ଦୈନିକ ପତ୍ରିକା, ଦିନପଞ୍ଜୀ, ଜୀବନୀ, କୌଣସି ବିଶେଷ ଦିନରେ ବା ସ୍ଥାନରେ ଘଟିଥିବା ଘଟନାପରମ୍ପରାର ଚିତ୍ର ଦ୍ୱିତୀୟ ପ୍ରକାର ଆଖ୍ୟାନର ଉଦାହରଣ । ପ୍ରଥମ ପ୍ରକାର ଆଖ୍ୟାନରେ ଗୋଟିଏ ମୂଳ କଥାବସ୍ତୁ (Plot) ଥାଏ ଓ ସେହି କଥାବସ୍ତୁକୁ ଅବଲମ୍ବନ କରି ଗୋଟିଏ ସୁସମ୍ବନ୍ଧ ସମ୍ପୂର୍ଣ୍ଣ ଆଖ୍ୟାନ ଦିଆଯାଏ, ଅନ୍ୟଟିରେ କଥାବସ୍ତୁ ନାହିଁ, ମାତ୍ର ପରସ୍ପରସଂଲଗ୍ନ ଘଟନାରାଜିର କ୍ରମବିକାଶ ବା ପରିଣତି ପ୍ରଦର୍ଶିତ ହୋଇଥାଏ । ପ୍ରଥମ ପ୍ରକାର ରଚନା କଥାବସ୍ତୁ ସମନ୍ୱିତ ଆଖ୍ୟାନ, ଦ୍ୱିତୀୟ ପ୍ରକାର ରଚନା କଥାବସ୍ତୁ ବିରହିତ ଆଖ୍ୟାନ ବୋଲି ସ୍ୱୀକୃତ ହୋଇପାରେ । ଉଭୟତ୍ର ଘଟନାର ଗତି, କ୍ରମ ବିବର୍ତ୍ତନ ଓ ପରିଣତ ବର୍ଣ୍ଣନୀୟ, ଏଣୁ ଉଭୟେ ଆଖ୍ୟାନ । ଆଖ୍ୟାନ କଥାବସ୍ତୁ ବିରହିତ ହେଉ ବା କଥାବସ୍ତୁ ସମନ୍ୱିତ ହେଉ ଘଟନାର କ୍ରମହିଁ ଏହାର ତଥ୍ୟବିନ୍ୟାସର ମୂଳ ଅବଲମ୍ବନ, କ୍ରମ ରକ୍ଷିତ ବା ସ୍ୱୀକୃତ ନ ହେଲେ ରଚନା କେବେହେଁ ହୃଦୟଗ୍ରାହୀ ହୋଇପାରେ ନାହିଁ ।

 

କଥାବସ୍ତୁ ବିରହିତ ଆଖ୍ୟାନର ନାନା ଉଦାହରଣ ଆମ୍ଭେମାନେ ନିତ୍ୟ ପାଇଥାଉଁ । ସମ୍ବାଦପତ୍ରମାନଙ୍କରେ ଦୈନନ୍ଦିନ ଘଟନାର ବିବରଣରେ, ଐତିହାସିକ ଘଟନାମାନଙ୍କର ସରସ ଚିତ୍ରରେ, ବିଶିଷ୍ଟ ଲୋକର ଜୀବନଚରିତରେ, ମନୋରମ ଭ୍ରମଣବୃତ୍ତାନ୍ତରେ, ଏପରି କି ସ୍ମରଣୀୟ ଘଟନାମାନଙ୍କ ବିଷୟରେ ବନ୍ଧୁବାନ୍ଧବମାନଙ୍କ ନିକଟରୁ ପ୍ରେରିତ ପତ୍ରାଦିରେ ଆମ୍ଭେମାନେ ଏପରି ରଚନାର ଉଦାହରଣ ପାଇଥାଉଁ । ସାଧାରଣତଃ ଆମ୍ଭେମାନେ ଯେଉଁସବୁ ଘଟନା ସହିତ ସଂଯୁକ୍ତ, ଯେଉଁ ଘଟନାମାନଙ୍କ ସହିତ ପରିଚିତ, ଯେଉଁ ଘଟନା ସମାବେଶ ସହିତ ଆମ୍ଭମାନଙ୍କର ସ୍ୱାର୍ଥ ବିଜଡ଼ିତ, ଯେଉଁ ଘଟନାପରମ୍ପରା ଏତେ ମନୋରମ ଅଥବା ଅସାଧାରଣ ଯେ ବହୁକାଳପର୍ଯ୍ୟନ୍ତ ସେମାନେ ଆମ୍ଭମାନଙ୍କ ମନରେ ଜାଗରୂକ ରହିବାକୁ ସକ୍ଷମ, କିମ୍ବା ଯେଉଁ ଘଟନାମାନ ମାନବିକତା ବିକାଶର ପରିପୋଷକ ଓ ମନୁଷ୍ୟଜୀବନର ବୃତ୍ତିନିଚୟ ସହିତ ନିଗୂଢ଼ଭାବରେ ସମୃଦ୍ଧ କେବଳ ସେହି ସବୁ ବିଷୟବସ୍ତୁ ଏପରି ଆଖ୍ୟାନ ରଚନାର ଉପାଦାନ ଯୋଗାଇପାରେ । ଏଣୁ ବିଷୟ ନିର୍ବାଚନ ସମୟରେ ଅଭିନବତ୍ୱ, ପରିଚିତ, ମନୁଷ୍ୟଜୀବନ ସହିତ ସମ୍ପର୍କ ଘେନି ଏପରି ବିଷୟବସ୍ତୁମାନଙ୍କୁ ରଚନାର ଉପାଦାନସ୍ୱରୂପ ଗ୍ରହଣ କରାଯାଏ । ହିମାଳୟ ଅଭିଯାନ ଓ ମେରୁପ୍ରଦେଶର ଆବିଷ୍କାରବିଷୟକ ଆଖ୍ୟାନ ଆମ୍ଭମାନଙ୍କର ପ୍ରୀତିପ୍ରଦ ହୁଏ, କାରଣ ଏହାଦ୍ୱାରା ମନୁଷ୍ୟତ୍ୱର ପ୍ରତିଷ୍ଠା ହୋଇଅଛି, ପ୍ରକୃତି ଉପରେ ତାହାର ଆଧିପତ୍ୟର ଚିତ୍ର ଅଙ୍କିତ ହୋଇଅଛି, ପାଠକର ମନ ଏସବୁ ପଢି ନୂତନ ନୂତନ ତଥ୍ୟ ଆବିଷ୍କାରରେ ଉନ୍ମୁଖ ହୋଇପାରେ, ତାହାଦ୍ୱାରା ମନୁଷ୍ୟ ସମାଜରେ ଉନ୍ନତି ମଧ୍ୟ ହୋଇପାରେ । ପୁଣି ଶିବାଜୀଙ୍କର ଯୁଦ୍ଧନୈପୂଣ୍ୟମୂଳକ ଆଖ୍ୟାନରେ, ରାଜପୁତ ବୀରମାନଙ୍କର ସାହସ ଓ ଯୁଦ୍ଧକୌଶଳକୁ ଅବଲମ୍ବନ କରି ରଚିତ ଆଖ୍ୟାନମାନଙ୍କରେ ଆମ୍ଭେମାନେ ମନୁଷ୍ୟତ୍ୱର ବିକାଶ ଓ ଗୌରବ ମଧ୍ୟ ଅନୁଭବ କରି ପାରୁଁ ଓ ସେହି କାରଣରୁ ସେ ସବୁ ପ୍ରୀତିପ୍ରଦ ହୁଏ । ପୁଣି ଶଶିଭୂଷଣ ରାୟଙ୍କର ‘ଦାକ୍ଷିଣାତ୍ୟ ଭ୍ରମଣ’ ପାଠ କରି ଆମ୍ଭେମାନେ ଆନନ୍ଦ ପାଉଁ, କାରଣ ପୁସ୍ତକଟିରେ ମନୁଷ୍ୟଜୀବନର ନାନାବିଧ ବିଭାବ ସହିତ ପରିଚିତ ହେଉଁ ଓ ନିଜ ଦେଶର ଗୋଟିଏ ଚିତ୍ତାକର୍ଷକ ଆଲେଖ୍ୟ ଆମ୍ଭେମାନେ ପ୍ରାପ୍ତ ହେଉଁ । ସ୍ଥାନ କାଳ ପାତ୍ର ଘେନି ସମ୍ବାଦର ମୂଲ୍ୟ ସ୍ୱୀକୃତ ହୋଇଥାଏ, ଖ୍ୟାତି, ପ୍ରତିପତ୍ତି, ଜୀବନର ଘଟନାବୈଚିତ୍ର୍ୟ ଘେନି ଜୀବନୀର ମୂଲ୍ୟ ନିର୍ଦ୍ଧାରିତ ହୁଏ । ଏଣୁ ସମ୍ବାଦପତ୍ରରେ ଯେଉଁ ଘଟଣାପରମ୍ପରାର ଚିତ୍ର ଦିଆଯାଏ ତାହା ସୁନିର୍ବାଚିତ ହେବା ପ୍ରୟୋଜନ, କେଉଁ ଲୋକକୁ ଅବଲମ୍ବନ କରି ଜୀବନଚରିତ ହେବ, ସେ ବିଷୟରେ ଚିନ୍ତା କରିବା ସର୍ବାଦୌ କର୍ତ୍ତବ୍ୟ ।

 

କଥାବସ୍ତୁବିରହିତ ଆଖ୍ୟାନର ବିଷୟ ସାଧାରଣତଃ ମାନବିକତାର ପରିପୋଷକ, ପରିଚିତ ଅଥଚ ଚମରତ୍କାରିତାଯୁକ୍ତ ଘଟନାପରମ୍ପରା ସହିତ ସଂପୁକ୍ତ ଥାଏ । ବିଷୟବସ୍ତୁ ସୁନିର୍ବାଚିତ ନ ହେଲେ ଅତ୍ୟନ୍ତ ସରସ ଆଖ୍ୟାନ ମଧ୍ୟ ନୀରସ ମନେ ହୋଇପାରେ । ପୁଣି ରଚନାର ସରସତାଦ୍ୱାରା ନୀରସ ବିଷୟକୁ ମଧ୍ୟ ଚିତ୍ତାକର୍ଷକ କରାଯାଇପାରେ । ମାତ୍ର ବିଷୟନିର୍ବାଚନ ସମୟରେ ଲେଖକ ପାଠକର ବ୍ୟକ୍ତିତ୍ୱ ପ୍ରତି ଲକ୍ଷ୍ୟ ରଖିଥାଏ । କାରଣ ଲେଖକର ମନ ଯାହାଦ୍ୱାରା ପ୍ରଭାବିତ ହେବ, ପ୍ରତ୍ୟେକ ପାଠକ ପକ୍ଷରେ ଯେ ତାହା ଚିତ୍ତାକର୍ଷକ ହେବ ତାହା ନୁହେଁ । ପୁଣି ଗୋଟିଏ ସ୍ଥାନର ବା ସମାଜର ଲୋକ ପକ୍ଷରେ ଯାହା ଚିତ୍ତାକର୍ଷକ ତାହା ଅନ୍ୟ ସ୍ଥାନର ବା ଅନ୍ୟ ସମାଜର ଚିତ୍ତକୁ ସ୍ପର୍ଶ ନ କରିପାରେ । ଭାରତବାସୀମାନଙ୍କ ପକ୍ଷରେ ରାଜପୁତଶୌର୍ଯ୍ୟର ନିଦର୍ଶନ ପ୍ରୀତିପ୍ରଦ, କିମ୍ବା ଶିବାଜୀଙ୍କର ଜୀବନୀ ଚିତ୍ତାକର୍ଷକ, କିନ୍ତୁ ଫରାସୀ ଦେଶୀୟ ଲୋକମାନଙ୍କ ପକ୍ଷରେ ଏ ସବୁ କେବଳ ନୀରସ ଇତିହାସ ବୋଲି ମନେ ହୋଇପାରେ । କିନ୍ତୁ ଯେଉଁଠାରେ ମାନବିକତାର ପ୍ରତିଷ୍ଠା ସୁସ୍ପଷ୍ଟ ଓ ଯେଉଁ ଘଟନାମାନ ମନୁଷ୍ୟର ସାହସ, ପ୍ରୀତି, ସ୍ୱାର୍ଥତ୍ୟାଗ, ସହିଷ୍ଣୁତା ପ୍ରଭୃତି ସାମାଜିକ ଉନ୍ନତିର ଭିତ୍ତିସ୍ୱରୂପ ଗୁଣମାନଙ୍କୁ ପ୍ରକଟିତ କରୁଅଛି, ସେ ସବୁ ବିଷୟ ସର୍ବଦା ନିର୍ବାଚିତ ହୋଇପାରେ ଓ ରଚନା ସର୍ବଦା ଏ ସବୁଦ୍ୱାରା ସରସ ମଧ୍ୟ ହୋଇପାରେ । ମାନବିକତାର ପରିପୋଷକ ବିଷୟବସ୍ତୁ ଯେ କେବଳ ଆଖ୍ୟାନରେ ଚିତ୍ତାକର୍ଷକ ହେବ, ତାହା ନୁହେଁ; ସାହିତ୍ୟର ସବୁକ୍ଷେତ୍ରରେ ଏହା ମୂଲ୍ୟବାନ ବିବେଚିତ ହୁଏ । ଅତି ସାଧାରଣ ବିଷୟ ମଧ୍ୟରେ ମାନବିକତାର ବିକାଶର ଚିତ୍ର ପାଠକର ମନୋରଞ୍ଜନ କରିପାରେ ।

 

ବିଷୟବସ୍ତୁର ନିର୍ବାଚିତ ପରେ ତାହାର ଅଂଶମାନଙ୍କର ମାତ୍ରା ଓ ବିନ୍ୟାସ ବିଷୟରେ ଲେଖକର ଚିନ୍ତା କରିବା ପ୍ରୟୋଜନ । ଆଖ୍ୟାନର ବିନ୍ୟାସ ଅପେକ୍ଷାକୃତ ସହଜ, କାରଣ ଘଟନାକ୍ରମ ଏହାର ଅବଲମ୍ବନ, ତେଣୁ କାଳର କ୍ରମଗତି ଯେ ଆଖ୍ୟାନର ପ୍ରଧାନ ମାନ ସେଥିରେ ସନ୍ଦେହ ନାହିଁ । ଅବଶ୍ୟ ବିନ୍ୟାସ ବିଷୟରେ କେତେକ ରୀତି ମଧ୍ୟ ଅନୁସୃତ ହୁଏ । ସମ୍ବାଦପତ୍ରମାନଙ୍କରେ ଗୁରୁତ୍ୱପୂର୍ଣ୍ଣ ବିଷୟମାନଙ୍କୁ ଶିରୋନାମାରେ ସନ୍ନିବିଷ୍ଟ କରାଯାଇ ପରେ ସେମାନଙ୍କର ବିଶଦ ବିବରଣ ଦେବା, ଏହିପରି ଗୋଟିଏ ରୀତି । ମାତ୍ର ବିଶେଷ ରୀତି ନ ଥିଲେ କେବଳ କାଳକ୍ରମକୁ ଅବଲମ୍ବନ କରି ଜୀବନୀ, ଭ୍ରମଣବୃତ୍ତାନ୍ତ ପ୍ରଭୃତି ରଚିତ ହୋଇପାରେ, କାଳକ୍ରମ କ୍ଷୁଣ୍ଣ ହେଲେ ରଚନା ମଧ୍ୟ ବିଶୃଙ୍ଖଳ ବୋଧ ହୁଏ । କିନ୍ତୁ ବିନ୍ୟାସ ବିଷୟରେ ନିର୍ଦ୍ଦେଶ ଦେବା ଯେତେ ସହଜ ମାତ୍ରା ବିଷୟରେ ନିର୍ଦ୍ଦେଶ ଦେବା ତେତେ ସହଜ ନୁହେଁ । ସାଧାରଣ ଭାବରେ କହିଲେ, ଯେଉଁ ଅଂଶଟି ଯେତେ ହୃଦୟଗ୍ରାହୀ ଓ ପାଠକର ମନକୁ ପ୍ରଭାବିତ କରିବାକୁ ସମର୍ଥ, ସେହି ଅଂଶକୁ ତେତେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବା ଉଚିତ, ମାତ୍ର ଏପରି ଘଟିପାରେ ଯେ, ଲେଖକ ଯାହାକୁ ଅବାନ୍ତର ବୋଲି ମନେ କରୁଅଛନ୍ତି ପାଠକ ତାହାରି ଉପରେ ଗୁରୁତ୍ୱ ଆରୋପିତ କରୁଅଛି, ଏଣୁ ସେହି ବିଷୟର ବିଶଦ ବିବୃତି ନ ଥିଲେ ପାଠକ ନିରାଶ ହୁଏ । ଶିବାଜୀଙ୍କର ଜୀବନୀ ବର୍ଣ୍ଣନା କରିବା ସମୟରେ ଜଣେ ଲେଖକ ଆଉରଙ୍ଗଜେବଙ୍କ କବଳରୁ ତାଙ୍କର ପଳାୟନ ବିଷୟରେ ଗୋଟିଏ ମାତ୍ର ବାକ୍ୟ ଲେଖିଅଛନ୍ତି, ମାତ୍ର ଅନ୍ୟ ଜଣେ ଲେଖକ ଏହି ଘଟନାକୁ ପଲ୍ଲବିତକରି ଚାରି, ପାଞ୍ଚ ପୃଷ୍ଠାରେ ତାହାର ଗୋଟିଏ ବିଶଦ ଚିତ୍ର ଦେଇଅଛନ୍ତି । ଭାରତୀୟ ପାଠକ ମଧ୍ୟ ଘଟନା ଉପରେ ଗୁରୁତ୍ୱ ଦେବା ସ୍ୱାଭାବିକ, ଏଣୁ ଏ ବିଷୟରେ ଅତି ସଂକ୍ଷିପ୍ତ ଚିତ୍ର ଦେବା ଦୋଷାବହ । ଲେଖକ ନିଜର ରୁଚି ଓ ପ୍ରବୃତ୍ତିଦ୍ୱାରା ଅଂଶମାନଙ୍କର ମାତ୍ରା ନିରୂପିତ କରେ, ମାତ୍ର ଏଦିଗରେ ପାଠକର ଅଭିରୁଚି ଓ କୌତୂହଳ ମଧ୍ୟ ବିଚାର୍ଯ୍ୟ ।

 

କଥାବସ୍ତୁବିରହିତ ଆଖ୍ୟାନର ବିଭିନ୍ନ ରୂପ ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ରଚନାପଦ୍ଧତି ସ୍ୱୀକୃତ ହୋଇଥାଏ । ଦିନପଞ୍ଜୀରେ ଘଟନାମାନ ଆପାତଦୃଷ୍ଟିରେ ବିଚ୍ଛିନ୍ନ ଓ ଅସଂଲଗ୍ନ, ମାତ୍ର ଲେଖକର ବ୍ୟକ୍ତ୍ୱିତ୍ୱ ଓ କାଳର କ୍ରମ ଏଠାରେ ବିଚ୍ଛିନ୍ନ ଘଟାନାମାନଙ୍କ ମଧ୍ୟରେ ମିଳନର ଯୋଗସୂତ୍ର-। ଭ୍ରମଣବୃତ୍ତାନ୍ତରେ କାଳକ୍ରମ ଓ ସ୍ଥାନକ୍ରମ ଉଭୟ ଅନୁସରଣ କରିବାକୁ ହୁଏ । ପୁଣି ଜୀବନୀରେ ବ୍ୟକ୍ତିତ୍ୱର କ୍ରମପ୍ରକାଶହିଁ ବିନ୍ୟାସର ପଦ୍ଧତିରୂପେ ସ୍ୱୀକାର କରାଯାଏ । ସମ୍ବାଦପତ୍ରରେ ପୂର୍ବେ ଶିରୋନାମା ଓ ପଶ୍ଚାତ୍‌ବିଶଦ ବିବିରଣ ଦିଆଯାଏ ଓ ଘଟନାମାନ ପରସ୍ପର ବିଚ୍ଛିନ୍ନ ହେଲେହେଁ ଏକ ଦିନରେ ବିଭିନ୍ନ ସ୍ଥାନରେ ଘଟିଥିବା ଘଟନାମାନ ଏକ ସୁତ୍ରରେ ଗ୍ରଥିତ ହୋଇ ପ୍ରକାଶିତ ହୁଏ । ସମ୍ବାଦପତ୍ରର ଶିରୋନାମା ଅତି ସଂକ୍ଷିପ୍ତ ହେଲେହେଁ ଏହାର ରଚନାରେ ମଧ୍ୟ କୌଶଳ ଓ କଳାଜ୍ଞାନର ପରିଚୟ ପ୍ରଦାନର ଅବକାଶ ଅଛି । କିଛିଦିନ ପୂର୍ବେ ‘ଉତ୍କଳ ଦୀପିକା’ରେ ପୁରୀ ମନ୍ଦିରରେ ବଳରାମଙ୍କର ହଠାତ୍‌ କଣେଇ ପଡ଼ିବା ସମ୍ବାଦକୁ ‘ବଡ଼ ଠାକୁରେ ଚିତ୍‌ପଟାଙ୍ଗ୍‌’ ରୂପରେ ଯେଉଁ ଶିରୋନାମା ସହ ପ୍ରକାଶିତ କରାଯାଇଥିଲା, ଉକ୍ତ ଶିରୋନାମା ରୁଚିବିଗର୍ହିତ, ଅଶୋଭନୀୟ ଓ ଧର୍ମପ୍ରାଣ ହିନ୍ଦୁମାନଙ୍କ ହୃଦୟରେ ଆଘାତ କରିବାରୁ ନିନ୍ଦନୀୟ, ପୁଣି ଗତ ମହାଯୁଦ୍ଧ ସମୟରେ ଜର୍ମାନମାନେ ଇଂରେଜ ରଣତରୀମାନଙ୍କର ସମ୍ପୂର୍ଣ୍ଣ ବିନାଶ ମିଥ୍ୟାରେ ଦାବି କରୁଛନ୍ତି ବୋଲି ସଂବାଦ ପ୍ରକାଶ କରିବା ନିମନ୍ତେ ‘ଇଂରେଜ ରଣତରୀମାନଙ୍କର ସମୂହ ନିମଜ୍ଜନ’ ରୂପରେ ଶିରୋନାମା ବ୍ୟବୃତ ହୋଇଥିଲା । ଏହା ରଚନାର ଅପକୌଶଳ ଓ ବ୍ୟବସାୟବୁଦ୍ଧି ପ୍ରଣୋଦିତ ହେଲେ ମଧ୍ୟ ନିନ୍ଦନୀୟ ।

 

କଥାବସ୍ତୁବିରହିତ ଆଖ୍ୟାନର ଭାଷା ସାଧାରଣତଃ ଅତି ସରଳ ଓ ଅଳଙ୍କାରବିରହିତ ହୋଇଥାଏ । ଅଳଙ୍କାରର ଆଧିକ୍ୟଦ୍ୱାରା, ଜଟିଳ ବାକ୍ୟବିନ୍ୟାସଦ୍ୱାରା, ପାଣ୍ଡିତ୍ୟପୂର୍ଣ୍ଣ ବାଗାଡ଼ମ୍ବରଦ୍ୱାରା ବିଷୟବସ୍ତୁ ଉପରେ ଗୁରୁତ୍ୱ ଆରୋପ କରିବାକୁ ଅନେକେ ଚେଷ୍ଟା କରିଥାନ୍ତି, ମାତ୍ର ତାହା ସର୍ବଥା ବର୍ଜନୀୟ । କାରଣ ଏଭଳି ଆଖ୍ୟାନରେ ଭାଷାର ସାଧାରଣତ୍ୱ ଓ କମନୀୟତ୍ୱହିଁ କାମ୍ୟ, ଭାଷାର ଜଟିଳତାଦ୍ୱାରା ବିଷୟବସ୍ତୁ ଆଚ୍ଛନ୍ନ ହେଲେ ଆଖ୍ୟାନଟି ହୀନପ୍ରଭ ହୁଏ ଓ ତାହାର ସରସତା ମଧ୍ୟ ସମୂଳେ ବିନଷ୍ଟ ହୁଏ । କିନ୍ତୁ ଅନ୍ୟ ଦିଗରେ କୌଣସି ପ୍ରକାର ଅଳଙ୍କାର ନ ରହିଲେ ରଚନାଟି କେବଳ ଐତିହାସିକ ତଥ୍ୟରେ ପରିଣତ ହେବ, ସାହିତ୍ୟିକ ରଚନାର ନିଦର୍ଶନ ରୂପରେ ସ୍ୱୀକୃତ ହୋଇ ପାରିବ ନାହିଁ; ଏଣୁ ଏକ ଦିଗରେ ଅଯଥା ଅଳଙ୍କାରର ଆଧିକ୍ୟ ପରିହାର୍ଯ୍ୟ ହେଲେହେଁ ଅନ୍ୟ ଦିଗରେ ସମ୍ପୂର୍ଣ୍ଣ ଅଳଙ୍କାରହୀନତା ମଧ୍ୟ ଅଶୋଭନୀୟ ।

 

କଥାବସ୍ତୁସମନ୍ୱିତ ଆଖ୍ୟାନକୁ ରଚନାପଦ୍ଧତି ଦିଗରୁ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇପାରେ; ଗୋଟିଏ ସରଳ କାଳକ୍ରମଯୁକ୍ତ କଥା, ଅନ୍ୟଟି ଜଟିଳ କାଳକ୍ରମଯୁକ୍ତ କଥା ଅର୍ଥାତ୍‌ କେତେକ ଆଖ୍ୟାନରେ ଗୋଟିଏ କାଳକ୍ରମ ଅନୁସାରେ କଥାବସ୍ତୁ ବିନ୍ୟସ୍ତ ହୋଇଥାଏ, ଅନ୍ୟ କେତେକ ଆଖ୍ୟାନରେ ଏକାଧିକ ଘଟନା ଭିନ୍ନ ଭିନ୍ନ ସ୍ଥାନରେ ଏକ କାଳରେ ସମ୍ପନ୍ନ ହେଉଥିବାରୁ କଥାବସ୍ତୁର କାଳକ୍ରମ ସରଳଭାବରେ ବର୍ଣ୍ଣିତ ହୋଇପାରେ ନାହିଁ । ହିତୋପଦେଶ, ଜାତକ ପ୍ରଭୃତିର ଉପାଖ୍ୟାନ ଏହିପରି ସରଳ ଆଖ୍ୟାନର ଉଦାହରଣ, ଏ ସବୁଥିରେ କାଳରୁ ଗତି ଏକମୁଖୀ, ଗୋଟିଏ ସୂତ୍ରରେ ଘଟନାମାନ ବିନ୍ୟସ୍ତ, ଘଟନାର ପ୍ରବାହ ନିରବଚ୍ଛିନ୍ନ ଭାବରେ ଏକ ଦିଗରେ ଗତି କରୁଅଛି, ଅନ୍ୟ ଦିଗରେ ଛମାଣ ଆଠଗୁଣ୍ଠ, ମାମୁ ପ୍ରଭୃତି ଉପନ୍ୟାସରେ ଜଟିଳ ଆଖ୍ୟାନର ଉଦାହରଣ ମିଳେ, କାରଣ ଏମାନଙ୍କରେ ଏକ ସମୟରେ ବିଭିନ୍ନ ସ୍ଥାନରେ ଘଟୁଥିବା ଘଟନାମାନ ବର୍ଣ୍ଣିତ ହୋଇଅଛି । ଉପନ୍ୟାସରେ ଏପରି ସ୍ଥଳରେ ବିଭିନ୍ନ ପରିଚ୍ଛେଦଦ୍ୱାରା ଘଟନାମାନଙ୍କର କାଳଗତ କ୍ରମ ବିଷୟରେ ବିଶୃଙ୍ଖଳା ସୂଚିତ କରାଯାଏ । ସମୟ ସମୟରେ ଏକମୁଖୀ କାଳକ୍ରମ ଲୋକଙ୍କର ବିରକ୍ତକର ହେବ, ଏହି ଆଶଙ୍କାରେ ଇଚ୍ଛାପୂର୍ବକ ରଚନା ସମୟରେ ଉପଖ୍ୟାନର କାଳକ୍ରମର ବିଶୃଙ୍ଖଳା ଜାତ କରାଯାଇଥାଏ । ଫକୀରମୋହନଙ୍କ ‘କମଳାପ୍ରସାଦ ଗୋରାପ’ ଏହାର ପ୍ରକୃଷ୍ଟ ଉଦାହରଣ, କାରଣ ଏହି ଗଳ୍ପଟିରେ କାଳକ୍ରମର ବିଶୃଙ୍ଖଳା କରାଯିବାଦ୍ୱାରା ସରଳ କାଳକ୍ରମ ମଧ୍ୟରେ କୃତ୍ରିମ ଜଟିଳତା ଆନୟନ କରାଯାଇଅଛି ଓ ଏପରି ଜଟିଳତାଦ୍ୱାରା ରଚନାଟି ସରସ ମଧ୍ୟ ହୋଇଅଛି । ‘ମାଧ ମାହାନ୍ତିଙ୍କ କନ୍ୟା ସୁନା’ ଗଳ୍ପରେ ଏଣେ ମାଧ ମାହାନ୍ତିଙ୍କ ଘର, ତେଣେ ଗୋପାଳଜି ମଠ ଉଭୟତ୍ର ଏକ ସମୟରେ ଦୁଇ ଘଟଣାସ୍ରୋତ ପ୍ରବାହିତ ହୋଇ ଶେଷରେ ସେମାନଙ୍କର ମିଳନ ମଧ୍ୟରେ ଜଟିଳ କାଳକ୍ରମଯୁକ୍ତ ଉପାଖ୍ୟାନର ସରସ ନିଦର୍ଶନ ମିଳେ । ସାଧାରଣତଃ ଆଖ୍ୟାନ ବସ୍ତୁ ମଧ୍ୟରେ ଜଟିଳତା ନ ଥିଲେ ତାହା ଉପଭୋଗ୍ୟ ହୁଏ ନାହିଁ; ଏଣୁ ନାନା ପ୍ରକାର କୃତ୍ରିମ ଉପାୟଦ୍ୱାରା ଉପାଖ୍ୟାନର କାଳକ୍ରମଗତ ବୈଚିତ୍ର୍ୟ ସାଧିତ ହୋଇଥାଏ । ଯେ କୌଣସି ଉଚ୍ଚାଙ୍ଗର ଆଖ୍ୟାନ ପାଠ କଲେ ଏହାର ଭୁରି ଭୁରି ଉଦାହରଣ ମିଳିବ ।

 

କଥାବସ୍ତୁସମନ୍ୱିତ ଆଖ୍ୟାନ ଅତିପ୍ରାକୃତ ବିଷୟକୁ ଅବଲମ୍ବନ କରିପାରେ କିମ୍ବା ମନୁଷ୍ୟଜୀବନ ସହିତ ଘନିଷ୍ଠଭାବରେ ସଂପୃକ୍ତ ମଧ୍ୟ ହୋଇପାରେ । ମାତ୍ର ସବୁ କ୍ଷେତ୍ରରେ ପାଠକର ଆନନ୍ଦ ଲେଖକର ପ୍ରଧାନ ବିଚାର୍ଯ୍ୟ ବିଷୟ, କାରଣ ଚିତ୍ତବିନୋଦନ ଆଖ୍ୟାନର ମୁଖ୍ୟ ଉଦ୍ଦେଶ୍ୟ । ଏଣୁ କଥାବସ୍ତୁର କାଳ ଯେତେ ଆଧୁନିକ ହେବ, ସ୍ଥାନ ଯେତେ ପରିଚିତ ହେବ ଓ ପାତ୍ରମାନେ ଯେତେ ସାଧାରଣ ହେବେ, ଆଖ୍ୟାନଟି ତେତେ ସରସ ହେବା ସମ୍ଭବ । ମାତ୍ର ଗଳ୍ପଟିର ଚିତ୍ତାକର୍ଷକତା କେବଳ ପରିଚିତ ବା ସାଧାରଣତ୍ୱ ଉପରେ ନିର୍ଭର କରେ ନାହିଁ କାରଣ ଅନେକ ସମୟରେ ଅତି ପୁରାତନ କାଳର ଘଟଣା ମଧ୍ୟ ଆମ୍ଭମାନଙ୍କ ମନରେ କୌତୁହଳ ଓ ଆଗ୍ରହ ଜାତ କରିପାରେ, କିନ୍ତୁ ଘଟନାସମାବେଶ ମଧ୍ୟରେ ମାନବିକତାର ପରିପୋଷକ ଚିତ୍ର ନ ଥିଲେ ପରିଚିତ ହିଁ ଏକମାତ୍ର ଆନନ୍ଦ ପ୍ରଦାନର ଉପାଦାନ ବୋଲି ସ୍ୱୀକୃତ ହୋଇପାରେ । ଯେଉଁ ଘଟଣା କେବଳ ଇଂରେଜ ସମାଜରେ ଘଟିବା ସମ୍ଭବ ତାକୁ ଅବଲମ୍ବନ କରି କୌଣସି ଆଖ୍ୟାନବସ୍ତୁ ରଚିତ ହେଲେ ତାହା ଓଡ଼ିଶାରେ ସହଜରେ ଓ ସାଧାରଣ ଭାବରେ ଆଦୃତ ହୋଇ ପାରିବ ନାହିଁ । ଏହି କାରଣରୁ କଥାବସ୍ତୁର ବ୍ୟାପ୍ତି ଉପରେ ତାହାର ସରସତା ନିର୍ଭର କରେ । ଯାହା ମନୁଷ୍ୟତ୍ୱର ପରିପୋଷକ, ତାହା ସବୁ କାଳର, ସବୁ ଦେଶର ପାଠକ ପକ୍ଷରେ ପ୍ରୀତିପ୍ରଦ, କାରଣ ସେଭଳି ଆଖ୍ୟାନର ବ୍ୟାପ୍ତି ସମ୍ପୂର୍ଣ୍ଣ ମନୁଷ୍ୟ ସମାଜ; ମାତ୍ର ଯାହା କେବଳ ଏକସ୍ଥାନର ଲୋକକୁ ଘେନି ରଚିତ ତାହାର ବ୍ୟାପ୍ତି ସୀମାବଦ୍ଧ ଥିବାରୁ ତାହା ଅନ୍ୟ ସ୍ଥାନର ପାଠକ ନିକଟରେ ସମାଦର ଲାଭ କରିପାରେ ନାହିଁ ।

 

ବାସ୍ତବତା ଆଖ୍ୟାନର ସରସତାର ଆଉ ଗୋଟିଏ ଉପାଦାନ । ଅପ୍ରାକୃତ ବିଷୟକୁ ଅବଲମ୍ବନ କରି ରଚିତ ଆଖ୍ୟାନରେ ଲେଖକ ପାଠକମନରେ କିପରି ଭ୍ରାନ୍ତି ଜାତ କରି ଆଖ୍ୟାନବସ୍ତୁର ଅନ୍ତର୍ନିହିତ ଅପ୍ରାକୃତତା ଓ ଅବାସ୍ତବତା ପ୍ରତି ତାକୁ ଅଚେତ କରି ଦେବ ଏଥି ପାଇଁ ଚେଷ୍ଟା କରେ । ରାମାୟଣ, ମହାଭାରତ ପ୍ରକୃତିର ଅନେକ ସ୍ଥାନରେ ଏହିପରି ଅପ୍ରାକୃତ ବିଷୟମାନଙ୍କର ଚିତ୍ର ମିଳେ, ମାତ୍ର ଥରେ ଭୀମଙ୍କର ଆକୃତିପ୍ରକୃତିଗତ ବିଶେଷତ୍ୱକୁ ମାନସପଟରେ ଅଙ୍କିତ କରି ପାରିଲେ ଗଳ୍ପର ଅବାସ୍ତବତା ପାଠକ ସମ୍ପୂର୍ଣ୍ଣରୂପେ ବିସ୍ମତ ହୋଇଯାଏ-। ଏହିପରି ଥରେ ରକ୍‌ ପକ୍ଷୀର ଚିତ୍ର କଳ୍ପନା କରି ପାରିଲେ ସିନ୍ଦବାଦଙ୍କ ସମସ୍ତ ଅଭିଯାନ ସତ୍ୟ ବୋଲି ପରିଗଣିତ ହୋଇପାରେ । ଅନ୍ୟ ଦିଗରେ ଗୁଲିଭରଙ୍କର ଭ୍ରମଣ କାହାଣୀ (Gulliver’s Travels) ରେ ବର୍ଣ୍ଣନା ଏତେ ପ୍ରାଞ୍ଜଳ ଓ ସୂକ୍ଷ୍ମବାସ୍ତବତା ପରିପୂର୍ଣ୍ଣ ଯେ ଗଳ୍ପଟିର ଅବାସ୍ତବତା ପ୍ରତି ପାଠକର ଆଦୌ ଲକ୍ଷ୍ୟ ରହେ ନାହିଁ । ବାସ୍ତବରେ ବର୍ଣ୍ଣନାର ସବିଶେଷତା ଓ ଅସ୍ପଷ୍ଟତା ଅବଲମ୍ବନ କରି ଆଖ୍ୟାନ ବସ୍ତୁର ବାସ୍ତବତା ସମ୍ପାଦିତ ହୋଇଥାଏ, ମାତ୍ର କେଉଁଠାରେ ସବିଶେଷତା ଓ କେଉଁଠାରେ ଅସ୍ପଷ୍ଟତାଦ୍ୱାରା ବାସ୍ତବତା ରକ୍ଷିତ ହୋଇ ପାରିବ, ଏ ବିଷୟ ଲେଖକର କଳାଜ୍ଞାନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଲେଖକ ପ୍ରତିଭା ବଳରେ ଅପ୍ରାକୃତ ଅବାସ୍ତବ ବିଷୟବସ୍ତୁ ମଧ୍ୟରେ ଆନନ୍ଦର ଉପାଦାନ ସଂଗ୍ରହ କରିବାରେ ସମର୍ଥ ହୁଏ । ଆଜିକାଲି ‘ପଇସାର ଡାଏରି’, ‘ଛାରପୋକର ଦିଗ୍‌ବିଜୟ’ ପ୍ରଭୃତି ନାନା ଅପ୍ରାକୃତ ଗଳ୍ପ ଶିଶୁରଞ୍ଜନ ପୁସ୍ତକମାନଙ୍କରେ ଦେଖାଯାଏ; ମାତ୍ର ଏ ସବୁ ଗଳ୍ପ ମନୁଷ୍ୟଜୀବନ ସହିତ ସଂପୃକ୍ତ ଆଖ୍ୟାନ ପରି ମନୋଜ୍ଞ ହୋଇପାରେ ନାହିଁ । ପୁଣି ସାଧାରଣତଃ ମାୟାପୁରୀର ବା ପରୀରାଜ୍ୟର ଗଳ୍ପ ବୋଲି ଯାହା ପ୍ରଚଳିତ, ସେଥିରେ ମଧ୍ୟ ମାନବିକତାର ପରିପୋଷକ ଉପାଦାନର ଅଭାବ ଥିବାରୁ ତାହା ଲୋକଙ୍କର ପ୍ରୀତିପ୍ରଦ ହୋଇ ପାରୁ ନାହିଁ । ଆଜିକାଲି ଶିଶୁରଞ୍ଜନ ଗ୍ରନ୍ଥମାନଙ୍କରେ ମଧ୍ୟ ‘ସାତଭାଇ ଚମ୍ପା’ ପରିବର୍ତ୍ତରେ ‘ଆଫ୍ରିକା ଜଙ୍ଗଲରେ ଶିକାର’ କାହାଣୀ ପ୍ରଚଳିତ, ଏପରି କି ଧର୍ମପୁସ୍ତକମାନଙ୍କରେ ଥିବା ଅତି ପ୍ରାକୃତ ଗଳ୍ପମାନ ମଧ୍ୟ (ଯଥା-ନୃସିଂହ ଅବତାର) ସାଧାରଣ ପାଠକମାନଙ୍କ ମଧ୍ୟରେ ସମାଦର ଲାଭ କରି ପାରୁ ନାହିଁ । ଶିଶୁର ମନସ୍ତତ୍ତ୍ୱ ବିଷୟକ ଚର୍ଚ୍ଚାଫଳରୁ, ସମାଜରେ ନିଶ୍ଚିନ୍ତ କଳ୍ପନାବିଳାସର ଅଭାବରୁ, ଧର୍ମପୁସ୍ତକମାନଙ୍କ ଉପରେ ନିର୍ଭରତା କ୍ଷୀଣ ହୋଇଯିବାରୁ ଓ ଲୋକମାନଙ୍କର ରୁଚି, ପ୍ରବୃତ୍ତି ଓ ଆବେଷ୍ଟନୀର ମଧ୍ୟ ପରିବର୍ତ୍ତନ ହେତୁରୁ ଆଖ୍ୟାନବସ୍ତୁର ଉପାଦାନ ମଧ୍ୟ ପରିବର୍ତ୍ତିତ ହେବା ସ୍ୱାଭାବିକ । ମନୁଷ୍ୟଜୀବନ ସହିତ ସଂପୃକ୍ତ ଆଖ୍ୟାନରେ ମଧ୍ୟ ଚରିତ୍ରର ବାହୁଲ୍ୟ ଅଥବା ଘଟଣାମାନଙ୍କର ଅଯଥା ବୈଚିତ୍ର୍ୟ ରହିବା ଉଚିତ ନୁହେଁ । କାରଣ ସଙ୍ଗତି ଆଖ୍ୟାନ ରଚନାର ଗୋଟିଏ ପ୍ରଧାନ ଅବଲମ୍ବନ, କୌଣସି ବିଶେଷ ଚରିତ୍ର ବା ବିଷୟବସ୍ତୁ ଆଖ୍ୟାନର ଅଗ୍ରଗତିରେ ସାହାଯ୍ୟ ନ କରୁଥିଲେ କିମ୍ବା ମୂଳ ବିଷୟବସ୍ତୁ ସହିତ ଘନିଷ୍ଠଭାବରେ ସଂପୃକ୍ତ ନ ହେଲେ ତାହା ପାଠକର ମନକୁ ବିକ୍ଷିପ୍ତ ଓ ବିଭ୍ରାନ୍ତ କରିଦିଏ । ମାତ୍ର ଏହି ସାଧାରଣ ବିଧି ଭିନ୍ନ ଭିନ୍ନ ଅନ୍ୟ କିଛି ସ୍ଥିର ନିର୍ଦ୍ଦେଶ ଦେବା ଅସମ୍ଭବ । ତେବେ ମନୁଷ୍ୟଜୀବନ ସହିତ ସଂପୃକ୍ତ ଆଖ୍ୟାନରେ ବ୍ୟାପ୍ତି ଅପେକ୍ଷା ପରିଚିତ ହିଁ ମନକୁ ଆକର୍ଷଣ କରିବାକୁ ସମର୍ଥ ହୁଏ, କାରଣ ପାଠକମାନେ ନିଜ ସମାଜର ଚିତ୍ର ପାଇବା ନିମନ୍ତେ ସତତ ଉନ୍ମୁଖ, ମାତ୍ର ପରିଚିତ ଓ ବ୍ୟାପ୍ତିର ଏକତ୍ର ସମାବେଶ ଅର୍ଥାତ୍‌ ଆମ୍ଭମାନଙ୍କ ସ୍ୱଦେଶୀୟ ଲୋକମାନଙ୍କର ସାହାସ ବା ବୀରତ୍ୱର ଗଳ୍ପ, ଆମ୍ଭମାନଙ୍କର ସମଧିକ ପ୍ରିୟ ହୋଇଥାଏ ଓ ଖ୍ୟାତ ବ୍ୟକ୍ତିମାନଙ୍କ ବିଷୟରେ କୌତୁକାବହ ଆଖ୍ୟାୟିକା ମଧ୍ୟ ଆମ୍ଭମାନଙ୍କର ଚିତ୍ତବିନୋଦନ କରେ । କାରଣ ସେଥିରେ ଖ୍ୟାତିର ଅସାଧାରଣତ୍ୱ ମଧ୍ୟରେ ମାନବିକତାର ବାସ୍ତବତା ପ୍ରତିଷ୍ଠିତ ହୁଏ ଓ ପାଠକ ଏଭଳି ଗଳ୍ପ ମଧ୍ୟରେ ମାନବିକତା ବିକାଶ ମଧ୍ୟ ଉପଲବ୍ଧି କରିପାରେ ।

 

ଗଳ୍ପର ଉପାଦାନମାନଙ୍କୁ ତିନିଗୋଟି ପ୍ରକାରରେ ପାଠକ ସମ୍ମୁଖରେ ଉପାସ୍ଥାପିତ କରାଯାଇପାରେ ଅର୍ଥାତ୍‌ ଆଖ୍ୟାନ ରଚନାରେ ତିନଗୋଟି ଉପାୟ ଅବଲମ୍ବିତ ହୋଇଥାଏ । (୧) ଲେଖକ ନିଜେ ସମଗ୍ର କଥାବସ୍ତୁର ବିବୃତି ଦେଇପାରେ, (୨) କଥାମଧ୍ୟସ୍ଥ କୌଣସି ବିଶେଷ ଚରିତ୍ର ଏପରି ବିବୃତ ଦେଇପାରେ କିମ୍ବା (୩) ବିଚ୍ଛିନ୍ନ ପତ୍ରରାଜି ମଧ୍ୟରେ କଥାବସ୍ତୁର ବିକାଶ ସାଧିତ ହୋଇପାରେ । ପ୍ରତ୍ୟେକ ଉପାୟରେ ଗୁଣ ଓ ଦୋଷ ଅଛି; ପ୍ରତ୍ୟେକ ଆଖ୍ୟାନ ପ୍ରତି କୌଣସି ବିଶେଷ ଉପାୟ ସମଧିକ ଉପଯୁକ୍ତ, ପ୍ରତ୍ୟେକ ପ୍ରକାର ରଚନାରେ ସୁବିଧା ଓ ଅସୁବିଧା ମଧ୍ୟ ଅଛି । ସାଧାରଣତଃ କୌଣସି ବିଶେଷ ପାତ୍ରର ମନୋଭାବ ଉପରେ କଥାବସ୍ତୁଟି ପ୍ରତିଷ୍ଠିତ ନ ହୋଇଥିଲେ ଲେଖକ ନିଜେ ତାହାର ବିବୃତି ଦେବା ଅଧିକ ସଙ୍ଗତ, ମାତ୍ର ଚରିତ୍ରଶେଷର ଅନ୍ତରଙ୍ଗ ବିବୃତି ଓ ବାସ୍ତବତା ଉପରେ ସମଗ୍ର ଗଳ୍ପଟିକୁ ପ୍ରତିଷ୍ଠିତ କଲେ ତାହାର ସରସତା ଓ ସକ୍ରିୟତା ଅନେକ ପରିମାଣରେ ବର୍ଦ୍ଧିତ ହୁଏ । ପତ୍ର ବିନିମୟଦ୍ୱାରା ଘଟଣାର ବିକାଶ ସାଧାରଣତଃ ଅପ୍ରଚଳିତ ଓ ଏଭଳି ଆଖ୍ୟାନର ଅତି ଅଳ୍ପ ଉଦାହରଣ ଓଡ଼ିଆ ସାହିତ୍ୟରେ ଦେଖାଯାଏ । ସାଧାରଣତଃ ଯେଉଁ ଆଖ୍ୟାନରେ ଘଟଣା ସମାବେଶ ଆଧିକ୍ୟ ଥାଏ, ତାହା ଲେଖକଦ୍ୱାରା ବିବୃତ ହେବା ଉଚିତ ଓ ଯେଉଁ ଆଖ୍ୟାନରେ ମନସ୍ତତ୍ତ୍ୱର ବିଶ୍ଳେଷଣ ଅଧିକ ସ୍ଥାନ ଅଧିକାର କରେ, ସେ ଭଳି ଆଖ୍ୟାନ କୌଣସି ବିଶେଷ ଚରିତ୍ରଦ୍ୱାରା ବିବୃତ ହେବା ସମୀଚୀନ, ମାତ୍ର ଏ ବିଷୟରେ କୌଣସି ନିୟମ ବା ବିଧି ନିଦ୍ଦିଷ୍ଟ ହୋଇ ନପାରେ । କିନ୍ତୁ କୌଣସି ବିଶେଷ ଚରିତ୍ରଦ୍ୱାରା ଆଖ୍ୟାନଟି ବିବୃତ ହେଲେ ଘଟଣାର ଏକମୂଖୀ ସରଳଗତି ହିଁ ସ୍ୱୀକାର କରିବାକୁ ହୁଏ । ଏହି କାରଣରୁ ଘଟଣାସମାବେଶରେ ଘାତ ପ୍ରତିଘାତର ଆଭାସ ଥିଲେ କିମ୍ବା ବୈଚିତ୍ର୍ୟ ଉତ୍ପାଦନ କରିବା ପ୍ରୟୋଜନ ହେଲେ ସାଧାରଣତଃ ଲେଖକଦ୍ୱାରା ଆଖ୍ୟାନଟି ବିବୃତ ହୋଇଥାଏ ।

 

କଥାବସ୍ତୁବିହୀନ ଆଖ୍ୟାନ ପରି କଥାବସ୍ତୁସମନ୍ୱିତ ଆଖ୍ୟାନରେ କାଳର କ୍ରମ ରକ୍ଷିତ ହେବାହିଁ ସାଧାରଣ ବିଧି ଅର୍ଥାତ୍‌ ପ୍ରଥମେ ଯାହା ଘଟିଲା, ତାହା ଲେଖାଯାଇ ଘଟନାର କ୍ରମ ଅନୁସାରେ ଆଖ୍ୟାନଭାଗର ବିସ୍ତାର କରିବା ସମୀଚୀନ; ମାତ୍ର ବୈଚିତ୍ର୍ୟ ନିମନ୍ତେ ଓ ପାଠକର କୌତୁହଳ ଜାଗ୍ରତ କରିବା ନିମନ୍ତେ ଏହାର କେତେକ ବ୍ୟତିକ୍ରମ ମଧ୍ୟ ଦେଖାଯାଏ । ଫକୀରମୋହନଙ୍କ ‘ମୌନାମୌନୀ’ ଗଳ୍ପରେ କଥାବସ୍ତୁର ପ୍ରଥମ ଭାଗଟି ଶେଷରେ ସନ୍ନିବେଶିତ ହୋଇଅଛି ଓ ପ୍ରଥମେ ଗଳ୍ପର ପରିଣତ ବର୍ଣ୍ଣନା କରି ପରେ ଏହାର କାରଣ ନିର୍ଦ୍ଦେଶିତ ହୋଇଅଛି-। କାଳକ୍ରମର ବ୍ୟତିକ୍ରମଦ୍ୱାରା ଗଳ୍ପର ସରସତା ସମ୍ପାଦନ କରିବା ଏକ ସାଧାରଣ ବିଧି-। ଡିଟେକ୍‌ଟିଭ୍‌ ଉପନ୍ୟାସମାନଙ୍କରେ ଅହରହଃ ଆମ୍ଭେମାନେ ଏହାର ଉଦାହରଣ ଦେଖୁଁ । କାରଣ ଡିଟେକ୍‌ଟିଭ୍‌ ଉପନ୍ୟାସରେ ପ୍ରଥମେ ଗୋଟିଏ ଅପରାଧର ଚିତ୍ର ଦିଆଯାଇ ପରେ ସେହି ଅପରାଧସମ୍ପୃକ୍ତ ରହସ୍ୟର ଉଦ୍‌ଘାଟନ କରାଯାଇଥାଏ । ମାତ୍ର ଏଥିରେ ମଧ୍ୟ ଗୋଏନ୍ଦାର ରହସ୍ୟଭେଦ ପ୍ରଚେଷ୍ଟାଜନିତ କାର୍ଯ୍ୟକଳାପର ବିବରଣଦ୍ୱାରା ଘଟଣାର କ୍ରମରକ୍ଷିତ ହୋଇଥାଏ । ଅର୍ଥାତ୍‌ ସବୁ କ୍ଷେତ୍ରରେ ଘଟଣାର କ୍ରମରକ୍ଷା କରିବାହିଁ ସାଧାରଣ ବିଧି, ମାତ୍ର ବୈଚିତ୍ର ସକାଶେ କ୍ରମକୁ ଭଙ୍ଗ କରାଗଲେ କଥାବସ୍ତୁର ବିନ୍ୟାସ ମଧ୍ୟ ତଦନୁସାରେ ସାମାନ୍ୟ ଭାବରେ ପରିବର୍ତ୍ତିତ ହୋଇଥାଏ । ସ୍ଥାନେ ସ୍ଥାନେ ପୁଣି କଥା ବସ୍ତୁକୁ ଚିତ୍ତାକର୍ଷକ କରିବା ନିମନ୍ତେ କୌଣସି ବିଶେଷ ଘଟଣା ପାଠକର ଅଗୋଚରରେ ରଖାଯାଇ ଥାଏ, ପରେ ସେହି ବିଷୟଟି ପ୍ରକାଶ କରି ପାଠକର କୌତୂହଳ ଚରିତାର୍ଥ କରାଯାଏ । ‘ବାଲେଶ୍ୱରୀ ରାହାଜାନୀ ଗଳ୍ପରେ ଏହିପରି ନବାଗତ ଡକାଏତ ଏକ ଛଦ୍ମବେଶୀ କନେଷ୍ଟବଲ୍‍ ଥିବା ଗଳ୍ପର ଶେଷଭାବରେ ବର୍ଣ୍ଣତ ହୋଇଅଛି, ମାତ୍ର ଗଳ୍ପର ମଧ୍ୟାଂଶରେ ଏହାର ସୂଚନା ଦିଆଯାଇଥିବାରୁ ଗଳ୍ପର ସରସତା ନଷ୍ଟ ହୋଇଅଛି ।

 

କଥାବସ୍ତୁର ବିସ୍ତାର ସମ୍ପର୍କରେ ମଧ୍ୟ କେତେକ କୌଶଳ ଅବଳମ୍ବିତ ହୋଇଥାଏ । ଲେଖକକୁ ଏକ ଦିଗରେ ଅଯଥା ଦୈର୍ଘ୍ୟ ଅନ୍ୟ ଦିଗରେ ଅଯଥା ସଙ୍କୋଚନ ପରିହାର କରିବାକୁ ହୁଏ, କାରଣ ବିସ୍ତୃତ ବର୍ଣ୍ଣନାରେ ପାଠକର ମନ କ୍ଳାନ୍ତ ହୋଇଯାଏ ଓ ସଂକୁଚିତ ବର୍ଣ୍ଣନାରେ ତାହାର କୌତୂହଳ ସମ୍ପୂର୍ଣ୍ଣଭାବରେ ଚରିତାର୍ଥ ହୋଇପାରେ ନାହିଁ । ଯେଉଁସବୁ ଘଟଣା ମଧ୍ୟରେ ଉତ୍ତେଜନା ନାହିଁ, ସେସବୁ ବର୍ଣ୍ଣନାକୁ ଗୋଟିଏ ଦିଓଟି ବାକ୍ୟଦ୍ୱାରା ବିକୃତ କରାଯାଇପାରେ, ମାତ୍ର ଯେଉଁଥିରେ ଉତ୍ତେଜନା ବା ଆନନ୍ଦ ସୁସ୍ପଷ୍ଟ ତାହାର ବିଶଦ ବର୍ଣ୍ଣନା ଦେବାହିଁ ବିଧି ।

 

କଥାବସ୍ତୁଯୁକ୍ତ ଆଖ୍ୟାନରେ କଳ୍ପନାକୁ ଉଦ୍ଦୀପିତ କରିବା ନିମନ୍ତେ ଅନେକ ସମୟରେ ଦୁଇଗୋଟି ବିରୁଦ୍ଧ ଘଟଣାର ଚିତ୍ରର ଏକତ୍ର ସମାବେଶ କରାଯାଇଯାଏ । ଏହାଦ୍ୱାରା ବିସ୍ମୟ ଜାତ ହୋଇ ରସର ସୃଷ୍ଟି କରେ । ଲୋକେ ନିଜ ଜାମାତାର ଆଦର କରନ୍ତି, ଯଦି ଏପରି ଘଟଣା ସମାବେଶ କରାଯାଏ ଯେ ଜାମାତା ବିଷମ ଭାବରେ ପ୍ରହୃତ ହେଲା (ଯଥା ପ୍ରାୟଶ୍ଚିତ୍ତ) ତେବେ ତାହା ଆଖ୍ୟାନର ଉପାଦାନ ଯୋଗାଇବାକୁ ସମର୍ଥ । ପୁରୁଷମାନେ ଏକ ପ୍ରକାର ଲୁଗା ପିନ୍ଧନ୍ତି, ସ୍ତ୍ରୀଲୋକମାନେ ଅନ୍ୟ ପ୍ରକାରର ଲୁଗା ପିନ୍ଧନ୍ତି, ମାତ୍ର କୌଣସି ପୁରୁଷ ଘଟଣାଚକ୍ରରେ ପଡ଼ି ଯଦି ସ୍ତ୍ରୀଲୋକର ପୋଷାକ ପିନ୍ଧିବାକୁ ବାଧ୍ୟ ହୁଏ କିମ୍ବା କୌଣସି ସ୍ତ୍ରୀଲୋକ ପୁରୁଷର ବେଶଭୂଷା ପିନ୍ଧିବାର କଳ୍ପନା କରାଯାଏ, ତେବେ ତାହା ମଧ୍ୟ ଗଳ୍ପର ଉପାଦାନ ଯୋଗାଇବାକୁ ସମର୍ଥ । ଲୋକ ‘ଭକ୍ତିଦାୟିନୀ ସଭା’ ପ୍ରଭୃତିରେ ଯୋଗ ଦେଇ ନିଜର ଧର୍ମପିପାସା ଚରିତାର୍ଥ କରି ସମ୍ମାନାର୍ହ ହୁଅନ୍ତି, ମାତ୍ର ତାହା ଯଦି ‘ଶୋଭାକାର’ ‘ଭଗବତୀଡାଆଣୀ’ରେ ପରିଣତ ହୋଇ ଲାଞ୍ଚନାର କାରଣ ହୁଏ, ତେବେ ତାହାଦ୍ୱାରା ମଧ୍ୟ ଗଳ୍ପ ରଚିତ ହୋଇପାରେ (ପାଠୋଈ ବହୁ) । ଲୋକେ ନିଜ ମାତୁଳଠାରୁ ସାହାଯ୍ୟ ଓ ସହାନୁଭୂତି ଆଶା କରନ୍ତି, କିନ୍ତୁ ଯଦି କୌଣସି ସ୍ଥାନରେ ମାତୁଳ ସର୍ବନାଶର କାରଣସ୍ୱରୂପ ହୁଏ (ମାମୁ, ବିରେଇ ବିଶାଳ) ତେବେ ତାହା ମଧ୍ୟ ଆଖ୍ୟାନର ଉପାଦାନସ୍ୱରୂପ ଗଣ୍ୟ ହୋଇପାରେ । ମନୁଷ୍ୟ ଧନ ସମ୍ପତ୍ତିର ଲୋଭ କରେ, ମାତ୍ର ସେହି ଧନ ଯଦି ଜୀବନନାଶର କାରଣରେ ପର୍ଯ୍ୟବସିତ ହୁଏ, ତେବେ ତାହା ମଧ୍ୟ ଆଖ୍ୟାନର ପ୍ରକୃଷ୍ଟ ବିଷୟବସ୍ତୁରୂପେ ସ୍ୱୀକୃତ ହୋଇପାରେ । (ଛମାଣ, ଆଠଗୁଣ୍ଠ, ମାଧ ମାହାନ୍ତିଙ୍କ କନ୍ୟାସୁନା) ବାସ୍ତବରେ ଏହିପରି ପ୍ରତ୍ୟାଶିତ ଘଟଣାର ବିରୁଦ୍ଧ ଘଟଣାର ସମାବେଶ କରିବା ପାଠକମନରେ ବିସ୍ମୟ ଜାଗରୂକ କରିବାର ସହଜ ଉପାୟ, ଏଣୁ ପ୍ରାୟ ପ୍ରତ୍ୟେକ ଆଖ୍ୟାନରେ ବିସ୍ମୟ ଉତ୍ପାଦନ ନିମନ୍ତେ ଏହିପରି ଅପ୍ରତ୍ୟାଶିତ ଓ ବିରୁଦ୍ଧ ଘଟଣାମାନଙ୍କର ସମାବେଶ କରାଯାଇଥାଏ । ମାତ୍ର ଅପ୍ରତ୍ୟାଶିତ ଘଟଣାକୁ ଯଥୋଚିତ ଆବେଷ୍ଟନୀଦ୍ୱାରା ଯଥାସମ୍ଭବ ବାସ୍ତବ କରିବାର ପ୍ରୟାସ ମଧ୍ୟ ହୋଇଥାଏ ।

 

ଆଖ୍ୟାନର ପରିଣତି ବିଷୟରେ ଅନିଶ୍ଚିତତା ମଧ୍ୟ ତାହାର ସରସତାର କାରଣ ହୁଏ । ଘଟଣାକ୍ରମର ଫଳ କଣ ହେବ, ତାହା ଜାଣିବା ନିମନ୍ତେ ମନରେ ସ୍ୱତଃ କୌତୂହଳ ଜାଗ୍ରତ ହୁଏ, ଏହି କୌତୁହଳକୁ ଶେଷ ପର୍ଯ୍ୟନ୍ତ ଅବ୍ୟାହତ ରଖିବାଦ୍ୱାରା ଆଖ୍ୟାନର ସରସତା ସମ୍ପାଦିତ ହୋଇପାରେ । ଏହି କାରଣରୁ ଘଟଣାସ୍ରୋତକୁ ସ୍ଥାନେ ସ୍ଥାନେ ପରିବର୍ତ୍ତିତ କରିବାକୁ ହୁଏ, ସ୍ଥାନେ ସ୍ଥାନେ ଘଟଣା ଜଟିଳତା ବୃଦ୍ଧି କରିବାର ପ୍ରୟୋଜନ ହୁଏ । ସ୍ଥାନେ ସ୍ଥାନେ ନାନାପ୍ରକାର ବର୍ଣ୍ଣନା ଦେବାଦ୍ୱାରା ପ୍ରତ୍ୟାଶିତ ପରିଣତକୁ ଯଥାସମ୍ଭବ ଦୂରକୁ ନିଆ ଯାଇଥାଏ ।

 

କଥାବସ୍ତୁବିରହିତ ଆଖ୍ୟାନ ପରି କଥାବସ୍ତୁସମନ୍ୱିତ ଆଖ୍ୟାନରେ ମଧ୍ୟ ଭାଷା ସରଳ ଓ ପ୍ରାଞ୍ଜଳ ହେବା ପ୍ରୟୋଜନ, ମାତ୍ର ଭ୍ରମଣବୃତ୍ତାନ୍ତ ପ୍ରଭୃତିରେ ଉଚ୍ଛ୍ୱାସର ଅବକାଶ ଥିଲେହେଁ ଗଳ୍ପ, ଉପନ୍ୟାସ ପ୍ରଭୃତିର ଭାଷା ଯେତେ ସରଳ ହୁଏ, ତାହା ତେତେ ହୃଦୟଗ୍ରାହୀ ହୁଏ । ପାଠକର ମନ ଯେଉଁଠାରେ କ୍ଳିଷ୍ଟତା ବା ଜଟିଳତା ପ୍ରଭୃତିଦ୍ୱାରା ଭାଷାଆଡ଼କୁ ଆକୃଷ୍ଟ ହୁଏ ସେହିଠାରେ ଘଟଣା ସମାବେଶର ସରସତା ଉପଲବ୍ଧି କରିବା ଦିଗରୁ ତାହା ବିମୁଖ ହୁଏ; ଏଣୁ ଆଖ୍ୟାନର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୁଏ । ଏହି କାରଣରୁ ଭାଷା ଯେତେ ସରଳ, ଗତିଶୀଳ ଓ ସାଧାରଣ ହେବ ବିଷୟବସ୍ତୁ ସୌନ୍ଦର୍ଯ୍ୟ ମଧ୍ୟ ତଦନୁପାତରେ ବର୍ଦ୍ଧିତ ହେବ; ଏହାହିଁ ଭାଷା ବିଷୟରେ ସାଧାରଣଭାବରେ ବୋଲାଯାଇପାରେ । ଆଖ୍ୟାନରେ ସାରଲ୍ୟହିଁ ସୌନ୍ଦର୍ଯ୍ୟର ପ୍ରକୃଷ୍ଟ ଉପାଦାନ ବୋଲି ସର୍ବଦା ସ୍ୱୀକୃତ ହୋଇଥାଏ ।

 

ବ୍ୟାଖ୍ୟାନ-ରଚନାର ଦ୍ୱିତୀୟ ରୂପ ବ୍ୟାଖ୍ୟାନ, ଅର୍ଥାତ୍‌ ଯାହା ଦୁର୍ବୋଧ୍ୟ ତାକୁ ସୁଖବୋଧ୍ୟ କରିବା, ଯାହାର ଅର୍ଥ ଅସ୍ପଷ୍ଟ ତାର ଅର୍ଥକୁ ସ୍ପଷ୍ଟ କରିବା, ଯାହାର ପରିଣତ ଅନୁମାନସାପେକ୍ଷ ତାକୁ ଯଥାଯଥ ଭାବରେ ବ୍ୟକ୍ତ କରିବା ବ୍ୟାଖ୍ୟାନର କାର୍ଯ୍ୟ । ବ୍ୟାଖ୍ୟାନରେ ଗୋଟିଏ ବିଷୟବସ୍ତୁ ବିଶ୍ଳେଷଣ କରାଯାଏ, ତାହାର ଅନ୍ତର୍ନିହିତ ଅର୍ଥ ପ୍ରକାଶିତ କରାଯାଏ, ତାହାର ଅସ୍ପଷ୍ଟତା ଦୂରୀକୃତ ତାହାର ପ୍ରତ୍ୟେକ ଅଙ୍ଗକୁ ପୂର୍ଣ୍ଣଭାବରେ ପ୍ରକଟିତ କରାଯାଏ । ବ୍ୟାଖ୍ୟାନର ବିଷୟବସ୍ତୁ ଗୋଟିଏ ପଦ ହୋଇପାରେ, ଗୋଟିଏ ବାକ୍ୟ ବା ପଂକ୍ତି ମାତ୍ର ହୋଇପାରେ କିମ୍ବା ଗୋଟିଏ ସମଗ୍ର ରଚନା ମଧ୍ୟ ହୋଇପାରେ । ମାତ୍ର ସବୁ କ୍ଷେତ୍ରରେ ବ୍ୟାଖ୍ୟାନର ମୂଳ ଉଦ୍ଦେଶ୍ୟ ଏକ-ତାହା ଅର୍ଥ ନିର୍ଦ୍ଦେଶ ଅଥବା ସ୍ପଷ୍ଟୀକରଣ । ପାଠକ ସହଜରେ ଯାହାର ଅର୍ଥ ଗ୍ରହଣ କରିବାକୁ ଅସମର୍ଥ, ଯାହାର ଅନ୍ତର୍ନିହିତ ଭାବରାଶିକୁ ବିଶ୍ଳେଷଣ କରିବାକୁ ଅକ୍ଷମ, ଯାହାର ପୂର୍ଣ୍ଣ ରୂପ ଦେଖିବାକୁ ଅପାରଗ ଓ ଯାହାର ପରିଣତି ବିଷୟରେ ସନ୍ଦିହାନ, ସେହି ସବୁ ବିଷୟରେ ବିଶ୍ଳେଷଣ ଓ ଅର୍ଥ ନିର୍ଦ୍ଦେଶ କରି ବ୍ୟାଖ୍ୟା ଦେବାରେ ଲେଖକ ପ୍ରବୃତ୍ତ ହୋଇପାରେ ।

 

ଆଖ୍ୟାନ, ବ୍ୟାଖ୍ୟାନ ଓ ବର୍ଣ୍ଣନା ପରସ୍ପର ସହିତ ସମ୍ପୃକ୍ତ, କିନ୍ତୁ ପରସ୍ପରଠାରୁ ଭିନ୍ନ । ଆଖ୍ୟାନଦ୍ୱାରା ଅର୍ଥାତ୍‌ ନାନା ଉଦାହରଣମୂଳକ ଘଟଣା କ୍ରମର ବିବୃତିଦ୍ୱାରା ବ୍ୟାଖ୍ୟାନ କରାଯାଇପାରେ, ପୁଣି ଅଂଶମାନଙ୍କର ବିଶଦ ବର୍ଣ୍ଣନାଦ୍ୱାରା ମଧ୍ୟ ବ୍ୟାଖ୍ୟାନ କରିବା ସମ୍ଭବପର ହୁଏ । ଗୋଟିଏ ଯୁଦ୍ଧରେ ଶିବାଜୀଙ୍କର ପରାଜୟ ହେଲା-ଏହି ପରାଜୟର ବ୍ୟାଖ୍ୟା ଦିଆାଯାଇପାରେ, ଅର୍ଥାତ ତାଙ୍କର ପରାଜୟର କାରଣ ସୂଚିତ ହୋଇପାରେ, ପରାଜୟର ପରିଣାମ ବା ପରିଣତି ନିର୍ଦ୍ଦେଶିତ ହୋଇପାରେ ଓ ତାଙ୍କର ପରାଜୟର ତୁଳନାମୂଳକ ଆଲୋଚନା ମଧ୍ୟ କରାଯାଇପାରେ । ଏହି ବ୍ୟାଖ୍ୟା ଦେବା ସମୟରେ ତାଙ୍କ ପରାଜୟ ବିଷୟରେ ନାନା ଆଖ୍ୟାନମାନ ଉଦାହରଣସ୍ୱରୂପ ଦିଆଯାଇପାରେ କିମ୍ବା ତାଙ୍କର ସୈନ୍ୟସଂଗଠନ ପ୍ରଭୃତିର ବର୍ଣ୍ଣନା ମଧ୍ୟ ଦିଆଯାଇପାରେ । ମାତ୍ର କେବଳ ଆଖ୍ୟାନ ବା ବର୍ଣ୍ଣନା ବ୍ୟାଖ୍ୟାର ସ୍ଥାନ ଗ୍ରହଣ କରିପାରେ ନାହିଁ, କାରଣ ସେମାନଙ୍କର ଉଦ୍ଦେଶ୍ୟ ମଧ୍ୟରେ ଅସ୍ପଷ୍ଟକୁ ସ୍ପଷ୍ଟ କରିବାର ପ୍ରୟାସ ଅନ୍ୟତମ ନୁହେଁ । ବସ୍ତୁତଃ ଆଖ୍ୟାନ ବା ବର୍ଣ୍ଣନା ବ୍ୟାଖ୍ୟାନର ଉପାଦାନ ହେଲେହେଁ ବ୍ୟାଖ୍ୟାନଠାରୁ ଭିନ୍ନ ।

 

ବ୍ୟାଖ୍ୟାନର ବିଷୟବସ୍ତୁର ଅନ୍ତର୍ନିହିତ ଉପାଦେୟତା ବା ଗୁଣଧର୍ମ ଥିବା ଆବଶ୍ୟକ, ଏଣୁ କେବଳ ବ୍ୟକ୍ତିବିଶେଷର ବ୍ୟାଖ୍ୟାନ କରିବା ସମ୍ଭବପର ନୁହେଁ, ମାତ୍ର କୌଣସି ବ୍ୟକ୍ତିର ବିଶେଷତ୍ୱର ବ୍ୟାଖ୍ୟାନ କରାଯାଇପାରେ ଓ ତାହାର ଯଥାଯଥ କାରଣ ନିର୍ଦ୍ଦେଶ କରାଯାଇପାରେ-। ଶିବାଜୀଙ୍କର ଅଙ୍ଗସୌଷ୍ଠବର ବର୍ଣ୍ଣନା କରାଯାଇପାରେ, ମାତ୍ର ତାଙ୍କର ସାଫଲ୍ୟର ବ୍ୟାଖ୍ୟା କରାଯାଇପାରେ । ଶିବାଜୀଙ୍କର ପ୍ରଭାବ ବିଷୟରେ ଆଖ୍ୟାନମାନ ଲିପିବଦ୍ଧ ହୋଇପାରେ, ତାଙ୍କର ପ୍ରଭାବର ବର୍ଣ୍ଣନା ମଧ୍ୟ ଦିଆଯାଇପାରେ, ପୁନରାୟ ତାଙ୍କ ପ୍ରଭାବର ବ୍ୟାଖ୍ୟା ମଧ୍ୟ ସମ୍ଭବପର । ଏଠାରେ ବିଷୟ ବସ୍ତୁ ଏକ ହେଲେହେଁ ରଚନାର ଉଦ୍ଦେଶ୍ୟ ବିଭିନ୍ନ ଓ ଉଦ୍ଦେଶ୍ୟର ପାର୍ଥକ୍ୟ ଘେନି ରଚନା ପଦ୍ଧତି ମଧ୍ୟ ଭିନ୍ନ ହେବା ସ୍ୱାଭାବିକ ।

 

ସାହିତ୍ୟକ ବ୍ୟାଖ୍ୟାନର ଏକ ପ୍ରଧାନ ଉଦାହରଣ ସାହିତ୍ୟିକ ସମାଲୋଚନା । ସମାଲୋଚନା ସମୟରେ କେତେକ କଳାଗତ ବିଧି ନିଷେଧ ବିବୃତ ହୋଇ ସେମାନଙ୍କର ବ୍ୟାଖ୍ୟାନ କରାଯାଇ ଓ ସେମାନଙ୍କୁ ବିଶେଷ ରଚନାରେ ପ୍ରୟୋଗ କରି ରଚନାର ଦୋଷ ଗୁଣ ନିର୍ଦ୍ଦେଶିତ ହୋଇପାରେ, କିମ୍ବା ସାହିତ୍ୟିକ ରଚନାରେ ଲେଖକର ରସସୃଷ୍ଟିର ବିଶ୍ଳେଷଣ କରି ତାହାର ବ୍ୟାଖ୍ୟା ମଧ୍ୟ କରାଯାଇପାରେ । ସମାଲୋଚନା ଗୁଣାବଧାରଣରେ ପର୍ଯ୍ୟବସିତ ହୋଇପାରେ କିମ୍ବା ବିଚାରମୂଳକ ମଧ୍ୟ ହୋଇପାରେ କିନ୍ତୁ ସମାଲୋଚନାରେ ମୁଖ୍ୟତଃ ବିଶ୍ଳେଷଣର ପ୍ରୟୋଗ କରାଯାଉ ଥିବାରୁ ଏହାକୁ ବ୍ୟାଖ୍ୟାନର ଉଦାହରଣ ବୋଲି ସ୍ୱୀକାର କରାଯାଇପାରେ । ଆମ୍ଭେମାନେ ସାହିତ୍ୟିକ ସମାଲୋଚନା ସହିତ ପରିଚିତ, ସାହିତ୍ୟିକ ରଚନାର ଗୁଣ ଦୋଷ ନିରୂପଣରେ ଅଭ୍ୟସ୍ତ, ସାହିତ୍ୟିକ ସୃଷ୍ଟିକୁ ବିଭିନ୍ନ ଉପାଦାନମାନଙ୍କରେ ବିଶ୍ଳିଷ୍ଟ କରି ସେମାନଙ୍କର ରଚନା ମାଧୁର୍ଯ୍ୟ ଉପଭୋଗ କରିବାକୁ ସମର୍ଥ, ଏଣୁ ବ୍ୟାଖ୍ୟାନ ଅତି ସାଧାରଣ ସାହିତ୍ୟିକ ରଚନା ।

 

ବ୍ୟାଖାନ ସାଧାରଣତଃ ତିନି ପ୍ରକାରରେ ରଚିତ ହୋଇପାରେ । କୌଣସି ବିଷୟରେ ସଂଜ୍ଞା ନିର୍ଦ୍ଦେଶଦ୍ୱାରା ତାହାର ବ୍ୟାଖ୍ୟା କରାଯାଇପାରେ । କୌଣସି ବିଷୟବସ୍ତୁକୁ ବିଶ୍ଳେଷିତ କରି ତାହାର ଅନ୍ତର୍ନିହିତ ଅଙ୍ଗପ୍ରତ୍ୟଙ୍ଗମାନଙ୍କୁ ପୃଥକ୍‌ ପୃଥକ୍‌ ଭାବରେ ନିର୍ଦ୍ଦେଶିତ କରିବାଦ୍ୱାରା ଓ ସେମାନଙ୍କର ଅଙ୍ଗପ୍ରକାଶ କରିବାଦ୍ୱାରା ମଧ୍ୟ ବ୍ୟାଖ୍ୟାନ କରାଯାଇପାରେ କିମ୍ବା କୌଣସି ବିଷୟର କାର୍ଯ୍ୟ କାରଣ ସମ୍ବନ୍ଧ ନିର୍ଦ୍ଦେଶ କରି ମଧ୍ୟ ତାହାର ବ୍ୟାଖ୍ୟା ଦିଆଯାଇପାରେ । ସାହିତ୍ୟିକ ରଚନାରେ ଆମ୍ଭେମାନେ ଏହି ତିନିପ୍ରକାର ବ୍ୟାଖ୍ୟାର ନିଦର୍ଶନ ପାଇଥାଉଁ । ସଂଜ୍ଞା ନିର୍ଦ୍ଦେଶ ସମୟରେ କେବଳ ଯେ ସଂଜ୍ଞା ମାତ୍ର ଦିଆଯାଏ ତାହା ନୁହେଁ; ବିଷୟବସ୍ତୁର ପରିଚୟ ମଧ୍ୟ ଦିଆଯାଇଥାଏ । ବିଷୟବସ୍ତୁର ଇତିହାସ ଦେବାଦ୍ୱାରା ଓ ଅନ୍ୟ ବିଷୟବସ୍ତୁମାନଙ୍କ ସହିତ ତୁଳନା କରିବାଦ୍ୱାରା ମଧ୍ୟ ଆମ୍ଭମାନଙ୍କ ମନରେ ତାହାର ସ୍ଥିରରୂପ ଅଙ୍କିତ କରାଯିବାର ପ୍ରୟାସ ଥାଏ । ସଂଜ୍ଞା ଭ୍ରାନ୍ତ ଅଥବା ସତ୍ୟ ତାହା ସାହିତ୍ୟିକ ବ୍ୟାଖ୍ୟାନର ପ୍ରଧାନ ବିଚାର୍ଯ୍ୟ ବିଷୟ ନୁହେଁ ; ସଂଜ୍ଞା ମନୋଜ୍ଞ ଭାବରେ ପ୍ରକାଶିତ କି ନୁହେ ଏହାହିଁ ପ୍ରଥମ ବିଚାର୍ଯ୍ୟ । ସାହିତ୍ୟିକ ବ୍ୟାଖ୍ୟା ଏହି କାରଣରୁ ଦାର୍ଶନିକ ସଂଜ୍ଞାଠାରୁ ପୃଥକ୍‌, କାରଣ ଦାର୍ଶନିକ ସଂଜ୍ଞା କେବଳ ସତ୍ୟତା ଉପରେ ପ୍ରତିଷ୍ଠିତ, ତର୍କଦ୍ୱାରା ଅନୁମୋଦିତ; କିନ୍ତୁ ସାହିତ୍ୟିକ ସଂଜ୍ଞା ମଧ୍ୟରେ ଭାଷାର କମନୀୟତା, କଳ୍ପନାର ଅବଲମ୍ବନ ପ୍ରଭୃତି ମଧ୍ୟ ଦେଖିବାକୁ ହୁଏ । ‘ପ୍ରବନ୍ଧ ସୋପାନ’ରେ ‘ସଭ୍ୟତା’ର ଯେଉଁ ବ୍ୟାଖ୍ୟା ଦିଆଯାଇଅଛି, ତାକୁ ଆଲୋଚନା କଲେ ଏହା ସହଜରେ ପ୍ରତପାଦିତ ହୋଇ ପାରିବ । ପ୍ରବନ୍ଧଟିର ମୂଳ ପ୍ରତିପାଦ୍ୟ ବିଷୟ ‘‘ସଭ୍ୟ ମନୁଷ୍ୟ ଅସଭ୍ୟଠାରୁ କେବଳ ପରିମାଣତଃ ନୁହେଁ ଗୁଣତଃ ଭିନ୍ନ’’ ଅର୍ଥାତ୍‌ ପ୍ରବନ୍ଧରେ ତୁଳନାମୂଳକ ଭାବରେ ସଭ୍ୟ ଓ ଅସଭ୍ୟ ଲୋକର ଗୁଣ କ୍ରିୟା ପ୍ରଭୃତିର ବ୍ୟାଖ୍ୟା ଦେବାର ଚେଷ୍ଟା କରାଯାଇଅଛି ଓ ଏହିପରି ତୁଳନାଦ୍ୱାରା ସଭ୍ୟତାର ସଂଜ୍ଞା ପ୍ରତିଷ୍ଠିତ ହୋଇଅଛି, ମାତ୍ର ‘ସଭ୍ୟତା ମାନବିକ କ୍ଷମତାର ବହୁତୋମୁଖୀ ବିକାଶ’ ବାସ୍ତବରେ ଦାର୍ଶନିକ ତଥ୍ୟ ନୁହେଁ, କାରଣ ବିକାଶର ଉତ୍କର୍ଷ ସର୍ବଦା ସ୍ୱୀକାର କରିବାକୁ ହୁଏ; ମାତ୍ର ପ୍ରବନ୍ଧର ଶେଷ ଭାଗରେ ସଭ୍ୟତାର ଆଧୁନିକ ରୂପ ମଧ୍ୟରେ କ୍ଷମତାର ଅପପ୍ରୟୋଗର ଦୃଷ୍ଟାନ୍ତ ମଧ୍ୟ ଦିଆଯାଇଅଛି । ପୁଣି ଭାଷାତତ୍ତ୍ୱରେ ଭାଷାର ଇତିହାସଗତ କ୍ରମବିକାଶର ଚିତ୍ର ଦିଆଯାଇ ବିଶିଷ୍ଟ ପଦମାନଙ୍କର ବ୍ୟାଖ୍ୟା ଦିଆଯାଇ ଥାଏ ଓ ‘ଓଡ଼ିଆ ସାହିତ୍ୟର ଇତିହାସ’ ମଧ୍ୟରେ ସାହିତ୍ୟର ବିକାଶର ଇତିହାସ ଦିଆଯାଇ ସାହିତ୍ୟିକ ଉପାଦାନମାନଙ୍କର ବ୍ୟାଖ୍ୟା ଦେବାର ମଧ୍ୟ ଚେଷ୍ଟା କରାଯାଇଅଛି । ଏପରି ବ୍ୟାଖ୍ୟାନମାନ ସଂଜ୍ଞାନିର୍ଦ୍ଦେଶକ ବ୍ୟାଖ୍ୟାନର ଅନ୍ତର୍ଗତ ବୋଲି ସ୍ୱୀକାର୍ଯ୍ୟ ।

 

ପୁଣି ବ୍ୟାଖ୍ୟାନ ବିଶ୍ଳେଷଣାତ୍ମକ ହୋଇପାରେ । ଶ୍ରେଣୀ ନିର୍ଦ୍ଦେଶ ଓ ପ୍ରତ୍ୟେକ ଅଙ୍ଗର ଅର୍ଥ ନିର୍ଦ୍ଦେଶ ପ୍ରଭୃତିଦ୍ୱାରା କଳ୍ପନାକୁ ଉଦ୍ଦୀପିତ କରାଯାଇ ତଥ୍ୟର ସ୍ୱୀକୃତିରେ ସାହାଯ୍ୟ କରିବା ବିଶ୍ଳେଷଣର ଉଦ୍ଦେଶ୍ୟ । ସାହିତ୍ୟିକ ବିଶ୍ଳେଷଣ ବୈଜ୍ଞାନିକ ବିଶ୍ଳେଷଣଠାରୁ ଭିନ୍ନ, ସାହିତ୍ୟରେ ସବୁ ସମୟରେ ସମଗ୍ର ପଦାର୍ଥକୁ ସମଗ୍ରଭାବରେ ଦେଖିବାର ପ୍ରୟାସ ଥାଏ ଓ ବିଶ୍ଳେଷଣ ମଧ୍ୟରେ ସଂଶ୍ଳିଷ୍ଟତା ପ୍ରତି ଲେଖକର ମନ ସର୍ବଦା ଜାଗ୍ରତ ଥାଏ; ମାତ୍ର ବୈଜ୍ଞାନିକ ବିଶ୍ଳେଷଣରେ ପ୍ରତ୍ୟେକ ବସ୍ତୁର ପ୍ରତ୍ୟେକ ଅଂଶକୁ ସୂକ୍ଷ୍ମ ଭାବରେ ଓ ପୃଥକ୍‌ ପୃଥକ୍‌ ଭାବରେ ଦେଖିବାର ପ୍ରୟାସ ଥାଏ । ସାହିତ୍ୟିକ ବିଶ୍ଳେଷଣର କେତେକ ସ୍ଥଳରେ ପୃଥକ୍‌ ପୃଥକ୍‌ ଅଙ୍ଗମାନ ନିର୍ଦ୍ଦେଶିତ ହୋଇ ପରେ ସେମାନଙ୍କର ସମଗ୍ର ରୂପ ସୂଚିତ ହୁଏ । ପୁଣି ଅନେକ ସ୍ଥଳରେ ପ୍ରଥମେ ସମଗ୍ର ବିଷୟବସ୍ତୁଟିକୁ ପ୍ରକାଶ କରାଯାଇ ପରେ ତାହାର ବିଶ୍ଳେଷଣ କରାଯାଇଥାଏ । ‘ଏହା ସତ୍ୟ ଯେ ସ୍ୱାମୀ, ସ୍ତ୍ରୀ, ଜ୍ଞାତି, କୁଟୁମ୍ବ କେହି ଚିରଦିନପାଇଁ ରହନ୍ତି ନାହିଁ, କି ରହି ପାରିବେ ନାହିଁ । ଆଜି ଯେ ବର୍ତ୍ତମାନ, କାଲି ସେ ଅବର୍ତ୍ତମାନ । କେହି ବା ଅଳ୍ପଦିନପାଇଁ, କେହି ବା ଅପେକ୍ଷାକୃତ ଅଧିକ ଦିନପାଇଁ ପାରିବାରିକ କାର୍ଯ୍ୟରେ ଯୋଗ ଦେଇଥାନ୍ତି । ପାରିବାରିକ ପ୍ରତ୍ୟେକ ଲୋକ ଯେ ଅସ୍ଥାୟୀ, ତାହାର ଚାକ୍ଷୁଷ ପ୍ରମାଣ ବର୍ତ୍ତମାନ’ (ପ୍ରବନ୍ଧସୋପାନ ୫୯) ବାକ୍ୟମାନଙ୍କରେ ଶେଷ ବାକ୍ୟର ବିଶ୍ଳେଷିତ ବ୍ୟାଖ୍ୟା ପୂର୍ବ ବାକ୍ୟମାନଙ୍କରେ ଦିଆଯାଇଅଛି, ଅର୍ଥାତ୍‌ ପ୍ରଥମ ବାକ୍ୟରେ ‘ଅସ୍ଥାୟିତ୍ୱ’ର ପରିମାଣଗତ ବିଶ୍ଳେଷଣ ପ୍ରଥମ ଦୁଇ ବାକ୍ୟରେ ଦିଆଯାଇ, କାଳଗତ ବିଶ୍ଳେଷଣ ତୃତୀୟ ବାକ୍ୟରେ ଦିଆଯାଇଅଛି, ପୁଣି ଶେଷ ବାକ୍ୟରେ ସମଗ୍ର ଭାବକୁ ଏକତ୍ର ‘ପ୍ରତ୍ୟେକ ଲୋକ’ ର ‘ଅସ୍ଥାୟିତ୍ୱ’ଦ୍ୱାରା ସୂଚିତ କରାଯାଉଅଛି । ପୁଣି ‘ସଂଖ୍ୟାବହୁଳ ସମାଜରେ ମାନବର ଜୀବନସମସ୍ୟା କ୍ରମଶଃ ଉତ୍କଟତର ହୋଇପଡ଼ୁଛି । ଛାତ୍ର ଓ ଶିକ୍ଷକ, ମୂଲିଆ ଓ ମାଲିକ, ଯୋଗ୍ୟ ଓ ଅଯୋଗ୍ୟ ସମସ୍ତେ ନିଜର ଭବିଷ୍ୟତ ଘେନି ଚିନ୍ତାଜର୍ଜରିତ । ଜନସାଧାରଣରେ ହସ କୌତୁକ, ଆହ୍ଲାଦ ଆମୋଦର ମାତ୍ରା କମ, ସଂଶୟ ନୈରାଶ୍ୟର ମାତ୍ରା ବେଶୀ’ (ପ୍ରବନ୍ଧ ସୋପାନ ୭୨) ବାକ୍ୟମାନଙ୍କରେ ପ୍ରଥମେ ସମଗ୍ର ବାକ୍ୟ ଦିଆଯାଇ ପରେ ବିଶ୍ଳେଷଣଦ୍ୱାରା ତାହାର ବ୍ୟାଖ୍ୟା କରାଯାଇଅଛି; ’ମାନବ’, ‘ଜୀବନସମସ୍ୟା’, ‘ଉତ୍କଟତର’ ମୂଲ ବାକ୍ୟର ଏହି ତିନିଗୋଟି ମୁଖ୍ୟଭାବକୁ ବିଶ୍ଳେଷିତ କରି ପରବର୍ତ୍ତୀ ବାକ୍ୟମାନଙ୍କରେ ତାହାର ଅର୍ଥକୁ ସ୍ପଷ୍ଟ କରାଯାଉଅଛି । ‘ସାଉଣ୍ଟା ଚାଙ୍ଗୁଡ଼ି’(ପୃ୩୨)ରେ ‘ଯୀଶୁ ମୁଣ୍ଡ ନୁଆଇଁ ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ’ ବାକ୍ୟଟିର ବ୍ୟାଖ୍ୟା ଦେବା ଉଦ୍ଦେଶ୍ୟରେ ଲେଖକ ବାକ୍ୟର ପ୍ରତ୍ୟେକ ଅଂଶର ଅର୍ଥ ନିର୍ଦ୍ଦେଶ କରିବାକୁ ସଚେଷ୍ଟ ହୋଇଅଛନ୍ତି; ଅର୍ଥାତ୍‌ ‘ମୁଣ୍ଡ ନୁଆଇ’’, ‘ଆଙ୍ଗୁଳି ଦେଇ’ ‘ଭୂମିରେ ଲେଖିବା’ ରୂପ ପ୍ରତ୍ୟେକ କାର୍ଯ୍ୟର ବିଶଦ ଅର୍ଥ ଦେଇ ସମଗ୍ର ବାକ୍ୟର ଅର୍ଥକୁ ସ୍ଫୁଟ କରିବାର ଚେଷ୍ଟା କରିଅଛନ୍ତି । ଏପରି ଅର୍ଥ ନିର୍ଦ୍ଦେଶରେ ବିଶ୍ଳେଷଣର ସାହାଯ୍ୟ ସର୍ବଦା ସ୍ୱୀକାର କରିବାକୁ ହୁଏ ।

 

ବ୍ୟାଖ୍ୟାନର ତୃତୀୟ ଉପାୟ କାରଣ ନିର୍ଦ୍ଦେଶ । ଶିବାଜୀଙ୍କର ପରାଜୟର ବ୍ୟାଖ୍ୟା ଦେବାକୁ ହେଲେ କାହିଁକି ପରାଜୟ ଘଟିଲା ତାହା ବିସ୍ତୃତ ଭାବରେ ନିର୍ଦ୍ଦେଶିତ କରିବାକୁ ହୁଏ । କାରଣ ନିର୍ଦ୍ଦେଶ କରିବାକୁ ହେଲେ କେତେକ କ୍ଷେତ୍ରରେ କାରଣମାନ ଦିଆଯାଇ ଶେଷରେ କାରଣର ପରିଣତି ବିବୃତ ହୋଇଥାଏ । କେତେକ କ୍ଷେତ୍ରରେ ପୁଣି ମୂଳ ବିଷୟଟି ପ୍ରଥମରେ ଦିଆଯାଇପାରେ ତାହାର କାରଣମାନ ନିର୍ଦ୍ଦେଶିତ ହୋଇଥାଏ । ‘ସାଉଣ୍ଟା ଚାଙ୍ଗୁଡ଼ିର’ (ପୃ୬୨) ଗୋଟିଏ ଅନୁଚ୍ଛେଦର ପ୍ରଥମ ପଂକ୍ତି ‘ମୁଁ ଦୁଆର ଫିଟାଏ ନାହିଁ କାହିଁକି ?’; ପରବର୍ତ୍ତୀ ବାକ୍ୟମାନଙ୍କରେ ଦୂଆର ନ ଫିଟାଇବାର କାରଣମାନ ଲିଖିତ ହୋଇଅଛି, ପୁଣି (୯୯ ପୃ) ଅନ୍ୟତ୍ର ଗୋଟିଏ ଅନୁଚ୍ଛେଦର ଶେଷରେ ‘‘ଅତଏବ ବର୍ତ୍ତମାନ ଯୁଗର ଯୁବକର ମନୋଯୋଗ ଆକର୍ଷଣ କରିବା ସକାଶେ ଏ ଧର୍ମରେ ଯଥେଷ୍ଟ ବୀରତ୍ୱ ଅଛି’’ ବାକ୍ୟ ଦେବାଦ୍ୱାରା ଲେଖକ ଦେଖାଇ ଦେଇଅଛନ୍ତି ଯେ, ବାକ୍ୟଟି କେବଳ ପୂର୍ବ ଲିଖିତ କାରଣମାନଙ୍କର ଫଳ ବା ପରିଣତି (effect) ରୂପେ କଳ୍ପିତ । କାର୍ଯ୍ୟ କାରଣ ନିର୍ଦ୍ଦେଶକ ବ୍ୟାଖ୍ୟାନର ଏହି ଦୁଇ ରୂପକୁ ଲେଖକମାନେ ନାନା ଭାବରେ ବ୍ୟବହାର କରିଥାନ୍ତି । ଅନେକ କ୍ଷେତ୍ରରେ କାରଣ ନିର୍ଦ୍ଦେଶ ସହିତ ବିଶ୍ଳେଷଣ ବା ଉଦାହରଣ ମଧ୍ୟ ମିଶ୍ରିତ ହୋଇ ଯାଇଥାଏ । ଅନେକ ସ୍ଥାନରେ ପୁଣି ତୁଳନାମୂଳକ ସର୍ବଜନଗ୍ରାହ୍ୟ ବିଷୟ ନିର୍ଦ୍ଦେଶଦ୍ୱାରା ମଧ୍ୟ ବ୍ୟାଖ୍ୟାନ କରିବାର ପ୍ରୟାସ କରାଯାଇଥାଏ, ମାତ୍ର ବ୍ୟାଖ୍ୟାନ ସବୁ କ୍ଷେତ୍ରରେ ସରସ ସାହିତ୍ୟିକ ଭିତ୍ତି ଉପରେ ପ୍ରତିଷ୍ଠିତ ହେବାହିଁ ବିଧି, ନୀରସ ବୈଜ୍ଞାନିକ ବା ଦାର୍ଶନିକ ବ୍ୟାଖ୍ୟାସାହିତ୍ୟରେ ସ୍ୱୀକୃତ ହୋଇପାରେ ନାହିଁ ।

 

ବ୍ୟାଖ୍ୟାନର ଭାଷା ଗୁରୁତ୍ୱପୂର୍ଣ୍ଣ ଓ ବିଜ୍ଞଜନୋଚିତ ହେବା ଆବଶ୍ୟକ । ଏଥିରେ ଆବେଗର ସ୍ଥାନ ନାହିଁ କାରଣ ଯେଉଁଠାରେ ଆବେଗର ଆଭାସ ଥାଏ ସେହିଠାରେ ତାହାର ତତ୍ତ୍ୱନିର୍ଦ୍ଦେଶକ ଶକ୍ତି ବ୍ୟାହତ ହୁଏ । ଏଥିରେ କଳ୍ପନାର ସ୍ଥାନ ଅଳ୍ପ, କାରଣ ମୁଖ୍ୟତଃ ବ୍ୟାଖ୍ୟାନ ବୁଦ୍ଧିଗ୍ରାହ୍ୟ ଓ କଳ୍ପନା ସାଧାରଣତଃ ବୁଦ୍ଧିବୃତ୍ତିକୁ ପ୍ରତିହତ କରେ । ମାତ୍ର ଆବେଗ ବା କଳ୍ପନା ସମ୍ପୂର୍ଣ୍ଣ ଭାବେ ପରିହୃତ ହେଲେ ବ୍ୟାଖ୍ୟାନ ନୀରସ ହୋଇ ଯିବା ସମ୍ଭବ । ବ୍ୟାଖ୍ୟାନର ଭାଷା ମଧ୍ୟ ଜଟିଳ ହେବା ଉଚିତ ନୁହେଁ, କାରଣ ଭାଷା ଜଟିଳ ହେଲେ ତାହାର ଅର୍ଥ ମଧ୍ୟ ସ୍ପଷ୍ଟ ହୁଏ ନାହିଁ । ବ୍ୟାଖ୍ୟାନରେ ବାକ୍‌ଚାତୁରୀପୂର୍ଣ୍ଣ କିମ୍ବା ହାସ୍ୟରସମୁଖର ଭାଷା ସମ୍ପୂର୍ଣ୍ଣ ପରିତ୍ୟାଜ୍ୟ, କାରଣ ଏ ସବୁଦ୍ୱାରା ବ୍ୟାଖ୍ୟନର ଅନ୍ତର୍ନିହିତ ଭାବ ବିଶ୍ଳେଷଣରେ ସରସତା ନଷ୍ଟ ହୋଇ ଯାଇପାରେ । ସରଳ ମାତ୍ର ଗମ୍ଭୀର ଭାଷା ବ୍ୟାଖ୍ୟାନର ବିଶେଷ ଉପଯୋଗୀ ଓ ସାଧାରଣତଃ ଏହିପରି ଭାଷାହିଁ ସମାଲୋଚନା ପ୍ରଭୃତିରେ ବ୍ୟବହୃତ ହୋଇଥାଏ ।

 

ବର୍ଣ୍ଣନା-ରଚନାର ତୃତୀୟ ପ୍ରକାର ରୂପ ବର୍ଣ୍ଣନା । ବର୍ଣ୍ଣନା କୌଣସି ସ୍ଥିର ପଦାର୍ଥର ବିବୃତି, ଏହା ଆଖ୍ୟାନ ଓ ବ୍ୟାଖ୍ୟାନଠାରୁ ଭିନ୍ନ । ଆଖ୍ୟାନରେ ଯେପରି କାଳକ୍ରମ ଅଛି, ଆଖ୍ୟାନରେ ଯେପରି ଘଟନାପରମ୍ପରା ଅଛି, ବର୍ଣ୍ଣନାରେ ସେ ସବୁ ନାହିଁ; ବର୍ଣ୍ଣନା ସ୍ଥିର ଚିତ୍ର, ଘଟଣାସ୍ରୋତର ଚଳଚ୍ଚିତ୍ର ନୁହେଁ । ପୁଣି ବର୍ଣ୍ଣନା ବ୍ୟାଖ୍ୟାନଠାରୁ ମଧ୍ୟ ଭିନ୍ନ, କାରଣ ବ୍ୟାଖ୍ୟାନ ଗୋଟିଏ ଭାବରେ ବିଶ୍ଳେଷଣ ଓ ଅର୍ଥ ନିର୍ଦ୍ଦେଶରେ ବ୍ୟାପୃତ, ମାତ୍ର ବର୍ଣ୍ଣନାର ମୁଖ୍ୟ ଉଦ୍ଦେଶ୍ୟ ଆଲେଖ୍ୟସୃଷ୍ଟି । ବର୍ଣ୍ଣନାରେ ଚିତ୍ରର ଅଙ୍ଗପ୍ରତ୍ୟଙ୍ଗମାନଙ୍କୁ ପୃଥକ୍‌ ପୃଥକ୍‌ ଭାବରେ ନିର୍ଦ୍ଦେଶିତ କରିବା ସମ୍ଭବ ହେଲେହେଁ ଏହାର ମୂଳ ଉଦ୍ଦେଶ୍ୟ ବିଶ୍ଳେଷଣ ନୁହେଁ, ଏହାର ଉଦ୍ଦେଶ୍ୟ ପାଠକର ମାନସପଟରେ ଗୋଟିଏ ଚିତ୍ରକୁ ଉଦ୍ଭାସିତ କରିବା, ଗୋଟିଏ ସମଗ୍ର ବସ୍ତୁର ଚିତ୍ର ତାହାର ମାନସ-ନେତ୍ର ସମ୍ମୁଖରେ ଉପସ୍ଥାପିତ କରିବା । ଫଟୋଗ୍ରାଫରେ ବା ଚିତ୍ରାଙ୍କନଦ୍ୱାରା ଯେପରି ଗୋଟିଏ ସମଗ୍ର ଚିତ୍ର ଅଙ୍କିତ କରାଯାଇପାରେ, ସାହିତ୍ୟିକ ବର୍ଣ୍ଣନାରେ ତାହା କରିବା ସମ୍ଭବ ନୁହେ, କାରଣ ଭାଷା ଏକତ୍ର ସମଗ୍ର ଚିତ୍ର ଉପସ୍ଥାପିତ କରିବାକୁ ଅସମର୍ଥ; ତେଣୁ ଭାଷାଦ୍ୱାରା ଗୋଟିକ ପରେ ଗୋଟିକ ଚିତ୍ର ବିକଶିତ ହୋଇଉଠେ, କିନ୍ତୁ ଗୋଟିଏ ସ୍ଥିର ବସ୍ତୁର ସମ୍ପୂର୍ଣ୍ଣ ଚିତ୍ର ନିଖୁଣ ଭାବରେ ଅଙ୍କିତ କରିବା ବର୍ଣ୍ଣନାର ଉଦ୍ଦେଶ୍ୟ । ଚିତ୍ରର ଅଂଶବିଶେଷକୁ ସମଗ୍ର ଚିତ୍ରର ପରିପୋଷକରୂପରେ କଳ୍ପନା ନ କଲେ ଚିତ୍ରଟି କେବେହେଁ ମନୋଜ୍ଞ ହୋଇ ନପାରେ ।

 

ଯେ କୌଣସି ବିଷୟର ବା ବସ୍ତୁର ସ୍ଥାନ, କାଳ ବା ପାତ୍ରର ବର୍ଣ୍ଣନା ଦିଆଯାଇପାରେ । ସାହିତ୍ୟରେ ନାନା ନଗରୀର, ନାନା ବ୍ୟକ୍ତିର, ଋତୁ ବୈଚିତ୍ର୍ୟର, ସାମାଜିକ ପରିସ୍ଥିତି ପ୍ରଭୃତିର ବର୍ଣ୍ଣନା ଆମ୍ଭେମାନେ ଅହରହଃ ପାଇଥାଉଁ । ନାନା ଯୁଦ୍ଧର ବର୍ଣ୍ଣନା, ନାନା ସୁନ୍ଦର ପ୍ରାକୃତିକ ଦୃଶ୍ୟର ବର୍ଣ୍ଣନା ସହିତ ଆମ୍ଭେମାନେ ପରିଚିତ, କିନ୍ତୁ ବିଷୟବସ୍ତୁର ଯଥାଯଥ ନିର୍ବାଚନ ଉପରେ ବର୍ଣ୍ଣନାର ଉତ୍କର୍ଷ ନିର୍ଭର କରେ । ବିଷୟ ବସ୍ତୁ ଯେତେ ବିସ୍ମୟ ଉତ୍ପାଦନ କରିବାକୁ ସମର୍ଥ ହେବ, ବିଷୟଟି ଯେତେ ଚିତ୍ତାକର୍ଷକ ହେବ, ବ୍ୟକ୍ତିତ୍ୱ ଯେତେ ଚମତ୍କାରିଯୁକ୍ତ ହେବ, ସ୍ଥାନ ବା କାଳ ଯେତେ ମନୋରମ ହେବ, ବର୍ଣ୍ଣନା ତେତେ ମନୋଜ୍ଞ ହେବା ସ୍ୱାଭାବିକ । ବିଷୟବସ୍ତୁ ମଧ୍ୟରେ ଚମତ୍କାରିତାର ଆଭାସ ନ ଥିଲେ, ଚମତ୍କାରିତାର ଆରୋପଦ୍ୱାରା ବର୍ଣ୍ଣନାକୁ ମନୋହର କରିବାକୁ ହୁଏ, ଏହି କାରଣରୁ ବର୍ଣ୍ଣନା ନିଛକ ଛାୟାଚିତ୍ର ମାତ୍ର ନୁହେଁ, ଏହାର ପ୍ରତ୍ୟେକ ଅଙ୍ଗ କଳ୍ପନାଦ୍ୱାରା ଅନୁରଞ୍ଜିତ, ଏହାର ପ୍ରତ୍ୟେକ ବର୍ଣ୍ଣ କଳ୍ପନାଦ୍ୱାରା ଉଦ୍ଦୀପିତ । ‘ମରାଳମାଳିପୀ ନୀଳାମ୍ବୁ ଚିଲିକା ’ କେବଳ ଗୋଟିଏ ବୃହତ୍‌ଜଳଧାରର ଚିତ୍ର ନୁହେଁ, ଏହା କବିକଳ୍ପନାଦ୍ୱାରା ଅନୁରଞ୍ଜିତ ହୋଇ, ନାନା କାଳ୍ପନିକ ଚିତ୍ରଦ୍ୱାରା ସୁଶୋଭିତ ହୋଇ, ନାନା ଭାବାବେଶଦ୍ୱାରା ମୁଖରିତ ହୋଇ ଉତ୍କଳ କମଳା ବିଳାସ ଦୀର୍ଘକାରେ ପରିଣତ ହୋଇଅଛି । ବର୍ଣ୍ଣନୀୟ ବସ୍ତୁର ଅନ୍ତର୍ନିହିତ ମାଧୁର୍ଯ୍ୟ ନ ଥିଲେ ତାହା କେବେହେଁ ଚିତ୍ତାକର୍ଷଣ ହୋଇ ନପାରେ; ବ୍ୟକ୍ତିତ୍ୱ ମଧ୍ୟରେ ବିଶେଷତ୍ୱ ନ ଥିଲେ ତାହା କେବେହେଁ ବର୍ଣ୍ଣନାର ବିଷୟରୂପେ ପରିଗଣିତ ହୋଇ ନପାରେ । ଏଠାରେ ସ୍ମରଣ ରଖିବାକୁ ହେବ ଯେ, ବ୍ୟକ୍ତିର ବର୍ଣ୍ଣନା ତାହାର ଜୀବନବୃତ୍ତାନ୍ତ ନୁହେଁ କାରଣ ଜୀବନବୃତ୍ତାନ୍ତ ଚଳମାନ ଆଖ୍ୟାନ, ବର୍ଣ୍ଣନା ତାହାର ବ୍ୟକ୍ତିତ୍ୱର ସାମୟିକ ଚିତ୍ର । ସେହିପରି ଯୁଦ୍ଧର ବର୍ଣ୍ଣନା ଆଖ୍ୟାନରେ ପରିଣତ ହେବା ସହଜ, ମାତ୍ର ଯୁଦ୍ଧବିଷୟକ ଆଖ୍ୟାନ ଓ ଯୁଦ୍ଧର ବର୍ଣ୍ଣନା ବିଭିନ୍ନ ପଦାର୍ଥ; ବର୍ଣ୍ଣନା ଗୋଟିଏ ମୁହୂର୍ତ୍ତର ଚିତ୍ର, ସରସ ଗତିଶୀଳ ଚଳଚ୍ଚିତ୍ର ନୁହେଁ । ତେଣୁ ବର୍ଣ୍ଣନାରେ ଭୀଷଣତାର ବର୍ଣ୍ଣନା, ବ୍ୟକ୍ତିତ୍ୱ ବର୍ଣ୍ଣନାରେ ପ୍ରତିଭାର ଚିତ୍ର, ସ୍ଥାନ ବା କାଳର ବର୍ଣ୍ଣନାରେ ମନୋହାରିତ୍ୱର ଆଲେଖ୍ୟ ପାଠକ ପ୍ରତ୍ୟାଶା କରିଥାଏ । ତେଣୁ ବର୍ଣ୍ଣନୀୟ ବସ୍ତୁ ଅତି ସାଧାରଣ ହେଲେ ତାହା କେବେହେଁ ହୃଦୟଗ୍ରାହୀ ହୋଇପାରେ ନାହିଁ ।

 

ବିଷୟ ନିର୍ବାଚନରେ ଲେଖକକୁ କେତେକ ବିଷୟ ପ୍ରତି ଅବହିତ ହେବାକୁ ପଡ଼େ । ବର୍ଣ୍ଣନାର ମୂଳ ଅବଲମ୍ବନ ବିସ୍ମୟ । ନିର୍ବାଚିତ ବିଷୟଟି ଅତି ପରିଚିତ ହେଲେ ତାହା ବିସ୍ମୟଜନକ ହୁଏ ନାହିଁ, କିମ୍ବା ଏକାନ୍ତ ଅପରିଚିତ ହେଲେ ମଧ୍ୟ କୌତୂହଳୋଦ୍ଦୀପକ ହେବା ସମ୍ଭବ ନୁହେଁ । ଅପରିଚିତ ନୁହେଁ କିମ୍ବା ଅତି ପରିଚିତ ନୁହେଁ ଏହିପରି ବିଷୟବସ୍ତୁକୁ ନିର୍ବାଚନ କରିବା ପ୍ରୟୋଜନ ହୁଏ । ଏହି କାରଣରୁ ହିମାଳୟ, ଚିଲିକା, କପିଳାସ, ସିଂହଳ, ଶିବାଜୀ ପ୍ରଭୃତିଙ୍କର ବର୍ଣ୍ଣନା କରାଯାଇଥାଏ । କିନ୍ତୁ ବିଷୟବସ୍ତୁ ଅତି ପରିଚିତ ଥିଲେ କଳ୍ପନାଦ୍ୱାରା ଏହାର ଅପରିଚିତ ମନୋହରିତ୍ୱକୁ ସୁପରିସ୍ଫୁଟ କରିବାକୁ ହୁଏ; ପୁଣି ଏକାନ୍ତ ଅପରିଚିତ ଥିଲେ ତାହାର ଆବେଷ୍ଟନୀମାନଙ୍କ ବର୍ଣ୍ଣନା ଦିଆଯାଇ ସେମାନଙ୍କୁ ପରିଚିତ କରିବାର ପ୍ରୟାସ କରାଯାଇଥାଏ । ଏହି ସବୁ କାରଣରୁ ବିଷୟବସ୍ତୁର ନିର୍ବାଚନ ଉପରେ ବର୍ଣ୍ଣନାର ମନୋହାରିତ୍ୱ ବିଶେଷ ପରିମାଣରେ ନିର୍ଭର କରେ ।

 

କୌଣସି ବିଷୟର ବର୍ଣ୍ଣନା କରିବାକୁ ହେଲେ ପ୍ରଥମରେ ତାହାର ଅଂଶମାନଙ୍କର ପରିଚୟ ଦେବା ପ୍ରୟୋଜନ ହୁଏ; ଏଣୁ ଅଂଶମାନଙ୍କର ନିର୍ଦ୍ଦେଶ ମଧ୍ୟ ଚମତ୍କାରିତା ଦିଗରୁ ଆଲୋଚନା କରିବାକୁ ହୁଏ । କୌଣସି ବିଷୟର ବର୍ଣ୍ଣନାରେ ଯେ ସବୁ ଅଂଶଗୁଡ଼ିକର ସବିଶେଷ ବର୍ଣ୍ଣନା (detail) ସନ୍ନିବେଶିତ କରିବାକୁ ହେବ ତାହା ନୁହେଁ, ବରଂ ସବିଶେଷ ବର୍ଣ୍ଣନାର ଆତିଶଯ୍ୟାରୁ ବା ଆଧିକ୍ୟରୁ ବର୍ଣ୍ଣନାର ସରସତା ନଷ୍ଟ ହୋଇଯିବା ସମ୍ଭବ; ମାତ୍ର ସବିଶେଷ ବର୍ଣ୍ଣନାମାନ ଯଥାଯଥ ଭାବରେ ସନ୍ନିବେଶିତ ନ ହେଲେ ବର୍ଣ୍ଣନାଟି ଅସଷ୍ଟ ରହିଯାଏ । ଯେଉଁ ଲେଖକ କେବଳ ବନସ୍ଥ ବୃକ୍ଷମାନଙ୍କ ବିଷୟରେ ଅଯଥା ବ୍ୟାପୃତ ସେ ବନର ଚିତ୍ର ଦେବାକୁ ଅପାରଗ, ପୁଣି ଯେଉଁ ଲେଖକ କେବଳ ଦୂରରୁ ବନର ଚିତ୍ର ଦେଖି ବର୍ଣ୍ଣନାରେ ପ୍ରବୃତ୍ତ ହୁଏ, ତାହାର ଚରନାରେ ବୃକ୍ଷ ଲତାଦିର ସବିଶେଷ ବର୍ଣ୍ଣନାଜନିତ ସରସତା ରହିପାରେ ନାହିଁ । ଏଣୁ ବିଷୟବସ୍ତୁ ନିର୍ବାଚନ ପରି ବର୍ଣ୍ଣନୀୟ ଅଂଶମାନଙ୍କର ନିର୍ଦ୍ଦେଶ ମଧ୍ୟ ଏକାନ୍ତ ପ୍ରୟୋଜନ, ମାତ୍ର ତାହା ବାସ୍ତବରେ ଲେଖକର କଳାଜ୍ଞାନ ଓ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ । ସାହିତ୍ୟିକ ବର୍ଣ୍ଣନା ମଧ୍ୟରେ, ବର୍ଣ୍ଣନୀୟ ବସ୍ତୁର ଆଲେଖ୍ୟ ମଧ୍ୟରେ, ଲେଖକର ବ୍ୟକ୍ତିତ୍ୱ ସର୍ବଦା ପ୍ରତିଫଳିତ; ଆଲେଖ୍ୟ ଦେଖି ଯଦି ରୂପକାରର ବ୍ୟକ୍ତିତ୍ୱ ବିଷୟରେ ଆମ୍ଭମାନଙ୍କର ସ୍ଥିର ଧାରଣା ନ ଜନ୍ମେ, ତାହାର ରୁଚି, ମାନସିକ ପ୍ରବୃତ୍ତି, ଭାବାବେଶ, ଶିକ୍ଷା, ଦୀକ୍ଷା ପ୍ରଭୃତି ବିଷୟରେ ପାଠକ ମନରେ ଗୋଟିଏ ଚିତ୍ର ଜାତ ନ ହୋଇପାରେ ତେବେ ସେହି ବର୍ଣ୍ଣନା ସାହିତ୍ୟିକ ରଚନାକ୍ଷେତ୍ରରେ ଉତ୍କୃଷ୍ଟ ବୋଲି ପରିଚିତ ହୋଇ ନପାରେ । ଜଣେ ବୃଦ୍ଧ ଯେପରି ଚିତ୍ରଅଙ୍କନ କରିବ, ଜଣେ ତରୁଣଠାରୁ ସେଭଳି ଚିତ୍ରର ପ୍ରତ୍ୟାଶା କରିବା ଅସମ୍ଭବ । ପୁଣି ‘ଉତ୍କଳ କମଳା ବିଳାସ ଦୀର୍ଘିକା’ର କୂଳରେ ବସି ଯେଉଁ କବି ‘ପଟ୍ଟଶିଷ୍ୟ ମୁହିଁ ଦୁଃଖ-ଗୁରୁଙ୍କର’ ବୋଲି ଲେଖି ପାରନ୍ତି ତାହାଙ୍କର ଦୁଃଖାନୁଭୂତି, କୋମଳପ୍ରାଣତା, ସାଂସାରିକ ସୁଖ ପ୍ରତି ବିତୃଷ୍ଣା, ସଂସାରେ ଥାଇ ସୁଦ୍ଧା ସଂସାର ପ୍ରତି ସଦା ଉଦାସୀନତା ପ୍ରଭୃତି ଆମ୍ଭମାନଙ୍କ ମନମଧ୍ୟରେ ସ୍ୱତଃ ଉଦ୍ଭାସିତ ହୋଇ ଉଠେ, ଅର୍ଥାତ୍‌ ଚିଲିକା ବର୍ଣ୍ଣନା କେବଳ ରୂପଗତ ବର୍ଣ୍ଣନା ମାତ୍ର ନୁହେଁ ତାହା ଲେଖକଙ୍କର ଅନୁଭୂତିର ସ୍ପନ୍ଦନରୁ ଜାତ, ତାହାଙ୍କର ବ୍ୟକ୍ତିତ୍ୱ ଉପରେ ପ୍ରତିଷ୍ଠିତ ଓ ତାହାଙ୍କର ରସାନୁଭୂତିର ପରିଚାୟକ । ବର୍ଣ୍ଣନୀୟ ବସ୍ତୁ ଓ ଲେଖକ ଏହିପରି ଘନିଷ୍ଠଭାବରେ ସମ୍ବନ୍ଧ ହୋଇ ଲେଖକ ସମ୍ମୁଖରେ ପ୍ରତିଭାତ ନ ହେଲେ ସାହିତ୍ୟିକ ବର୍ଣ୍ଣନାର ଉତ୍କର୍ଷ ସୂଚିତ ହୋଇପାରେ ନାହିଁ ।

 

ବର୍ଣ୍ଣନାର ମାତ୍ରା ବା ବିନ୍ୟାସ ବାସ୍ତବରେ ଲେଖକ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଲେଖକ ଯେଉଁ ଅଂଶଟି ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଇଚ୍ଛା କରେ ଓ ଯାହା ବାସ୍ତବରେ ପ୍ରଧାନ ବୋଲି ମନେ କରେ ସାଧାରଣତଃ ତାହାର ବର୍ଣ୍ଣନା ଦୀର୍ଘତର କରିବାକୁ ଚେଷ୍ଟା କରେ, ମାତ୍ର ତାହାକୁ ରଚନାର ଶେଷ ଭାଗରେ ସନ୍ନିବେଶିତ କରେ; କାରଣ ପ୍ରଥମରୁ ପ୍ରଧାନ ବିଷୟର ଅବତାରଣା କଲେ ରଚନା ପତତ୍‌ପ୍ରକର୍ଷତା ଦୋଷରୁ ନୀରସ ବୋଧ ହେବ ଓ ପାଠକର ମନ ମଧ୍ୟ ଶେଷ ପର୍ଯ୍ୟନ୍ତ ବିଷୟଟି ପ୍ରତି ଅବହିତ ରହିବ ନାହିଁ । ମାତ୍ର ବର୍ଣ୍ଣନାରେ ମଧ୍ୟ କ୍ରମର ସନ୍ଧାନ ମିଳେ, ଅର୍ଥାତ୍‌ ପର୍ବତର ବର୍ଣ୍ଣନା ସମୟରେ ପାଦ ଦେଶରୁ ଶିଖରଦେଶ ପର୍ଯ୍ୟନ୍ତ କିମ୍ବା ଶିଖରରୁ ପାଦଦେଶ କ୍ରମରେ ବର୍ଣ୍ଣନା ଦିଆ ଯାଇଥାଏ । କାରଣ କ୍ରମ ରକ୍ଷିତ ନ ହେଲେ ଚିତ୍ରଟି ମାନସପଟରେ ବିଶୃଙ୍ଖଳ ହୋଇଯାଏ । ଠିକ୍‌ଏହି କାରଣରୁ ଗୋଟିଏ ପଦାର୍ଥ ବିଷୟରେ ଦୂରରୁ ଅନୁଭୂତିର ଚିତ୍ର ଦେଇ କ୍ରମଶଃ ନିକଟତର ହେଲେ ଯେଉଁ ଚିତ୍ରମାନ ପ୍ରକଟିତ ହୁଏ ସେହି ଚିତ୍ରମାନ ଦିଆ ଯାଇଥାଏ । ମାତ୍ର ଏହା ସର୍ବତ୍ର ରୀତି ରୂପେ ସ୍ୱୀକୃତ ନୁହେଁ । ଯେଉଁ ବର୍ଣ୍ଣନାରେ ଉଚ୍ଛ୍ୱାସର ଆଧିକ୍ୟ ଥାଏ (ଯଥା ଉତ୍କଳ ପ୍ରକୃତି) ସେଠାରେ ଚିତ୍ରର କ୍ରମ ରକ୍ଷିତ ନ ହୋଇ ଆବେଗର ତୀବ୍ରତା ପରିଚାୟକ ଉଚ୍ଛ୍ୱାସର ଆଧିକ୍ୟହିଁ ବର୍ଣ୍ଣନାର କ୍ରମକୁ ନିୟନ୍ତ୍ରିତ କରିଥାଏ ।

 

ବର୍ଣ୍ଣନାରେ ମୂଳ ବସ୍ତୁ କଳ୍ପନା, ପୁଣି କଳ୍ପନାକୁ ଉଦ୍ଦୀପିତ କରିବା ନିମନ୍ତେ ସର୍ବଦା ତୁଳନାର ଆଶ୍ରୟ ଗ୍ରହଣ କରାଯାଏ । ତୁଳନା ବାସ୍ତବରେ ବର୍ଣ୍ଣନାର ଏକ ଅପରିହାର୍ଯ୍ୟ ଅଂଶ, କୋହିନୂର ହୀରକ ଖଣ୍ଡର ବର୍ଣ୍ଣନା ଦେବାକୁ ହେଲେ କେବଳ ତାହାର ଓଜନ ଓ ଦୀପ୍ତିର ପରିଚୟ ଦେଲେ ତାହା ସରସ ହେବ ନାହିଁ ମାତ୍ର ଅନ୍ୟାନ୍ୟ ହୀରକ ଖଣ୍ଡ ସହିତ ତୁଳନା କରି ଏହାର ଉତ୍କର୍ଷ ପ୍ରତିପାଦିତ କଲେ ବର୍ଣ୍ଣନା ସରସ ହୋଇ ପାରିବ । ବର୍ଣ୍ଣନା କଳ୍ପନା ଉପରେ ପ୍ରତିଷ୍ଠିତ ଥିବାରୁ ଅନେକ ସମୟରେ ଗୋଟିଏ କ୍ଷୁଦ୍ର ତୁଳନାଦ୍ୱାରା ଯାହା ବର୍ଣ୍ଣନା କରାଯାଇପାରେ, ଅନ୍ୟ ପ୍ରକାରରେ ତାହାକୁ ତେତେ ମନୋହର କରିବା ସମ୍ଭବପର ହୁଏ ନାହିଁ । ‘ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ, ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ’ ପଂକ୍ତିମାନଙ୍କରେ ମାଘର ବର୍ଣ୍ଣନା ଯେପରି ଗୋଟିଏ ତୁଳନାଦ୍ୱାରା ପରିସ୍ଫୁଟ କରାଯାଇଅଛି, ଅନ୍ୟ ପ୍ରକାରରେ ତାହା ତେତେ ହୃଦୟଗ୍ରାହୀ ହୋଇ ପାରନ୍ତା ନାହିଁ । ବର୍ଣ୍ଣନାରେ ଆବେଗ ବା ଉଚ୍ଛ୍ୱାସର ଆଭାସ ଥିଲେ ମଧ୍ୟ କଳ୍ପନାହିଁ ଏଠାରେ ମୁଖ୍ୟ ବସ୍ତୁ, ଏହି କାରଣରୁ ବର୍ଣ୍ଣନାର ଭାଷା ସର୍ବଦା କଳ୍ପନାମୁଖର ଓ ସରସ ଉପମାଯୁକ୍ତ ହୋଇଥାଏ । ଅନେକ ସମୟରେ ଗୋଟିଏ ସୁନିର୍ବାଚିତ ବିଶେଷଣ ପଦଦ୍ୱାରା ଯେଉଁ ଚିତ୍ର ଉଦ୍ଭାସିତ ହୋଇ ଉଠେ ଶତ ଶତ ପଦର ବ୍ୟବହାରଦ୍ୱାରା ତାହା ଚିତ୍ରିତ କରିବା ସମ୍ଭବପର ହୁଏ ନାହିଁ । ‘ନୀଳୋରସେ ତୋର ଶୈଳ ମାରକତ’ ପଦରେ ‘ମାରକତ’ ବାସ୍ତବରେ ବ୍ୟାକରଣ ନିୟମାନୁମୋଦିତ ନୁହେଁ, ମାତ୍ର ପଦଟିଦ୍ୱାରା ଯେପରି ଶୈଳମାନଙ୍କର ଔଜ୍ଜ୍ୱଲ୍ୟ ବ୍ୟକ୍ତ ହୋଇଅଛି ଅନ୍ୟ ପ୍ରକାରରେ ତାହା ବ୍ୟକ୍ତ କରିବା ସହଜ ହୁଅନ୍ତା ନାହିଁ । ଏହିପରି ‘ରକ୍ତିମ ଅଧର’, ‘ଶିଥିଳ କବରୀ’ ପ୍ରଭୃତି ପଦର ପ୍ରୟୋଗରେ କେବଳ ଗୋଟିଏ ବିଶେଷଣଦ୍ୱାରା କଳ୍ପନାକୁ ଉଦ୍ଦୀପିତ କରି ବର୍ଣ୍ଣନାକୁ ମଧୁର କରିବାର ପ୍ରୟାସ ସୁପରିସ୍ଫୁଟ ।

 

ବର୍ଣ୍ଣନାର ରଚନାଭଙ୍ଗୀ ନାନା ପ୍ରକାରର । ଲେଖକର ଉଦ୍ଦେଶ୍ୟ, ପାଠକର ଅଭିରୁଚି, ବର୍ଣ୍ଣନୀୟ ବିଷୟର ମହତ୍ତ୍ୱ, କଳ୍ପନାର ଆଧିକ୍ୟ ପ୍ରଭୃତି ନାନା ବିଷୟବସ୍ତୁଦ୍ୱାରା ରଚନା ନାନା ପ୍ରକାରରେ ପ୍ରଭାବିତ ହୋଇଥାଏ, କିନ୍ତୁ ପ୍ରତ୍ୟେକ ବର୍ଣ୍ଣନାରେ ସରସତା ଓ ଯଥାର୍ଥ୍ୟ ଉଭୟ ରହିବା ପ୍ରୟୋଜନ; ତାହା ନ ହେଲେ ବିଷୟର ବର୍ଣ୍ଣନା ତେତେ ହୃଦୟଗ୍ରାହୀ ହେବ ନାହିଁ । ଅନେକ ସମୟରେ କେବଳ କଳ୍ପନାବିଳାସଦ୍ୱାରା ପାଠକର ମନକୁ ଆକୃଷ୍ଟ କରିବାର ଚେଷ୍ଟା ହୋଇଥାଏ, ଅନେକ ସମୟରେ ପୁଣି ପ୍ରତ୍ୟାଶିତ ବିଷୟବସ୍ତୁ ଅନୂକ୍ତିଦ୍ୱାରା ମଧ୍ୟ କଳ୍ପନାକୁ ଉଦ୍ଦୀପିତ କରିବାର ପ୍ରୟାସ ହୋଇଥାଏ ମାତ୍ର ବର୍ଣ୍ଣନା ସର୍ବତ୍ର ସଂଯତ, ଆବେଗଶୂନ୍ୟ, ମନୋହର, ସୁସ୍ପଷ୍ଟ ଓ ସୁବିନ୍ୟସ୍ତ ହେବା ପ୍ରୟୋଜନ; କାରଣ ତା ନ ହେଲେ ଗୋଟିଏ ସମ୍ପୂର୍ଣ୍ଣ ଚିତ୍ର କେବେହେଁ ପାଠକସମ୍ମୁଖରେ ଉପସ୍ଥାପିତ ହୋଇ ନପାରେ । ଚିତ୍ରର ମନୋହାରିତ୍ୱ ଉପରେ ସାଫଲ୍ୟ ନିର୍ଭର କରେ ଏହା ମନେ ରଖି ସର୍ବଦା ବର୍ଣ୍ଣନାରେ ପ୍ରବୃତ୍ତ ହେବାକୁ ହୁଏ ।

 

ବିତର୍କ-ସାହିତ୍ୟିକ ରଚନାର ଅନ୍ୟ ଏକ ବିଭାଗ ବିତର୍କ ଅର୍ଥାତ୍‌ କୌଣସି ବିଷୟବସ୍ତୁର ପରିପୋଷକ ଓ ବିରୁଦ୍ଧ ମତମାନଙ୍କର ନିର୍ଦ୍ଦେଶ ଦେଇ କୌଣସି ସମାଧାନରେ ଉପସ୍ଥିତ ହେବାର ପ୍ରୟାସ ଥିଲେ ବିତର୍କ ସ୍ୱୀକାର କରିବାକୁ ହୁଏ ଓ ରଚନାର ପଦ୍ଧତି ମଧ୍ୟ ଏହି ଉଦ୍ଦେଶ୍ୟଦ୍ୱାରା ନିୟନ୍ତ୍ରିତ ହୁଏ । ବିତର୍କ ବାସ୍ତବରେ ବ୍ୟାଖ୍ୟାନର ଏକ ବିଶେଷ ରୂପ, କାରଣ ବ୍ୟାଖ୍ୟାନରେ ମଧ୍ୟ ବିରୁଦ୍ଧ ମତବାଦ ବିଷୟରେ ବିତର୍କର ଅବକାଶ ଥାଏ, ମାତ୍ର ବିତର୍କ ପ୍ରମାଣ ସାପେକ୍ଷ ଓ ଏଥିରେ ନାନା ବିରୁଦ୍ଧମତର ଖଣ୍ଡନ ବିଷୟରେ ଯେପରି ବିଶିଷ୍ଟ ପ୍ରୟାସ ଥାଏ ବ୍ୟାଖ୍ୟାନରେ ସେପରି ପ୍ରୟାସ ନ ଥାଏ । ବିରୁଦ୍ଧ ମତବାଦମାନଙ୍କର ନିରସନ କରି ନିଜ ମତର ପ୍ରତିଷ୍ଠାର ନାମ ବିତର୍କ, ଏଥିରେ କେବଳ ବ୍ୟାଖ୍ୟା ନ ଥାଏ, କିମ୍ବା ଉଦାହରଣଦ୍ୱାରା ମତବାଦର ଅର୍ଥ ନିର୍ଦ୍ଦେଶ ମାତ୍ର ନ ଥାଏ, ଏଥିରେ ପାଠକ ମନରେ ବିରୁଦ୍ଧ ବିଷୟମାନଙ୍କ ପ୍ରତି ବିରାଗ ଜାତ କରାଯାଇ ଲେଖକର ମତବାଦଦ୍ୱାରା ତାହାର ମନକୁ ପ୍ରଭାବିତ କରିବାର ପ୍ରୟାସ ଥାଏ । ସମାଲୋଚନା, ସଂବାଦପତ୍ରମାନଙ୍କର ସମ୍ପାଦକୀୟ ସ୍ତମ୍ଭ ପ୍ରଭୃତିରେ ଆମ୍ଭେମାନେ ବିତର୍କର ଉଦାହରଣ ନିତ୍ୟ ପାଇଥାଉଁ । ବିତର୍କ ପ୍ରଧାନତଃ ବୁଦ୍ଧିଗ୍ରାହ୍ୟ, ଏଥିରେ ଉଭୟ ମତବାଦ ପ୍ରତି ଦୃଷ୍ଟି ରଖିବାକୁ ହୁଏ, ବିରୁଦ୍ଧ ମତର ଖଣ୍ଡନ କରି ନିଜର ମତକୁ ପ୍ରତିଷ୍ଠିତ କରିବାକୁ ହୁଏ ।

 

ବ୍ୟାଖ୍ୟାନରେ ଯେପରି ଉଦାହରଣ, ବିଶ୍ଳେଷଣ ପ୍ରଭୃତିଦ୍ୱାରା ଗୋଟିଏ ବିଷୟବସ୍ତୁର ବ୍ୟାଖ୍ୟା କରାଯାଏ, ବିତର୍କରେ ମଧ୍ୟ ସେହିପରି ଉଦାହରଣ, ବିଶ୍ଳେଷଣ, ପ୍ରସିଦ୍ଧ ବ୍ୟକ୍ତିଙ୍କ ମତାମତ ପ୍ରଭୃତି ଦେଇ ବିରୁଦ୍ଧ ମତକୁ ଖଣ୍ଡନ କରାଯାଏ ଓ ନିଜ ମତକୁ ପ୍ରତିଷ୍ଠିତ କରାଯାଇଥିଏ । ସାଧାରଣତଃ ସମ୍ବାଦପତ୍ରମାନଙ୍କରେ ଗୋଟିଏ ଦିଗରୁ ପ୍ରତ୍ୟେକ ବିଷୟବସ୍ତୁକୁ ଅନୁଶୀଳନ କରିବାର ଚେଷ୍ଟା ହୋଇଥାଏ । ଦୁଇଗୋଟି ଭିନ୍ନ ମତର, ଭିନ୍ନ ଆଦର୍ଶର ସମ୍ବାଦପତ୍ର ପ୍ରତ୍ୟେକ ବିଷୟକୁ ଦୁଇ ବିଭିନ୍ନ ଭାବରେ ବ୍ୟାଖ୍ୟା କରିଥାନ୍ତି । ଦୁଇଗୋଟି ଭିନ୍ନ ମତବାଦ ମଧ୍ୟରୁ ଗୋଟିକୁ ନିରସର କରି ଅନ୍ୟକୁ ପ୍ରତିଷ୍ଠିତ କରିବାକୁ ହେଲେ ବିତର୍କର ପ୍ରୟୋଜନ ହୋଇଥାଏ । ମାତ୍ର ବିତର୍କ ସାଧାରଣତଃ ସାହିତ୍ୟିକ ଉପାଦାନ ଉପରେ ପ୍ରତିଷ୍ଠିତ ନୁହେଁ, ତାହାର ସତ୍ୟାସତ୍ୟ ନିର୍ଣ୍ଣୟ କରିବା ତର୍କଶାସ୍ତ୍ରର ପ୍ରତିପାଦ୍ୟ ବିଷୟ, କେବଳ ତାହାର ମନୋହାରିତ୍ୱ ସାହିତ୍ୟର ବିଚାର୍ଯ୍ୟ ବିଷୟ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ମତବାଦର କଦର୍ଥ କରାଯାଇଅଛି କି ନାହିଁ, ଲୋକ ମଧ୍ୟରେ ପ୍ରଚଳିତ ବିଷୟମାନଙ୍କୁ ଅନୁସରଣ କରିବାକୁ ତର୍କର ଅବତାରଣା କରାଯାଇଅଛି କି ନାହିଁ, ଏ ସବୁ ସାହିତ୍ୟରେ ବିଚାର୍ଯ୍ୟ ନୁହେଁ; ମାତ୍ର ତର୍କ ମଧ୍ୟରେ କଳ୍ପନାର ଆଶ୍ରୟ ଘେନି ପାଠକର ମନକୁ ପ୍ରଭାବିତ କରିବାର ପ୍ରୟାସ ଥିଲେ ଆବେଗସୂଚକ ପଦମାନଙ୍କର କିମ୍ବା ଉଦ୍ଦୀପନାମୟ ବାକ୍ୟର ପ୍ରୟୋଗଦ୍ୱାରା ପାଠକମନରେ ଉନ୍ମାଦନା ସଞ୍ଚାର କରାଇ ତାହାର ମନରୁ ସତ୍ୟାନୁସନ୍ଧିତ୍ସା ଦୂର କରାଯାଇପାରିଲେ ତାହା ସାହିତ୍ୟିକ ପଦାର୍ଥ ହୁଏ, ଅର୍ଥାତ୍‌ ସାହିତ୍ୟିକ ବିତର୍କରେ ସତ୍ୟର ପ୍ରତିଷ୍ଠା ଅପେକ୍ଷା ପ୍ରକାଶର ମନୋହାରିତ୍ୱ ଓ ଉନ୍ନାଦନା ପ୍ରଧାନ ଅବଲମ୍ବନ । ସାଧାରଣତଃ ବିତର୍କ ସମୟରେ ଯେଉଁ ଶ୍ଳେଷର ଆଶ୍ରୟ ଗ୍ରହଣ କରାଯାଇଥାଏ, କଳ୍ପନା ବା ଆବେଗର ଆଶ୍ରୟ ଘେନି ପାଠକକୁ ଅନ୍ଧ କରି ଦେବାର ଯେଉଁ ପ୍ରୟାସ ହୋଇଥାଏ, ଛନ୍ଦର ମୂର୍ଚ୍ଛନାଦ୍ୱାରା ଯେଉଁ ବିତର୍କର ସତ୍ୟତା ପାଠକମନରେ ଦୃଢ଼ ନିବିଦ୍ଧ ହୋଇଥାଏ, ସେହିଗୁଡ଼ିକ ବିତର୍କର ସାହିତ୍ୟିକ ଅଙ୍ଗ । ରଚନା ସମୟରେ ଏହି ସବୁଦ୍ୱାରା ଲେଖକ ପାଠକମାନରେ ଭ୍ରାନ୍ତି ଜାତ କରିବାକୁ ସମର୍ଥ ହୁଏ, ମାତ୍ର ସାହିତ୍ୟିକ ବିତର୍କରେ ଭ୍ରାନ୍ତି ଅନେକ କ୍ଷେତ୍ରରେ ଆଦରଣୀୟ ।

 

ଓଡ଼ିଆରେ ବିତର୍କର ଉଦାହରଣ ଅଳ୍ପ । ଆମ୍ଭେମାନେ ‘ଲୀଳାବତୀ’ରେ ସ୍ତ୍ରୀଶିକ୍ଷା ବିଷୟରେ ବିତର୍କର ଉଦାହରଣ ପାଉଁ । ‘ବିଶ୍ୱଯଜ୍ଞ’ ଓ ‘ଚୈତନ୍ୟଲୀଳା’ ନାଟକରେ ମଧ୍ୟ ବିତର୍କର ଉଦାହରଣ ମିଳେ; ମାତ୍ର ସାଧାରଣତଃ ଗଦ୍ୟ ପ୍ରବନ୍ଧରେ ଓ ସମ୍ବାଦପତ୍ରମାନଙ୍କରେ ବାଦ ପ୍ରତିବାଦ କ୍ଷେତ୍ରରେ ବିତର୍କର ବ୍ୟବହାର ସୁସ୍ପଷ୍ଟ, କିନ୍ତୁ ସ୍ଥାୟୀ ସାହିତ୍ୟିକ ରଚନାରେ ବିତର୍କର ଉଦାହରଣ ମିଳେ ନାହିଁ, କାରଣ ବିତର୍କର ତିକ୍ତ ପରିବେଷ୍ଟନୀ ମଧ୍ୟରେ ସରସତାର ଅଭାବ ଥିବାରୁ ସାହିତ୍ୟିକ ଦୃଷ୍ଟିରୁ ତାହା ବିସ୍ୱାଦ ଓ ବିରକ୍ତିକର । ତେବେ ସାହିତ୍ୟିକ ସମାଲୋଚନା ମଧ୍ୟରେ ବିତର୍କ ମଧ୍ୟ କେତେକ ସ୍ଥଳରେ ଉଚ୍ଚସ୍ଥାନ ଅଧିକାର କରିଥାଏ । ଉତ୍କଳ ସାହିତ୍ୟରେ ‘ଇନ୍ଦ୍ରଧନୁ’ ଓ ବିଜୁଳି’ର ବିତର୍କ, କବିମାନଙ୍କର ଆସନ କଳି ଘେନି ‘ଉତ୍କଳ ସାହିତ୍ୟ’ରେ ବିତର୍କ ଓ ସାମାଜିକ ପ୍ରଥା ଘେନି ନୀଳକଣ୍ଠ ଦାଶଙ୍କର ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ‘ମୋ ନିଶ’ ପ୍ରବନ୍ଧରେ ବିତର୍କ କଳ୍ପନାମୁଖର ଓ ସରସଭାବରେ କଳ୍ପିତ ।

 

ଉଦ୍‌ବୋଧନ-ସାହିତ୍ୟିକ ରଚନାର ଶେଷ ଅଭିବ୍ୟକ୍ତି ଉଦ୍‌ବୋଧନରେ । ବାଗ୍ମୀ ବାକ୍‌ଚାତୁର୍ଯ୍ୟଦ୍ୱାରା ଶ୍ରୋତାମନକୁ ପ୍ରଭାବିତ କରେ, ତାହାର ଭାଷା କଳ୍ପନାମୁଖର ଓ ଆବେଗମୟୀ, ତାହାର ବିତର୍କ ଅନୁଭୂତିଦ୍ୱାରା ପୁଷ୍ଟ । ବାଗ୍ମୀ ନାନା ଉପାୟ ଅବଲମ୍ବନ କରିଥାଏ, ଶ୍ରୋତାମାନଙ୍କୁ ନାନା ଭାବରେ ଆବେଦନ ନିବେଦନ କରିଥାଏ, ତାଙ୍କ ମନରେ ନାନା ଭାବ ଉଦ୍ଦୀପିତ କରିବା ନିମନ୍ତେ ସଚେଷ୍ଟ ହୁଏ, ତାଙ୍କର ବୁଦ୍ଧି ବୃତ୍ତିକୁ ପ୍ରଭାବିତ କରିବା ନିମନ୍ତେ ନାନା ଉପାୟ ଅବଲମ୍ବନ କରିଥାଏ । ଯେଉଁ ସବୁ କୌଶଳଦ୍ୱାରା ପାଠକର ବା ଶ୍ରୋତାର ବୁଦ୍ଧି ବୃତ୍ତି ସାମୟିକ ଭାବରେ ଆଚ୍ଛନ୍ନ ହୋଇଯାଏ, ତାହାହିଁ ଉଦ୍‌ବୋଧନର ଉପାଦାନ । ଉଦ୍‌ବୋଧନର ଭାଷା ଉଦ୍ଦୀପନାମୟ, ତାହାର ଭାବ ଆବେଗପୂର୍ଣ୍ଣ, ତାହାର ପ୍ରକାଶଭଙ୍ଗୀ ହୃଦୟସ୍ପର୍ଶୀ । ପାଠକର ହୃଦୟକୁ ଆଲୋଡ଼ିତ କରି ତାହା ମନରେ କର୍ମପ୍ରେରଣା ଜାଗ୍ରତ କରିବା ତାହାର ଉଦ୍ଦେଶ୍ୟ । ବିଜ୍ଞତା ଏପରି ଭାଷାର ମାନ ନୁହେଁ, ଯଥାର୍ଥ୍ୟ ଏପରି ରଚନାର ପ୍ରଧାନ ବିଚାର୍ଯ୍ୟ ନୁହେଁ । ପ୍ରବନ୍ଧରେ ଯେପରି ଭାବର ଓ ଭାଷାର ସମତା ଥାଏ କିମ୍ବା ଭାଷା ପ୍ରୟୋଗ ମଧ୍ୟରେ ମିତବ୍ୟୟିତା ଥାଏ ଉଦ୍‌ବୋଧନରେ ତାହାର ପ୍ରତ୍ୟାଶା କରିବା ବାତୁଳତା, ବରଂ ଏଥିରେ ଉଦ୍ଦାମ ଅସଂଯତ ଭାଷାର ଆଧିକ୍ୟ ଥିବାରୁ ଏହା ଆବେଗ-ପରିପୋଷକ ଅଳଙ୍କାରମାନଙ୍କଦ୍ୱାରା ସୁପରିପୁଷ୍ଟ ହୋଇ ଆତ୍ମପ୍ରକାଶ କରେ । ଉଦ୍‌ବୋଧନର ଭାଷା ମଧ୍ୟରେ ଜଟିଳତା ବା ବିଜ୍ଞତା ନ ଥାଏ, ମାତ୍ର କେତେବେଳେ ଏହା ହାସ୍ୟରସମୁଖର, କେତେବେଳେ ଅବା ଗୁରୁଗମ୍ଭୀର, କେତେବେଳେ ଶ୍ଳେଷ ବା ବ୍ୟଙ୍ଗ ଉପରେ ପ୍ରତିଷ୍ଠିତ, ପୁଣି କେତେବେଳେ ଦେଶାତ୍ମାବୋଧ ଜାଗ୍ରତ କରିବା ନିମନ୍ତେ ସମଧିକ ପ୍ରଯୁକ୍ତ । ସ୍ତୁତି, ନିନ୍ଦା ପ୍ରଭୃତିର ଆଶ୍ରୟ ନେଇ ଉଦ୍‌ବୋଧନ ସରସ ଓ ପ୍ରଭାବସମ୍ପନ୍ନ, ଉଦ୍ଦୀପନାକୁ ଅବଲମ୍ବନ କରି କର୍ମପ୍ରେରଣା ଜାଗ୍ରତ କରିବା ନିମନ୍ତେ ସମର୍ଥ । ଉଦ୍‌ବୋଧନ ଏହି କାରଣରୁ ସାହିତ୍ୟିକ ରଚନାରେ ପ୍ରାୟ ଦେଖାଯାଏ ନାହିଁ, ସାଧାରଣତଃ ଏହା ବାଗ୍ମୀର ଭାଷା, ମାତ୍ର କାଞ୍ଚିକାବେରୀର ଦୂତମୁଖରେ, ମହାଯାତ୍ରାରେ ଅମର୍ଷୀଙ୍କ ମୁଖରେ ଏହିପରି ଉଦ୍ଦୀପନାମୟ ଉଦ୍‌ବୋଧନର ସରସ ଦୃଷ୍ଟାନ୍ତ ଆମ୍ଭେମାନେ ପାଇ ଥାଉଁ । ସ୍ୱଦେଶପ୍ରୀତିପୂର୍ଣ୍ଣ ନାନା ପ୍ରକାର ସଙ୍ଗୀତରେ ମଧ୍ୟ (ଯଥା-ବନ୍ଦେ ମାତରଂ, ସର୍ବେଷାଂ ନୋ ଜନନୀ ଭାରତ ପ୍ରଭୃତି) ଏହି ପ୍ରକାର ଉଦ୍‌ବୋଧନର ସରସ ଓ ସତେଜ ଦୃଷ୍ଟାନ୍ତ ଆମ୍ଭେମାନେ ଅହରହଃ ପାଉଁ ।

 

ରଚନା ସମୟରେ ଉପରୋକ୍ତ ପ୍ରକାର ରଚନାମାନଙ୍କୁ ଯେ ପୃଥକ୍‌ ପୃଥକ୍‌ ରଖାଯାଏ ତାହା ନୁହେଁ । ଆଖ୍ୟାନ ମଧ୍ୟରେ ବିତର୍କ ବା ଉଦ୍‌ବୋଧନର ଅବକାଶ ଥାଇପାରେ, ବିତର୍କ ମଧ୍ୟରେ ବ୍ୟାଖ୍ୟାନ ବା ବର୍ଣ୍ଣନା ସନ୍ନିବେଶିତ ହୋଇପାରେ, ଉଦ୍‌ବୋଧନ ମଧ୍ୟରେ ବ୍ୟାଖ୍ୟାନ, ବିତର୍କ ପ୍ରଭୃତି ମଧ୍ୟ ସଂଯୋଜିତ ହୋଇପାରେ । ଏହି ସବୁ ରଚନାପଦ୍ଧତି ଏକତ୍ର ବ୍ୟବହୃତ ହେଲେହେଁ, ଏମାନଙ୍କର ପ୍ରକୃତି ବିଭିନ୍ନ, ଏମାନଙ୍କର ପ୍ରୟୋଗରେ ପାର୍ଥକ୍ୟ ଥାଇପାରେ, ଏମାନଙ୍କ ପୃଥକ୍‌ ଭାବରେ ନିର୍ଦ୍ଦେଶିତ କରାଯାଇପାରେ, ଏଣୁ ରଚନା ଶିକ୍ଷା କରିବା ପୂର୍ବରୁ ପ୍ରତ୍ୟେକ ପ୍ରକାର ରଚନାର ନିୟମ ପ୍ରୟୋଗବିଧି ପ୍ରଭୃତି ବିଷୟରେ ଅବହିତ ହୋଇ ଭାଷାକୁ ନିୟନ୍ତ୍ରିତ କରିବାକୁ ପଡ଼େ ।

 

***

 

Unknown

ତୃତୀୟ ପରିଚ୍ଛେଦ

ଲେଖାର ରୀତି (Style)

 

ବିଷୟବସ୍ତୁ ନିର୍ବାଚନ କରି ଓ ରଚନାର ଉଦ୍ଦେଶ୍ୟ ପ୍ରଭୃତି ବିଷୟରେ ସ୍ପଷ୍ଟ ଧାରଣା ପୋଷଣ କରି ଲେଖକ ରଚନାକାର୍ଯ୍ୟରେ ପ୍ରବୃତ୍ତ ହୁଏ । ରଚନା ଅବଶ୍ୟ ନାନା ଆବେଷ୍ଟନୀଦ୍ୱାରା ବିଶେଷଭାବରେ ନିୟନ୍ତ୍ରିତ ହୁଏ ଓ ଭାଷା ପ୍ରୟୋଗରେ ନାନାବିଧ କୌଶଳ ଅବଲମ୍ବନ କରାଯାଇ ରଚନାକୁ ମନୋରମ ଓ ସକ୍ରିୟ କରାଯାଏ । ରଚନାଟି ସମ୍ପୂର୍ଣ୍ଣ ମନୋହର ଓ ସକ୍ରିୟ ହୋଇଅଛି କି ନାହିଁ ଏହା ଦେଖିବା ରଚନାଲେଖକଙ୍କର ପ୍ରଥମ କର୍ତ୍ତବ୍ୟ ଅର୍ଥାତ୍‌ ଲେଖା ମଧ୍ୟରେ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ନ ଥିଲେ ଓ ତାହା ପାଠକକୁ ମୁଗ୍‌ଧ ଓ ଉଦ୍ଦୀପିତ କରିବାକୁ ସମର୍ଥ ନ ହେଲେ ତାହା କେବେହେଁ ସାହିତ୍ୟକ ରଚନା ରୂପରେ ସ୍ୱୀକୃତ ହୋଇ ନପାରେ । ସରସତା ସାହିତ୍ୟିକ ରଚନାର ମୂଳ ଅବଲମ୍ବନ ଓ ସରସତାର ପ୍ରଧାନ ଅବଲମ୍ବନ ବିନ୍ୟାସର ପାରିପାଟ୍ୟ । ପ୍ରତ୍ୟେକ ବାକ୍ୟ ସୁଗଠିତ ନ ହେଲେ, ଅନ୍ୟାନ୍ୟ ବାକ୍ୟ ସହିତ ସମ୍ପୃକ୍ତ ନ ହେଲେ କିମ୍ବା ସମଗ୍ର ରଚନା ସହିତ ସାମଞ୍ଜସ୍ୟ ନ ହେଲେ, ତାହା କେବେହେଁ ସମାଦୃଢ଼ ହୋଇପାରେ ନାହିଁ । ଗୋଟିଏ ବାକ୍ୟ ଲଘୁ ଭାବରେ ଲିଖିତ ହେଲେ ତାହା ଅନ୍ୟାନ୍ୟ ବିଜ୍ଞଭାବରେ ଲିଖିତ ବାକ୍ୟ ସହିତ ଏକତ୍ର ବ୍ୟବହୃତ ହୋଇପାରେ ନାହିଁ, ପୁଣି ଗୋଟିଏ ବାକ୍ୟ ବାଗାଡ଼ମ୍ବରପୂର୍ଣ୍ଣ ହେଲେ ତାହା ସରଳ ରଚନାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ । ସାହିତ୍ୟିକ ରଚନାରେ ବାକ୍ୟ କେବଳ ଅର୍ଥନିର୍ଦ୍ଦେଶକ ପଦସମଷ୍ଟି ମାତ୍ର ନୁହେଁ, ବାକ୍ୟ ରଚନାର ସୌଷ୍ଠବର ହେତୁ ସ୍ୱରୂପ; ଏହି କାରଣରୁ ବାକ୍ୟ ଗଠନ ଉପରେ ରଚନାର ରୀତି ଓ ରୂପରେଖ ସମ୍ପୂର୍ଣ୍ଣ ନିର୍ଭର କରେ ।

 

ଯେ କୌଣସି ବାକ୍ୟର ଅର୍ଥକୁ ନାନା ଭାବରେ ପ୍ରକାଶ କରିବା ସମ୍ଭବ । ‘ପେଟ ପୋଷ, ନାହିଁ ଦୋଷ’ର ଅର୍ଥକୁ ‘ଯେ କୌଣସି ଉପାୟରେ ନିଜର ଅନ୍ନ ସଂସ୍ଥାନ କଲେ ତାହା ଦୋଷାବହ ହୁଏ ନାହିଁ’ ‘ଆମ୍ଭେମାନେ ପାପା ପୁଣ୍ୟର ବିଚାର କରିଥାଉଁ, ମାତ୍ର ବୁଭୁକ୍ଷାଦ୍ୱାରା ପ୍ରଚୋଦିତ ହୋଇ ଯଦି କୌଣସି ଲୋକ ପାପକାର୍ଯ୍ୟ କରେ, ତେବେ ତାହା ପାପ ବୋଲି ଗଣନା କରାଯାଇ ନପାରେ’; ‘ଯେ କ୍ଷୁଧାରେ କାତର, ତାର ପୁଣି ଅପରାଧ ?’ ‘ବୁଭୁକ୍ଷାର କବଳରେ ପଡ଼ି ଲୋକ ହିତାହିତଜ୍ଞାନଶୂନ୍ୟ ହୁଏ, ଧନବାନର ଅଳସ ଜୀବନ ଓ ଖାଦ୍ୟାଦିର ପ୍ରାଚୁର୍ଯ୍ୟ ଦେଖି ଦରିଦ୍ର ସ୍ୱଭାବତଃ ଲୋଭାତୁର ହୁଏ, ଏଣୁ ସେ ନିଜର ଅନ୍ନ ସଂସ୍ଥାନ କରିବା ନିମନ୍ତେ ଯଦି କିଛି ଦୋଷ କରେ, ତେବେ କ୍ଷମାର ଯୋଗ୍ୟ’ ପ୍ରଭୃତି ନାନାପ୍ରକାର ବାକ୍ୟରେ ପ୍ରକାଶିତ କରାଯାଇପାରେ । ବାକ୍ୟକୁ ଲଘୁ କରାଯାଇପାରେ,ବାକ୍ୟ ମଧ୍ୟରେ କଳ୍ପନା ବା ଆବେଗର ଆଭାସ ଦିଆଯାଇପାରେ, ବାକ୍ୟର ଅର୍ଥକୁ ସରଳଭାବରେ ଅଥବା ଜଟିଳଭାବରେ ବ୍ୟକ୍ତ କରାଯାଇପାରେ, ପୁଣି ବାକ୍ୟ ମଧ୍ୟରେ ନାନା କୌଶଳ ଅବଲମ୍ବନ କରି ଭାଷାକୁ ମନୋହର ଓ ସକ୍ରିୟ ମଧ୍ୟ କରାଯାଇପାରେ । ବାକ୍ୟର ଦୈର୍ଘ୍ୟ, ବାକ୍ୟରେ ଶବ୍ଦନିର୍ବାଚନ ଓ ସମାବେଶ, ବାକ୍ୟର ରସ ପରିପୋଷଣ ଶକ୍ତି ଉପରେ ଏହି ସବୁ ନିର୍ଭର କରେ; ଏଣୁ ଲେଖା ମଧ୍ୟରେ ନାନା ପ୍ରକାର ରୀତି ସ୍ୱୀକୃତ ଓ ପ୍ରଚଳିତ ହୋଇଅଛି ।

 

ବାକ୍ୟ ରଚନାର ଅବୟବ ସ୍ୱରୂପ । ଅବୟବର ସାଧାରଣ ରୂପ ଓ ପ୍ରଚଳିତ ବିନ୍ୟାସତାରୁ ରସପରିପୋଷକ ବ୍ୟତିକ୍ରମ ଦେଖାଗଲେ ଓ ତାହା ବାକ୍ୟକୁ ସରସ ଓ ସକ୍ରିୟ କଲେ ତାହା ଅଳଙ୍କାର ବୋଲି ସ୍ୱୀକୃତ ହୁଏ । ଲୋକେ ପ୍ରସାଧନ ଦ୍ରବ୍ୟ ବ୍ୟବହାର କରି ଦେହକୁ କୋମଳ ଓ ଚିକ୍କଣ କରିଥାନ୍ତି, ଅଳଙ୍କାରମାନ ବ୍ୟବହାର କରି ଅବୟବର ସୌଷ୍ଠବ ବର୍ଦ୍ଧିତ କରିଥାନ୍ତି, ପୁଣି ଦେହରେ କୌଣସି ଦୋଷ ଥିଲେ ତାହା ମଧ୍ୟ ଅଳଙ୍କାରଦ୍ୱାରା ସଂଗୋପନ କରିଥାନ୍ତି । ମାତ୍ର ଅଯଥା ଅଳଙ୍କାରବାହୁଲ୍ୟ ମଧ୍ୟ ଅସ୍ୱାଭାବିକ ହୁଏ ଓ ଲୋକକୁ ହାସ୍ୟାସ୍ପଦ କରେ । ତେତେବେଳେ ଅଳଙ୍କାର ଦେହର ସୌଷ୍ଠବ ସାଧନ ନ କରି ବରଂ କ୍ଳେଶକର ହୋଇଥାଏ । ଦେହର ଅଳଙ୍କାର ସର୍ବାଙ୍ଗ ବ୍ୟାପ୍ତ ହୋଇ ରହିଲେ ସ୍ୱାଭାବିକ ସୌନ୍ଦର୍ଯ୍ୟକୁ ଲୁପ୍ତ କରିଦିଏ, ଅଳଙ୍କାରର ଅତ୍ୟଧିକ ନିକ୍ୱଣ ଲୋକମାନଙ୍କର ଶ୍ରୁତିସୁଖକର ହୁଏ ନାହିଁ ଓ ଅଳଙ୍କାରର ପ୍ରାଚୁର୍ଯ୍ୟ ଧନ ଗର୍ବର ପରିଚାୟକ ହେଲେହେଁ ରୂପ ଗୌରବର ପରିଚୟ ଦିଏ ନାହିଁ ବରଂ ଶରୀରର ପୀଡ଼ାଦାୟକ ହୋଇ ବର୍ବରତାର ଚିହ୍ନରୂପରେ ମଧ୍ୟ ପରିଗଣିତ ହୁଏ । ଏଣୁ ଲେଖାରୀତିରେ ପ୍ରଥମ ଆଲୋଚ୍ୟ ବିଷୟ ଅଳଙ୍କାର ବ୍ୟବହାରରେ ରୁଚି ଓ ସଂଯମ ।

 

ଅଳଙ୍କାରର ପ୍ରକୃତ ମାଧୁର୍ଯ୍ୟ ତାହାର ସ୍ୱଳ୍ପ ପ୍ରକାଶରେ ଓ କଳ୍ପନାକୁ ଉଦ୍ରିକ୍ତ କରିବାର ସାମର୍ଥ୍ୟରେ । ଏଣୁ କେବଳ ଅଳଙ୍କାରର ବ୍ୟବହାର ଯେ ରଚନାକୁ ସୁନ୍ଦର କରିବାକୁ ସମର୍ଥ ତାହା ନୁହେଁ । ଅଳଙ୍କାର ମଧ୍ୟରେ ମାର୍ଜିତ ରୁଚିର ପରିଚୟ ଓ ଅଳଙ୍କାର ପ୍ରୟୋଗ ମଧ୍ୟରେ କଳାଜ୍ଞାନର ପରିଚୟ ନ ଥିଲେ ତାହା କେବେହେଁ ରଚନାକୁ ମନୋଜ୍ଞ କରିପାରେ ନାହିଁ । ରୁଚି ପୁଣି ସ୍ଥାନକାଳପାତ୍ର ସାପେକ୍ଷ । କେତେକ ପାଠକ କେତେକ ପ୍ରକାର ବିଷୟବସ୍ତୁରେ ଅଭ୍ୟସ୍ତ କିନ୍ତୁ ଅନ୍ୟ ପାଠକ ହୁଏ ତ ସେହି ବିଷୟବସ୍ତୁକୁ କୁରୁଚିପୂର୍ଣ୍ଣ ବୋଲି ପ୍ରତ୍ୟାଖ୍ୟାନ କରି ପାରନ୍ତି । ପୁଣି ପୂର୍ବେ ଯାହା ଅଶ୍ଳୀଳ ବିବଚିତ ହେଉ ନ ଥିଲା ଆଜି କାଲି ତାହା ଜନସାଧାରଣ ପକ୍ଷରେ ଅସହ୍ୟ ଅଶ୍ଳୀଳତା ବୋଲି ପରିଗଣିତ ହୋଇପାରେ । ଏହିସବୁ କାରଣରୁ ଲେଖକ ନିଜ ପ୍ରତିଭା ଉପରେ ନିର୍ଭର କରି ସ୍ଥାନକାଳଗତ ରୁଚି ଅନୁସରଣ କରି, ଉଦ୍ଦିଷ୍ଟ ପାଠକମାନଙ୍କୁ ସ୍ମରଣ କରି ରସସୃଷ୍ଟିରେ ପ୍ରବୃତ୍ତ ହୁଏ । ପ୍ରତିଭାଦ୍ୱାରା ରସ ନୂତନ ପ୍ରବାହରେ ଗତି କରିପାରେ, ନୂତନ ସୃଷ୍ଟିଦ୍ୱାରା ପାଠକମାନଙ୍କ ମନରେ ନୂତନ ପ୍ରକାରର ଆନନ୍ଦ ପରିବେଶନ କରିପାରେ, ମାତ୍ର ପ୍ରତିଭା ଅନନ୍ୟସାଧାରଣ ଗୁଣ, ଯାହା ପ୍ରତିଭା ସାପେକ୍ଷ, ତାହାର ବିଶ୍ଳେଷଣ କିମ୍ବା ସୃଷ୍ଟିର ଉପାୟ ନିର୍ଦ୍ଦେଶ କରିବା ସମ୍ଭବ ନୁହେଁ । ସାଧାରଣ ଲେଖକ ପକ୍ଷରେ ସ୍ଥାନ-କାଳ-ପାତ୍ର ଗତ ରୁଚିକୁ ଅନୁଧାବନ କରି ପରିମିତ ଅଳଙ୍କାରର ସଙ୍କେତପୂର୍ଣ୍ଣ ବ୍ୟବହାରଦ୍ୱାରା ନୂତନ ସରସ ରଚନାରେ ପ୍ରବୃତ୍ତ ହେବାହିଁ ଉଚିତ । ନୂତନ ସୃଷ୍ଟିର ପ୍ରୟାସ କଲେ, ବାଗାଡ଼ମ୍ବରଦ୍ୱାରା ପାଠକଙ୍କୁ ଚମକୃତ କରିବାର ପ୍ରୟାସ କଲେ, ଅସାଧାରଣ ବିଷୟ ବା ବର୍ଣ୍ଣନାଦ୍ୱାରା ରଚନାକୁ ସମୃଦ୍ଧ କରିବାକୁ ସଚେଷ୍ଟ ହେଲେ ଲେଖକ ହାସ୍ୟାସ୍ପଦ ହେବା ସ୍ୱାଭାବିକ । ବାସ୍ତବରେ ପ୍ରତିଭାଦ୍ୱାରା ଯାହା ସମ୍ଭବ ତାହାର ପୂର୍ଣ୍ଣ ବିଶ୍ଳେଷଣ କରିବା ଓ ସମ୍ପୂର୍ଣ୍ଣ ଅନୁକରଣ କରିବା ଅସମ୍ଭବ । ଫକୀରମୋହନଙ୍କ ଲେଖା ଅତି ସାଧାରଣ ବୋଲି ପ୍ରତୀୟମାନ ହୁଏ । ମାତ୍ର ତାହାର ଅନୁକରଣ କରିବାକୁ ଚେଷ୍ଟା କଲେ ଫକୀରମୋହନଙ୍କ ପ୍ରତିଭାଜନିତ ଶବ୍ଦବିନ୍ୟାସର ଅସାଧାରଣତ୍ୱ ସହଜରେ ପରିସ୍ଫୁଟ ହେବ ।

 

ରଚନାରୀତି ଗୋଟିଏ ପୂର୍ଣ୍ଣ ଅଭିବ୍ୟକ୍ତି । ରଚନାର ଅଂଶବିଶେଷଦ୍ୱାରା ରୀତି ସ୍ଥିରୀକୃତ ହୁଏ ନାହିଁ । ମନୁଷ୍ୟର ଶରୀର ଯେପରି ନାନା ଅବୟବରେ ଗଠିତ ଓ ବିଭକ୍ତ, ପ୍ରତ୍ୟେକ ଅବୟବ ପୁଣି ଯେପରି ଶିରା ପ୍ରଶିରାର ସମନ୍ୱୟରେ ଗଠିତ, ସେହିପରି ପ୍ରତ୍ୟେକ ରଚନା କେତେକ ବାକ୍ୟ, ପୁଣି ପ୍ରତ୍ୟେକ ବାକ୍ୟ କେତେକ ପଦର ସମଷ୍ଟିଦ୍ୱାରା ଗଠିତ । ରଚନାର ରସାନୁଭୂତି ପ୍ରତ୍ୟେକ ବାକ୍ୟର, ପ୍ରତ୍ୟେକ ଶବ୍ଦର ସୌଷ୍ଠବ ଓ ସାମଞ୍ଜସ୍ୟ ଉପରେ ନିର୍ଭର କରେ । ପ୍ରତ୍ୟେକ ଶବ୍ଦର ନିର୍ବାଚନ ଓ ବିନ୍ୟାସ ଯଥାର୍ଥ ନ ହେଲେ, ସୁନ୍ଦର ମନୋଜ୍ଞ ନ ହେଲେ ସମଗ୍ର ରଚନା କେବେହେଁ ହୃଦୟଗ୍ରାହୀ ହୋଇପାରେ ନାହିଁ । ଏଣୁ କେବଳ ରଚନାକୁ ବାକ୍ୟରେ ଓ ବାକ୍ୟକୁ ଶବ୍ଦରେ ବିଶ୍ଳେଷିତ କରି ଦେଖିଲେ ତାହାର ଯଥାର୍ଥ ରୂପ ପ୍ରକଟିତ ହେବ ନାହିଁ । ରଚନାର ପୂର୍ଣ୍ଣ ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ହେଲେ ତାକୁ ସମ୍ପୂର୍ଣ୍ଣଭାବରେ ଉପଲବ୍ଧ କରିବାକୁ ହେବ ଏବଂ ତାହାର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସମ୍ପୂର୍ଣ୍ଣ ଭାବରେ ରସପୋଷଣର ଉପଯୋଗୀ ହୋଇଅଛି କି ନାହିଁ ଏହା ବିଚାର କରିବାକୁ ହେବ । ବିରୁଦ୍ଧ ରସର ପରିପୋଷକ ଗୋଟିଏ ଶବ୍ଦର ବ୍ୟବହାରଦ୍ୱାରା ସମଗ୍ର ରଚନାର ରସ ନଷ୍ଟ ହୋଇ ଯାଇପାରେ । ପ୍ରତ୍ୟେକ ରଚନାର ଲେଖକର ବ୍ୟକ୍ତିତ୍ୱ ସୁପରିସ୍ଫୁଟ ଥାଏ । ଫକୀରମୋହନଙ୍କ ଭାଷା ମଧୁସୂଦନଙ୍କଦ୍ୱାରା ଅନୁକୃତ ହୋଇପାରେ ନାହିଁ, ମଧୁସୂଦନଙ୍କ ଭାଷା ଗୋପାଳ ପ୍ରହରାଜ ଅନୁକରଣ କରିବାକୁ ଚେଷ୍ଟା କଲେ ତାହା ନିର୍ଜୀବ ଓ ଅସ୍ୱାଭାବିକ ହେବ-। ଫକୀରମୋହନଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଯେପରି ସରଳ ନିରାଡ଼ମ୍ବର ଜୀବନଯାତ୍ରା ନିର୍ବାହ କରିବାର ପ୍ରୟାସ ଥିଲା, ତାଙ୍କ ଚରିତ୍ରରେ ଶିକ୍ଷାଭିମାନର ଯେପରି ଅଭାବ ଥିଲା, ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଯେପରି ସରଳ ସରସ ଅନ୍ତର୍ଦୃଷ୍ଟିର ଆଭାସ ଥିଲା ତାଙ୍କ ଲେଖାରେ ମଧ୍ୟ ସେହିପରି ସରସ ନିରାଡ଼ମ୍ବର ଅନ୍ତର୍ଦୃଷ୍ଟିର ପରିଚୟ ମିଳେ । ରାମଶଙ୍କରଙ୍କ ନାଟକ ମଧ୍ୟରେ ଯେଉଁ ପାଣ୍ଡିତ୍ୟାଭିମାନ ଅଛି, ଅଶ୍ୱିନୀକୁମାରଙ୍କ ନାଟକର ତାହାର ଆଭାସ ମିଳେ ନାହିଁ, କାରଣ ରାମଶଙ୍କର ଲୋକଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ, ଶିକ୍ଷାଭିମାନପ୍ରଣୋଦିତ ହୋଇ ନାଟକ ରଚନା କରିଥିଲେ, ଅଶ୍ୱିନୀକୁମାର ଶିକ୍ଷା-ବ୍ରତୀ ହେଲେ ମଧ୍ୟ ନାଟ୍ୟ ବ୍ୟବସାୟୀ । ଅବଶ୍ୟ ଫକୀରମୋହନଙ୍କ ଲେଖା ଓ ଗୋପାଳ ପ୍ରହରାଜଙ୍କ ଲେଖା ମଧ୍ୟରେ, କିମ୍ବା ରାଧାନାଥଙ୍କ ଲେଖା ଓ ଚିନ୍ତାମଣିଙ୍କ ଲେଖା ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଦେଶିତ କରିବା ସହଜସାଧ୍ୟ ନୁହେଁ । ସୁଦକ୍ଷ ସମାଲୋଚକ ନ ହେଲେ କୁନ୍ତଳାକୁମାରୀଙ୍କଦ୍ୱାରା ଲିଖିତ ଗଳ୍ପ ଓ ଦିବ୍ୟସିଂହ ପାଣିଗ୍ରାହୀଙ୍କଦ୍ୱାରା ଲିଖିତ ଗଳ୍ପ ମଧ୍ୟରେ କୌଣସି ପାର୍ଥକ୍ୟର ସନ୍ଧାନ ପାଇବା ଅସମ୍ଭବ, ମାତ୍ର ରସବିଶ୍ଳେଷଣ କ୍ଷମତାଯୁକ୍ତ ଓ ଅଧ୍ୟବସାୟୀ ସମାଲୋଚକ ସାଧାରଣତଃ ବିଶିଷ୍ଟ ଲେଖାର ଲେଖକକୁ ସ୍ପଷ୍ଟ ନିର୍ଦ୍ଦେଶିତ କରି ପାରନ୍ତି । ‘ମାମୁ’ ଗ୍ରନ୍ଥଟିର କେତେକ ସ୍ଥାନ ପଣ୍ଡିତ କୁଳମଣି ଦାଶଙ୍କଦ୍ୱାରା ସଂଶୋଧିତ ହୋଇଥିବାରୁ ସ୍ଥାନେ ସ୍ଥାନେ ‘ଛମାଣ ଆଠଗୁଣ୍ଠ ’ର ଭାଷାଠାରୁ ଏହାର ଭାଷା ଭିନ୍ନ ବୋଲି ସହଜରେ ପ୍ରମାଣିତ ହୋଇପାରେ । ଅବଶ୍ୟ ରଚନା ଲେଖକର ବୟସ କିମ୍ବା ଅନ୍ୟାନ୍ୟ କାରଣରୁ ମଧ୍ୟ ପରିବର୍ତ୍ତିତ ହୋଇଥାଏ । ଏଣୁ ଏକ ଲେଖକର ଭିନ୍ନ ଭିନ୍ନ ସମୟରେ ଲିଖିତ ଗ୍ରନ୍ଥମାନଙ୍କର ଭାଷା ମଧ୍ୟରେ ପାର୍ଥକ୍ୟ ଥିବା ସ୍ୱାଭାବିକ । ରାମଶଙ୍କରଙ୍କ ପ୍ରଥମ ଜୀବନରେ ରଚିତ କାଞ୍ଚିକାବେରୀ, କଳିକାଳ, ଯୁଗଧର୍ମ ପ୍ରଭୃତି ନାଟକର ଭାଷା ସହିତ ପରବର୍ତ୍ତୀ ଜୀବନରେ ଲିଖିତ ବିଶ୍ୱଯଜ୍ଞ ପ୍ରଭୃତିର ଭାଷା (ଅର୍ଥାତ୍‌ ଚୈତନ୍ୟଲୀଳା ନାଟକର ପରବର୍ତ୍ତୀ ନାଟକମାନଙ୍କର ଭାଷା) ତୁଳନା କଲେ ଏହି ପାର୍ଥକ୍ୟ ସହଜରେ ଉପଲବ୍ଧ ହେବ । ଲେଖକର ପ୍ରଥମ ଜୀବନୀ ଭାଷା ଆଡ଼ମ୍ବରପୂର୍ଣ୍ଣ କବିତ୍ୱମୟ ଏବଂ ପରବର୍ତ୍ତୀ ଜୀବନରେ ଭାଷା ସରଳ, ଜ୍ଞାନବହୁଳ, ବିଜ୍ଞତାବ୍ୟଞ୍ଚକ ହେବାହିଁ ସ୍ୱାଭାବିକ; ମାତ୍ର ପ୍ରତ୍ୟେକ ଲେଖକର ଲେଖାରେ ଯେ ଠିକ୍‌ ଏହି ପରିବର୍ତ୍ତନ ଦେଖାଯାଏ ତାହା ନୁହେଁ । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପ୍ରଥମ ଲେଖା ଯେପରି ରସପୁଷ୍ଟ, ହାସ୍ୟମୁଖର, ପରବର୍ତ୍ତୀ ଲେଖାରେ ରଚନାର ସେପରି ସ୍ୱଚ୍ଛନ୍ଦଗତି ଦେଖାଯାଏ ନାହିଁ, ପ୍ରଥମ ବୟସର ତରଳ ରସପ୍ରବାହର ସ୍ଥାନ ବାଚାଳତ ଅଧିକାର କରିଅଛି, କିନ୍ତୁ ଏଠାରେ ମଧ୍ୟ ସମାଲୋଚକମାନେ ପ୍ରଥମ ବୟସର ହାସ୍ୟରସପୋଷକ ବର୍ଣ୍ଣନାବାହୁଲ୍ୟର ପରିଚୟ ପାଇ ପାରନ୍ତି ।

 

ରଚନା ଲେଖକର ବ୍ୟକ୍ତିତ୍ୱଦ୍ୱାରା ପ୍ରଭାବିତ ମାତ୍ର, ବିଶେଷ ଶ୍ରେଣୀର ପାଠକ ପ୍ରତି ଉଦ୍ଦିଷ୍ଟ, ଏଣୁ ପାଠକର ବ୍ୟକ୍ତିତ୍ୱଦ୍ୱାରା ମଧ୍ୟ ରଚନା ଅନେକ କ୍ଷେତ୍ରରେ ପ୍ରଭାବିତ । ‘ ଜେଜେବାପାଙ୍କ କାହାଣୀ’ର ଭାଷା ଗଳ୍ପସ୍ୱଳ୍ପର ଭାଷାଠାରୁ ପୃଥକ୍, କାରଣ ଖଣ୍ଡିଏ ବହି ସାନ ପିଲାଙ୍କ ପାଇଁ ରଚିତ, ଅନ୍ୟ ବହି ପରିଣତ ବୟସ୍କ ପାଠକମାନଙ୍କର ଚିତ୍ତବିନୋଦନ ନିମନ୍ତେ ଲିଖିତ । ଉଭୟ ବହି ଗଳ୍ପ ପୁସ୍ତକ, ଉଭୟ ଏକ ପ୍ରକାର ବ୍ୟକ୍ତିତ୍ୱସମ୍ପନ୍ନ ଲେଖକଦ୍ୱାରା ଲିଖିତ ମାତ୍ର ଗୋଟିଏ ପୁସ୍ତକର ବିଷୟନିର୍ବାଚନ, ତଥ୍ୟବିନ୍ୟାସ ଓ ଭାଷାରୀତି ଅନ୍ୟ ପୁସ୍ତକର ରଚନାପଦ୍ଧତିଠାରୁ ଭିନ୍ନ । ଏହିପରି ‘ଚୈତନ୍ୟଲୀଳା’ର ଭାଷା ‘ଇରାନୀ’ର ଭାଷାଠାରୁ ପୃଥକ୍‌, କାରଣ ଗୋଟିଏ ଗ୍ରନ୍ଥ ଭକ୍ତିମାନ୍‌ ଶିକ୍ଷିତ ସେମାନଙ୍କ ସକାଶେ ଲିଖିତ, ଅନ୍ୟଟି ଚିତ୍ତବିନୋଦନେଚ୍ଛୁ ସାଧାରଣ ଦର୍ଶକମାନଙ୍କ ସକାଶେ ଅଭିପ୍ରେତ । ସେହି କାରଣରୁ ‘ପ୍ରବନ୍ଧ ସୋପାନ’ର ଭାଷା ବିବିଧ ପ୍ରବନ୍ଧର ଭାଷାଠାରୁ ପୃଥକ୍‌, କାରଣ ଗୋଟିଏ ପୁସ୍ତକ ବିଷୟବସ୍ତୁର ବିଶ୍ଳେଷଣ ଓ ସ୍ୱରୂପ ଦର୍ଶନରେ ଅଭ୍ୟସ୍ତ, ଶିକ୍ଷାମାର୍ଗରେ ଅଗ୍ରସର ବିଦ୍ୟାର୍ଥୀ ସକାଶେ ରଚିତ, ଅନ୍ୟ ପୁସ୍ତକଟି ସାଧାରଣ ପାଠକର ଜ୍ଞାନଲାଭେଚ୍ଛା ଚରିତାର୍ଥ କରିବା ନିମନ୍ତେ ଉଦ୍ଦିଷ୍ଟ । ଏହି କାରଣରୁ ‘ସାଉଣ୍ଟା ଚାଙ୍ଗୁଡ଼ି’ ଓ ସାମୟିକୀ’ ଏକ ଲେଖକଦ୍ୱାରା ଲିଖିତ ହୋଇଥିଲେ ମଧ୍ୟ ସେମାନଙ୍କର ଭାଷା ଭିନ୍ନ, କାରଣ ଗୋଟିଏ ବହି ଧର୍ମପିପାସୁ ଲୋକମାନଙ୍କ ସପକ୍ଷରେ ଧର୍ମନୀତିତ ବ୍ୟାଖ୍ୟା ଦେବା ନିମନ୍ତେ ରଚିତ, ଅନ୍ୟଟି ଚିତ୍ତବିନୋଦନ କରିବା ନିମନ୍ତେ ଆଖ୍ୟାତ । ରଚନାର ଉଦ୍ଦେଶ୍ୟ ଘେନି ଭାଷା ପ୍ରଭାବିତ ହେବା ଅତ୍ୟନ୍ତ ସ୍ୱାଭାବିକ ଓ ରଚନାପଦ୍ଧତିକୁ ଆଲୋଚନା କରିବା ସମୟରେ ଲେଖକର ବ୍ୟକ୍ତିତ୍ୱ ସଙ୍ଗେ ସଙ୍ଗେ ଲେଖାର ଉଦ୍ଦେଶ୍ୟକୁ ମଧ୍ୟ ବିଚାର କରିବାକୁ ହୁଏ । ରଚନାର ରୂପଗତ, ରସଗତ ଆଲୋଚନାଦ୍ୱାରା ରଚନାର ପଦ୍ଧତି ନିୟନ୍ତ୍ରିତ ହୁଏ, ରଚନାର ଦୋଷ ବା ଗୁଣ ନିର୍ଦ୍ଦେଶିତ ହୁଏ ଓ ରଚନା ମଧ୍ୟରେ ସାହିତ୍ୟିକ ଉପାଦାନମାନ ଆବିଷ୍କୃତ ଓ ସୁପରିସ୍ଫୁଟ ହୁଏ । ଏହିସବୁ କାରଣରୁ ରଚନାର ଆଲୋଚନା ସାହିତ୍ୟସେବାରେ ଏତେ ପ୍ରୟୋଜନ ।

 

ସାହିତ୍ୟିକ ରଚନାକୁ ଉଦ୍ଦେଶ୍ୟ ଦିଗରୁ ଲଘୁ ବା ଗମ୍ଭୀର ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । କେତେକ ରଚନାର ପ୍ରଧାନ ଉଦ୍ଦେଶ୍ୟ କେବଳ ଚିତ୍ତବିନୋଦନ, ଏଗୁଡ଼ିକ କେବଳ ପାଠକମନରେ ସାମୟିକ ଆନନ୍ଦ ସଞ୍ଚାର କରିବା ନିମନ୍ତେ ଲିଖିତ । ଅନ୍ୟ କେତେକ ରଚନାର ପ୍ରଧାନ ଉଦ୍ଦେଶ୍ୟ ତଥ୍ୟ ନିର୍ଦ୍ଦେଶ, ଏମାନେ ପାଠକକୁ ନୂତନ ଜ୍ଞାନର ଆଲୋକ ଦେବା ନିମନ୍ତେ, ପାଠକର ବୁଦ୍ଧିବୃତ୍ତିକୁ ନୂତନ ବିଷୟର ବ୍ୟାଖ୍ୟାଦ୍ୱାରା ଅନୁପ୍ରାଣିତା କରିବା ନିମନ୍ତେ କଳ୍ପିତ-। ଯେଉଁ ରଚନାର ପ୍ରଧାନ ଉଦ୍ଦେଶ୍ୟ ଚିତ୍ତବିନୋଦନ ତାହା ଲଘୁ ରଚନା, ଯାହାର ପ୍ରଧାନ ଉଦ୍ଦେଶ୍ୟ ଜ୍ଞାନରାଜ୍ୟର ବିସ୍ତାର ତାହା ଗୁରୁ ବା ଗମ୍ଭୀର ରଚନା ଲଘୁ ରଚନା ପୁଣି ହାସ୍ୟରସାଶ୍ରିତ ହୋଇପାରେ କିମ୍ବା କେବଳ ବାକ୍‌ଚାତୁରୀପୂର୍ଣ୍ଣ ହୋଇପାରେ, ଗମ୍ଭୀର ରଚନା ମଧ୍ୟ ଏହିପରି କେବଳ ବାଗାଡ଼ମ୍ବରପୂର୍ଣ୍ଣ କିମ୍ବା ଗଭୀର ଭାବାତ୍ମକ ହୋଇପାରେ । ଏହିପରି ପ୍ରକାର ଭେଦରେ ରଚନାରୀତି ମଧ୍ୟ ପରିବର୍ତ୍ତିତ ହୁଏ ଓ ରୀତିମାନଙ୍କର ଆଲୋଚନା ସମୟରେ ଲେଖକର ଉଦ୍ଦେଶ୍ୟ ପ୍ରଥମ ବିଚାର୍ଯ୍ୟ ବିଷୟ ହୁଏ । ଯେଉଁ ଲେଖା ହାସ୍ୟରସାଶ୍ରିତ ସେଥିରେ ଗଭୀର ଭାବ ଯେ ନ ଥାଇପାରେ ତାହା ନୁହେଁ, ପୁଣି ବାଗାଡ଼ାମ୍ବର ମଧ୍ୟରେ ମାକ୍‌ଚାତୁର୍ଯ୍ୟ ଯେ ଥାଏ ତାହା ମଧ୍ୟ ନୁହେଁ କିମ୍ବା ଗମ୍ଭୀର ଲେଖାରେ ମଧ୍ୟ ସମୟ ସମୟରେ ବାକ୍‌ଚାତୁର୍ଯ୍ୟର ଉଦାହରଣ ଯେ ନ ମିଳେ ତାହା ନୁହେଁ, ମାତ୍ର ସାଧାରଣତଃ ରଚନାକୁ ମୁଖ୍ୟତଃ ଉଦ୍ଦେଶ୍ୟ ଦିଗରୁ ବିଚାର କରି ଏହି ଶ୍ରେଣୀମାନଙ୍କରେ ବିଭକ୍ତ କରାଯିବା ସମୀଚୀନ ।

 

ପୁଣି ରଚନାକୁ ରୂପ ଦିଗରୁ ସରଳ, କଳ୍ପନାମୁଖର ବା ଉଦ୍ଦୀପକ ଏହି ତିନି ଭାଗରେ ବିଭକ୍ତ କରାଯାଇପାରେ । ରଚନା କେବଳ ନିରାଡ଼ମ୍ବର ସରଳ ବିବୃତି ମାତ୍ର ହୋଇପାରେ, ଏଥିରେ କଳ୍ପନାର ଆଧିକ୍ୟ ଥାଇ ଏହାର ରୂପକୁ ପ୍ରଭାବିତ କରିପାରେ, କିମ୍ବା ଏଥିରେ ଆବେଗଉଦ୍ୱୋଧକ ବିଷୟବସ୍ତୁମାନ ସନ୍ନିବେଶିତ ହୋଇ ଏହାକୁ ଉଦ୍ଦୀପକ କରିପାରେ । ସରଳ ବିବୃତି ଲଘୁ ହୋଇପାରେ, ଗମ୍ଭୀର ମଧ୍ୟ ହୋଇପାରେ, ଉଦ୍ଦୀପକ ଲେଖା ମଧ୍ୟ ଲଘୁ ହୋଇପାରେ ଅଥବା ଗମ୍ଭୀର ହୋଇପାରେ, ଅନ୍ୟ ଦିଗରେ କଳ୍ପନାମୁଖର ଲେଖା ମଧ୍ୟରେ ଉଦ୍ଦୀପନା ଅନେକ ସ୍ଥାନରେ ସ୍ୱୀକୃତ ହୁଏ ଓ ଉଦ୍ଦୀପକ ଲେଖା ମଧ୍ୟରେ କଳ୍ପନାର ପ୍ରୟୋଗ ସଚରାଚର ଦେଖାଯାଏ । ମାତ୍ର କଳ୍ପନାମୁଖର ଲେଖାରେ କଳ୍ପନା ପରିପୋଷକ ଅଳଙ୍କାରମାନଙ୍କର ପ୍ରାଚୁର୍ଯ୍ୟ ଥାଏ, ଉଦ୍ଦୀପକ ଲେଖାରେ ଆବେଗ ପରିପୋଷକ ଅଳଙ୍କାରମାନଙ୍କର ଆଧିକ୍ୟ ପରିଲକ୍ଷିତ ହୁଏ; ଅନ୍ୟଥା ସରଳ ଲେଖାରେ କୌଣସି ଅଳଙ୍କାରର ବାହ୍ୟ ଅଭିବ୍ୟକ୍ତି ନ ଥାଏ । ରଚନାର ଏହି ରୂପଗତ ପାର୍ଥକ୍ୟ ସହିତ ଆମ୍ଭେମାନେ ସମସ୍ତେ ଅଳ୍ପ ବିସ୍ତର ପରିଚିତ ଓ ଭିନ୍ନ ଭିନ୍ନ ପ୍ରକାର ରଚନାରେ ବିଭିନ୍ନ ପ୍ରକାରର ରଚନାପଦ୍ଧତି ସ୍ୱାଭାବିକ ଭାବରେ ସ୍ୱୀକୃତ ହୁଏ ।

 

ସରଳ ରଚନା ନିରାଡ଼ମ୍ବର ସ୍ୱାଭାବିକ ରଚନା, ମାତ୍ର ଅନେକ ସମୟରେ ଅବୟବମାନଙ୍କର ପ୍ରାକୃତିକ ସୌଷ୍ଠବ ଥିଲେ ଯେପରି ନିରାଭରଣ ନଗ୍ନରୂପ ଅତ୍ୟନ୍ତ ମନୋହର ମନେ ହୁଏ, ସେହିପରି ଭାବର ଉତ୍କର୍ଷ ଥିଲେ ଭାଷାରେ ଅଳଙ୍କାରର ପ୍ରୟୋଜନ ହୁଏ ନାହିଁ । ଆଡ଼ମ୍ବରହୀନ ସରଳ ଭାଷା ନୀରସ ନୁହେଁ, ତାହା କେବଳ ବିବୃତି ମାତ୍ର ନୁହେଁ, ତାହା ବିଷୟର ଅନ୍ତର୍ନିହତ ସୌନ୍ଦର୍ଯ୍ୟଦ୍ୱାରା ଉଭାସିତ, ଲେଖକର ସରସ ରସାନୁଭୂତିଦ୍ୱାରା ଅନୁରଞ୍ଜିତ, ଏହି କାରଣରୁ ଲେଖାକୁ ପ୍ରଭାବଶାଳୀ ଓ ହୃଦୟଗ୍ରାହୀ କରିବା କଠିନ ହୁଏ, କାରଣ ଲେଖକର ବିନ୍ୟାସ କ୍ଷମତା ନ ଥିଲେ ରଚନାର ସୌଷ୍ଠବ ସ୍ୱାଭାବିକଭାବରେ ରକ୍ଷିତ ହୋଇପାରେ ନାହିଁ ଓ ବାହ୍ୟ ଅଳଙ୍କାରଦ୍ୱାରା ପାଠକର ମନ ଆକୃଷ୍ଟ ହେଉ ନ ଥିବାରୁ ଏଭଳି ରଚନାକୁ ମନୋଜ୍ଞ କରିବା ନିମନ୍ତେ ଅତ୍ୟନ୍ତ ସରସ ବିଷୟବସ୍ତୁର ସରସ ଅନୁଭୂତି ଥିବା ପ୍ରୟୋଜନ । ଚିତ୍ତବିଭ୍ରମକାରୀ ଅଳଙ୍କାରମାନ ବାସ୍ତବରେ ରଚନାର ଅନ୍ତର୍ନିହିତ ଦୁର୍ବଳତାକୁ ସଂଗୋପନ କରି ଦିଏ ଓ ଏହି କାରଣରୁ ଲେଖକମାନେ ନିଜର ରସାନୁଭୂତିର ଦୋଷକୁ ଆଚ୍ଛାଦିତ କରିବା ନିମନ୍ତେ ଅଳଙ୍କାରମାନଙ୍କ ଆଶ୍ରୟ ଗ୍ରହଣ କରନ୍ତି; ମାତ୍ର ଯେଉଁ ଲେଖାର ନଗ୍ନ ଅଭିବ୍ୟକ୍ତି ମଧ୍ୟରେ ସୌନ୍ଦର୍ଯ୍ୟ ସୁପରିଷ୍ଫୁଟ ତାହାହିଁ ବାସ୍ତବରେ ଉଚ୍ଚ କୋଟିର ଲେଖାରୂପେ ସ୍ୱୀକାର କରିବାକୁ ହୁଏ ।

 

ଇତିହାସ, ବିଜ୍ଞାନ ପ୍ରଭୃତି ବିଷୟକ ଗ୍ରନ୍ଥମାନଙ୍କରେ ଏହିପରି ସରଳ ଲେଖାହିଁ ଉପଯୋଗୀ, କାରଣ ଏ ସବୁ ପୁସ୍ତକରେ ତଥ୍ୟର ନିର୍ଦ୍ଦେଶହିଁ କାମ୍ୟ । ଏଣୁ ପାଠକର ଚିତ୍ତକୁ କୌଣସି ପ୍ରକାରେ ପ୍ରଭାବିତ କରିବାର ଚେଷ୍ଟା ଏ ସବୁ ପୁସ୍ତକରେ ନ ଥାଏ, ମାତ୍ର ଏ ସବୁ ସାହିତ୍ୟିକ ରଚନା ନୁହେଁ । ସାହିତ୍ୟିକ ରଚନାରେ କେବଳ ତଥ୍ୟ ନିର୍ଦ୍ଦେଶ ଯଥେଷ୍ଟ ନୁହେଁ, କାରଣ ନୀରସ ବୈଜ୍ଞାନିକ ବା ଐତିହାସିକ ତଥ୍ୟସମ୍ବଳିତ ଗ୍ରନ୍ଥ ସାହିତ୍ୟିକ ରଚନା ବୋଲି ସ୍ୱୀକୃତ ହୋଇ ନପାରେ; ମାତ୍ର ଅନେକ ସମୟରେ ସାହିତ୍ୟିକ ରଚନାରେ ମଧ୍ୟ ବାହ୍ୟ ଆଡ଼ମ୍ବରଶୂନ୍ୟ ବାକ୍‌ବିସ୍ତାର ମଧ୍ୟରେ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ପରିସ୍ଫୁଟ ହୋଇ ଉଠେ । ଅଳଙ୍କାରରାହିତ୍ୟହିଁ ଏଠାରେ ଅଳଙ୍କାର, ନିରାଭରଣତାହିଁ ଏଠାରେ ଉଦ୍ଦୀପକ, ବାହ୍ୟ ଭୂଷଣର ଅଭାବହିଁ ଏଠାରେ କଳ୍ପନାର ଉତ୍ତେଜକ । ସାହିତ୍ୟରେ ଏଭଳି ସରଳ ବିବୃତିରୀତି ଗଳ୍ପ, ଉପନ୍ୟାସ, ଭ୍ରମଣବୃତ୍ତାନ୍ତ, ଜୀବନୀ ପ୍ରଭୃତିରେ ଅବଲମ୍ବିତ ହୋଇଥାଏ ।

 

ଯେଉଁଠାରେ ବିଷୟବସ୍ତୁ ଅଳ୍ପ, ଲେଖକର ଅନୁଭୂତିହିଁ ପ୍ରଧାନ ବିଚାର୍ଯ୍ୟ ବିଷୟ ସେଠାରେ ଭାଷା କଳ୍ପନାମୁଖର ହେବା ସ୍ୱାଭାବିକ । ‘ଉତ୍କଳ ପ୍ରଭୃତି’ର ରଚନା ବିଶ୍ଲେଷଣ କଲେ ଆମ୍ଭେମାନେ ଏହାର ପ୍ରକୃଷ୍ଟ ଉଦାହରଣ ପାଉଁ । ପଦେ ପଦେ ତୁଳନା, ପଦେ ପଦେ ବିଭାବନା, ପଦେ ପଦେ ସମାସକଣ୍ଟକିତ ପଦବିନ୍ୟାସ, ପଦେ ପଦେ ନିର୍ଜୀବ ବସ୍ତୁମାନଙ୍କର ଉପରେ ବ୍ୟକ୍ତିତ୍ୱାରୋପ ପ୍ରଭୃତିଦ୍ୱାରା ସାମାନ୍ୟ ବିଷୟବସ୍ତୁକୁ ମନୋଜ୍ଞଭାବେ ପ୍ରକାଶିତ କରାଯାଇଅଛି । ‘ଅତୀତକାଳ ଏହି ଅନ୍ଧକାରରୂପୀ । ଅତୀତ ସମସ୍ତଙ୍କୁ ଗ୍ରାସ କରିଅଛି; ସୁଖ, ଦୁଃଖ, ଶୋକ, ହର୍ଷ, ପାପ, ବିଷାଦ, ଆଶା, ଆକାଂକ୍ଷା, ସମସ୍ତ ଦେଖୁ ଦେଖୁ ଅତୀତର ଭୀଷଣ ଅନ୍ଧକାରରେ ମିଶି ଯାଉଅଛି, ଆଉ ଫେରିବାକୁ ନାହିଁ । ଅତୀତର ବିଭୀଷିକାମୟ ତମଃସିନ୍ଧୁର ଅପର ପାଖ ଏହି ମରଚକ୍ଷୁରେ ପ୍ରତୀୟମାନ ହୁଏ ନାହିଁ, କେବଳ ଯେଉଁ ପାଖ ବର୍ତ୍ତମାନ ଦିଗକୁ ସେତିକି ଦୃଷ୍ଟ ହୁଏ । କିନ୍ତୁ ସେ ଆଡ଼ ମଧ୍ୟ କ୍ଷଣେ କ୍ଷଣେ ଭାଙ୍ଗି ଯାଉଅଛି- ଏହି ଭଙ୍ଗା ନିବାରଣ କରିବାର ସାଧ୍ୟ କାହାରି ନାହିଁ- ଭାଙ୍ଗି ଆସୁ ଆସୁ କ୍ରମଶଃ ଯାହା ଅଳ୍ପ ପୂର୍ବରେ ଭବିଷ୍ୟତ୍‌ ଥିଲା, ସେ ରାଜ୍ୟ ମଧ୍ୟ ଆକ୍ରମଣ କରୁଅଛି’ (ପୃ ୮୨) । ଏହି ବାକ୍ୟମାନଙ୍କରେ କଳ୍ପନାର ବ୍ୟବହାର ସୁପରିସ୍ଫୁଟ, କଳ୍ପନାଦ୍ୱାରା ଏହା ଅନୁପ୍ରାଣିତ ହୋଇଅଛି । ଏଥିରେ ବିଷୟବସ୍ତୁ ଯତ୍‌ସାମାନ୍ୟ, କେବଳ କଳ୍ପନାର ପ୍ରସାରଦ୍ୱାରା ଏହା ମନୋଜ୍ଞ ହୋଇ ପାରିଅଛି । ‘କୈଳାସ ! ତୋହର ପାଦପଶାଖା-ପରମଣ୍ଡିତ ଖଦ୍ୟୋତପଂକ୍ତିରେ ବିଭୂଷିତ ହୋଇ ତୁ କି ସୁନ୍ଦର ଦିଶୁଅଛୁ । ଏହି ଅବସ୍ଥାରେ ପୁଣି ତୁ ନକ୍ଷତ୍ର-ହାସ୍ୟ-ତରଙ୍ଗ-ପ୍ରଭାସିତ ଗଗନପ୍ରାଙ୍ଗଣକୁ ଅନାଇ ରହିଛୁ । ତରଳ-ତାରକାଗୁମ୍ଫିତ ନଭୋମଣ୍ଡଳର ଚାକଚକ୍ୟ ସହିତ ତୋର ଦେହସ୍ଥିତ ଲକ୍ଷ ଲକ୍ଷ ଖଦ୍ୟୋତମଣ୍ଡଳିର ଔଜ୍ଜ୍ୱଲ୍ୟ ମିଶିଅଛି’ (ପୃ ୮୯) ବାକ୍ୟମାନଙ୍କର ଅର୍ଥ ‘କୈଳାସରେ ଜୁଳୂଜୁଳିଆ ପୋକ ତାରା ଫୁଟିଲା ପରି ଦିଶୁଅଛି’ ମାତ୍ର କେବଳ ବର୍ଣ୍ଣନା ଗୁଣରୁ ଏହି ସାମାନ୍ୟ ବିଷୟଟି ଏଡ଼େ ମନୋହର ବୋଲି ପ୍ରତୀତ ହେଉଅଛି । ଏହି ବର୍ଣ୍ଣନାର ପ୍ରଧାନ ଅବଲମ୍ବନ କଳ୍ପନା ଓ ସମଗ୍ର ରଚନାଟିକୁ କଳ୍ପନାବିଳାସଦ୍ୱାରା ଚିର୍ତ୍ତାକର୍ଷକ କରିବାର ଚେଷ୍ଟା କରାଯାଇଅଛି । ‘ଚିଲିକା’ ମଧ୍ୟ ଏହିପରି କଳ୍ପନାମୁଖର, କାରଣ କେବଳ କବିଙ୍କର କଳ୍ପନାଦ୍ୱାରାହିଁ ଜଳବିସ୍ତୃତିକୁ ଉତ୍କଳ କମଳା ବିଳାସ ଦୀର୍ଘିକାରେ ପରିଣତ କରାଯାଇଅଛି । ଚିଲିକାର ଆଖ୍ୟାନଭାବ ଅସାର, ଅବାସ୍ତବ ଓ ଅଧିକାଂଶ ସ୍ଥାନରେ ଅନାବଶ୍ୟକ ମାତ୍ର କବିର କଳ୍ପନାମୁଖର ରଚନାକୌଶଳଦ୍ୱାରା ଏହି ଆଖ୍ୟାନଭାଗଟି ଅନୁରଞ୍ଜିତ ହୋଇ ଅପ୍ରାକୃତ ସୌନ୍ଦର୍ଯ୍ୟର ଅଧିକାରୀ ବୋଲି ପ୍ରତୀତ ହେଉଅଛି ।

 

କଳ୍ପନାମୁଖର ରଚନାରୀତି ପ୍ରାୟ ସବୁ ପ୍ରକାର ରଚନାର ଉପଯୁକ୍ତ ହୋଇ ପାରିଲେହେଁ ସାଧାରଣତଃ ବର୍ଣ୍ଣନାରେ ଏହାର ଅଧିକ ପ୍ରୟୋଗ ଦେଖାଯାଏ । ଆଖ୍ୟାନର ଗତିଶୀଳ ଆଲେଖ୍ୟରାଜି, ବିତର୍କର ବୁଦ୍ଧିଗ୍ରାହ୍ୟ ତର୍କସମ୍ଭାର, ଉଦ୍‌ବୋଧନର ଆବେଗଚଞ୍ଚଳତା ମଧ୍ୟରେ କଳ୍ପନାର ଅଭିବ୍ୟକ୍ତି ସାମାନ୍ୟ, କେବଳ ବ୍ୟାଖ୍ୟାନ ଓ ବର୍ଣ୍ଣନା ମଧ୍ୟରେ କଳ୍ପନା ସକ୍ରିୟତା ଲକ୍ଷିତ ହୋଇପାରେ । କଳ୍ପନା ବ୍ୟାଖ୍ୟାନକୁ ସ୍ୱୀକୃତ କରିବାରେ ସାହାଯ୍ୟ କରେ, ବର୍ଣ୍ଣନାକୁ ଚିତ୍ତାକର୍ଷକ କରେ, ଏଣୁ ଏହି ଦୁଇ ଗୋଟି ସାହିତ୍ୟିକ ରଚନାରେ କଳ୍ପନାର ଆଶ୍ରୟ ଗ୍ରହଣ କରାଯାଇଥାଏ, ମାତ୍ର ବ୍ୟାଖ୍ୟନରେ ମଧ୍ୟ ଜ୍ଞାନଗର୍ଭକ ବିଶ୍ଲେଷଣ ମୁଖ୍ୟବସ୍ତୁ ଥିବାରୁ ବର୍ଣ୍ଣନାରେ କଳ୍ପନାର ପ୍ରୟୋଗ ସାଧାରଣତଃ ଦେଖାଯାଇଥାଏ । ନାଟକରେ କଳ୍ପନାବିଳାସ ଅଳ୍ପ, ମାତ୍ର କଳ୍ପନା ପଦ୍ୟର ପ୍ରାଣ, ଏହି କାରଣରୁ ପଦ୍ୟ ଆଖ୍ୟାନମାନଙ୍କରେ କଥାର ସ୍ରୋତକୁ ନିରୁଦ୍ଧ କରି କଳ୍ପନା ସାହାଯ୍ୟରେ ନାନା ତୁଳନାମୂଳକ ବିଷୟବସ୍ତୁମାନଙ୍କର ସନ୍ନିବେଶ କରାଯାଇ ରଚନାକୁ ମନୋଜ୍ଞ କରାଯାଇଥାଏ । ବର୍ଣ୍ଣନାତ୍ମକ ପଦ୍ୟରେ କିନ୍ତୁ ମୂଳରୁ ଶେଷ ପର୍ଯ୍ୟନ୍ତ କଳ୍ପନାବିଳାସ ଥାଏ, କଳ୍ପନାର ଅଭାବରେ ବର୍ଣ୍ଣନା ନୀରସ ଓ କାବ୍ୟ ମାଧୁର୍ଯ୍ୟହୀନ ହୋଇ ପଡ଼େ ।

 

ଉଦ୍ଦୀପକ ରଚନା ସାଧାରଣତଃ ବିତର୍କ ବା ବାଗ୍ମିତାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତଃ ଆବେଗ ପରିପୋଷକ ଅଳଙ୍କାରମାନଙ୍କର ସାହାଯ୍ୟ ଗ୍ରହଣ କରିଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ପାଠକ ବା ଶ୍ରୋତାମନରେ ଆବେଗ ବା କର୍ମପ୍ରେରଣା ଜାଗରୂକ କରିବା, ତାହାର ମନକୁ ପ୍ରଭାବାନ୍ୱିତ କରିବା, ବିଷୟବସ୍ତୁ ସତ୍ୟତା ପ୍ରତି ତାକୁ ଅନ୍ଧ କରି ତାହାର ମନରେ ବିଷୟବସ୍ତୁ ସ୍ୱୀକାର କରି ନେବାର ଇଚ୍ଛା ସଞ୍ଜାତ କରିବା । କିନ୍ତୁ ଉଦ୍ଦୀପକ ରଚନାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଏକ ପ୍ରକାର ଉଦ୍ଦୀପକ ରଚନା କେବଳ ବୁଦ୍ଧିବୃତ୍ତିର ଉଦ୍ଦୀପକ, ପାଠକର ବୁଦ୍ଧିକୁ ଉଦ୍ଦୀପିତ କରି ତାହାକୁ ଅର୍ଥ ଗ୍ରହଣରେ ଉନ୍ମୁଖ କରେ ଓ ଅର୍ଥ ଗ୍ରହଣ କରି ପାରିଲେ ପାଠକ ତାହାକୁ ସରସ ଓ ମନୋଜ୍ଞ ବୋଲି ସ୍ୱୀକାର କରେ । ଏପ୍ରକାର ଲେଖାର ଉଦାହରଣ ବ୍ୟାଖ୍ୟାନ ଓ ବିତର୍କରେ ସାଧାରଣତଃ ବ୍ୟବହୃତ ହୋଇଥାଏ । ଅନ୍ୟ ପ୍ରକାର ଉଦ୍ଦୀପକ ରଚନା କର୍ମପ୍ରେରଣା ଜାଗ୍ରତ କରିବା ନିମନ୍ତେ, ପାଠକର ଚିତ୍ତବୃତ୍ତିକୁ ଆଲୋଡ଼ିତ କରିବା ନିମନ୍ତେ ରଚିତ; ଏହା ସାଧାରଣତଃ ବାଗ୍ମିତାରେ ବ୍ୟବହୃତ ହୁଏ । ଉଦ୍ଦୀପକ ଭାଷାରେ ବୁଦ୍ଧିର ବା ଆବେଗର ଘାତପ୍ରତିଘାତ ପ୍ରତ୍ୟାଶା କରିବାହିଁ ସ୍ୱାଭାବିକ ।

 

ଜ୍ଞାନର ଉଦ୍ଦୀପକ ରଚନାର ଭାଷା ସାଧାରଣତଃ ସୂକ୍ଷ୍ମ ବିଶ୍ଲେଷଣପୂର୍ଣ୍ଣ, ସତ୍ୟାନୁସନ୍ଧିତ୍ସା ତାହାର ପ୍ରାଣ, ଏଭଳି ରଚନା ମଧ୍ୟରେ କଳ୍ପନାର ଅବକାଶ ନ ଥାଏ, ଆବେଗର ମଧ୍ୟ ପ୍ରୟୋଜନ ଅନୁଭୂତ ହୁଏ ନାହିଁ । ମାତ୍ର ଏଭଳି ରଚନା ନୀରସ ନୁହେଁ । ଏହାର ରସାନୁଭୂତି ଅର୍ଥଗ୍ରହଣଜନିତ ଆନନ୍ଦ ଓ ଭାବର ନୂତନତ୍ୱ ଉପରେ ପ୍ରତିଷ୍ଠିତ । ସାଧାରଣତଃ ପ୍ରଚଳିତ ଭାବର ବିରୋଧ କିମ୍ବା ପରିଚିତ ଭାବର ବିପରୀତ ମତର ପ୍ରତିଷ୍ଠା ଉପରେ ଏପରି ଜ୍ଞାନର ଉଦ୍ଦୀପକ ରଚନାର ରଚନାର ଚମତ୍‌କାରିତ ନିର୍ଭର କରେ । ଯେ କୌଣସି ବିଷୟରେ ନୂତନତ୍ୱ ଏପରି କି କୌଣସି ଅସଙ୍ଗତି ମଧ୍ୟ ବୁଦ୍ଧି ବୃତ୍ତିର ଉତ୍ତେଜନାରେ ସାହାଯ୍ୟ କରିଥାଏ । ‘ପ୍ରବନ୍ଧ-ସୋପାନ’ରେ ‘ମାନବ ଭଗବାନ୍‌ ଏକାନ୍ତଭୁକ୍ତ କିନ୍ତୁ କେହି କାହାରି ଗଳଗ୍ରହ ନୁହନ୍ତି’, ବାକ୍ୟଟିରେ କଳ୍ପନାର ଯଥେଷ୍ଟ ବ୍ୟବହାର ଥିଲେ ମଧ୍ୟ ଏହା ବାସ୍ତବରେ ଉଦ୍ଦୀପକ, କାରଣ ଠିକ୍‌ ଏହି ଭାବରେ ଆମ୍ଭେମାନେ ମନୁଷ୍ୟ ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କ କଳ୍ପନା କରୁ ନାହିଁ । ପୁଣି ‘ଯେ ବଡ଼ ସେ ଦୁଃଖର ସହଚର’ (ପୃ ୧୫) ବାକ୍ୟରେ ମଧ୍ୟ ବଡ଼ ଲୋକମାନଙ୍କର ସୁଖୈଶ୍ୱର୍ଯ୍ୟର ସାଧାରଣ କଳ୍ପନା ବ୍ୟାହତ ହେଇଥିବାରୁ ତାହା ବୁଦ୍ଧିବୃତ୍ତିକୁ ପ୍ରକୃତ ଅର୍ଥ ଗ୍ରହଣ କରିବା ନିମନ୍ତେ ସଜାଗ କରେ । ‘ଅତଏବ ଯାହା ସୃଷ୍ଟି ତାହାର ସମୂଳେ ବିନାଶ ଘଟେ ନାହିଁ’ (ପୃ ୧୨୯) ବାକ୍ୟରେ ମଧ୍ୟ ଏହିପରି ପରିଚିତ ଓ ପ୍ରଚଳିତ ଭାବର ବିରୁଦ୍ଧ ଭାବମାନ ସନ୍ନିବେଶିତ ହୋଇଅଛି । ବାସ୍ତବରେ ଯେଉଁ ସ୍ଥାନରେ ଭାଷା ଅତ୍ୟନ୍ତ ସଂକୁଚିତ ଭାବ ଅତ୍ୟନ୍ତ ନୂତନ ଓ ପରିଚିତ ଭାବମାନଙ୍କର ବିରୋଧୀ ସେଠାରେ ଆମ୍ଭମାନଙ୍କର ବୁଦ୍ଧିବୃତ୍ତି ସଜାଗ ହୋଇ ଅର୍ଥ ଗ୍ରହଣ କରିବାକୁ ଉନ୍ମୁଖ ହୁଏ ଓ ଅର୍ଥ ଗ୍ରହଣ କରି ପାରିଲେ ଆନନ୍ଦ ଲାଭ କରେ । ପ୍ରହେଳିକା ଓ ବିରୁଦ୍ଧବଚନ (paradox) ମାନଙ୍କର ସରସତା ଏହି ବୁଦ୍ଧି ଉଦ୍ଦୀପନା ଉପରେ ନିର୍ଭର କରେ । ଅବଶ୍ୟ ପ୍ରହେଳିକା ସାହିତ୍ୟିକ ସାମଗ୍ରୀ ନୁହେଁ, ପୁଣି ବିରୁଦ୍ଧ ବଚନ ପ୍ରଭୃତିରେ ଅର୍ଥର ଅତ୍ୟଧିକ କ୍ଲିଷ୍ଟତା ଥିଲେ ତାହା ମନକୁ କ୍ଲାନ୍ତ କରେ । ଏହି କାରଣରୁ ଉଦ୍ଦୀପକ ରଚନାରେ କେବଳ ସାମୟିକ ଈଷତ୍‌ ଉତ୍ତେଜନା ଥିବାହିଁ ବିଧି, ଉତ୍ତେଜନାର ଆଧିକ୍ୟ କିମ୍ବା ଅଧିକ କାଳ ବିସ୍ତୃତି ତାହାର ସରସତାକୁ ନଷ୍ଟ କରିଦିଏ । କେତେକ ରଚନାରେ ପୁଣି କେବଳ ଶବ୍ଦବିନ୍ୟାସ ବା ତହିଁର ଅର୍ଥଗତ କ୍ଲିଷ୍ଟତା ମଧ୍ୟ ବୁଦ୍ଧିକୁ ଜାଗ୍ରତ କରେ । ‘ଦେଖିଲି ନଳିନି ନଳିନୀ ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ’ ପଂକ୍ତିମାନଙ୍କରେ ଏକଧ୍ୱନିଯୁକ୍ତ ପଦମାନଙ୍କର ବାରମ୍ବାର ବ୍ୟବହାର ଆମ୍ଭମାନଙ୍କୁ ଅର୍ଥଗ୍ରହଣ କରିବାକୁ ଉନ୍ମୁଖ କରେ, ମାତ୍ର ଏସବୁ କ୍ଷେତ୍ରରେ ପ୍ରହେଳିକା ପରି କେବଳ ବାକ୍‌ଚାତୁର୍ଯ୍ୟର ବ୍ୟବହାର ଦେଖାଯାଏ । ବାକ୍‌ଚାତୁର୍ଯ୍ୟ ବାସ୍ତବରେ ଭାଷା ଘେନି କସରତି, ଏଥିରେ ଭାବଗତ ସରସତା ନ ଥାଏ, ଏହାଦ୍ୱାରା ଉଦ୍ଦୀପନା ଜାତ ହୁଏ, ମାତ୍ର ସେହି ଉଦ୍ଦୀପନା ସାମୟିକ ଓ ତାହାର ପୁନଃପୁନଃ ବ୍ୟବହାର ପାଣ୍ଡିତ୍ୟର ନିଦର୍ଶନ ହେଲେହେଁ ସେଥିରେ ସରସତାର ଉପାଦନ ଅଳ୍ପ । ଅନେକ ସମୟରେ ଏହି ଭାଷାଗତ କସରତିର ଅର୍ଥଗ୍ରହଣ ଏତେ ଆୟାସସାଧ୍ୟ ଯେ, ତାହାଦ୍ୱାରା ମନ ଅବସନ୍ନ ହୋଇ ପଡ଼େ ଓ ପାଠକ ତାହାର ଅର୍ଥଗ୍ରହଣରେ ସଚେଷ୍ଟ ନ ହୋଇ ବରଂ ତାହା ପରିହାର କରିବା ନିମନ୍ତେ ଉନ୍ମୁଖ ହୁଏ । ‘ଜଳସୁତ ସୁତ ତା ସୁତ ତା ସୁତ ତା ସୁତ ସୁତ ତା ସୁତ’ ବାକ୍ୟ ଏହିପରି ଅତ୍ୟନ୍ତ ଅସ୍ପଷ୍ଟ ଓ ଏହାର ଅର୍ଥଗ୍ରହଣ ଅତ୍ୟନ୍ତ ଆୟାସସାଧ୍ୟ । ଭାଷାର ସାରଲ୍ୟ ମଧ୍ୟରେ ଯେଉଁଠାରେ ଭାବର ଆଧିକ୍ୟ ଥାଏ ତାହାହିଁ ପାଠକର ମନକୁ ଆକୃଷ୍ଟ କରିବାକୁ ସମର୍ଥ ହୁଏ, ମାତ୍ର ଅତି ସାଧାରଣ ଭାବକୁ କେବଳ ବାକ୍‌ଚାତୁରୀଦ୍ୱାରା କଣ୍ଟକିତ କଲେ ତାହା ମନୋହର ହୁଏ ନାହିଁ । ସାହିତ୍ୟ ମଧ୍ୟରେ ପାଠକ ଚାହେଁ ଭାବ ଓ ଭାଷାର ସାମଞ୍ଜସ୍ୟ । ଭାଷାର ଅତ୍ୟଧିକ ବିନ୍ୟାସ, ଅର୍ଥ ସଂଗୋପନ, ବିରୁଦ୍ଧ ଭାବମାନଙ୍କର ପୁନଃପୁନଃ ପ୍ରୟୋଗ, ପ୍ରହେଳିକାମୟ ଭାଷାର ପୁନଃପୁନଃ ବ୍ୟବହାରଦ୍ୱାରା ବିସ୍ମୟ ସଂଜାତ ହୁଏ ସତ୍ୟ ଏବଂ ଏହି ବିସ୍ମୟହିଁ ଉଦ୍ଦୀପକ ରଚନାର ପ୍ରଧାନ ଅବଲମ୍ବନ, ମାତ୍ର ଭାଷାପାରିପାଟ୍ୟ ମଧ୍ୟରେ ଭାବର ଅଭାବ ଥିଲେ ଓ ଭାବର ବିନ୍ୟାସ ମଧ୍ୟରେ ଭାଷାର ବିଶୃଙ୍ଖଳ ବ୍ୟବହାର ଥିଲେ ସାହିତ୍ୟିକ ରଚନା କେବେହେଁ ପ୍ରୀତିପ୍ରଦ ହୁଏ ନାହିଁ ଓ ଲେଖାର ସରସତା ଅନେକ ସ୍ଥଳରେ ନଷ୍ଟ ହୋଇଯାଏ ।

 

ଯେଉଁ ଉଦ୍ଦୀପକ ରଚନା ପାଠକର ଚିତ୍ତବୃତ୍ତିକୁ ଉଦ୍ଦୀପିତ କରି ତାହା ମଧ୍ୟରେ କର୍ମପ୍ରେରଣା ଜାଗରୂକ କରିବା ନିମନ୍ତେ ପ୍ରଯୁକ୍ତ, ତାହାର ପ୍ରକୃଷ୍ଟ ଉଦାହରଣ ବାଗ୍ମିତା । ବାଗ୍ମିତାର ଆଶ୍ରୟସ୍ଥଳ ଓ ପ୍ରଧାନ ଅବଲମ୍ବନ ଆବେଗ । ଏହାର ପ୍ରକାଶ ଭାଷାର କେତେକ ବିଶେଷ ଭଙ୍ଗୀଦ୍ୱାରା । ବାଗ୍ମୀ ନିଜର ଆବେଗଦ୍ୱାରା ଶ୍ରୋତାର ମନରେ କର୍ମପ୍ରେରଣା ଜାତ କରେ, ତାକୁ କାର୍ଯ୍ୟରେ ଉନ୍ମୁଖ କରେ, ତାକୁ ଧିକ୍କାର ଦେଇ କିମ୍ବା ସ୍ତୁତି କରି କୌଣସି ବିଶେଷ ଆବେଗ ତାହା ମନ ମଧ୍ୟରେ ଜାତ କରାଏ । ବାଗ୍ମୀ ସତ୍ୟାନୁସନ୍ଧିତ୍ସାଦ୍ୱାରା ପ୍ରଭାବିତ ନୁହେଁ, ଶ୍ରୋତାକୁ ସତ୍ୟାନୁସରଣ କରିବାରେ ତାହା ପ୍ରଚେଷ୍ଟା ନାହିଁ, ତାହାର ଉଦ୍ଦେଶ୍ୟ ସାମୟିକଭାବରେ ଶ୍ରୋତାକୁ ସମ୍ମୋହିତ କରି, ତାର ବୁଦ୍ଧି ବୃତ୍ତିକୁ ଆୟତ୍ତ କରି ତାକୁ କୌଣସି ବିଶେଷ ମାର୍ଗରେ ପରିଚାଳିତ କରିବା । ବାଗ୍ମୀର ପ୍ରଥମ କୌଶଳ ଶ୍ରୋତାକୁ ପ୍ରୀତ କରି, ତାହାର ସ୍ତୁତି ଗାନ କରି, ହିନ୍ଦୁକୁ ହିନ୍ଦୁଧର୍ମର ମହିମା ବିଷୟରେ କହି, ଛାତ୍ରମାନଙ୍କୁ ଦେଶର ଭବିଷ୍ୟତ୍‌ ଆଶାଭରସାସ୍ଥଳ ବୋଲି ସମ୍ବୋଧନ କରି, ଓଡ଼ିଶାର ଲୋକଙ୍କ ଓଡ଼ିଶାର ଅତୀତ ଶିଳ୍ପଗୌରବ ବିଷୟରେ ସଚେତ କରି ତାଙ୍କ ମନକୁ ପ୍ରଭାବିତ କରିବା ଓ କୌଣସି ବିଶେଷ କାର୍ଯ୍ୟ ପାଇଁ କର୍ମପ୍ରେରଣା ଜାତ କରାଇବା । ଏପରି ରଚନା ମଧ୍ୟରେ ଆଦେଶ, ନିର୍ଦ୍ଦେଶ, ଆବାହନ, ପ୍ରାର୍ଥନା ପ୍ରଭୃତିର ବିଶେଷ ପ୍ରୟୋଗ ଥାଏ ଓ ଏସବୁ ସାହିତ୍ୟିକ ରଚନାକୁ ସରସ କରିପାରେ । ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନରେ ମୟୂରଭଞ୍ଜର ମହାରାଜ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ‘ଭାଇମାନେ’ ବୋଲି ସମ୍ବୋଧନ କରିଥିଲେ । ଏହି ସମ୍ବୋଧନ ମାତ୍ର ହିଁ ଯଥେଷ୍ଟ ଉଦ୍ଦୀପକ ବୋଲି ସୂଚିତ ହୋଇଥିଲା, କାରଣ ଏହି ସମ୍ବୋଧନର ଅନ୍ତରାଳରେ ମହାରାଜଙ୍କ ସହିତ ସାଧାରଣ ଲୋକଙ୍କ ଦେଶସେବାଜନିତ ସାମ୍ୟ ପ୍ରତିଷ୍ଠିତ ହୋଇ ସେମାନଙ୍କର ଗୌଣଭାବରେ ସ୍ତୁତିସ୍ୱରୂପ ହୋଇଥିଲା । ପୁଣି ଧିକ୍କାରଦ୍ୱାରା ମଧ୍ୟ ଶ୍ରୋତାକୁ ଉଦ୍ଦୀପିତ କରାଯାଇଥାଏ କାରଣ ଧିକ୍କାର ଏକପ୍ରକାର ମାନସିକ କଶାଘାତ, ପ୍ରତ୍ୟେକ ଆଘାତର ପ୍ରତିଘାତ ଥିବା ସ୍ଥଳେ ମାନସିକ କଶାଘାତର ଉଦ୍ଦୀପନା ସଞ୍ଚାରକ ଗୁଣ ଥିବା ସ୍ୱାଭାବିକ । ମହାଯାତ୍ରାର ‘ଧିକ ଧିକ୍‌ ଶତଧିକ୍‌ ଧିକ୍‌ ଏ ମନ୍ତ୍ରଣା’ ପ୍ରଭୃତି ପଦ୍ୟାଂଶ ଏହିପରି ଉଦ୍ଦୀପକ ଲେଖାର ଉଦାହରଣ ।

 

ଚିତ୍ତବୃତ୍ତିକୁ ଆଲୋଡ଼ିତ କରିବା ସକାଶେ ଅନେକ ସମୟରେ ପ୍ରଶ୍ନୋକ୍ତି ପ୍ରଭୃତି ଆବେଗ ପରିପୋଷକ ଅଳଙ୍କାରମାନଙ୍କର ପ୍ରୟୋଗ କରାଯାଇ ଥାଏ । ବକ୍ତା ଯେପରି କି ସନ୍ଦେହାକୁଳ, ପ୍ରକୃତ ତଥ୍ୟ ଜାଣିବାକୁ ଅକ୍ଷମ, ନିଜେ କୌଣସି ନିଦ୍ଦେର୍ଶ ନ ଦେଇ ପାଠକମାନଙ୍କଠାରୁ ନିର୍ଦ୍ଦେଶ ପାଇବା ପାଇଁ ଚେଷ୍ଟିତ, ଏହାହିଁ ପ୍ରଶ୍ନଦ୍ୱାରା ସୂଚିତ ହୋଇଥାଏ । ‘ଆଚ୍ଛା ମନେ କର, ଅନ୍ୟତ୍ର ଯାହା ଅସାଧ୍ୟ ରୁଷିଆରେ ତାହା ସାଧ୍ୟ ହୋଇଅଛି, ଏଥିପାଇଁ ଏତେ ଚିତ୍କାର କାହିଁକି ? ରୁଷିଆର ଆଦର୍ଶ ଗ୍ରହଣ କର, ରୁଷିଆର ଅନୁକରଣ କର, ଏ ସବୁର ପ୍ରୟୋଜନ କଣ ? ସମସ୍ତ କଣ ଯାହାର ଯାହା ନିଜସ୍ୱ ଅଛି ସେ ସବୁକୁ ବିନିଷ୍ଟ କରି ରୁଷିଆରେ ମିଳିତ ହେବେ ?’ (ପ୍ରବନ୍ଧ ସୋପାନ ୯୧ପୃଷ୍ଠା) ବାକ୍ୟମାନଙ୍କରେ ପୁନଃପୁନଃ ପ୍ରଶ୍ନଦ୍ୱାରା ପାଠକକୁ ଉଦ୍ଦୀପିତ କରିବାର ଚେଷ୍ଟା ସ୍ପଷ୍ଟ ବର୍ତ୍ତମାନ । ସାଧାରଣ ରଚନାରେ ପ୍ରଶ୍ନୋକ୍ତିର ଏପରି ପୁନଃପୁନଃ ପ୍ରୟୋଗର ପ୍ରୟୋଜନ ନ ଥାଏ ।

 

ଉଦ୍ଦୀପନା ଜାତ କରିବାର ଆଉ ଗୋଟିଏ କୌଶଳ ପୁନଃପୁନଃ ଉକ୍ତି । ବାସ୍ତବରେ ପୁନରୁକ୍ତି ଆବେଗ ପରିପୋଷକ ଅଳଙ୍କାର ମଧ୍ୟରେ ଅନ୍ୟତମ ଥିବାରୁ ଏହାର ଉଦ୍ଦୀପନାଶକ୍ତି ସ୍ୱୀକୃତ ହୋଇଥାଏ । ବର୍ଣ୍ଣନାରେ ବା ଆଖ୍ୟାନ ରୀତିରେ ପୁନରୁକ୍ତି ଦୋଷ, ମାତ୍ର ବାଗ୍ମିତରେ ତାହା ଗୁଣ । ବାଗ୍ମୀ ପୁନରୁକ୍ତି ମଧ୍ୟରେ ବୈଚିତ୍ର୍ୟ ଆଣି ନିଜର କଥାକୁ ସରସ କରେ । ପରିମିତ ଏବଂ ସଂଯତ ପୁନରୁକ୍ତି ଉତ୍ତେଜନା ଜାତ କରିବାର ପ୍ରଧାନ ଉପାୟ ସ୍ୱରୂପ ଅବଲମ୍ବିତ ହୋଇଥାଏ । ‘ଯେଉଁ ଉତ୍କଳ ଏକ ସମୟରେ ସୌଭାଗ୍ୟର ଶିଖରଦେଶରେ ଅବସ୍ଥିତ ଥିଲା, ଯେଉଁ ଉତ୍କଳର ଶିଳ୍ପୀମାନେ କୋଣାର୍କ, ଭୁବନେଶ୍ୱର ପ୍ରଭୃତି ସ୍ଥାନର ବିଶାଳ ମନ୍ଦିରମାନଙ୍କର ପରିକଳ୍ପନା କରିଥିଲେ, ଯେଉଁ ଉତ୍କଳୀୟ ବୀରବୃନ୍ଦଙ୍କ ସିଂହନାଦରେ ଏକ ସମୟରେ ଭାରତଭୂମି ପ୍ରକମ୍ପିତ ହେଉଥିଲା, ସେହି ଉତ୍କଳ ଆଜି ନିର୍ଜୀବ, ନିର୍ଦ୍ଧନ ଓ ନିସ୍ପନ୍ଦ; ଯାହାଙ୍କର ଶୌର୍ଯ୍ୟ ବୀର୍ଯ୍ୟ, ସାହାସ, କୌଶଳ ଅନେକ ଦିନ ପର୍ଯ୍ୟନ୍ତ ଉତ୍କଳ ଭୂମିର ସ୍ୱାଧିନତାକୁ ଅକ୍ଷୁର୍ଣ୍ଣ ରଖିଥିଲା, ସେହି ଉତ୍କଳୀୟମାନଙ୍କର ସନ୍ତାନମାନେ ଆଜି ପରାନୁଗ୍ରହପ୍ରାର୍ଥୀ, ପରାନ୍ନପୁଷ୍ଟ, ଦାସାନୁଦାସ ।’ ଏହି ବାକ୍ୟରେ ପୁନରୁକ୍ତି, ଅତ୍ୟଧିକ ନିନ୍ଦା, ପୂର୍ବ ପୁରୁଷମାନଙ୍କର ଗୌରବ ନିର୍ଦ୍ଦେଶଦ୍ୱାରା ସ୍ତୁତି ପ୍ରଭୃତି ସମସ୍ତ ଉଦ୍ଦୀପକ ରଚନାର ନିଦର୍ଶନ । ପଦ୍ୟରେ ମଧ୍ୟ ଏକପ୍ରକାର ଶବ୍ଦଦ୍ୱାରା ପଂକ୍ତିମାନଙ୍କୁ ଆରମ୍ଭ କରିବାଦ୍ୱାରା ଏହିପରି ଉଦ୍ଦୀପନାର ସଞ୍ଚାର ସମ୍ଭବ ହୋଇଥାଏ –

 

‘ନାହିଁ ଏ ଭାରତେ ବିଦ୍ୟାର ବିଳାସ,

ନାହିଁ ଏ ଭାରତେ ଶୌର୍ଯ୍ୟର ପ୍ରକାଶ ।’

 

ଗୋଟିଏ ଭାବକୁ ବିସ୍ତୁତ କରି କହିବାଦ୍ୱାରା ମଧ୍ୟ ଉଦ୍ଦୀପନାର ସଞ୍ଚାର କରାଯାଇପାରେ । ‘ଓଡ଼ିଆର ଦେଶ ଯାଇଛି, ସାହିତ୍ୟ ଯାଇଛି, ବୀରତ୍ୱ ଯାଇଛି, ଶିଳ୍ପ ଯାଇଛି, ପ୍ରାଣ ମଧ୍ୟ ଯାଇଛି’ (ଶତ ଚିନ୍ତା-୩ପଅଷ୍ଠା),‘ଜ୍ଞାନ, କର୍ମ, ଶିକ୍ଷା, ଆମୋଦ, ପ୍ରମୋଦ ତଥା ବିଳାସବ୍ୟସନର ପରିଣତି ଅଛି କି ?’ (ଶତ ଚିନ୍ତା ୫୪ପୃଷ୍ଠା) ପ୍ରଭୃତି ବାକ୍ୟରେ ଗୋଟିଏ ଭାବକୁ ବିସ୍ତୃତ କରି ଦେଖିବାର ପ୍ରୟାସ କରାଯାଇଅଛି । ଏହାର ଉଦ୍ଦେଶ୍ୟ ଉଦ୍ଦୀପନା ଭିନ୍ନ ଆଉ କିଛି ନୁହେଁ । ଅନେକ ସ୍ଥାନରେ ପୁଣି କେବଳ ବାସ୍ତବ ବିଷୟକୁ ଅତିଶୟୋକ୍ତିଦ୍ୱାରା ସ୍ଫୀତ କରି କହିବା ମଧ୍ୟ ଉଦ୍ଦୀପନାର କାରଣ ହୋଇଥାଏ । ‘ଜୀବନରେ ଏପରି ସୁନ୍ଦର ପଦାର୍ଥ ଆଉ ଉଦ୍ଦୀପନାର କାରଣ ହୋଇଥାଏ । ‘ଜୀବନରେ ଏପରି ସୁନ୍ଦର ପଦାର୍ଥ ଆଉ ଦେଖି ନାହିଁ’ ବାକ୍ୟ ମଧ୍ୟରେ ଏହିପରି ଅତିଶୟୋକ୍ତି ନିହିତ, କାରଣ ଏହି ବାକ୍ୟ ପ୍ରୟୋଗ ସମୟରେ ଅନ୍ୟ ସମସ୍ତ ସୁନ୍ଦର ପଦାର୍ଥର ବିଚାର କରି, ଗୋଟିଏ ବସ୍ତୁର ସୌନ୍ଦର୍ଯ୍ୟ ସ୍ଥିର ରୂପରେ ନିର୍ଦେଶିତ କରିବାର ପ୍ରୟାସ ରହେ ନାହିଁ; ଏହା କେବଳ ସାମୟିକ ଉତ୍ତେଜନାର ବହିଃ ପ୍ରକାଶକ ଉଦ୍ଦୀପନା, ଆବେଗପୂର୍ଣ୍ଣ ରଚନା । ଏହିପରି ‘ଦୟାସାଗର ବିଦ୍ୟାସାଗର’ ମଧ୍ୟ ଅତିଶୟୋକ୍ତି, କାରଣ ଦୟା ବା ବିଦ୍ୟାର ଆଧିକ୍ୟକୁ ସାଗର ସଙ୍ଗେ ତୁଳନା କରିବାଦ୍ୱାରା ବାସ୍ତବ ପଦାର୍ଥକୁ ଲୋକୋତ୍ତର ବୋଲି ବର୍ଣ୍ଣାନା କରାଯାଇ ତାହାର ସରସତା ସମ୍ପାଦିତ ହୋଇଅଛି ଓ ଏହି ସରସତା ଉଦ୍ଦୀପନାଦ୍ୱାରା ସମ୍ଭବ ହୋଇଅଛି । ଏପରି ଅନେକ ରଚନା ଅଛି, ଯେଉଁଥିରେ ଅନୁକ୍ତି ମଧ୍ୟରେ ମଧ୍ୟ ଉଦ୍ଦୀପନାର ପ୍ରମାଣ ମିଳିପାରେ ଅର୍ଥାତ୍‌ ଅତ୍ୟନ୍ତ ଆବେଗଦ୍ୱାରା ପ୍ରଭାବିତ ହୋଇ ଲୋକ ଯେପରି ସାମୟିକ ଭାବରେ ବାକ୍‌ଶୂନ୍ୟ ହୋଇଯାଏ, ସେହିପରି ନୀରବତାର ଅନୁକରଣଦ୍ୱାରା ଆବେଗର ଉଦାହରଣ ମିଳିପାରେ, ଗୋଟିଏ ପ୍ରାଣୀର ଜୀବନ ନାଶ କରିବା ଦୋଷାବହ, ମନୁଷ୍ୟର ଜୀବନ ହରଣ କରିବା ଗୁରୁତର ପାପ, ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣର ପ୍ରାଣହାନି କରିବା ମହାପାତକ, କିନ୍ତୁ ଉପକାରୀ ବୃଦ୍ଧ ବ୍ରାହ୍ମଣକୁ ହତ୍ୟା କରିବା–ଏହାକୁ କଣ ବୋଲାଯାଇପାରେ ?’ ବାକ୍ୟରେ ଦୋଷର ଗୁରୁତ୍ୱ କ୍ରମଶଃ ବଢ଼ାଇ ଶେଷରେ ଅତ୍ୟନ୍ତ ଗୁରୁତ୍ୱ ହେତୁରୁ ଅନୁକ୍ତ ରହୁଅଛି ଓ ଅନୁକ୍ତିଦ୍ୱାରା ଲୋକଙ୍କର କଳ୍ପନାକୁ ଉଦ୍ଦୀପିତ ଓ ଉତ୍ତେଜିତ କରିବାର ଚେଷ୍ଟା କରାଯାଇ ଅଛି । ନାଟକରେ ଏପରି ଅନୁରକ୍ତି ଉଦାହରଣ ଅନେକ ସ୍ଥାନରେ ମିଳିଥାଏ ଓ ଏହା ନାଟକରେ ଉଦ୍ଦୀପନା ବା ଆବେଗ ପ୍ରକାଶ କରିବାର ଗୋଟିଏ ସାଧାରଣ ରୀତିରୂପେ ସ୍ୱୀକୃତି ହୋଇଥାଏ, ଅର୍ଥାତ୍‌ କେବଳ ‘ମା ! ମା !’ ସମ୍ବୋଧନ, (ଗୋବିନ୍ଦ ବିଦ୍ୟାଧର ୧୩୦ ପୃଷ୍ଠା) କେବଳ ‘ଚଞ୍ଚଳା-ଚଞ୍ଚ’ (ସେଓଜି ୫୯ ପୃଷ୍ଠା) ପ୍ରଭୃତିଦ୍ୱାରା ଦର୍ଶକମାନେ ଅନୁକ୍ତ ଆବେଗକୁ ହୃଦୟରେ ଅନୁଭବ କରି ପାରନ୍ତି ।

 

ଚିତ୍ତବୃତ୍ତିକୁ ଉଦ୍ଦୀପିତ କରିବା ନିମନ୍ତେ କେତେକ ବାକ୍ୟବିନ୍ୟାସରୀତି ମଧ୍ୟ ସ୍ୱୀକୃତ ହୋଇଥାଏ । ଶ୍ରୋତାମାନେ ଚାହାନ୍ତି ଯେ ଭାବକୁ ଏତେ ସଂକୁଚିତ କରି ପ୍ରକାଶିତ କରାଯିବ ଯେପରି କି ତାହା ଭାବୋଦ୍ଦୀପକ ଧ୍ୱନି (slogan) ରୂପରେ ପରିଣତ ହୋଇ ପାରିବ । ଦୁଇ ଚାରୋଟି ପଦଦ୍ୱାରା ଯେଉଁ ବାକ୍ୟ ରଚିତ ହୁଏ ସେଥିରେ ଅନେକ ସମୟରେ ସବଳତା ଥାଏ । ତାହା ମନରେ ଲାଖି ରହି ଚିତ୍ତବୃତ୍ତିକୁ ପ୍ରଭାବିତ କରିପାରେ । ଏହି କାରଣରୁ ସଂକୁଚିତ ବାକ୍ୟମାନଙ୍କର ବିନ୍ୟାସ କିମ୍ବା କ୍ରମବର୍ଦ୍ଧମାନ ବାକ୍ୟବିନ୍ୟାସରୀତି ମଧ୍ୟ ଆବେଗସଞ୍ଚାରକ ବୋଲି ସ୍ୱୀକୃତ ହୋଇଥାଏ । ‘ବ୍ୟକ୍ତି ଦାନୀ ! ସେ ଯାହା ଉପାର୍ଜ୍ଜନ ତାହା ନିଜ ପାଇଁ ନୁହେଁ, ଜାତି ପାଇଁ । ସେ ତ୍ୟାଗୀ, ଯେ ଯାହା ସଞ୍ଚୟ କରେ ତାହା ସମର୍ପଣ ପାଇଁ । ସେ ସେବକ, ତାହାର ସମସ୍ତ କର୍ମ ଓ ସାମଗ୍ରୀ ଯଜ୍ଞପୀଠପାଇଁ’ (ପ୍ରବନ୍ଧ ସୋପାନ ୧୦୦ ପୃଷ୍ଠା) ବାକ୍ୟପରମ୍ପରାରେ ପ୍ରଥମେ ବୁଦ୍ଧିବୃତ୍ତି ଉଦ୍ଦୀପକ ଅତି ସଂକୁଚିତ ବାକ୍ୟ ଓ ପରବର୍ତ୍ତୀବାକ୍ୟରେ ଅର୍ଥ ନିର୍ଦ୍ଦେଶଦ୍ୱାରା ଉଦ୍ଦୀପନାର ସଞ୍ଚାର କରାଯାଇଅଛି । ପୁଣି ‘ଦାର୍ଶନିକ ସୂକ୍ଷ୍ମଦର୍ଶୀ । ଦର୍ଶନର ଓଜନ ସୂକ୍ଷ୍ମ । ବିଜ୍ଞାନର ମାପକାଠି ଅପେକ୍ଷା ସୂକ୍ଷ୍ମତର ।’ (ପ୍ରବନ୍ଧସୋପାନ ୧୦୨ ପୃଷ୍ଠା) ବାକ୍ୟମାନ କ୍ରମବର୍ଦ୍ଧମାନ (ପ୍ରଥମ ବାକ୍ୟରେ ଦୁଇଗୋଟି ପଦ, ଦ୍ୱିତୀୟରେ ତିନୋଟି, ତୃତୀୟରେ ଚାରୋଟି) ରୂପରେ ବିନ୍ୟସ୍ତ ହୋଇଥିବାରୁ ତାହା ମଧ୍ୟ ଉଦ୍ଦୀପକ ହୋଇଥାଏ । ବିନ୍ୟାସଜନିତ ଏହି ଉଦ୍ଦୀପନା ମୂଳରେ ଆମ୍ଭମାନଙ୍କର ଛନ୍ଦାନୂଭୂତି ସ୍ପଷ୍ଟ ବର୍ତ୍ତମାନ ।

 

ବାସ୍ତବରେ ଯାହା ଆବେଗ ପରିପୋଷକ ତାହା ଉଦ୍ଦୀପକ, ଯାହା ମନକୁ ପ୍ରଭାବିତ କରିବାକୁ ସମର୍ଥ ତାହାଦ୍ୱାରାହିଁ ଆବେଗର ସଞ୍ଚାର ହୋଇପାରେ; ଏହି କାରଣରୁ ଉଦ୍ଦୀପକ ଲେଖାର ନାନା ଉଦାହରଣ ଆମ୍ଭେମାନେ ଭାଷାରେ ପାଇଥାଉଁ । ପ୍ରତ୍ୟେକ ଲେଖକ ଉଦ୍ଦୀପକ ରଚନାରୀତିର ଆଶ୍ରୟ ଗ୍ରହଣ କରନ୍ତି, କାରଣ ରଚନାର ସକ୍ରିୟତା ଏହି ଉଦ୍ଦୀପନାଶକ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ, ପୁଣି ରଚନାର ସରସତା ମଧ୍ୟ ଉଦ୍ଦୀପକ ବାକ୍ୟମାନଙ୍କ ବ୍ୟବହାରଦ୍ୱାରା ସହଜରେ ସଂରକ୍ଷିତ ହୋଇପାରେ, ମାତ୍ର ପ୍ରତ୍ୟେକ ଲେଖକ ନୂତନ ନୂତନ ରୀତି ଅବଲମ୍ବନ କରି ଲେଖାକୁ ଉଦ୍ଦୀପନାମୟ ଓ ଆବେଗପୂର୍ଣ୍ଣ କରନ୍ତି ।

 

ପୂର୍ବେ ବୋଲାଯାଇଛି ରଚନାର ଉଦ୍ଦେଶ୍ୟ ଘେନି ତାକୁ ଦୁଇ ପ୍ରକାର ବିଭକ୍ତ କରାଯାଇପାରେ-ରଚନା, ଲଘୁ ରଚନା । ଗମ୍ଭୀର ରଚନା ପୁଣି ବାଗାଡ଼ମ୍ବରପୂର୍ଣ୍ଣ ଓ ଗଭୀର ଭାବାତ୍ମକ ହୋଇପାରେ । ଲଘୁରଚନା ମଧ୍ୟ ବାକ୍‌ଚାତୁର୍ଯ୍ୟପୂର୍ଣ୍ଣ ଓ ହାସ୍ୟରସାଶ୍ରିତ ହୋଇପାରେ । ବର୍ତ୍ତମାନ ଏ ସବୁ ରଚନାରୀତିର ବିଶଦ ଆଲୋଚନା କରିବା ପ୍ରୟୋଜନ । ବାଗାଡ଼ମ୍ବରପୂର୍ଣ୍ଣ ରଚନାରେ ଅପରିଚିତ, ସାଧାରଣରେ ଅବ୍ୟବହୃତ ଶବ୍ଦମାନଙ୍କର ବାହୁଲ୍ୟ ଥାଏ । ‘ଏହି ଦିବ୍ୟପୁଷ୍ପାଭରଣଭୂଷିତା, ଶ୍ୟାମାଞ୍ଚଳମଣ୍ଡିତ, ନଦୀନିର୍ଝରସମାକୁଳ ଅନନ୍ତ ପ୍ରକୃତିଙ୍କ ପୁଣ୍ୟାଙ୍କଶୋଭୀ ପବିତ୍ର ପର୍ଣ୍ଣଶାଳା ନିକଟରେ ନଗରର ସୌଧାବଳିର ମୋହାଙ୍କିତ ନଶ୍ୱର ସୌନ୍ଦର୍ଯ୍ୟ କେଡ଼େ ମ୍ରିୟମାଣ’ (ଉତ୍କଳ ପ୍ରକୃତି) ବାକ୍ୟରେ ବାଗାଡ଼ାମ୍ବର ସୁସ୍ପଷ୍ଟ, କେବଳ ଅନାବଶ୍ୟକ ସମାସବହୁଳ ପଦମାନଙ୍କର ପ୍ରୟୋଗଦ୍ୱାରା ‘ସାନ ଚାଳଘର’ର ଗୌରବକୁ ବୃଦ୍ଧି କରିବାର ଚେଷ୍ଟା କରାଯାଇଅଛି । ବାକ୍ୟଟିର ଭାବ ନଗଣ୍ୟ, ଅତିସାଧାରଣ, କେବଳ ବର୍ଣ୍ଣନାର ବାଗାଡ଼ମ୍ବରଦ୍ୱାରା ଏହାକୁ ସ୍ଫୀତ କରାଯାଇଅଛି । ଗୋଟିଏ ଅତିସାଧାରଣ ଭାବକୁ ସରସରୂପେ ଚିତ୍ରିତ କରିବା ନିମନ୍ତେ ଏପରି ବାଗାଡ଼ମ୍ବର ପ୍ରୟୋଜନ ହୋଇଥାଏ । ‘ସନ୍ଧ୍ୟାର ଛାୟା ପ୍ରକୃତି ସମାଚ୍ଛନ୍ନ ହେଲା । ବୃକ୍ଷ ସମୂହରେ ଦଳବଦ୍ଧ ଖଦ୍ୟୋତଦୀପିକାର ପୁଚ୍ଛଜ୍ୟୋତି ଓ ଚତୁର୍ଦିଗସ୍ଥ ଝିଲ୍ଲୀସ୍ୱନ ଯଥାକ୍ରମେ ନୟନ ଓ କର୍ଣ୍ଣକୁ ଉପହାର ଦେଉଥିଲେ’ (ଉତ୍କଳ ପ୍ରକୃତି) ବାକ୍ୟରେ ’ଦଳବଦ୍ଧ ଖଦ୍ୟୋତଦୀପିକାର ପୁଚ୍ଛଜ୍ୟୋତି’ ବାସ୍ତବରେ ଜୁଳୁଜଳିଆପୋକ ନିର୍ଦ୍ଦେଶକ ବାଗାଡ଼ମ୍ବର, ଏହି ବାଗାଡ଼ମ୍ବରଦ୍ୱାରା ଅତି ସାଧାରଣ ଭାବ ଅସାଧାରଣ ରୂପେ ଚିତ୍ରିତ ହୋଇଅଛି । ଏହି ସାଧାରଣ ଭାବକୁ ମନୋଜ୍ଞ ଓ ଅସାଧାରଣ କରିବା ନିମନ୍ତେ ଲେଖକ ବାଗାଡ଼ମ୍ବରର ଆଶ୍ରୟ ନେଇ ସମାସବହୁଳ ବିଜ୍ଞ ଅପ୍ରଚଳିତ ଶବ୍ଦର ବ୍ୟବହାରଦ୍ୱାରା ନିଜର ଲେଖାକୁ ସରସ ଓ ମନୋଜ୍ଞ କରିଅଛନ୍ତି । ଗଦ୍ୟକୁ ମନୋଜ୍ଞ କରିବା ନିମନ୍ତେ ଏହା ଏକ ସାଧାରଣ ରୀତି, ମାତ୍ର ଏହାର ଅପପ୍ରୟୋଗ ବା ଅଯଥା ଅଧିକ ପ୍ରୟୋଗରେ ଲେଖା ନୀରସ ହୋଇ ପଡ଼େ; କାରଣ ମନ କ୍ଲାନ୍ତି ହୋଇ ସେହି ବିଜ୍ଞ ପଦମାନଙ୍କର ଅର୍ଥ ଅନୁଧାବନ କରିବାକୁ ଅସମର୍ଥ ହୁଏ । ‘ଉତ୍କଳ କମଳା ବିଳାସ ଦୀର୍ଘିକା’ ମଧ୍ୟ କଳ୍ପନାମୁଖର ବାଗାଡ଼ମ୍ବର, ମାତ୍ର ଏହି ପଦ୍ୟାଂଶରେ ‘କମଳା’ ସ୍ଥାନରେ ‘ଲକ୍ଷ୍ମୀଙ୍କ’, କିମ୍ବା ‘ବିଳାସ’ ସ୍ଥାନରେ ‘ଆନନ୍ଦ’, କିମ୍ବା ‘ଦୀର୍ଘିକା’ ସ୍ଥାନରେ ‘ସାଗର’ ପ୍ରୟୋଗ କଲେ ତାହାର ମାଧୁର୍ଯ୍ୟ ଓ ପ୍ରସାଦ ଗୁଣ ପୂର୍ଣ୍ଣଭାବରେ ଲୁପ୍ତ ହୋଇଯିବ; ଏଣୁ ଅର୍ଥ ସାମର୍ଥ୍ୟ ଆଲୋଚନା ଅପେକ୍ଷା ଶବ୍ଦ ବିନ୍ୟାସ ଓ ପ୍ରୟୋଗର ଆଲୋଚନା ଏତେ ପ୍ରୟୋଜନ ।

 

ରଚନାରେ ଭାବଗତ ଗାମ୍ଭୀର୍ଯ୍ୟ ମଧ୍ୟ ଥାଇପାରେ । ଏପରି ଗାମ୍ଭୀର୍ଯ୍ୟ ଅବଶ୍ୟ ସରଳ ଭାଷାଦ୍ୱାରା ପ୍ରକାଶିତ ହୋଇପାରେ ନାହିଁ, ମାତ୍ର ଭାଷାର ଅଯଥା ଆଡ଼ମ୍ବର ନ ଥାଇ ମଧ୍ୟ ଭାବର ଗୌରବ ରକ୍ଷିତ ହୋଇପାରେ । ପ୍ରବନ୍ଧ ସୋପାନ, ଶତଚିନ୍ତା ପ୍ରଭୃତି ଗ୍ରନ୍ଥରେ ଏପରି ଭାବଗୌରବର ଶତ ଶତ ଉଦାହରଣ ମିଳିପାରେ । ‘ବିଶିଷ୍ଟ ଉଦ୍ଦେଶ୍ୟ ସାଧନାର୍ଥ ବିଶିଷ୍ଟ ଉପାୟ ନିଯୁକ୍ତିର ନାମ କର୍ମ; ଜ୍ଞାନ ଆମ୍ଭମାନଙ୍କର ଅବଲମ୍ବନ, କର୍ମ ଆମ୍ଭମାନଙ୍କର ଲକ୍ଷ୍ୟ’ (ପ୍ରବନ୍ଧ ସୋପାନ ପୃ୩୩) ବାକ୍ୟରେ ବାଗାଡ଼ମ୍ବର ନାହିଁ, କୌଣସି ବିଶେଷ ଅପ୍ରଚଳିତ ବା ଅସାଧାରଣ ଶବ୍ଦର ପ୍ରୟୋଗ ନାହିଁ, ମାତ୍ର ସମଗ୍ର ବାକ୍ୟଟିରେ ଭାବ ଗୌରବ ରହିଅଛି, ବାକ୍ୟଟି ବିଜ୍ଞ ବ୍ୟକ୍ତିର ସୁଚିନ୍ତିତ ଉକ୍ତି; ଏହାର ପ୍ରତ୍ୟେକ ଶବ୍ଦ ସାର୍ଥକ, ସାଭିପ୍ରେତ, ପରସ୍ପର ସମ୍ବନ୍ଧ । ବାକ୍ୟଟିର ଭାବ ଅନୁଧାବନ କରିବା ନିମନ୍ତେ ପ୍ରତ୍ୟେକ ଶବ୍ଦର ଅନ୍ତର୍ନିହିତ ଅର୍ଥକୁ ସୁସ୍ପଷ୍ଟ ଭାବରେ ବୁଝିବାକୁ ହୁଏ । ଅବଲମ୍ବନ ଓ ଲକ୍ଷ୍ୟର ପାର୍ଥକ୍ୟ ଯଥାଯଥ ଭାବରେ ନିର୍ଦ୍ଦେଶିତ ହୋଇ ନ ପାରିଲେ ଆମ୍ଭେମାନେ ସହଜରେ ଅର୍ଥଗ୍ରହଣ କରି ପାରିବୁ ନାହିଁ । ‘ଦୟାଳୁତା ଯେପରି, ନିଷ୍ଠୁରତା ସେହିପରି ବୃହତ୍ତର ନିଦର୍ଶନ’ (ପ୍ରବନ୍ଧ ସୋପାନ ପୃ୮୨) ‘ଉତ୍ତମ ସାହିତ୍ୟର ସୌନ୍ଦର୍ଯ୍ୟ କଳ୍ପନାର ପାରିପାଟ୍ୟ ଉପରେ ପ୍ରତିଷ୍ଠିତ, କଳ୍ପନାର ପରୀକ୍ଷା ସଂଗଠନରେ’ (ପ୍ରବନ୍ଧ ସୋପାନ ପୃ୧୧୭) ଏହିପରି ବାକ୍ୟମାନଙ୍କରେ, ପୁସ୍ତକଟିର ସର୍ବତ୍ର, ବିଜ୍ଞ ଜନୋଚିତ ଭାବଗାମ୍ଭୀର୍ଯ୍ୟଦ୍ୱାରା ରଚନାର ଗାମ୍ଭୀର୍ଯ୍ୟ ରକ୍ଷିତ ହୋଇଅଛି । ଶତଚିନ୍ତା ପ୍ରଭୃତି ଅନ୍ୟ ପୁସ୍ତକରେ ଏତେ ପରିମାଣରେ ଭାବଗାମ୍ଭୀର୍ଯ୍ୟ ନ ଥିଲେହେଁ ପ୍ରାୟ ପ୍ରତ୍ୟେକ ପ୍ରବନ୍ଧ ଗ୍ରନ୍ଥରେ ଗମ୍ଭୀର ଭାବମାନଙ୍କୁ ପ୍ରକାଶିତ କରାଯାଇଥାଏ । ପ୍ରବନ୍ଧ ଲେଖକ ସାଧାରଣତଃ ଜ୍ଞାନ ପରିବେଶନରେ ବ୍ୟସ୍ତ, ଜ୍ଞାନର ଉପାସକ ଗମ୍ଭୀର ଭାବଦ୍ୱାରା ପାଠକମାନଙ୍କ ମନକୁ ଆକୃଷ୍ଟ କରିବା ନିମନ୍ତେ ସଚେଷ୍ଟ । ସାହିତ୍ୟ ସମାଲୋଚନାରେ, ସାମାଜିକ, ସାହିତ୍ୟିକ, ବିଜ୍ଞାନବିଷୟକ ନାନା ପ୍ରବନ୍ଧରେ, ଜୀବନବୃତ୍ତାନ୍ତରେ କିମ୍ବା ରାଜନୈତିକ ଆଲୋଚନାରେ, ବିତର୍କ ଓ ବିବୃତିରେ ପ୍ରାୟ ଏହିପରି ଜ୍ଞାନଗର୍ଭକ, ଗମ୍ଭୀର ଗଦ୍ୟ ରଚନାର ଉଦାହରଣ ଆମ୍ଭେମାନେ ପାଇଥାଉଁ ଓ ହାସ୍ୟରସାଶ୍ରିତ ଲେଖା ଲଘୁ ହେଲେହେଁ ଏହାର ବିନ୍ୟାସ ପ୍ରତିଭାସାପେକ୍ଷ ଥିବାରୁ ସାଧାରଣ ଲେଖକ ଏହି ଜ୍ଞାନଗର୍ଭକ ଲେଖାରେହିଁ ସନ୍ତୁଷ୍ଟ ରହନ୍ତି ।

 

ଲଘୁ ରଚନା ଗମ୍ଭୀର ରଚନାର ବିପରୀତ ଗୁଣବିଶିଷ୍ଟ । ଏଥିରେ ବାକ୍‌ଚାତୁରୀ ଥାଇପାରେ ଅର୍ଥାତ୍‌ ପ୍ରଚ୍ଛନ୍ନ ବା ଅନଭିପ୍ରେତ ଭାବରେ ହାସ୍ୟରସର ଅବତାରଣା ରହିପାରେ, କିମ୍ବା ସ୍ପଷ୍ଟ ହାସ୍ୟରସକୁ ଅବଲମ୍ବନ କରାଯାଇପାରେ । ବାକ୍‌ଚାତୁର୍ଯ୍ୟର ଉଦାହରଣ ଆଜିକାଲି କ୍ରମଶଃ ବିରଳ ହୋଇ ପଡ଼ୁଅଛି, କାରଣ ବାକ୍‌ଚାତୁର୍ଯ୍ୟ ମଧ୍ୟରେ ଯେଉଁ ପ୍ରଚ୍ଛନ୍ନ ପାଣ୍ଡିତ୍ୟ ଥାଏ, ତାହା ଆଜିକାଲି ବିରଳ । ଗୋଟିଏ ଶବ୍ଦକୁ ନାନା ଅର୍ଥରେ ବ୍ୟବହାର କରିବା, ଗୋଟିଏ ବାକ୍ୟକୁ ଦ୍ୱ୍ୟର୍ଥସୂଚକ ଭାବରେ ପ୍ରୟୋଗ କରିବା, ଗୋଟିଏ ଶବ୍ଦକୁ ଅସାଧାରଣ ଅର୍ଥ ପ୍ରକାଶ ନିମନ୍ତେ ନିଯୁକ୍ତି କରିବା ପ୍ରଭୃତି ନାନାପ୍ରକାର ବାକ୍‌ଚାତୁର୍ଯ୍ୟ ଉଦାହରଣ ରଚନାରେ ମିଳେ; ମାତ୍ର ଆଜିକାଲି ଲେଖାରେ ଏ ସବୁ ପରିହୃତ ହେଉଅଛି । ମନୁଷ୍ୟଜୀବନରେ କଠୋର ଜୀବନସଂଗ୍ରାମର ବୃଦ୍ଧି ସଙ୍ଗେ ସଙ୍ଗେ ହୁଏ ଗମ୍ଭୀର ରଚନା, ଅଥବା ଜୀବନସଂଗ୍ରାମରୁ ପୂର୍ଣ୍ଣ ରକ୍ଷା ପାଇବା ନିମନ୍ତେ ସ୍ପଷ୍ଟ ହାସ୍ୟରସର ଆଶ୍ରୟ ନେବା ପ୍ରୟୋଜନ ହୋଇଥାଏ । ବାକ୍‌ଚାତୁର୍ଯ୍ୟର ଅନ୍ତରାଳରେ ପ୍ରଚ୍ଛନ୍ନ ପାଣ୍ଡିତ୍ୟର ପ୍ରୟୋଗ ଆଧୁନିକ ସମାଜରେ ପ୍ରୀତିକର ହୁଏ ନାହିଁ । ବାକ୍‌ଚାତୁରୀ ବାସ୍ତବରେ ଲଘୁ ରଚନା ହେଲେହେଁ, ଏହାର ଅର୍ଥ ଗ୍ରହଣ କରି ପାରିଲେ ଏଥିରେ ଆନନ୍ଦର ସନ୍ଧାନ ପାଇବା ସମ୍ଭବ ହେଲେହେଁ, ଏହାର ରଚନା ଅତ୍ୟନ୍ତ କଠିନ । ଚିତ୍ରଲେଖାରେ, ଦ୍ୱର୍ଥଲେଖାରେ ଏକାକ୍ଷରୀ ରଚନାରେ, ପ୍ରହେଳିକାରେ ଯେଉଁ ପାଣ୍ଡିତ୍ୟର ପ୍ରୟୋଜନ ହୁଏ, ସାଧାରଣ ଲେଖକମାନଙ୍କ ମଧ୍ୟରେ ତାହାର ଏକାନ୍ତ ଅଭାବ, ସାଧାରଣ ପାଠକମାନଙ୍କର ଏହାର ରସଗ୍ରହଣ କରିବାର କ୍ଷମତା ବା ଅବସର ମଧ୍ୟ ନାହିଁ ।

 

ହାସ୍ୟରସାଶ୍ରିତ ଲେଖା ଗୋଟିଏ ବିଶିଷ୍ଟ ରଚନାପଦ୍ଧତିର ନିଦର୍ଶନ । ହାସ୍ୟରସର ଅବଲମ୍ବନ ପ୍ରଭୃତି ବିଷୟରେ ଯଥେଷ୍ଟ ଜ୍ଞାନ ନ ଥିଲେ, ଏଭଳି ଲେଖାର ରଚନା କରିବା ଅସମ୍ଭବ-। ହାସ୍ୟରସର ଅବତାରଣା ଆପାତ ଦୃଷ୍ଟିରେ ସହଜସାଧ୍ୟ, ହାସ୍ୟରସର ଉପଭୋଗ ସମୟରେ ଆମ୍ଭେମାନେ ସମସ୍ତେ ମନେ କରୁ ଯେ ଏଭଳି ରଚନାରେ କୌଣସି ନିୟମ ନାହିଁ, ମାତ୍ର ହାସ୍ୟରସାଶ୍ରିତ ଲେଖା ବାସ୍ତବରେ ପ୍ରତିଭା ସାପେକ୍ଷ । ଏହା ଆୟାସସାଧ୍ୟ ରଚନା । ଯାହା ବାଚାଳତା ବୋଲି ଭ୍ରମ ହୁଏ, ତାହା ହୁଏ ତ ବହୁ ଯତ୍ନରେ ଗ୍ରଥିତ, ପ୍ରତିଭାର ବହୁମୁଖୀ ବିକାଶର ନିଦର୍ଶନ । ଯେ କୌଣସି ସମୟରେ ହାସ୍ୟରସର ଅବତାରଣା କରିବା ନିମନ୍ତେ ଚେଷ୍ଟା କଲେ ଏହାର ସତ୍ୟତା ସହଜରେ ଉପଲବ୍ଧ ହୋଇ ପାରିବ । ହାସ୍ୟକର କଥା ମଧ୍ୟରେ ଅନ୍ତଦୃଷ୍ଟି ଅଛି, ତାହାର ବିନ୍ୟାସରେ ଯେଉଁ ସରସ ଅନୁଭୂତ ଅଛି, ତାହା ଅନନ୍ୟସାଧାରଣ ପ୍ରତିଭା ଉପରେ ପ୍ରତିଷ୍ଠିତ । ବାସ୍ତବରେ ଗମ୍ଭୀର ରଚନା ଯେ କୌଣସି ଲେଖକ ପକ୍ଷରେ ସମ୍ଭବ, ବାଗ୍‌ଜାଳ ବିସ୍ତାର କରିବା ମଧ୍ୟ ସହଜସାଧ୍ୟ, ଭାବର ବା ଭାଷାର ଗାମ୍ଭୀର୍ଯ୍ୟଦ୍ୱାରା ପାଠକକୁ ମୁଗ୍ଧ କରିବା ଯେ କୌଣସି ବିଜ୍ଞବ୍ୟକ୍ତି ପକ୍ଷରେ ଅନାୟାସସାଧ୍ୟ, ମାତ୍ର ସରଳ ସରସ ହାସ୍ୟରସାତ୍ମକ ରଚନା ଅତି କଠିନ ବସ୍ତୁ । ଏହାର ବିନ୍ୟାସରେ ବା ମାତ୍ରରେ ସାମାନ୍ୟ ଭ୍ରମ ହେଲେ ଏହା ପାଠକ ପକ୍ଷରେ ବିରକ୍ତିକର ହୋଇଥାଏ ।

 

ହାସ୍ୟରସର ମୂଳ ଅବଲମ୍ୱନ ବିରୋଧ । ଆମ୍ଭେମାନେ କାହିଁକି ହସୁଁ ଏହାର ସୁନିର୍ଦ୍ଦିଷ୍ଟ ସୁସ୍ପଷ୍ଟ ଓ ଅଭ୍ରାନ୍ତ କାରଣ ନିର୍ଦ୍ଦେଶ କରିବା ସହଜ ନ ହେଲେହେଁ ଆମ୍ଭମାନଙ୍କ ହାସ୍ୟ ଯେ କୌଣସି ପ୍ରକାର ବିରୋଧ ଉପରେ ପ୍ରତିଷ୍ଠିତ ତାହା ସହଜରେ ସ୍ୱୀକୃତ ହୋଇପାରେ । ଏହି ବିରୋଧ ସହିତ ଆତ୍ମଗୌରବ ବିଶ୍ରିତ ଥାଏ, ଅର୍ଥାତ୍‌ ଅନ୍ୟର ଭ୍ରମରେ ଆମ୍ଭେମାନେ ହସୁଁ କାରଣ ଆମ୍ଭେମାନେ ଅନୁରୂପ ଭ୍ରମ କରି ନ ଥାନ୍ତୁ ବୋଲି ବିଶ୍ୱାସ କରୁଁ; ଆତ୍ମପ୍ରତ୍ୟୟ ଉପରେ ଆମ୍ଭମାନଙ୍କର ହାସ୍ୟର ଅଧିକାଂଶ ନିର୍ଭର କରେ , କାରଣ ଆମ୍ଭମାନଙ୍କର ଭ୍ରମର ଅବକାଶ ଥିଲେ କିମ୍ବା ନ୍ୟୂନତାବୋଧ ଥିଲେ ହାସ୍ୟରସର ଉଦ୍ରେକ ହୋଇ ନପାରେ । ନ୍ୟୂନତାବୋଧ ବାସ୍ତବରେ ହାସ୍ୟରସର ପରିପନ୍ଥୀ, ଆତ୍ମଗୌରବ ଉପରେ ହାସ୍ୟରସ ପ୍ରତିଷ୍ଠିତ । ଆମ୍ଭେମାନେ ନିଜେ ବିପଦରେ ପଡ଼ି ପାରୁଁ ଏହି ଭାବ ଥିଲେ ଅନ୍ୟର ବିପଦ ଦେଖି ଆମ୍ଭେମାନେ କେବେହେଁ ଆନନ୍ଦ ଉପଭୋଗ କରି ପାରନ୍ତୁ ନାହିଁ, ଆମ୍ଭମାନେ ବିପଦର ଅତୀତ ଏହି ଧାରଣାର ବଶବର୍ତ୍ତୀ ହୋଇ ଅନ୍ୟର ବିପଦରେ ଆମ୍ଭେମାନେ ହାସ୍ୟସମ୍ବରଣ କରିପାରୁ ନାହିଁ । ଅପ୍ରାକୃତିକତା ବା ଅସ୍ୱାଭାବିକତା ମଧ୍ୟ ଅନେକ ସ୍ଥାନରେ ହାସ୍ୟର ଉଦ୍ରେକ କରିଥାଏ ।

 

ହାସ୍ୟରସାଶ୍ରିତ ଲେଖା ବାସ୍ତବରେ ଦୁଇ ପ୍ରକାରର । ଗୋଟିଏ ବ୍ୟଙ୍ଗ, ଅନ୍ୟଟି ନିର୍ମଳ ହାସ୍ୟ । ବ୍ୟଙ୍ଗରେ ଅନ୍ୟର ଦୋଷ ନିର୍ଦ୍ଦେଶ ସହିତ ତାକୁ ଆଘାତ କରିବାର ଓ ତାକୁ ସମାଜରେ ହେୟ ପ୍ରତିପନ୍ନ କରିବାର ଇଚ୍ଛା ପ୍ରଚ୍ଛନ୍ନ ଭାବରେ ଥାଏ । ବ୍ୟଙ୍ଗ ମଧ୍ୟରେ ହିଂସା ଓ ବିଦ୍ୱେଷ ପ୍ରଚ୍ଛନ୍ନ ଥାଏ, ଅନ୍ୟର ଦୋଷ ନିର୍ଦ୍ଦେଶ ଅପେକ୍ଷା ତାକୁ ସମାଜରେ ହୀନ ଓ ଉପହାସାସ୍ପଦ କରିବାର ଇଚ୍ଛା ଥାଏ ଓ ତାର ମର୍ଯ୍ୟାଦାରେ ଆଘାତ କରିବାର ମଧ୍ୟ ଆକାଂକ୍ଷା ଥାଏ । ନିର୍ମଳ ହାସ୍ୟରେ ଏପରି କରିବାର ଇଚ୍ଛା ନ ଥାଏ, ଅନ୍ୟର ଦୋଷ ନିର୍ଦ୍ଦେଶ କରିବାର ଆକାଂକ୍ଷା ଥିଲେ ହେଁ ତାକୁ ହେୟ ପ୍ରତିପନ୍ନ କରବାର ପ୍ରୟାସ ନ ଥାଏ, କେବଳ ତାହାର କାର୍ଯ୍ୟାବଳୀକୁ ହାସ୍ୟମୁଖର ସରସତାଦ୍ୱାରା ଆଲୋଚନା କରିବାର ପ୍ରବୃତ୍ତି ଥାଏ ଓ ତାହାର ଦୋଷ ମଧ୍ୟରେ ମାନବିକ ଭ୍ରାନ୍ତିର ସାଧାରଣ ନିଦର୍ଶନମାନ ଦେଖିବାର ଇଚ୍ଛା ପ୍ରଚ୍ଛନ୍ନ ଥାଏ । ବ୍ୟଙ୍ଗ ରଚନାର ଉଦାହରଣ:–

 

ଭଲ କରି ଦେଖ ମୋର ଭ୍ରାତାଙ୍କ ବଦନ

ଉପକାରୀ ବନ୍ଧୁ ଆହା ଅଟନ୍ତି ଏ ଜନ ।

 

ସାଧାରଣ ହାସ୍ୟରସାଶ୍ରିତ ରଚନା ବିରୋଧ ଉପରେ ପ୍ରତିଷ୍ଠିତ, ଏହା ପୂର୍ବରେ ବୋଲା ଯାଇଅଛି । ଏହି ବିରୋଧ ନାନା ପ୍ରକାରର ହୋଇପାରେ, ରଚନା ମଧ୍ୟରେ ରୂପଗତ ବିରୋଧ, ବ୍ୟାଖ୍ୟାଗତ ବିରୋଧ, ଅବସ୍ଥାଗତ ବିରୋଧ, ଶବ୍ଦଗତ ବିରୋଧ, ଦୃଷ୍ଟିଗତ ବିରୋଧ, ରୁଚିଗତ ବିରୋଧ ପ୍ରଭୃତି ନାନା ପ୍ରକାରର ବିରୋଧ ଉପରେ ହାସ୍ୟରସ ପ୍ରତିଷ୍ଠିତ ହୋଇପାରେ; ଏମାନଙ୍କର ବିଶଦ ଆଲୋଚନା କଲେ ପ୍ରତ୍ୟେକ କ୍ଷେତ୍ରରେ ବିରୋଧର ଅନ୍ତରାଳରେ ଆତ୍ମଗୌରବର ଅସ୍ତିତ୍ୱ ସ୍ପଷ୍ଟ ଅନୁଭୂତ ହୋଇ ପାରିବ । ଅବଶ୍ୟ ବିରୋଧ ବ୍ୟତିରେକେ ମଧ୍ୟ ହାସ୍ୟରସର ବିକାଶ ଥାଇପାରେ; ମାତ୍ର ବିରୋଧହିଁ ହାସ୍ୟରସର ପ୍ରଧାନ ଅବଲମ୍ବନ ।

 

ରୂପଗତ ବିରୋଧର ପ୍ରଧାନ ଉଦାହରଣ ପ୍ରସିଦ୍ଧ ବାକ୍ୟର ହାସ୍ୟକର ଅନୁକରଣ । ରାଧାନାଥଙ୍କର ‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ’କୁ ‘ମାଂସରେ ତୃପ୍ତିର ଅବସାଦ ନାହିଁ, ଯେତେ ଖାଇଲେ ହେଁ ଆଉ ମାଗୁଥାଇ’ରେ ପରିବର୍ତ୍ତିତ କଲେ ତାହା ସ୍ୱତଃ ହାସ୍ୟକର ହୁଏ । ଏହିପରି ‘ସଂସାରେ ଥାଇ ମୁଁ ଉଦାସୀନ, ଉଦାସୀନ ପ୍ରାୟ କଟାଇଲି ଦିନ’କୁ ‘କଲେଜ କାମରେ ସଦା ଉଦାସୀନ, ଉଦାସୀନ ପ୍ରାୟ କଟାଇଲି ଦିନ’ ରୂପରେ ହାସ୍ୟକର ଭାବରେ ପରିବର୍ତ୍ତିତ କରାଯାଇପାରେ ଏବଂ ‘ଚାଲିଲେ ରେ ବାଟେ ବାଟେ ବିପଦ କେଭେ ନ ଘଟେ’କୁ ‘ଚାଲିବାକୁ ମାଛହାଟେ ବିରକ୍ତ କେଭେ ନ ଘଟେ’ରେ ରୂପାନ୍ତରିତ କରାଯାଇପାରେ । ଏହି ରୂପାନ୍ତରମାନ ହାସ୍ୟକର; କାରଣ ଏଠାରେ ରୂପଗତ ବିରୋଧ ସ୍ପଷ୍ଟ, ବାକ୍ୟଟିର ନିଜ ସ୍ୱରୂପ ପରିଚିତ ଥିବାରୁ ତାହାର ରୂପାନ୍ତର ଜ୍ଞାନ ବିରୁଦ୍ଧ ଓ ହାସ୍ୟକର ହୁଏ । ମାତ୍ର ପୂର୍ବପରିଚିତ ନ ଥିଲେ ବାକ୍ୟର ରୂପଗତ ବିରୋଧ ସ୍ପଷ୍ଟ ହୁଏ ନାହିଁ; ଏଣୁ ତାହା ହାସ୍ୟକର ବୋଲି ପ୍ରତିୟମାନ ମଧ୍ୟ ହୁଏ ନାହିଁ । ପୁଣି ରୁପାନ୍ତରିତ ବାକ୍ୟଟି ମୂଳ ବାକ୍ୟଠାରୁ ଅତ୍ୟନ୍ତ ଭିନ୍ନ ହୋଇ ପଡ଼ିଲେ ମଧ୍ୟ ତାହାର ମୂଳ ବାକ୍ୟ ବିଷୟରେ ଧାରଣା ଅସ୍ପଷ୍ଟ ହୋଇଯିବାରୁ ତାହା ମଧ୍ୟରେ ଅନ୍ତର୍ନିହିତ ବିରୋଧ ସ୍ପଷ୍ଟଭାବରେ ପ୍ରତୀୟମାନ ହୁଏ ନାହିଁ; ଏଣୁ ତାହା ହାସ୍ୟକର ହୁଏ ନାହିଁ । ‘ସଂସାରେ ଥାଇ ମୁଁ ସଦା ଉଦାସୀନ, ଉଦାସୀନ ପ୍ରାୟ ପ୍ରାୟ କଟାଇଲି ଦିନ’କୁ ‘ଗ୍ରାମରେ ଥାଇ ମୁଁ ଭୋଗିଲି ଯେ ଜର, ଜର ଯୋଗୁ ଗ୍ରାମେ ରହିବାକୁ ଡର’ରେ ରୂପାନ୍ତର କଲେ ପଦ୍ୟାଂଶରେ ହାସ୍ୟର ଉପାଦାନ ଥିଲେ ହେଁ ତାହା କେଉଁ ପଦ୍ୟର ରୂପାନ୍ତରିତ ତାହା ସହଜରେ ବୁଝି ହେବ ନାହିଁ ଓ ଏହି କାରଣରୁ ଏହା କେବଳ ରୂପଘଟିତ ବିରୋଧ ଉପରେ ପ୍ରତିଷ୍ଠିତ ହାସ୍ୟକର ବ୍ୟାପାର ମାତ୍ର ନୁହେଁ । ରୂପଗତ ବିରୋଧ ଗଦ୍ୟ ରଚନା ମଧ୍ୟ ରହିପାରେ, ମାତ୍ର ସାଧାରଣତଃ ପଦ୍ୟାଂଶ ମନରେ ଲାଖି ରହି ଯାଉଥିବାରୁ ଏହାର ରୂପାନ୍ତର ମୂଳ ବାକ୍ୟକୁ ସହଜରେ ସ୍ମୃତିପଥାରୂଢ଼ କରେ ଓ ସେଥିଯୋଗୁଁ ତାହା ହାସ୍ୟକର ହୁଏ; ଗଦ୍ୟ ଏପରି ଭାବରେ ପରିଚିତ ହୋଇ ନ ପାରିବାରୁ ଏହାର ରୂପାନ୍ତର ସ୍ୱତଃ ହାସ୍ୟଜନକ ହୁଏ ନାହିଁ । କେତେକ ସ୍ଥଳରେ ସୁପରିଚିତ ଶବ୍ଦମାତ୍ର ରୂପାନ୍ତରରେ ମଧ୍ୟ ଏହିପରି ହାସ୍ୟରସର ଉପାଦାନ ନିହିତ ଥାଇପାରେ । ଏହିପରି ‘ଗ୍ରହଶାନ୍ତି’କୁ ‘ଗୃହଶାନ୍ତି’, କବିଶିରୋମଣିକୁ କପିଶିରୋମଣି, ଘଟକଚୂଡ଼ାମଣିକୁ ଘୋଟକଚୂଡ଼ାମଣିରେ ପରିବର୍ତ୍ତିତ କରିବାଦ୍ୱାରା ମଧ୍ୟ ହାସ୍ୟରସର ଆବିର୍ଭାବ ଘଟିଥାଏ, ମାତ୍ର ସର୍ବତ୍ର ଏହି ହାସ୍ୟରସ ମୂଳ ଶବ୍ଦର ବା ବାକ୍ୟର ପରିଚିତ ଉପରେ ପ୍ରତିଷ୍ଠିତ, ରୂପାନ୍ତରିତ ବାକ୍ୟ ପାଠ ସମୟରେ ମୂଳ ବାକ୍ୟଟି ମନ ମଧ୍ୟରେ ସ୍ୱତଃ ଜାଗ୍ରତ ନ ହେଲେ କେବେହେଁ ହାସ୍ୟରସର ଉଦ୍ରେକ କରିପାରେ ନାହିଁ ।

 

ହାସ୍ୟରସର ଦ୍ୱିତୀୟ ଅଭିବ୍ୟକ୍ତି ବ୍ୟାଖ୍ୟାଗତ ବିରୋଧ ଉପରେ ପ୍ରତିଷ୍ଠିତ । ଗୋଟିଏ ବାକ୍ୟର ପ୍ରସିଦ୍ଧ ଅର୍ଥ ବିସ୍ତୃତ ହୋଇ ତାକୁ ଅନ୍ୟ ଭାବରେ ଅର୍ଥ କଲେ ମଧ୍ୟ ଆମ୍ଭେମାନେ ଏପ୍ରକାର ବିରୋଧ ଆଭାସ ପାଇଥାଉଁ । ‘ତନ୍ୱୀ ଶ୍ୟାମା ଶିଖରିଦଶନା’ର ଅର୍ଥ ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠରେ ଯେପରି ଭାବରେ ଦିଆଯାଇଅଛି ତାହା ହାସ୍ୟୋଦ୍ରେକ କରେ, କାରଣ ‘ତନ୍ୱୀ’ର ବାସ୍ତବିକ ଅର୍ଥ କ୍ଷୀଣାଙ୍ଗ ଥିବା ବେଳେ ସ୍ଥଳେ ଫକୀରମୋହନ ଏହାକୁ ବିପରୀତ ଅର୍ଥରେ ବ୍ୟବହୃତ କରିଅଛନ୍ତି । ଏହିପରି ‘ପୁରୀରେ କିଛିଦିନ ରହିଲେ ଆଉ କିଛ ନ ହେଉ ପଦୋନ୍ନତି ନିଶ୍ଚୟ ହେବ’ ବାକ୍ୟରେ ପଦୋନ୍ନତି ଶ୍ଲୀପଦର ପରିଚାୟକରୂପେ ପ୍ରକାଶିତ ହେଲେ ତାହାଦ୍ୱାରା ମଦ୍ୟ ହାସ୍ୟରସର ଉଦ୍ରେକ କରାଯାଇପାରେ । ବ୍ୟାଖ୍ୟାର ବିରୋଧଦ୍ୱାରା ଲୋକଙ୍କୁ ଆନନ୍ଦ ଦେବା ଓ ଲୋକମନରେ ହାସ୍ୟରସର ସଞ୍ଚାର କରିବା ଗୋଟିଏ ଅତି ପ୍ରାଚୀନ ରୀତି । ‘ମହାଜନୋ ଯେନ ଗତଃ ସ ପନ୍ଥା’ ବାକ୍ୟରେ ‘ମହାଜନ’କୁ ଋଣଦାନକାରୀ ବୋଲି ବ୍ୟାଖ୍ୟା କଲେ ଏହିପରି ବିରୁଦ୍ଧ ବ୍ୟାଖ୍ୟାର ଉଦାହରଣ ସହଜରେ ମିଳି ପାରିବ । ‘ମହାନ୍ତିଏ ଭାରି ସତ୍ୟବନ୍ତ ଲୋକ, ଏକା ରା ଧରିଛନ୍ତି–ସାତଶରୁ ପଇସାଏ ବି ଊଣା ହେବ ନାହିଁ, (ଗଳ୍ପସ୍ୱଳ୍ପ ପୃ୪୯) ବାକ୍ୟରେ ‘ ସତ୍ୟବନ୍ତ’ର ବିରୁଦ୍ଧ ବ୍ୟାଖ୍ୟ ଉପରେ ହାସ୍ୟରସ ପ୍ରତିଷ୍ଠିତ ।

 

ହାସ୍ୟରସର ପ୍ରଧାନ ଉପାଦନ ଅବସ୍ଥାଗତ ବିରୋଧ । ଜଣେ ସୁବେଶ, ସ୍ଥୂଳକାୟ, ଗମ୍ଭୀରପ୍ରକୃତିର ଲୋକ ହଠାତ୍‌ କର୍ଦ୍ଦମରେ ପଡ଼ିଗଲେ ଆମ୍ଭେମାନେ ହାସ୍ୟ ସମ୍ବରଣ କରିପାରୁ ନାହିଁ, କାରଣ ଲୋକଟିର ବେଶଭୁଷା ଓ ଗାମ୍ଭୀର୍ଯ୍ୟ ତାହାର ପତନର ଅବସ୍ଥା ସହିତ ବିପର୍ଯ୍ୟୟ ଘଟାଉଅଛି ଅର୍ଥାତ୍‌ ତାହାର ଗାମ୍ଭୀର୍ଯ୍ୟ ଓ ପତନ ମଧ୍ୟରେ ବିରୋଧ ଥିବାରୁ ହାସ୍ୟକର ହେଉଅଛି । ଯଦି କୌଣସି କ୍ଷୀଣ ରୁଗ୍‌ଣ ଲୋକର ଅନାହାରଜନିତ ଦୁର୍ବଳତା ହେତୁରୁ ପତନ ଘଟିଥାନ୍ତା ତେବେ ତାହା ହାସ୍ୟକର ବ୍ୟାପାର ନ ହୋଇ କରୁଣ ରସ ଉଦ୍ରେକ କରିଥାନ୍ତା, ଅର୍ଥାତ୍‌ ଏଠାରେ ପାରପାର୍ଶ୍ୱିକ ଅବସ୍ଥାମାନଙ୍କ ମଧ୍ୟରେ ବିରୋଧ ହାସ୍ୟକର ହୁଏ । ସ୍ଥୂଳକାୟ ଗମ୍ଭୀର ଲୋକର ପତନ ଯେପରି ହାସ୍ୟକର ଅତି କ୍ଷୀଣକାୟ ଲୋକର ସିଂହାସନରେ ଉପବେଶନ ମଧ୍ୟ ସେହିପରି ହାସ୍ୟକର; କାପୁରୁଷର ଅସ୍ଫାଳନ ଯେପରି ହାସ୍ୟକର, ବୀରର ପଳାୟନ ମଧ୍ୟ ସେହିପରି ହାସ୍ୟକର; ଅଜ୍ଞ ଲୋକର ବିଦ୍ୟା ପରୀକ୍ଷାରେ କୌଶଳକ୍ରମେ ଉତ୍ତୀର୍ଣ୍ଣ ହେବା ଯେପରି ହାସ୍ୟକର, ବିଜ୍ଞତାଭିମାନୀ ବ୍ୟକ୍ତିର ପରାଜୟ ମଧ୍ୟ ସେହିପରି ହାସ୍ୟସକର । ସାହିତ୍ୟିକ ରଚନାରେ ଏପରି ବିରୁଦ୍ଧ ଅବସ୍ଥାର କଳ୍ପନାଦ୍ୱାରା ହାସ୍ୟରସର ଉଦ୍ରେକ କରିବାର ଚେଷ୍ଟା ଆମ୍ଭେମାନେ ଅହରହଃ ପାଇଥାଉଁ । ‘ଆଉ ଜ୍ୟୋତିଷ କମଳଲୋଚନ ନାୟକେ ତେଡ଼େବଡ଼ ଖରା କାଳରେ ପାଟଯଥା ପିନ୍ଧି ଯୋଡ଼ିଶାଲ ଘୋଡ଼ି ହୋଇ ହାତରେ ସୁନାବାଲା ନାଇ ମାସେଯାଏ ସହର ମଧ୍ୟରେ ସବୁ ବଡ଼ଲୋକଙ୍କଦ୍ୱାରା ବୁଲୁଥିବାର ଦେଖାଗଲା’ (ଗଳ୍ପସ୍ୱଳ୍ପ ପୃ୧୧୬)ରେ ଖରା ସମୟରେ ପାଟଯଥା ଓ ଶାଲ ବିନ୍ଧିବା ମଧ୍ୟରେ ଅବସ୍ଥାଗତ ବିରୋଧ ସୂଚିତ ହେଉଅଛି । ଏହି ବାକ୍ୟରେ ପୁଣି ‘ଯୋଡ଼ି’ ସହିତ ‘ଘୋଡ଼ି’ ଶବ୍ଦର ଧ୍ୱନିଗତ ସମତା ରକ୍ଷା କରାଯାଇଥିବାରୁ ଲେଖାଟି ଆହୁରି ହାସ୍ୟକର ହୋଇଅଛି । ‘ମାହାନ୍ତିଏ ବୁଝିଲେଣି ଦୋହୁଳି ତେହଳି କେହି –ଖୁବ ବୁଢ଼ାବର ନ ହେଲେ ଦର ପଟିବ ନାହିଁ । କନ୍ୟାପାଇଁ ଏହିପରି ଯୋଗା ବର ସକାଶେ ବାଟ ଚାହିଁ ବସିଛନ୍ତି’ (ଗଳ୍ପସ୍ୱଳ୍ପ ପୃ ୪୯) ବାକ୍ୟରେ ମଧ୍ୟ ‘ଯୋଗା ବର’ ସହିତ ‘ଦୋହୁଳି ତେହଳି’ର ଅବସ୍ଥାଗତ ବିରୋଧ ସୂଚିତ ହେଉଥିବାରୁ ରଚନା ହାସ୍ୟକର ହୋଇଅଛି ।

 

କେତେକ ସ୍ଥାନରେ ଶବ୍ଦଗତ ବିରୋଧଦ୍ୱାରା ମଧ୍ୟ ହାସ୍ୟରସର ଅବତାରଣା କରାଯାଇପାରେ । ଶବ୍ଦର ବିରୁଦ୍ଧ ପ୍ରୟୋଗ ନାନା ଉପାୟରେ ରଚନାରେ ସ୍ୱୀକୃତ ହୋଇପାରେ । ପ୍ରଥମତଃ ବିରୁଦ୍ଧ ଶବ୍ଦମାନଙ୍କର ଏକତ୍ର ପ୍ରୟୋଗଦ୍ୱାରା ହାସ୍ୟରସର ଅବତାରଣା କରାଯାଇପାରେ ଯଥା-ଚାହିଁ ଜଳକା, ଚେଇଁ ଶୋଇବା, ପଣ୍ଡିତ ମୂର୍ଖ, ଜ୍ଞାନପାପୀ ପ୍ରଭୃତି । ଏହି ଶବ୍ଦମାନଙ୍କ ମଧ୍ୟରେ ବିରୋଧ ଏତେ ସୁସ୍ପଷ୍ଟ ଯେ ଏମାନଙ୍କର ଏକତ୍ର ପ୍ରୟୋଗ ହାସ୍ୟକର ହୁଏ । ପୁଣି କେତେକ ସ୍ଥାନରେ ଏପରି ଶବ୍ଦ ପ୍ରୟୋଗ କରାଯାଏ ଯେ ତାହାର ଇଙ୍ଗିତ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ । ମଠର ସରଘରିଆର ନାମ ‘ଶ୍ରୀ ବିନୋଦବିହାରୀ ଗନ୍ତାଘର ରାଏ, ତାଙ୍କ ଘର ମିଛୁପୁର, ଜମିଦାର ତାଲକେ ଆକାଶପୁର’ (ଗଳ୍ପସ୍ୱଳ୍ପ ୫୫ପୃ) ବାକ୍ୟରେ ‘ଗନ୍ତାଘର ରାଏ’ ‘ମିଛୁପୁର’ ‘ଆକାଶପୁର’ ମଧ୍ୟରେ ଯେଉଁ ପ୍ରଚ୍ଛନ୍ନ ଇଙ୍ଗିତ ଅଛି ତାହା ଶବ୍ଦର ସାଧାରଣ ଅର୍ଥ ସହିତ ବିରୁଦ୍ଧଭାବରେ ବ୍ୟବହୃତ-। ଏହିପରି ‘ସତ୍ୟବିଜୟ’ ନାଟକରେ ଝୁଟାପୁର ଥାନାର ନାମର ଉଲ୍ଲେଖ ହାସ୍ୟକର । ସୈନ୍ୟର ନାମ ଚମ୍ପଟ ସିଂ ହେଲେ, ଦାରୋଗାର ନାମ ମିଛୁ ସିଂ ହେଲେ, ଅନ୍ଧର ନାମ ପଦ୍ମଲୋଚନ ପରି ହାସ୍ୟକର ହେବା ସ୍ୱାଭାବିକ । ଏଠାରେ ଶବ୍ଦର ପ୍ରୟୋଗଗତ ବିରୋଧ ସୁସ୍ପଷ୍ଟ-। ପୁଣି ଅନ୍ୟତ୍ର ରଚନା ମଧ୍ୟରେ ବୈଦେଶିକ ଶବ୍ଦର ପ୍ରୟୋଗ ମଧ୍ୟ ହାସ୍ୟକର ହୁଏ । କାରଣ ପରିଚିତ ଶବ୍ଦ ସହିତ ଏହାର ପ୍ରୟୋଗଗତ ବିରୋଧ ସୂଚିତ ହୁଏ । ଏପରି ବିରୋଧର ଉଦାହରଣ ଆମ୍ଭେମାନେ ବହୁକ୍ଷେତ୍ରରେ ପାଇଥାଉଁ । ‘ଦୂରବୀକ୍ଷଣ’ ବା ‘ଦୂରବୀନ୍‌’ ସ୍ଥଳେ ‘ନଜର ନଳି’ ବ୍ୟବହୃତ ହେଲେ ତାହା ହାସ୍ୟକର ହୁଏ, କାରଣ ନଜର ନଳି ଏହି ଅର୍ଥରେ ଅପରିଚିତ ବୈଦେଶିକ ଶବ୍ଦ ସହିତ ସମ୍ପୃକ୍ତ । ଛମାଣ ଆଠଗୁଣ୍ଠରେ ଏହିପରି ନାନା ବୈଦେଶିକ ଶବ୍ଦର ପ୍ରୟୋଗଦ୍ୱାରା ହାସ୍ୟରସର ଅବତାରଣା କରାଯାଇଅଛି ।

 

ଶବ୍ଦମାନଙ୍କର ବିକୃତ ଉଚ୍ଚାରଣ, ଅର୍ଥାତ୍‌ ସେମାନଙ୍କର ପରିଚିତ ଓ ପ୍ରତ୍ୟାଶିତ ରୂପର ବିରୁଦ୍ଧ ପ୍ରୟୋଗ ମଧ୍ୟ ହାସ୍ୟରସର ସହାୟକ ହୁଏ । ଏହାର ଉଦାହରଣ କଳିକାଳ ପ୍ରଭୃତି ନାଟକରେ ମିଳେ । ବିଦେଶୀୟମାନଙ୍କର ଓଡ଼ିଆ ଭାଷାର ବ୍ୟବହାର (ଯଥା-ଯୁଗଧର୍ମ), ଓଡ଼ିଆମାନଙ୍କର ବୈଦେଶିକ ଭାଷାର ବ୍ୟବହାର (ଯଥା- କଳିକାଳ) ଜନିତ ବିକୃତି ଏହିପରି ହାସ୍ୟକର ହୁଏ । ଏପରି କି ବୈଦେଶିକମାନଙ୍କର ବିଦେଶୀୟ (ହିନ୍ଦୀ,ବଙ୍ଗଳା ପ୍ରଭୃତି) ଭାଷାର ବ୍ୟବହାରରେ ବିକୃତ ନ ଥିଲେହେଁ ତାହା ହାସ୍ୟକର ହୋଇଥାଏ, କାରଣ ତାହା ସାଧାରଣ ଲୋକଙ୍କର ବ୍ୟବହାରବିରୁଦ୍ଧ । ‘ବିଷମୋଦକ’ରେ ‘ଯୁଗଧର୍ମ’ରେ ଓ ଅନ୍ୟାନ୍ୟ ନାଟକରେ ମଧ ଏହାର ଉଦାହରଣ ମିଳେ । ଶବ୍ଦଗତ ବିରୋଧର ହାସ୍ୟରସ ଉଦ୍ରେକ କରିବା କ୍ଷମତାର ଆଉ ଗୋଟିଏ ନିଦର୍ଶନ ଆମ୍ଭେମାନେ ଧ୍ୱନିସମାବେଶ ମଧ୍ୟରେ ପାଇଥାଉଁ । ‘ଗୋବିନ୍ଦବିଦ୍ୟାଧର’ରେ (ପୃ ୧୨୭) ଅର୍ଜୁନ ‘ପଶୁର ଅଧମ’ କହିଲାକ୍ଷଣି ପ୍ରଥମ ରକ୍ଷୀ ‘ଦେବଟି ଧମାଧନ’ ବୋଲି ତାକୁ ପ୍ରହାର କଲା, ଏହିଠାରେ କେବଳ ଧ୍ୱନିସମାବେଶ ମଧ୍ୟରେ ଅଧମ ଶବ୍ଦର ପରିଚୟ ଲୁପ୍ତ ହୋଇଯାଇ ସମଧ୍ୱନି ଯୁକ୍ତ ଶବ୍ଦର ପ୍ରୟୋଗ ହୋଇଥିବାରୁ ତାହା ହାସ୍ୟକର ହୋଇଅଛି ।

 

ଦୃଷ୍ଟିଭଙ୍ଗୀର ବିରୋଧ ଅର୍ଥାତ୍‌ ଗୁରୁ ବିଷୟକୁ ଅତ୍ୟନ୍ତ ଲଘୁଭାବରେ ଦେଖିବା କିମ୍ବା ଲଘୁ ବିଷୟକୁ ଅତ୍ୟନ୍ତ ଗୁରୁଭାବରେ ବର୍ଣ୍ଣନା କରିବା କିମ୍ବା ସାଧାରଣ ବିଷୟକୁ ଅତ୍ୟନ୍ତ ବିଶ୍ଲେଷିତ ଓ ପ୍ରାଞ୍ଜଳ କରି ଦେଖିବା ମଧ୍ୟରେ ମଧ୍ୟ ହାସ୍ୟରସ ନିହିତ ଥାଇପାରେ । ‘ଅଙ୍କଲକ୍ଷ୍ମୀଙ୍କର ଶ୍ରୀହସ୍ତାଳଂକାରୀ ଝାଡ଼ମୁଠା ସହିତ ହାକିମଙ୍କର ଔର୍ଦ୍ଧ୍ୱ ଦୈହିତ ସମ୍ପର୍କ ଘଟିଅଛି’ (ଭଞ୍ଜପ୍ରଦୀପ ପୃ ୯, ୧୨ ବର୍ଷ, ୧ମ ସଂଖ୍ୟା) ବାକ୍ୟରେ ଗୋଟିଏ ଅତି ଲଘୁଭାବକୁ ଗୁରୁଗମ୍ଭୀରଭାବରେ ବର୍ଣ୍ଣନା କାଯାଇଅଛି, ଏଣୁ ଲେଖାଟି ହାସ୍ୟକର ହୋଇଅଛି । ଏହିପରି ‘ସ୍ୱାମୀ ପାଚକ ଅବତାର ଗ୍ରହଣ କରି ବଧୂଙ୍କର ପ୍ରତ୍ୟାଗମନ ବେଳକୁ ରୁଚିକର ଚର୍ବ୍ୟ ଚୋଷ୍ୟ ଲେହ୍ୟ ପେୟର ବ୍ୟବସ୍ଥାରେ ଲାଗିଥାନ୍ତି । ବହିର୍ଜଗତରୁ ପ୍ରତ୍ୟାଗତା ବଧୂ ସ୍ୱାମୀପକ୍ୱ ଖାଦ୍ୟାଦିର ସଦ୍‌ବ୍ୟବହାର କରନ୍ତି ଓ ଯଦି ଖାଦ୍ୟପାକରେ କିଛି ତ୍ରୁଟି ଘଟିଥାଏ ତେବେ ରାତିତମାମ ଦେହି ପଦପଲ୍ଳବମୁଦାରଂ କରୁକରୁ ଚରଣାୟୁଧବୃନ୍ଦ ରଟିବା ସମୟ ଉପସ୍ଥିତ ହୋଇଯାଏ ।’ (ପୂର୍ବୋଲ୍ଲେଖ) ବାକ୍ୟମାନଙ୍କରେ ମଧ୍ୟ ଏହି ପରି ଦୃଷ୍ଟିଭଙ୍ଗୀର ବିରୋଧ ସୁସ୍ପଷ୍ଟ । ଅନ୍ୟ ଦିଗରେ ପୁରୀ ଜଗନ୍ନାଥ ଦେଉଳରେ ବଳରାମଙ୍କ ବିଗ୍ରହ ସ୍ଥାନଚ୍ୟୁତ ହୋଇ ପଡ଼ିଯିବା ଭଳି ଗୁରୁ ବିଷୟକୁ ଅତ୍ୟନ୍ତ ଲଘୁଭାବରେ ଦେଖି ‘ବଡ଼ଠାକୁରେ ଚିତଫଟାଙ୍ଗ’ ରୂପେ ବର୍ଣ୍ଣନା କଲେ ମଧ୍ୟ ତାହା ହାସ୍ୟକର ହୁଏ । ଶତ୍ରୁପକ୍ଷର ଆକ୍ରମଣରେ ଆତଙ୍କଗ୍ରସ୍ତ ନରନାରୀମାନଙ୍କର ଇତସ୍ତତଃ ପଳାୟନକୁ ମଧ୍ୟ ଏହିପରି ଭାବରେ ହାସ୍ୟକର ରୂପରେ ବର୍ଣ୍ଣନା କରାଯାଇପାରେ । ପୁଣି ବିଶ୍ଲେଷିତ ବା ପ୍ରାଞ୍ଜଳ ଦୃଷ୍ଟିର ଉଦାହରଣ ମଧ୍ୟ ବିରଳ ନୁହେଁ । ‘ଏସମୟରେ ଜାଗିରିଖିଆ, ଦରମାଖିଆ, ପଡ଼ିଖିଆ, ସିଧାସଞ୍ଜାଖିଆ, ହେତାଖିଆ ଖିଜ୍‌ମଦଗାର ଓ କାରିଗରମାନେ ଆପଣା ଆଶ୍ରୟଦାତାମାନଙ୍କୁ ସଉକି ଜିନିଷ ଭେଟନ୍ତି’ (ଭଞ୍ଜପ୍ରଦୀପ) ବାକ୍ୟରେ ଏହିପରି ଗୋଟିଏ ବିଷୟକୁ ବିଶ୍ଲେଷିତ ଓ ପ୍ରାଞ୍ଜଳ ବର୍ଣ୍ଣନା କରିବାଦ୍ୱାରା ହାସ୍ୟକର କରାଯାଇଅଛି । ଏହାର ଅନ୍ୟାନ୍ୟ ଉଦାହରଣ ବାଇମହାନ୍ତି ପାଞ୍ଜି ବା ଭାଗବତଟୁଙ୍ଗୀରେ ସନ୍ଧ୍ୟା ପୁସ୍ତକମାନଙ୍କରେ ଦେଖାଯାଏ ।

 

ହାସ୍ୟରସଯୁକ୍ତ ଲେଖାକୁ ବିଶ୍ଲେଷଣ କଲେ ଆମ୍ଭେମାନେ ତାକୁ ଚାରିଗୋଟି ବିଭାଗରେ ବିଭକ୍ତ କରି ପାରୁଁ । (୧) ଭାଷାଗତ, (୨) ଘଟନାଗତ, (୩) ଚରିତ୍ରଗତ, (୪) ଉଦ୍ଦେଶ୍ୟଗତ । ଯେଉଁଠାରେ ଏକ ଶବ୍ଦକୁ ଭିନ୍ନାର୍ଥରେ ବ୍ୟବହାର କରି (ଯଥା ମଲ୍ଲୀ) ଅଥବା ଶବ୍ଦର ସାମାନ୍ୟ ବିକୃତିକୁ ଅଙ୍ଗାଙ୍ଗୀ ଭାବରେ ବ୍ୟବହାର କରି ହାସ୍ୟରସର ଉଦ୍ରେକ କରାଯାଏ ସେଠାରେ ଭାଷାଗତ ହାସ୍ୟରସ ସ୍ୱୀକାର କରିବାକୁ ହୁଏ । ପୁଣି କେତେକ କ୍ଷେତ୍ରରେ ସାଙ୍କେତିକ ଶବ୍ଦର ବ୍ୟବହାର ମଧ୍ୟ ହାସ୍ୟକର ହୁଏ (ଯଥା-ଝୁଟାପୁର ଥାନାର ମିଛୁ ମାହାନ୍ତି ଦାରୋଗା), ଅନ୍ୟ କେତେକ କ୍ଷେତ୍ରରେ ପୁଣି ପ୍ରସିଦ୍ଧ ବାକ୍ୟର ବିକୃତ ବ୍ୟବହାର ମଧ୍ୟ ହାସ୍ୟକର ହୁଏ ଯଥା ‘‘ସଂସାରେ ଭୋଗରେ ଅବସାଦ ନାହିଁ’’ କିମ୍ବା ‘କଲେଜ ପାଠର ଅବସର ନାହିଁ, ଖେଳାଖେଳି କରି ଦିନ ଯାଏ ବୋହି’ ପ୍ରଭୃତି । ଅନ୍ୟ ଅନେକ ସ୍ଥାନରେ ପୁଣି ବିଦେଶୀ ଶବ୍ଦମାନଙ୍କର ବ୍ୟବହାର (ଯଥା-ତାଙ୍କୁ ଗୋଟା ଚାରି ଛ ସଲାମ ପକାଇଲେ) କିମ୍ବା ବିଦେଶୀ ଢଙ୍ଗରେ ବାକ୍ୟ ବିନ୍ୟାସ (ଯଥା ଦର୍ଶନଶାସ୍ତ୍ର କଠିନ ଥାଉଛି ଏକା, କିମ୍ବା ମାମୁଁରେ ପଣ୍ଡିତ ସଭାର ବର୍ଣ୍ଣନା), କିମ୍ବା ବିଦେଶୀମାନଙ୍କର ଅନୁକରଣରେ ଶବ୍ଦର ଉଚ୍ଚାରଣ ବିକୃତ ପ୍ରଭୃତି ହାସ୍ୟକର ହୋଇଥାଏ । ପୁଣି ଅନ୍ୟ କେତେକ ସ୍ଥାନରେ ଅପ୍ରଚଳିତ ବିଦେଶୀ ଶବ୍ଦମନଙ୍କର ବ୍ୟବହାର ମଧ୍ୟ ହାସ୍ୟକର ହୁଏ (ଯଥା-ସେ ମୋତେ ଲଭ୍‌କରନ୍ତି, ଆଜି ପରି ଆଡ଼ାଟା Waste ହୋଇଗଲା) । ଏ ସମସ୍ତ ଭାଷାଗତ ହାସ୍ୟରସର ଉଦାହରଣ ।

 

ଅନେକ ସମୟରେ ପୁଣି ହାସ୍ୟରସ ଅବସ୍ଥା ବା ଘଟନାପରମ୍ପରା ଉପରେ ନିର୍ଭର କରିଥାଏ । କୌଣସି ସୁଦୃଶ୍ୟ ପୋଷାକପରିହିତ ବ୍ୟକ୍ତିର ଆବର୍ଜନା କୁଣ୍ଡରେ ପତନ କିମ୍ବା କୌଣସି କ୍ଷୀଣକାୟ ଲୋକର ବହୁ ଆୟାସସାଧ୍ୟ କାର୍ଯ୍ୟରେ ହସ୍ତକ୍ଷେପ ଏହିପରି ହାସ୍ୟକର ବ୍ୟାପାର । ଅନେକ ସମୟରେ ପୁଣି ପାପୀର ପାପକାର୍ଯ୍ୟର ପ୍ରକାଶଜନିତ ଦଣ୍ଡଭୋଗ ମଧ୍ୟ ପାଠକମନରେ ହାସ୍ୟରସ ଉଦ୍ରେକ କରିବାକୁ ସମର୍ଥ ହୁଏ । ‘ମାମୁ’ ଉପନ୍ୟାସ ଏହାର ଗୋଟିଏ ପ୍ରକୃଷ୍ଟ ଉଦାହରଣ । ଅନ୍ୟତ୍ର ଘଟନାପରମ୍ପରା ମଧ୍ୟରେ ଅସାମଞ୍ଜସ୍ୟ କିମ୍ବା ଭିନ୍ନ ଘଟନାମାନଙ୍କ ମଧ୍ୟରେ ବିରୋଧ ମଧ୍ୟ ହାସ୍ୟକର । ପ୍ରକୃତ ଘଟନା ଓ କୃତ୍ରିମ ଘଟନାମାନଙ୍କ ମଧ୍ୟରେ ବିରୋଧ ମଧ୍ୟ ଏହିପରି ହାସ୍ୟକର ହୋଇଥାଏ (ଯଥା-ଜଣେ ଲୋକ ବଞ୍ଚିଥିବା ଅବସ୍ଥାରେ ତାକୁ ମୃତ ବୋଲି ପ୍ରମାଣ କରିବା ଓ ତାହାରି ସାକ୍ଷାତରେ ତାର ଅସ୍ତିତ୍ୱକୁ ଅସ୍ୱୀକାର କରିବା); ପୁଣି ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟରେ ବିରୋଧ ମଧ୍ୟ ହାସ୍ୟରସର ଆଶ୍ରୟସ୍ଥଳ ହୋଇପାରେ (ଯଥା-ମୃତ ପିତାର ଶବ ନିକଟରେ ପୁତ୍ରମାନଙ୍କର ଶ୍ରାଦ୍ଧର ନିମନ୍ତ୍ରଣପତ୍ର ଘେନି କଳହ) । ଅନ୍ୟ କେତେକ ସ୍ଥାନରେ ପୁଣି ବହୁଭୋଜନଜନିତ ରୋଗ ପ୍ରଭୃତିର ବର୍ଣ୍ଣନା ମଧ୍ୟ ହାସ୍ୟକର ହୁଏ । ଏ ସବୁ କ୍ଷେତ୍ରରେ ହାସ୍ୟରସ ଅବସ୍ଥାର ବା ଘଟନାପରମ୍ପରାର ବିପର୍ଯ୍ୟୟ ଉପରେ ନିର୍ଭର କରେ; ଏଣୁ ଏମାନଙ୍କୁ ଅବସ୍ଥାଗତ ବା ଘଟନାଗତ ହାସ୍ୟରସ ବୋଲି ସ୍ୱୀକାର କରାଯାଇପାରେ ।

 

କିନ୍ତୁ କେତେକ କ୍ଷେତ୍ରରେ ହାସ୍ୟରସ ଚରିତ୍ରର ବର୍ଣ୍ଣନା ବା ବିଶ୍ଲେଷଣ ଉପରେ ନିର୍ଭର କରେ । ସାଧାରଣତଃ ଗୋଟିଏ ଚରିତ୍ରର କୌଣସି ବିଶେଷ ଅଂଶକୁ ଅତିରଞ୍ଜିତଭାବରେ ଚିତ୍ରିତ କଲେ ଆମ୍ଭେମାନେ ଏପରି ହାସ୍ୟରସର ଉଦାହରଣ ପାଉଁ । କୃପଣର କାର୍ପଣ୍ୟ, ଛାତ୍ରର ପାଠବିରତି, ଯୋଦ୍ଧାର ବାହାସ୍ଫୋଟ ପ୍ରଭୃତି ଏହିପରିଭାବରେ ଅତିରଞ୍ଜିତ ହୋଇ ବର୍ଣ୍ଣିତ ହେଲେ ଆମ୍ଭେମାନେ ବ୍ୟଙ୍ଗର ସନ୍ଧାନ ପାଉଁ ଓ ବ୍ୟଙ୍ଗ ହାସ୍ୟରସର ଗୋଟିଏ ପ୍ରଧାନ ଉପାଦାନ । ଭାଷାଗତ ହାସ୍ୟରସ କେବଳ ଭାଷାଦ୍ୱାରା ପ୍ରକାଶିତ ହୋଇପାରେ, ମାତ୍ର ଅବସ୍ଥାଗତ ବା ଚରିତ୍ରଗତ ହାସ୍ୟରସ ଚିତ୍ର କିମ୍ବା ଭାଷା ଉଭୟଦ୍ୱାରା ପ୍ରକାଶିତ ହେବା ସମ୍ବବ । ଜିରାଫର ବେକକୁ ଅତ୍ୟଧିକ ଲମ୍ବମାନ କଲେ କିମ୍ବା ହାତୀର ଦନ୍ତଦ୍ୱୟକୁ ମଧ୍ୟ ଅତିଶୟ ଲମ୍ବ କରି ଚିତ୍ରିତ କଲେ ଆମ୍ଭେମାନେ ହାସ୍ୟରସର ସନ୍ଧାନ ପାଉଁ, ଏସବୁ ମଧ୍ୟ ଚରିତ୍ରଗତ ହାସ୍ୟରସ ବୋଲି ସ୍ୱୀକାର କରାଯାଇପାରେ । ଅତିଶୟୋକ୍ତି, ଅତିରଞ୍ଜନ, ଅତିବର୍ଣ୍ଣନା, ଅତିବିଶ୍ଲେଷଣ ଏହି ହାସ୍ୟରସର ପ୍ରଧାନ ଉପାଦାନ ଓ ହାସ୍ୟରସର ଆଲୋଚନା ସମୟରେ ଦେଖିବାକୁ ହୁଏ ଯେ, ଲେଖକ ‘ଅତି’ର ଆଶ୍ରୟ ନେଇଅଛନ୍ତି କି ନାହିଁ । ପୁଣି କେତେକ ବିଶେଷ କ୍ଷେତ୍ରରେ ‘ଅତିଶୟ’ ସ୍ୱଭାବୋକ୍ତି ମଧ୍ୟ ହାସ୍ୟରସର ଉଦ୍ରେକ କରିପାରେ କିମ୍ବା ବିଶେଷ ଚରିତ୍ର ନାମ ବା ଭାଷାର ପୁନରୁକ୍ତି ମଧ୍ୟ ଏହିପରି ହାସ୍ୟରସର ଉପାଦାନ ଯୋଗାଇବାରେ ସମର୍ଥ ହୁଏ (ଯଥା-ମାମୁ ହରିବୋଲ ବାରିକର ପ୍ରତି କଥାରେ ‘ହରିବୋଲ’ ପ୍ରୟୋଗ) । ହାସ୍ୟରସର ଉଦ୍ଦେଶ୍ୟ ଘେନି ମଧ୍ୟ ତାହାର ରଚନାକୁ ବିଚାର କରାଯାଇପାରେ । କେତେକ କ୍ଷେତ୍ରରେ ହାସ୍ୟରସ ଲୋକଶିକ୍ଷା ଉଦ୍ଦେଶ୍ୟରେ ରଚିତ, ଅନ୍ୟକୁ ଆଘାତ ଦେବା ନିମନ୍ତେ ପ୍ରଯୁକ୍ତ, ପାପକୁ କଷାଘାତ କରି ପାପିକୁ ନିବୃତ୍ତ କରିବା ନିମନ୍ତେ ବ୍ୟବହୃତ, ମାତ୍ର ଅନ୍ୟ ଅନେକ ସ୍ଥଳରେ ତାହା କେବଳ ପାଠକମାନଙ୍କୁ ବିମଳ ଆନନ୍ଦ ଦେବା ନିମନ୍ତେ ଉଦ୍ଦିଷ୍ଟ । ପ୍ରଥମ ପ୍ରକାର ରଚନା ବାସ୍ତବରେ ବିଦ୍ରୁପ, ଏହାର ରଚନାରେ ଭାଷା ସକ୍ରିୟଭାବରେ ବ୍ୟବହୃତ ହୁଏ ଓ ଭାଷାର ସରସତାକୁ ନଷ୍ଟ କରି ତାହାର ତୀକ୍ଷ୍ଣତା ପ୍ରତି ଦୃଷ୍ଟି ଦିଆାଯାଇଥାଏ । ବିଦ୍ରୁପ ମଧ୍ୟରେ ଅତ୍ୟୁକ୍ତିର ପ୍ରୟୋଗ ସଚରାଚର ଦେଖାଯାଏ, ମାତ୍ର ବିମଳ ହାସ୍ୟ ନିମନ୍ତେ ପ୍ରଯୁକ୍ତ ରଚନାରେ ଏପରି ତୀକ୍ଷ୍ଣ ଭାଷାର ପ୍ରୟୋଗ ଅନୁଚିତ ଓ ଅସମୀଚୀନ । ପ୍ରତ୍ୟେକ ରଚନା ସମୟରେ ଉଦ୍ଦେଶ୍ୟ ଘେନି ଲେଖକକୁ ଭାଷା ପ୍ରୟୋଗ କରିବାକୁ ପଡ଼େ ଓ ସମାଲୋଚକ ପକ୍ଷରେ ଭାଷା ଘେନି ଉଦ୍ଦେଶ୍ୟର ବିଚାର ମଧ୍ୟ କରିବାକୁ ହୁଏ ।

 

ଲେଖକୁ ହାସ୍ୟକର କରିବା ନିମନ୍ତେ ନାନା କୌଶଳ ମଧ୍ୟ ଅବଲମ୍ବିତ ହୋଇଥାଏ । କୌଣସିଠାରେ ସାମାନ୍ୟ ଇଙ୍ଗିତଦ୍ୱାରା ପାଠକର କଳ୍ପନାକୁ ଜାଗ୍ରତ କରି ଲେଖାକୁ ହାସ୍ୟକର କରାଯାଏ, କେଉଁଠାରେ ଅବା ବିଜ୍ଞତା ପ୍ରଦର୍ଶନଦ୍ୱାରା ମଧ୍ୟ ଲୋକକୁ ହାସ୍ୟ-ପରିହାସର ଉପାଦାନ ଯୋଗାଇ ଦିଆଯାଏ । ‘ବୋହୁର ମୁଣ୍ଡ ଘା ଓ ଗୋଡ଼ ହାତ ଫୋଟକା ଆଉ ଗୋପାଳ ବାବୁଙ୍କୁ ଦୁଇ ଆଣ୍ଠୁ ଘା ଶୁଖାଇବାକୁ ଡାକ୍ଟରବାବୁ ଊଣା ପୂରା କୋଡ଼ିଏଟା ଭିଜିଟ ପକେଟରେ ପକାଇଲେ’ (ଗଳ୍ପସଳ୍ପ) ବାକ୍ୟରେ କେବଳ ଡାକ୍ତରର ଭିଜିଟର ଇଙ୍ଗିତ ଦିଆଯାଇ ପରିସ୍ଥିତିର ଗୁରୁତ୍ୱ ପ୍ରଦର୍ଶିତ ହୋଇଅଛି ଓ ଏହାଦ୍ୱାରା ବର୍ଣ୍ଣନାଟି ହାସ୍ୟକର ହୋଇଅଛି । ‘ଘରେ ଖାଇବାକୁ କୁଟୁମ୍ବ ବୋଇଲେ ଊଣା ପୁରା ପନ୍ଦର ବର୍ଷର ଝିଅଟିଏ, ନାମ ମାଳତୀ,’ (ଗଳ୍ପସ୍ୱଳ୍ପ) ବାକ୍ୟରେ ପାଠକର ମନକୁ ତଥ୍ୟ ଜାଣିବାକୁ ଉନ୍ମୁଖ ରଖିବାଦ୍ୱାରା ମଧ୍ୟ ବର୍ଣ୍ଣନାଟି ହାସ୍ୟକର ହୋଇଅଛି, ଏଠାରେ ପୁଣି ‘ପନ୍ଦର’ ସଂଖ୍ୟା ସହିତ ‘ଝିଅର’ ଏକତ୍ୱର ବିରୋଧଦ୍ୱାରା ବର୍ଣ୍ଣନାଟି ସରସ ଓ ହାସ୍ୟକର ହୋଇଅଛି, ଅର୍ଥାତ୍‌ ‘ଘରେ ଖାଇବାକୁ’ ପଦ ପରେ ପାଠକ ପ୍ରତ୍ୟାଶା କରେ ଖାଇବା ଲୋକର ସଂଖ୍ୟା, ‘କୁଟୁମ୍ବ ବୋଇଲେ’ ପଦଦ୍ୱାରା ଏହି ସଂଖ୍ୟା ବିଷୟରେ ପ୍ରତ୍ୟାଶା ହଠାତ୍‌ ପୂରଣ କରା ନ ଯିବାରୁ ଲେଖକର କୌତୂହଳ ବର୍ଦ୍ଧିତ ହେଉଅଛି, ‘ଊଣା ପୂରା’ ପଦଦ୍ୱାରା ଏହି କୌତୂହଳ ବରଂ ବର୍ଦ୍ଧିତ ହେଉଅଛି, ତା ପରେ ‘ପନ୍ଦର’ ସଂଖ୍ୟା ମିଳିବାରୁ ପାଠକର ପ୍ରଥମ ସନ୍ଦେହ ହେବା ସ୍ୱାଭାବିକ ଯେ ଘରେ ଖାଇବାକୁ ପନ୍ଦର ଜଣ, ମାତ୍ର ତା ପରେ ‘ଝିଅଟିର’ ଶବ୍ଦଦ୍ୱାରା ପ୍ରତ୍ୟାଶାକୁ ହଠାତ୍‌କୌତୂହଳର ଚରମ ସୀମାରେ ପହଞ୍ଚାଇ ଅନ୍ୟ ପ୍ରକାର ଚରିତାର୍ଥ କରିବାଦ୍ୱାରା ପାଠକର ମନ ହାସ୍ୟରସଦ୍ୱାରା ଅଭିସିଞ୍ଚିତ କରାଯାଇଅଛି । ‘ଅଦ୍ୟ ଦୁର୍ଗ ପ୍ରାନ୍ତରେ କ୍ରୀଡ଼ନକ ପ୍ରତିଯୋଗିତା ଅନୁଷ୍ଠିତ ହେବ’ ମଧ୍ୟରେ ଅଯଥା ବିଜ୍ଞତା (ଆଜି କିଲ୍ଲାପଡ଼ିଆରେ ଫୁଟବଲ ମ୍ୟାଚ ହେବ) ପାଠକୁ ହାସ୍ୟରସର ଉପାଦାନ ଯୋଗାଇଥାଏ । ପୁଣି ଲେଖା ମଧ୍ୟରେ ଇଙ୍ଗିତର ଆଭାସ ଥିଲେ ତାହା ଉପାଦାନ ଯୋଗାଇଥାଏ । ପୁଣି ଲେଖା ମଧ୍ୟରେ ଇଙ୍ଗିତ ଆଭାସ ଥିଲେ ତାହା ମଧ୍ୟ ହାସ୍ୟକର ହୁଏ । ବସ୍ତୁତଃ ହାସ୍ୟରସକୁ ଏପରି ଭାବରେ ବିଶ୍ଲେଷଣ କରିବା ସମ୍ଭବପର ହେଲେହେଁ ତାହାର ରଚନା ଓ ପ୍ରୟୋଗ ଅତି କଷ୍ଟସାଧ୍ୟ ବ୍ୟାପାର, ଏଥିରେ ସନ୍ଦେହ ନାହିଁ ।

 

ସାହିତ୍ୟର ରୂପଭେଦଦ୍ୱାରା ରଚନା ପ୍ରଭାବିତ ହେବା ସ୍ୱାଭାବିକ । ନାଟକରେ ଯେଉଁ ଭାଷା ସୁନ୍ଦର ପଦ୍ୟରେ ସେ ଭାଷା ବିସଦୃଶ, ପୁଣି ପଦ୍ୟରେ ଯେଉଁ ଭାଷା ମନୋହର ଗଦ୍ୟରେ ତାହା ହାସ୍ୟକର ବୋଧ ହୋଇପାରେ । ନାଟକରେ ଅବଶ୍ୟ ପଦ୍ୟର ବ୍ୟବହାର ଅଛି, ମାତ୍ର ନାଟକୀୟ ଭାଷା କଥୋପକଥନର ଭାଷା, ତାହା ପାତ୍ରନୁଯାୟୀ ଭାଷା । କବିତା ନାଟକ ମଦ୍ୟରେ ଅବାସ୍ତବ ଓ କେବଳ ନାଟକୀୟ ରୀତିରୂପେ ସ୍ୱୀକୃତ । କଥୋପକଥନ ଭାଷା ପାତ୍ରାନୁସାରେ ପରିବର୍ତ୍ତିତ ହୋଇଥାଏ, ପାତ୍ରମାନଙ୍କର ଶିକ୍ଷା ଦୀକ୍ଷା ପ୍ରଭୃତିଦ୍ୱାରା ଏପରି ଭାଷାର ଉତ୍କର୍ଷ ବିଚାର କରିବାକୁ ହୁଏ; ମାତ୍ର ଗଦ୍ୟରେ ଓ ପଦ୍ୟରେ ଭାଷାକୁ ନାନାଦିଗରୁ ବିଚାର କରିବା ପ୍ରୟୋଜନ ହୋଇଥାଏ । ‘ଆଜି କଲେଜ ପିଲାମାନେ ଷ୍ଟ୍ରାଇକ କରିଥିଲେ’ ଗୋଟିଏ ଅତି ସାଧାରଣ ବାକ୍ୟ, ଏହା ସାଧାରଣ ଗଦ୍ୟର ଭାଷା, ଏହା ନାଟକରେ ମଧ୍ୟ ସାଧାରଣ କଥୋପକନର ଭାଷାରୂପେ ବ୍ୟବହୃତ ହୋଇପାରେ । ମାତ୍ର ଏହି ବାକ୍ୟକୁ ‘ଆଜି କଲେଜ ଷ୍ଟୁଡେଣ୍ଟମାନେ ଷ୍ଟ୍ରାଇକ କରିଥିଲେ’ରେ ପରିବର୍ତ୍ତିତ କଲେ ତାହା କେବଳ ନାଟକରେ ନବ୍ୟରୁଚି ସମ୍ପନ୍ନ ଶିକ୍ଷିତ ଲୋକମାନଙ୍କର କଥୋପକଥନରେ ବ୍ୟବହୃତ ହୋଇପାରେ କାରଣ ଷ୍ଟୁଡ଼େଣ୍ଟ ଶବ୍ଦ ଆପାତତଃ ଅପ୍ରଚଳିତ ଏବଂ କେବଳ କେତେକ ବିଶେଷ ଶ୍ରେଣୀର ଲୋକଙ୍କଦ୍ୱାରା ବ୍ୟବହୃତ । ଏଣୁ ନାଟକରେ କିମ୍ବା କେବଳ ଅତି ଲଘୁ ଗଦ୍ୟରଚନାରେ ଏଭଳି ଶବ୍ଦ ବ୍ୟବହୃତ ହୋଇପାରେ । ପୁଣି ‘ଆଜି ବିଦ୍ୟାଳୟର ବାଳକମାନେ ଧର୍ମଘଟ କରିଥିଲେ’ ଗୋଟିଏ ବିଶେଷ ଶ୍ରେଣୀର ଲୋକଙ୍କଦ୍ୱାରା ବ୍ୟବହୃତ ହୋଇପାରେ; ଏଣୁ ତାହା ମଧ୍ୟ ନାଟକୀୟ ଚରିତ୍ରବିଶେଷଦ୍ୱାରା ପ୍ରୟୋଗ କଲା ଭଳି ଭାଷା । ସାଧାରଣତଃ ‘ଷ୍ଟ୍ରାଇକ୍‌’ ଶବ୍ଦର ବହୁ ପ୍ରଚଳିତ ଆରମ୍ଭ ହୋଇଅଛି; ଏଣୁ ସେ ସ୍ଥାନରେ ‘ଧର୍ମଘଟ’ ଶବ୍ଦର ପ୍ରୟୋଗ କରିବା ସାଧାରଣ ଗଦ୍ୟରେ ଅନୁଚିତ । ଏହି ବାକ୍ୟକୁ ପୁଣି ‘କରିଥିଲେ ଧର୍ମଘଟ କଲେଜ ବାଳକେ’ରେ ରୂପାନ୍ତରିତ କଲେ ତାହା ପଦ୍ୟର ଭାଷାରୂପେ ସ୍ୱୀକୃତ ହୋଇପାରେ, କିମ୍ବା ପଦ୍ୟମୟ ନାଟକରେ ଅମିତ୍ରାକ୍ଷର ଛନ୍ଦ ମଧ୍ୟରେ ମଧ୍ୟ ଏପରି ବାକ୍ୟର ବ୍ୟବହାର କରାଯାଇପାରେ, ମାତ୍ର ଅନ୍ୟତ୍ର ଏପରି ବାକ୍ୟ ଅଚଳ । ପୁନରପି ଏହି ବାକ୍ୟକୁ ‘କଲେଜ ପିଲାଏ କରିଲେ ଷ୍ଟ୍ରାଇକ, ମାଇପି ପିଲାଏ ଚଢ଼ିଲେ ବାଇକ୍‌’ରେ ପରିଣତ କଲେ ତାହା କବିତା ଅନୁକରୀ ଢଗ ଢମାଳିଆ ଭାଷା ହୋଇଯାଏ ଓ ଏଥିରେ ବ୍ୟଙ୍ଗ (ଅର୍ଥାତ୍‌ ମାଇପି ପିଲାଙ୍କର ସାଇକଲ ଚଢ଼ିବା ଯେପରି ହାସ୍ୟକର ଓ ସାହାସ ସାପେକ୍ଷ ହେତୁରୁ ଭୀରୁତାର ନିର୍ଦ୍ଦେଶକ, ସେହିପରି କଲେଜ ପିଲାମାନଙ୍କର ଷ୍ଟ୍ରାଇକ୍‌ କରିବା ମଧ୍ୟ ଅସାଧାରଣ ।) ଓ ହାସ୍ୟରସର ଅବତାରଣା କରାଯାଇପାରେ । ପୁଣି ଗଦ୍ୟରେ ଏହ ବାକ୍ୟକୁ ନାନାପ୍ରକାରେ ରୂପାନ୍ତରିତ କରି ପ୍ରକାଶିତ କରାଯାଇପାରେ । (୧) କଲେଜ ଆଜି ଶୂନଶାନ୍‌ । ପିଲାଏ ଏକମେଳ ହୋଇ ଅନୁପସ୍ଥିତ । (୨) ଯେଉଁ କଲେଜ ପ୍ରତ୍ୟହ ବିଦ୍ୟାର ଆଲୋଚନାରେ ମୁଖରିତ ଥାଏ, ଶତ ଶତ ବିଦ୍ୟାର୍ଥୀଙ୍କର କର୍ମବ୍ୟସ୍ତ କୋଳାହଳରେ ଶବ୍ଦାୟମାନ ଥାଏ, ଯେଉଁଠାରେ ବିଦ୍ୱାନ୍‌ଶିକ୍ଷକମାନଙ୍କର ଗମ୍ଭୀର ତଥ୍ୟ ନିର୍ଦ୍ଦେଶରେ ଦେଶର ଆଶା ଭରସାସ୍ଥଳ ବାଳକମାନେ ଜ୍ଞାନର ଆଲୋକ ନିତ୍ୟ ପାଇଥାନ୍ତି, ସେହି କଲେଜ ଆଜି ଶୂନ୍ୟ, ନିସ୍ତବ୍ଧ । (୩) ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ଆଜି ସମବେତ ଭାବରେ ଅନୁପସ୍ଥିତ । (୪) କାହିଁ କୌଣସିଠାରେ ତ ପାଟି ଶୁଭୁ ନାହିଁ, ଆଜି କଣ କଲେଜ ବନ୍ଦ ? ନା ନା, ଆଜି ବାଳକମାନେ ଧର୍ମଘଟ କରିଛନ୍ତି । (୫) କଲେଜ- ସେ କଲେଜ କଣ ଆଉ ଅଛି । ଆଜି ସେ କଲେଜର କୋଳାହଳ ନାହିଁ, କି ପିଲାଏ ମଧ୍ୟ କେହି ଆସି ନାହାନ୍ତି । (୬) ଦୋକାନ ବଜାରରେ ଯେପରି ହରତାଳ, କଲେଜରେ ମଧ୍ୟ ସେହିପରି ଷ୍ଟ୍ରାଇକ୍‌, ସବୁ ତୁନତାନ୍‌, ସବୁ ଚୁପ୍‌ । (୭) କଲେଜର ଅବସ୍ଥା ଆଜି କି ଭୀଷଣ ! ପିଲା ନାହାନ୍ତି, ଘରଗୁଡ଼ିକ ଶୂନ୍ୟ, ଶିକ୍ଷକମାନେ ବିଷଣ୍ଣ, ଆଜି ଷ୍ଟ୍ରାଇକ୍‌-ହରତାଳ-ଧର୍ମଘଟ ।

 

ପ୍ରତ୍ୟେକ ବାକ୍ୟର ଅନ୍ତର୍ନିହିତ ଭାବ ଏକ, ମାତ୍ର କେଉଁଟି ସାମାନ୍ୟ ବାକ୍ୟ, କେଉଁଟିରେ ଆବେଗ, ଉଦ୍‌ବେଗ, ଦୁଃଖ ଆଦି ପ୍ରକାଶିତ ହେଉଅଛି । କେଉଁଥିରେ ଅବା କଳ୍ପନାର ଅବକାଶ ଘଟିଅଛି । ବିଭିନ୍ନ ଆବେଗର ପରିପୋଷଣ ନିମନ୍ତେ ବିଭିନ୍ନ ପ୍ରକାର ବାକ୍ୟ ମଧ୍ୟରେ ଭିନ୍ନ ଭିନ୍ନ ଲେଖାରୀତି ସ୍ୱୀକୃତ ହୋଇଅଛି ।

 

ରଚନା କରିବା ସମୟରେ ଲେଖକ ଯେଉଁ ଉଦ୍ଦେଶ୍ୟ ଘେନି ରଚନା ପ୍ରବୃତ୍ତ ହେଉଅଛନ୍ତି, ତାହାଦ୍ୱାରା ତାଙ୍କ ଭାଷା ନିୟନ୍ତ୍ରିତ ହେବା ସ୍ୱାଭାବିକ, ଏଣୁ ପ୍ରତ୍ୟେକ କ୍ଷେତ୍ରରେ ଭାଷା ଉଦ୍ଦେଶ୍ୟର ଅନୁରୂପ ହୋଇଅଛି କି ନାହିଁ, ଲେଖାର ଉଦ୍ଦେଶ୍ୟଦ୍ୱାରା ଭାଷା ପ୍ରଭାବିତ ହୋଇଅଛି କି ନାହିଁ, ତାହା ଆଲୋଚନା କରିବାକୁ ପଡ଼େ । ଯେଉଁ ରଚନା ସାମାନ୍ୟ ବାକ୍ୟ ମାତ୍ରର ପ୍ରୟୋଗ ସମୀଚୀନ, ସେଠାରେ ଆଳଙ୍କାରିକ ପ୍ରୟୋଗ ହେଲେ ଭାଷା ସୁନ୍ଦର ହୋଇପାରେ, ମାତ୍ର ରଚନା ଦୂଷଣୀୟ ବୋଲି ବିବେଚିତ ହେବ । ପୁଣି ବାକ୍ୟ ମାନଙ୍କର ବିନ୍ୟାସ ମଧ୍ୟରେ ରଚନା ସମଗ୍ର ରୂପ ପ୍ରସ୍ଫୁଟିତ ହୋଇ ଉଠେ ଅର୍ଥାତ୍‌ ସାମାନ୍ୟ ବାକ୍ୟସମଷ୍ଟି ମଧ୍ୟରେ ହଠାତ୍‌ କୌଣସି ଆଡ଼ମ୍ବରପୂର୍ଣ୍ଣ ବାକ୍ୟ ବ୍ୟବହୃତ ହେଲେ ତାହା ବୈସାଦୃଶ ବୋଧ ହେବା ସ୍ୱାଭାବିକ । ଅନେକ ସମୟରେ କୌଣସି ବିଶେଷ ଉଦ୍ଦେଶ୍ୟ ଘେନି ଏପରି ବୈସାଦୃଶ୍ୟ ଲେଖକଦ୍ୱାରା ଅନୁସୃତ ହୋଇଥାଏ । ମାତ୍ର ଏପରି ବିଶେଷ କାରଣ ନ ଥିଲେ ରଚନା ମଧ୍ୟରେ ସମତା ରଖିବା ବାଞ୍ଛନୀୟ ।

 

***

 

Unknown

ଚତୁର୍ଥ ପରିଚ୍ଛେଦ

କଳ୍ପନାମୂଳକ ଅଳଙ୍କାର

 

ରଚନାକୁ ସରସ କରିବାର ଏକ ପ୍ରଧାନ ଉପାୟ କଳ୍ପନାର ଆଶ୍ରୟ ଗ୍ରହଣ । ବାକ୍ୟମାନଙ୍କର ଅର୍ଥ ସୁସ୍ପଷ୍ଟ ହୋଇପାରେ, ସେମାନଙ୍କରେ ବ୍ୟବହୃତ ପଦମାନଙ୍କର ଅର୍ଥସଙ୍ଗତି ରହିପାରେ, ରଚନା ବ୍ୟାକରଣାନୁସାରେ ନିର୍ଭୁଲ ହୋଇପାରେ, କିନ୍ତୁ କଳ୍ପନାର ଆଶ୍ରୟ ନ ନେଲେ ତାହାର ସରସତା ପାଠକର ମନକୁ ଆକୃଷ୍ଟ କରିବାକୁ ଅସମର୍ଥ ହୁଏ । ଭାବ ରଚନାର କଙ୍କାଳ, ଭାଷା ତାହାର ବହିଃପ୍ରକାଶର ଉପାୟସ୍ୱରୂପ ଚର୍ମାବରଣୀ ମାତ୍ର, କିନ୍ତୁ ଭାଷାକୁ ହୃଦୟଗ୍ରାହୀ, ପ୍ରାଣସ୍ପର୍ଶୀ, ଉଦ୍ଦୀପନାମୟ କରିବା ନିମନ୍ତେ ନାନାପ୍ରକାର କୌଶଳ ଅବଲମ୍ବିତ ହୋଇଥାଏ । ଏହି କୌଶଳମାନଙ୍କୁ ସାମାନ୍ୟତଃ ଅଳଙ୍କାର ଆଖ୍ୟା ଦିଆଯାଏ । ଭାଷା ଯେଉଁଠାରେ ସାଧାରଣ ବ୍ୟାକରଣଗତ ନିୟମକୁ ଅନୁସରଣ ନ କରି, ସାଧାରଣ ଭାବରେ ଅର୍ଥ ପ୍ରକାଶ କରିବାରେ ପର୍ଯ୍ୟବସିତ ନ ହୋଇ ପାଠକକୁ ଅଭିଭୂତ କରିବାକୁ ପ୍ରୟାସୀ ହୁଏ, ତାହାର ହୃଦୟକୁ ପ୍ରଭାବିତ କରିବାକୁ ସଚେଷ୍ଟ ହୁଏ, ସେହିଠାରେ ତାହାର ସରସତାର ଆରମ୍ଭ ଓ ଏହି ସରସତାରୁ ସାହିତ୍ୟର ଉତ୍ପତ୍ତି । ସାହିତ୍ୟିକ ରଚନା କଳ୍ପନା ଉପରେ ପ୍ରତିଷ୍ଠିତ, ଆବେଗଦ୍ୱାରା ପରିପୃଷ୍ଟ, ଉଦ୍ଦୀପନା ଓ ଉନ୍ମାଦନା ଜାତ କରିବା ତାହାର ଉଦ୍ଦେଶ୍ୟ । ମାଧୁର୍ଯ୍ୟଦ୍ୱାରା ପାଠକର ବୁଦ୍ଧିବୃତ୍ତିକୁ ଆଚ୍ଛନ୍ନ କରି ଭାବର ସତ୍ୟାସତ୍ୟକୁ ବିସ୍ତୃତ କରାଇ ତାର ମନକୁ ବିମଳ ଆନନ୍ଦରେ ପରିପ୍ଲୁତ କରିବା ସାହିତ୍ୟିକ ରଚନାର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟଦ୍ୱାରା ପରିଚାଳିତ ହୋଇ ସାହିତ୍ୟିକ ରଚନା ସର୍ବଦା କଳ୍ପନାର ଆଶ୍ରୟ ଗ୍ରହଣ କରେ, ସର୍ବଦା ନାନା ଅଳଙ୍କାରଦ୍ୱାରା ମଣ୍ଡିତ ଏବଂ ଶୋଭା ସମ୍ପଦର ଅଧିକାରୀ ହୋଇ ପାଠକର ମନକୁ ବିମୋହିତ କରିବାକୁ ସଚେଷ୍ଟ ହୁଏ ।

 

ଅଳଙ୍କାର ମୁଖ୍ୟତଃ ତିନି ପ୍ରକାର । କେତେକ ଅଳଙ୍କାର କଳ୍ପନା ଉପରେ ପ୍ରତିଷ୍ଠିତ, ଅଦୃଷ୍ଟ ଅବାସ୍ତବ ପଦାର୍ଥମାନଙ୍କୁ ମନୋରାଜ୍ୟରେ ଅଙ୍କିତ କରାଇ ପାଠକକୁ ଅଭିଭୂତ କରିବାର ପ୍ରୟାସ କରେ । ଅନ୍ୟ କେତେକ ଅଳଙ୍କାର ଆବେଗର ପରିପୋଷକ ପାଠକର ମନକୁ ଉଦ୍ଦୀପିତ କରି, ତାର ଚିତ୍ତରେ ଉନ୍ମାଦନା ଆଣି ତାକୁ ବିଚାର ଓ ବିତର୍କର ରାଜ୍ୟରୁ ଭାବପ୍ରବଣ ରାଜ୍ୟକୁ ଘେନିଯାଏ, ତାର ମନରେ ଆବେଗର ସଞ୍ଚାର କରି ଭାବର ସତ୍ୟାସତ୍ୟ ବିଚାର କରିବାକୁ ପରାଙ୍ମୁଖ କରେ । ପୁଣି ଅନ୍ୟ କେତେକ ଅଳଙ୍କାର ଧ୍ୱନିମୂଳକ, ଶ୍ରୁତିସୁଖକର ନାନା ଶବ୍ଦମାନଙ୍କର ବିନ୍ୟାସଦ୍ୱାରା, ଆବେଗ ପରିପୋଷକ ନାନା ଧ୍ୱନିର ଯଥାଯଥ ବ୍ୟବହାରଦ୍ୱାରା ପାଠକର ମନକୁ ଆନନ୍ଦିତ କରି ବୁଦ୍ଧିବୃତ୍ତିକୁ ପ୍ରଭାବିତ କରେ । ସ୍ୱରର ମୂର୍ଚ୍ଛନା, କଳ୍ପନାର ଉଦ୍ଦୀପନା, ଆବେଗର ଉନ୍ମାଦନା ବାସ୍ତବରେ ଅଳଙ୍କାରର ଉପାଦାନ, ଏହି ଉପାଦାନମାନଙ୍କଦ୍ୱାରା ଭାଷା ନାନାଭାବରେ ବିମଣ୍ଡିତ ହୋଇ ସରସ ମଧୁର ଓ ପ୍ରଭାବଶାଳୀ ହୋଇ ଉଠେ । ଏଣୁ ସାହିତ୍ୟିକ ରଚନାରେ ଅଳଙ୍କାରର ସ୍ଥାନ ଅତି ଉଚ୍ଚରେ । ସାଧାରଣତଃ ଲୋକେ ଯେ ଅଳଙ୍କାରମାନ ପିନ୍ଧନ୍ତି ତାହା ଯେପରି ସେମାନଙ୍କର ରୂପକୁ ସୁନ୍ଦରତର କରେ, ସେହିପରି ଅଳଙ୍କାରର ବ୍ୟବହାରଦ୍ୱାରା ସାହିତ୍ୟିକ ରଚନା ସରସ ଓ ମାଧୁର୍ଯ୍ୟମଣ୍ଡିତ ହୁଏ ।

 

ତେବେ ଅଳଙ୍କାରର ପ୍ରାଚୁର୍ଯ୍ୟ ଅନେକ ସମୟରେ ଆମ୍ଭମାନଙ୍କ ଚିତ୍ତକୁ ବିକ୍ଷିପ୍ତ କରେ ଓ ରଚନାର ରସବସ୍ତୁକୁ ମଧ୍ୟ ଆଚ୍ଛନ୍ନ କରିଦିଏ । ଅତ୍ୟଧିକ ଅଳଙ୍କାରଦ୍ୱାରା ଯେପରି ଶାରୀରିକ ରୂପ ପ୍ରକାଶିତ ନ ହୋଇ ପ୍ରାକୃତିକ ମାଧୁର୍ଯ୍ୟ ଲୁପ୍ତ ହୋଇଯାଏ, ଅଯଥା ଅଳଙ୍କାରପ୍ରାଚୁର୍ଯ୍ୟ ଯେପରି ବ୍ୟବହାରକାରୀର ଅହମିକାର ନିଦର୍ଶନରୂପ ଅନ୍ୟର ବିରକ୍ତିକର ହୁଏ, ସେହିପରି ରଚନାରେ ମଧ୍ୟ ଅଳଙ୍କାରର ଅଯଥା ଆଧିକ୍ୟ ପାଠକର ବିରକ୍ତିକର ହୋଇଥାଏ । ଅଳଙ୍କାରର ବ୍ୟବହାର ଯେତେ ସଂଯତ ହେବ, ତାହାର ମାଧୁର୍ଯ୍ୟ ଅନେକ କ୍ଷେତ୍ରରେ ତେତେ ବର୍ଦ୍ଧିତ ହୋଇଥାଏ । ଅତି ପ୍ରକଟ ଅଳଙ୍କାରର ଅବିରାମ ପ୍ରୟୋଗ ପାଠକର ଚିତ୍ତକୁ ବିଭ୍ରାନ୍ତ କରେ ଓ ତାକୁ ଆନନ୍ଦ ଦେବା ପରିବର୍ତ୍ତରେ ତାର ମନରେ ବିତୃଷ୍ଣା ଜାତ କରେ, ଏଣୁ ତଦ୍ୱାରା ରଚନାର ସରସତା ମଧ୍ୟ ବ୍ୟାହତ ହୋଇଥାଏ । କିନ୍ତୁ ଅଳଙ୍କାର ପରିମାଣ ବିଷୟରେ କୌଣସି ସ୍ଥିର ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ, କାରଣ ତାହା ଅନେକ ଗୁଡ଼ିଏ ବିଷୟ ଉପରେ ନିର୍ଭର କରେ ଓ ପ୍ରତ୍ୟେକ ଲେଖକର ପ୍ରତିଭା ତାହାର ଲେଖାକୁ ନାନାପ୍ରକାର ନିୟନ୍ତ୍ରିତ କରିବାକୁ ସମର୍ଥ ହୁଏ । ସାମାନ୍ୟତଃ କେବଳ ଏତିକି ବୋଲାଯାଇପାରେ ଯେ, ଅଳଙ୍କାରର ପ୍ରାଚୁର୍ଯ୍ୟ ପାଣ୍ଡିତ୍ୟର ନିଦର୍ଶନ ବା ବାକ୍‌ଚାତୁର୍ଯ୍ୟର ଉଦାହରଣ ହୋଇପାରେ, ମାତ୍ର ତାହା ଆନନ୍ଦ ଉପଭୋଗର ସହାୟକ ନୁହେଁ । ବାକ୍‌ଚାତୁରୀ ବିସ୍ମୟ ଉଦ୍ରେକ କରିପାରେ ଓ ମନକୁ ଅଭିଭୂତ କରିପାରେ, ମାତ୍ର ତାହାଦ୍ୱାରା ରସାନୁଭୂତି ହୁଏ ନାହିଁ, ବରଂ ତାହାଦ୍ୱାରା ରସ ବ୍ୟାହତ ହୋଇଥାଏ ଓ ରଚନାର ମାଧୁର୍ଯ୍ୟ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଏ । ଗୋଟିଏ ଶବ୍ଦର ନାନା ଅର୍ଥରେ ବ୍ୟବହାର କରିବା (ଯଥା:- ହରି ଗୋଡ଼ାଇଲା, ହରି ପଳାଇଲା, ହରି ଭଜୁଥିଲା ହରିକୁ), ଗୋଟିଏ ବାକ୍ୟଦ୍ୱାରା ତିନି ଚାରୋଟି ଅର୍ଥ ପ୍ରକାଶ କରିବା (ଯଥା- ଅହିମକର ତାପ ବାଶେ ଶୋଭା ସାରସଚକ୍ରେ), ଶବ୍ଦମାନଙ୍କୁ ନାନା ଭାବରେ ବିନ୍ୟାସ କରିବା (ଯଥା- ଅନ୍ତର୍ଲିପି, ବହିର୍ଲିପି ପ୍ରଭୃତି) ଇତ୍ୟାଦି ଏହିପରି ବାକ୍‌ଚାତୁର୍ଯ୍ୟର ଉଦାହରଣ, ପାଣ୍ଡିତ୍ୟର ପରିଚାୟକ, ଭାଷାବିନ୍ୟାସକୌଶଳର ନିଦର୍ଶନ, ମାତ୍ର ଏସବୁ ବାସ୍ତବରେ ରଚନାର ଅଳଙ୍କାର ନୁହେଁ, ଏଗୁଡ଼ିକ ବାସ୍ତବରେ ଭାଷାଗତ କସରତ ବା ସାଧନା, ରଚନାକୌଶଳ ନୁହେଁ ।

 

କଳ୍ପନାପରିପୋଷକ ଅଳଙ୍କାର- ରଚନାରେ ଯେଉଁ ଅଳଙ୍କାରମାନ ନିତ୍ୟ ବ୍ୟବହୃତ ଓ ଅବାଧରେ ସ୍ୱୀକୃତ ସେମାନଙ୍କ ମଧ୍ୟରେ ପ୍ରଧାନ କଳ୍ପନାପରିପୋଷକ ଅଳଙ୍କାର, ଯେଉଁ ଅଳଙ୍କାରମାନ ପାଠକର କଳ୍ପନାକୁ ଜାଗ୍ରତ କରି ତାକୁ ରସ ଗ୍ରହଣ କରିବାରେ ସାହାର୍ଯ୍ୟ କରେ ସେମାନଙ୍କୁ କଳ୍ପନାମୂଳକ ବା କଳ୍ପନାପରିପୋଷକ ଅଳଙ୍କାର ବୋଲି ଗଣନା କରାଯାଇପାରେ । ସାମାନ୍ୟତଃ (୧) ଉପମା, (୨) ଉପମାଭାସ, (୩) ରୂପକ, (୪) ରୂପକାଖ୍ୟାନ, (୫) ବ୍ୟକ୍ତିତ୍ୱାରୋପ, (୬) ଅତ୍ୟୁକ୍ତି, (୭) ନ୍ୟୂନୋକ୍ତି, (୮) ଅପ୍ରତ୍ୟକ୍ଷାନୁଭୂତି, (୯) ବିଶେଷ ସାମାନ୍ୟ ପ୍ରୟୋଗ, (୧୦) କ୍ରମୋକ୍ତି, (୧୧) ବିରୋଧୋକ୍ତି ଏହିପରି କଳ୍ପନାପରିପୋଷକ ଅଳଙ୍କାର ବୋଲି ସ୍ୱୀକୃତ ହୋଇପାରେ । ଏମାନଙ୍କର ବିଶଦ ଆଲୋଚନା ପ୍ରୟୋଜନ ।

 

ଗୋଟିଏ ପଦାର୍ଥକୁ ଅନ୍ୟ ଗୋଟିଏ ପଦାର୍ଥ ସହିତ ତୁଳନା କଲେ ଓ ସେମାନଙ୍କ ମଧ୍ୟରେ ବାସ୍ତବରେ ସାମ୍ୟ ନ ଥିଲେହେଁ ସାମ୍ୟ କଳ୍ପିତ ହେଲେ ଉପମାର ପ୍ରୟୋଗ ସ୍ପଷ୍ଟ ହୁଏ । ‘ଶିବାଜୀଙ୍କର ସୈନ୍ୟ ଶତ୍ରୁର ପଶ୍ଚାତ୍‍ଧାବନ କଲେ, ଏହା ନୀରସ ଐତିହାସିକ ରଚନା, ‘ଶିବାଜୀଙ୍କର ସୈନ୍ୟମାନେ ବିଦ୍ୟୁତ୍‌ପରି କ୍ଷିପ୍ରଗତିରେ ଶତ୍ରୁର ପଶ୍ଚାତ୍‍ଧାବନ କଲେ’ ଏହା ସରସ ସାହିତ୍ୟିକ ରଚନା; କାରଣ ଏଠାରେ କଳ୍ପନା ଆଶ୍ରୟ ଗ୍ରହଣ କରାଯାଇଅଛି ଓ ପଶ୍ଚାତ୍‍ଧାବନ କରିବାର ଗତି ବିଦ୍ୟୁତର ଗତି ସହିତ ସମାନ ଥିବା କଳ୍ପିତ ହୋଇଅଛି ଓ ଉଭୟଙ୍କର କ୍ଷିପ୍ରତାରେ ଯଥେଷ୍ଟ ପାର୍ଥକ୍ୟ ଥିଲେ ମଧ୍ୟ ଉଭୟଙ୍କର କ୍ଷିପ୍ରତା ସମାନ ବୋଲି ସୂଚିତ ହୋଇଥିବାରୁ ପାଠକର କଳ୍ପନା ଉଦ୍ରିକ୍ତ ହେଉଅଛି । ତାଙ୍କର ଚରିତ୍ର ଚନ୍ଦ୍ର ପରି ନିର୍ମଳ, ସେ ତୀରବେଗରେ ଆକ୍ରମଣ କଲେ, ସେ ପାଷାଣ ପରି ନିରୁଦ୍‌ବିଗ୍ନ ରହିଲେ, ଏହି ସବୁ ବାକ୍ୟରେ ଉପମା ସୁଷ୍ପଷ୍ଟ ଓ ତୁଳନାର ଅବଲମ୍ବନ ମଧ୍ୟ ପ୍ରତ୍ୟେକ୍ଷ । ଉପମା ଦୁଇ ଗୋଟି ଅସମାନ ବସ୍ତୁର କଳ୍ପିତ ସାମ୍ୟ ଉପରେ ପ୍ରତିଷ୍ଠିତ, ଯେଉଁ ବସ୍ତୁଟି ଲେଖକର ସାକ୍ଷାତ୍‌ବର୍ଣ୍ଣନାର ବିଷୟ ତାହା ଉପମେୟ, ଲେଖକ କଳ୍ପନାବଳରେ ଯେଉଁ ବସ୍ତୁ ହସିତ ତାହାର ସାମ୍ୟ କଳ୍ପନା କରେ ତାହା ଉପମାନ ଓ ଯେଉଁ ଗୁଣ ବା କ୍ରିୟା ବା ଶକ୍ତି ଉପରେ ଏହି ସାମ୍ୟ ପ୍ରତିଷ୍ଠିତ ଅର୍ଥାତ୍‌ ଉପମେୟ ଓ ଉପମାନ ମଧ୍ୟରେ ଯେଉଁ ସବୁ ବିଷୟରେ ସାମ୍ୟ କଳ୍ପିତ ହୁଏ ସେଗୁଡ଼ିକକୁ ସାଧାରଣ ଧର୍ମ ବୋଲାଯାଏ । ‘ସେ ବିଦ୍ୟୁତ୍‌ ପରି କ୍ଷିପ୍ରଗତିରେ ଶତ୍ରୁକୁ ଆକ୍ରମଣ କଲେ’–ଏଠରେ ଆକ୍ରମଣ କରିବା ଉପମେୟ, ବିଦ୍ୟୁତ ଉପମାନ ଓ କ୍ଷିପ୍ରଗତି ଏମାନଙ୍କ ମଧ୍ୟରେ ସାଧାରଣ ଧର୍ମ, ବିଦ୍ୟୁତ୍‌ର ନାନା ଗୁଣ ମଧ୍ୟରୁ ଗୋଟିଏ ଗୁଣକୁ ଅବଲମ୍ବନ କରି ତାହା ସହିତ ଆକ୍ରମଣକୁ ତୁଳିତ କରାଯାଇ ଅଛି ଓ ଏପରି ତୁଳନାଦ୍ୱାରା ରଚନାର ସତ୍ୟତା ବା ତଥ୍ୟନିର୍ଦ୍ଦେଶ ଶକ୍ତି ବାସ୍ତବରେ ବ୍ୟାହତ ହେଉଥିଲେହେଁ ପାଠକ କଳ୍ପନାଦ୍ୱାରା ଆକ୍ରମଣର କ୍ଷିପ୍ରତା ବିଷୟରେ ଧାରଣ କରିବାକୁ ସମର୍ଥ ଓ ରଚନାର ସରସତାଦ୍ୱାରା ମୁଗ୍ଧ ହୋଇ ତାହାର ସତ୍ୟାସତ୍ୟକୁ ବିସ୍ତୃତ ହୋଇଯାଏ ।

 

ଅବଶ୍ୟ ତୁଳନା ସମୟରେ ସାଧାରଣ ଧର୍ମର ଐକ୍ୟ ବା ବାସ୍ତବ ସାମ୍ୟ ପ୍ରତ୍ୟାଶା କରିବା ଅସମ୍ଭବ କାରଣ ଉପମାନ ଆଦର୍ଶ, ଉପମେୟ କେବେହେଁ ତାହାର ସମକକ୍ଷ ହୋଇ ନପାରେ, ମାତ୍ର ଏହି ଅସାମ୍ୟ ମଧ୍ୟରେ ସାମ୍ୟ ପ୍ରତ୍ୟକ୍ଷ କରିବାହିଁ କଳ୍ପନାକୁ ଉଦ୍ଦୀପିତ କରିବାର ଉପାୟ ଓ ଉପମେୟଟି ନ୍ୟୂନ ଧର୍ମୀ ହେଲେହେଁ କଳ୍ପନାବଳରେ ଉପମାନ ସହିତ ତାହାର ସାମ୍ୟ ବର୍ଣ୍ଣିତ ହୋଇଥାଏ । ‘ବିଦ୍ୟୁତ୍‌ପରି କ୍ଷିପ୍ରଗତିରେ ଆକ୍ରମଣ’ କହିଲେ ଆକ୍ରମଣର କ୍ଷିପ୍ରତାହିଁ ବର୍ଣ୍ଣନୀୟ ମାତ୍ର କ୍ଷିପ୍ରତାର ବିଷୟରେ କଳ୍ପନାକୁ ଜାଗ୍ରତ କରିବା ନିମନ୍ତେ ତାହା ଅପେକ୍ଷା ଶତସହସ୍ର ଗୁଣରେ ଅଧିକ କ୍ଷିପ୍ର ବିଦ୍ୟୁତ୍‌ସହିତ ତାହାର ତୁଳନା କରାଯାଇଅଛି ଓ ବର୍ଣ୍ଣନାର ଅବାସ୍ତବତା ବା ଅସ୍ପଷ୍ଟତାହିଁ ଏଠାରେ ରସ ସଞ୍ଚାର କରିବାକୁ ସମର୍ଥ ହେଉଅଛି । ଯଦି ଲେଖକ ଲେଖନ୍ତେ ‘ସେ ଏପରି କ୍ଷିପ୍ରଗତିରେ ଆକ୍ରମଣ କଲେ ଯେ ଦୁଇଦିନ ମଧ୍ୟରେ କୋଡ଼ିଏ ମାଇଲ ଅଗ୍ରସର ହେଲେ’ ତାହାହେଲେ କ୍ଷିପ୍ରତାର ପରିମାଣ ସୁନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ହୁଅନ୍ତା ମାତ୍ର ତାହା କେବଳ ଐତିହାସିକ ତଥ୍ୟ ହୁଅନ୍ତା, ସାହିତ୍ୟିକ ରଚନା ହୁଅନ୍ତା ନାହିଁ । ଅସ୍ପଷ୍ଟତା କଳ୍ପନାକୁ ଜାଗ୍ରତ କରିବାର ଗୋଟିଏ ଉପାୟ; ଏହି କାରଣରୁ ଲେଖକ ଅତୀନ୍ଦ୍ରିୟ ଅବାସ୍ତବ ପଦାର୍ଥର ଗୁଣକୁ ଅବଲମ୍ବନ କରି ବାସ୍ତବ ଓ ବର୍ଣ୍ଣନୀୟ ପଦାର୍ଥର ଗୁଣକୁ ପାଠକ ସମ୍ମୁଖରେ ଉପସ୍ଥାପିତ କରନ୍ତି ଓ ପାଠକ ମଧ୍ୟ ମାନସନେତ୍ରରେ ବର୍ଣ୍ଣନୀୟ ବସ୍ତୁକୁ ପ୍ରତ୍ୟକ୍ଷ କରି ତାହାର ପରିମାଣ ପ୍ରଭୃତିକୁ ଉପଲବ୍ଧି କରି ପାରନ୍ତି ।

 

ପ୍ରତ୍ୟେକ ଉପମାରେ ତିନିଗୋଟି ପଦାର୍ଥ ବିଦ୍ୟମାନ-ଗୋଟିଏ ଉପମେୟ, ଅନ୍ୟଟି ଉପମାନ ଓ ତୃତୀୟଟି ସେମାନଙ୍କର ସାଧାରଣ ଧର୍ମ । ଉପମେୟ ବର୍ଣ୍ଣନୀୟ ବସ୍ତୁ, ମାତ୍ର କେତେକ ସ୍ଥାନରେ ଉପମେୟଟିକୁ ସ୍ପଷ୍ଟଭାବରେ ପ୍ରକାଶିତ କରା ନ ଯାଇ ତାହାର ଇଙ୍ଗିତ ମାତ୍ର ଦିଆଯାଇଥାଏ, କିମ୍ବା କେବଳ ଉପମା ନିର୍ଦ୍ଦେଶଦ୍ୱାରା ଉପମେୟ ପ୍ରତି ଇଙ୍ଗିତ କରାଯାଇପାରେ । ‘ସେ ବିଦ୍ୟୁତ୍‌ଗତିରେ ଆକ୍ରମଣ କଲେ’ ଏଠାରେ ଆକ୍ରମଣ ଉପମେୟ । ତାହା ସ୍ପଷ୍ଟ ନିର୍ଦ୍ଦେଶିତ । ‘‘ତାଙ୍କ ହୃଦୟରେ ତୁଷାନଳ ଜଳୁଛି’’ ଏଠାରେ ଶୋକ ତୁଷାନଳ ସହିତ ତୁଳିତ, ମାତ୍ର ତାହା ସ୍ପଷ୍ଟଭାବରେ ନିର୍ଦ୍ଦେଶିତ ନୁହେଁ । ‘ମୁଁ ଆଜି ଶ୍ମଶାନରେ ସୁବର୍ଣ୍ଣ ପ୍ରତିମାକୁ ବିସର୍ଜନ କରି ଆସିଲି’ ଏହି ବାକ୍ୟରେ ମଧ୍ୟ ‘ସୁବର୍ଣ୍ଣ ପ୍ରତିମା’ର ବିଷୟୀଭୂତ ଉପମେୟ ପ୍ରସଙ୍ଗରୁ ଅନୁମାନ କରିବାକୁ ହେବ, ତାହା ଏହି ବାକ୍ୟରେ ବ୍ୟକ୍ତ ହୋଇ ନାହିଁ । ମାତ୍ର ଉପମେୟ ଅବ୍ୟକ୍ତ ବା ଅନିର୍ଦ୍ଦେଶି ରହିବା ସମ୍ଭବପର ହେଲେହେଁ ବାକ୍ୟ ପ୍ରସଙ୍ଗରୁ ଯଦି ତାହାର ସ୍ପଷ୍ଟ ଇଙ୍ଗିତ ନ ମିଳେ ତେବେ ରଚନାର ଜଟିଳା ବୃଦ୍ଧି ପାଇ ତାହାର ସରସତାକୁ ବ୍ୟାହତ କରେ ଓ ଅର୍ଥ ଗ୍ରହଣର କ୍ଲିଷ୍ଟତାଜନିତ ପ୍ରୟାସଦ୍ୱାରା ରସାନୁଭୂତିରେ ମଧ୍ୟ ବାଧା ଜାତ ହୋଇଥାଏ । ଏଣୁ ସାଧାରଣ ରଚନାରେ ଉପମେୟ ସ୍ପଷ୍ଟ ଭାବରେ ଲିଖିତ ବା ନିର୍ଦ୍ଦେଶିତ ହୁଏ ।

 

ଉପମାନ କ୍ଷେତ୍ରରେ ନାନା ପ୍ରକାର ବିଚାର ବିତର୍କର ଅବକାଶ ଅଛି । ଉପମାନ ଆଦର୍ଶ, ସାଧାରଣତଃ ଲୋକୋତ୍ତର, ଅନତିକ୍ରମ୍ୟ ବିଷୟ ରୂପରେ କଳ୍ପିତ; ଏଣୁ ଉପମାନକୁ ଯଦି ସାଧାରଣ ବୁଦ୍ଧିଗ୍ରାହ୍ୟ ବିଷୟରେ ପରିଣତ କରାଯାଏ, ଯଦି କଳ୍ପନାଦ୍ୱାରା ତାହାର ଗୁଣକୁ ଅନୁଭବ ନ କରି ବିଚାର ବୁଦ୍ଧିଦ୍ୱାରା ଆୟତ୍ତ କରିବା ସମ୍ଭବପର ହୁଏ, ତେବେ ତାହାଦ୍ୱାରା କଳ୍ପନା ଯଥାଯଥ ଭାବରେ ସ୍ଫୁରିତ ହୋଇପାରେ ନାହିଁ । ‘ ସେ ବିଦ୍ୟୁତ୍‌ ପରି କ୍ଷିପ୍ରଗତିରେ ଆକ୍ରମଣ କଲେ’ ନ କହି ‘ସେ ମଟର ଗାଡ଼ି କ୍ଷିପ୍ରଗତିରେ ଆକ୍ରମଣ କଲେ’ କହିଲେ କଳ୍ପନାର ସ୍ଫୁରଣରେ ବାଧା ଜାତ ହୁଏ, କାରଣ ମଟର ଗାଡ଼ିର ଗତି ବେଗ ସାଧାରଣ ଭାବରେ କଳନା କରିବା ସମ୍ଭବ ଓ ତାହାର କ୍ଷିପ୍ରତା ଆକ୍ରମଣର କ୍ଷିପ୍ରତା ଆକ୍ରମଣର କ୍ଷିପ୍ରତା ଅପେକ୍ଷା ଅଧିକ ହେଲେହେଁ ତାହା ସାଧାରଣ ଅନୁଭୂତିମୂଳକ, ପ୍ରତ୍ୟକ୍ଷ ବିଷୟବସ୍ତୁ ଥିବାରୁ ଓ ସମୟରେ ଏହାର କ୍ଷିପ୍ରତାଠାରୁ ଅଧିକ କ୍ଷିପ୍ର ଆକ୍ରମଣ ସମ୍ଭବପର ଥିବାରୁ ଏପରି ଉପମାନ ସାହିତ୍ୟରେ ପ୍ରଚଳିତ ନୁହେଁ । ଉପମାନ ଆଦର୍ଶ, ଉପମେୟ କେବେହେଁ ବୁଦ୍ଧିଗ୍ରାହ୍ୟ ହୋଇ ପାରିବ ନାହିଁ ବା ପରିମାକଦ୍ୱାରା ତାକୁ ଆୟତ୍ତ କରିବା ସମ୍ଭବପର ହେବ ନାହିଁ; ଏହାହିଁ କଳ୍ପନାକୁ ଉନ୍ମୁଖ କରିବାର ଉପାୟ; ଏଣୁ ଉପମାନ ଅସାଧାରଣ ଗୁଣସମ୍ପନ୍ନ ନୈସର୍ଗିକ ପଦାର୍ଥ ନ ହେଲେ ଅନେକ ସମୟରେ ରଚନାର ସରସତା ନଷ୍ଟ ହୁଏ । ଅବଶ୍ୟ ‘ତାଙ୍କର ମୁହଁ କାଗଜ ପରି ସାଦା ହୋଇଗଲା’ ଏପରି ବାକ୍ୟରେ କାଗଜର ଧବଳତ୍ୱ ଆଦର୍ଶ ସ୍ଥାନୀୟ ନ ହେଲେହେଁ ତାହା ଉପମେୟ ପକ୍ଷରେ ଅନତିକ୍ରମ୍ୟ ଏହାହିଁ କଳ୍ପନାର ସରସତା ସମ୍ପାଦନ କରୁଅଛି ।

 

କେତେକ କ୍ଷେତ୍ରରେ ପୁଣି ଲୋକୋତ୍ତର ପଦାର୍ଥକୁ ଉପମାନ ସ୍ୱରୂପ କଳ୍ପିତ କରା ନ ଯାଇ ସାଧାରଣ ପ୍ରାକୃତିକ ପଦାର୍ଥକୁ ଉପମାନରୂପରେ କଳ୍ପିତ କରାଯାଇଥାଏ, ଯଥା- ପକ୍ୱବିମ୍ବାଧରୋଷ୍ଠୀ, ଏଠାରେ ଅଧରୋଷ୍ଠ ପକ୍ଷରେ ପକ୍ୱବିମ୍ବ ଆଦର୍ଶ ବା ଅନତିକ୍ରମଣୀୟ ନୁହେଁ, ପଦାର୍ଥଟି ଲୋକୋତ୍ତର ବା ଅତୀନ୍ଦ୍ରିୟ ମଧ୍ୟ ନୁହେ, କିନ୍ତୁ ମନୁଷ୍ୟର ପ୍ରତ୍ୟେକ ଗୁଣ ଓ କ୍ରିୟା ପ୍ରକୃତିଠାରୁ ନ୍ୟୂନ ଓ ପ୍ରାକୃତିକ ପଦାର୍ଥମାନ ମନୁଷ୍ୟ ପକ୍ଷରେ ଆଦର୍ଶ ସ୍ଥାନୀୟ ଏହାହିଁ କଳ୍ପନା କରାଯାଇଥାଏ, ଏଣୁ ପାଷାଣ ପରି ନିର୍ମମ, ଲୌହ ପରି କଠିନ, ତପ୍ତକାଞ୍ଚନ ପରି ଗୌରାଙ୍ଗ ପ୍ରଭୃତି ବର୍ଣ୍ଣନା କାବ୍ୟମାନଙ୍କରେ ଅହରହଃ ମିଳେ । ଏସବୁ ସ୍ଥାନରେ ପ୍ରାକୃତିକ ପଦାର୍ଥମାନ ମନୁଷ୍ୟ ପକ୍ଷରେ ଆଦର୍ଶ ସ୍ଥାନୀୟ ଏହାହିଁ ସ୍ୱୀକାର କରି ରଚନାର ରସ ଗ୍ରହଣ କରିବାକୁ ହୁଏ । ବାସ୍ତବରେ ପୁଣି ଅନେକ ସ୍ଥାନରେ କେତେକ ରୀତିଗତ ପ୍ରୟୋଗ ପ୍ରଚଳିତ ଥିବାରୁ କଳ୍ପନା ରୀତି ଅନୁସାରେ ନିୟନ୍ତ୍ରିତ ହୋଇଥାଏ ଓ ରୀତିଦ୍ୱାରା ପ୍ରଭାବିତ ହୋଇ ଆମ୍ଭେମାନେ ଉପମାନର ବାସ୍ତବତା ପ୍ରତି ଅବହିତ ହୋଇ ତାକୁ କଳ୍ପନାଗ୍ରାହ୍ୟ ବିଷୟ ବୋଲି ସ୍ୱୀକାର କରି ତହିଁରେ ଲୋକୋତ୍ତର ଗୁଣର ଆରୋପ କରିଥାଉଁ । ‘ଲୌହ ପରି କଠିନ’ ଏହିପରି ଗୋଟିଏ ରୀତିଗତ ଉପମା କାରଣ ବର୍ତ୍ତମାନ ଲୌହର କଠିନତ୍ୱକୁ ଆଦର୍ଶ ଓ ଅନତିକ୍ରମଣୀୟ ବୋଲି କଳ୍ପନା କରି ତାହା ସହିତ ଅନ୍ୟ ବସ୍ତୁମାନଙ୍କର ତୁଳନା କରିଥାଉଁ । ରୀତିଗତ ପ୍ରଥା ଅନୁସରଣ କରି ଲେଖକମାନେ ନିକେଲ ପରି କଠିନ, କିମ୍ବା ପ୍ଲାଟିନମ୍‌ପରି ଧଳା ଏପରି ଲେଖନ୍ତି ନାହିଁ । ପୁଣି ଗଳାର ସ୍ୱରମାଧୁର୍ଯ୍ୟକୁ କୋକିଳର ସ୍ୱନ ସଙ୍ଗେ ତୁଳିତ କରାଯାଏ, କାରଣ କେବଳ ଯେ କୋକିଳର ସ୍ୱନ ପ୍ରାକୃତିକ ଆଦର୍ଶସ୍ଥାନୀୟ ମଧୁର ଧ୍ୱନି ତାହା ନୁହେଁ, ବାସ୍ତବରେ କୋକିଳର ଧ୍ୱନି ଚତୁର୍ଦ୍ଦିଗରେ ବସନ୍ତର ଯେଉଁ ମଧୁର ଆବେଷ୍ଟନୀ ଅଛି, ତାହାଦ୍ୱାରା କୋକିଳର ସ୍ୱର ମଧୁର ବୋଲି କଳ୍ପିତ ହୋଇଥାଏ ଓ ବସନ୍ତର ମାଧୁର୍ଯ୍ୟ କୋକିଳର ସ୍ୱରରେ ଆରୋପିତ ହୋଇ ତାହାକୁ ଉପମାନର ଗୌରବ ପ୍ରଦାନ କରେ । ଏହିପରି ରୀତିଗତ ପ୍ରୟୋଗ ଅନୁସାରେ ମୀନାକ୍ଷୀ, ଗଜମୂର୍ଖ, କମ୍ବୁଗ୍ରୀବ, ଗଜରାଜଗମନ, ସିଂହକଟୀ ପ୍ରଭୃତି ଉପମା ମଧ୍ୟ ପ୍ରଚଳିତ ଏବଂ ଏହି ତୁଳନାମାନଙ୍କର ବାସ୍ତବତା ବିଷୟରେ ସନ୍ଦେହ ଥିଲେହେଁ ଓ ଏମାନଙ୍କୁ ସ୍ୱୀକାର କରିବା ଦିଗରେ ନାନା ବାଧା ଥିଲେହେଁ ଏହି ରୀତିଗତ ଉପମାମାନ ରଚନାର ଶୋଭା ଓ ଶ୍ରୀ ସମ୍ପାଦନ କରିଥାଏ । ଉପମାର ରୀତି ବାସ୍ତବରେ ଲୋକପ୍ରସିଦ୍ଧି ଓ ବ୍ୟବହାରରୀତି ଉପରେ ପ୍ରତିଷ୍ଠିତ । ସଂସ୍କୃତ ସାହିତ୍ୟରେ କେତେକ ଉପମା ସୁପ୍ରଚଳିତ, ଏହି ଉପମାମାନଙ୍କର ଅନୁକରଣ ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରଧାନ ଉପାଦାନ । ବିମ୍ବାଧରୋଷ୍ଠ, ମରାଳଗମନା, ଶରତ୍‌କାଳୀନ ଆକାଶ ପରି ନିର୍ମଳ, ଚମ୍ପକବରଣା ପ୍ରଭୃତି ସଂସ୍କୃତ ସାହିତ୍ୟରେ ପ୍ରସିଦ୍ଧ ତୁଳନା, ଓଡ଼ିଆ ମଧ୍ୟ ଏଗୁଡ଼ିକ ପ୍ରଚଳିତ । ବିଦେଶୀୟ ସାହିତ୍ୟରେ ପ୍ରସିଦ୍ଧ ନାନା ଉପମା ମଧ୍ୟ ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତ ଓ ପ୍ରଚଳିତ ହେଉଅଛି । ଓଡ଼ିଆରେ, ମନୁଷ୍ୟଜୀବନର କାର୍ଯ୍ୟକଳାପରେ ମଧ୍ୟ ଜୁଆର ଭଟ୍ଟା ଅଛି (ସାଉଣ୍ଟା ଚାଙ୍ଗୁଡ଼ି ପୃ୧), ଠେକୁଆ ପରି ଦ୍ରୁତ, ଭୟରେ ତାହାର ମୁହଁ କାଗଜ ପରି ସାଦା ହୋଇଗଲା, ମେହେନ୍ଦିଫୁଲ ପରି ରକ୍ତିମ ଅଧର, ଗୋଲାପଫୁଲ ପରି ଗାଲ ପ୍ରଭୃତି ଏହିପରି ବିଦେଶୀୟ ସାହିତ୍ୟର ପ୍ରସିଦ୍ଧ ଉପମା । ଏ ସବୁ ଭିନ୍ନ କେତେକ ଦେଶପ୍ରସିଦ୍ଧ ଆଦର୍ଶରୂପେ କଳ୍ପିତ ଉପମାନ ମଧ୍ୟ ସାହିତ୍ୟରେ ଅହରହଃ ବ୍ୟବହୃତ ହୁଏ । ଯଥା- ହିମାଳୟ ପରି ଉଚ୍ଚ, ସାହାରା ପରି ରିକ୍ତ, ବିଦ୍ୟାସାଗରଙ୍କ ପରି ଜ୍ଞାନୀ, ଗଙ୍ଗୋଦକ ପରି ବିଶୁଦ୍ଧ ଇତ୍ୟାଦି । ବାସ୍ତବରେ ଅନ୍ୟ ସାହିତ୍ୟରେ ଯାହା ପ୍ରସିଦ୍ଧ, ସାହିତ୍ୟରେ ଯାହା ବ୍ୟବହୃତ, ସାଧାରଣରେ ଯାହା ସ୍ୱୀକୃତ, ସେହି ସବୁହିଁ ଉପମାନରୂପରେ ଗୃହୀତ ଓ ସ୍ୱୀକୃତ ହେବାର ଯୋଗ୍ୟ, ମାତ୍ର ପ୍ରତିଭାବାନ୍‌ ଲେଖକମାନେ ନାନା ନୂତନ ଉପମାନକୁ ସ୍ୱୀକାର କରି ରଚନା ସରସତା ସମ୍ପାଦନ କରିଥାନ୍ତି ଓ ଯଥେଷ୍ଟ ପ୍ରତିଭା ବା ରୁଚି ଜ୍ଞାନ ଥିଲେ ଏପରି ନୂତନତ୍ୱ ମଧ୍ୟ ପ୍ରଚଳିତ ହୋଇଯାଏ, କିନ୍ତୁ ନୂତନ ଉପାମାନ ବ୍ୟବହାର କରିବା ସମୟରେ ସାବଧାନତା ଓ ସତର୍କତା ଅବଲମ୍ୱନ କରିବା ଉଚିତ ।

 

କେତେକ ସ୍ଥଳରେ ନୂତନତ୍ୱର ପ୍ରୟାସୀ ଲେଖକମାନେ ଅଜ୍ଞାତ-ଧର୍ମବିଶିଷ୍ଟ ପଦାର୍ଥମାନଙ୍କୁ ଉପମାନର ସ୍ଥାନରେ ପ୍ରତିଷ୍ଠିତ କରି ପାଠକମାନଙ୍କର କଳ୍ପନାକୁ ଉଦ୍ରିକ୍ତ କରିଥାନ୍ତି; ଉପମାନର ନାମ ଯେତେ ଅଜ୍ଞାତ ହେବ ତାହାର ଧର୍ମ ମଧ୍ୟ ତେତେ କଳ୍ପନାଗ୍ରାହ୍ୟ ହେବ ଓ ଲୋକୋତ୍ତର ବୋଲି ପ୍ରତୀୟମାନ ହେବ । କେତେକ ସ୍ଥାନରେ ଉପମାନ ମଧ୍ୟରେ ଏପରି ଅସ୍ୱାଭାବିକ ଗୁଣ ଆରୋପିତ ହୋଇ ଭାଷାକୁ ସରସ କରେ, ମାତ୍ର ଏପରି ବ୍ୟବହାର ଅତ୍ୟନ୍ତ ସାହାସିକ ବ୍ୟାପାର, ସାହିତ୍ୟରେ ଏହା ଲୋକଙ୍କୁ କ୍ଷଣିକ ଉତ୍ତେଜନା ଦେଇପାରେ, ମାତ୍ର ପୂର୍ଣ୍ଣ ଭାବରେ ତାଙ୍କର ମନକୁ ମାଧୁର୍ଯ୍ୟଦ୍ୱାରା ଅଭିସିଞ୍ଚିତ କରି ନପାରେ । ‘କ୍ରୋଟନ ପରି କୋମଳ କେଶରାଶି’ କହିଲେ କ୍ରୋଟନଠାରେ ଆଦର୍ଶ କୋମଳତ୍ୱ ଗୁଣ ଥିବା ସ୍ୱୀକାର କରି କେଶରାଶିରେ ଏହି ଆଦର୍ଶ କୋମଳତା ଅଛି ବୋଲି ବୁଝିବାକୁ ହେବ । ମାତ୍ର କ୍ରୋଟନରେ ବାସ୍ତବରେ କୋମଳତା ନ ଥାଇପାରେ ଓ କେବଳ କ୍ରୋଟନ ସହିତ ସାଧାରଣ ଲୋକେ ପରିଚିତ ନୁହନ୍ତି ବୋଲି ତହିଁରେ ଏପରି ଗୁଣ ଥିବା ସେମାନେ ସ୍ୱୀକାର କରି ନିଅନ୍ତି । ଏଠାରେ କ୍ରୋଟନର ନୁତନତ୍ୱହିଁ ତୁଳନାର ସହାୟକ ଓ ତାହାର ଅପରିଚିତିହିଁ ଲୋକଙ୍କ କଳ୍ପନାକୁ ଉନ୍ମୁଖ କରେ, କିନ୍ତୁ ବାସ୍ତବରେ ଏପରି ରଚନା ଅନେକ ସମୟରେ ପାଠକକୁ ବିଭ୍ରାନ୍ତ କରେ ଓ ଶକ୍ତିଶାଳୀ ଲେଖକର ଲେଖା ଭିନ୍ନ ଅନ୍ୟତ୍ର ଏଭଳି ଉପାମା ହାସ୍ୟାସ୍ପଦ ହୁଏ ।

 

ଯେଉଁ ସାଧାରଣ ଧର୍ମ ଉପମେୟ ଓ ଉପମାନ ମଧ୍ୟରେ ସ୍ୱୀକୃତ ହୁଏ ତାହା ସ୍ପଷ୍ଟ ବ୍ୟକ୍ତ ହୋଇପାରେ, ଅନୁକ୍ତ ମଧ୍ୟ ରହିପାରେ । ଅନୁକ୍ତ ବା ଅର୍ଦ୍ଧୋକ୍ତ ରହିଲେ କଳ୍ପନାଦ୍ୱାରା ଉପମାନର ନାନା ଧର୍ମ ମଧ୍ୟରୁ ଗୋଟିକୁ ନିର୍ବାଚନ କରି ତୁଳନାକୁ ସାର୍ଥକ କରିବାକୁ ପଡ଼େ । ଏଣୁ ଏଥିରେ କଳ୍ପନାର ପ୍ରୟୋଗ ଅପେକ୍ଷାକୃତ ଅଧିକ । ‘ସେ ବିଦ୍ୟୁତ୍‌ ପରି କ୍ଷିପ୍ରଗତିରେ ଆକ୍ରମଣ କଲେ’ ଏଠାରେ ସାଧାରଣ ଧର୍ମ କ୍ଷିପ୍ରଗତି ସ୍ପଷ୍ଟ ବ୍ୟକ୍ତ, ମାତ୍ର ସେ ବିଦ୍ୟୁତ୍‌ଗତିରେ ଆକ୍ରମଣ କଲେ ଏଠାରେ ସାଧାରଣ ଧର୍ମ ଅସ୍ପଷ୍ଟ; କାରଣ ଗତିଦ୍ୱାରା କ୍ଷିପ୍ରତାର ବୋଧନ ହେଉ ନାହିଁ ଓ କ୍ଷିପ୍ରତାହିଁ ବାସ୍ତବରେ ଉପମାର ଅବଲମ୍ୱନ । ପୁଣି ସେ ବିଦ୍ୟୁତ୍‌ପରି ଆକ୍ରମଣ କଲେ ଏଠାରେ ତୁଳନୀୟ ଧର୍ମ ଅନୁକ୍ତ ଓ କଳ୍ପନାଗ୍ରାହ୍ୟ । ଯେଉଁଠାରେ ସାଧାରଣ ଧର୍ମ ଅନୁକ୍ତ ଥାଏ ସେଠାରେ ଉପମାନରେ ସେହି ଧର୍ମର ଅବସ୍ଥାନ ବିଷୟରେ ଲୋକପ୍ରସିଦ୍ଧି ନ ଥିଲେ ଅର୍ଥଗ୍ରହଣରେ ବାଧା ଜାତ ହୁଏ ଓ ରଚନାର ସରସତା ମଧ୍ୟ ନଷ୍ଟ ହୁଏ । କାରଣ ତୁଳନାର ଅବଲମ୍ୱନ ବିଷୟରେ ସନ୍ଦେହ ଜାତ ହେବାଦ୍ୱାରା କଳ୍ପନା ବିଭ୍ରାନ୍ତ ହୋଇ ପଡ଼େ । ଲୌହ ବାକ୍‌ଶକ୍ତିହୀନ, ମାତ୍ର ସେ ଲୌହ ପରି ରହିଲେ କହିଲେ ‘ନିସ୍ତବ୍ଧତା’କୁ ଅବଲମ୍ୱନ ତୁଳନା କରାଯାଉଅଛି ଏହା କଳ୍ପିତ ହୋଇପାରେ ନାହିଁ, କାରଣ ଲୌହର କାଠିନ୍ୟ ପ୍ରସିଦ୍ଧ ଗୁଣ, ଏହି ପ୍ରସିଦ୍ଧିକୁ ତ୍ୟାଗ କରି ଅନ୍ୟ ଗୁଣକୁ ତୁଳନାର ଅବଲମ୍ୱନ ରୂପରେ ଗ୍ରହଣ କଲେ ତାହାର ସ୍ପଷ୍ଟ ଉଲ୍ଲେଖ ପ୍ରୟୋଜନ, କିନ୍ତୁ ଏପରି କ୍ଷେତ୍ରରେ ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ରସାନୁଭୂତିରେ ବାଧା ଘଟେ, କାରଣ ରୀତିଗତ ବା ଲୋକପ୍ରସିଦ୍ଧ ତୁଳନା ସ୍ୱତଃଗ୍ରାହ୍ୟ, ଏହା ସାପେକ୍ଷ ନୁହେଁ; ମାତ୍ର ଲୋକପ୍ରସିଦ୍ଧି ନ ଥିଲେ ତୁଳନାର ସଙ୍ଗତି ବିଚାରସାପେକ୍ଷ, ଏଣୁ ଅନାୟାସରେ ସ୍ୱୀକୃତ ନୁହେଁ ।

 

ଉପମାନର ଅସ୍ପଷ୍ଟତା ଘେନି ବାସ୍ତବରେ ସାଧାରଣ ଧର୍ମ ଅନେକ କ୍ଷେତ୍ରରେ କଳ୍ପନା ଉପରେ ପ୍ରତିଷ୍ଠିତ ହୁଏ । ‘ବୈଦୁର୍ଯ୍ୟବରଣ’ କହିଲେ ଠିକ କେଉଁ ବର୍ଣ୍ଣ ସୂଚିତ ହେବ ତାହା ଘେନି ବିତଣ୍ଡା ସମ୍ଭବ, ‘ମାରକତଶୈଳ’ (ଚିଲିକା)ରେ ଠିକ କେଉଁ ବର୍ଣ୍ଣ ସୂଚିତ ହେଉଅଛି, ତାହା ସାଧାରଣ ପାଠକ ପକ୍ଷରେ ସ୍ଥିରଭାବରେ କହିବା ଅସମ୍ଭବ; ମାତ୍ର ଉଭୟ କ୍ଷେତ୍ରରେ ଗୋଟିଏ ଅସ୍ପଷ୍ଟ ବର୍ଣ୍ଣର ଆଭାସ କଳ୍ପନାନେତ୍ରରେ ଭାସିଉଠେ ଓ ଉପମାନର ଅନଧିଗମ୍ୟତା ଏହି କଳ୍ପନାକୁ ଉତ୍ତେଜିତ କରେ । ବର୍ଣ୍ଣାନ୍ଧତା ଓ ବର୍ଣ୍ଣଜ୍ଞାନର ଅସ୍ପଷ୍ଟତା ସାଧାରଣ ଗୁଣ, ଏଣୁ ବର୍ଣ୍ଣକୁ ତୁଳନାର ଅବଲମ୍ୱନ ରୂପରେ ଗ୍ରହଣ କଲେ ଅନେକ କ୍ଷେତ୍ରରେ ନାନା ବିତର୍କର ସମ୍ମୁଖୀନ ହେବାକୁ ପଡ଼େ । ନବ ଦୂର୍ବାଦଳଶ୍ୟାମ ବୋଇଲେ ଯେଉଁ ସାଧାରଣ ଧର୍ମ ସୂଚିତ ହୁଏ ‘ଘନଶ୍ୟାମ’ରେ ଠିକ ସେହି ସାଧାରଣ ଧର୍ମ ସୂଚିତ ହୁଏ ନାହିଁ । ପୁଣି, ‘ତନ୍ୱୀ ଶ୍ୟାମ’ ନିଶ୍ଚୟ ହରିଦ୍‌ବର୍ଣ୍ଣ କିମ୍ୱା କୃଷ୍ଣ ବର୍ଣ୍ଣ ନୁହେଁ-। ସଂସ୍କୃତରେ ପୁଣି ‘ତପ୍ତକାଞ୍ଚନବର୍ଣ୍ଣାଭା ସାଶ୍ୟାମା ପରିକୀର୍ତ୍ତିତା’ ଶ୍ୟାମର ଧର୍ମ ବିଷୟରେ ଆମ୍ଭମାନଙ୍କ ମନରେ ଘୋର ସନ୍ଦେହ ଜାତ କରୁଅଛି । ଏ ସବୁ ସ୍ଥଳରେ ଲୋକପ୍ରସିଦ୍ଧି ବା ବ୍ୟବହାରରୀତି ଆମ୍ଭମାନଙ୍କ କଳ୍ପନାର ଆଶ୍ରୟସ୍ଥଳ, କାରଣ ହୀରକ ନାନାବର୍ଣ୍ଣର ଥିଲେହେଁ ତାହାର ଧବଳତ୍ୱ ଲୋକପ୍ରସିଦ୍ଧ ଓ କଳ୍ପନାରେ ସ୍ୱୀକୃତ । ପୁଣି ଧଳା ଗୋଲାପ ଅତି ସାଧାରଣ ହେଲେହେଁ ଗୋଲାପି ଅଧର କହିଲେ ମାନସକ୍ଷେତ୍ରରେ ଏକ ବିଶେଷ ବର୍ଣ୍ଣ ଉଦ୍ଭାସିତ ହୋଇଉଠେ-। ବାସ୍ତବରେ ବ୍ୟବହାର ରୀତି ଅନେକ ସମୟରେ ଉପାମାନ ବିଷୟରେ ମଧ୍ୟ ଅନିଶ୍ଚିତତାକୁ ନିରସନ କରିଥାଏ । ତାଙ୍କର ହୃଦୟ ବଜ୍ର ପରି କଠିନ; ଏହି ବାକ୍ୟରେ ବଜ୍ରର ଅର୍ଥ ଯେ ହୀରକ ତାହା ସାଧାରଣ ପାଠକ ବୁଝି ନ ପାରିଲେ ମଧ୍ୟ ଏହି ଉପାମା ଲୋକପ୍ରସିଦ୍ଧି ବୋଲି ସ୍ୱୀକୃତ ଓ ବଜ୍ରର ଅର୍ଥ ଅସ୍ପଷ୍ଟ ହେଲେହେଁ ତହିଁରେ ଅନତିକ୍ରମଣୀୟ କଠିନତ୍ୱ ଆରୋପିତ ହୋଇ ତାହା କଳ୍ପନାର ବିଷୟବସ୍ତୁ ହୋଇପଡ଼େ ।

 

ଉପମା ବିଷୟରେ ଲୋକପ୍ରସିଦ୍ଧି ଯେ କେବଳ ଅର୍ଥଗତ ତାହା ନୁହେଁ, ଅନେକ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଶବ୍ଦଗତ ଅର୍ଥାତ୍‌ବିଶେଷ ଶବ୍ଦ ଉପମାନରୂପେ ସ୍ୱୀକୃତ ହୁଏ; ମାତ୍ର ତାହାର ପ୍ରତିଶବ୍ଦ ଏପରି ଭାବରେ ସ୍ୱୀକୃତ ହୁଏ ନାହିଁ । ବଜ୍ର ପରି କଠିନ ବ୍ୟବହୃତ୍‌, ମାତ୍ର ହୀରକ ପରି କଠିନ ଅପ୍ରଚଳିତ । ପୁଣି ହୀରକ ପରି ଦ୍ୟୁତିମାନ୍‌ ପ୍ରଚଳିତ କିନ୍ତୁ ବଜ୍ର ପରି ଦ୍ୟୁତିମାନ୍‌ ବ୍ୟବହୃତ ହୁଏ ନାହିଁ । ଏହିପରି ପାଷାଣ ପରି ନିର୍ମମ ସ୍ୱୀକୃତ, କିନ୍ତୁ ପ୍ରସ୍ତର ପରି ମମତାଶୂନ୍ୟ ପ୍ରଚଳିତ ନୁହେଁ । ଏଗୁଡ଼ିକ ଉପମାକ୍ଷେତ୍ରରେ ରୀତିଗତ ବ୍ୟବହାର । ରଚନା ସମୟରେ ପ୍ରଚଳିତ ରୀତିକୁ ଅନୁସରଣ କରିବାହିଁ ବିଧି । ପ୍ରଚଳିତ ରୀତି ପରିହୃତ ହେଲେ ରଚନା ବିସଦୃଶ ହୁଏ ଓ କଳ୍ପନାର ତନ୍ତ୍ରୀରେ ଆଘାତ ଜାତ କରିବାକୁ ସମର୍ଥ ହେଲେହେଁ ସେଥିରୁ ପ୍ରକୃଷ୍ଟ ଝଙ୍କାର ଜାତ ହୁଏ ନାହିଁ । ଅବଶ୍ୟ ଲେଖକ ନିଜ ଶକ୍ତି ଓ ପ୍ରତିଭାବଳରେ ନୂତନ ନୂତନ ଉପମା ପ୍ରଚଳିତ କରିବାକୁ ସକ୍ଷମ ହୁଏ, ମାତ୍ର ସାଧାରଣ ଲେଖକ ପକ୍ଷରେ ପ୍ରଚଳିତ ରୀତିକୁ ଅନୁସରଣ କରିବାହିଁ ପ୍ରକୃଷ୍ଟ ପନ୍ଥା, ସାଧାରଣଙ୍କ ଅବ୍ୟବହୁତ ବାଟରେ ଚାଲିବାକୁ କିମ୍ୱା ନୂତନ ମାର୍ଗର ନିର୍ଦ୍ଦେଶ ଦେବାକୁ ଅନନ୍ୟସାଧାରଣ ଶକ୍ତିର ପ୍ରୟୋଜନ ।

 

କିନ୍ତୁ କେତେକ କ୍ଷେତ୍ରରେ ସାଧାରଣ ଧର୍ମ ବା ଉପମାର ଅବଲମ୍ୱନ ସମ୍ପୂର୍ଣ୍ଣଭାବେ କଳ୍ପନା ଉପରେ ପ୍ରତିଷ୍ଠତ । ପାଣି ପରି ବୁଝି ହୋଇଗଲା, ଗୋଲାପି ନିଶା ପ୍ରଭୃତି ଉକ୍ତିରେ ଏହିପରି କାଳ୍ପନିକ ସାଧାରଣ ଧର୍ମର ଆଭାସ ମିଳେ । ପାଣି ତରଳ, ଅତଏବ ସହଜରେ ଗତିଶୀଳ, ତେଣୁ ଯାହା ସହଜରେ ମନରେ ଗତି ବିସ୍ତାର କରିପାରେ ତାହା ପାଣି ସହିତ ତୁଳିତ ହୋଇପାରେ । ମାତ୍ର ବିଷୟବସ୍ତୁର ସାରଲ୍ୟକୁ ପାଣିର ପ୍ରବାହ ସହିତ ତୁଳନା କରିବା ସାଧାରଣ ହେଲେହେଁ କଳ୍ପନାଗ୍ରାହ୍ୟ । ‘ପାଣି ପରି ଗାଇ ଗଲା’ରେ ପାଣି ପ୍ରବାହ ସହିତ ବାକ୍ୟ ସ୍ରୋତର ତୁଳନା କରିବା ସମ୍ଭବ, ମାତ୍ର ‘ପାଣି ପରି ବୁଝି ହୋଇଗଲା’ରେ ତରଳ ପଦାର୍ଥ ସହଜ ଗଳାଧଃ କରଣ କରିବା ସମ୍ଭବପର, କିମ୍ୱା ତରଳ ପଦାର୍ଥ ସହଜରେ ଗତିଶୀଳ ଏହିପରି କଳ୍ପନାର ସାହାଯ୍ୟ ଗ୍ରହଣ କରିବାକୁ ପଡ଼େ । ‘ଗୋଲାପି ନିଶା ’ରେ ଗୋଲାପର ମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟ ସହିତ ନିଶାର ମାଧୁର୍ଯ୍ୟର ତୁଳନା କଳ୍ପିତ, ଏଠାରେ ସାଧାରଣ ଧର୍ମ ବାସ୍ତବରେ କାଳ୍ପନିକ । ଛବି ପରି ସୁନ୍ଦର କହିଲେ ଏହିପରି ଛବିରେ ସୌନ୍ଦର୍ଯ୍ୟର ଆରୋପ କରାଯାଇ ସାଧାରଣ ଧର୍ମ ସ୍ୱୀକାର କରିବାକୁ ହୁଏ, କାରଣ ଛବି ଯେ ସର୍ବଦା ସୁନ୍ଦର ତାହା ନୁହେଁ, ସୌନ୍ଦର୍ଯ୍ୟ ଛବି ସାଧାରଣ ଧର୍ମ ନ ହେଲେହେଁ କଳ୍ପନାଦ୍ୱାରା ଛବିରେ ସହଜରେ ଆରୋପିତ ହୋଇପାରେ ।

 

ଯେଉଁଠାରେ ତୁଳନା ଅଛି, ସେଠାରେ ଉପମା ସ୍ୱୀକୃତ ହୋଇପାରେ । ରଚନାରେ ତୁଳନା ଏକମୁଖୀ ହୋଇପାରେ କିମ୍ୱା ବହୁମୁଖୀ ମଧ୍ୟ ହୋଇପାରେ । ଉପମାନ ଓ ଉପମେୟ ମଧ୍ୟରେ ଗୋଟିଏ ସାଧାରଣ ଧର୍ମ ସ୍ୱୀକୃତ ହେଲେ ତାହା ଏକମୁଖୀ ଉପମା, ମାତ୍ର ଏମାନଙ୍କ ମଧ୍ୟରେ ଏକାଧିକ ସାଧାରଣ ଧର୍ମ ସ୍ୱୀକୃତ ହେଲେ ଉପମାକୁ ବହୁମୁଖୀ ବୋଲିବାକୁ ହେବ । ‘ବିଦ୍ୟୁତ୍‌ପରି କ୍ଷିପ୍ରଗତିରେ ଆକ୍ରମଣ କଲେ’ କହିଲେ ବିଦ୍ୟୁତ୍‌ ଓ ଆକ୍ରମଣ ମଧ୍ୟରେ କେବଳ କ୍ଷିପ୍ରଗତିକୁ ଅବଲମ୍ୱନ କରି ତୁଳନା କରାଯାଇଥାଏ, ମାତ୍ର ‘ଫୁଲ ପରି ପିଲାଟିଏ’ କହିଲେ ଫୁଲର ବର୍ଣ୍ଣବୈଭବ, କୋମଳତ୍ୱ, ହ୍ଲାଦିନୀ ଶକ୍ତି ପ୍ରଭୂତି ନାନା ଗୁଣ ସହିତ ପିଲାର ସାମ୍ୟ କଳ୍ପିତ ହୁଏ । କେତେକ ସ୍ଥଳରେ ଉପମାର ବହୁମୁଖିତ୍ୱ ସ୍ପଷ୍ଟ ଉଲ୍ଲିଖିତ ହୁଏ, ଅନ୍ୟ କେତେକ ସ୍ଥଳରେ ତାହା କଳ୍ପନାଗ୍ରାହ୍ୟ ରହିଯାଏ, ମାତ୍ର ଯେଉଁଠାରେ ଏକାଧିକ ସାଧାରଣ ଧର୍ମର ଅବସର ଥାଏ , ସେଠାରେ ଉପାମାର ବହୁମୁଖିତ୍ୱ ସ୍ୱୀକାର କରିବାକୁ ହୁଏ ।

 

ଉପମାର ତିନିଗୋଟି ଅବୟବ (ଉପମେୟ, ଉପମାନ ଓ ସାଧାରଣ ଧର୍ମ) । ଏହି ତିନିଗୋଟି ଅବୟବ ମଧ୍ୟରୁ ଗୋଟିଏ ଲୁପ୍ତ ବା ଅନୁକ୍ତ ରହିପାରେ, ମାତ୍ର ଯଦି ଏକାଧିକ ଅବୟବ ଅନୁକ୍ତ ରହେ ତେବେ ତାହା ଉପମାଭାସ ବୋଲି ପରିଗଣତ ହେବା ଉଚିତ । ଉପମାଭାସ ବାସ୍ତବରେ ଉପମାର ଗୋଟିଏ ଅଙ୍ଗ, କେବଳ ଏଠାରେ ଉପମା ସ୍ପଷ୍ଟଭାବରେ ବ୍ୟକ୍ତ ନ ହୋଇ ତାହାର ଆଭାସ ମାତ୍ର ରହୁଅଛି ବୋଲି ତାକୁ ଉପମାଭାସ ବୋଲିଯାଇପାରେ । ‘ସେ ଚମକି ଆସିଲେ’ ଏଠାରେ ବିଦ୍ୟୁତ୍‌ର କ୍ଷିପ୍ରଗତି ସହିତ ତାଙ୍କର ଗତି ତୁଳିତ, କିନ୍ତୁ ଉପମାର ଅଙ୍ଗମାନ ଅନୁକ୍ତ । ପୁଣି ‘ଏପରି ଅରଣ୍ୟରୋଦନର ଫଳ କଣ ?’ ‘ମୁଁ ତାଙ୍କୁ ଫଳେ ପୁଷ୍ପେ ବିଦାୟ କଲି,’ ‘ସେ ନିଷ୍କଣ୍ଟକ ରାଜ୍ୟ ଭୋଗ କଲେ’, ‘ତାଙ୍କୁ ଦେଖି ମୋର ଏହି ଧାରଣା ବଦ୍ଧମୂଳ ହେଲା’, ‘ଏପରି ଆକାଶକୁସୁମ ଗଢ଼ି ଫଳ କଣ ?’ ପ୍ରଭୃତି ବାକ୍ୟରେ ଉପମାର ଅଙ୍ଗମାନ ସ୍ପଷ୍ଟ ସୁଚିତ ହେଉ ନାହିଁ, ମାତ୍ର ଏମାନଙ୍କଦ୍ୱାରା ପାଠକ କଳ୍ପନା ନେତ୍ରରେ ଗୋଟିଏ ଉପମାର ଆଭାସ ସ୍ପଷ୍ଟ ପାଉଅଛି, ଏଣୁ ଏସବୁକୁ ଉପମାଭାସ ଉଦାହରଣସ୍ୱରୂପ ଗ୍ରହଣ କରାଯାଇପାରେ । ଆମ୍ଭେମାନେ ପ୍ରତ୍ୟେକ ରଚନାରେ ଏହିପରି ଶତ ଶତ ଉପମାଭାସର ଆଶ୍ରୟ ଗ୍ରହଣ କରି ରଚନାକୁ ସରସ କରିଥାଉଁ ଓ ଅନେକ ଶବ୍ଦ ଏପରି ବହୁପ୍ରଚଳିତ ଓ ସାଧାରଣ ବ୍ୟବହୁତ ଯେ, ସେମାନଙ୍କ ମଧ୍ୟରେ ଉପମାର ଆଭାସ ଥିଲେହେଁ ତାହା ସହଜରେ ସ୍ୱୀକୃତ ହୁଏ ନାହିଁ । ‘ନିଷ୍ପଳ’, ‘ଫଳ’, ‘ହାତ’ (ଏଥିରେ ମୋର ହାତ ନାହିଁ) ପ୍ରଭୃତି ଏହିପରି ବହୁପ୍ରଚଳିତ ଉପମାଭାସଯୁକ୍ତ ଶବ୍ଦ । ଏହି ଶବ୍ଦମାନଙ୍କର ଅନ୍ତର୍ନିହିତ ଉପମା ବର୍ତ୍ତମାନ ଶବ୍ଦର ଲକ୍ଷଣା ଅର୍ଥରେ ପରିଣତ ହୋଇଗଲାଣି , କିନ୍ତୁ ରଚନାକୁ ସରସ କରିବାରେ ଏସବୁର ମଧ୍ୟ ସାହାଯ୍ୟ ଗ୍ରହଣ କରାଯାଇଥାଏ; ବରଂ ଏସବୁ ବ୍ୟବହାରରେ କଳ୍ପନା ସ୍ପଷ୍ଟ ନ ହେଉଥିବାରୁ ଏମାନଙ୍କଦ୍ୱାରା କଳ୍ପନାର ବିକାଶ ସାଧିତ ହୋଇଥାଏ ଓ ରଚନାର ସରସତା ବୃଦ୍ଧିପ୍ରାପ୍ତ ହୁଏ ।

ଉପମା ଦୁଇଗୋଟି ଭିନ୍ନ ପଦାର୍ଥର ସାମ୍ୟ ଉପରେ ପ୍ରତିଷ୍ଠିତ, ସେମାନଙ୍କ ମଧ୍ୟରେ ସାମ୍ୟ ଉକ୍ତ ହୋଇପାରେ କିମ୍ୱା ଅନୁକ୍ତ ମଧ୍ୟ ରହିପାରେ; ମାତ୍ର ଉପମାନ ଓ ଉପମେୟର ପାର୍ଥକ୍ୟ ବା ବିଭିନ୍ନତା ନାନା ଉପାୟରେ ନିର୍ଦ୍ଦେଶିତ ହୋଇପାରେ । ‘ପରି’, ‘ପ୍ରାୟ’ ପ୍ରଭୃତି ଶବ୍ଦର ବ୍ୟବହାରଦ୍ୱାରା ସାମ୍ୟ ସୂଚିତ ହେଲେହେଁ ପାର୍ଥକ୍ୟ ମଧ୍ୟ ନିର୍ଦ୍ଦେଶିତ ହୁଏ । ‘କାଗଜ ଦୁଧପରି ଧଳା’ କହିଲେ କାଗଜର ଧବଳତ୍ୱ, ଦୁଧର ଧବଳତ୍ୱ ସହିତ ତୁଳିତ, କିନ୍ତୁ କାଗଜ ଯେ ଦୁଧ ନୁହେଁ ତାହା ମଧ୍ୟ ସ୍ପଷ୍ଟ ସୂଚିତ, ‘ଦୁଧିଆ କାଗଜ’ କହିଲେ ମଧ୍ୟ ଦୁଧ ଓ କାଗଜ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟଭାବରେ ଅଙ୍କିତ ହୁଏ ଅର୍ଥାତ୍‌ ‘ପରି’ ‘ସଦୃଶ’ ‘ପ୍ରାୟ’ ପ୍ରଭୂତି ଶବ୍ଦଦ୍ୱାରା ଯେପରି ଭିନ୍ନତ୍ୱ ନିର୍ଦ୍ଦେଶିତ ହୁଏ , ଉପମାନକୁ ଉପମେୟର ବିଶେଷଣରୂପରେ ବ୍ୟବହାର କଲେ ମଧ୍ୟ ସେହିପରି ଭିନ୍ନତ୍ୱ ସୂଚିତ ହୁଏ-। ‘ଦୁଧିଆ କାଗଜ’, ‘ଆସମାନି ଶାଢ଼ୀ’, ‘ସୁଧାମୟ ବାକ୍ୟ’ ପ୍ରଭୂତିରେ ଉପମାନ ଓ ଉପମେୟ ମଧ୍ୟରେ ଭିନ୍ନତ୍ୱ ସୁସ୍ପଷ୍ଟ । ଉପମାନକୁ ଉପମେୟର ଠିକ୍‌ପୁର୍ବରେ ବ୍ୟବହାର କଲେ ମଧ୍ୟ ଉପମାନର ବିଶେଷଣତ୍ୱ ସ୍ୱୀକାର କରାଯାଇ ଉପମେୟଠାରୁ ତାହାର ପାର୍ଥକ୍ୟ ନିର୍ଦ୍ଦେଶିତ ହୁଏ ଅର୍ଥାତ୍‌ ‘ଚନ୍ଦ୍ରବଦନ’ ‘ବିଦ୍ୟୁତ୍‌ ଆକ୍ରମଣ’, ‘ସୁଧା ବାକ୍ୟ’ ପ୍ରଭୃତିରେ ଉପାମାନ (ଚନ୍ଦ୍ର, ବିଦ୍ୟୁତ୍‌, ସୁଧା ପ୍ରଭୂତି) ଉପମେୟର ବିଶେଷଣରୂପରେ କଳ୍ପିତ, ଏଣୁ ଏଠାରେ ମଧ୍ୟ ଉପମାନ ଓ ଉପମେୟ (ବଦନ, ଆକ୍ରମଣ, ବାକ୍ୟ ପ୍ରଭୂତି) ମଧ୍ୟରେ ପାର୍ଥକ୍ୟ ସହଜରେ ସ୍ୱୀକୃତ ହୋଇପାରେ । ପୁଣି ପରି, ସଦୃଶ ପ୍ରଭୃତି ଶବ୍ଦ ବ୍ୟବହାର କରା ନ ଯାଇ ଉପମାନକୁ ସାଧାରଣ ଧର୍ମର ବିଶେଷଣ ରୂପରେ ବ୍ୟବହାର କଲେ ମଧ୍ୟ ଉପମେୟ ସହିତ ଉପମାନର ଭିନ୍ନତ୍ୱ ସ୍ପଷ୍ଟ ନିର୍ଦ୍ଦେଶିତ ହୋଇପାରେ (ଯଥା:- ବଜ୍ରନିନାଦରେ କହିଲେ, ବଜ୍ରକଠୋର ହୃଦୟ, ବିଦ୍ୟୁତ୍‌ ଗତିରେ ଆକ୍ରମଣ ଇଚ୍ଛା, ଏ ସବୁ କ୍ଷେତ୍ରରେ ଉପମାନ ଓ ଉପମେୟର ଭିନ୍ନତ୍ୱ ସ୍ପଷ୍ଟ ସ୍ୱୀକୃତ ହେଉଅଛି ।)

 

ମାତ୍ର କେତେକ ସ୍ଥାନରେ ଉପମାନକୁ ଉପମେୟର ପରେ ବ୍ୟବହାର କରାଯାଇ ଉଭୟ ମଧ୍ୟରେ ଅଭେଦତ୍ୱ ସୂଚିତ ହୋଇଥାଏ ଓ ଏହି ଅଭେଦତ୍ୱ ପ୍ରତିପାଦନ କରିବା ନିମନ୍ତେ ବାକ୍ୟସ୍ଥିତ, କ୍ରିୟାପଦ ଉପମାନକୁ ଅନୁସରଣ କରିଥାଏ । ଏ ସବୁ ସ୍ଥଳରେ ରୂପକ ସ୍ୱୀକାର କରିବାକୁ ହୁଏ । ରୂପକ ବାସ୍ତବରେ ଉପାମାର ଗୋଟିଏ ଅଙ୍ଗ, ଉପମା ସହିତ ତାହାର ପାର୍ଥକ୍ୟ ଏତିକି ଯେ ରୂପକରେ ଉପମାନ ଓ ଉପମେୟ ମଧ୍ୟରେ ଅଭେଦତ୍ୱ କଳ୍ପିତ ହୋଇଥାଏ । ‘ବାକ୍ୟସୁଧା’ ରୂପକ, କାରଣ ଏଠାରେ ବାକ୍ୟ ଓ ସୁଧା ମଧ୍ୟରେ ଅଭେଦତ୍ୱ କଳ୍ପିତ ହୋଇଅଛି ଓ ଏହି କାରଣରୁ ‘ବାକ୍ୟସୁଧା ଶ୍ରବଣ କରି’ ପରିବର୍ତ୍ତରେ ‘ବାକ୍ୟସୁଧା ପାନ କରି’ ଏହି ବ୍ୟବହାର ସମୀଚୀନ ଅର୍ଥାତ୍‌ କ୍ରିୟାଟି ସୁଧାର (ଉପମାନର) ଅନୁଗାମୀ । ବାହାଫୁଲ ଫୁଟିଲାଣି, ମାନସପଟରେ ଅଙ୍କିତ ରହିଲା, ହୃଦୟ-ସରୋବରରେ ପ୍ରସ୍ଫୁଟିତ ହେଲା ପ୍ରଭୃତିରେ ରୂପକ ସୁସ୍ପଷ୍ଟ । କ୍ରିୟାପଦଟି ଉପମାନର ସ୍ପଷ୍ଟ ଅନୁଗାମୀ ନ ହେଲେହେଁ ଅଭେଦତ୍ୱ କଳ୍ପିତ ହୋଇଥିଲେ ରୂପକ ସ୍ୱୀକାର କରିବାକୁ ହୁଏ । ‘ମୁଖପଦ୍ମକୁ ଚୁମ୍ୱନ କଲେ’ ବାକ୍ୟରେ ‘ଚୁମ୍ୱନ କରିବା’ କ୍ରିୟାଟି ବାସ୍ତବରେ ମୁଖ ସହିତ ସମ୍ପୃକ୍ତ, କିନ୍ତୁ ତାହା ହେଲେହେଁ ଏଠାରେ ରୂପକ ସ୍ପଷ୍ଟ, କାରଣ ମୁଖ ଓ ପଦ୍ମ ମଧ୍ୟରେ ଅଭେଦତ୍ୱ କଳ୍ପିତ ହୋଇଅଛି । ଉପମାରେ ଉପମେୟ ପ୍ରଧାନ, ରୂପକରେ ଉପମାନ ପ୍ରଧାନ; ଏହାହିଁ ସାଧାରଣ ନିୟମ ।

କିନ୍ତୁ ଯଦି ଏପରି ଭାବରେ କ୍ରିୟାପଦଟି ରଚିତ ହୁଏ ଯେ ତାହା ଉପମାନ ସହିତ ଆଦୌ ଅନ୍ୱିତ ହୋଇ ପାରିବ ନାହିଁ; ଅଥଚ ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇଅଛି, ତେବେ ତାହା କଳ୍ପନାକୁ ବିଭ୍ରାନ୍ତ କରିଦିଏ ଓ ରଚନାର ସରସତାକୁ ବ୍ୟାହତ କରେ । ମିଶ୍ରୋପମା ଏହାର ପ୍ରକୃଷ୍ଟ ଉଦାହରଣ । ‘ମାନସପଟରେ ପ୍ରତିଭାତ ହେଲା’ରେ କ୍ରିୟାଟି ପଟର ଅନୁଗାମୀ, କିନ୍ତୁ ‘ମାନସପଟରେ ଜାଗରୂକ ହେଲା’ରେ ‘ଜାଗରୂକ’ କ୍ରିୟାପଦ ‘ପଟ’ ସହିତ ଆଦୌ ସଂପୃକ୍ତ ନୁହେଁ, ଏଣୁ ଏଠାରେ ରଚନା ଅସଙ୍ଗତ ବୋଲି ମନେ କରିବାକୁ ହେବ । ‘ବିବେକ ଆଦର୍ଶ ସୁତ୍ରରେ ପଦାଘାତ କରି’ (ଶତଚିନ୍ତା ପୃ ୩୫) ଏହିପରି ଅସଙ୍ଗତ ରଚନାର ଉଦାହରଣ, ଲର୍ଡ଼ କର୍ଜନ ଏକ ପ୍ରସିଦ୍ଧ ବକ୍ତୃତାରେ କହିଥିଲେ ‘ସାମ୍ରାଜ୍ୟତରୀ ନାନା ବିପଦର ସମ୍ମୁଖୀନ ହୋଇ ଗିରିଶୃଙ୍ଗରୁ ପତିତ ହୋଇ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ’ ଏଠାରେ ମଧ୍ୟ ଉପମାର ସଂମିଶ୍ରଣ ପାଠକର କଳ୍ପନାରେ ବିଭ୍ରମ ଜାତ କରୁଅଛି ଓ ରଚନାରେ ଏ ସବୁ ପରିତ୍ୟାଜ୍ୟ । ‘ସାମ୍ରାଜ୍ୟର କର୍ଣ୍ଣଧାରଙ୍କୁ ନିୟମରଶ୍ମିଦ୍ୱାରା ସଂଯତ ନ କଲେ ସାମ୍ରାଜ୍ୟତରୀ ବିଧ୍ୱସ୍ତ ହୋଇଯିବ’ ଏଠାରେ ମଧ୍ୟ ବିମିଶ୍ର କଳ୍ପନାରେ ଉଦାହାରଣ ସ୍ପଷ୍ଟ କିନ୍ତୁ ଆବେଗମୟ ବକ୍ତୃତାମାନଙ୍କରେ ଶ୍ରୋତାମାନେ ସୂକ୍ଷ୍ମଭାବରେ ବିଷୟବସ୍ତୁକୁ ଅନୁଧାବନ କରିପାରୁ ନ ଥିବାରୁ ଏପରି ମିଶ୍ରୋପମା ସଚରାଚର ବ୍ୟବହୃତ ହୋଇଥାଏ । କିନ୍ତୁ ସାହିତ୍ୟକ ରଚନାରେ ଏବିଷୟରେ ସାବଧାନତା ଅବଲମ୍ୱନ କରିବାହିଁ ବିଧି ।

 

ଯେଉଁଠାରେ କଳ୍ପନା ଗୋଟିଏ ବିଶେଷ ପଦରେ ଆବଦ୍ଧ ନୁହେଁ ମାତ୍ର ଗୋଟିଏ ଆଖ୍ୟାନ ବସ୍ତୁ ମଧ୍ୟରେ ପୂର୍ଣ୍ଣଭାବରେ ସନ୍ନିବେଶିତ ସେଠାରେ ରୂପକ ଆଖ୍ୟାନ ଅଳଙ୍କାର ପ୍ରଯୁକ୍ତ ହୋଇଅଛି ବୋଲି ମନେ କରିବାକୁ ହେବ । ରୂପକ ଆଖ୍ୟାନରେ ଗୋଟିଏ ସମଗ୍ର ଆଖ୍ୟାନ ଗୋଟିଏ ଅର୍ଥରେ ପ୍ରଯୁକ୍ତ ଓ କଳ୍ପନା ସମଗ୍ର ଆଖ୍ୟାନ ସହିତ ପ୍ରତ୍ୟକ୍ଷଭାବରେ ଜଡ଼ିତ ବୋଲି ସ୍ୱୀକାର କରିବାକୁ ହୁଏ-। ବାଇବେଲରେ ‘‘The Sower and the seeds’’ ବୋଲି ଗୋଟିଏ ଗଳ୍ପ ଅଛି, ସେଟି ରୂପକ ଉପାଖ୍ୟାନ ଅର୍ଥାତ୍‌ ଗଳ୍ପଟିର ସାକ୍ଷାତ୍‌ ଅର୍ଥ ଯାହା ତାହା ମାତ୍ର ଗ୍ରହଣ ନ କରି, କଳ୍ପନାବଳରେ ତାହା ମଧ୍ୟରୁ ସଦୃଶ ଅର୍ଥମାନ ଗ୍ରହଣକରିବାକୁ ହେବ । ରୂପକ ଆଖ୍ୟାନ କେବଳ ଉପଦେଶମୂଳକ ଗଳ୍ପ ନୁହେଁ, ମାତ୍ର ଆମ୍ଭମାନଙ୍କର କଳ୍ପନାକୁ ଉତ୍ତେଜିତ କରି ସେଥିମଧ୍ୟରୁ ବିଭିନ୍ନ ଅର୍ଥ ଗ୍ରହଣ କରିବାକୁ ଉନ୍ମୁଖ କରିବା ଗଳ୍ପର ଉଦ୍ଦେଶ୍ୟ । ‘‘The Filgrim’s Progress’’ ଏହିପରି ଗୋଟିଏ ସମ୍ପୂର୍ଣ୍ଣ ରୂପକ ଆଖ୍ୟାନ । ‘‘ଜଣେ ଚାଷୀ ବିହନ ନେଇ ଜମିକୁ ଗଲା, ଜମିରେ ବିହନତକ ବୁଣି ଦେଲା, ବିଦନ ଭିତରୁ କେତେକ ଉର୍ବରା ଜମିରେ ପଡ଼ି ଶୀଘ୍ର ବହୁଫଳପ୍ରଦ ସବଳ ଗଛରେ ପରିଣତ ହେଲା, ପୁଣି ଅନ୍ୟ କେତେକ ବିହନ ନୀରସ ଅସାର ଜମିରେ ପଡ଼ିବାରୁ ଏଥିରୁ ନିର୍ଜୀବ ଗଛମାନ ଉଦ୍‌ଗତ ହେଲା ଓ ଗଛଗୁଡ଼ିକ ଫଳ ଦେଇ ପାରିଲା ନାହିଁ, ଆଉ କେତେକ ବିହନ ଟାଙ୍ଗର ପଥର ଉପରେ ପଡ଼ିବାରୁ ସେଥିରୁ ଆଦୌ ଗଛ ହେଲା ନାହିଁ, ଚଢ଼େଇମାନେ ଆସି ସେହି ବିହନକୁ ଖାଇ ଗଲେ ’’ ଏହି ଗଳ୍ପଟି କେବଳ ଉପାଖ୍ୟାନ ନୁହେଁ, ଏଥିରେ କେବଳ ଯେ ଗଳ୍ପଚ୍ଛଳରେ ଉପଦେଶ ଦିଆଯାଇଅଛି ତାହା ମଧ୍ୟ ନୁହେଁ, ବାସ୍ତବରେ ଏହି ଉପାଖ୍ୟାନ ମଧ୍ୟରେ ଚାଷୀ ସ୍ଥାନରେ ଶିକ୍ଷକ, ବିହନ ସ୍ଥାନରେ ବିଦ୍ୟା ପ୍ରଭୃତି କଳ୍ପନା କଲେ ଆଖ୍ୟାନଟିର ରସ ଓ ଅର୍ଥ ଗ୍ରହଣ କରିବା ସମ୍ଭବପର ହେବ; ଏହାହିଁ ଆଖ୍ୟାନଟିକୁ ସରସ କରୁଅଛି ।

 

ରୂପକ ଆଖ୍ୟାନ ବାସ୍ତବରେ ତିନି ପ୍ରକାର –(୧) ପ୍ରାଣୀରୂପକ (୨) ବାସ୍ତବରୂପକ ଓ (୩) ଅବାସ୍ତବରୂପକ ।

 

ପ୍ରାଣୀରୂପକ ଆଖ୍ୟାନରେ ମନୁଷ୍ୟତର ପ୍ରାଣୀଠାରେ ମନୁଷ୍ୟତ୍ୱ କଳ୍ପିତ ହୋଇ ସେମାନଙ୍କର କଥାବାର୍ତ୍ତା ଓ କାର୍ଯ୍ୟାବଳୀ ନେଇ ଗୋଟିଏ ସମଗ୍ର ଗଳ୍ପ କଳ୍ପିତ ହୁଏ ଓ ତହିଁ ମଧ୍ୟରେ ମନୁଷ୍ୟର କାର୍ଯ୍ୟ ସହିତ ସାମ୍ୟକଳ୍ପନା କରାଯାଇ ତାକୁ ଉପଦେଶ ଦେବାର ପ୍ରୟାସ ଥାଏ । ଏହାର ଉଦାହରଣ ‘‘Aesop’s Fables, ହିତୋପଦେଶ, ପଞ୍ଚତନ୍ତ୍ର ପ୍ରଭୃତି ପୁସ୍ତକର ଗଳ୍ପରାଶି-। ପ୍ରତ୍ୟୁତ୍ପନ୍ନମତି, ଅନାଗତବିଧାତା, ଦୀର୍ଘସୂତ୍ରୀ ପ୍ରଭୃତି ମାଛମାନଙ୍କର ଯେଉଁ ଗଳ୍ପ ଦିଆ ଯାଇଅଛି ସେଥିରେ ମନୁଷ୍ୟମାନଙ୍କର ଗୁଣକ୍ରିୟା ପ୍ରଭୃତି ମାଛମାନଙ୍କରେ ଆରୋପିତ କରାଯାଇଅଛି ଏଣୁ ଏଠାରେ ପ୍ରାଣୀରୂପକ କଳ୍ପିତ ହୋଇଅଛି ବୋଲି ସ୍ୱୀକାର କରିବାକୁ ହେବ । ‘ଗୋଟିଏ ବିଲୁଆ ଦିନେ ହଠାତ୍‌ ଯନ୍ତାରେ ପଡ଼ିଗଲା, ମାଡ଼ ତାହାର ସୌଭାଗ୍ୟରୁ କେବଳ ତାହାର ଲାଞ୍ଜରୁ ଅଧେ ସରିକି ଛିଣ୍ଡିଗଲା, କିଛିକ୍ଷଣ ସେ କଷ୍ଟରେ ଅଥୟ ହେଲା, ମାତ୍ର ଯେତେବେଳେ ଜ୍ୱାଳା ଯନ୍ତ୍ରଣା କମିଗଲା ସେ ଯାଇ ଅନ୍ୟାନ୍ୟ ବିଲୁଆମାନଙ୍କ ମଧ୍ୟରେ ବସି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା ଯେ ବାସ୍ତବିକ ଏଡ଼େ ବଡ଼ ଲାଞ୍ଜରେ କିଛି ପ୍ରୟୋଜନ ନାହିଁ । ଏହି ଲାଞ୍ଜରୁ ଅଧେ କାଟିଦେବାଦ୍ୱାରା ବହୁତ ଉପକାର ହୁଏ, ଏହାଦ୍ୱାରା ଦୌଡ଼ିବାର ସୁବିଧା ହୁଏ ଓ ଅଯଥା ଭାର ବହନ କରିବାକୁ ପଡ଼େ ନାହିଁ । ଏହି ସବୁ କଥା ଶୁଣି ଜଣେ ବୁଢ଼ା ବିଲୁଆ କହିଲା ଆଜି ତୋର ଲାଞ୍ଜ ହଠାତ୍‌ କାଟି ଯିବାରୁ ସିନା ତୁ ତାର ଗୁଣ ବ୍ୟାଖ୍ୟାନ କରୁଛୁ, ମାତ୍ର ଯଦି ଲାଞ୍ଜ ନ କଟିଥାନ୍ତା ତେବେ ତୁ ଏ ସବୁ କେଭେ କହନ୍ତୁ ନାହିଁ । ଏହା ଶୁଣି ଲାଞ୍ଜକଟା ବିଲୁଆ ତୁନି ହୋଇ ରହିଲା’ ଏହି ଆଖ୍ୟାନ ପ୍ରାଣୀରୂପକ ଆଖ୍ୟାନର ଉଦାହାରଣ ରୂପରେ ଗ୍ରହଣ କରାଯାଇପାରେ । ଏଭଳି ଶତ ଶତ ଦୃଷ୍ଟାନ୍ତ ଭାଷାରେ ପ୍ରଚଳିତ ଓ ନିତ୍ୟ ଏଭଳି ନାନା ଉପାଖ୍ୟାନ ମଧ୍ୟ ରଚିତ ହେଉଅଛି । ହସ୍ତପଦାଦିର ଉଦର ବିରୁଦ୍ଧରେ ବିଦ୍ରୋହ (ଉଦର ଓ ଅବୟବ) ଗଳ୍ପରେ ପ୍ରାଣୀସ୍ଥାନରେ ଅଙ୍ଗପ୍ରତ୍ୟଙ୍ଗର ବର୍ଣ୍ଣନା ଥିଲେହେଁ ଏହା ପ୍ରାଣୀରୂପକ ରୁପରେ ଗ୍ରାହ୍ୟ ।

 

ବାସ୍ତବରୂପକ ଆଖ୍ୟାନରେ ଗୋଟିଏ ବାସ୍ତବ ଘଟଣାକୁ ଉଦାହରଣସ୍ୱରୂପ ନେଇ ଗୋଟିଏ ଉପାଖ୍ୟାନ ରଚିତ ହୁଏ । ମାତ୍ର ସେଥିରେ ଗୋଟିଏ ସାଧାରଣ ବିଷୟ ପରିଚିତ ପ୍ରଦତ୍ତ ହୋଇଥାଏ ଅର୍ଥାତ୍‌ ଗୋଟିଏ ମନୁଷ୍ୟର କୃତକାର୍ଯ୍ୟକୁ ଅନୁସରଣ କରି ଗୋଟିଏ ସାଧାରଣ ବିଷୟ କଳ୍ପନା କରିବାକୁ ହୁଏ । ଉପରଲିଖିତ ‘ଚଷା ଓ ବିହନ’ ଗଳ୍ପ ଏହିପରି ବାସ୍ତବରୂପକ ଆଖ୍ୟାନ, ‘ସେ ଆପଣା ଭୃତ୍ୟମାନଙ୍କୁ ଡାକି ସେମାନଙ୍କ ହସ୍ତରେ ଆପଣା ସମ୍ପତ୍ତିକୁ ସମର୍ପି ଦେଲେ । ପ୍ରତ୍ୟେକ ଲୋକକୁ, ଯେ ଯେପରି ଯୋଗ୍ୟ, ସେହିପରି କାହାକୁ ପାଞ୍ଚ ତୋଡ଼ା, କାହାକୁ ଦୁଇ ତୋଡ଼ା, କାହାକୁ ଏକ ତୋଡ଼ା ଦେଇ ସେହିକ୍ଷଣି ଯାତ୍ରା କଲେ । ଯେଉଁ ଭୃତ୍ୟ ପାଞ୍ଚ ତୋଡ଼ା ପାଇଥିଲା, ସେ ତାହା ନେଇ ବେପାର କରି ଆଉ ପାଞ୍ଚ ତୋଡ଼ା ପାଇଲା । ସେହିପରି ଯେଉଁ ଲୋକ ଦୁଇ ତୋଡ଼ା ପାଇଥିଲା, ସେ ଆଉ ଦୁଇ ତୋଡ଼ା ଲାଭ କଲା, ମାତ୍ର ଯେଉଁ ଲୋକ ଏକ ତୋଡ଼ା ପାଇଥିଲା, ସେ ମାଟି ଖୋଳି ଆପଣା ପ୍ରଚୁର ଟଙ୍କା ପୋତି ରଖିଲା । ବହୁକାଳ ପରେ ସେମାନଙ୍କର ପ୍ରଭୁ ଆସି ସେମାନଙ୍କ ସହିତ ହିସାବ କଲେ । ଅନନ୍ତର ଯେଉଁ ଜଣକ ଏକ ତୋଡ଼ା ପାଇଥିଲା, ସେ ଆସି କହିଲା, ‘‘ହେ ପ୍ରଭୁ, ଭୟ କରି ମୁଁ ତୁମର ତୋଡ଼ା ଭୁମିରେ ପୋତି ରଖିଥିଲି; ଦେଖ ଏହି ତୁମର ଧନ, ନିଅ ।’’ ତହୁଁ ତାହାର ପ୍ରଭୁ ଉତ୍ତର ଦେଲେ, ‘‘ଆରେ ଦୃଷ୍ଟ ଅଳସ ଦାସ’’, ଏହି ଆଖ୍ୟାନଟିରେ ଜଣେ ପ୍ରଭୁ ଓ ତାହାର ଚାକରମାନଙ୍କ ମଧ୍ୟରେ ଟଙ୍କା ବାଣ୍ଟିବା ଛଳରେ ଭଗବାନ୍‌ ଓ ମନୁଷ୍ୟମାନଙ୍କ ମଧ୍ୟରେ ଜ୍ଞାନ ବୁଦ୍ଧି ବାଣ୍ଟିବା ବର୍ଣ୍ଣତ ହୋଇଅଛି; ଏଣୁ ଏହା ବାସ୍ତବରୂପକ ଆଖ୍ୟାନ, କାରଣ-ଉଦାହରଣରେ ଅବାସ୍ତବ କିଛି ନାହିଁ, ବରଂ ଆଖ୍ୟାନ ବସ୍ତୁଟି ବାସ୍ତବ ହେଲେହେଁ ସମ୍ପୂର୍ଣ୍ଣ ଭିନ୍ନ ଅର୍ଥ ନିର୍ଦ୍ଦେଶ କରିବାକୁ କ୍ଷମ । ଯେ କୌଣସି ବାସ୍ତବ ଉପାଖ୍ୟାନ ଏହିପରି ଛଳନାକ୍ରମେ ଅନ୍ୟ ଅର୍ଥରେ ପ୍ରଯୁକ୍ତ ହୋଇ ପାରିଲେ ଓ ସମ୍ପୂର୍ଣ୍ଣ ଆଖ୍ୟାନଟିକୁ ଭିନ୍ନ ଅର୍ଥରେ ଗ୍ରହଣ କରାଯାଇ ପାରିଲେ ତାକୁ ରୂପକ ଆଖ୍ୟାନ ବୋଲି ମନେ କରିବାକୁ ହେବ ।

 

‘‘ସେ ଦ୍ୱାରରେ ଆଘାତ କରି କହିଲେ, ‘‘ହେ ମୋର ପ୍ରିୟ ! ଦୁଆର ଖୋଲିଦିଅ, କାରଣ ମୋର ମସ୍ତକ ଶିଶିରରେ, ମୋର କେଶପାଶ ରାତ୍ରୀର ଜଳବିନ୍ଦୁରେ ପୂର୍ଣ୍ଣ ।’’ କିନ୍ତୁ ମୁଁ ଦ୍ୱାରା ଫିଟାଇବି କେମତି ? ମୁଁ ଅଙ୍ଗରଖା ଖୋଲି ଦେଇଚି, କେମତି ପୁଣି ପିନ୍ଧିବି ? ପାଦ ଧୋଇଚି, କେମତି ପୁଣି ମଳିନ କରିବି ? ମୋର ପ୍ରିୟ ଦ୍ୱାରର ଛିଦ୍ର ଦେଇ ହାତ ବଢ଼ାଇଲେ । ତାଙ୍କପାଇଁ ମୋର ପ୍ରାଣ ଉଚ୍ଚାଟ ହେଲା, ଟିକିଏ ବିଳମ୍ୱ କରି ମୁଁ ମୋର ପ୍ରିୟଙ୍କ ସକାଶେ ଦୁଆର ଖୋଲି ଦେବାକୁ ଉଠିଲି । ଅର୍ଗଳର ବେଣ୍ଟ ଉପରେ ଗନ୍ଧ ରସରେ ମୋର ହାତ ତିନ୍ତିଲା ମୋର ଆଙ୍ଗୁଳି ଦ୍ରବ ଗନ୍ଧରସରେ ସିକ୍ତ ହେଲା । ମୁଁ ମୋର ପ୍ରିୟତମଙ୍କପାଇଁ ଦୁଆର ଫଟାଇଲି, ମାତ୍ର ପ୍ରିୟତମ ମୋର ଫେରି ଯାଇଥିଲେ, ଚାଲି ଯାଇଥିଲେ’’ -ଏହି ଆଖ୍ୟାନଟି ମଧ୍ୟ ବାସ୍ତବରୂପକ- ଆଖ୍ୟାନରୂପେ ସ୍ପଷ୍ଟଭାବରେ ପ୍ରତୀୟମାନ ହେଉଅଛି । ଏଠାରେ ଭଗବାନ ଦୁଆର ବାହାରେ ଓ ମନୁଷ୍ୟ ଘର ଭିତରେ ବୋଲି କଳ୍ପିତ ଓ ସମଗ୍ର ଆଖ୍ୟାନକୁ ଏହି ରୂପକଦ୍ୱାରା ବ୍ୟାଖ୍ୟାନ କରିବା ସମ୍ଭବ ।

 

କେତେକ ସମୟରେ ଗୋଟିଏ ଅବାସ୍ତବ ଚିତ୍ର ଦିଆଯାଇ ତାହାର ଅର୍ଥ ଗ୍ରହଣ କରିବା ନିମନ୍ତେ ପାଠକକୁ ଉନ୍ନୁଖ କରାଯାଇ ଥାଏ । ଏଗୁଡ଼ିକ ଅବାସ୍ତବ ରୂପକାଖ୍ୟାନ । ପ୍ରାଣୀରୂପକ ଆଖ୍ୟାନଗୁଡ଼ିକ ପ୍ରକୃତରେ ଅବାସ୍ତବ, ମାତ୍ର ଏ କ୍ଷେତ୍ରରେ କଳ୍ପନା ପ୍ରଣୀମାନଙ୍କଠାରେ କେବଳ ବ୍ୟକ୍ତିତ୍ୱ ଆରୋପ କରି ସନ୍ତୁଷ୍ଟ, ମାତ୍ର ଅବାସ୍ତବ ରୂପକରେ ବିଷୟବସ୍ତୁଟି ଏକାନ୍ତ ଅବାସ୍ତବ; ତେଣୁ ତାହାର ଅନ୍ୟପ୍ରକାର ବ୍ୟାଖ୍ୟାନ ନ କଲେ ତାହାର ଅର୍ଥ ଗ୍ରହଣ କରିବା ସମ୍ଭବପର ନୁହେଁ । ଆଖ୍ୟାନର ଅବାସ୍ତବତା ହେତୁରୁ ଯେଉଁଠାରେ କଳ୍ପନା ବ୍ୟତିରେକେ ଅର୍ଥ ଗ୍ରହଣ କରିବା ସମ୍ଭବପର ହୁଏ ନାହିଁ, ସେହିଠାରେ ଅବାସ୍ତବ ରୂପକ ଆଖ୍ୟାନ ସ୍ୱୀକୃତ ହୋଇପାରେ । ସାଧାରଣତଃ ଏପରି ଆଖ୍ୟାନ ଅବାସ୍ତବ ଥିବାରୁ ତାହା ଯେପରି ସ୍ୱପ୍ନରେ ଦେଖାଯାଉଅଛି, ଏହିପରି ଭାବରେ ବର୍ଣ୍ଣିତ ହୁଏ ଓ ଏହାର ବାସ୍ତବ ଅର୍ଥ ଗ୍ରହଣ କରିବା କଠିନ ହେବାରୁ ଏହାର ବ୍ୟାଖ୍ୟା ସଙ୍ଗେ ସଙ୍ଗେ ଦିଆଯାଇଥାଏ । Pilgrim‘s Progressରୁ ଏହାର ଗୋଟିଏ ଉଦାହରଣ ଦିଆଯାଇପାରେ । ଯଥା-‘‘ତା ପରେ ମୁଁ ସ୍ୱପ୍ନରେ ଦେଖିଲି ଯେ ସମୀକ୍ଷକ କ୍ରିଶ୍ଚିୟାନ (ବହିର ନାୟକ) ହାତ ଧରି ପାଚେରି ନିକଟରେ ଯେଉଁଠାରେ ନିଆଁ ଜଳୁଥାଏ ସେଠାରେ ନେଇଗଲା । ସେଠାରେ ଜଣେ ଲୋକ ପାଣିପକାଇ ନିଆଁ ନିଭାଇବାକୁ ଚେଷ୍ଟା କରୁଛି, କିନ୍ତୁ ଯେତେ ପାଣି ପଡ଼ୁଛି ନିଆଁ ତେତେ ଦାଉ ଦାଉ ହୋଇ ଅଧିକ ତେଜରେ ଜଳିଉଠୁଛି । ମୁଁ ପଚାରଲି ଏହାର ଅର୍ଥ କଣ ? ସମୀକ୍ଷକ କହିଲେ, ଏହି ନିଆଁ ଭଗବତ୍‌ ପ୍ରୀତି, ମନୁଷ୍ୟହୃଦୟରେ ଉତ୍ତମ କାର୍ଯ୍ୟ କରିବାର ଉତ୍ସାହ । ପାଣି ପକାଇ ଯେଉଁ ଲୋକ ଏହି ନିଆଁକୁ ନିଭାଇବାକୁ ଚାହୁଁଚି ସେ ଶଏତାନ । କିନ୍ତୁ ନିଆଁ ନ ନିଭି ଯେ ଦାଉ ଦାଉ କରି ଅଧିକ ତେଜରେ ଜଳୁଛି ତାହାର କାରଣ ତୁମେ ଜାଣ ? ଏହା କହି ସମୀକ୍ଷକ ତାଙ୍କୁ ପାଚେରି ଆରପାଖକୁ ଘେନିଗଲେ । ସେଠି ଜଣେ ଲୋକ ଅନବରତ ନିଆଁରେ ତେଲ ପକାଉଛି । ସମୀକ୍ଷକ କହିଲେ ଏହି ଲୋକ ଯୀଶୁଖ୍ରୀଷ୍ଟ । ଶଏତାନ ମନୁଷ୍ୟ ହୃଦୟରୁ ଭଗବତ୍‌ପ୍ରୀତିକୁ ନିଭାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଖ୍ରୀଷ୍ଟ ସେହି ନିଆଁକୁ ଉଦ୍ଦୀପିତ ରଖନ୍ତି ଓ ମନୁଷ୍ୟହୃଦୟରେ ଥରେ ଏହି ଈଶ୍ୱରପ୍ରେମ ଜାଗରିତ୍‌ ହେଲେ ସେ ସର୍ବଦା ସେହି ପ୍ରେମକୁ ପ୍ରଜ୍ଜ୍ୱଳିତ କରିବା ନିମନ୍ତେ ସାହାଯ୍ୟ କରନ୍ତି ।’’ ଅବାସ୍ତବ ରୂପକର ଆଉ ଗୋଟଏ ଉଦାହରଣ ମଧ୍ୟ ଦିଆଯାଇପାରେ-‘‘ଦିନେ ମୁଁ ସ୍ୱପ୍ନରେ ଦେଖିଲି ଯେ, ଗୋଟିଏ ବିରାଟ ହ୍ରଦ ମଧ୍ୟରେ ନାନାବିଧ ପଦ୍ମ ପ୍ରସ୍ଫୁଟିତ ରହିଅଛି, କିନ୍ତୁ ଅନ୍ୟାନ୍ୟ ପଦ୍ମର ଦାଉରେ କେତେଗୁଡ଼ିଏ ଫୁଲ ମଉଳିଯିବା ପରି ଦେଖାପାଉ ଅଛି । ମଧୁ ମକ୍ଷିକା କିନ୍ତୁ ପ୍ରସ୍ଫୁଟିତ ଫୁଲମାନଙ୍କୁ ପରିତ୍ୟାଗ କରି ମଉଳିଯାଇଥିବା ଫୁଲମାନଙ୍କ ନିକଟରେ ଅହରହଃ ରହି ସେମାନଙ୍କୁ ସତେଜ କରିବା ନିମନ୍ତେ ଯଥାସାଧ୍ୟ ଚେଷ୍ଟା କରୁଅଛି । ଏହି ସ୍ୱପ୍ନର ଅର୍ଥ ପଚାରିବାରୁ ସେ କହିଲେ, ଏହି ହ୍ରଦ ପୃଥିବୀ ଓ ଫୁଲଗୁଡ଼ିକ ମନୁଷ୍ୟ । ଯେଉଁ ଲୋକ ଦୁର୍ଦ୍ଦଶାପନ୍ନ, କ୍ଳିଷ୍ଟ, ଦରିଦ୍ର, ଅନ୍ୟର ନିଷ୍ପେଷଣରେ ସର୍ବସ୍ୱାନ୍ତ, ଭଗବାନ୍‌ ସେହିମାନଙ୍କୁ ନବଜୀବନ ଦେବାପାଇଁ, ସେମାନଙ୍କ ଉଜ୍ଜୀବିତ କରିବା ପାଇଁ ଚେଷ୍ଟା କରନ୍ତି, ଗର୍ବୋଦ୍ଧତ ଧନିକମାନଙ୍କ ପ୍ରତି ତାଙ୍କର ଭ୍ରୂକ୍ଷେପ ନାହିଁ ।’’ ଏପରି ଉପାଖ୍ୟାନ ମଧ୍ୟ ଅବାସ୍ତବ ରୂପକାଖ୍ୟାନ, ମାତ୍ର ବାସ୍ତବ ଓ ଅବାସ୍ତବ ରୂପକ ଆଖ୍ୟାନ ମଧ୍ୟରେ ବିଷୟବସ୍ତୁ ଘେନି ପାର୍ଥକ୍ୟ ଥିଲେହେଁ ଉଭୟତ୍ର ଏକ ବର୍ଣ୍ଣନାଦ୍ୱାରା ଅନ୍ୟ ଅର୍ଥ ସ୍ୱୀକାର କରିବାର ଆୟାସ ସୁସ୍ପଷ୍ଟଭାବରେ ରହିଅଛି ।

 

କଳ୍ପନାର ପରିପୋଷକ ଅଳଙ୍କାର ମଧ୍ୟରେ ବ୍ୟକ୍ତିତ୍ୱାରୋପ ଅନ୍ୟତମ । କୌଣସି ଅପ୍ରାଣୀବାଚକ ଶବ୍ଦ କିମ୍ୱା ମନୁଷ୍ୟେତର ପ୍ରଣୀଠାରେ ମନୁଷ୍ୟର ଗୁଣ କ୍ରିୟା ପ୍ରଭୃତିର ଆରୋପ କରାଗଲେ କିମ୍ୱା ତାକୁ ମନୁଷ୍ୟ ପରି ସମ୍ୱୋଧନ କରି ତାର ବ୍ୟକ୍ତିତ୍ୱକୁ ସ୍ୱୀକାର କରାଗଲେ ଏହି ଅଳଙ୍କାରର ପ୍ରୟୋଗ ସୁସ୍ପଷ୍ଟ ହୁଏ । ରଚନା ମଧ୍ୟ ଏପରି ବ୍ୟକ୍ତିତ୍ୱାରୋପଦ୍ୱାରା ସରସ ଓ ସମୃଦ୍ଧ ହୋଇଥାଏ । ‘ମୋ କାନ୍ତ ଗଲେ ମୃଗ ମାରି , ହେ ବନଗିରି’ ସୀତା ଏହି ସଙ୍ଗୀତରେ ବନଗିରିମାନଙ୍କୁ ମନୁଷ୍ୟରୂପେ କଳ୍ପନା କରି ତାଙ୍କ ନିକଟରେ ନିଜର ଦୁଃଖ ବ୍ୟକ୍ତ କରୁଅଛନ୍ତି; ଏଣୁ ବନଗିରିମାନଙ୍କଠାରେ ବ୍ୟକ୍ତିତ୍ୱ ଆରୋପିତ କରାଯାଇଅଛି । ‘‘ଚିଲିକା ! ବାସନ୍ତୀ ଜ୍ୟୋସ୍ନାମଣ୍ଡିତ ଲାବଣ୍ୟୋଜ୍ଜ୍ୱଳ କାନ୍ତି ଘେନି ମଳୟହିଲ୍ଳୋଳରେ ତରଙ୍ଗାୟିତ ହୋଇ ସୃଷ୍ଟିକର୍ତ୍ତାଙ୍କ ପ୍ରଶଂସା ଘୋଷଣା କରୁଥାଅ’’ (ଉତ୍କଳ ପ୍ରକୃତି) । ଏଠାରେ ମଧ୍ୟ ଚିଲିକାଠାରେ ବ୍ୟକ୍ତିତ୍ୱ ଆରୋପିତ କରାଯାଇଅଛି । ‘ତାରାଗଣ ନିତ୍ୟ ଭଗବାନଙ୍କ ମହିମା କୀର୍ତ୍ତନ କରୁଅଛିନ୍ତି’, ‘ସମୁଦ୍ରତରଙ୍ଗଗୁଡ଼ିକ ଆବେଗରେ ମୁଖରିତ ହୋଇ ସର୍ବଦା ତଟଦେଶରେ ଆତ୍ମନିବେଦନ କରୁଅଛନ୍ତି’, ‘ପ୍ରତ୍ୟୁଷରେ ପକ୍ଷୀମାନେ ଭଗବାନଙ୍କ ଜୟଗାନ କରନ୍ତି’, ଶ୍ରାବଣ ମାସରେ ନଦୀବକ୍ଷ ଗର୍ବରେ ଆନନ୍ଦରେ ସ୍ଫୀତ ହୋଇଉଠେ’, ‘ଅବିଶ୍ରାନ୍ତ ଗମ୍ଭୀରଭାବରେ ସମୁଦ୍ର ଆହ୍ୱାନ କରୁଅଛି’ (ଉତ୍କଳ ପ୍ରକୃତି) ‘ଉନ୍ମତ୍ତ ଭୈରବ ନୃତ୍ୟରେ ସମୁଦ୍ର ନିୟତ ଚଞ୍ଚଳ’ (ଉତ୍କଳ ପ୍ରକୃତି), ‘ନିୟତି ତାଙ୍କର ଗର୍ବୋଦ୍ଧତ ବାଣୀ ଶୁଣୀ ହସିଲେ’, ‘ରେ ହୃଦୟ ! ତୋର କଣ ବିଭୁନାମ ଶ୍ରବଣରେ ଆଦୌ ଉଲ୍ଲାସ ହେଉ ନାହିଁ ?’ ଏହି ସବୁ ବାକ୍ୟରେ ଅମୂର୍ତ୍ତ ମନୁଷ୍ୟତ୍ୱବିରହିତ ବସ୍ତୁ ବା ପ୍ରୀଣୀଠାରେ ମନୁଷ୍ୟତ୍ୱ ଓ ବ୍ୟକ୍ତିତ୍ୱର ଆରୋପ କରାଯାଇଥିବାରୁ ଏଠାରେ ବ୍ୟକ୍ତିତ୍ୱାରୋପ ଅଳଙ୍କାର ସ୍ୱୀକାର କରିବାକୁ ହୁଏ । ବାସ୍ତବରେ ଏ ସବୁ ଉପମାର ଭିନ୍ନ ରୂପରେ ପ୍ରକାଶ ମାତ୍ର । ଅନେକ ସ୍ଥଳରେ କଳ୍ପନା ସହିତ ଆବେଗ ମିଶ୍ରିତ ଥିବାରୁ ଓ ଉପମା ପ୍ରଚ୍ଛନ୍ନ ଥିବାରୁ ଏଗୁଡ଼ିକୁ ଭିନ୍ନ ଭାବରେ ନିର୍ଦ୍ଦେଶିତ କରିବାକୁ ହୁଏ । କାମାର୍ତ୍ତ ଯଷ ଯେପରି ଚେତନ ଓ ଅଚେତନ ମଧ୍ୟରେ ପାର୍ଥକ୍ୟ ବିସ୍ମୃତ ହୋଇ ମେଘକୁ ଦୂତରୂପରେ ନିଯୁକ୍ତି କରିବାକୁ ସାହାସୀ ହେଲା, ସେହିପରି ଲେଖକ ନିଜ ରଚନାରେ ଆବେଗଦ୍ୱାରା ଉତ୍ତେଜିତ ହୋଇ ମନୁଷ୍ୟର ବ୍ୟକ୍ତିତ୍ୱ ଅନ୍ୟଠାରେ ଆରୋପ କରି ତାଠାରେ ମନୁଷ୍ୟର ଗୁଣକ୍ରିୟା ପ୍ରଭୃତିର ଅସ୍ତିତ୍ୱ କଳ୍ପନା କରିଥାଏ ଓ ଏପରି କ୍ଷେତ୍ରରେ ବ୍ୟକ୍ତିତ୍ୱରୋପ ସୁସ୍ପଷ୍ଟ ଭାବରେ ରଚନାକୁ ସରସ କରେ ।

 

ଅତ୍ୟୁକ୍ତି କଳ୍ପନାପରିପୋଷକ ଅଳଙ୍କାର ମଧ୍ୟରେ ଗୋଟିଏ ପ୍ରଧାନ ସ୍ଥାନ ଅଧିକାର କରିଥାଏ । ପ୍ରତ୍ୟେକ ଉପମା ମଧ୍ୟରେ ବାସ୍ତବରେ ଅତ୍ୟୁକ୍ତି ବିଦ୍ୟମାନ, କାରଣ ଉପମାନ ଆଦର୍ଶ, ଉପମେୟ ତଦପେକ୍ଷା ନ୍ୟୂନଧର୍ମୀ; ତେଣୁ ଉପମେୟ ଓ ଉପମାନ ମଧ୍ୟରେ ସାମ୍ୟ କଳ୍ପିତ ହେଲେ ଅଭୂକ୍ତି ସୁନିଶ୍ଚିତ । ଧ୍ୱନିର ମାଧୁର୍ଯ୍ୟ କେବେହେଁ ସୁଧାର ମାଧୁର୍ଯ୍ୟ ସହିତ ସମାନ ନୁହେଁ, କିନ୍ତୁ ଜୟଦେବ ଲେଖିଲେ ‘ସୁଧା ମଧୁର ଧ୍ୱନି’, ଆମ୍ଭେମାନେ ମଧ୍ୟ ବାକ୍ୟସୁଧା, ସୁଧାବାକ୍ୟ ପ୍ରଭୃତି ପଦ ଅବାଧରେ ଓ ଅହରହ ବ୍ୟବହାର କରିଥାଉଁ, ମାତ୍ର ଏଗୁଡ଼ିକରେ ଅତ୍ୟୁକ୍ତି ନିହିତ ଥିଲେହେଁ ସାମ୍ୟହିଁ ଉପମା ବା ରୂପକର ଜୀବନ । କିନ୍ତୁ କେତେକ ପ୍ରକାର ରଚନାରେ ଅତ୍ୟୁକ୍ତିହିଁ ସ୍ପଷ୍ଟ ଆକାଂକ୍ଷିତ । ଲେଖକ ଅତ୍ୟୁକ୍ତିଦ୍ୱାରା ପାଠକର କଳ୍ପନାକୁ ଉଦ୍ଦୀପିତ କରିବାକୁ ଚେଷ୍ଟା କରେ । ଲେଖକର ମନରେ ଯେଉଁ କଳ୍ପନା ବା ଆବେଗର ସଞ୍ଚାର ହୁଏ, ପାଠକ ମନରେ ତଦନୁରୂପ ଆବେଗ ବା କଳ୍ପନାକୁ ସଞ୍ଚାରିତ କରିବା ଲେଖକର ସତ୍‌ତ ପ୍ରୟାସ, ମାତ୍ର ସଞ୍ଚାରିକ୍ରମରେ ସେହି ଆବେଗ ବା କଳ୍ପନାକୁ କେତେକ ଅଂଶ ନଷ୍ଟ ହୋଇଯିବାର ସମ୍ଭାବନା ଥିବାରୁ ରଚନାର ଅତ୍ୟୁକ୍ତିର ଆଶ୍ରୟ ଗ୍ରହଣ କରାଯାଇ ଥାଏ; କାରଣ ଅତ୍ୟୁକ୍ତିଦ୍ୱାରା ଉକ୍ତିର ନଷ୍ଟସାମର୍ଥ୍ୟର କ୍ଷତିପୁରଣ ହୋଇ ପାରିବ ଏହାହିଁ ଆଶା କରାଯାଏ । ଏଣୁ ଅତ୍ୟୁକ୍ତିର ଉଦ୍ଦେଶ୍ୟ କେବଳ ସାମ୍ୟ ପ୍ରଦର୍ଶନ କରିବା ନୁହେଁ । କଳ୍ପନାକୁ ଉଦ୍ଦୀପିତ କରିବା ଏହାର ମୂଳ ଉଦ୍ଦେଶ୍ୟ । ଅତ୍ୟୁକ୍ତି ବାସ୍ତବରେ ଉପମା ସହିତ ଅତି ଘନିଷ୍ଠଭାବରେ ସମ୍ପୃକ୍ତ ହେଲେହେଁ, ତାହା ଉପମାଠାରୁ ଭିନ୍ନ ଓ ଉପମାର ଅନ୍ତର୍ନିହିତ ଉଦ୍ଦେଶ୍ୟ ଅତ୍ୟୁକ୍ତିର ଉଦ୍ଦେଶ୍ୟଠାରୁ ମଧ୍ୟ ପୃଥକ୍‌ । ‘ସେ କନ୍ଦର୍ପ ପରି ସୁନ୍ଦର’ ବାକ୍ୟରେ ଉପମା ସୁସ୍ପଷ୍ଟ, କାରଣ ବାକ୍ୟଟି ଉପମାନ ଓ ଉପମେୟର ସାମ୍ୟ ଉପରେ ପ୍ରତିଷ୍ଠିତ, ମାତ୍ର ‘ସେ ଏଡ଼େ ସୁନ୍ଦର ଯେ କନ୍ଦର୍ପ ମଧ୍ୟ ତାଙ୍କ ପରି ହେବ ନାହିଁ’ ବାକ୍ୟରେ ଅତ୍ୟୁକ୍ତି ସ୍ପଷ୍ଟ, କାରଣ ଏଠାରେ ସାମ୍ୟପ୍ରଦର୍ଶନ ମାତ୍ରହିଁ ଲେଖକର ଉଦ୍ଦେଶ୍ୟ ନୁହେଁ ।

 

କେତେକ କ୍ଷେତ୍ରରେ କଳ୍ପନା ପରାସ୍ତ, ଏହିପରି ବର୍ଣ୍ଣନା କରାଯାଇ ଅତ୍ୟୁକ୍ତିର ପ୍ରୟୋଗ କରାଯାଇଥାଏ । ଉପମାନ ଉପମେୟଠାରୁ ବହୁଗୁଣରେ ଶ୍ରେଷ୍ଠ; ଉପମାନ ଆଦର୍ଶ, ଉପମେୟ ତା ଠାରୁ ନ୍ୟୂନଧର୍ମୀ; ଏହାହିଁ ଉପମାରେ ସ୍ୱୀକୃତ । ଏଣୁ ମୁଖକୁ ଚନ୍ଦ୍ର ସହିତ ତୁଳନା କଲେ ସାମ୍ୟ କଳ୍ପନା ମଧ୍ୟରେ ଅତ୍ୟୁକ୍ତିର ଆଭାସ ରହିପାରେ, ମାତ୍ର ଯଦି ଆମ୍ଭେମାନେ କହୁଁ ଯେ ମୁଖର ତୁଳନା ଦେବାକୁ ଜଗତରେ ଆଉ କୌଣସି ପଦାର୍ଥ ନାହିଁ, କଳ୍ପନା ତାହାର ଉପମାନ ନିର୍ଦ୍ଦେଶ କରିବାକୁ ଅଶକ୍ତ; ତେବେ ସ୍ପଷ୍ଟ ଅତ୍ୟୁକ୍ତିର ଆଶ୍ରୟ ଗ୍ରହଣ କରାଯାଇ ଅଛି ବୋଲି ବୁଝିବାକୁ ହେବ । ‘ସେହି କେବଳ ତାଙ୍କୁ ସରି’, ‘ତାଙ୍କର ସମକକ୍ଷ ବ୍ୟକ୍ତି ଏ ସଂସାରରେ ଭୂତ ଭବିଷ୍ୟତ୍‌ ବର୍ତ୍ତମାନରେ କେବେହେଁ ମିଳିବେ ନାହିଁ’, ‘ବିଧି ତାଙ୍କୁ ଗଢ଼ିସାରି ତାହାର ତୁଲ୍ୟ ପଦାର୍ଥ ଆଉ ଗଢ଼ି ପାରିଲେ ନାହିଁ’ ଏହିପରି ଭାବରେ ବାକ୍ୟମାନ ରଚିତ ହେଲେ ସ୍ପଷ୍ଟ ଅତ୍ୟୁକ୍ତିର ଆଶ୍ରୟ ଗ୍ରହଣ କରାଯାଇଅଛି ବୋଲି ସ୍ୱୀକାର କରିବାକୁ ହେବ । ‘ନାୟକ ନାୟିକାକୁ ସରି, ନାୟିକା ନାୟକକୁ ସରି, ତାଙ୍କ ତୁଲ୍ୟ ଆଉ କୌଣସି ବସ୍ତୁ ଜଗତରେ ନାହିଁ’ ଏଠାରେ ମଧ୍ୟ ଅତ୍ୟୁକ୍ତି ରହୁଅଛି, କାରଣ ଏଠାରେ ମଧ୍ୟ କଳ୍ପନା ସ୍ପଷ୍ଟ ପରାସ୍ତ, କେବଳ ଲେଖକ ନାୟକ ନାୟିକାର ମନୋହାରିତ୍ୱ ଓ ଅନନ୍ୟ ସାଧାରଣତ୍ୱକୁ ସରସଭାବରେ ଅତ୍ୟୁକ୍ତିର ଆଶ୍ରୟ ନେଇ ବର୍ଣ୍ଣନା କରିଅଛି ବୋଲି ମନେ କରିବାକୁ ହେବ । ବାସ୍ତବରେ ଉପମାର ଅଭାବ ଯେ କୌଣସି ଉପାୟରେ ନିର୍ଦ୍ଦେଶତ ହେଲେ ଅତ୍ୟୁକ୍ତିର ପ୍ରୟୋଗ ସ୍ୱୀକାର କରିବାକୁ ହୁଏ ।

 

କଳ୍ପନା ପରାସ୍ତ ହେବା ଅନ୍ୟ ଉପାୟରେ ମଧ୍ୟ ନିର୍ଦ୍ଦେଶିତ ହୋଇପାରେ । ଉପମେୟ ଉପମାନଠାରୁ ନ୍ୟୂନଧର୍ମୀ ଏହାହିଁ କଳ୍ପନାର ଅବଲମ୍ୱନ ଓ ଉପମାର ଆଶ୍ରୟ, ମାତ୍ର ଯଦି ଏପରି କଳ୍ପନା କରାଯାଏ ଯେ ଉପମାନ କୌଣସି ପ୍ରକାରେ ଉପମେୟ ସହିତ ତୁଳିତ ହୋଇ ପାରୁ ନାହିଁ, ଉପମେୟ ଉପମାନକୁ ବଳିଯାଉଅଛି କିମ୍ୱା ଉପମେୟର ସରି ହେବା ନିମନ୍ତେ ଉପମାନ ବହୁ ପ୍ରୟାସ କରି ମଧ୍ୟ କ୍ଷମ ହେଉ ନାହିଁ, ତେବେ ଏସବୁ ବର୍ଣ୍ଣନାରେ ଅତ୍ୟୁକ୍ତିର ପ୍ରୟୋଗ ସ୍ୱଷ୍ଟ ଅନୁଭୁତ ହୋଇପାରେ । ମୁଖ ଚନ୍ଦ ସହିତ ସାଧାରଣତଃ ତୁଳିତ ହୋଇଥାଏ, ମାତ୍ର ଯଦି ଲେଖାଯାଏ ଯେ, ଚନ୍ଦ୍ରରେ କଳଙ୍କ ଅଛି ମାତ୍ର ତାଙ୍କ ମୁଖରେ କଳଙ୍କର ଆଭାସ ମାତ୍ର ନାହିଁ, କିମ୍ୱା ଚନ୍ଦ୍ର ଦିବା ସମୟରେ ନିଷ୍ପ୍ରଭ ହୁଏ ମାତ୍ର ତାଙ୍କ ମୁଖ ସର୍ବକ୍ଷଣ ଦୀପ୍ତିମାନ୍‌, କିମ୍ୱା ପୂର୍ଣ୍ଣିମାର ଚନ୍ଦ୍ର ତାଙ୍କର ମୁଖଶ୍ରୀ ନିରୀକ୍ଷଣ କରି ହିଂସାରେ କ୍ଷୀଣ ହେବାକୁ ଲାଗିଲା, କିମ୍ୱା ଚନ୍ଦ୍ର ଯଦି ନିଷ୍କଳଙ୍କ ହୁଅନ୍ତା ତେବେ କେଜାଣି ତାଙ୍କର ସରି ହୋଇ ପାରନ୍ତା, କିମ୍ୱା ଚନ୍ଦ୍ର ତାଙ୍କର ମୁଖଶୋଭା ଦେଖି ଶିବଙ୍କ ଜଟାରେ ଆଶ୍ରୟଗ୍ରହଣ କଲା, ତେବେ ଅତ୍ୟୁକ୍ତିର ପ୍ରୟୋଗ ସ୍ପଷ୍ଟ ଅନୁମିତ ହେବ । ଏହିପରି ଖଳଲୋକଙ୍କୁ ସର୍ପ ସହିତ ତୁଳନା କରାଯାଏ । ମାତ୍ର ଯଦି ଲେଖାଯାଏ ଯେ ସର୍ପକୁ ବଶ କରିବାର ଔଷଧ ଅଛି, ମାତ୍ର ଖଳକୁ ବଶ କରିବା ନିମନ୍ତେ କୌଶସି ଔଷଧ ନାହିଁ; ତାହା ହେଲେ ମଧ୍ୟ ଉପମେୟ ଉପମାନଠାରୁ ଶ୍ରେଷ୍ଠ ଏହା ସ୍ୱୀକାର କରାଯାଇ ଥିବାରୁ ଅତ୍ୟୁକ୍ତିର ପ୍ରୟୋଗ ସ୍ୱୀକାର କରିବାକୁ ହେବ ।

 

କଳ୍ପନାର ପରାଭବ ଅନ୍ୟ ଉପାୟରେ ମଧ୍ୟ ବ୍ୟକ୍ତ ହୋଇପାରେ । ଯେଉଁଠାରେ ଭ୍ରାନ୍ତି ବା ସନ୍ଦେହ ଜାତ ହେଉଥିବା ବ୍ୟାଜରେ ବର୍ଣ୍ଣନା କରାଯାଏ କିମ୍ୱା ଯେଉଁଠାରେ ଗୋଟିଏ ଉପମାନର ଅଯୋଗ୍ୟତା ନିରୂପଣ କରି ଏକାଧିକ ଉପମାନ ସଂମିଶ୍ରଣଦ୍ୱାରା ଉପମାନ ଗଠିତ ହୋଇଥିଲେ କେଜାଣି ସରି ହୋଇଥାନ୍ତା ଏପରି ଭାବରେ ବର୍ଣ୍ଣନା କରାଯାଏ, ସେଠାରେ ମଧ୍ୟ ଅତ୍ୟୁକ୍ତି ସ୍ପଷ୍ଟ ବିଦ୍ୟମାନ । ‘ହିମାଳୟର ଉଚ୍ଚତା ଓ ସମୁଦ୍ରର ବିଶାଳତା ମିଳିତ ହେଲେ କେଜାଣି ତାଙ୍କ ସରି ହୋଇଥାନ୍ତା’, ‘ସେ ସଭାରେ ପ୍ରବେଶ କଲେ, ମନେ ହେଲା ସତେ ଯେପରି ଇନ୍ଦ୍ରଦେବ ସଭାରେ ବିରାଜିତ ହେଲେ’, ‘ତାଙ୍କର କଥା ଶୁଣି ସତେ ଯେପରି ଲୋକଙ୍କ ମନରେ ମଧୁଧାରା ବର୍ଷିତ ହେଲା କିମ୍ୱା ସତେ ଯେପରି ସୁଧାଧାରାରେ ତାଙ୍କର ହୃଦୟ ଆପ୍ଳୁତ ହୋଇଗଲା ।’ ଏହି ଦ୍ୱିତୀୟ ଉଦାହରଣରେ ପ୍ରଥମେ ଗୋଟିଏ ଉପମାନ ଦିଆଯାଇ ତାର ଯୋଗ୍ୟତା ବିଷୟରେ ସନ୍ଦେହ ଜାତ ହେବାରୁ ଲେଖକ ପୁଣି ଆଉ ଗୋଟିଏ ଉପମାନର ପ୍ରୟୋଗ କରୁଅଛନ୍ତି, ଏଣୁ ଏଠାରେ ମଧ୍ୟ କଳ୍ପନା ପରାସ୍ତ ବୋଲି ସ୍ୱୀକାର କରିବାକୁ ହୁଏ । ‘ଅପୂର୍ବ ଅମ୍ୱୁଜମୁଖକୁ ଚାହିଁ ଭୃଙ୍ଗ ଚକୋର, ଚୁମ୍ୱିବା ଲୋଭରେ ଧାଇଁଲେ ଚାହିଁ ଶ୍ରୁତି କାତର’ ଏହି ବାକ୍ୟରେ ପ୍ରାକୃତିକ ଭୃଙ୍ଗ ଚକୋର ପ୍ରଭୃତିର ଭ୍ରମ ଜାତ ହେଉଅଛି; ଅତଏବ ଉପମେୟ ଉପମାନ ଅପେକ୍ଷା ନ୍ୟୂନଧର୍ମୀ ନୁହେଁ ବରଂ ସାଧାରଣ ପଦ୍ମ ବା ଚନ୍ଦ୍ର ଅପେକ୍ଷା ମୁଖପଦ୍ମ ବା ଚନ୍ଦ୍ରବଦନ ଅଧିକ କମନୀୟ ହୋଇଥିବାରୁ ସେମାନେ ପଦ୍ମ ଓ ଚନ୍ଦ୍ରକୁ ପରିହାର କରି ମୁଖର ଅନୁସରଣ କରିଥିଲେ, ଏହି ଭ୍ରାନ୍ତିର ଅବକାଶ ଥିବାରୁ ଏଠାରେ ଅତ୍ୟୁକ୍ତି ସ୍ୱୀକାର କରାଯାଇପାରେ । ‘ମୂର୍ତ୍ତି ପରିଗ୍ରହି ଉଦେ କି ସାହସ କିମ୍ୱା କ୍ଷାତ୍ରଧର୍ମ କିମ୍ୱା ବୀରରସ’ ଏଠାରେ ମଧ୍ୟ ଉପମାନ ବିଷୟରେ ସନ୍ଦେହ ବାସ୍ତବରେ କଳ୍ପନାର ପରାଜୟର ନିଦର୍ଶନ; ଏଣୁ ଏଠାରେ ମଧ୍ୟ ଅତ୍ୟୁକ୍ତିର ଆଶ୍ରୟ ଗ୍ରହଣ କରାଯାଇ ଅଛି । ପୁଣି ତାଙ୍କର କୌଣସି ଉପମା ନାହିଁ, ମାତ୍ର ଯଦି ବିଦ୍ୟୁଲ୍ଲତାରେ ଫୁଲ ଫୁଟନ୍ତା, ତେବେ କେଜାଣି ତାଙ୍କ ସରି ହୋଇ ପାରନ୍ତା ଅଥବା ଭଗବାନ ତାଙ୍କୁ ଫୁଲର କମନୀୟତା, କାଞ୍ଚନର ବର୍ଣ୍ଣବୈଭବ, ରକ୍ତିମ ଆକାଶର ମନୋହାରିତ୍ୱ ଓ ଚନ୍ଦ୍ରର ହ୍ଲାଦିନୀ ଶକ୍ତି ଘେନି ଗଠିତ କରିଅଛନ୍ତି,–ଏଠାରେ ମଧ୍ୟ କଳ୍ପନାର ପରାଜୟର ଇଙ୍ଗିତ ସ୍ପଷ୍ଟ ମିଳେ ଓ ଏଣୁ ଅତ୍ୟୁକ୍ତି ସ୍ୱୀକାର କରାଯାଇପାରେ । ପୁଣି ବର୍ଣ୍ଣନୀୟ ବସ୍ତୁର ଏକାନ୍ତ ଅସମ୍ଭାବ୍ୟତା ମଧ୍ୟ ଅତ୍ୟୁକ୍ତିର ଆଶ୍ରୟ ହୋଇଥାଏ । ‘କରପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହେଲାଣି କରକୁ’ ଏଠାରେ ଅତ୍ୟୁକ୍ତି ସ୍ପଷ୍ଟ, କାରଣ ବାସ୍ତବରେ ବର୍ଣ୍ଣନୀୟ ବସ୍ତୁ ଅସମ୍ଭବ, କଳ୍ପନା ଦେବାରେ ପରାଜିତ ହୋଇ ଏକ ଅସମ୍ଭବ ବସ୍ତୁର ଆଶ୍ରୟ ଗ୍ରହଣ କରିଅଛି । ଏଣୁ ବର୍ଣ୍ଣନାର ଅସମ୍ଭାବ୍ୟତା ଏଠାରେ କଳ୍ପନାର ପରାଜୟର ନିଦର୍ଶନ । ବାସ୍ତବରେ ଯେଉଁଠାରେ କଳ୍ପନା ପରାଜିତ ଏହିପରି ଭାବର ଅବକାଶ ରହିଅଛି ସେଠାରେ ଅତ୍ୟୁକ୍ତି ସ୍ୱୀକାର କରିବା ଉଚିତ-। କାରଣ ସେ ସବୁ କ୍ଷେତ୍ରରେ କେବଳ ତୁଳନା ବା ସାମ୍ୟ ଉପରେ ପ୍ରତିଷ୍ଠିତ ଉପମା ପ୍ରଭୃତି ବାସ୍ତବରେ । ପ୍ରଯୁକ୍ତ ହୁଏ ନାହିଁ; ଲେଖକ ସାମ୍ୟଠାରୁ ଅଧିକ କିଛି ପାଠକମନରେ ସଞ୍ଚାରିତ କରିବାର ଚେଷ୍ଟା କରନ୍ତି, ଏଣୁ ଅତ୍ୟୁକ୍ତି ଏସବୁ କ୍ଷେତ୍ରରେ ସ୍ୱୀକାର; ମାତ୍ର ପ୍ରତ୍ୟେକ ଉପମାରେ ଅତ୍ୟୁକ୍ତିର ଆଭାସ ଥିବାରୁ ଉପମା ଓ ଅତ୍ୟୁକ୍ତି ମଧ୍ୟରେ ସୀମା ନିରୂପଣ କରିବା ସୂକ୍ଷ୍ମ ରସଗ୍ରାହିତା ଉପରେ ନିର୍ଭର କରେ । ରଚନାରେ ଅନେକ ସମୟରେ ‘ନୀଳକଣ୍ଠ ବିଦ୍ୟାରେ ସାକ୍ଷାତ୍‌ ନୀଳକଣ୍ଠ’, ‘ବିଶ୍ୱନାଥ ଦୟାଗୁଣରେ ସାକ୍ଷାତ୍‌ ବିଶ୍ୱନାଥ’ ‘ମଧୁସୂଦନ ତେଜରେ ସାକ୍ଷାତ ମଧୁସୂଦନ’ ଏପରି ବ୍ୟବହାର ମିଳେ, ଏସବୁ ସ୍ଥାନରେ ଅତ୍ୟୁକ୍ତି ଓ ଉପମା ଏକତ୍ର ସ୍ୱୀକୃତି ବୋଲି ମନେ କରିବାକୁ ହେବ, ଏଠାରେ ବାକ୍‌ଚାତୁର୍ଯ୍ୟ ମଧ୍ୟ ସୁସ୍ପଷ୍ଟ ।

 

ଅତ୍ୟୁକ୍ତି ପରି ନ୍ୟୁନୋକ୍ତି ମଧ୍ୟ କଳ୍ପନାର ପରିପୋଷକ । ନ୍ୟୂନୋକ୍ତିରେ ଲେଖକ ଯାହା ପ୍ରକାଶିତ କରିବାକୁ ଚାହେଁ, ତାହାଠାରୁ ନ୍ୟୂନଭାଷା ବ୍ୟବହାର କରେ । ‘ସେ ନୀଚ ବଂଶର ଲୋକ ନୁହନ୍ତି’, ‘ସେ ଯାହା କହିଲେ ସେଥିରେ କିଛି ମିଛ ନାହିଁ’ ଏହିପରି ପ୍ରୟୋଗରେ ନାସ୍ତ୍ୟର୍ଥକ ବାକ୍ୟଦ୍ୱାରା ତାଙ୍କର ବଂଶଗୌରବ କିମ୍ୱା ଭାଷା ସତ୍ୟତା କ୍ଷୁର୍ଣ୍ଣ ହେଉଅଛି ବୋଲି ମନେ ହେଲେହେଁ ବାସ୍ତବରେ ତାହା ଏପରି କ୍ଷୁର୍ଣ୍ଣ ହେଉ ନାହିଁ ବରଂ ତାହାଦ୍ୱାରା କଳ୍ପନା ଉତ୍ତେଜିତ ହେବାରୁ ଭାଷା ସରସ ହେଉଅଛି । ନାସ୍ତ୍ୟର୍ଥକ ବାକ୍ୟ ବାସ୍ତବରେ ନ୍ୟୂନୋକ୍ତି ହେଲେହେଁ ତାହା କଳ୍ପନାକୁ ଉତ୍ତେଜିତ କରିବାକୁ ସକ୍ଷମ, କାରଣ ନାସ୍ତ୍ୟର୍ଥକ ପଦର ପ୍ରସାର ଅସ୍ତ୍ୟର୍ଥକ ପଦର ପ୍ରସାରଠାରୁ ଅଧିକ । ‘ଯାତ୍ରା ନିଷ୍ପଳ ହୋଇ ନାହିଁ’ କହିଲେ ଏହି କାରଣରୁ ସାଫଲ୍ୟର ପରିମାଣ କଳ୍ପନାଗ୍ରାହ୍ୟ ହୋଇପଡ଼େ ଏବଂ ଏହା ବାସ୍ତବରେ ‘ସଫଳ ହୋଇଅଛି’ ଅପେକ୍ଷା ନୂନୋକ୍ତି ହେଲେହେଁ ତାହାଠାରୁ ସରସ । ଏହି କାରଣରୁ ‘ଲିଭି ନାହିଁ ଆଜି ବୁକୁ ତାର ବ୍ୟଥା’ ତାର ବ୍ୟଥା ବର୍ତ୍ତମାନ ପର୍ଯ୍ୟନ୍ତ ହୃଦୟରେ ଜାଗରୂକ ଅଛି ଠାରୁ ନ୍ୟୁନୋକ୍ତି ହେଲେହେଁ ସରସତାରେ ଅଧିକ । ନ୍ୟୂନୋକ୍ତି ସନ୍ଦେଦ୍ୱସୂଚକ ପଦର ବ୍ୟବହାରଦ୍ୱାରା, ପ୍ରଶ୍ନୋକ୍ତିଦ୍ୱାରା, ନାସ୍ତ୍ୟର୍ଥକ ବାକ୍ୟର ପ୍ରୟୋଗଦ୍ୱାରା ସୂଚିତ ହୋଇଥାଏ । ଲେଖକମନରେ କୌଣସି ସନ୍ଦେହ ନ ଥିବା ସ୍ଥଳେ ‘ଯଦି’ ‘ପରା’ ପ୍ରଭୂତି ପଦର ପ୍ରୟୋଗଦ୍ୱାରା ସନ୍ଦେହ ସୂଚିତ ହୋଇ ରଚନାର ସରସତା ବୃଦ୍ଧିପାଏ । ‘ଏହା ଅତ୍ୟୁକ୍ତିର ଆଶ୍ରୟ ନ ଘେନି ଅସଂକୋଚରେ ବୋଲାଯିବ’ (ଉତ୍କଳପ୍ରକୃତି) ‘ଆରବୀ ଏବଂ ପାର୍ଶି ସାହିତ୍ୟ ଗ୍ରୀକ ଏବଂ ଲାଟିନ ଭାଷାର ପ୍ରାଚୀନ ସାହିତ୍ୟଠାରୁ କୌଣସି ଅଂଶରେ ନିକୃଷ୍ଟ ନୁହେଁ’ (ଉତ୍କଳ ପ୍ରକୃତି) ‘ଏହି ପରା ଉତ୍କଳୀୟ ବୀରପୁରୁଷମାନଙ୍କ ଲୀଳାସ୍ଥଳୀ’, ‘ତାହାର ମନୋହାରିତ୍ୱ କଣ କେବେହେଁ ବର୍ଣ୍ଣନା କରି ହେବ ?’ ‘ଉତ୍କଳରେ ଏଭଳି ନିଦର୍ଶନ ଆଉ ମିଳିବ କି ? ‘ (ଉତ୍କଳ ପ୍ରକୃତି) ଏହି ସବୁ ବାକ୍ୟରେ ଲେଖକର ସଂକୋଚ, ସନ୍ଦେହ ପ୍ରଭୃତି ସୂଚିତ ହେବାଦ୍ୱାରା ନ୍ୟୂନୋକ୍ତି ସ୍ୱୀକାର ହେଉଅଛି ଓ ରଚନା ମାଧୁର୍ଯ୍ୟ ଏହାଦ୍ୱାରା ବହୁ ଗୁଣରେ ବୃଦ୍ଧି ପ୍ରାପ୍ତ ହୋଉଅଛି ।

 

କଳ୍ପନାକୁ ଉଦ୍ରିକ୍ତ କରିବା ନିମନ୍ତେ ଲେଖକ ଅନେକ ସମୟରେ ଅପ୍ରତ୍ୟକ୍ଷାନୁଭୂତିର ଆଶ୍ରୟ ଗ୍ରହଣ କରିଥାଏ । ରଚନା ମଧ୍ୟରେ ଅନେକ ସମୟରେ ଲେଖକଙ୍କ ରଚନାଦ୍ୱାରା ଅନୁପ୍ରାଣିତ ହୋଇ ଅପ୍ରତ୍ୟକ୍ଷ ବସ୍ତୁମାନଙ୍କୁ ପ୍ରତ୍ୟକ୍ଷବତ୍‌ ବର୍ଣ୍ଣନା କରନ୍ତି । ଏହି ଅପ୍ରତ୍ୟକ୍ଷ ବିଷୟ ଭୂତ ହୋଇପାରେ ଭବିଷ୍ୟତ୍‌ ମଧ୍ୟ ହୋଇପାରେ, ଅର୍ଥାତ୍‌ ଲେଖକ କୌଣସି ବିଗତ ଘଟଣାକୁ ପ୍ରତ୍ୟକ୍ଷବତ୍‌ ନୟନଗୋଚର କଲା ପ୍ରାୟ ବର୍ଣ୍ଣନା କରନ୍ତି ଓ ତାହାଦ୍ୱାରା ଅତୀତ ଘଟଣାର ବିଷୟବସ୍ତୁ ପାଠକର ମାନସନେତ୍ରରେ ଉଦ୍ଭାସିତ ହୋଇଉଠେ । ପୁଣି କୌଣସି ଭବିଷ୍ୟତ୍‌ ଘଟନାକୁ କଳ୍ପନାଦ୍ୱାରା ପ୍ରତ୍ୟକ୍ଷଭାବରେ ବର୍ଣ୍ଣନା କରନ୍ତି ଓ ଏହାଦ୍ୱାରା ମଧ୍ୟ ପାଠକର ମାନସପଟରେ ଏହି ଭବିଷ୍ୟତ୍‌ ଘଟନାର ଚିତ୍ର ପ୍ରତିଭାତ ହୋଇଥାଏ । ଉଭୟ କ୍ଷେତ୍ରରେ ‘ଅପ୍ରତ୍ୟକ୍ଷାନୁଭୂତି’ ଅଳଙ୍କାର ସ୍ୱୀକାର କରାଯାଇପାରେ । ଚିଲିକାକୂଳରେ ଏକ ସମୟରେ ପୁରୁଷୋତ୍ତମ ଦେବଙ୍କର କାଞ୍ଚୀବିଜୟରୁ ପ୍ରତ୍ୟାଗମନ ସମୟରେ ବହୁ ପୋତ ଏକତ୍ର ହୋଇ ଉତ୍କଳର ଗୌରବ ବିଘୋଷିତ କରୁଥିଲା, ବାରବାଟୀ ଦୁର୍ଗ ଏକ ସମୟରେ ବୀର ପଦଭରେ ପ୍ରକମ୍ପିତ ହୋଇଥିଲା, ନାନା ବୀରତ୍ୱର କାହାଣୀ ନାନା ଗୌରବମୟ ଘଟଣାର ସ୍ମୃତି ପ୍ରଭୃତିର ନାନା ଚିତ୍ର ଚିଲିକା ବା ବାରବାଟୀ ଦର୍ଶନ ସମୟରେ ଲେଖକର ମାନସପଟରେ ଉଦିତ ହୋଇପାରେ ଓ ଲେଖକ ଏମାନଙ୍କୁ ପ୍ରତ୍ୟକ୍ଷବତ୍‌ ବର୍ଣ୍ଣନା କରି ପାରନ୍ତି । ପୁଣି ଏହି ବାରବାଟୀ ଦୁର୍ଗରୁ ଏକ ସମୟରେ ଓଡ଼ିଶାର ଯୋଦ୍ଧାମାନେ ବାହାରି ଭୂବନ ବିଜୟ କରି ପାରିବେ, ନିଜ ଦେଶର ଗୌରବର ପୁନଃପ୍ରତିଷ୍ଠା କରି ପାରିବେ, ଶତ ଶତ ଆକାଶ ଯାନରେ ପୃଥିବୀର ଗଗନମଣ୍ଡଳ ଆଛନ୍ନ ହୋଇ ଦେଶ ବିଦେଶରେ ଓଡ଼ିଶାର ବିଜୟବାର୍ତ୍ତା ଘୋଷଣା କରିବ, ଏହିପରି ଭବିଷ୍ୟତ୍‌ରେ ଘଟିବା ସମ୍ଭବପର ବିଷୟମାନଙ୍କୁ ଅନୁସରଣ କରି ଓ ସେମାନଙ୍କୁ ପ୍ରତ୍ୟକ୍ଷବତ୍‌ ବର୍ଣ୍ଣନା କରି ଲେଖକ ନିଜର ରଚନାକୁ ଶ୍ରାସମ୍ପନ୍ନ କରିପାରେ । ଏପରି କ୍ଷେତ୍ରରେ ଅପ୍ରତ୍ୟକ୍ଷାନୁଭୂତିର ଉଦାହରଣ ସ୍ପଷ୍ଟ ।

 

କେତେକ ସ୍ଥାନରେ ଅପ୍ରତ୍ୟକ୍ଷ ବିଷୟଟି ସ୍ପଷ୍ଟ ଅନୁଭୂତ ହେଉଅଛି, ମାତ୍ର ସ୍ପଷ୍ଟ ପ୍ରତ୍ୟକ୍ଷଭାବରେ ବର୍ଣ୍ଣିତ ହେଉନାହିଁ ଏପରି ଭାବରେ ମଧ୍ୟ ପ୍ରକାଶିତ ହୋଇଥାଏ । ‘ତୋର ତୀରେ ପରା ଶ୍ରୀମତୀ ମାଣିକା, ହସ୍ତେ ଭୁଞ୍ଜିଥିଲେ ସାଦରେ ଲବଣୀ, ଭାବଗ୍ରାହୀ ପ୍ରଭୁ ଭକ୍ତି ଚିନ୍ତାମଣି’ ଏହିପରି ବର୍ଣ୍ଣନାରେ କବି ବିଗତ ପ୍ରସିଦ୍ଧ ବିଷୟଦ୍ୱାରା ଅନୁପ୍ରାଣିତ ହୋଇ ଅପ୍ରତ୍ୟକ୍ଷ ବିଷୟଟିର ଅନୁଭୁତିଦ୍ୱାରା ଚିଲିକାର ମହତ୍ତ୍ୱ ପ୍ରତିପାଦନ କରୁଅଛନ୍ତି, ଏଣୁ ଏଠାରେ ମଧ୍ୟ ଅପ୍ରତ୍ୟକ୍ଷାନୁଭୂତି ଅସ୍ପଷ୍ଟ ହେଲେହେଁ ସ୍ୱୀକୃତ । ‘ଏହି ସ୍ୱର୍ଗଦ୍ୱାରରେ ପରା ପ୍ରେମାବତାର ଚୈତନ୍ୟ ଉଭେଇ ଯାଇଥିଲେ ।’ (ଉତ୍କଳ ପ୍ରକୃତି) ‘ଏହି ବାରବାଟୀରେ ପରା ଦିନେ ଯଯାତି କେଶରୀଙ୍କ ନବତଳ ପ୍ରାସାଦ ଅବସ୍ଥିତ ଥିଲା’ ଏହିପରି ବାକ୍ୟରେ ମଧ୍ୟ ଅପ୍ରତ୍ୟକ୍ଷାନୁଭୂତିର ଆଭାସ ସୁସ୍ପଷ୍ଟ । ଏଠାରେ ଅପ୍ରତ୍ୟକ୍ଷ ପ୍ରତ୍ୟକ୍ଷବତ୍‌ ବର୍ଣ୍ଣିତ ନୁହେଁ, ମାତ୍ର ତାହାର ଅନୁଭୂତିରେ ଲେଖକର କଳ୍ପନା ମୁଖର ଏହାହିଁ ରଚନାର ସରସତର ସମ୍ପାଦନ କରିଥାଏ । ଲେଖକ ବିଗତ ଘଟଣାକୁ ସ୍ମରଣ କରି ଯେଉଁ ବିସ୍ମୟ ପ୍ରକାଶ କରୁଅଛନ୍ତି ତାହାଦ୍ୱାରା ରଚନାର ଅନ୍ତର୍ନିହିତ ଆବେଗ ଓ କଳ୍ପନା ବୃଦ୍ଧିପ୍ରାପ୍ତ ହୋଉଅଛି ଓ ପାଠକମନକୁ ପ୍ରଭାବିତ କରିବାକୁ ସମର୍ଥ ହେଉଅଛି ।

 

କଳ୍ପନାପରିପୋଷକ ଅଳଙ୍କାର ମଧ୍ୟରେ ‘ବିଶେଷ ସାମାନ୍ୟୋକ୍ତି’ ଅନ୍ୟତମ । କୌଣସି ବିଶେଷ ପଦାର୍ଥକୁ ଅନ୍ୟ ବିଶେଷ ଭାବରେ ବା ସାମାନ୍ୟ ଭାବରେ ବର୍ଣ୍ଣନା କଲେ, ପୁଣି କୌଣସି ସାମାନ୍ୟ ବିଷୟର ବିଶେଷ ଉଦାହରଣ ଦେଲେ କିମ୍ୱା କୌଣସି ବିଶେଷ ପଦାର୍ଥକୁ ତାହା ଲକ୍ଷଣାଦ୍ୱାରା ଅଭିହିତ କଲେ ଏହି ଅଳଙ୍କାର ସ୍ୱୀକୃତ ହୋଇଥିବା ବୁଝିବାକୁ ହେବ । ମନୋବୃତ୍ତି ଯେତେବେଳେ ଗୋଟିଏ ଭାବକୁ ଆଶ୍ରୟ କରିଥାଏ , ତେତେବେଳେ ସମଧର୍ମା ଅନ୍ୟବସ୍ତୁର ବିବକ୍ଷାଦ୍ୱାରା କଳ୍ପନା ଭଦ୍ରିକ୍ତ ହୁଏ ଓ ତାହାଦ୍ୱାରା ରଚନା ସରସ ହୁଏ । ଯାଯାତିକୁ ନିର୍ଦ୍ଦେଶ କରିବା ନିମନ୍ତେ ନାମର ପୁନଃପୁନଃ ବ୍ୟବହାର ନ କରି ‘ନୃପବର’ ‘ଉତ୍କଳେଶ୍ୱର’ ପ୍ରଭୃତି ଆଖ୍ୟା ବ୍ୟବହୃତ ହେଲେ ଏହି ଅଳଙ୍କାର ସ୍ୱୀକୃତ ହୁଏ । ଆଖ୍ୟାର ପରିବର୍ତ୍ତନଦ୍ୱାରା କଳ୍ପନା ଉଦ୍ରେକ କରିବା ସହଜ ହୁଏ କାରଣ ନାମ ଅପେକ୍ଷା ଏପରି ପଦମାନଙ୍କର ପ୍ରସାର ଅଧିକ । ଏହିପରି ଦିଲ୍ଲୀ ପରିବର୍ତ୍ତରେ ନଗରୀଶିରୋମଣି, ପ୍ରୟାଗ ପରିବର୍ତ୍ତରେ ତ୍ରିବେଣୀସଙ୍ଗମ, ପୁରୀର ମହାରାଜାଙ୍କ ପରିବର୍ତ୍ତେ ଉତ୍କଳେଶ୍ୱର ବା ଗଜପତିର ପ୍ରୟୋଗ ଏହିପରି ଅଳଙ୍କାରର ନିଦର୍ଶନ । ମାତ୍ର ଏହି ଅଳଙ୍କାର କେବଳ ଶବ୍ଦଗତ ନୁହେଁ, ଭାବର ସାମାନ୍ୟ ବା ବିଶେଷ ପ୍ରକାଶ ମଧ୍ୟ ଏହାର ଅନ୍ତର୍ଗତ । ଗୋଟିଏ ସାମାନ୍ୟ ଭାବକୁ ବିଶ୍ଳେଷିତ କରି ବିଶେଷ ବିଶେଷଭାବରେ ପ୍ରସାରିତ କରି ଦେଖିଲେ ମଧ୍ୟ ଏହାର ଉଦାହରଣ ମିଳେ । ‘ଦୈନ୍ୟ, ଦୁର୍ଦ୍ଦଶା, ଜରା, ବ୍ୟାଧି ଓ ମୃତ୍ୟୁର କରାଳଦୃଶ୍ୟ’ (ଶତଚିନ୍ତା ପୃ ୮୬) ବାସ୍ତବରେ ଏପରି ବିଶ୍ଳେଷଣର ଉଦାହରଣ । ଲେଖକ ସମଗ୍ର ବିଷୟଟିକୁ ସରସ କରିବା ଉଦ୍ଦେଶ୍ୟରେ ଓ ପାଠକର ମନକୁ ପ୍ରଭାବିତ କରିବା ନିମନ୍ତେ ବିଶ୍ଳେଷିତ କରି ଦେଖୁଅଛନ୍ତି । ‘ପୁରାତନ ଇତିହାସ, ପୁରାତନ ବଂଶ, ପୁରାତନ ଗୃହ, ପୁରାତନ ଦେବମନ୍ଦିର ପ୍ରଭୃତିର ପ୍ରଧାନ ସୌନ୍ଦର୍ଯ୍ୟର କାରଣ ଏହି ଯେ ସେମାନେ ମନୁଷ୍ୟ ସହିତ ଅତ୍ୟନ୍ତ ସଂପୃକ୍ତ’ (ଉତ୍କଳ ପ୍ରକୃତି) । ଏଠାରେ ମଧ୍ୟ ଲେଖକ ନାନା ପୁରାତନ ପଦାର୍ଥର ପୁନରାବୃତ୍ତିଦ୍ୱାରା ପାଠକର କଳ୍ପନାକୁ ଉତ୍ତେଜିତ କରୁଅଛନ୍ତି । ‘ସବୁପ୍ରକାର ପୁରାତନ ପଦାର୍ଥ’ କହିଲେ ଅର୍ଥସଙ୍ଗତି ରହି ପାରନ୍ତା, ମାତ୍ର କଳ୍ପନା ଉତ୍ତେଜିତ ହୁଅନ୍ତା ନାହିଁ । ‘ପିତା ଗଲେ, ମାତା ଗଲେ, ଭାଇ ଭଉଣୀ ସମସ୍ତେ ଗଲେ, ପ୍ରତିବାସୀ ପରିଜନ ମଧ୍ୟ କେହି ରହିଲେ ନାହି; ଯେଉଁ ଗ୍ରାମ ଏକ ସମୟରେ କୋଳାହଳମୁଖର ଥିଲା, ଆଜି ତାହା ମହାଶ୍ମଶାନରେ ପରିଣତ ହେଲା’, ଏଠାରେ ମଧ୍ୟ, ବିଶ୍ଳେଷଣଦ୍ୱାରା ଗୋଟିଏ ସାମାନ୍ୟ ପଦାର୍ଥକୁ ନାନା ବିଶେଷ ପଦାର୍ଥଦ୍ୱାରା ସୂଚିତ କରାଯାଇ କଳ୍ପନାକୁ ପରିପୁଷ୍ଟ କରାଯାଇଅଛି । ଗୋଟିଏ ବିଶେଷ ପଦାର୍ଥ ବା ଘଟଣାକୁ ସାଧାରଣ ନିୟମର ଅଂଶସ୍ୱରୂପ ସଂଶ୍ଳେଷିତ କରି ସାମାନ୍ୟଭାବରେ ପ୍ରକାଶ କରାଗଲେ କିମ୍ୱା ଗୋଟିଏ ସାଧାରଣ ନିୟମକୁ ବିଶେଷ ପଦାର୍ଥଦ୍ୱାରା ବ୍ୟାଖ୍ୟାତ କରାଗଲେ ମଧ୍ୟ ଏହି ଅଳଙ୍କାର ସ୍ୱୀକାର କରାଯାଏ । ଯଥା ‘ମହତଜନର ଦୟା ସବୁଠାରେ ସମେ ହୁଏ ବିତରିତ, କର୍ତ୍ତକମସ୍ତକୁ ନ କରଇ ତରୁ ସ୍ୱଚ୍ଛାୟା ଅପସାରିତ’-ଏଠାରେ ଗୋଟିଏ ଉଦାହରଣଦ୍ୱାରା ସାମାନ୍ୟ ବିଷୟଟି ଉଦାହୃତ ହୋଇଅଛି, ଏଣୁ କଳ୍ପନାର ପ୍ରସାର ମଧ୍ୟ ଘଟିଅଛି । ପୁଣି ‘କିନ୍ତୁ ରୂପ ଥିଲେ ପ୍ରଚ୍ଛନ୍ନେ କେବେ ରସିକ ଛାଡ଼େ, ମଧୁ ଥିଲେ ପୁଷ୍ପେ ଯତନେ ଖୋଜି ମଧୁପ କାଢେ’ ପଦରେ ଏକ ସାମାନ୍ୟ ବିଷୟକୁ ଅନ୍ୟ ସାମାନ୍ୟ ବିଷୟକର ଉଦାହରଣଦ୍ୱାରା ସରସ କରାଯାଇଅଛି । ଅନ୍ୟ ସ୍ଥାନରେ ‘କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ, ପ୍ରୀତି ଅଭେଦ ତାଙ୍କର; ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର’ ବାକ୍ୟରେ ଗୋଟିଏ ବିଶେଷ ପଦାର୍ଥକୁ ସାମାନ୍ୟ ପଦାର୍ଥକୁ ଅଂଶରୂପରେ କଳ୍ପନା କରି ଲେଖକ ପାଠକମନରେ କଳ୍ପନା ଜାଗ୍ରତ କରୁଅଛନ୍ତି । କେତେକ ସ୍ଥଳରେ ପୁଣି ଲେଖକ ନିଜର ବକ୍ତବ୍ୟକୁ ଏପରି ସାମାନ୍ୟଭାବରେ ବ୍ୟକ୍ତ କରନ୍ତି ଯେ, ତହିଁରୁ ସମ୍ପୂର୍ଣ୍ଣ ବିଷୟବସ୍ତୁର ଅର୍ଥ ଗ୍ରହଣ କରିବାକୁ ହୁଏ ଓ ଅର୍ଥ ଟି ଯଥାଯଥରୂପେ ଗ୍ରହଣ କରି ପାରିଲେ ଲେଖାର ସରସତ୍ୱ ମଧ୍ୟ ସହଜରେ ଉପଲବ୍ଧ ହୁଏ । ‘ଆନ ବୋଲେ ମୁଁ ଅଟଇ ପୁଲିଶ, ବିନାମେଘେ ସାଜି ପାରଇ କୁଳିଶ’ କିମ୍ୱା ‘ସଲିଳ ନ ଛିଞ୍ଚି ଖାଲି ଦଣ୍ଡବତ, କରିବାକୁ ଛନ୍ତି ଲୋକ ଶତ ଶତ’ ପ୍ରଭୃତି ରଚନାରେ ଲେଖକର ବକ୍ତବ୍ୟ ଉଦାହରଣଦ୍ୱାରା ବ୍ୟକ୍ତ, ମାତ୍ର ଉଦାହରଣର ଅନ୍ତର୍ଗତ ଭାବର ସନ୍ଧାନ ନ ପାଇଲେ ତାହାର ରସଗ୍ରହଣ କରିବା ସମ୍ଭବ ନୁହେଁ । ଏହିପରିଭାବରେ ଯେଉଁଠାରେ ବିଶେଷ ଓ ସାମାନ୍ୟ ପଦାର୍ଥମାନଙ୍କର ପରସ୍ପରକୁ ସରସ କରିବା ନିମନ୍ତେ ପ୍ରୟୋଗ କରାଯାଇଥାଏ, ସେଠାରେ କଳ୍ପନା ଗୋଟିଏ ବିଷୟବସ୍ତୁରୁ ଅନ୍ୟ ବିଷୟରେ ବିସ୍ତୃତି ଲାଭ କରେ ଓ ଲେଖା ମଧ୍ୟ ଏସବୁଦ୍ୱାରା ସରସତା ପ୍ରାପ୍ତ ହୁଏ । ଏହା କଳ୍ପନାର ପରିପୋଷକ ଅଳଙ୍କାର, କାରଣ ପାଠକର କଳ୍ପନାକୁ ଉଦ୍ଦୀପିତ କରିବା ଏମାନଙ୍କର ଉଦ୍ଦେଶ୍ୟ । ବିତର୍କ ଦିଗରୁ ତାହାର ମନକୁ ଟାଣି ଆଣି କଳ୍ପନାର ସାହାଯ୍ୟରେ ବିଷୟବସ୍ତୁକୁ ପାଠକମନରେ ନିବଦ୍ଧ କରିବା ଏମାନଙ୍କର ଅଭିପ୍ରାୟ । ରଚନା ସତ୍ୟାସତ୍ୟ ଏଠାରେ କଳ୍ପନାର ବିସ୍ତୃତିଦ୍ୱାରା ସ୍ୱୀକୃତ ହେଉଥିବାରୁ ଏହା ରଚନାର ଅଳଙ୍କାରସ୍ୱରୂପ ପରିଗଣିତ ହୋଇପାରେ ।

 

ଅନେକ ସମୟରେ ବର୍ଣ୍ଣନୀୟ ବସ୍ତୁମାନଙ୍କର କ୍ରମ ନିର୍ଦ୍ଦେଶିତ ହେଲେ, କଳ୍ପନା କ୍ରମଶଃ ବାକ୍ୟକ୍ରମଦ୍ୱାରା ଅନୁପ୍ରାଣିତ ହୋଇ ଅଗ୍ରସର ହୁଏ ଓ ଉଦ୍ଦୀପିତ ହୋଇଥାଏ; ଏଣୁ କ୍ରମୋକ୍ତି କଳ୍ପନାର ପରିପୋଷିକ ଅଳଙ୍କାରରୂପରେ ସ୍ୱୀକୃତି ହୁଏ । କ୍ରମବର୍ଦ୍ଧମାନ ପଦାର୍ଥର ପରିଣତି ବିଷୟରେ କୌତୂହଳ ଆମ୍ଭମାନଙ୍କର କଳ୍ପନାକୁ ଉନ୍ମୁଖ କରେ ଓ ପ୍ରତ୍ୟେକ ପଦଦ୍ୱାରା ପୂର୍ବ ପଦର ଭାବ ସ୍ପଷ୍ଟତର ଓ ଦୃଢ଼ୀକୃତ ହେଉଥିବାରୁ ଏପରି ଅଳଙ୍କାର ଲେଖାର ସୌଷ୍ଠବ ସାଧନ କରିଥାଏ । କ୍ରମୋକ୍ତି ବାସ୍ତବରେ ଅନେକ ପ୍ରକାରର ଦେଖାଯାଏ । କେତେକ ଲେଖାରେ ପ୍ରସିଦ୍ଧ ବସ୍ତୁମାନଙ୍କର (ଯଥା ନବଗ୍ରହର ନାମ ପ୍ରଭୃତି) କ୍ରମ, ଅନ୍ୟ କେତେକ ଲେଖାରେ ନୂତନ ନୂତନ ବିଷୟର ସନ୍ନିବେଶଦ୍ୱାରା ଭାବର କ୍ରମାଧିକ୍ୟ ନିର୍ଦ୍ଦେଶ, ଅନ୍ୟବିଧ ରଚନାରେ କବି ପଦ ବ୍ୟବହାର କରି ତାହା ପର୍ଯ୍ୟାପ୍ତ ହେଲା ନାହିଁ ଏହି ଆଶଙ୍କାରେ ଅନ୍ୟ ଶବ୍ଦ ବ୍ୟବହାର କରନ୍ତି ଓ ଏହିପରି କ୍ରମରେ ନିଜର ମନୋଗତ ଭାବକୁ ବ୍ୟକ୍ତ କରିଥାନ୍ତି । ବାସ୍ତବରେ ଯେଉଁଠାରେ ଦେଶ କାଳ ପାତ୍ର ବା ପ୍ରସିଦ୍ଧ ବିଷୟମାନଙ୍କର କ୍ରମ ନିର୍ଦ୍ଦେଶିତ ହୁଏ, ସେଠାରେ କଳ୍ପନା କ୍ରମଶଃ ପରିବର୍ତ୍ତୀ ବିଷୟକୁ ଆୟତ୍ତ କରିବା ନିମନ୍ତେ ଉନ୍ମୁଖ ହୋଇ ରହେ । ମହାଭାରତରେ ପାଣ୍ଡବମାନଙ୍କର ମହାଯାତ୍ରା ବର୍ଣ୍ଣନାରେ ଏହିପରି କ୍ରମେ କ୍ରମେ ପାଣ୍ଡବମାନଙ୍କର ପତନ ବର୍ଣ୍ଣିତ ହୋଇଅଛି ଓ ଗୋଟିଏ ବର୍ଣ୍ଣନା ପରେ ପାଠକର ମନ ପରବର୍ତ୍ତୀ ବିଷୟକୁ ଜାଣିବା ନିମନ୍ତେ ଉନ୍ମୁଖ ହୋଇଥାଏ । କ୍ରମର ବ୍ୟତିକ୍ରମ ହେଲେ ଏପରି କ୍ଷେତ୍ରରେ ରସଭଙ୍ଗ ହୁଏ । ଗୋଟିଏ ସ୍ତ୍ରୀଲୋକର ବର୍ଣ୍ଣନାରେ ତାହାର ଯୌବନ, ବର୍ଣ୍ଣ ବୈଭବ, ବେଶଭୂଷାର ପାରିପାଟ୍ୟ, ଅଳଙ୍କାରର ସୌଷ୍ଠବ, ମୁଖଶ୍ରୀର କମନୀୟତା ପ୍ରଭୃତି ଗୁଣମାନ ଏକ ଏକ ହୋଇ ବର୍ଣ୍ଣିତ ହେଲେ ପାଠକର କଳ୍ପନା କ୍ରମଶଃ ବର୍ଦ୍ଧମାନ ହୋଇ ଲେଖାର ରସଗ୍ରହଣ କରିବା ନିମନ୍ତେ ଉନ୍ମୁଖ ହୁଏ, ଏପରି ବର୍ଣ୍ଣନାରେ ପୁଣି କ୍ରମଶଃ ସ୍ଥାନ କାଳ ପାତ୍ର ପ୍ରଭୃତିର କାମନାର ପରିପୋଷକରୂପେ ନିର୍ଦ୍ଦେଶରେ ବର୍ଣ୍ଣନାଟି ଆହୁରି ସରସ ହୋଇଥାଏ । ସମସ୍ତ ଚିତ୍ରଟିକୁ ଏକତ୍ର ପ୍ରକାଶ ନ କରି କିମ୍ୱା କେବଳ ବିଶ୍ଳେଷଣ ମାତ୍ର ନ କରି ଯଦି ପ୍ରତ୍ୟେକ ବସ୍ତୁକୁ ଅନ୍ୟର ପରିପୋଷକରୂପେ କ୍ରମଶଃ ବର୍ଣ୍ଣନା କରାଯାଏ, ତେବେ ଏହି ଅଳଙ୍କାର ସ୍ୱୀକୃତ ହୋଇପାରେ । କ୍ରମଶଃ କଳ୍ପନାକୁ ଉନ୍ମୁଖ କରିବା ଏହି ଅଳଙ୍କାରର ମୁଖ୍ୟ ଉଦ୍ଦେଶ୍ୟ । ‘ପଡ଼ିଲା, ପଡ଼ିଲା ନାହିଁ ଜଡ଼ିଲା ମନ, ଜଡ଼ିଲା ନାହିଁଟି ବୁଡ଼ିଲା ଜ୍ଞାନ’ ଏପରି ବର୍ଣ୍ଣନାରେ ଉତ୍ତରୋତ୍ତର ଅଧିକତର ଶକ୍ତିଶାଳୀ ପଦମାନଙ୍କର ବ୍ୟବହାରଦ୍ୱାରା କ୍ରମ ରକ୍ଷିତ ହୋଇଅଛି । ଏଠାରେ କେବଳ ଯଦି ମୂଳରୁ ‘ବୁଡ଼ିଲା ଜ୍ଞାନ’ ବ୍ୟବହୃତ ହୋଇଥାନ୍ତା ତେବେ ଲେଖାଟି ଏପରି ସରସ ହୋଇ ନ ଥାନ୍ତା କାରଣ ତାହାଦ୍ୱାରା କଳ୍ପନା କ୍ରମଶଃ ଉନ୍ମୁଖ ହୋଇ ନ ଥାନ୍ତା ।

 

କୌଣସି ପଦାର୍ଥର ସାଧାରଣ ଗୁଣ ବିରୁଦ୍ଧ କାର୍ଯ୍ୟ ସଂଘଟିତ କରିବାର କ୍ଷମତାକୁ ରଚନା ମଧ୍ୟରେ ସ୍ୱୀକାର କରାଗଲେ କିମ୍ୱା ବିରୁଦ୍ଧ ପଦମାନଙ୍କର ବିନ୍ୟାସଦ୍ୱାରା କଳ୍ପନାକୁ ଜାଗ୍ରତ କରିବାର ପ୍ରୟାସ ଥିଲେ ତାହାଦ୍ୱାରା ମଧ୍ୟ ରଚନା ସରସ ହୁଏ ଓ ଏହା କଳ୍ପନାକୁ ଉତ୍ତେଜିତ କରିବାରେ ସମର୍ଥ ହୁଏ । ବାସ୍ତବରେ ଯାହା ସୁସ୍ପଷ୍ଟ, ଯାହା ସ୍ୱଭାବସିଦ୍ଧ, ଯାହା ଅନନ୍ୟସାପେକ୍ଷ ତାହାଦ୍ୱାରା କଳ୍ପନା ଉର୍ଦ୍ଦୀପିତ ହୁଏ ନାହିଁ, ମାତ୍ର ଅସ୍ପଷ୍ଟତା ଅଥବା ବିରୁଦ୍ଧ ଗୁଣ ବା କ୍ରିୟାକୁ ଅବଲମ୍ୱନ କରି କଳ୍ପନା ସ୍ୱଭାବତଃ ଉତ୍ତେଜିତ ହୁଏ । ‘ସେଠାରେ ଦଶ ହଜାର ଲୋକ ଏକତ୍ର ହେଲେ’ ସାଧାରଣ ଐତିହାସିକବିବୃତି, କିନ୍ତୁ ‘ସେଠାରେ ବିରାଟ ଜନସମାଗମ ହେଲା’ ସରସ ସାହିତ୍ୟକ ଲେଖା; କାରଣ ବିରାଟ ଶବ୍ଦ ଅସ୍ପଷ୍ଟ ଏଣୁ କଳ୍ପନାର ପରିପୋଷକ । ‘ପୁଣି ବିରାଟ ଜନତା ଧୀର ମନ୍ଥର ଗତିରେ ଅଗ୍ରସର ହେଲେ’ ବାକ୍ୟରେ ଜନତାରେ ପ୍ରତ୍ୟାଶିତ ଚାଞ୍ଚଲ୍ୟ ସହିତ ଧୀରତାର ବିରୋଧ ଦ୍ୱାର କଳ୍ପନା ଉତ୍ତେଜିତ ହେଉଅଛି ଓ ଏହି ବିରୋଧକୁ ସୁସ୍ପଷ୍ଟ କରିବା ନିମନ୍ତେ ‘ମନ୍ଥର’ ଶବ୍ଦ ବ୍ୟବହୃତ ହେଉଅଛି । ଏଣୁ ଯେଉଁଠାରେ ବିରୋଧର ଆଭାସ ସ୍ପଷ୍ଟ ସେଠାରେ କଳ୍ପନା ମଧ୍ୟ ଆଶ୍ରିତ ବୋଲି ମନେ କରିବାକୁ ହେବ । ବିରୋଧ ପୁଣି ନାନା ପ୍ରକାରର ହୋଇପାରେ-। ଚନ୍ଦ୍ରର ସାଧାରଣ ଗୁଣ ସ୍ନିଗ୍ଧତା, ମାତ୍ର କାମଜର୍ଜରିତ ଲୋକପକ୍ଷରେ ଚନ୍ଦ୍ରକିରଣ ଦାହିକାଶକ୍ତି ସମ୍ପନ୍ନ ହୁଏ, ଏପରି ରଚନା କଳ୍ପନାକୁ ଉତ୍ତେଜିତ କରିବାକୁ ସମର୍ଥ ହୁଏ । ‘ନୁହଇ ପ୍ରଖର, ନୁହଇ କଠିନ, ସ୍ୱଭାବ ତା ପୁଣି କୁସୁମକୋମଳ, ସେହି ବାଣେ ତିଳ ମାତ୍ରକେ ଭୁବନ, ବଶ କରିପାରେ ଦୁର୍ଜୟ ମଦନ’ – ଏଠାରେ ମଦନର ତ୍ରିଭୁବନ ବଶ କରିବାର ଶକ୍ତି, ପୁଣି ଫୁଲଶରର ଦୁର୍ଜୟ ଶକ୍ତି କଳ୍ପନାରେ ବିରୋଧର ଆଭାସ ଜାତ କରି ପାଠକର ମନକୁ ରସାପ୍ଳୁତ କରେ । ‘କରଇ ପ୍ରଣତି ଉନ୍ନତି ଆଶାରେ’ ଏହି ବାକ୍ୟରେ ପୁଣି ‘ପ୍ରଣତି’ ଓ ‘ଉନ୍ନତି’ ମଧ୍ୟରେ ଶାବ୍ଦିକ ବିରୋଧ ଥିଲେ ମଧ୍ୟ, ଉଭୟ ଶବ୍ଦର ପ୍ରୟୋଗଦ୍ୱାରା ଭାବଟି କଳ୍ପନାର ପରିପୋଷକରୂପେ ବର୍ଣ୍ଣିତ ହୋଇଅଛି । ଏହିପରି ଶାବ୍ଦିକ ବିରୋଧ ଆମେମାନେ ‘ଜୀବନ ନୁହେ ତାହା ଜୀବନ୍ତ ମରଣ’ ବାକ୍ୟରେ ପାଇଥାଉଁ ଓ ‘ତ୍ୟାଗେ ଭୋଗ’ ପ୍ରଭୃତି ନୀତିଗତ ବାକ୍ୟରେ ମଧ୍ୟ ଅନେକ ସ୍ଥାନରେ ମନରେ ଭାବଟିକୁ ଦୃଢ଼ଭାବରେ ଅଙ୍କିତ କରିବା ନିମନ୍ତେ ଏପରି ଶାବ୍ଦିକ ବିରୋଧ ପ୍ରଯୁକ୍ତ ହୋଇଥାଏ । ‘ଭୀମକାନ୍ତ’ ‘ସୌନ୍ଦର୍ଯ୍ୟ ଭୀଷଣତା’ (ଉତ୍କଳ ପ୍ରକୃତି) ‘ଜ୍ଞାନମୋହ’ ପ୍ରଭୁତିରେ ଏହିପରି ଶାବ୍ଦିକ ବିରୋଧ ସୁସ୍ପଷ୍ଟ-। ‘ଦିନ ଯାଏ ରାତି ଆସେ, ରାତି ଯାଏ ଦିନ ଆସେ’ ଏହି ବାକ୍ୟରେ ମଧ୍ୟ ଦୁଇଟି ବିରୁଦ୍ଧ ପଦଯୁକ୍ତ ବାକ୍ୟ ଏକତ୍ର ସମାବେଶିତ ହୋଇଥିବାରୁ କଳ୍ପନା ଉତ୍ତେଜିତ ହେବା ସମ୍ଭବ ହୋଇଅଛି । ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଏଠାରେ ମଧ୍ୟ ଭାବଗତ ବିରୋଧ କଳ୍ପନାର ପରିପୋଷକରୂପେ ବ୍ୟବହୁତ ହୋଇଅଛି । ରଚନାରେ ଅନେକ ସମୟରେ ପ୍ରସିଦ୍ଧ ବାକ୍ୟ ବା ପ୍ରବାଦ ସହିତ ବିରୁଦ୍ଧ ବିଷୟବସ୍ତୁକୁ ସନ୍ନିବେଶିତ କରିବାଦ୍ୱାରା ମଧ୍ୟ କଳ୍ପାନାର ଉତ୍ତେଜନା ସମ୍ଭବପର ହୋଇଥାଏ । ‘କଥାରେ ଅଛି ‘ଘୋଡ଼ା ଅର୍ଜେ ଗଧ ଖାଏ’; ମାତ୍ର କେହନ୍ତି, ‘ଗଧ ଅର୍ଜେ ଘୋଡ଼ାଖାଏ’ (ଶତଚିନ୍ତା ପୃ ୫୦) ‘ସଂସାର ଅନିତ୍ୟ; ମାତ୍ର ଖ୍ୟାତି ନିତ୍ୟ’ ଏପରି ବାକ୍ୟମାନଙ୍କରେ ମଧ୍ୟ ଭାବଗତ ବିରୋଧ ଲେଖାକୁ ସରସ କରୁଅଛି ।

 

ବିରୋଧ ନାନା ପ୍ରକାରରେ ମଧ୍ୟ ପ୍ରକାଶିତ ହୋଇପାରେ । କୌଣସି ବର୍ଣ୍ଣନା କରି ପରେ ତାକୁ ନିଷେଧ କରି ଯଦି ଲେଖକ ତାହାର ଅନ୍ୟ ପ୍ରକାର ଅର୍ଥ ସୂଚିତ କରେ, ତେବେ ମଧ୍ୟ ବିରୋଧର ଆଭାସ ସ୍ୱୀକାର କରିବାକୁ ହୁଏ । ଅନେକ ରଙ୍ଗର ଫୁଲରେ ଗ୍ରଥିତ ଗୋଟିଏ ମାଳାର ବର୍ଣ୍ଣନା କରି ଯଦି ଲେଖକ ପରେ ଲେଖେ ଯେ ବାସ୍ତବରେ ତାହା ମାଳା ନୁହେଁ, ଭିନ୍ନ ପରିଚ୍ଛଦଧାରଣୀ ଅନେକଗୁଡ଼ିଏ ସ୍ତ୍ରୀଲୋକର ସମାବେଶ ମାତ୍ର, ତେବେ ପୂର୍ବ ବର୍ଣ୍ଣନା ସହିତ ପରବର୍ତ୍ତୀ ବର୍ଣ୍ଣନାର ବିରୋଧ କଳ୍ପିତ ହୋଇପାରେ ଓ ପାଠକମନରୁ ପୂର୍ବ ଚିତ୍ରଟି ଅପସୃତ ହୋଇ ହଠାତ୍‌ ଗୋଟିଏ ନୂତନ ଚିତ୍ର ଅଙ୍କିତ ହେଉଥିବାରୁ ଲେଖା ମଦ୍ୟ ସରସ ହୁଏ । ପୁଣି କାରଣ ଥାଇ ମଧ୍ୟ କୌଣସି କାର୍ଯ୍ୟ ସଂଘଟିତ ହେଉ ନାହିଁ, ଏଥିରେ ମଧ୍ୟ ବିରୋଧ ସ୍ୱୀକାର କରାଯାଇପାରେ ଓ ତାହା ମଧ୍ୟ କଳ୍ପନାକୁ ଜାଗ୍ରତ କରେ । ‘ଏକେ ନବଯୁବା, ଦୁଜେ ସେ କୁମାର, ସମ୍ମୁଖେ କିଶୋରୀ ବିଶ୍ୱଶୋଭାସାର, ନିର୍ଜ୍ଜନେ ବେନିଙ୍କ ଭେଟ ହେଲା ପୁଣି, କାହିଁକି କୁସୁମଶର ହେଲା ତୁନି’–ଏହି ଲେଖାରେ ପୂର୍ବବର୍ଣ୍ଣିତ ବିଷୟମାନଙ୍କର ବର୍ଣ୍ଣନାଦ୍ୱାରା ଯେଉଁ ସମ୍ଭାବନା ମନ ମଧ୍ୟରେ ଜାତ ହେଉଅଛି ଓ କ୍ରମୋକ୍ତିଦ୍ୱାରା ଯେଉଁ ସମ୍ଭାବନା ଉତ୍ତରୋତ୍ତର ବୃଦ୍ଧିପ୍ରାପ୍ତ ହେଉଅଛି, ହଠାତ୍‌ ତଦ୍‌ବିପରୀତ ବିଷୟକୁ ଅବତାରଣାଦ୍ୱାରା ପାଠକମନରେ କଳ୍ପନାର ଉଦ୍ରେକ ହେବା ସ୍ୱାଭାବିକ । ଏହିପରି ପ୍ରତ୍ୟାଶା ଓ ବାସ୍ତବ ଫଳ ମଧ୍ୟରେ ବିରୋଧ କଳ୍ପିତ ହୋଇପାରେ । କୌଣସି ରାଜପୁତ୍ର ବିବାହ ପ୍ରତ୍ୟାଶାରେ ସ୍ୱୟମ୍ବରସଭାକୁ ଯାଇ ସେଠାରେ ବିଫଳକାମ ହୋଇ ବଧ୍ୟଭୂମିକୁ ନୀତ ହେଲା, ଏଠାରେ କୁମାରର ପ୍ରତ୍ୟାଶା ଓ ବାସ୍ତବ ଘଟନା ମଧ୍ୟରେ ବିରୋଧ ଆମ୍ଭମାନଙ୍କ ମନକୁ ଆକୃଷ୍ଟ କରିପାରେ, ଏହିପରି ଜଣେ ଲୋକ ମୃତ୍ୟୁର ଦ୍ୱାରଦେଶରେ ଦଣ୍ଡାୟମାନ, ପରିତ୍ରାଣର କୌଣସି ଉପାୟ ନାହିଁ, ଏହି ସମୟରେ ଅକସ୍ମାତ୍‌ କୌଣସି ଦୈବୀ ଘଟଣାରୁ ତାହାର ପରିତ୍ରାଣ ହେଲା; ଏଠାରେ ମଧ୍ୟ ବିରୋଧଦ୍ୱାରା କଳ୍ପନା ମଧ୍ୟ ବିରୋଧଦ୍ୱାରା କଳ୍ପନା ଉତ୍ତେଜିତ ହେଉଅଛି । ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଏହିପରି ସାଧାରଣ ଅନୁଭୂତିର ବିରୁଦ୍ଧ ଥିବାରୁ କଳ୍ପନାକୁ ଜାଗ୍ରତ କରିବାରେ କ୍ଷମ ହୁଏ । ପୁଣି ଯେଉଁଠାରେ ଅସମ୍ଭବ ବା ଅସଙ୍ଗତ ପଦାର୍ଥମାନଙ୍କର ସମାବେଶ ଥାଏ, ସେଠାରେ ମଧ୍ୟ ବିରୋଧ ଆଭାସଦ୍ୱାରା କଳ୍ପନା ପରିପୁଷ୍ଟ ହୋଇଥାଏ । ‘ମୃଗତୃଷ୍ଣା ଜଳତୃଷ୍ଣାକୁ ନାଶିବ, ସ୍ୱପ୍ନ ପୁଣି ସତ୍ୟ ହୋଇବ’, ‘ଗର୍ହିତ କାର୍ଯ୍ୟ କରେ ଖଳ, ସାଧୁ ଲଭଇ ତାର ଫଳ’ ଏହିପରି ଅସମ୍ଭାବ୍ୟତା ବା ଅସଙ୍ଗତିର ଉଦାହରଣ । ଯଥାଯଥଭାବରେ ପ୍ରଯୁକ୍ତ ହେଲେ ଏପରି ବିରୋଧଦ୍ୱାରା ମଧ୍ୟ ରଚନା ସରସ ହୋଇପାରେ ।

 

କଳ୍ପନା ଅନ୍ୟ ଉପାୟରେ ମଦ୍ୟ ଜାଗ୍ରତ ହୋଇପାରେ । ଧ୍ୱନିର ଅନୁକରଣ ମଧ୍ୟରେ ସଚରାଚର କଳ୍ପନାର ଆଭାସ ମିଳେ । ‘ପାଣି ଫୁଟୁଛି’କୁ ‘ପାଣି ଟଗବଗ କରି ଫୁଟୁ ଛି’ରେ ପରିଣତ କଲେ ଅର୍ଥର କୌଣସି ପରିବର୍ତ୍ତନ ସାଧିତ ହେଲା ନାହିଁ, ମାତ୍ର ତାହାଦ୍ୱାରା କଳ୍ପନାର ଉଦ୍ରେକ କରିବା ସମ୍ଭବ । ‘ବରଷା ପଡ଼ୁଛି ଟୁପୁରୁ ଟୁପୁରୁ’, ‘ଚଳିଲା ହାହାରବେ ଯେହ୍ନେ ସ୍ୟନ୍ଦନ (ସୀତା ବନବାସ), ‘ତାହାର ଆଖିରୁ ଟପଟପ କରି ଲୁହ ବୋହିପଡ଼ିଲା’ ପ୍ରଭୃତି ବାକ୍ୟରେ ଧ୍ୱନି କଳ୍ପନାକୁ ପରିପୋଷଣ କରିବା ନିମନ୍ତେ ନିୟୋଜିତ ଓ ଏହାର ଫଳରେ ଆମ୍ଭେମାନେ ଧ୍ୱନିହୀନ ପଦାର୍ଥମାନଙ୍କରେ ଧ୍ୱନିକଳ୍ପନା କରିବାରେ ଅଗ୍ରସର ହେଉଁ । ‘ନିଶା ଗର୍ଜୁଚି’, ‘ଘରଟା ଖାଁ ଖାଁ କରୁଚି’ ନୀଳବକ୍‌ବକ୍‌ପାଣି’, ‘ଧୋବ ଫରଫର ଲୁଗା’, ‘କଳା କଟକଟ୍‌କୁରତା’ ପ୍ରଭୃତିରେ ଧ୍ୱନିର ଆଭାସ ଦିଆଯାଇ କଳ୍ପନାକୁ ଜାଗ୍ରତ କରିବାର ଚେଷ୍ଟା କରାଯାଉଅଛି ଓ ଯଥୋପଯୁକ୍ତଭାବରେ ବ୍ୟବହୃତ ହେଲେ ଏପରି ଧ୍ୱନିମୂଳକ ଶବ୍ଦଦ୍ୱାରା ବାସ୍ତବରେ ରଚନାର ସରସତା ସମ୍ପାଦିତ ହୋଇଥାଏ ।

 

କେତେକ ସ୍ଥଳରେ ପୁଣି ଅନୁକ୍ତି ଦ୍ୱାରା ମଧ୍ୟ କଳ୍ପନାକୁ ଉତ୍ତେଜିତ କରାଯାଇଥାଏ । ‘ରାମ କଣ କଲେ ସେ କଥା କହିବା ନିଷ୍ପ୍ରୟୋଜନ’–ଏଠାରେ ଲେଖକ ରାମର କାର୍ଯ୍ୟ ବର୍ଣ୍ଣନା ନ କରିବାରୁ ପାଠକ ମନରେ ତାହାର କାର୍ଯ୍ୟ ବିଷୟରେ କଳ୍ପନା ଜାଗ୍ରତ ହେଉଅଛି । Shakespeareଙ୍କର ପ୍ରସିଦ୍ଧ Julius Caesar ନାଟକରେ Antonio, Caesarଙ୍କ ଶେଷ ଉଇଲ ବିଷୟରେ ଲୋକମାନଙ୍କୁ କିଛି ନ କହିବାରୁ ଲୋକମାନେ ଅଧିକରୁ ଅଧିକ ଉତ୍ତେଜିତ ହେଉଅଛନ୍ତି, ଏହି ଉତ୍ତେଜନା ବାସ୍ତବରେ ଅନୁରକ୍ତିରୁ ଜାତ । କଥାଟି କହିଦେଲେ ତାହାର ଶକ୍ତି ଅନେକାଂଶରେ ବ୍ୟାହତ ହୁଏ; ମାତ୍ର ଅନୁକ୍ତ ରହିଲେ ଓ ତାହାର ଇଙ୍ଗିତ ମାତ୍ର ଦିଆଗଲେ ସେ ବିଷୟରେ ପାଠକର କଳ୍ପନା ନାନାଭାବରେ ଉଦ୍‌ବୁଦ୍ଧ ହୋଇଉଠେ । ଅନେକ ସମୟରେ ଗଳ୍ପର ଶେଷରେ ଏହିପରି ଅନୁକ୍ତି ଥାଇ (ଯଥା;– ତାପରେ –,) ପାଠକକୁ ରଚନାର ରସକୁ କଳ୍ପନାଦ୍ୱାରା ଗ୍ରହଣ କରିବା ନିମନ୍ତେ ଉତ୍ତେଜିତ କରେ ।

 

***

 

ପଞ୍ଚମ ପରିଚ୍ଛେଦ

ଆବେଗ ପରିପୋଷକ ଅଳଙ୍କାର

 

ବାକ୍ୟ ମଧ୍ୟରେ କେତେକ ଅଳଙ୍କାର ଆବେଗପରିପୋଷକରୂପେ ବ୍ୟବହୃତ ହୋଇଥାନ୍ତି-। ସାଧାରଣତଃ ଯେପରି ଭାବରେ ବାକ୍ୟ ରଚନା କରୁଁ ଆବେଗ ପ୍ରକାଶ କରିବା ନିମନ୍ତେ ସେଥିରେ ଅନେକ ପ୍ରକାର ଭଙ୍ଗୀ ଘଟାଇ ଥାଉଁ ଓ ଏପରି ବିକୃତ ଏକ ଦିଗରେ ଲେଖକର ଆବେଗ ପ୍ରକାଶିତ କରେ, ଅନ୍ୟ ଦିଗରେ ପାଠକମନରେ ମଧ୍ୟ ଆବେଗ ସଞ୍ଚାରିତ କରେ । ‘ସେ କାଲି ମରିଗଲେ’ ଏହା ସାଧାରଣ ବାକ୍ୟ, ଏଥିରେ ଆବେଗର ଆଭାସ ନାହିଁ । କିନ୍ତୁ ଏହି ବାକ୍ୟକୁ ଯଦି ‘କାଲି ଆଉ ଆଜି ମଧ୍ୟରେ କି ପ୍ରଭେଦ; କାଲି ସେ ଥିଲେ, ଆଜି ସେ ନାହାନ୍ତି; କାଲି ସେ ଜୀବିତ, ଆଜି କିନ୍ତୁ ମୃତ; ଆଉ ତାଙ୍କ ଦେଖା ମିଳିବ ନାହିଁ, ଆଉ ତାଙ୍କର ସାହାର୍ଯ୍ୟ ସାହଚର୍ଯ୍ୟ ଆମ୍ଭେମାନେ ପାଇବୁ ନାହିଁ, ଆଉ ତାଙ୍କର ମଧୁର ବାକ୍ୟ ଆମ୍ଭମାନଙ୍କୁ ଅନୁପ୍ରାଣିତ କରିବ ନାହିଁ’ ବାକ୍ୟରେ ପରିଣତ କରୁଁ ତେବେ ମଧ୍ୟ ଆବେଗର ଆଭାସ ସୁସ୍ପଷ୍ଟ ହେବ । ଲେଖକର ଆବେଗ ପାଠକର ମନକୁ ଅନୁପ୍ରାଣିତ କରେ, ତାହାର ବୁଦ୍ଧିବୃତ୍ତିକୁ ପ୍ରଭାବିତ କରି ତାକୁ ରସ ଗ୍ରହଣରେ ଉନ୍ମୁଖ କରେ; ଏଣୁ ଆବେଗର ପ୍ରକାଶଦ୍ୱାରା ସରସ ହୁଏ । ଆବେଗ ଅବଶ୍ୟ ଅନେକ ସ୍ଥାନରେ କଳ୍ପନା ସହିତ ସମ୍ପୃକ୍ତ, କିନ୍ତୁ ତାହାର ପ୍ରଭାବ ଭିନ୍ନ ଭାବରେ ଅନୁସରଣ କରିବା ସମ୍ଭବପର ହେଉଥିବାରୁ ତାକୁ ପୃଥକ୍‌ ଭାବରେ ସ୍ୱୀକାର କରି ତାର ଆଲୋଚନା କରିବାକୁ ହୁଏ ।

 

ଆବେଗ ପ୍ରକାଶକ ଅଳଙ୍କାର ମଧ୍ୟରେ (୧) ଅଧିକପଦତା, (୨) ନ୍ୟୂନପଦତା, (୩) ଭଗ୍ନୋକ୍ତି, (୪) ପ୍ରଶ୍ନୋକ୍ତି, (୫) ଭାବୋକ୍ତି ପ୍ରଧାନ ଓ ଏମାନଙ୍କ ପୃଥକ୍‌ ପୃଥକ୍‌ ଭାବରେ ଆଲୋଚନା କରାଯାଇପାରେ ।

 

ଅଧିକପଦତା ଆବେଗ ପ୍ରକାଶର ଏକ ପ୍ରଧାନ ଉପାୟ । ଆବେଗରେ ଅନୁପ୍ରାଣିତ ହେଉଥିବାରୁ ଲେଖକ ଭାଷାକୁ ସଂଯତ କରିପାରେ ନାହିଁ । ପୁନଃ ପୁନଃ ଏକାର୍ଥକ ଶବ୍ଦ ବ୍ୟବହାର କରେ, ମୁହୁର୍ମୁହୁଃ ଏକ ଭାବକୁ ଭିନ୍ନ ଭାଷାରେ ପ୍ରକାଶିତ କରେ, ଗୋଟିଏ ଆବେଗର ପରିପୋଷକ ନାନା ବାକ୍ୟଦ୍ୱାରା ତାହାର ଭାଷା ମୁଖର ହୋଇ ଉଠେ, ଏଣୁ ଅଧିକପଦତା ଆବେଗର ପରିଚାୟକ । ଅଧିକପଦତାର ଗୋଟିଏ ଉଦାହରଣ ପୁନରୁକ୍ତି, କୌଣସି ପଦକୁ ପୁନଃପୁନଃ ଉକ୍ତ କରାଗଲେ କିମ୍ବା କୌଣସି ବାକ୍ୟ ବିନ୍ୟାସକୁ ମଧ୍ୟ ପୁନଃ ପୁନଃ ପ୍ରୟୋଗ କରାଗଲେ ତାହାଦ୍ୱାରା ଆବେଗ ସୂଚିତ ହୋଇପାରେ । ଅନେକ ସମୟରେ ପୁନରୁକ୍ତିଦ୍ୱାରା ମାଧୁର୍ଯ୍ୟ ବ୍ୟାହତ ହୁଏ, ମାତ୍ର ଅନେକ ସ୍ଥଳରେ ପୁଣି ଏହାଦ୍ୱାରା ରଚନାର ଚମତ୍କାରିତା ସମ୍ପାଦିତ ହୋଇଥାଏ । ଏଣୁ ଏହାର ଯଥାଯଥ ପ୍ରୟୋଗ ବାଞ୍ଛନୀୟ । ‘କଣ କେଉଁ ଦଣ୍ଡ ସେ ଦେବେ ଶୁଣିବାକୁ ? ନା, ନା, ତାଙ୍କର ଆଦେଶ ପାଇବାକୁ ’ (ସାଉଣ୍ଟା ଚାଙ୍ଗୁଡ଼ି ୩୯ ପୃଷ୍ଠା) ଏଠାରେ ‘ନା’ ର ପୁନରୁକ୍ତି ଆବେଗ ସୂଚିତ କରୁଅଛି । ଉପବାସ ଲଙ୍ଘନର କାରଣ ସେମାନଙ୍କ ନିକଟରେ ଯେପରି ଅସ୍ପଷ୍ଟ ଓ ରହସ୍ୟମୟ, ସେମାନଙ୍କର ନିଜ ଉପବାସ ପାଳନର କାରଣ ମଧ୍ୟ ସେହିପରି ଅସ୍ପଷ୍ଟ ଓ ରହସ୍ୟ’ (ସାଉଣ୍ଟା ଚାଙ୍ଗୁଡ଼ି ୪୯ ପୃଷ୍ଠା) ଏଠାରେ ଅସ୍ପଷ୍ଟ ଓ ରହସ୍ୟମୟ ପଦମାନଙ୍କର ଦ୍ୱିରୁକ୍ତି ବକ୍ତାର ଆବେଗ ସୂଚିତ କରୁଅଛି । ‘ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ସ୍ଥଳରେ, ପ୍ରତ୍ୟେକ ଭାବନାରେ ଚିତ୍ତଶୁଦ୍ଧି ପ୍ରୟୋଜନ’ (ଶତଚିନ୍ତା୧୧୩ ପୃଷ୍ଠା) ବାକ୍ୟରେ ‘ପ୍ରତ୍ୟେକ’ ପଦର ପୁନରାବୃତ୍ତିଦ୍ୱାରା ଆବେଗ ସୂଚିତ ହେଉଅଛି । ପୁଣି ‘ଯେଉଁମାନେ ଦେଶର ସୁସନ୍ତାନ, ଯେଉଁମାନେ ଦେଶପାଇଁ ନିଜର ସ୍ୱାର୍ଥକୁ ବଳି ଦେଇଅଛନ୍ତି, ଯେଉଁମାନଙ୍କର କାର୍ଯ୍ୟାବଳୀ ସାଧାରଣଙ୍କ ପ୍ରାଣରେ ନବଜୀବନ ଦାନ କରୁଅଛି‘ (ଶତଚିନ୍ତା ୯୭ ପୃଷ୍ଠା) ଏଠାରେ ମଧ୍ୟ ବାକ୍ୟବିନ୍ୟାସରେ ପୁନରୁକ୍ତି ଓ ଗୋଟିଏ ଭାବକୁ ନାନାରୂପରେ ପ୍ରକାଶ କରିବା ପ୍ରଯତ୍ନରେ ଆବେଗ ଚିହ୍ନ ସୁସ୍ପଷ୍ଟ । ‘ମୁଁ କ୍ଷୁଧିତ ଥିଲି, ତମେମାନେ ମୋତେ ଖାଇବାକୁ ଦେଇଥିଲ, ମୁଁ ତୁଷିତ ଥିଲି, ତୁମ୍ଭେମାନେ ମୋତେ ପିଇବାପାଇଁ ଜଳ ଦେଇଥିଲ, ମୁଁ ଅପରିଚିତ ସ୍ୱରୂପ ଆସିଥିଲି, ତୁମ୍ଭେମାନେ ଅତିଥିସତ୍କାର କରିଥିଲ, ମୁଁ ଉଲଙ୍ଗ ଥିଲି, ମତେ ବସ୍ତ୍ର ଦେଇଥିଲ, ମୁଁ ପୀଡ଼ିତ ଥିଲି, ମତେ ସଙ୍ଖୁଳି ଥିଲ, ମୁଁ କାରାଗାରରେ ଥିଲି, ମୋତେ ସନ୍ଧାନ ନେଇଥିଲ’ (ସାଉଣ୍ଟା ଚାଙ୍ଗୁଡ଼ି ୮୧ ପୃଷ୍ଠା) ବାକ୍ୟରେ ଭାବର ପୁନରୁକ୍ତିରେ ଭାଷାଗତ ପାର୍ଥକ୍ୟ ଥିଲେହେଁ ଆବେଗର ପରିଚୟ ସ୍ପଷ୍ଟଭାବରେ ମିଳେ । ଉପରୋକ୍ତ ବାକ୍ୟଟିକୁ ସଂକୁଚିତ ଭାବରେ ପ୍ରକାଶିତ କରିବା ସହଜ ଓ ସମ୍ଭବପର, ମାତ୍ର ଏପରି ସଙ୍କୋଚନଦ୍ୱାରା ଭାଷାର ଆବେଗ ଓ ଉଦ୍ଦୀପନା ସମ୍ପୂର୍ଣ୍ଣଭାବରେ ନଷ୍ଟ ହୋଇଯିବ । ‘ଆଜିଠୁ’’ ସେ ତାଙ୍କ କ୍ରୀତଦାସୀ, ‘ପ୍ରଭୁ’ ତାଙ୍କର ପ୍ରଭୁ, ମାଲିକ’ (ସାଉଣ୍ଟା ଚାଙ୍ଗୁଡ଼ି ୩୯ ପୃଷ୍ଠା) ଏଠାରେ ମଧ୍ୟ ପ୍ରଭୁର ପୁନରୁକ୍ତି, ମାଲିକ ଶବ୍ଦର ପ୍ରୟୋଗ, କ୍ରୀତଦାସୀ କହିବା ପରେ ପରବର୍ତ୍ତୀ ଶବ୍ଦମାନଙ୍କର ଅନାବଶ୍ୟକ ବ୍ୟବହାର କେବଳ ଆବେଗ ପ୍ରକାଶ କରିବା ନିମନ୍ତେ ନିହିତ ହୋଇଅଛି । ବକୃତାରେ ଏପରି ପୁନରୁକ୍ତି ସଦା ସର୍ବଦା ବ୍ୟବହୃତ ହୋଇଥାଏ । କାରଣ ବକ୍ରୃତା ଆବେଗମୟ ଉଚ୍ଛ୍ୱାସଯୁକ୍ତ ଭାଷାରେ ଅଭିବ୍ୟକ୍ତ । ‘ମନୁଷ୍ୟଜୀବନରେ ଜୁଆର ଭଟ୍ଟା ଅଛି, ଅନୁକୂଳ ପ୍ରତିକୂଳ ସମୟ ଅଛି’, ‘ତାଙ୍କ ଆତ୍ମା ନିରନ୍ତର ଆମ୍ଭମାନଙ୍କ ନିକଟରେ କାକୁତି ମିନତି କରନ୍ତି ନାହିଁ । ସଦାବେଳେ ଆମ୍ଭମାନଙ୍କୁ ସାଧ୍ୟ ସାଧନା କରନ୍ତି ନାହିଁ’ (ସାଉଣ୍ଟା ଚାଙ୍ଗୁଡ଼ି ପୃ୬୧), ‘ସେ ଚାଲିଯାନ୍ତି ବଡ଼ ଦୁଃଖିତ ହୋଇ–ବଡ଼ ବ୍ୟଥିତ ହୋଇ’ ବାକ୍ୟମାନଙ୍କରେ ଗୋଟିଏ ଭାବକୁ ବିଭିନ୍ନ ଭାଷାରେ ପ୍ରକାଶିତ କରାଯାଇଅଛି ଅର୍ଥାତ୍‌ଏ ସବୁ ବାକ୍ୟରେ ଭାବର ପୁନରୁକ୍ତି ସୁସ୍ପଷ୍ଟ ଓ ଏହି ପୁନରୁକ୍ତି କେବଳ ଆବେଗ ପ୍ରକାଶ କରିବା ନିମନ୍ତେ ପ୍ରଯୁକ୍ତ । ‘ସାଉଣ୍ଟା ଚାଙ୍ଗୁଡ଼ି’ରେ ବକ୍ତୃତାକାଳୀନ ଭାଷା ପ୍ରଯୁକ୍ତ ହୋଇଥିବାରୁ ଏଥିରେ ଏପରି ପୁନରୁକ୍ତି ଉଦାହରଣ ପ୍ରାୟ ପ୍ରତ୍ୟେକ ପୃଷ୍ଠାରେ ଦେଖାଯାଏ ।

 

ପୁନରୁକ୍ତି ଅଧିକପଦତାର ଗୋଟିଏ ଉଦାହରଣ ମାତ୍ର । କିନ୍ତୁ ସ୍ପଷ୍ଟ ପୁନରୁକ୍ତି ନ ଥାଇ ମଧ୍ୟ ଅଧିକପଦତା ଥାଇପାରେ । ‘କେହି କୁଙ୍କୁମ, କେହି ଚନ୍ଦନ, କେହି ବା କର୍ପୂର, ଏହିପରି ବିଭିନ୍ନ ବ୍ୟକ୍ତି ବିଭିନ୍ନ ପୂଜାସାମଗ୍ରୀ ସମର୍ପଣ କରିବାରେ ସତସତ ନିଯୁକ୍ତି ’ (ପ୍ରବନ୍ଧ ସୋପାନ ପୃ୧୦୦) ଏହି ବାକ୍ୟରେ ବିଭିନ୍ନ ପୂଜସାମଗ୍ରୀର ଉପାଦାନମାନ ପ୍ରଥମ ସାତଗୋଟି ପଦରେ ନିଦ୍ଦିଷ୍ଟ ହୋଇଅଛି ମାତ୍ର ଏପରି ବିଶଦ ନିର୍ଦ୍ଦେଶ ଦେବା ମଧ୍ୟରେ ଆବେଗ ପ୍ରକାଶ ଭିନ୍ନ ଅନ୍ୟ କୌଣସି ସାର୍ଥକତା ନାହିଁ । ଅବଶ୍ୟ ‘ପୂଜାସାମଗ୍ରୀ’ର ବିଶ୍ଲେଷଣଦ୍ୱାରା କଳ୍ପନାକୁ ପ୍ରକାଶିତ କରିବାର ପ୍ରୟାସ କରାଯାଇଅଛି, ମାତ୍ର ଭାବଟିକୁ ସଂକୁଚିତ ଭାବରେ ପ୍ରକାଶିତ କରିବା ସମ୍ଭବ ହେଲେହେଁ ତାହାର ବିସ୍ତୁତିଦ୍ୱାରା ଲେଖକର ଆବେଗ ସୂଚିତ ହେଉଅଛି, ମାତ୍ର ଏଠାରେ ଆବେଗ ସ୍ପଷ୍ଟ ନୁହେଁ । କିନ୍ତୁ ‘ସତତ’ ବାସ୍ତବରେ ଏଠାରେ ନିରର୍ଥକ, ଏହା ‘ଅଧିକପଦ’, କେବଳ ଲେଖକର ଆବେଗ ସୂଚିତ କରିବା ନିମନ୍ତେ ଏଠରେ ପ୍ରଯୁକ୍ତ, କାରଣ ବାକ୍ୟରେ ଏହାର କୌଣସି ଗୁରୁତ୍ୱ କିମ୍ବା ପ୍ରୟୋଜନ ନାହିଁ । ଏହିପରି ‘ ମୋହର କରଣୀୟ ପୂଜା ପାଇଁ ମୁଁ ଯୋଗ୍ୟ, ମୁଁ ସମର୍ଥ, ତାହା ମୁଁ କରିପାରେ, ଅନ୍ୟ କେହି କରିପାରେ ନାହିଁ, ସେହିପରି ତୁମ୍ଭର ପୂଜା ତୁମ୍ଭର, ସେଥିପାଇଁ ତୁମ୍ଭେ ଯୋଗ୍ୟ, ତୁମ୍ଭେ ସମର୍ଥ, ସେଥିରେ ମୋର ବା ଅନ୍ୟ ବ୍ୟକ୍ତିର ଅଧିକାର ନାହିଁ’ (ପ୍ରବନ୍ଧ ସୋପାନ) ବାକ୍ୟରେ ମଧ୍ୟ ପୁନରୁକ୍ତି ଓ ଅଧିକପଦତାର ସ୍ପଷ୍ଟ ବ୍ୟବହାର ରହିଅଛି । ଯାହା ସଂକୁଚିତ ଭାବରେ ପ୍ରକାଶ କରାଯାଇପାରେ, ତାହାର ବିସ୍ତୃତ ପ୍ରକାଶରେ ଅଧିକପଦତା ଥାଏ ଓ ଯେଉଁ ପଦ ବାକ୍ୟରେ ବାସ୍ତବରେ ନିରର୍ଥକ ତାହାରା ପ୍ରୟୋଗରେ ମଧ୍ୟ ଅଧିକପଦତା ସ୍ପଷ୍ଟ । ‘‘ଯଦି ବ୍ୟକ୍ତି ସତ୍ୟ ହୁଏ ତେବେ ଜାତି ମିଥ୍ୟା, ଯଦି ଜାତି ସତ୍ୟ ହୁଏ ତେବେ ବ୍ୟକ୍ତି ମିଥ୍ୟା’ (ପ୍ରବନ୍ଧ ସୋପାନ ୯୭) ବାକ୍ୟଟିକୁ ବ୍ୟକ୍ତି ବା ଜାତି ମଧ୍ୟରେ ଗୋଟିଏ ସତ୍ୟ ହେଲେ ଅନ୍ୟଟି ମିଥ୍ୟା’ ରୂପରେ ପ୍ରକାଶିତ କଲେ ଅର୍ଥସଙ୍ଗତ ବ୍ୟାହତ ହେବ ନାହିଁ, ପାଞ୍ଚଗୋଟି ପଦ କମ ବ୍ୟବହୃତ କରାଯାଇ ସମାନ ଅର୍ଥ ପ୍ରକାଶିତ ହୋଇ ପାରିବ, ମାତ୍ର ଅଧିକ ପଦ ବ୍ୟବହାର କରାଯାଇ ଲେଖକର ଆବେଗ ବ୍ୟକ୍ତ କରାଯାଉଛି । ରଚନା ମଧ୍ୟସ୍ଥ ଅଧିକପଦତା ପାଠକର ମନକୁ ଆଚ୍ଛନ୍ନ ଓ ଅଭିଭୂତ କରିବା ନିମନ୍ତେ ପ୍ରଯୁକ୍ତ ହୁଏ ଓ ପାଠକ ତାହାଦ୍ୱାରା ପ୍ରଭାବିତ ହୋଇ ବିଷୟବସ୍ତୁର ସତ୍ୟାସତ୍ୟ ନିର୍ଣ୍ଣୟ କରିବା ଦିଗରେ ଉନ୍ମୁଖ ନ ହୋଇ ତାହାର ସତ୍ୟାସତ୍ୟକୁ ସ୍ୱୀକାର କରିନିଏ । କୌଣସି ଆବେଗ ମନ ମଧ୍ୟରେ ପ୍ରବଳ ହେଲେ ଆମ୍ଭେମାନେ ଭାଷାର ସଂଯମ ହରାଇ ଭାବଟିକୁ ନାନା ଭାଷାରେ ପ୍ରକାଶିତ କରୁଁ, ଏଣୁ ଯେଉଁଠାରେ ଭାଷାରେ ଅସଂଯମ ବା ପ୍ରୟୋଗରେ ଅଧିକପଦତା ଦେଖାଯାଏ ସେଠାରେ ଆବେଗର ପ୍ରଭାବ ଅନୁସନ୍ଧାନ କରାଯାଇପାରେ । ‘ଗଲାଣି ତ ଗଲା କଥା’ ‘ଧନ୍ୟ ଧନ୍ୟରେ ଆକାଶ ଧନ୍ୟ ତୋ ମହିମା’, କେହି ନ ଶୁଣିଲେ ବାହୁନି ବାହୁନି କଲି ମୁଁ ଯେତେ ବିଳାପ’, ‘ନ ମାଗଇ ମୁକ୍ତି, ନ ମାଗେ ସମ୍ପତ୍ତି, ନ ମାଗଇ ଦିବ୍ୟଜ୍ଞାନ’, ଆସନ୍ତେ ଦ୍ରୌପଦୀ କର ଧରିଣ ମନ୍ତ୍ରୀର, ଆସ ଆସ ଦେବୀ ଗୋ ଡାକଇ ଭୀମବୀର’ ପ୍ରଭୃତି ବାକ୍ୟରେ ଆବେଗଜନିତ ପୁନରୁକ୍ତି ବା ଅଧିକପଦତାର ସ୍ପଷ୍ଟ ପରିଚୟ ମିଳେ । ‘ଧିକ୍‌ ଧିକ୍‌ ଶତ ଧିକ୍‌ ଧିକ୍‌ ଏ ମନ୍ତ୍ରଣା’ ବାକ୍ୟରେ ପୁନରୁକ୍ତି ନ ହୋଇଥିଲେ ଆବେଗର ଛାୟା ଆଦୌ ରହନ୍ତା ନାହିଁ ।

 

ଗଦ୍ୟରେ ଅନେକ ସମୟରେ ବାକ୍ୟଗଠନର ସମତା ରକ୍ଷା କରିବା ନିମନ୍ତେ ଯେପରି ପୁନଃପୁନଃ ଏକାପ୍ରକାର ଶବ୍ଦର ବ୍ୟବହାର ସ୍ୱୀକୃତ ହୁଏ, ପଦ୍ୟରେ ମଧ୍ୟ ଏକାଧିକ ଅଂଶ ମଧ୍ୟରେ ସେହିପରି ପୁନଃପୁନଃ ଉକ୍ତିଦ୍ୱାରା ସମତା ରକ୍ଷିତ ହୋଇଥାଏ । ‘ଯେଉଁ ହିନ୍ଦୁ ଏକ ସମୟରେ ଧର୍ମ ଓ ଜ୍ଞାନରେ..ଶୀର୍ଷସ୍ଥାନୀୟ ଥିଲା, ଯେଉଁ ଜାତିର ଅଷ୍ଟମ ବର୍ଷୀୟ ବାଳକ ଧ୍ରୁବ ଭଗବାନଙ୍କୁ ପ୍ରାୟ ହୋଇଥିଲା, ଯେଉଁ ଜାତିର ସନ୍ତାନଗଣ ଚିରକାଳ......କର୍ତ୍ତବ୍ୟପଥରେ ଅଗ୍ରସର, ସେହି ହିନ୍ଦୁର ଆମ୍ଭେମାନ ସନ୍ତାନ । ଯହିଁରେ ଆମ୍ଭେମାନେ ଚିରଦିନ ଭକ୍ତି ରଖି ପାରିବୁ; ଯହିଁରେ ଜାତୀୟତା ଭୁଲି ଅଧଃପାତରେ ଯାଇ ନ ପାରୁ, ଯହିଁରେ ଆକଳ୍ପ ଗୌରବାନ୍ୱିତ ରହି ପାରୁଁ ସେଥିପାଇଁ ଯତ୍ନବାନ୍‌ ହେବା ସର୍ବାଦୌ କର୍ତ୍ତବ୍ୟ’ (ଉତ୍କଳ ପ୍ରକୃତି ପୃ ୧୯୫) ଏହି ବାକ୍ୟମାନଙ୍କର ଏକ ପ୍ରକାରରେ ଗଠିତ ବାକ୍ୟାଂଶମାନଙ୍କର ପୁନଃପୁନଃ ପ୍ରୟୋଗଦ୍ୱାରା ଲେଖକର ଆବେଗ ସ୍ପଷ୍ଟଭାବରେ ସୂଚିତ ହେଉଅଛି ଓ ପାଠକମନରେ ମଦ୍ୟ ଏହିପରି ପୁନରୁକ୍ତି ଜନିତ ଆବେଗ ସଞ୍ଚାରିତ ହେଉଅଛି । ପଦ୍ୟରେ ମଧ୍ୟ ଏହିପରି ପୁନରୁକ୍ତିର ନାନା ନିଦର୍ଶନ ମିଳେ–‘ମିଶିଯାଏ ଯଥା ପ୍ରଭାତୀ ତାରା ରବିକିରଣେ ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ, ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ, ମିଶିଗଲା ତଥା ଅବଳା ସେହି ନୀଳତରଙ୍ଗେ-’ (ଚନ୍ଦ୍ରଭାଗା) ।

 

ପଦରେ ପ୍ରତ୍ୟେକ ପଂକ୍ତିର ଆରମ୍ଭରେ ଏହିପରି ଶବ୍ଦମାନଙ୍କର ପୁନରୁକ୍ତି ଥିଲେ ତାହାଦ୍ୱାରା ଆବେଗର ପ୍ରକାଶ ସୂଚିତ ହୋଇଥାଏ । ବାସ୍ତବରେ ପ୍ରତ୍ୟେକ ପୁନରୁକ୍ତି ଅଧିକପଦତାର ନିଦର୍ଶନ, ଏଣୁ ଉଭୟଙ୍କୁ ଏକତ୍ର ବିଚାର କରାଯାଏ ଓ ପୁନରୁକ୍ତିକୁ ଅଧିକପଦତାର ନାମାନ୍ତର ବୋଲି ଗଣନା କଲେ ମଧ୍ୟ କ୍ଷତି ନାହିଁ ।

 

ନ୍ୟୂନପଦତା ମଧ୍ୟ ଏହିପରି ଆବେଗ ପ୍ରକାଶର ଅନ୍ୟତମ ଉପାୟ । ଯେତେବେଳେ ମନ ଆବେଗ ଉଦ୍‍ବେଳିତ, ଯେତେବେଳେ ଲୋକର ଚିନ୍ତା କ୍ଷୀଣ ହୋଇ ଆବେଗଦ୍ୱାରା ପ୍ରଭାବିତ, ତେତେବେଳେ ଭାଷାର ପ୍ରକାଶକ୍ଷମତା ବ୍ୟାହତ ହୁଏ । ମନୁଷ୍ୟ ଭୟରେ, କ୍ରୋଧରେ, ବିସ୍ମୟରେ, ଶୋକରେ, ନିର୍ବାକ୍‌ ହୋଇଯାଏ, ନିଜର କଥାକୁ ପୂର୍ଣ୍ଣଭାବରେ ପ୍ରକାଶ କରିପାରେ ନାହିଁ, ତାହାର ବ୍ୟାକରଣଜ୍ଞାନ ସାମୟିକ ବିଭାବରେ ଲୁପ୍ତ ହୋଇଯାଏ । ହିମାଳୟର ବିରାଟ ମୂର୍ତ୍ତି ଦେଖି କବିଙ୍କର ଚିତ୍ତବୃତ୍ତି ଥକି ଯାଇଥିଲା । ସେ ଭାଷାରେ ନିଜଭାବ ପ୍ରକାଶ କରି ନ ପାରି ଲେଖିଲେ ‘ମନେ ମନେ କହି ନମିଲି ନୀରବେ, ନମୋ ଦେବାତ୍ମନେ ଶ୍ରୀଗୌରୀଗୁରବେ’ । ଏଠାରେ କବି ଆବେଗଦ୍ୱାରା ଅନୁପ୍ରାଣିତ ହୋଇଥିବାରୁ ଭାବର ସ୍ପଷ୍ଟ ପ୍ରାକାଶରେ ଆଶକ୍ତ । ପୁଣି ଭକ୍ତି ବା ଭୟରେ ସ୍ୱରଭଙ୍ଗ ବା ଗଦ୍‌ଗଦ ଧ୍ୱିନଜନିତ ଭାଷାର ଅସ୍ପଷ୍ଟତା ମଧ୍ୟ ସାହିତ୍ୟରେ ସ୍ୱୀକୃତ । ଆବେଗର ନ୍ୟୂନପଦତାଦ୍ୱାରା ପ୍ରକାଶର ଏସବୁ ଉଦାହରଣ । ଆବେଗଜନିତ ନ୍ୟୂନପଦତାର ଅତିସାଧାରଣ ଅଭିବ୍ୟକ୍ତି ସଂଯୋଜକର ଲୋପରେ ଦେଖାଯାଏ । ‘ଅଶାନ୍ତି, ପାପ, ଅପକର୍ମ, ସ୍ୱେଚ୍ଛାଚାରିତା ଯେପରି ଭାବରେ ସମାଜରେ ଆତ୍ମପ୍ରକାଶ କରୁଛି’ (ଶତଚିନ୍ତା ପୃ ୪୬), ‘ସତେଜ, ସବଳ, ସୁନ୍ଦର ଅବୟବ ସର୍ବତ୍ର ଦେଖାଯାଏ ନାହିଁ’ (ଶତଚିନ୍ତା ପୃ ୮୦), ‘ବିପଦ, ଅପମାନ, ଲାଞ୍ଛନା ମନୁଷ୍ୟଭାଗ୍ୟରେ ବରାବର ଭୋଗ କରିବାକୁ ହୋଇଥାଏ’ (ଶତଚିନ୍ତା ପୃ ୮୬) ଏହି ସବୁ ବାକ୍ୟରେ ଲେଖକର ଆବେଗ ହେତୁରୁ ସଂଯୋଜକର ଲୋପ ହୋଇ ନ୍ୟୁନପଦତା ଘଟିଛି । ଗୋଟିଏ ବାକ୍ୟରେ ଲୋକଙ୍କର କୁକାର୍ଯ୍ୟ ଦେଖି ଲେଖକ ଏତେଦୂର ଶଙ୍କିତ, ଅନ୍ୟଟିରେ ଶରୀରଗଠନ ଦେଖି ଏତେ ମୁଗ୍ଧ, ତୃତୀୟ ବାକ୍ୟରେ ମନୁଷ୍ୟ ଦୁର୍ଭାଗ୍ୟ ଦେଖି ଏତେ ବିମର୍ଷଚିତ୍ତ ଯେ ଲେଖା ମଧ୍ୟରେ ସ୍ପଷ୍ଟ ଆବେଗର ଛାୟାପଡ଼ି ଲେଖକକୁ ବ୍ୟାକରଣଗତ ପ୍ରୟୋଗବିଧି ପ୍ରତି ଯଥେଷ୍ଟ ଅବିହତ କରୁ ନାହିଁ ଓ ସଂଯୋଜକ ପଦର ବ୍ୟବହାରରେ କାଳକ୍ଷେପଣ ନ କରି ଲେଖକ ଏକ ଭାବରୁ ଅନ୍ୟ ଭାବକୁ ଭାବାବେଶରେ ଗତି କରୁଅଛନ୍ତି । ଆବେଗଦ୍ୱାରା ଯେ କେବଳ ବାକ୍ୟରେ ସଂଯୋଜକ ପଦର ଲୋପ ଘଟିଥାଏ ତାହା ନୁହେଁ, ସମୟ ସମୟରେ କ୍ରିୟାପଦ ଓ ଅନ୍ୟାନ୍ୟ ପଦମାନଙ୍କର ମଧ୍ୟ ଲୋପ ଘଟିଥାଏ । ‘‘ମାନ ? ଲୋକପ୍ରିୟ ହେବା ନିମନ୍ତେ କେତେ ତୋଷାମୋଦ, କେତେ ଆତ୍ମପ୍ରଖ୍ୟାପନର ହୀନତା ସ୍ୱୀକାର କରେ । ଏ ମରୀଚିକାରେ ଜଳର ଅନ୍ୱେଷଣ !’’ ବାକ୍ୟମାନଙ୍କରେ ଅର୍ଥସଙ୍ଗତି ସକାଶେ ଅନ୍ୟାନ୍ୟ ପଦର ପ୍ରୟୋଜନ ଅଛି । ‘ମା, ମା ! ଏଡ଼େ ରାକ୍ଷସୀ ତୁମେ ! ମାମୁଁ ! ଏଡ଼େ ପିଶାଚ !..ଭାଇ, ଭାଇ । କାହିଁ ତୁମେ !’ (ଗୋବିନ୍ଦ ବିଦ୍ୟାଧର) ‘ଯୁବକର ମନ ତ ! କେତେବେଳେ କଣ ! ଯେତେ ଚଞ୍ଚଳ ପାରନ୍ତି, ମହାରାଜ...’ ‘ହଁ ହଁ ଛନ୍ଦିଦେଲେଇ କାମ୍‌’ (ଭଞ୍ଜ ଭୁଜଙ୍ଗ) ପ୍ରଭୃତିରେ ମଧ୍ୟ ଏହି ନ୍ୟୂନପଦତାର ସ୍ପଷ୍ଟ ଉଦାହରଣ ମିଳେ । ବାସ୍ତବରେ ପ୍ରତ୍ୟେକ ନାଟକରେ ଆବେଗମୟ ଉଚ୍ଛ୍ୱାସ ପୂର୍ଣ୍ଣ ଭାଷାର ବ୍ୟବହାର ହୋଇଥିବାରୁ ନ୍ୟୂନପଦତା ପ୍ରଭୃତି ଆବେଗପରିପୋଷକ ଅଳଙ୍କାରମାନଙ୍କର ବ୍ୟବହାର ନାଟକମାନଙ୍କରେ ସଚରାଚର ଦେଖାଯାଏ । କିନ୍ତୁ ନାଟକ ଛଡ଼ା ଗୁରୁତ୍ୱବିଷୟପୂର୍ଣ୍ଣ ପ୍ରବନ୍ଧ ପ୍ରଭୃତିରେ ମଧ୍ୟ ଏହାର ଉଦାହରଣ ଏକାନ୍ତ ବିରଳ ନୁହେଁ ।

 

ଗୋଟିଏ କଥା କହୁ ଅନ୍ୟ କଥା କହିବା, ଗୋଟିଏ ବାକ୍ୟ ସ୍ୱାଭାବିକ ଭାବରେ ସମ୍ପୂର୍ଣ୍ଣ ନ କରି ଅନ୍ୟ ବାକ୍ୟ ଆରମ୍ଭ କରିବା, ଗୋଟିଏ ବାକ୍ୟରେ ଦିଓଟୀ ପଦର ବ୍ୟବହାର କରି ବାକ୍ୟଟିକୁ ଅସମ୍ପୂର୍ଣ୍ଣ ରଖିବା ଭଗ୍ନୋକ୍ତିର ଉଦାହରଣ ଓ ଭଗ୍ନୋକ୍ତି ମଧ୍ୟ ଆବେଗର ପରିପୋଷକ । ଯେତେବେଳେ ମନ ଆବେଗରେ ପରିପୂର୍ଣ୍ଣ ତେତେବେଳେ ବାକ୍ୟର ଗଠନଦିଗରେ ଲକ୍ଷ୍ୟ ରହେ ନାହିଁ, ବାକ୍ୟ ସମ୍ପୂର୍ଣ୍ଣ ହେଲା କି ଅସମ୍ପୂର୍ଣ୍ଣ ହେଲା ତାହା ପ୍ରତି ଲକ୍ଷ୍ୟ ନ ରଖି ଲେଖକ କୌଣସି ପ୍ରକାରେ ଅନ୍ତର୍ନିହିତ ଆବେଗକୁ ପ୍ରକାଶ କରିବା ନିମନ୍ତେ; ଏଣୁ ଲେଖାମଧ୍ୟରେ ବାକ୍ୟ ସ୍ୱାଭାବିକ ଭାବରେ ପରିଣତ ଦିଗରେ ଗତି ନ କଲେ ଭଗ୍ନୋକ୍ତି ସ୍ୱୀକାର କରିବାକୁ ହୁଏ ଓ ଆବେଗର ଆଭାସ ମଦ୍ୟ ସୁସ୍ପଷ୍ଟ ମିଳେ । ନାଟକରେ ଏହାର ଶତ ଶତ ଉଦାହରଣ ମିଳେ, କାରଣ ନାଟକରେ ଆବେଗପୂର୍ଣ୍ଣ ଲେଖା ସ୍ୱାଭାବିକ । ‘କିନ୍ତୁ କାହାର କରସ୍ପର୍ଶରେ ଯେହ୍ନେ, ବାବା, ସେହି କ୍ଷୀଣ ବିଶ୍ୱାସ ମୋର କାହିଁ ଅନ୍ତର୍ହିତ ହୋଇ ଯାଉଛି, କେଉଁ ଦୃଢ଼ ଆତ୍ମବିଶ୍ୱାସ ବଳେ, କେଉଁ କଠୋର ସାଧନାର ଫଳେ । ବେଳେବେଳେ, ଏହି ଶିଳାଖଣ୍ଡ ଉପରେ ଯେବେ ଢଳିପଡ଼େ ସାରାଦିନ ଖଟି ଖଟି –ମୁଁ ଦେଖେଁ, କେଉଁ ନିଶାର ଗଭୀର କୋଳେ ଆଶାର ଦିବ୍ୟରେଖା’ (ଭଞ୍ଜ ଭୁଜଙ୍ଗ), ‘ଶତ୍ରୁ ନିକଟବର୍ତ୍ତୀ–ଦେ ମୋତେ ତରବାରୀ ବିମଳା–ଥରେ ଖେଳ ଦେଖେଁ- ବହୁଦିନ ପୂର୍ବେ ଖେଳିଥିଲି- ସେ ଖେଳ ଆଜି ମୋର ମନେ ଅଛି କି ନାହିଁ ?’ (ସେଓଜି) ଏହିପରି ଲେଖା ନାଟକରେ ଅହରହଃ ମିଳେ, କିନ୍ତୁ ସାଧାରଣ ଗଦ୍ୟରେ ମଧ୍ୟ ଏହାର ଉଦାହରଣ ମିଳିପାରେ । ‘ଅତୀତର ସମସ୍ତ ଗୌରବ ପଛରେ ପକାଇ ମୁଁ ଦୌଡ଼ିଚି । କାହିଁକି ? ଯେପରି ପ୍ରଭୁଙ୍କୁ ପାଇବି’ (ସାଉଣ୍ଟ ଚାଙ୍ଗୁଡ଼ି ୭୯ ପୃଷ୍ଠା) ‘ସେ ଅପେକ୍ଷା କରି ରହିଲା କଣ କେଉଁ ଦଣ୍ଡ ସେ ଦେବେ, ଶୁଣିବାକୁ ? ନା, ନା, ତାଙ୍କର ଆଦେଶ ପାଇବାକୁ (ସାଉଣ୍ଟା ଚାଙ୍ଗୁଡ଼ି) ଏହିସବୁ ବାକ୍ୟରେ ଭଗ୍ନୋକ୍ତି ସ୍ପଷ୍ଟ, କାରଣ ବାକ୍ୟଟିକୁ ଯେପରି ଭାବରେ ଆରମ୍ଭ କରାଯାଉଅଛି, ସେପରି ଭାବରେ ତାହାକୁ ଶେଷ କରାଯାଉ ନାହିଁ ଓ ବାକ୍ୟଟି ସାଧାରଣ ବ୍ୟବହାରର ବ୍ୟତିକ୍ରମ ରୂପରେ ପ୍ରକାଶିତ ହୋଇଥିବାରୁ ଏଥିରେ ଆବେଗର ସନ୍ଧାନ ସହଜରେ ମିଳିପାରେ । ବାସ୍ତବରେ ଯେଉଁଠାରେ ବାକ୍ୟର ବ୍ୟାକରଣଗତ କ୍ରମର ବ୍ୟତିକ୍ରମ ଦେଖାଯାଏ ସେଠାରେ ଆବେଗର ଆଭାସ ମିଳିପାରେ । କୌଣସି ବିଶେଷ ଶବ୍ଦ ଆବେଗର ସୂଚନା ମିଳେ, କାରଣ ଗୁରୁତ୍ୱ ଆରୋପଣ ଆବେଗ ପ୍ରକାଶର ଉପାୟସ୍ୱରୂପ । ବ୍ୟାକରଣଗତ ରୀତିର ବ୍ୟତିକ୍ରମର ନାନା ଦୃଷ୍ଟାନ୍ତ ଆମ୍ଭେମାନେ ପାଇଥାଉଁ । ‘କଟି ବେଢ଼ିଅଛି ତାର କ୍ଷୀଣ ଚନ୍ଦ୍ରହାର’ ବାକ୍ୟରେ ‘କ୍ଷୀଣ’ ବାସ୍ତବରେ କଟି ସହିତ ଅନ୍ୱିତ, ମାତ୍ର ଆବେଗଦ୍ୱାରା ଏହା ସ୍ଥାନଚ୍ୟୁତ ହୋଇ ଚନ୍ଦ୍ରହାର ସହିତ ପ୍ରଯୁକ୍ତ ହୋଇଅଛି, କାରଣ ‘କଟି’ର ମାଧୁର୍ଯ୍ୟରେ କବି ମୁଗ୍ଧ ହୋଇ ତା ଉପରେ ଗୁରୁତ୍ୱ ଆରୋପ କରିବା ସକାଶେ ତାକୁ ବାକ୍ୟର ପ୍ରଥମରେ ବ୍ୟାବହାର କରିଅଛନ୍ତି । ଏହିପରି ‘ନାନାପାତ୍ର ଶୋଭେ ତହିଁ, ତା ପୁଣି ସୁବର୍ଣ୍ଣ’ ବାକ୍ୟରେ ପାତ୍ରମାନଙ୍କର ସୁବର୍ଣ୍ଣମୟତ୍ୱ ଲେଖକମନରେ ବିସ୍ମୟ ଜାତ କରୁଅଛି ଓ ଏହି ବିସ୍ମୟ ଭଗ୍ନୋକ୍ତିଦ୍ୱାରା ପ୍ରକାଶିତ ହେଉଅଛି; କାରଣ ସାଧାରଣତଃ ‘ସେଠାରେ ନାନା ସୁବର୍ଣ୍ଣପାତ୍ର ରହିଅଛି’ କହିଲେହିଁ ଯଥେଷ୍ଟ ହୋଇଥାନ୍ତା ଓ ବ୍ୟାକରଣଗତ କ୍ରମ ମଧ୍ୟ ରକ୍ଷିତ ହୋଇଥାନ୍ତା । ‘ଭାସୁଛି, ନାଚୁଛି ଦକ୍ଷିଣା ପବନେ’ ବାକ୍ୟରେ ‘ଭାସୁଛି’ ବାସ୍ତବରେ ଦକ୍ଷିଣା ପବନ ସମ୍ପୃକ୍ତ ନୁହେଁ ଓ ତାହାର କୌଣସି ସାର୍ଥକତା ମଧ୍ୟ ନାହିଁ, ମାତ୍ର କବି ଆବେଗରେ ଅନୁପ୍ରାଣିତ ହୋଇ ପ୍ରଥମେ ଗୋଟିଏ ଉପମାର ସାମାନ୍ୟ ଇଙ୍ଗିତ ଦେଇ ହଠାତ୍‌ ଅନ୍ୟ ଉପମାକୁ ଅନୁସରଣ କରିଅଛନ୍ତି । ଏହିପରି ‘ଆହା କି ମଧୁର ମିଳନ-ମିଳିଛି ରତନେ ରତନ, ସୁର ଶଶୀ କିବା ପାଉଅଛି ଶୋଭା ନୀଳନଭ ଅଙ୍ଗଭୁଷଣ’ ଏଠାରେ ନୀଳ ନଭରେ ଚନ୍ଦ୍ରର ସୌନ୍ଦର୍ଯ୍ୟ ବର୍ଣ୍ଣନୀୟ, ମାତ୍ର ଭାଷାରେ ବ୍ୟାକରଣଗତ ରୀତିର ବ୍ୟତିକ୍ରମ ସ୍ପଷ୍ଟ ଦେଖାଯାଉଅଛି । ‘ଯାହା ବୃକ୍ଷକୁ ଉକ୍ତ ଅବସ୍ଥାସମୂହ ସହିତ ସମତାରକ୍ଷା କରିବାରେ ସମର୍ଥ କରେ ଏବଂ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାକୁ ଦିଏ ନାହିଁ, ତାହା ହେଉଛି ବୃକ୍ଷର ଭିତରର ରସ ବା ଜୀବନ’ (ସାଉଣ୍ଟା ୮୮ପୃଷ୍ଠା) ଏହି ବାକ୍ୟରେ ମଧ୍ୟ ସାଧାରଣ କ୍ରମର ଭଙ୍ଗ ହୋଇଅଛି, କାରଣ ବୃକ୍ଷର ରସ ବା ଜୀବନ ବୃକ୍ଷକୁ ଉକ୍ତ ଅବସ୍ଥା ସହିତ ସମତାରକ୍ଷା କରିବାକୁ ସମର୍ଥ କରେ କହିଲେ ସାଧାରଣ କ୍ରମ ରକ୍ଷିତ ହୋଇ ପାରନ୍ତା, କ୍ରମର ବ୍ୟତିକ୍ରମ ସାଧିତ ହୋଇଥିବାରୁ ବାକ୍ୟର ବିଶେଷ ପଦ ଉପରେ ଗୁରୁତ୍ୱ ଆରୋପିତ ହୋଇଅଛି ଓ ଆବେଗର ଆଭାସ ମିଳୁଅଛି । ଏହିପରି ‘ପ୍ରେମ ହେଉଚି ସେହି ରସ ଯାହାର ବାହାରର ଅଭିବ୍ୟକ୍ତି ସେବା’ ବାକ୍ୟରେ ମଧ୍ୟ ଏହିପରି ବ୍ୟତିକ୍ରମର ଉଦାହରଣ ମିଳେ । (ଏହି ବାକ୍ୟର ସାଧାରଣ କ୍ରମ ‘ସେବା ପ୍ରେମର ବାହ୍ୟ ଅଭିବ୍ୟକ୍ତି’, ମାତ୍ର ଲେଖକ ସେବା ଓ ପ୍ରେମ ଉଭୟ ଉପରେ ଆରୋପ କରିବା ନିମନ୍ତେ ଗୋଟିଏ ପଦକୁ ବାକ୍ୟର ପ୍ରଥମରେ ଓ ଅନ୍ୟଟିକୁ ବାକ୍ୟର ଶେଷରେ ବ୍ୟବହାର କରିଅଛନ୍ତି, ଏଣୁ ‘ପ୍ରେମ’ ଶବ୍ଦକୁ ବାକ୍ୟର ଦ୍ୱିତୀୟ ସ୍ଥାନରେ ରଖିଲେ ତାହା ଉପରେ ଗୁରୁତ୍ୱ ଆରୋପିତ ହୁଅନ୍ତା ନାହିଁ । ‘ପ୍ରେମର ବାହ୍ୟ ଅଭିବ୍ୟକ୍ତ ସେବା’ ଏହା କହିଲେ ଉଭୟ ପଦ ଉପରେ ଗୁରୁତ୍ୱ ଆରୋପିତ ହୋଇ ପାରନ୍ତା’ ମାତ୍ର ରସର ପୁନରୁକ୍ତ ପୁଣି ମୂଳ ବାକ୍ୟରେ ଆବେଗର ପରିଚାୟକ, ଏଣୁ ପ୍ରସଙ୍ଗରେ ‘ରସ’ ଥିବାରୁ ପ୍ରସଙ୍ଗର ସଙ୍ଗତି ରଖିବା ନିମନ୍ତେ ଲେଖକ ବାକ୍ୟର ଗଠନରେ ବ୍ୟତିକ୍ରମ ସ୍ୱୀକାର କରି ମଧ୍ୟ ଆବେଗକୁ ପରିପୋଷଣ କରିବାର ଚେଷ୍ଟା କରିଅଛନ୍ତି । ‘ପ୍ରେମରସର ବାହ୍ୟ ଅଭିବ୍ୟକ୍ତି ସେବା’–ଏହିପରି ଲେଖିଥିଲେ ସଙ୍ଗତି ଓ କ୍ରମ ରକ୍ଷିତ ହୋଇଥାନ୍ତା, ପ୍ରେମ ଓ ସେବା ଉପରେ ଗୁରୁତ୍ୱ ମଧ୍ୟ ଆରୋପିତ ହୋଇ ପାରନ୍ତା, ମାତ୍ର ’ପ୍ରେମରସ’ର ଅର୍ଥ ଅସ୍ପଷ୍ଟ ରହିଯାନ୍ତା । ପ୍ରତ୍ୟେକ ବାକ୍ୟକୁ ଏହିପରି ଭାବରେ ବିଶ୍ଲେଷିତ କରି ଆଲୋଚନା କରାଯାଇପାରେ ।)

 

ଆବେଗ ପ୍ରକାଶର ଆଉ ଗୋଟିଏ ଉପାୟ ପ୍ରଶ୍ନୋକ୍ତି । ଯାହା ସ୍ୱାଭାବିକ ଭାବରେ କୁହାଯାଇପାରେ ତାକୁ ପ୍ରଶ୍ନୋକ୍ତିରୂପରେ ପ୍ରକାଶିତ କଲେ ଅନ୍ତର୍ନିହିତ ଆବେଗ ସ୍ପଷ୍ଠ ହୁଏ । ‘ମୁଁ ଯାଇଥିଲି’ ଆବେଗହୀନ ସାମାନ୍ୟ ବାକ୍ୟ, ‘ମୁ୍ଁ କଣ ଯାଇ ନାହିଁ ?’ ଏକାର୍ଥକ ଆବେଗପୁର୍ଣ୍ଣ ପ୍ରଶ୍ନୋକ୍ତି । ’ପ୍ରଭୁ କହୁଛନ୍ତି କଣ ଖାଇବ, କଣ ପିନ୍ଧିବ ବୋଲି ଏତେ ବ୍ୟସ୍ତ ହେଉଛ କାହିଁକି ? ଖାଦ୍ୟ ଅପେକ୍ଷା କଣ ଜୀବନ ବଡ଼ ନୁହେଁ ? ସଞ୍ଜରେ ଫୁଟି ସକାଳେ ଝଡ଼ିଯାଏ ଯେଉଁ ଘାସଫୁଲ ତାକୁ ଏଡ଼େ ସୁନ୍ଦର ଲୁଗା କିଏ ପିନ୍ଧେଇଚି ? ଜଗତରେ ଏପରି କୌଣସି ରାଜାକୁ ଦେଖିଚ କି ଯାହାର ପୋଷାକ ଫୁଲର ପୋଷାକଠାରୁ ଅଧିକ ସୁନ୍ଦର ?’’ (ସାଉଣ୍ଟା ଚାଙ୍ଗୁଡି ପୃ୭୧) ଏଠାରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନୋକ୍ତିଦ୍ୱାରା ବକ୍ତାର ଆବେଗ ସୂଚିତ ହେଉଅଛି । କାରଣ ଏହି ବାକ୍ୟମାନଙ୍କୁ ସାମାନ୍ୟ ଭାବରେ ମଧ୍ୟ ପ୍ରକାଶିତ କରାଯାଇ ପାରନ୍ତା; ମାତ୍ର ତାହାହେଲେ ଆବେଗ ବ୍ୟାହତ ହୁଅନ୍ତା । ‘ହାୟ ! ସେ ଦିନ ଆଉ କାହିଁ ?’ (ଉତ୍କଳ ପ୍ରକୃତି)ରେ ପ୍ରଶ୍ନୋକ୍ତି ମଧ୍ୟରେ ଆବେଗ ସୁସ୍ପଷ୍ଟ । ‘ଦେବନେତ୍ରରୁ ସହାନୁଭୂତିର ଅଶ୍ରୁ ବିଗଳିତ ହୁଏ କି ନାହିଁ, କିଏ କହିବ ?’ (ଉତ୍କଳ ପ୍ରକୃତି) ଏଠାରେ ମଧ୍ୟ ସନ୍ଦେହ ଓ ପ୍ରଶ୍ନୋକ୍ତି ମଧ୍ୟରେ ଆବେଗର ଚିହ୍ନ ସୁସ୍ପଷ୍ଟ । ‘କାଳ କି କେବେ ନୌସର୍ଗିକ ବସ୍ତୁକୁ ଭାଙ୍ଗି ଦେଇପାରେ ? (ପ୍ରବନ୍ଧ ସୋପାନ ପୃ ୫୯) ବାକ୍ୟରେ ପ୍ରଶ୍ନୋକ୍ତିଦ୍ୱାରା ବାସ୍ତବରେ ଲେଖକର ନିଶ୍ଚିତତା ସୂଚିତ ହେଉଅଛି ଓ ଏହି ନିଶ୍ଚିତତା ଏତେ ପ୍ରାଣସ୍ପର୍ଶୀ ଯେ ତାହା ପ୍ରଶ୍ନୋକ୍ତି ମଧ୍ୟରେ ଅଭିବ୍ୟକ୍ତ ହୋଇଅଛି । ପ୍ରଶ୍ନୋକ୍ତିର ଅନ୍ତରାଳରେ ବାସ୍ତବରେ ଦୃଢ଼ବିଶ୍ୱାସ ଓ ବିଶ୍ୱାସଜନିତ ଆବେଗ ପ୍ରଚ୍ଛନ୍ନ ଥାଏ, ଅର୍ଥାତ୍‌ଲେଖକ ଭାବଟିର ସତ୍ୟତା ବିଷୟରେ ଏତେ ନିଃସନ୍ଦିଗ୍ଧ ଯେ ନିଜେ ତାହା ପ୍ରକାଶିତ କରି ପ୍ରଶ୍ନ କରିବାଦ୍ୱାରା ପାଠକଠାରୁ ଅନୁରୂପ ଉତ୍ତରର ପ୍ରତ୍ୟାଶା କରେ ଓ ଏହି ଉତ୍ତର ଯେ ତାହାର ମତବାଦର ପରିପୋଷକ ହେବ ଏ ବିଷୟରେ ନିଃସନ୍ଦିଗ୍ଧ ଥାଏ । ବାସ୍ତବରେ ପ୍ରଶ୍ନ ଏଠାରେ ଛଳନା; ତାହା ଆବେଗର ପରିଚାୟକ, ନିଃସନ୍ଦେହତାର ପ୍ରତୀକ ଓ ପାଠକମନକୁ ପ୍ରଭାବିତ କରିବା ନିମନ୍ତେ ଅବଲମ୍ବିତ ।

 

ଆବେଗର ପରିପୋଷକ ରୂପରେ ନିର୍ଦ୍ଦେଶୋକ୍ତି, ନିନ୍ଦାଉକ୍ତି, ମାତ୍ରାଉକ୍ତି ପ୍ରଭୃତି ନାନାପ୍ରକାର ରଚନାକ୍ରମ ଅବଲମ୍ବିତ ହୋଇଥାଏ, ସାମାନ୍ୟରେ ଏମାନଙ୍କୁ ଭାବୋକ୍ତି ବୋଲାଯାଇପାରେ । ଯେଉଁଠାରେ ବାକ୍ୟର ଅସ୍ୱାଭାବିକତା ବର୍ତ୍ତମାନ, ସେହିଠାରେ ଆବେଗର ସନ୍ଧାନ ମିଳେ । ବକ୍ତା ଯେତେବେଳେ ଶ୍ରୋତାମାନଙ୍କୁ ସମ୍ଭୋଧିନ କରି ‘ଭାଇମାନେ, ଚାଲ, ଆଜି ଦେଶର ଗୌରବରକ୍ଷା କରିବା’ ପ୍ରଭୃତି କହନ୍ତି ସେଠାରେ ଶ୍ରୋତାମାନଙ୍କୁ ସମ୍ଭୋଧନ, ସେମାନଙ୍କୁ ଆବାହନ, ସେମାନଙ୍କୁ ନିର୍ଦ୍ଦେଶ ଦେବା ପ୍ରଭୃତି ଆବେଗର ପରିଚାୟକ । ଏଗୁଡ଼ିକ ବାସ୍ତବରେ ଆବେଗ ପରିପୋଷକ ଅଳଙ୍କାର ମାତ୍ର । ବକ୍ତା ଏହି ଅଳଙ୍କାରର ବ୍ୟବହାରଦ୍ୱାରା ଶ୍ରୋତାର ମନକୁ ପ୍ରଭାବିତ କରିବାକୁ ଓ ତାକୁ ପ୍ରେରଣା ଦେଇ କାର୍ଯ୍ୟରେ ଉନ୍ମୁଖ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି-। ଏହିପରି କବି ଯେତେବେଳେ ଲେଖିଲେ ‘ଏହି କି ସେ ଆର୍ଯ୍ୟଭୂମି ! ଏ ଭୂମିର ସୂତ, ତୁମ୍ଭେଟିକି ଆର୍ଯ୍ୟନାମ ଦାୟାଦ ଜଗତେ ? ବିନାଯୁଦ୍ଧେ ନ ଦେବାର ସୂଚ୍ୟଗ୍ର ମେଦିନୀ, ପଣ ଯେଉଁ ଆର୍ଯ୍ୟଙ୍କର, ତାଙ୍କରି ଶୋଣିତ ବହୁଛି କି ଆହେ ଯୋଧେ, ତୁମ୍ଭ ଧମନୀରେ ?’ ଏହି ଉକ୍ତି ମଧ୍ୟରେ ନିନ୍ଦା ସୁସ୍ପଷ୍ଟ, ମାତ୍ର କେବଳ ନିନ୍ଦା କରିବା ବକ୍ତାର ଇଚ୍ଛା ନୁହେଁ, ଶ୍ରୋତାମାନଙ୍କ ମନରେ ପ୍ରେରଣା ଜାଗ୍ରତ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ । ଏଣୁ ଏଠାରେ ନିନ୍ଦାଉକ୍ତି କେବଳ ଛଳନା, ବାସ୍ତବରେ ତାହା ବକ୍ତାର ଆବେଗର ପରିଚାୟକ ଓ ଶ୍ରୋତାର ଆବେଗକୁ ଉଦ୍ଦୀପିତ କରିବା ନିମନ୍ତେ ଲିଖିତ । ପୁଣି ଛି ! ହାୟ ! ରେ ! ପ୍ରଭୃତି ଭାବବ୍ୟଞ୍ଜକ ପଦ ଓ ତଦନୁରୂପ ମାତ୍ରା ବ୍ୟବହାର କରି ମଧ୍ୟ ଆବେଗକୁ ପ୍ରକାଶିତ କରାଯାଇପାରେ । ଅତିରିକ୍ତ ପ୍ରଶଂସା, ଅତିରିକ୍ତ ନିନ୍ଦା, ଅତିରିକ୍ତ ଉଚ୍ଛ୍ୱାସ ପ୍ରଭୁତି ପ୍ରକାଶ କରିବାରେ ମଧ୍ୟ ଆବେଗର ସ୍ପଷ୍ଟ ଉଦାହରଣ ମିଳେ ଓ ଯେଉଁଠାରେ ଲେଖକ କୌଣସି ଭାବଦ୍ୱାରା ଅଭିଭୂତ ହୋଇ ରଚନାରେ ପ୍ରବୃତ୍ତ ହୁଏ, ସେଠାରେ ପାଠକମନରେ ଅନୁରୂପ ଭାବ ସଞ୍ଚାରିତ କରିବା ମଧ୍ୟ ସହଜ ହୁଏ । ରଚନାରେ ଏହାର ଉଦାହରଣ ଆମ୍ଭେମାନେ ଅହରହଃ ପାଇଥାଉଁ ।

 

***

 

ଷଷ୍ଠ ପରିଚ୍ଛେଦ

ଧ୍ୱନିମୂଳକ ଅଳଙ୍କାର

 

ଅନେକ ସମୟରେ ଧ୍ୱନିର ମୂର୍ଚ୍ଛନାଦ୍ୱାରା, ସ୍ୱରର ଝଙ୍କାରଦ୍ୱାରା ମଧ୍ୟ ରଚନାକୁ ସରସ କରାଯାଇଥାଏ । ଆମ୍ଭେମାନେ ସମସ୍ତେ ସଙ୍ଗୀତର ଧ୍ୱନି ବିନ୍ୟାସରେ ମୁଗ୍ଧ ହେଉଁ, ସୁରର ଆଲାପରେ ଆନନ୍ଦ ଉପଭୋଗ କରୁଁ, ଏଣୁ ଧ୍ୱନିର ଯଥାଯଥ ବିନ୍ୟାସ ଯେ ପାଠକମନରେ ଆନନ୍ଦ ସଞ୍ଚାର କରିବାକୁ ସକ୍ଷମ ହେବ, ତାହା ବୋଲିବା ବାହୁଲ୍ୟ ମାତ୍ର । ଧ୍ୱନି ବାସ୍ତବରେ କଳ୍ପନାର ପରିପୋଷକ, ଆବେଗ ଉତ୍ତେଜକ, ଏହାର ସ୍ୱତନ୍ତ୍ର ମାଧୁର୍ଯ୍ୟ ନାହିଁ, କିନ୍ତୁ ତାହା ହେଲେହେଁ ଏପରି କେତେକ ରଚନାରୀତି ଅଛି ଯେଉଁଠାରେ ଧ୍ୱନିର ବିନ୍ୟାସ ହିଁ ପ୍ରଧାନ ଅବଲମ୍ବନ, ତାହାଦ୍ୱାରା କଳ୍ପନା ସ୍ଫୁରିତ ହେଉଅଛି କି ନାହିଁ ତାହା ବିଚାର୍ଯ୍ୟ ନୁହେଁ । ଧ୍ୱନି ସର୍ବଦା ରସର ପରିପୋଷକ, ଏଣୁ ରସରଚନାରେ ଓ ସାହିତ୍ୟରେ ଧ୍ୱନିସଙ୍ଗତିର ଆଲୋଚନା କରିବା ପ୍ରୟୋଜନ ହୁଏ ।

 

କେଉଁ କେଉଁ ଧ୍ୱନିଦ୍ୱାରା କେଉଁ ରସ ପରିପୁଷ୍ଟ ଓ ସମ୍ୟକ୍‌ ପ୍ରକାଶିତ ହୁଏ, ସେ ବିଷୟରେ ସ୍ଥିର ନିର୍ଦ୍ଦେଶ ଦେବା ଅସମ୍ଭବ । ଆମ୍ଭେମାନେ ବିଳାପଧ୍ୱନି, ହାସ୍ୟପରିହାସର ଶବ୍ଦ, କ୍ଲେଶସୂଚକ ପଦମାନଙ୍କ ସହିତ ପରିଚିତ ଓ କେବଳ ଧ୍ୱନି ଶ୍ରବଣରେ ଆମ୍ଭମାନଙ୍କ ମନରେ ଧ୍ୱନି ଉଚ୍ଚାରକର ମନରେ ଥିବା କ୍ରୋଧ, ଘୃଣା, ଶୋକ ପ୍ରଭୃତି ବିଷୟରେ ସ୍ପଷ୍ଟ ଧାରଣା ଜନ୍ମେ । ‘ଟ’ ବର୍ଗର ଶବ୍ଦ କିମ୍ୱା ‘ର’ ପ୍ରଭୃତି ଯେ ମୁଖ୍ୟତଃ କ୍ରୋଧବ୍ୟଞ୍ଜକ ଓ ରୌଦ୍ରରସର ପରିଚାୟକ ତାହା ସ୍ୱୀକାର କରାଯାଇପାରେ । ଏହିପରି ଆନୁନାସିକ ବର୍ଣ୍ଣମାନ ସାଧାରଣତଃ ଶୋକପ୍ରକାଶକ । ମାତ୍ର ଶବ୍ଦର ଗଠନ ଉପରେ ଧ୍ୱନିର ରସନିର୍ଦ୍ଦେଶଶକ୍ତି ଅନେକାଂଶରେ ନିର୍ଭର କରେ, କେବଳ କୌଣସି ଧ୍ୱନିଦ୍ୱାରା ରସ ସ୍ପଷ୍ଟ ନିର୍ଦ୍ଦେଶିତ ହୋଇପାରେ ନାହିଁ । ତେବେ ସାଧାରଣତଃ ସଂଯୁକ୍ତ ବର୍ଣ୍ଣମାନ ଶବ୍ଦର ମାଧୁର୍ଯ୍ୟ ନଷ୍ଟ କରେ ଓ ସଂଯୁକ୍ତ ବର୍ଣ୍ଣମାନଙ୍କର ପୁନଃପୁନଃ ପ୍ରୟୋଗଦ୍ୱାରା ରସ ବ୍ୟାହତ ହୋଇଥାଏ ।

 

ଧ୍ୱନିମୂଳକ ଅଳଙ୍କାରର ପ୍ରଥମ ଅଭିବ୍ୟକ୍ତି ଧ୍ୱନ୍ୟନୁକରଣରେ ଅର୍ଥାତ୍‌ ଲେଖକ ଅନେକ ସମୟରେ ହୃଦ୍‌ଗତ ଭାବକୁ ସାଧାରଣ ଶବ୍ଦଦ୍ୱାରା ପ୍ରକାଶିତ କରି ନ ପାରି ଧ୍ୱନିର ଅନୁକରଣଦ୍ୱାରା ଭାବକୁ ପ୍ରକାଶିତ କରିଥାଏ । ‘ଚଳିଲା ହାହାରବେ ଯେହ୍ନେ ସ୍ୟନ୍ଦନ’ ବାକ୍ୟରେ ‘ହା’ ‘ହା’ ଶବ୍ଦର ଧ୍ୱନ୍ୟନୁକରଣଦ୍ୱାରା ଶୋକ ପ୍ରକାଶିତ ହୋଇଅଛି । ଏହିପରି ‘ନିଆଁ’ ଧୂ ଧୂ କରି ଜଳି ଉଠିଲେ’ ‘ଘରଟି ଜନସମାଗମରେ ଗମଗମ କରୁଛି’ ।

 

ଅନୁପ୍ରାସ ମଧ୍ୟ ସର୍ବପରିଚିତ ଧ୍ୱନିମୂଳକ ଅଳଙ୍କାର । ଗୋଟିଏ ବର୍ଣ୍ଣର ପୁନଃପୁନଃ ଆବୃତ୍ତିଦ୍ୱାରା ରଚନାକୁ ସରସ କରିବାର ଚେଷ୍ଟା ବହୁ ପୁରାତନ ଯୁଗରୁ ଚାଲି ଆସୁଅଛି । ସାଧାରଣତଃ ରସପୋଷକ ଧ୍ୱନିମାନଙ୍କର ପୁନରାବୃତ୍ତି କରାଯାଇଥାଏ, ମାତ୍ର ରସପୋଷଣର ଉଦ୍ଦେଶ୍ୟ ସ୍ପଷ୍ଟ ନ ଥାଇ ମଧ୍ୟ ଧ୍ୱନିମାନଙ୍କର ପୁନରାବୃତ୍ତି ନାନା ସମୟରେ କବିତା ପ୍ରଭୃତିରେ ଦେଖାଯାଏ । ଅନୁପ୍ରାସ ସ୍ୱରବର୍ଣ୍ଣର ହୋଇପାରେ ଅର୍ଥାତ୍‌ ଏକ ବା ଏକଗୁଣଯୁକ୍ତ ସ୍ୱରର ପୁନଃପୁନଃ ଆବୃତ୍ତି ଘଟିପାରେ କିମ୍ୱା ଏକ ବା ଏକପ୍ରକାର ବ୍ୟଞ୍ଜନ ବର୍ଣ୍ଣର ପୁନରାବୃତ୍ତି ମଧ୍ୟ ଘଟିପାରେ । କିନ୍ତୁ ସ୍ୱରାନୁପ୍ରାସ ହେଉ ବା ବ୍ୟଞ୍ଜନାନୁପ୍ରାସ ହେଉ ତାହା ଅତି ପ୍ରକଟ ହେଲେ ତାହାଦ୍ୱାରା ରଚନାର ମାଧୁର୍ଯ୍ୟ ବ୍ୟାହତ ହୁଏ ଓ ତାହା ବାକ୍‌ଚାତୁର୍ଯ୍ୟରେ ପରିଣତ ହୁଏ । ରଚନାରେ ଅଯଥା ବାଗାଡ଼ମ୍ୱର ପରିହାର କରିବା ଉଚିତ, ମାତ୍ର ଯଥାସ୍ଥାନରେ ଅନୁପ୍ରାସର ଇଙ୍ଗିତ ଦିଆଗଲେ ତାହାଦ୍ୱାରା ରଚନାର ମାଧୁର୍ଯ୍ୟ ବୃଦ୍ଧିପ୍ରାପ୍ତ ହୁଏ । ‘ଆଶା ଓ ଆକାଂକ୍ଷା’ରେ ସ୍ୱରାନୁପ୍ରାସ ସୁସ୍ପଷ୍ଟ, ଏଣୁ ଏହି ଦୁଇଟି ପଦ ଏକତ୍ର ବ୍ୟବହୃତ ହେଲେ ରଚନା ସରସ ହୁଏ । ନଦୀର କଳଧ୍ୱନି ଅପେକ୍ଷା ମଳସ୍ୱନ ଅଧିକ ପ୍ରୀତିପ୍ରଦ କାରଣ ସେଥିରେ ସ୍ୱରାନୁପ୍ରାସ ରହିଅଛି । ଠିକ୍‌ ସେହି କାରଣରୁ ‘ଚରଣାରବିନ୍ଦ’ ଅପେକ୍ଷା ‘ଚରଣକମଳ’ ଅଧିକ ମଧୁର । ସ୍ୱରାନୁପ୍ରାସକୁ ଅତି ପ୍ରକଟତାରୁ ରକ୍ଷାକରିବା ନିମନ୍ତେ ସ୍ୱରମାନଙ୍କର ବୈଚିତ୍ର ସାଧନ କରିବା ପ୍ରୟୋଜନ ହୁଏ । ଅର୍ଥାତ୍‌ ‘ଆଶା’ ଏବଂ ‘ଆକାଂକ୍ଷା’ ମଧ୍ୟରେ ‘ଓ’ ଶବ୍ଦଟି ଥିବାରୁ ଅନୁପ୍ରାସଟି ମଧୁରତର ହୋଇଅଛି । ‘ଲୁଣି ମଣିଲିଣି ମଧୁ ଝରକୁ, ଶୁଣି ତା ବିଷମ ବଂଶୀସ୍ୱରକୁ‘ ପଦରେ ‘ଇ’ ସ୍ୱରର ପ୍ରାଧାନ୍ୟ ସ୍ପଷ୍ଟ ଅନୁଭୂତ ହେଉଥିଲେହେଁ ଓ ତାକୁ ଅବଲମ୍ୱନ କରି ସ୍ୱରାନୁପ୍ରାସ ମଧ୍ୟ ପ୍ରକଟ ଥିଲେହେଁ ବାସ୍ତବରେ ଅନ୍ୟାନ୍ୟ ସ୍ୱରମାନଙ୍କର ଯଥାଯଥ ବ୍ୟବହାରଦ୍ୱାରା ପଦର ମାଧୁର୍ଯ୍ୟ ଓ ସରସତା ରକ୍ଷିତ ହୋଇଅଛି ।

 

ବ୍ୟଞ୍ଜନ ବର୍ଣ୍ଣମାନଙ୍କର ଅନୁପ୍ରାସ ସ୍ୱରାନୁପ୍ରାସ ଅପେକ୍ଷା ଅଧିକ ପ୍ରକଟ ହୁଏ ଓ ପାଠକର ମନକୁ ପ୍ରଭାବିତ କରିବାକୁ ମଧ୍ୟ ସକ୍ଷମ ହୁଏ । ମାତ୍ର ଏଠାରେ ମଧ୍ୟ ଅତି ପ୍ରକଟତା ଦୋଷ ଓ ବୈଚିତ୍ର୍ୟ ମାଧୁର୍ଯ୍ୟର ପରିପୋଷକ । ‘ସଂସାରେ ଥାଇ ମୁଁ ସଦା ଉଦାସୀନ’ ପଂକ୍ତିରେ ‘ସ’ ଅନୁପ୍ରାସ ସୁସ୍ପଷ୍ଟ । ଏହି ବାକ୍ୟକୁ ‘ପୃଥିବୀରେ ମୁଁହିଁ ନିତ୍ୟ ଉଦାସୀନ’ରେ ପରିଣତ କଲେ ଅର୍ଥର ପରିବର୍ତ୍ତନ ଘଟନ୍ତା ନାହିଁ, କିମ୍ୱା ପଦ୍ୟ ପଂକ୍ତିର ଅକ୍ଷର ସାମଞ୍ଜସ୍ୟ ମଧ୍ୟ ବ୍ୟାହତ ହୁଅନ୍ତା ନାହିଁ, ମାତ୍ର ଅନୁପ୍ରାସ ଘଟିତ ମାଧୁର୍ଯ୍ୟ ସମ୍ପୁର୍ଣ୍ଣଭାବରେ ନଷ୍ଟ ହୋଇଯାନ୍ତା । ‘ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ’ ପଂକ୍ତିରେ ମଧ୍ୟ ‘ଲ’ ର ଅନୁପ୍ରାସ ସୁସ୍ପଷ୍ଟ ଓ ଏହି ପଂକ୍ତି ସହିତ ‘ମିଶିଯାଏ ଯଥା ବିଦ୍ୟୁତ କଳାମେଘର ଅଙ୍ଗେ’ ତୁଳନା କଲେ ଅନୁ ପ୍ରାସଘଟିତ ମାଧୁର୍ଯ୍ୟ ଓ ସରସତା ସହଜରେ ଅନୁମିତ ହେବ । ବରଂ ଏହି ଅନୁପ୍ରାସର ମାଧୁର୍ଯ୍ୟକୁ ରକ୍ଷା କରିବା ନିମନ୍ତେ କବି ଅର୍ଥ ସଙ୍ଗତିକୁ ଉପେକ୍ଷା କରି ‘ନୀଳ’ ଶବ୍ଦର ପ୍ରୟୋଗ କରିଅଛନ୍ତି । (‘ନୀଳ’ ସ୍ଥାନରେ ‘କଳା’ ଶବ୍ଦର ପ୍ରୟୋଗ କରିଥିଲେ ‘ଳ’ ଘଟିତ ଅନୁପ୍ରାସ ନଷ୍ଟ ହୁଅନ୍ତା ନାହିଁ, ମାତ୍ର ‘ନୀଳ’ ଜଳଦ ଅଙ୍ଗେ ପଦମାନଙ୍କରେ ଥିବା ‘ଅ’ ସ୍ୱରାନୁପ୍ରାସର ପ୍ରଭାବ ନଷ୍ଟ ହୋଇ ଯାଇଥାନ୍ତା) । ‘ରବିକରେ ଦର ଫୁଲ୍ଲ ଅରବିନ୍ଦେ’ ପଂକ୍ତିରେ ମଧ୍ୟ ଏହିପରି ସ୍ୱର ଓ ବ୍ୟଞ୍ଜନାନୁପ୍ରାସ ଯଥାଯଥା ଭାବରେ ରକ୍ଷିତ ହୋଇଥିବାରୁ ରଚନାଟି ସରସ ହୋଇ ପାରିଅଛି ।

 

ଅନେକ ସମୟରେ ବ୍ୟଞ୍ଜନବର୍ଣ୍ଣର ଅନୁପ୍ରାସ ସ୍ପଷ୍ଟ ନ ହେଲେହେଁ ତାହା ପାଠକମନକୁ ପ୍ରଭାବିତ କରିବାକୁ ସମର୍ଥ ହୁଏ । ‘ଉଦାସୀନ ପ୍ରାୟ କଟାଇଲି ଦିନ’ ପଂକ୍ତିରେ ‘ନ’ର ଅନୁପ୍ରାସ ଅସ୍ପଷ୍ଟ; ମାତ୍ର ଦୁଇଗୋଟି ‘ନ’ ଯୁକ୍ତ ପଦ ଏଠାରେ ବ୍ୟବହୃତ ହୋଇଅଛି । ପଂକ୍ତିଟିକୁ ପଢ଼ିବା ସମୟରେ ଯତି ବା ବିରାମ ଏଭଳି ଭାବରେ ନିହିତ ହୁଏ ଯେ ‘ନ’ ଘଟିତ ଅନୁପ୍ରାସ ପାଠକମନରେ ରସ ସଞ୍ଚାର କରିବାକୁ ସମର୍ଥ ହୁଏ । ‘କାମ-କାଳକୂଟ କାଳିମା’ ପଂକ୍ତିରେ ମଧ୍ୟ ‘କ’ ର ଅନୁପ୍ରାସ ସୁସ୍ପଷ୍ଟ, ମାତ୍ର ‘ମ’ ଓ ‘ଳ’ ଅନୁପ୍ରାସ ଯତିପାତ ଓ ଶବ୍ଦ ପ୍ରୟୋଗ ହେତୁରୁ ସ୍ପଷ୍ଟ ହୋଇ ପାରିଅଛି । ‘ତୋର ତୀରେ ପରା ଶ୍ରୀମତୀ ମାଣିକା, ହସ୍ତେ ଭୂଞ୍ଜିଥିଲେ ସାଦରେ ଲବଣୀ’ ପଂକ୍ତିମାନଙ୍କରେ ‘ମ’ ଓ ‘ସ’ ଘଟିତ ଅନୁପ୍ରାସ ବାସ୍ତବରେ ଅପ୍ରକଟ, କିନ୍ତୁ ମାଧୁର୍ଯ୍ୟ ପରିପୋଷକ ଓ ପଂକ୍ତିମାନଙ୍କୁ ‘ତୋର ତୀରେ ପରା ଗୋପିନୀ ମାଣିକା, ହାତରୁ ଭୁଞ୍ଜିଲେ ସାଦରେ ଲବଣୀ’ରେ ପରିବର୍ତ୍ତିତ କଲେ ଏହି ଅନୁପ୍ରାସମାନଙ୍କର ସାର୍ଥକତା ସହଜରେ ଉପଲବ୍ଧ ହୋଇ ପାରିବ ।

 

କିନ୍ତୁ ଅନୁପ୍ରାସ ଅତିପ୍ରକଟ ହେଲେ ତାହା ବାସ୍ତବରେ ମନୋହର ହୁଏ ନାହିଁ । ‘ସ୍ପଟିକ ଝଟକେ ଅଟକି ଗଲା ’କିମ୍ୱା ‘ଉଚ୍ଚଚୂଡ଼ା ସମୁଚ୍ଚୟ’ ମଧ୍ୟ ପାଠକମନରେ ମାଧୁର୍ଯ୍ୟ ସଞ୍ଚାର କରିବାକୁ ଅକ୍ଷମ । ଅତି ପ୍ରକଟ ଅନୁପ୍ରାସ ପୁଣି ‘କ’ ବର୍ଗ କିମ୍ୱା ‘ଟ’ ବର୍ଗକୁ ଅବଲମ୍ୱନ କରି ଗଠିତ ହେଲେ ତାହାର ମାଧୁର୍ଯ୍ୟ ଅଧିକ ପରିମାଣରେ ନଷ୍ଟ ହୋଇଯାଏ ଓ ଏଭଳି ଅନୁପ୍ରାସର ଘଟା କେବଳ ପାଠକକୁ ବିଭ୍ରାନ୍ତ କରେ, ମାତ୍ର ତାହାର ମନକୁ ଆନନ୍ଦିତ କରିପାରେ ନାହିଁ । ଅବଶ୍ୟ ଲେଖକର ପ୍ରତିଭା ଅନେକ କ୍ଷେତ୍ରରେ ଏଭଳି ଉପାଦାନମାନଙ୍କୁ ଅବଲମ୍ୱନ କରି ମଧ୍ୟ ଲେଖାକୁ ମଧୁର କରିପାରେ, ମାତ୍ର ତାହା ଯଥାର୍ଥରେ ଶକ୍ତି ସାପେକ୍ଷ; ସାଧାରଣ ରଚନାରେ ଅନୁପ୍ରାସର ଆଧିକ୍ୟକୁ ପରିହାର କରିବାହିଁ ବାଞ୍ଛନୀୟ ।

 

ଅନୁପ୍ରାସ କେବଳ ଯେ ଏକ ବର୍ଣ୍ଣରେ ହୁଏ ତାହା ନୁହେଁ, ସମ ବର୍ଣ୍ଣରେ ମଧ୍ୟ ଅନୁପ୍ରାସ ହୋଇପାରେ ଅର୍ଥାତ୍‌ ହ୍ରସ୍ୱ ସ୍ୱରମାନଙ୍କର ସମାବେଶ (ଅ,ଇ,ଉ) କିମ୍ୱା ଏକ ବର୍ଗର (କ ବର୍ଗ ପ୍ରଭୃତି) ବା ଏକ ଶ୍ରେଣୀର (ମହାପ୍ରାଣ ବର୍ଣ୍ଣ ଇଦ୍ୟାଦି) ବର୍ଣ୍ଣମାନଙ୍କର ସମନ୍ୱୟରେ ମଧ୍ୟ ଅନୁପ୍ରାସ ରହିପାରେ । ‘ଭାବଗ୍ରାହୀ ପ୍ରଭୁ ଭକ୍ତଚିନ୍ତାମଣି’ (ଚିଲିକା)ରେ ‘ଭ’ର ଅନୁପ୍ରାସ ସୁସ୍ପଷ୍ଟ, କିନ୍ତୁ ‘ବ’ ‘ପ’ ଓ‘ମ’ ଏକ ବର୍ଗର ଅନ୍ତର୍ଗତ ଥିବାରୁ ଓ ‘ପ’ ‘କ’ ‘ଚ’ ଓ ‘ତ’ ସମ ଶ୍ରେଣୀର ଥିବାରୁ, ‘ଗ’ କିଛି ପରେ ‘ହ’ ପ୍ରଯୁକ୍ତ ହୋଇ ଉଚ୍ଚାରଣକୁ ମହାପ୍ରାଣ ବର୍ଣ୍ଣର ଉଚ୍ଚାରଣର ପରିପୋଷକ କରୁଥିବାରୁ ଓ ‘ତ’ ‘ନ’ ଏକା ବର୍ଗର ଥିବାରୁ ଏଠାରେ ଅନୁପ୍ରାସଟି ଅଥିକ ମଧୁର ଓ ସରସତା ବିଧାନ ନିମନ୍ତେ ଅଧିକ ସମର୍ଥ ହୋଇଅଛି । ଲେଖକ ଅବଶ୍ୟ ଏସବୁ ବିଚାର କରି ରଚନାରେ ପ୍ରବୃତ୍ତି ହୁଅନ୍ତି ନାହିଁ, କିନ୍ତୁ ତାଙ୍କର ମାଧୁର୍ଯ୍ୟ ଗ୍ରହଣ ଶକ୍ତି ତାଙ୍କ ଶ୍ରବଣେନ୍ଦ୍ରିୟକୁ ଏପରି ଭାବରେ ପ୍ରଭାବିତ କରେ ଯେ ରଚନା ନିଜେ ନିଜେ ମଧୁର ହୋଇପଡ଼େ । ଏହି କାରଣରୁ ଅନେକ ସମୟରେ ଉଚ୍ଚ କୋଟିର କବିତାର କୌଣସି ପଦକୁ ପରିବର୍ତ୍ତନ କରିବା ଅସମ୍ଭବ ହୁଏ । ଏହାହିଁ କବିପ୍ରତିଭା, ଏହାହିଁ କାବ୍ୟର ମାଧୁର୍ଯ୍ୟର ନିୟାମକ, ଏହାହିଁ କବିତାର ଅନୁବାଦରେ ରସହାନିର କାରଣ । ବାସ୍ତବରେ ‘ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି’ ପରିବର୍ତ୍ତନରେ ‘ବଳରାମ ସହ ଭକ୍ତ ଚିନ୍ତାମଣି’ କିମ୍ବା ‘ଦକ୍ଷିଣ ବିଜୟେ ଭକ୍ତ ଚିନ୍ତାମଣି’ ପ୍ରଭୃତି ପଂକ୍ତି ବ୍ୟବହାର କଲେ ପଂକ୍ତିର ସରସତା କିପରି ଭାବରେ ବ୍ୟାହତ ହେବ ତାହା ସହଜରେ ଅନୁମେୟ । ପ୍ରତିଭା ରଚିତ ମାଧୁର୍ଯ୍ୟକୁ ବିଶ୍ଳେଷଣ କରିବା ସମ୍ଭବ, ମାତ୍ର ତାହାର ଅନୁକରଣ କରିବା ଅସମ୍ଭବ । ‘ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି’ ପଂକ୍ତି ସହିତ କେବଳ ଅନୁପ୍ରାସ ମାଧୁର୍ଯ୍ୟରେ ‘ହୀରକ କୋରକ କାହିଁ ଜକଜକ କରେ’ (କୀଚକବଧ) ପଂକ୍ତିର ତୁଳନା କଲେ ସହଜରେ ଉପଲବ୍ଧ ହେବ ଯେ ପ୍ରଥମ ପଂକ୍ତିର ରଚୟିତା ଉଚ୍ଚତର କୋଟିର କବି ଓ ତାଙ୍କର ରସାନୁଭୁତି ଅଧିକ ମାଧୁର୍ଯ୍ୟପୂର୍ଣ୍ଣ ଅର୍ଥାତ୍‌ ତାଙ୍କର କବିପ୍ରତିଭା ଅନ୍ୟ ପଂକ୍ତିର ରଚୟିତା କବିଙ୍କର ପ୍ରତିଭାଠାରୁ ଉଚ୍ଚତର । । କାବ୍ୟର ବିଚାର ଓ ଆସ୍ୱାଦନ ବିଷୟରେ ଇଙ୍ଗିତ ଏଠାରେ ଅବାନ୍ତର ହେଲେହେଁ ଅନୁପ୍ରାସର ମାଧୁର୍ଯ୍ୟ ଏହାଦ୍ୱାରା ଉପଲବ୍ଧ ହେବ ଏହି ଆଶାରେ ଏପରି ଇଙ୍ଗିତ ଦିଆଗଲା ।

 

ଅନୁପ୍ରସାର ଆଉ ଗୋଟିଏ ରୁପ ମଧ୍ୟ ରଚନାରେ ଦେଖାଯାଏ, ତାହା ଠିକ୍ ଅନୁପ୍ରାସ ନୁହେଁ ମାତ୍ର ଅନୁପ୍ରାସର ସମଧର୍ମୀ, ଏହା ଅନୀପ୍ସିତ ମିତ୍ରାକ୍ଷର ଅର୍ଥାତ୍ ଲେଖିବା ସମୟରେ ଅନେକ କ୍ଷେତ୍ରରେ ଗଦ୍ୟରେ ମଧ୍ୟ ମିତ୍ରାକ୍ଷର ପ୍ରୟୋଗ ସ୍ପଷ୍ଟ ହୁଏ; ଅନେକ କ୍ଷେତ୍ରରେ ଏହା ଅନଭିପ୍ରେତ ମାତ୍ର ଏହାର ପ୍ରୟୋଗ ଯେ ମାଧୁର୍ଯ୍ୟର ପରିପୋଷକ ଏଥିରେ ସନ୍ଦେହ ନାହିଁ । ‘ଏହି ଦେଶ ଅତି ପ୍ରାଚୀନକାଳରେ ମାନବଜାତିର ଆବାସଭୂମିରେ ପରିଣତ ହୋଇଥିଲା’ (ଉତ୍କଳ ପ୍ରକୃତି) ବାକ୍ୟରେ ‘ରେ’ ର ପୁନରାବୃତ୍ତି ବାସ୍ତବରେ ଅନୁପ୍ରାସ ନୁହେଁ, ଏହା ମିତ୍ରାକ୍ଷରର ଗଦ୍ୟ ସଂସ୍କରଣ, ଅର୍ଥାତ୍ ବାକ୍ୟଟିରେ ଲେଖକର କବିହର ପରିଚାୟକ । ‘ମେଘମେଦୁର ଅମ୍ବରର ସଜଳ ଜଳଦ ଖଣ୍ତର’ (ଉତ୍କଳ ପ୍ରକୃତି) ‘ମାନବପକ୍ଷରେ ନିଶ୍ଚଳ ରହିବା ଯେପରି ମାରାତ୍ମକ, ଅନିୟନ୍ତ୍ରିତ କାର୍ଯ୍ୟ ସେହିପରି ସ୍ପଳ୍ପତାବୋଧକ’ (ପ୍ରବନ୍ଧ ସୋପାନ) ‘ଯେଉଁଠାରେ ଦେଶ ପୃଥକ୍‌ ପୃଥକ୍‌ଦଳରେ ବିଚ୍ଛିନ୍ନୀକୃତ, ଯେଉଁଠାରେ ଦେଶ ନାମରେ ପ୍ରତ୍ୟେକେ ନିଜ ପାଇଁ ନିଯୁକ୍ତି, ସ୍ୱକୀୟ ଦଳପୃଷ୍ଟିରେ ପ୍ରବୃତ୍ତ, ସେଠାରେ ଦେଶସେବା ଭୁତକାରଖାନାରେ ପର୍ଯ୍ୟବସିତ’ (ପ୍ରବନ୍ଧ ସୋପାନ) ପ୍ରଭୃତି ବାକ୍ୟରେ ବା ବାକ୍ୟାଂଶରେ ବା ଏହିପରି ମିତ୍ରାକ୍ଷର ପ୍ରୟୋଗ ପ୍ରବୃତ୍ତିର ନାନା ଉଦାହରଣ ମିଳେ । ବାସ୍ତବରେ ବାକ୍ୟଟି ପଢ଼ିବା ସମୟରେ ଯେଉଁଠାରେ ଅର୍ଥ ସଙ୍ଗତି ସକାଶେ ସ୍ୱରର ବିରାମ ହେବ କିମ୍ୱା କୌଣସି ବିଶେଷ ବର୍ଣ୍ଣ ଉପରେ ଶକ୍ତି ନ୍ୟସ୍ତ ହେବ, କେବଳ ସେହି ବର୍ଣ୍ଣର ପୁନରାବୃତ୍ତିଦ୍ୱାରା ରଚନାର ଏହିପରି ସରସତା ସାଧିତ ହୋଇଥାଏ । ଏହା ବାସ୍ତବରେ ଅନୁପ୍ରାସ ନୁହେଁ, କିନ୍ତୁ ରଚନାକୁ ଅନୁରୂପ କାରଣରେ ସରସ କରିବାକୁ ସମର୍ଥ ଓ ପାଠକ ପକ୍ଷରେ ଅନୁରୂପ ଧ୍ୱନିଯୁକ୍ତ ପଦକୁ ବିରାମ ସ୍ଥାନରେ ପ୍ରତ୍ୟାଶା କରିବା ମଧ୍ୟ ସ୍ୱାଭାବିକ ।

 

***

 

Unknown

ସପ୍ତମ ପରିଚ୍ଛେଦ

ଶବ୍ଦ ନିର୍ବାଚନ ଓ ଶବ୍ଦ ପ୍ରୟୋଗ

 

ରଚନାର ପ୍ରଥମ ଓ ପ୍ରଧାନ ଉପାଦାନ ଶବ୍ଦ, ଶବ୍ଦଦ୍ୱାରା ବାକ୍ୟ ଗଠିତ ହୁଏ, ବାକ୍ୟଦ୍ୱାରା ଭାବର ଅଭିବ୍ୟକ୍ତି ସମ୍ଭବପର ହୁଏ । ଏଣୁ ପ୍ରତ୍ୟେକ ରଚନାରେ ଶବ୍ଦର ଯଥାଯଥ ନିର୍ବାଚନ ଓ ପ୍ରୟୋଗ ପ୍ରତି ଅବହିତ ନ ହେଲେ ରଚନାର ମର୍ଯ୍ୟାଦା ନଷ୍ଟ ହୁଏ ଓ ଯଥେଷ୍ଟ ଶବ୍ଦସମ୍ଭାର ଥିଲେ ମଧ୍ୟ ରଚନାଦ୍ୱାରା ପାଠକର ମନ ଆକୃଷ୍ଟ ହୋଇପାରେ ନାହିଁ । ପ୍ରତ୍ୟେକ ଶବ୍ଦ କେତେଗୁଡ଼ିଏ ଧ୍ୱନି (ଧ୍ୱନି ସଙ୍କେତ ବର୍ଣ୍ଣ)ଦ୍ୱାରା ଗଠିତ, ପ୍ରତ୍ୟେକ ଶବ୍ଦର ଅର୍ଥ ପ୍ରକାଶିକା ଶକ୍ତି ଅଛି ଅର୍ଥାତ୍‌ ପ୍ରତ୍ୟେକ ଶବ୍ଦ ସାଙ୍କେତିକ ଭାବରେ କେତେକ ଅର୍ଥ ସହିତ ସମ୍ପୃକ୍ତ, ପୁଣି ପ୍ରତ୍ୟେକ ଶବ୍ଦ ପାଠକମନରେ ପ୍ରଭାବ ବିସ୍ତାର କରିବାକୁ ଓ ପାଠକମନକୁ ଅନୁପ୍ରାଣିତ କରିବାକୁ ସମର୍ଥ, ରଚନାର ପ୍ରଥମ ଉଦ୍ଦେଶ୍ୟ କୌଣସି ଭାବକୁ ବ୍ୟକ୍ତ କରିବା, ତାହାର ଦ୍ୱିତୀୟ ଉଦ୍ଦେଶ୍ୟ ମଧୁରଭାବରେ ଭାବକୁ ଅଭିବ୍ୟକ୍ତ କରି ପାଠକମନରେ ଆନନ୍ଦର ବା ଆବେଗର ସଞ୍ଚାର କରିବା । ଶବ୍ଦ ରଚନାର ପ୍ରଧାନ ଉପାଦାନ ହୋଇଥିବାରୁ ତାହା ଭାବପ୍ରକାଶରେ ସମର୍ଥ କି ନାହିଁ, ଯେଉଁ ଅର୍ଥ ପ୍ରକାଶିତ କରିବା ନିମନ୍ତେ ଲେଖକ ସଚେଷ୍ଟ ତାହା ଯଥାଯଥ ଭାବରେ ପ୍ରକାଶିତ ହୋଇ ପାରିଅଛି କି ନାହିଁ ଓ ଶବ୍ଦଟିର ବ୍ୟବହାରଦ୍ୱାରା ଲେଖକର ଭାବପ୍ରକାଶରେ କୌଣସି ବାଧା ଜାତ ହୋଇଅଛି କି ନାହିଁ, ଏହା ସର୍ବାଦୌ ଦେଖିବାକୁ ହୁଏ । ଦ୍ୱିତୀୟରେ ଶବ୍ଦର ସରସତା, ତାହାର ମାଧୁର୍ଯ୍ୟ, ତାହାର ଅନ୍ୟାନ୍ୟ ଶବ୍ଦ ସହିତ ସଙ୍ଗତି ଓ ଧ୍ୱନି ସମାବେଶଦ୍ୱାରା ତାହାର ରସପରିପୋଷଣଶକ୍ତି ଆଲୋଚନା କରିବା ଆବଶ୍ୟକ ଏବଂ ପରିଶେଷରେ ଶବ୍ଦଟି ସକ୍ରିୟ ହୋଇଅଛି କି ନାହିଁ ଅର୍ଥାତ୍‌ ପାଠକମନରେ ତାହା କୌଣସି ପ୍ରଭାବ ବିସ୍ତାର କରିବାକୁ ସମର୍ଥ କି ନାହିଁ, ପାଠକକୁ ଅନୁପ୍ରାଣିତ ଓ ଉଦ୍ଦୀପିତ କରିବାର କୌଣସି ଅନ୍ତର୍ନିହିତ ଶକ୍ତି ସେଥିରେ ଅଛି କି ନାହିଁ, ଏହା ମଧ୍ୟ ବିଚାର କରିବାକୁ ହେବ । ରଚନାର ପ୍ରତ୍ୟେକ ଶବ୍ଦକୁ ଏହିପରି ଭାବରେ ଆଲୋଚନା କରାଯାଇପାରେ ଓ ପ୍ରତ୍ୟେକ ଶବ୍ଦର ପ୍ରୟୋଜନ, ପ୍ରଭାବ ଓ ସଙ୍ଗତି ବିଶ୍ଳେଷଣ କରାଯାଇପାରେ । ସାବଧାନ ଲେଖକ ପ୍ରତ୍ୟେକ ଶବ୍ଦର ପ୍ରାୟୋଗ ବିଷୟରେ ସତର୍କ ଥିଲେ ମଧ୍ୟ ଲେଖକର ରସାନୁଭୂତି ଶକ୍ତିଦ୍ୱାରା ଶବ୍ଦମାନଙ୍କର ପ୍ରୟୋଗ ନିୟନ୍ତ୍ରିତ ହୋଇଥାଏ । କାରଣ ରଚନା ସମୟରେ ଶବ୍ଦ ମାନଙ୍କର ବିଷୟରେ ସତର୍କ ରହିବା ଅସମ୍ଭବ, ଏ ଦିଗରେ ସତର୍କତା ଅବଲମ୍ୱନ କରିବାକୁ ହେଲେ ମନୋଗତ ଭାବ ବ୍ୟକ୍ତ କରିବା ଅସମ୍ଭବ ହୋଇ ପଡ଼େ- ସ୍ୱାଭାବିକ ଚିନ୍ତାଧାରା ମଧ୍ୟ ବାଧା ପଡ଼େ ।

 

ଶବ୍ଦ ନିର୍ବାଚନରେ ପ୍ରଥମେ ଶବ୍ଦର ଅର୍ଥପ୍ରକାଶିକା ଶକ୍ତି, ଦ୍ୱିତୀୟରେ ତାହାର ସରସତା ଓ ତୃତୀୟରେ ତାହାର ସକ୍ରିୟତା ବିଚାର କରି ଦେଖିବାକୁ ହୁଏ । ଏହି ତିନି ଦିଗରୁ ଶବ୍ଦମାନଙ୍କର ବ୍ୟବହାରକୁ ଆଲୋଚନା କରାଯାଇପାରେ ।

 

ଶବ୍ଦର ଅର୍ଥପ୍ରକାଶିକା ଶକ୍ତି :–ପ୍ରତ୍ୟେକ ଶବ୍ଦର ବିଭିନ୍ନ ଅର୍ଥ ଅଛି ଏବଂ ବିଭିନ୍ନ ଶବ୍ଦମାନଙ୍କର ମଧ୍ୟ ଏକ ଅର୍ଥରେ ପ୍ରୟୋଗ ଅଛି, ଏଣୁ ଶବ୍ଦର ଅର୍ଥ ପ୍ରକାଶିକା ଶକ୍ତିର ଆଲୋଚନା ସମୟରେ ଲେଖକ ଯେଉଁ ଅତିପ୍ରାୟରେ ଶବ୍ଦଟି ବ୍ୟବହାର କରିଅଛି, ସେହି ଅଭିପ୍ରାୟ ଶବ୍ଦଟିର ବ୍ୟବହାରଦ୍ୱାରା ସ୍ପଷ୍ଟ ବ୍ୟକ୍ତ ହୋଇଅଛି କି ନାହିଁ, ଏହା ପ୍ରଥମେ ଦେଖିବାକୁ ହେବ । ଅର୍ଥ ଘେନି ଶବ୍ଦମାନଙ୍କୁ କେତେ ଗୋଟି ଶ୍ରେଶୀରେ ବିଭକ୍ତ କରାଯାଇପାରେ । କେତେକ ଶବ୍ଦ ଅଛି, ଯାହା ପରିଭାଷିକ ରୂପରେ ବ୍ୟବହୃତ, ମାତ୍ର ଅନ୍ୟ ଅନେକ ଶବ୍ଦ ସାଧାରଣ ଭାବରେ ବ୍ୟବହୃତ । ପାରିଭାଷିକ ଶବ୍ଦମାନଙ୍କର ଅର୍ଥ ବିଷୟରେ ନିଶ୍ଚୟତା ଅଛି, ସେହି ଅର୍ଥର ସାମାନ୍ୟ ପରିବର୍ତ୍ତନ ମଧ୍ୟ ସମ୍ଭବ ନୁହେଁ, ମାତ୍ର ସାଧାରଣ ଶବ୍ଦମାନଙ୍କର ଅର୍ଥ ତରଳ, ବ୍ୟବହାରଦ୍ୱାରା ଏହା ନାନା ଉପାୟରେ ପରିବର୍ତ୍ତିତ ଓ ରୂପାନ୍ତରିତ ହୋଇପାରେ, ଏହି କାରଣରୁ ବିଜ୍ଞାନଗ୍ରନ୍ଥମାନଙ୍କରେ ପାରିଭାଷିକ ଶବ୍ଦର ବ୍ୟବହାର ବିଷୟରେ ଲେଖକକୁ ଅବହିତ ରହିବାକୁ ହୁଏ । ମାତ୍ର ସାହିତ୍ୟିକ ଲେଖାରେ ସାଧାରଣ ଶବ୍ଦଗୁଡ଼ିକ ସାଧାରଣ ଭାବରେ ବ୍ୟବହୃତ ହୋଇଥାଏ; ବରଂ ସାହିତ୍ୟିକ ଲେଖାରେ କଲ୍ପନାକୁ ଅବଲମ୍ୱନ କରିବାର ପ୍ରୟାସ ସତତ ପ୍ରକଟ ଥିବାରୁ ସୁନିୟନ୍ତ୍ରିତ ଓ ସୁନ୍ନିର୍ଦ୍ଧାରିତ ପାରିଭାଷିକ ଶବ୍ଦମାନଙ୍କର ବ୍ୟବହାର ସାହିତ୍ୟିକ ରଚନାରେ ଅନୁପଯୁକ୍ତ । ସାହିତ୍ୟିକ ଆଲୋଚନାରେ ଯଦି ତର୍କଶାସ୍ତ୍ରର ପାରିଭାଷିକ ଶବ୍ଦମାନଙ୍କର ଅବତାରଣା କରାଯାଏ କିମ୍ୱା ପାରିଭାଷିକ ଅର୍ଥରେ ଅବ୍ୟବହୃତ ସାଧାରଣ ଶବ୍ଦମାନଙ୍କୁ ପାରିଭାଷିକ ଅର୍ଥରେ ପ୍ରଯୁକ୍ତ କରାଯାଏ ତେବେ ରଚନା କେବେହେଁ ସରସ ହେବ ନାହିଁ । ‘ବେଦନା’ର ସାଧାରଣ ଅର୍ଥ ଦୁଃଖ ବା କଷ୍ଟ, ମାତ୍ର ପାରିଭାଷିକ ଅର୍ଥ ଯେ କୌଣସି ଅନୁଭୂତି (ଦୁଃଖର ହେଉ ବା ସୁଖର ହେଉ) କିନ୍ତୁ ସାଧାରଣ ସାହିତ୍ୟିକ ରଚନାରେ ‘ବେଦନା’ ଶବ୍ଦକୁ ଏହି ପାରିଭାଷିକ ଅର୍ଥରେ ବ୍ୟବହାର କରାଗଲେ ତାହାଦ୍ୱାରା ସାଧାରଣ ପାଠକର ଅର୍ଥ ଗ୍ରହଣ କରିବା ସମ୍ଭବପର ହେବ ନାହିଁ । ସାହିତ୍ୟ ସାଧାରଣ ପାଠକ ନିମନ୍ତେ ରଚିତ, ସାଧାରଣ ପାଠକ ପ୍ରତ୍ୟେକ ରଚନାକୁ ଲଘୁଭାବରେ ଦେଖିବାକୁ ଅଭ୍ୟସ୍ତ; ଏଣୁ ଶବ୍ଦର ପାରିଭାଷିକ ଅର୍ଥ ନିର୍ଦ୍ଧାରଣ କରି ଲେଖକର ଅଭିପ୍ରାୟ ସଂଗ୍ରହ କରିବା ସାଧାରଣ ପାଠକ ପକ୍ଷରେ ଅସମ୍ଭବ । ଅନେକ କ୍ଷେତ୍ରରେ ସାବଧାନ ଲେଖକ ନିଜର ଭାବକୁ ପରିଷ୍କୃତ ଭାବରେ ଓ ନିର୍ଭୁଲରୂପରେ ପ୍ରକାଶିତ କରିବା ନିମନ୍ତେ ନୂତନ ନୂତନ ପଦ ବ୍ୟବହାର କରିବାକୁ ବାଧ୍ୟ ହୁଏ, ପୁଣି ଅନେକ ଶବ୍ଦକୁ ନୂତନ ନୂତନ ଅର୍ଥରେ ପ୍ରଯୁକ୍ତ କରେ, କିନ୍ତୁ ଏପରି ପ୍ରୟୋଗ ବାସ୍ତବରେ ଅନେକ କ୍ଷେତ୍ରରେ ଆବଶ୍ୟକ ହେଲେହେଁ ସାହିତ୍ୟିକ ରଚନାରେ ସାଧାରଣ ଶବ୍ଦ ସାଧାରଣ ଭାବରେ ପ୍ରଯୁକ୍ତ ହେବାହିଁ ବିଧି; କାରଣ ଯେଉଁଠାରେ ଶବ୍ଦର ଅର୍ଥ ଗ୍ରହଣ କରିବା ନିମନ୍ତେ ପ୍ରୟାସ ପ୍ରୟୋଜନ, ସେଠାରେ ପାଠକର ସମସ୍ତ ବୁଦ୍ଧିବୃତ୍ତି ଏହି ଅର୍ଥ ଗ୍ରହଣରେ ନିୟୋଜିତ ହୁଏ, ଏଣୁ କଳ୍ପନା ବ୍ୟାହତ ହୁଏ, ଆବେଗ ପ୍ରତିହତ ହୁଏ ଓ କଳ୍ପନା ବା ଆବେଗର କ୍ଷୀଣତା ହେତୁରୁ ଲେଖାର ସରସତା ନଷ୍ଟ ହୁଏ । ‘ସମୂହ ମଙ୍ଗଳ ସମାଜ ବକ୍ଷରୁ ଦୂରୀଭୂତ, ଆଂଶିକ ମଙ୍ଗଳ ଅଗ୍ରୀଭୂତ । କି ବ୍ୟକ୍ତି କି ଜାତ ସମସ୍ତେ ପୃଥକ୍‌ ସ୍ଥାନପାଇଁ, ବିଚ୍ଛିନ୍ନ ସୁଖପାଇଁ ବ୍ୟାକୁଳ । ପୃଥକ୍‌ ପ୍ରୟୋଜନର ପ୍ରତିଷ୍ଠା ମନୁଷ୍ୟ ମନୁଷ୍ୟ ମଧ୍ୟରେ ଅକାରଣ ବିରୋଧଭାବ ଘଟାଉଅଛି । ଆମ୍ଭେମାନେ ଐକିକ ସୁଖାଭିଳାକ୍ଷୀ ଐକିକ ସୁଖପାଇଁ ଐକିକ ଚେଷ୍ଟା ଯଥେଷ୍ଟ ନୁହେଁ, ଏହା ମଧ୍ୟ ଆମ୍ଭେମାନେ ଅନୁଭବ କରୁଅଛୁଁ ।’ (ପ୍ରବନ୍ଧ ସୋପାନ ୬୩ ପୃଷ୍ଠା) ଏହି ବାକ୍ୟଗୁଡ଼ିକ ଜଟିଳ ଦାର୍ଶନିକ ତଥ୍ୟପୂର୍ଣ୍ଣ ଲେଖାରେ ସ୍ୱୀକୃତ ହୋଇପାରେ, କାରଣ ଏଠାରେ ପ୍ରତ୍ୟେକ ଶବ୍ଦ ସାଭିପ୍ରାୟ ଓ ପ୍ରତ୍ୟେକ ଶବ୍ଦ ମଧ୍ୟ ସ୍ତନିର୍ଦ୍ଦିଷ୍ଟ ଅର୍ଥରେ ପ୍ରଯୁକ୍ତ । ମାତ୍ର ସାଧାରଣ ସାହିତ୍ୟିକ ଲେଖାରେ ଏପରି ବାକ୍ୟ ସବୁ ସମୟରେ ସରସ ହେବ ନାହିଁ । ‘ଅଗ୍ରୀଭୁତ’ ଶବ୍ଦ ଅପ୍ରଚଳିତ, ଏହା କେବଳ ସମ୍ମୁଖତ୍ୱ ସୂଚିତ କରୁ ନାହିଁ, ‘ଦୁରୀଭୁତ’ର ବିରୁଦ୍ଧ ଭାବରେ ନୈକଟ୍ୟ ସୂଚିତ କରୁଅଛି । ଏହା ଏହି ଶବ୍ଦର ସାଧାରଣ ଅର୍ଥ ନୁହେଁ । ପୁଣି ସମୁହ ଓ ଆଂଶିକ ମଧ୍ୟରେ ପାର୍ଥକ୍ୟ ବିଷୟରେ ଅବହିତ ନ ହେଲେ ପ୍ରଥମ ବାକ୍ୟଟିର ଅର୍ଥ ଗ୍ରହଣ କରିବା ସମ୍ଭବ ନୁହେଁ, କାରଣ ଆଶିଂକ ମଙ୍ଗଳ ବାସ୍ତବରେ ମଙ୍ଗଳର ଆଶିଂକତ୍ୱ ସୂଚିତ କରୁନାହିଁ, ଐହା ଆଂଶିକ ଲୋକର ସାମୟିକ, ଅପୂର୍ଣ୍ଣ, ମନୁଷ୍ୟତ୍ୱର ସମୂହ ବିକାଶର ପରିପନ୍ଥୀ, ସଂଘବଦ୍ଧ ଜୀବନର ଉନ୍ନତିର ଅପରିପୋଷକ ମଙ୍ଗଳ ସୂଚିତ କରୁଅଛି ଅର୍ଥାତ୍ ଏହି ଆଶିଂକ ଶବ୍ଦର ଅର୍ଥ-ପ୍ରକାଶିକା ଶକ୍ତି ଯେପରି ଭାବରେ ବିସ୍ତୃତ କରାଯାଇଛି, ତାହା ସାଧାରଣ ପାଠକ ପକ୍ଷରେ ପରିଚିତ ନୁହେଁ । ପୁଣି ସୁଖକୁ ବିଚ୍ଛିନ୍ନ ପଦଦ୍ୱାରା ବିଶେଷିତ କରାଯାଇଅଛି । ଏଠାରେ ‘ବିଚ୍ଛିନ୍ନ’ କେବଳ ସ୍ଥାନଗତ ଅବକାଶ ବା ବିରତି ଉପରେ ପ୍ରତିଷ୍ଠିତ ନୁହେଁ, ଏକମୁଖୀ ବିସ୍ତାରର ଅଭାବ ଓ ଏକଲକ୍ଷ୍ୟ ଦିଗରେ ଗତିର ଅଭାବ ମଧ୍ୟ ସୂଚିତ କରୁଅଛି, ଅର୍ଥାତ୍ ବିକ୍ଷିପ୍ତ ମଧ୍ୟ ବିଚ୍ଛିନ୍ନର ଅନ୍ତର୍ଗତ ବୋଲି ମନେ କରିବାକୁ ହେବ । ‘ପ୍ରତିଷ୍ଠା’ ଶବ୍ଦ ଏଠାରେ କେବଳ ସତ୍ତାବ୍ୟଞ୍ଜକ ନୁହେଁ, ପ୍ରୟୋଜନର ଗୁରୁତ୍ୱବ୍ୟଞ୍ଜକ । ଏହିପରି ଐକିକ ଶବ୍ଦ ମଧ୍ୟ କେବଳ ଏକତ୍ୱ ସୂଚିତ କରୁ ନାହିଁ, ବିଚ୍ଛିନ୍ନତା, ବିକ୍ଷପ୍ତତା, ସମୂହ ମଙ୍ଗଳର ପରିପନ୍ଥୀ, ସାମୟିକ ଓ ସାମାଜିକ ଜୀବନର ବିନାଶକାରି ଅର୍ଥରେ ପ୍ରଯୁକ୍ତ ହୋଇଅଛି । ଏପରି ଭାବରେ ବିଶ୍ଳେଷଣ କରି ନ ପଢ଼ିଲେ ଏ ପୁସ୍ତକର ଅର୍ଥ ଗ୍ରହଣ କରିବା ଅସମ୍ଭବ । କିନ୍ତୁ ଯାହା ବୁଦ୍ଧିବୃତ୍ତିର ସକ୍ରିୟତା ଉପରେ ପ୍ରତିଷ୍ଠିତ ତାହା ସାଧାରଣ ଲୋକର ହୃଦୟସ୍ପର୍ଶୀ ହୋଇପାରେ ନାହିଁ; ଏଣୁ ସାଧାରଣ ସାହିତ୍ୟିକ ରଚନାରେ ଏରୂପ ପ୍ରୟୋଗ ପରିହାର କରାଯାଇଥାଏ ।

 

ଓଡ଼ିଆରେ କିନ୍ତୁ ପାରିଭାଷିକ ବା ବିଶିଷ୍ଟ ଅର୍ଥଯୁକ୍ତ ଶବ୍ଦମାନଙ୍କର ଅଭାବରୁ ରଚନାଗତ ନାନା ବିଶୃଙ୍ଖଳା ଦେଖାଯାଇଥାଏ । କେତେକ କ୍ଷେତ୍ରରେ ନୂତନ ପାରିଭାଷିକ ଶବ୍ଦର ସୃଷ୍ଟି କରାଯାଏ, କେତେକ କ୍ଷେତ୍ରରେ ସାଧାରଣ ଶବ୍ଦକୁ ପାରିଭାଷିକ ରୂପରେ ବ୍ୟବହାର କରାଯାଏ, କେତେକ ସ୍ଥାନରେ ପୁଣି ସାଧାରଣ ଶବ୍ଦର ଈଷତ୍ ବିକୃତି ସାଧିତ କରାଯାଇ ତାକୁ ପାରିଭାଷିକ ଶବ୍ଦରୂପରେ ବ୍ୟବହାର କରାଯିବାର ଚେଷ୍ଟା କରାଯାଏ । ମାତ୍ର ଏସବୁ ପ୍ରୟାସ ସତ୍ତେ ନୂତନ ଶବ୍ଦ ସହଜରେ ପାରିଭାଷିକ ଶବ୍ଦରୂପରେ ସ୍ୱୀକୃତି ହୋଇପାରେ ନାହିଁ । ‘ମନର କ୍ଷେତ୍ର ଅତିଭୌତିକ ବା ଆଧ୍ୟାତ୍ମିକ’ (ପ୍ରବନ୍ଧସୋପାନ ପୃ ୧୦୨) ବାକ୍ୟରେ ‘etherial’ ଶବ୍ଦର ସୁଚକ ପଦ ନ ଥିବାରୁ ଲେଖକକୁ ଅସୁବିଧାରେ ପଡ଼ି ନୂତନ ଶବ୍ଦ ଗଠନ କରିବାକୁ ହୋଇଅଛି । ଏକ ଦିଗରେ ସାଂଖ୍ୟରେ ପାରିଭାଷିକ ରୁପରେ ବ୍ୟବହୃତ ଆଧିଭୌତିକ ଶବ୍ଦକୁ ସାଂଖ୍ୟୋକ୍ତ ସଂଜ୍ଞାରୁ ପୃଥକ ଭାବରେ ବ୍ୟବହାର କରିବା ସମ୍ଭବପର ହୋଇନାହିଁ (ବାସ୍ତବରେ ଆଧିଭୌତିକର ଅର୍ଥ ଭୌତିକ) ଅନ୍ୟ ଦିଗରେ Spiritual ବା ଆଧ୍ୟାତ୍ମିକ ଶବ୍ଦ ଯେଉଁ ଅର୍ଥରେ ପ୍ରଚଳିତ ତାହା ମଧ୍ୟ ପର୍ଯ୍ୟାପ୍ତ ନୁହେ । ପୁଣି ଗୋଟିଏ ପାରିଭାଷିକ ଶବ୍ଦର ବ୍ୟବହାର ନ କରି ନାନା ଶବ୍ଦର ବିନ୍ୟାସଦ୍ୱାରା ଅର୍ଥ ପ୍ରକାଶ କରିବା ମଧ୍ୟ ସମ୍ଭବପର ନୁହେ; କାରଣ ଶବ୍ଦବିନ୍ୟାସଦ୍ୱାରା ଭାବରେ ସକ୍ରିୟତା ନଷ୍ଟ ହୋଇଯିବ; ଏହିସବୁ ଆଶଙ୍କା କରି ଅତିଭୌତିକ ପଦର ସୃଷ୍ଟି କରାଯାଇଅଛି, ମାତ୍ର ଏହି ଶବ୍ଦ ଏହି ଅର୍ଥରେ ସ୍ୱୀକୃତି ହେବ କି ନାହିଁ ତାହା ସନ୍ଦେହର ବିଷୟ । ପୁଣି ‘ତତ୍ତ୍ୱବାଦୀ ଅନ୍ତର୍ଦର୍ଶୀ’ (ପ୍ରବନ୍ଧସୋପାନ ୧୦୪) ବାକ୍ୟରେ ତତ୍ତ୍ୱବାଦୀ ‘meta-physician’ ଅର୍ଥରେ ବ୍ୟବହୃତ ହୋଇଅଛି, ମାତ୍ର ଶବ୍ଦଟିର ବୈଶିଷ୍ଟ୍ୟ ଖୁବ ଅଳ୍ପ, ପୁଣି ‘ତତ୍ତ୍ୱ’ ଯେ କେବଳ ଅନ୍ତର୍ନିହିତ, ଅତୀନ୍ଦ୍ରିୟ ବିଷୟରେ ତତ୍ତ୍ୱ ତାହା ମଧ୍ୟ ନୁହେ, ଏଣୁ ପାରିଭାଷିକରୁପରେ ଏ ଶବ୍ଦଟି ସ୍ୱୀକୃତ ହେବାରେ ବିଶେଷ ବାଧା ବର୍ତ୍ତମାନ; ‘ଅନ୍ତର୍ଦର୍ଶୀ’ ପଦ ପୁଣି ବହିର୍ଦର୍ଶୀର ବିରୋଧାତ୍ମକ ଥାଇ ଭାବପ୍ରକାଶରେ ସାହାଯ୍ୟ କରୁଥିଲେହେଁ, ‘ଅନ୍ତଃ’ ଶବ୍ଦଦ୍ୱାରା ଇନ୍ଦ୍ରୟାତୀତ ସୂକ୍ଷ୍ମ ଗୁଣ ସ୍ପଷ୍ଟରୁପରେ ସୂଚିତ ହୋଇପାରୁନାହିଁ, ଏଣୁ ଏହାର ଅର୍ଥପ୍ରକାଶିକା ଶକ୍ତି ବ୍ୟାହତ ହେଉଅଛି । ଏହିପରି ‘ଅତିଦୃଷ୍ଟି’ (ପୃ ୧୦୭) ଶବ୍ଦ tanscenden-talismର ପାରିଭାଷିକରୂପରେ ସ୍ୱୀକୃତ ହେବ କି ନାହିଁ ସେ ବିଷୟରେ ମଧ୍ୟ ସନ୍ଦେହର ଅବକାଶ ଅଛି, କାରଣ ‘ଅତି’ ବହିର୍ଦୃଷ୍ଟିର ମଧ୍ୟ ବିଶେଷକ ହୋଇପାରେ ଏବଂ transcendental କେବଳ ‘ଅତି’ ନୁହେଁ ‘ଅନ୍ତଃ’ ମଧ୍ୟ । ପୁଣି transcendental ଇନ୍ଦ୍ରିୟାତୀତ କଳ୍ପନାଗ୍ରାହ୍ୟ ବିଷୟ ହେଲେହେଁ ଠିକ୍ noumenon ନୁହେଁ । ଓଡ଼ିଆ ଭାଷାରେ ଯେଉଁମାନଙ୍କୁ ରଚନା କରିବାକୁ ହୁଏ, ସେମାନଙ୍କ ପକ୍ଷରେ ସ୍ଥିର ଅର୍ଥ ପ୍ରକାଶକ ଶବ୍ଦନିରୂପଣ ଓ ବ୍ୟବହାର କେତେ କଠିନ ତାହା କେବଳ ଅନୁଭବୀ ଲେଖକମାନେହେଁ ହୃଦୟଙ୍ଗମ କରି ପାରିବେ-। ମାତ୍ର ସାଧାରଣ ସାହିତ୍ୟିକ ଲେଖାରେ ପାରିଭାଷିକ ଶବ୍ଦ ଯେତେ ଅଳ୍ପ ବ୍ୟବହୃତ ହୁଏ ଓ ଶବ୍ଦମାନଙ୍କ ଅର୍ଥଗ୍ରହଣ ପାଠକର ବୁଦ୍ଧି ବିଚାର ଉପରେ ପ୍ରତିଷ୍ଠତ ନ ହୋଇ ଯେତେଦୂର ସମ୍ଭବ ପ୍ରୟାସନିରପେକ୍ଷ ହୁଏ ତାହା ଦେଖିବା ପ୍ରତ୍ୟେକ ସାହିତ୍ୟିକର କର୍ତ୍ତବ୍ୟ ସାହିତ୍ୟିକର କର୍ତ୍ତବ୍ୟ ।

 

ଅର୍ଥ ପ୍ରକାଶକ ପୁରାତନ ଶବ୍ଦ ଥାଉଁ ଥାଉଁ ନୂତନ ଶବ୍ଦର ପ୍ରୟୋଗ ମଧ୍ୟ ଅନୁଚିତ । ‘ଅନେକ ସ୍ଥଳରେ ପୂଜ୍ୟ ପୂଜା ପାଇ ପାଇ ମଧ୍ୟ ଅବୋଧଚିତ୍ତ, ପୂଜକ ପୂଜା ଦେଇ ବିଫଳମନୋରଥ’ (ପ୍ରବନ୍ଧସୋପାନ ପୃ ୬୪) ବାକ୍ୟରେ ‘ଅବୋଧଚିତ୍ତ’ର ପ୍ରୟୋଜନ ନ ଥିଲା, ‘ଅପରିତୃପ୍ତ’ ବ୍ୟବହାର କରିଥିଲେ ବୋଧହୁଏ ଅର୍ଥ ପ୍ରକାଶରେ କିଛିବାଧା ଜାତ ହୁଅନ୍ତା ନାହିଁ । (ଏଠାରେ ‘ଦେଇ’ ସ୍ଥାନରେ ‘କରି’ ପ୍ରୟୋଗ କରିଥିଲେ ମଧ୍ୟ ଅର୍ଥସଙ୍ଗତି ନଷ୍ଟ ହୁଅନ୍ତା ନାହିଁ । ‘ଦେଇ’ ପଦ କେବଳ ‘ପାଇ’ର ବିରୋଧାତ୍ମକରୂପରେ କଳ୍ପିତ ଓ ପୂର୍ବ ବାକ୍ୟରେ ଥିବା ‘ଅର୍ପଣ’ର ପ୍ରତିଧ୍ୱନି ମାତ୍ର) । ପୁଣି ‘ଏକାଳ ବୃହତ୍ ମନୁଷ୍ୟର ଯୁଗ’ (ପ୍ରବନ୍ଧସୋପାନ ପୃ୮୨) ବାକ୍ୟରେ ‘ବୃହତ୍ ମନୁଷ୍ୟ’ ଶବ୍ଦର ପ୍ରୟୋଗ ଅନାବଶ୍ୟକ କାରଣ ଅନୁରୂପ ଅର୍ଥରେ ‘ଅତିମାନବ’ ପଦ ପ୍ରଯୁକ୍ତ-। ଅବଶ୍ୟ ‘ଅତିମାନବ’ଠାରେ ସାଧାରଣତଃ ଯେଉଁ ସଦ୍‌ଗୁଣରାଶିର ଆଧିକ୍ୟ ପ୍ରତ୍ୟାଶା କରାଯାଏ, ଲେଖକ କେବଳ ତାହାରି ଆଧିକ୍ୟ ସୂଚିତ କରୁ ନାହାନ୍ତି । ‘ସତ୍’ ଓ ‘ଅସତ୍’ ଉଭୟର ଆଧିକ୍ୟ ବୃହତ୍ ଶବ୍ଦଦ୍ୱାରା ସୂଚିତ । କିନ୍ତୁ ‘ଅତି’ରେ ମଧ୍ୟ କେବଳ ‘ସତ୍’ ସୂଚକ ବସ୍ତୁ ନାହିଁ । ଏହିପରି ଭାବରେ ବିଶ୍ଳେଷଣ କରି ସାବଧାନ ଲେଖକର ଭାଷାକୁ ଅନୁସରଣ କରିବାକୁ ହୁଏ ।

 

ପରିଚିତ ଶବ୍ଦକୁ ପରିଚିତ ଅର୍ଥରେ ବ୍ୟବହାର କରିବାହିଁ ରଚନାର ସାଧାରଣ ନିର୍ଦ୍ଦେଶ । ଯେଉଁ ଶବ୍ଦ ଯେତେ ପରିଚିତ, ତାହା ତେତେ ବୁଦ୍ଧିବୃତ୍ତିର ସହାୟତା ନିରପେକ୍ଷ, ଏଣୁ ହୃଦୟସ୍ପର୍ଶୀ, କଳ୍ପନାକୁ ଉଦ୍ଦୀପିତ କରିବାକୁ ସମର୍ଥ, ଆବେଗରେ ସଞ୍ଚାରରେ ପାରଗ । ଯେଉଁଠାରେ ଅର୍ଥର କ୍ଳିଷ୍ଟତା ଥିବ ବା ଅର୍ଥ ଗ୍ରହଣରେ ବାଧା ଜାତ ହେବ ସେହିଠାରେ ମାଧୁର୍ଯ୍ୟ ବ୍ୟାହତ ହେବ । ଅନେକ ସ୍ଥାନରେ ପ୍ରସଙ୍ଗକ୍ରମରେ ପଦର ଅର୍ଥ ଗ୍ରହଣ କରିବା ସମ୍ଭବପର ହେଲେହେଁ କ୍ଳିଷ୍ଟାର୍ଥକ ଓ ଦ୍ୱ୍ୟର୍ଥକ ଶବ୍ଦମାନ ଯତ୍ନପୂର୍ବକ ପରିହାର କରିବାକୁ ହୁଏ । ଆଜି କାଲି ‘କୃଷ୍ଟି’ ଶବ୍ଦର ସଂସ୍କୃତ ଅଥବା ମାନସିକ ଉତ୍କର୍ଷ ଅର୍ଥରେ ବ୍ୟବହାର ପରିଚିତ, ଏଣୁ ତାହାକୁ ସଂସ୍କୃତ ଅଭିଧାନାନୁସାରେ ‘ପଣ୍ଡିତ’ ଅର୍ଥରେ ବ୍ୟବହାର କଲେ ପାଣ୍ଡିତ୍ୟର ନିଦର୍ଶନ ମିଳିବ, କିନ୍ତୁ ରଚନାର ସରସତା ନଷ୍ଟ ହେବ । ପୁଣି ‘ପ୍ରଶସ୍ତ’ ଆଜିକାଲି ‘ଚଉଡ଼ା’ ଅର୍ଥରେ ସାଧାରଣତଃ ବ୍ୟବହୃତ, ମାତ୍ର ତାହାର ‘ପ୍ରଶଂସାଯୋଗ୍ୟ’ ଅର୍ଥ ଅସ୍ୱୀକୃତ ନ ହେଲେହେଁ ବୃଥା ପାଣ୍ଡିତ୍ୟର ପରିଚାୟକ, ସେପରି କ୍ଷେତ୍ରରେ ସ୍ପଷ୍ଟ ‘ପ୍ରଶଂସାଯୋଗ୍ୟ’ ଶବ୍ଦ ବ୍ୟବହାର କରିବା ଉଚିତ । ଆଜିକାଲି ‘ଇରମ୍ମଦ’, ‘କୋକନଦ’ ପ୍ରଭୃତି ଶବ୍ଦ ଅପ୍ରଚଳିତ ଏଣୁ ସେମାନଙ୍କୁ ଯଥାସାଧ୍ୟ ପରିହାର କରି ସେମାନଙ୍କ ସ୍ଥାନରେ ପ୍ରଚଳିତ ଶବ୍ଦମାନଙ୍କର ବ୍ୟବହାର କରିବା ଉଚିତ । ଅନେକ ସ୍ଥଳରେ ବାକ୍ୟରେ ନାନା ଚାତୁର୍ଯ୍ୟପୂର୍ଣ୍ଣ ବାଗ୍‌ବିସ୍ତାରଦ୍ୱାରା ଅତିସାଧାରଣ ପଦକୁ ନାନା ଅସରଳ ଓ ଅସାଧାରଣ ଭାବରେ ବ୍ୟକ୍ତ କରାଯାଇ ବାକ୍ୟରେ ଚମତ୍କାରିତା ସମ୍ପାଦନ କରାଯାଇଥାଏ । ମାତ୍ର ବାକ୍‌ଚାତୁର୍ଯ୍ୟ ବାସ୍ତବରେ ଅଳଙ୍କାର ନୁହେଁ, ଏହା ବୁଦ୍ଧିଗ୍ରାହ୍ୟ ପଦାର୍ଥ, ଏହାର ମନୋହାରିତ୍ୱ କୌଣସି ଅନ୍ତର୍ନିହିତ ଗୁଣ ବା ଭାବ ଉପରେ ନିହିତ ନୁହେଁ, ଏଣୁ ଏହା ସାମୟିକ ଭାବରେ ମନକୁ ଅଭିଭୂତ କରିବାକୁ ସମକ୍ଷ ହେଲେହେଁ ସାଧାରଣତଃ ଏ ସବୁକୁ ପରିହାର କରିବା ଉଚିତ । ଶବ୍ଦ ଯେତେ ପରିଚିତ ହେବ, ତାହାର ଅର୍ଥ ଯେତେ ସ୍ପୁଟ ହେବ, ସରସତା ତେତେ ଭାବମୁଳକ ହେବ, ଏହା ସର୍ବଦା ମନେ ରଖି ରଚନାରେ ପ୍ରବୃତ୍ତ ହେବାହିଁ ବିଧି ।

 

ବାକ୍ୟରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦ ସାର୍ଥକ, ସାଭିପ୍ରାୟ ହେବା ଉଚିତ । ଶବ୍ଦଟି ଅର୍ଥଯୁକ୍ତ ବା ଭାବପରିପୋଷକ ନ ହେଲେ ରଚନାରେ ତାହାର ବ୍ୟବହାର କରିବା ଅସଙ୍ଗତ, କିନ୍ତୁ ଅନେକ କ୍ଷେତ୍ରରେ ଗୋଟିଏ ଶବ୍ଦ ଅନ୍ୟ ଶବ୍ଦ ସହିତ ଏତେ ଘନିଷ୍ଠଭାବରେ ସଚରାଚର ବ୍ୟବହୃତ ଯେ, କୌଣସି ବିଶେଷ କ୍ଷେତ୍ରରେ ସେହି ଶବ୍ଦର ପ୍ରୟୋଜନ ନ ଥିଲେ ମଧ୍ୟ ପାଠକର ମନ ସେହି ଶବ୍ଦର ଅଭାବଦ୍ୱାରା କ୍ଷୁର୍ଣ୍ଣ ହୁଏ ଓ ତାହାଦ୍ୱାରା ରଚନାର ସରସତା ମଧ୍ୟ ନଷ୍ଟ ହୁଏ । ଆମ୍ଭେମାନେ ‘ମହାତ୍ମା ଗାନ୍ଧୀ’, ‘ବିଶ୍ୱକବି ରବୀନ୍ଦ୍ରନାଥ’, ‘ଦୀନବନ୍ଧୁଆଣ୍ଡ୍ରୁଜ୍’ ପ୍ରଭୃତି କହିବାକୁ ଅଭ୍ୟସ୍ତ ଏଣୁ ‘ବିଶ୍ୱକବି ରବିନ୍ଦ୍ର ନାଥ ତାଙ୍କର ପତ୍ରରେ ଭାରତର ବର୍ତ୍ତମାନ ରାଜନୈତିକ ସଂକଟ ବିଷୟରେ ଅଭିମତ ଦେଇ ଅଛନ୍ତି’ ବାକ୍ୟରେ ‘ବିଶ୍ୱକବି’ କେବଳ ‘ରବିନ୍ଦ୍ର ନାଥ’ଙ୍କର ପ୍ରତିଷ୍ଠା ସୂଚିତ କରି ତାଙ୍କର ମତାମତର ଗୁରୁତ୍ୱ ବିଷୟରେ ପାଠକଲୁ ପ୍ରଥମରୁ ସଜାଗ କରୁଥିଲେହେଁ ଓ ଏହି କାରଣରୁ ‘ବିଶ୍ୱକବି’ର ସାର୍ଥକତା ମଧ୍ୟ ଉପଲବ୍ଧ ହୋଇ ପାରିଲେହେଁ ‘ବିଶ୍ୱକବି ରବିନ୍ଦ୍ରନାଥଙ୍କର ପୁତ୍ର ଆଜି ଶାନ୍ତିନିକେତନର ବ୍ୟବହର୍ତ୍ତା ରୂପରେ ନିର୍ବାଚିତ ହୋଇଛନ୍ତି’ ବାକ୍ୟରେ ବିଶ୍ୱକବି ବାସ୍ତବରେ ନିରର୍ଥକ ଓ ଅଭିପ୍ରାୟହୀନ, ମାତ୍ର ରବିନ୍ଦ୍ରନାଥଙ୍କ ସହିତ ଏହି ପଦଟି ଏତେଦୂର ସମ୍ପୂକ୍ତ ଯେ ‘ରବିନ୍ଦ୍ରନାଥ’ ପଦକୁ ଅବଶେଷିତ ଭାବରେ ବ୍ୟବହାର କଲେ ପାଠକ କ୍ଷୂର୍ଣ୍ଣ ହୁଏ, ବିଶେଷଣର ଅଭାବ ଅନୁଭବ କରେ, ଏଣୁ ରସ ମଧ୍ୟ ବ୍ୟାହତ ହୁଏ । କିନ୍ତୁ ବିଶେଷଣଟିର ନିତ୍ୟ ପ୍ରୟୋଗଜନିତ ସମ୍ପର୍କ ସ୍ପଷ୍ଟ ବା ଘନିଷ୍ଠ ନ ଥିଲେ ଏପରି ନିରର୍ଥକ ପଦମାନଙ୍କର ବ୍ୟବହାର କରିବା ଅନୁଚିତ । ‘ଶତଚିନ୍ତା’ରେ (ପୃ ୮୧) ‘ଦୟାସାଗର ଈଶ୍ୱରଚନ୍ଦ୍ର ବିଦ୍ୟାସାଗର’ ବାକ୍ୟାଂଶରେ ‘ଦୟାସାଗର’ ନିରର୍ଥକ, କିନ୍ତୁ ‘ଈଶ୍ୱରଚନ୍ଦ୍ରଙ୍କ’ ସହିତ ତାହାର ପ୍ରୟୋଗ ଘନିଷ୍ଠ, ମାତ୍ର (ପୃ ୧୭) ‘ଋଷି ଟଲଷ୍ଟୟ ଶେଷ ଅବସ୍ଥାରେ ପଡ଼ିଅଛନ୍ତି’ ବାକ୍ୟରେ ‘ଋଷି’ ଶବ୍ଦର ଅଭିପ୍ରାୟ ସ୍ପଷ୍ଟ ନୁହେଁ, ତାହା ମଧ୍ୟ ‘ଟଲଷ୍ଟୟ’ ସହିତ ନିତ୍ୟ ସମ୍ପୃକ୍ତ ନୁହେଁ, ଏଣୁ ଅନୁଚ୍ଛେଦଟିରେ ‘ଟଲଷ୍ଟୟ’ସହିତ ‘ଋଷି’ ଶବ୍ଦର ବାରମ୍ବାର ପ୍ରୟୋଗର କୌଣସି ଯଥାଯଥ କାରଣ ନାହିଁ ।

 

ବାକ୍ୟ ମଧ୍ୟରେ ପ୍ରତ୍ୟେକ ଶବ୍ଦ ସାଭିପ୍ରାୟ ହେବା ପ୍ରୟୋଜନ । ନିରର୍ଥକ ପଦର ବ୍ୟବହାର ରଚନାର ପ୍ରଥମ ଓ ପ୍ରଧାନ ଦୋଷ । ମାତ୍ର କୌଣସି ବାକ୍ୟରେ ଅଭିପ୍ରାୟକୁ ସୁବ୍ୟକ୍ତ କରିବା ନିମନ୍ତେ କୌଣସି ଶବ୍ଦର ପ୍ରୟୋଜନ ଥିଲେ, ତାହାର ବ୍ୟବହାର ନ କରିବା ମଧ୍ୟ ଦୋଷାବହ, ଅର୍ଥାତ୍ ନିରର୍ଥକ ଅଧିକ ପଦ ବ୍ୟବହାର ନ କରିବା ଯେପରି ଅନୁଚିତ, ଆବଶ୍ୟକ ପଦ ବ୍ୟବହାର ନ କରିବା ମଧ୍ୟ ସେହିପରି ଅନୁଚିତ । କେବଳ ଆବେଗ ବା କଳ୍ପନାକୁ ଉଦ୍ଦୀପିତ କରିବା ନିମନ୍ତେ ସ୍ଥାନେ ସ୍ଥାନେ ଶବ୍ଦର ପ୍ରୟୋଗ ବିଷୟରେ କେତେକ ରୀତି ଅବଲମ୍ବିତ ହୋଇଥାଏ, ମାତ୍ର ଆବଶ୍ୟକ ଅନୁସାରେ ଶବ୍ଦମାନଙ୍କର ପ୍ରୟୋଗ କରିବାହିଁ ଉଚିତ । ‘ଅଧୁନା ଉତ୍କଳ ସାହିତ୍ୟରେ ଅନୁକରଣ ଆତ୍ମପ୍ରକାଶ କରିବାକୁ ପ୍ରାଣପଣେ ଚେଷ୍ଟା କରୁଅଛି’ (ଶତଚିନ୍ତା ପୃ୧୨୦) ବାକ୍ୟରେ ଲେଖକର ମନୋଭାବ ସୁବ୍ୟକ୍ତ ହୋଇପାରୁ ନାହିଁ, କାରଣ ଅନୁକୃତି ସହିତ ଅନୁକୃତ ବସ୍ତୁର ଇଙ୍ଗିତ ଦେବା ମଧ୍ୟ ପ୍ରୟୋଜନ ଅର୍ଥାତ୍ ବାକ୍ୟରେ ‘ବିଦେଶୀୟ ସାହିତ୍ୟର’ କିମ୍ବା ‘ବିଦେଶୀୟ ରୀତିର’ ପ୍ରଭୃତି ପଦ ପ୍ରଯୁକ୍ତ ହେବା ଉଚିତ ଥିଲା । ଏଣୁ ବାକ୍ୟରେ ଅର୍ଥଗ୍ରହଣ କରିବା ନିମନ୍ତେ ଯାହା ପ୍ରୟୋଜନ ତାହା ପର୍ଯ୍ୟାପ୍ତଭାବରେ ବାକ୍ୟରେ ବ୍ୟବହୃତ ହୋଇ ନାହିଁ । ଏହି ବାକ୍ୟରେ ‘ଆତ୍ମପ୍ରକାଶ’ ଶବ୍ଦ ମଧ୍ୟ ଅସମୀଚୀନ, କାରଣ ଯେଉଁ ବସ୍ତୁର ଅସ୍ତିତ୍ୱ ପୂର୍ବରୁ ଅଛି, ମାତ୍ର ସେହି ବସ୍ତୁ ଅନ୍ୟର ଅଜ୍ଞାତରେ ଥାଇ କାଳକ୍ରମେ ନିଜର ଅସ୍ତିତ୍ୱକୁ ପରିସ୍ଫୁଟ କରୁଅଛି, କେବଳ ସେହିପରି କ୍ଷେତ୍ରରେ ‘ଆତ୍ମପ୍ରକାଶ’ ଶବ୍ଦର ପ୍ରୟୋଗ କରିବା ଉଚିତ, ଏହି ବାକ୍ୟରେ ଏପରି ଅର୍ଥ ନ ଥିବାରୁ ଶବ୍ଦଟି ବାସ୍ତବରେ ନିରର୍ଥକ । ଏହିପରି ‘କ୍ରାଫେର୍ ହିନ୍ଦୁ ଏହି ଉଚ୍ଚ ବିଶେଷଣ ଭାରତୀୟ ଭାଗ୍ୟରେ ଅଛି’ ବାକ୍ୟରେ (ଶତଚିନ୍ତା ପୃ୫୩) ‘ଉଚ୍ଚ’ ପଦଦ୍ୱାରା ଲେଖକର ବକ୍ତବ୍ୟ ସ୍ଫୁଟ ହେଉନାହିଁ, ଏଣୁ ବିଶେଷଣଟି ନିରର୍ଥକ ।

 

ବାକ୍ୟର ଅର୍ଥକୁ ସ୍ଫୁଟ କରିବା ନିମନ୍ତେ କିମ୍ବା ପାଠକମନରେ ଶବ୍ଦର ଅର୍ଥକୁ ଦୃଢ଼ଭାବରେ ନିବଦ୍ଧ କରିବା ନିମନ୍ତେ ପୁଣି ଅନେକ ସମୟରେ ସମାର୍ଥକ ଶବ୍ଦମାନଙ୍କୁ ପରସ୍ପରର ପରିପୋଷକଭାବରେ ବ୍ୟବହାର କରିବାକୁ ହୁଏ । ଏପରି କ୍ଷେତ୍ରରେ ଏକାର୍ଥକ ଶବ୍ଦର ପୁନଃପୁନଃ ବ୍ୟବହାର ଦୋଷାବହ ନୁହେଁ । ‘ଜ୍ଞାନ ଓ କର୍ମ ଉଭୟ ମାନବର ଶକ୍ତ, ଉଭୟେ ମାନବର ଅଭାବପରିପୂରକ’ (ପ୍ରବନ୍ଧ ସୋପାନ ପୃ୩୩) ବାକ୍ୟରେ ‘ଅଭାବପରିପୂରକ’ ଓ ‘ଶକ୍ତ’ ବାସ୍ତବରେ ପରସ୍ପର ପରିପୋଷକରୂପେ ପ୍ରଯୁକ୍ତ, କାରଣ ଯାହାଦ୍ୱାରା ଅଭାବ ପରିପୂରଣ କରିବା ସମ୍ଭବ, ତାହା ‘ଶକ୍ତ’ର ଏକ ରୂପ; ଏଣୁ ‘ଶକ୍ତ’ ଓ ‘ଅଭାବପରିପୂରକ’ ବାସ୍ତବରେ ସମାର୍ଥକ, ମାତ୍ର ଲେଖକ ଶକ୍ତି ଶବ୍ଦର ପ୍ରୟୋଗ କରି ତାହାଦ୍ୱାରା ବକ୍ତବ୍ୟ ବିଷୟ ସ୍ଫୁଟ ହେଉ ନ ଥିବାର ସନ୍ଦେହ କରି ପୁଣି ସମାର୍ଥକ ‘ଅଭାବପରିପୂରକ’ ଶବ୍ଦର ପ୍ରୟୋଗ କରିଅଛନ୍ତି, କାରଣ ବାସ୍ତବରେ ‘ଶକ୍ତି’ ପଦର ଅର୍ଥ ବ୍ୟାପକ ଥିବାରୁ (ପଦାର୍ଥକୁ ନଷ୍ଟ କରିବାର କ୍ଷମତା ମଧ୍ୟ ଶକ୍ତି ବୋଲି ମନେ କରାଯାଇପାରେ) ଓ ତାହାର ବ୍ୟବହାର ପାଠକମନକୁ ବିଭ୍ରାନ୍ତ କରିପାରେ ବୋଲି ଅନୁମାନ କରି ଲେଖକ ‘ଅଭାବପୂରକ’ ପଦର ପ୍ରୟୋଗଦ୍ୱାରା ତାହାର ଅର୍ଥକୁ ନିୟନ୍ତ୍ରିତ ଓ ପରିପୁଷ୍ଟ କରୁଅଛନ୍ତି । ‘ପ୍ରଭୁ ତାର ପ୍ରଭୁ, ମାଲିକ’ (ସାଉଣ୍ଟାଚାଙ୍ଗୁଡ଼ି ପୃ ୩୯) ବାକ୍ୟରେ ‘ମାଲିକ’ ପଦ ବାସ୍ତବରେ ନିରର୍ଥକ; ମାତ୍ର ଏହା ଆବେଗସୂଚକ ଓ ପ୍ରଭୁତ୍ୱର ପରିପୋଷକ । ‘ଭାରତର ପ୍ରାଚୀନ ଧର୍ମଗୌରବ, ସେ ନିୟମ ନିଷ୍ଟା, ସେ ପବିତ୍ରତା ସମସ୍ତ ବର୍ତ୍ତମାନ ଅନ୍ତର୍ହିତ’ (ଉତ୍କଳ ପ୍ରକୃତି) ବାକ୍ୟରେ ‘ନିୟମ ନିଷ୍ଠା’, ‘ପବିତ୍ରତା’ ପଦମାନ ଧର୍ମଗୌରବର ପରିପୋଷକ ରୂପରେ ପ୍ରଯୁକ୍ତ । ଲେଖା ଆବେଗମୁଖର ହେଲେ ଏକ ଭାବକୁ ନାନାପ୍ରକାର ଭାଷାରେ ବ୍ୟକ୍ତ କରାଯାଏ, ମାତ୍ର ସାଧାରଣ ରଚନାରେ କୌଣସି ପଦର ପ୍ରୟୋଜନ ସ୍ପଷ୍ଟ ଉପଲବ୍ଧ ନ ହେଲେ ତାହାକୁ ପରିହାର କରିବା ସର୍ବଥା ଉଚିତ ।

 

ଶବ୍ଦର ସରସତା:– ଶବ୍ଦ ନିର୍ବାଚନ କରିବା ସମୟରେ ଦ୍ୱିତୀୟ ଦ୍ରଷ୍ଟବ୍ୟ ତାହାର ସରସତା ଅର୍ଥାତ୍ ଶବ୍ଦଟିର ପ୍ରୟୋଗଦ୍ୱାରା କେବଳ ଅର୍ଥ ପ୍ରକାଶିତ ନ ହୋଇ ତାହାଦ୍ୱାରା ରଚନାର ମାଧୁର୍ଯ୍ୟ ବର୍ଦ୍ଧିତ ହେବା ଉଚିତ । ଶବ୍ଦର ସରସତା ନାନା ବିଷୟ ଉପରେ ନିର୍ଭର କରେ ଏବଂ ଶବ୍ଦନିର୍ବାଚନ ସମୟରେ ସେ ସବୁ ବିଷୟରେ ଅବହିତ ହେବା ପ୍ରୟୋଜନ । ସ୍ଥୂଳତଃ ଶବ୍ଦର ସରସତା ତାହାର ସମ୍ପୃକ୍ତି, ଉତ୍ପତ୍ତି ଓ ବ୍ୟାପ୍ତି ଉପରେ ନିର୍ଭର କଲେ, ସମୟ ସମୟରେ ଶବ୍ଦର ଧ୍ୱନିସମାବେଶ ମଧ୍ୟ ତାର ସରସତା ସମ୍ପାଦନ କରିବାରେ ସମର୍ଥ ହୋଇପାରେ । ଏକାର୍ଥକ ନାନା ଶବ୍ଦ ମଧ୍ୟରୁ ଏହି ସରସତା ଘେନି ବିଶେଷ ଶବ୍ଦକୁ ନିର୍ବାଚିତ କରାଯାଏ । ଅବଶ୍ୟ ପରିଚିତ ସରସତାର ଗୋଟିଏ ଉପାଦାନ, ଅର୍ଥାତ୍ ଶବ୍ଦଟି ଅପରିଚିତ ହେଲେ ତାହାର ମାଧୁର୍ଯ୍ୟ ନଷ୍ଟ ହୁଏ, ମାତ୍ର ଅତି ପରିଚିତ ମଧ୍ୟ ଅନେକ ସମୟରେ ସରସତାରେ ବ୍ୟାଘାତ ଜନ୍ମାଏ । ପୁଣି ଧ୍ୱନିଗତ ମାଧୁର୍ଯ୍ୟ ବିଷୟରେ ଏତିକି କହିଲେ ଯଥେଷ୍ଟ ହେବ ଯେ ‘କଚଟତପ’ ପ୍ରଭୃତି ସ୍ପର୍ଶ ବର୍ଣ୍ଣ, କିମ୍ବା ଡ଼,ଢ, ର ପ୍ରଭୃତି ବର୍ଣ୍ଣମାନଙ୍କର ଅତ୍ୟଧିକ ବ୍ୟବହାର ଭାଷାକୁ କ୍ଳିଷ୍ଟ ଓ ନୀରସ କରେ; ଏଣୁ ରଚନାରେ ଏ ସବୁ ବର୍ଣ୍ଣ ଯଥାସାଧ୍ୟ ପରିହାର କରିବା କର୍ତ୍ତବ୍ୟ । ମାତ୍ର ଏ ବିଷୟରେ ମଧ୍ୟ ସ୍ଥିର ନିର୍ଦ୍ଦେଶ ଦେବା ଅସମ୍ଭବ । ପ୍ରତ୍ୟେକ ଲେଖକ ନିଜର ରସାନୁଭୂତିଦ୍ୱାରା ପରିଚାଳିତ ହୋଇ ଶବ୍ଦମାନଙ୍କୁ ନିର୍ବାଚିତ କରେ ଓ ଶବ୍ଦମାନଙ୍କର ପ୍ରୟୋଗଗତ ଆଲୋଚନା ସମୟରେ ସମାଲୋଚକ ନିଜର ରସାନୁଭୂତି ଶକ୍ତିଦ୍ୱାରା ସେମାନଙ୍କର ମାଧୁର୍ଯ୍ୟ ବିଶ୍ଳେଷଣ କରିବାରେ ପ୍ରବୃତ୍ତ ହୁଏ; ମାତ୍ର ମାଧୁର୍ଯ୍ୟ ଉପଭୋଗର ବସ୍ତୁ, ବିଶ୍ଳେଷଣଦ୍ୱାରା ମାଧୁର୍ଯ୍ୟକୁ ସ୍ଫୁଟ କରିବା ଅସମ୍ଭବ ।

 

ଶବ୍ଦର ସରସତା ଅନେକ କ୍ଷେତ୍ରରେ ତାହାର ଉତ୍ପତ୍ତି ଉପରେ ନିର୍ଭର କରେ । ଅର୍ଥାତ୍ ଓଡ଼ିଆ ଭାଷାରେ ଯେଉଁ ଶବ୍ଦଟି ସଂସ୍କୃତ ଭାଷାରୁ ଗୃହୀତ, ତାହା ସାଧାରଣତଃ ଅନୁରୂପ ଅର୍ଥରେ ପ୍ରଯୁକ୍ତ ବୈଦେଶିକ ଶବ୍ଦ ଅପେକ୍ଷା ସରସ ବୋଲି ପ୍ରତୀୟମାନ ହୁଏ, କିନ୍ତୁ ଏହାର ବାସ୍ତବ କାରଣ ସଂସ୍କୃତ ସାହିତ୍ୟ ଆମ୍ଭମାନଙ୍କର ପରିଚିତ, ଅଧିକାଂଶ ଲୋକଙ୍କର ସଂସ୍କୃତି ସଂସ୍କୃତ ସାହିତ୍ୟମୂଳକ, ଏହି କାରଣରୁ ସଂସ୍କୃତ ଭାଷାରୁ ଉତ୍ପନ୍ନ ଶବ୍ଦ ଅନ୍ୟ ଭାଷାରୁ ଗୃହୀତ ଶବ୍ଦ ଅପେକ୍ଷା ମନରେ ସରସତା ଜାତ କରିବାକୁ ସମର୍ଥ ହୁଏ । କଜ୍, କଲେକ୍ଟରୀ, ନାଦାନ, ଇନସାଫ ପ୍ରଭୃତି ଯେଉଁ ଶବ୍ଦଗୁଡ଼ିକ ଭାଷାରେ ବ୍ୟବହୃତ ନୁହେଁ, ସେଗୁଡ଼ିକ ବାସ୍ତବରେ ଅସ୍ଥରିଚିତ ଥିବାରୁ ସେଗୁଡ଼ିକର ପ୍ରୟୋଗଦ୍ୱାରା ଭାଷାର ମାଧୁର୍ଯ୍ୟ ନଷ୍ଟ ହୁଏ, କିନ୍ତୁ ବୈଦେଶିକ ଭାଷାସ୍ଥ ଯେଉଁ ଶବ୍ଦମାନ ଓଡ଼ିଆ ଭାଷାରେ ଅବୋଧରେ ପ୍ରଚଳିତ ହୋଇଅଛି ସେହି ଶବ୍ଦମାନଙ୍କର ବ୍ୟବହାରଦ୍ୱାରା ଭାଷାର ସରସତା ନଷ୍ଟ ହୁଏ ନାହିଁ- ଯଥା ଖରାପ, ଫରକ୍, ନିଲାମ, ପିଲା ପ୍ରଭୃତି । ଏ ବିଷୟରେ ବାସ୍ତବରେ ଉତ୍ପତ୍ତି ଅପେକ୍ଷା ବ୍ୟବହାର ପରିଚିତିହିଁ ସରସତାର ଆଶ୍ରୟ ବା ଅବଲମ୍ବନ, ମାତ୍ର ସାଧାରଣତଃ ସଂସ୍କୃତରୁ ଗୃହୀତ ଶବ୍ଦମାନ ନିତାନ୍ତ ଅପରିଚିତ ନ ହେଲେ ଅନ୍ୟାନ୍ୟ ଭାଷାରୁ ଗୃହୀତ ଶବ୍ଦ ଅପେକ୍ଷା ମନରେ ସମଧିକ ଆଘାତ କରିବାକୁ ସମର୍ଥ । ଓଡ଼ିଆ ଭାଷାରେ ଅଧିକାଂଶ ଶବ୍ଦ ସଂସ୍କୃତରୁ ଗୃହୀତ ହୋଇଥିବାରୁ ଅନ୍ୟ ଭାଷାରୁ ସ୍ୱୀକୃତ ଶବ୍ଦ ବିଜାତୀୟ ବୋଲି ପ୍ରଥମରେ ମନର ବିରୁପତା ସାଧିତ କରିଥାଏ । ସଂସ୍କୃତ ଭାଷାରୁ ଯେଉଁ ଶବ୍ଦମାନ ଓଡ଼ିଆରେ ପ୍ରଚିଳିତ ହୋଇଅଛି ସେମାନଙ୍କ ମଧ୍ୟରୁ କେତେକ ବିକୃତ ଓ କେତେକ ଅବିକୃତଭାବରେ ଓଡ଼ିଆ ଭାଷାରେ ସ୍ୱୀକୃତ, ମାତ୍ର କେତେକ ଶବ୍ଦର ପୁଣି ଉଭୟ ରୂପ ମଧ୍ୟ ଭାଷାରେ ପ୍ରଚଳିତ । ‘ରାତି’ ‘ରାତ୍ରି’ ଉଭୟେ ଓଡ଼ିଆ ଭାଷାରେ ବ୍ୟବହୃତ, ପୁଣି ‘ଗଜା’,‘କେନ୍ଦୁ’ ପ୍ରଭୃତି ଶବ୍ଦର ଅବିକୃତ ସଂସ୍କୃତ ରୂପ ଓଡ଼ିଆରେ ପ୍ରଚଳିତ ନୁହେଁ, କିନ୍ତୁ ‘କୁଶ’, ‘ଧନ’ ପ୍ରଭୃତି ଶବ୍ଦର ଅବିକୃତ ସଂସ୍କୃତ ରୂପହିଁ ଓଡ଼ିଆ ଭାଷାରେ ସ୍ୱୀକୃତ, ସେମାନଙ୍କର ବିକାର ସାଧିତ ହୋଇ ନାହିଁ । ଏ ସବୁ ଶବ୍ଦକୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ ପରିଚିତ ଶବ୍ଦମାନଙ୍କର ବିକୃତ ଓ ଅବିକୃତ ରୂପ ଭାଷାରେ ପ୍ରଚଳିତ ଥିଲେ ବିକୃତ ରୂପହିଁ ଅଧିକ ସରସ, କାରଣ ତାହା ଅଧିକ ପରିଚିତ, ପୁଣି କୌଣସି ଶବ୍ଦର ଅନ୍ୟ ରୂପ ନ ଥିଲେ ବାଧ୍ୟ ହୋଇ ତାହାକୁ ସ୍ୱୀକାର କରିବାକୁ ହୁଏ, ଏଣୁ ତାହାର ସରସତା ବିଷୟରେ ତୁଳନା ନିଷ୍ପ୍ରୟୋଜନ । କିନ୍ତୁ ସମାନଭାବରେ ପ୍ରଚଳିତ ସଂସ୍କୃତ ଓ ବୈଦେଶିକ ଶବ୍ଦ ମଧ୍ୟରେ ସଂସ୍କୃତ ସରସତା ସମ୍ପାଦନ କରିବା ନିମନ୍ତେ ଅଧିକ ସକ୍ଷମ, ଏଣୁ ‘ମନ୍ଦ’ ‘ଖରାପ’ ଅପେକ୍ଷା ସରସତାରେ ଅଧିକ, ପୁଣି ‘ଲକ୍ଷ୍ୟ’ ‘ନଜର’ ଅପେକ୍ଷା, ‘ଅନୁମାନ’ ‘ଅନ୍ଦାଜ’ ଅପେକ୍ଷା, ‘ଅଧ୍ୟାପକ’ ‘ପ୍ରଫେସର’ ଅପେକ୍ଷା ଅଧିକ ସରସତାସମ୍ପନ୍ନ ବୋଲି ସ୍ୱୀକାର କରିବାକୁ ହେବ । ମାତ୍ର ଏହି ସରସତା ମଧ୍ୟ ଅନେକପ୍ରକାରେ ପାଠକର ରୁଚି ଉପରେ ନିର୍ଭର କରେ, କାରଣ ଶିକ୍ଷିତ ପାଠକର ରୁଚି ଅଶିକ୍ଷିତ ପାଠକର ରୁଚିଠାରୁ ପୃଥକ୍ ଓ ପାଠକମାନଙ୍କର ସ୍ଥାନ ଓ କାଳଭେଦରେ ମଧ୍ୟ ରୁଚିର ପାର୍ଥକ୍ୟ ଘଟିପାରେ; ଏଣୁ ଯାହା ଏକପ୍ରକାର ପାଠକ ନିକଟରେ କିମ୍ବା ଏକ ପ୍ରକାର ରଚନାରେ ସରସ ବୋଲି ମନେ ହୋଇପାରେ, ତାହା ଅନ୍ୟତ୍ର ବା ଅନ୍ୟ ପକ୍ଷରେ ସରସ ନ ହୋଇପାରେ । ଏଣୁ ଏ ବିଷୟରେ କିଛି ସ୍ଥିରସିଦ୍ଧାନ୍ତରେ ଉପନୀତ ହେବା ଅତି କଠିନ, ମାତ୍ର ପରିଚିତ ଦିଗରୁ ବିଚାର କରି ଏକଦିଗରେ ଯେପରି ‘ଇନ୍ଦୀବର’ ‘ଇରମ୍ମଦ’ ପଭୃତି ଅପ୍ରଚଳିତ ସଂସ୍କୃତ ଶବ୍ଦ ପରିହାର କରିବାକୁ ହୁଏ, ଅନ୍ୟଦିଗରେ ସେହିପରି ‘ବେତମିଜ’, ‘ଏଇରୋପ୍ଳେନ’ ପ୍ରଭୃତି ଅପ୍ରଚଳିତ ବୈଦେଶିକ ଶବ୍ଦମାନଙ୍କୁ ସାଧ୍ୟମତେ ପରିହାର କରିବାକୁ ହୁଏ । କେବଳ ରଚନାର ଗାମ୍ଭୀର୍ଯ୍ୟକୁ ବୃଦ୍ଧି କରିବା ସକାଶେ ଅପ୍ରଚଳିତ ସଂସ୍କୃତ ଶବ୍ଦ ଓ ହାସ୍ୟରସାଶ୍ରିତ ଲଘୁ ରଚନାରେ ଉତ୍କଟ ବୈଦେଶିକ ଶବ୍ଦରୁ ବ୍ୟବହାର କରାଯାଏ । ସଂସ୍କୃତମୂଳକ ଶବ୍ଦର ଅର୍ଥସଙ୍ଗତି ସ୍ଥିରଭାବରେ ରଖା ନ ଗଲେ ମଧ୍ୟ ପଦର ସରସତା ବ୍ୟାହତ ହୁଏ ଅର୍ଥାତ୍ କେତେକ ବିଶେଷ ଶବ୍ଦ ଓଡ଼ିଆରେ ସଂସ୍କୃତ ଭାଷାରେ ଅର୍ଥ ପରିତ୍ୟାଗ କରି ଅନ୍ୟଭାବରେ ବ୍ୟବହୃତ ହେଉଅଛି, ମାତ୍ର ଅନ୍ୟତ୍ର ଅର୍ଥର ପରିର୍ବତ୍ତନ କରିବା ସଙ୍ଗତ ନୁହେଁ । ‘ରାଜଶକ୍ତି’ ପଞ୍ଚାୟତ, ଆଇନ ଅଦାଲତର ପ୍ରସିଦ୍ଧି ଏଇଥିପାଇଁ (ପ୍ରବନ୍ଧ ସୋପାନ ପୃ ୪୧) ବାକ୍ୟରେ ‘ପ୍ରସିଦ୍ଧି’ ଶବ୍ଦ ସାଧାରଣ ବ୍ୟବହୃତ ଅର୍ଥଠାରୁ ଭିନ୍ନ ଅର୍ଥରେ ପ୍ରଯୁକ୍ତ ହୋଇଅଛି, ଏଣୁ ଏହାର ଅପପ୍ରୟୋଗ ସ୍ୱୀକାର କରିବାକୁ ହେବ । ସାଧାରଣତଃ କୌଣସି ବିଶେଷ ପ୍ରୟୋଜନ ନ ଥିଲେ ଅଯଥା ଅପରିଚିତ ବା ବୈଦେଶିକ ଶବ୍ଦର ପ୍ରୟୋଗ କରିବା ରଚନାରେ ସମୀଚୀନ ନୁହେଁ । ‘ଆଦିମ ମନୁଷ୍ୟ ଜଙ୍ଗଲରେ ବାସ କରୁଥିଲେ’ (ପ୍ରବନ୍ଧ ସୋପାନ ପୃ ୫୪) ବାକ୍ୟରେ ‘ଜଙ୍ଗଲ’ ‘ବନ’ ଅପେକ୍ଷା ଅଧିକ ଭାବପ୍ରକାଶକ, ଏଣୁ ସରସତାସମ୍ପନ୍ନ, କାରଣ ‘ଜଙ୍ଗଲ’ ଶବ୍ଦଦ୍ୱାରା ଲତାଗୁଳ୍ମପରିପୂର୍ଣ୍ଣ, ବନ୍ୟଜନ୍ତୁସମାକୁଳ, ମାନବଜାତିର ବାସର ସମ୍ପୂର୍ଣ୍ଣ ଅଯୋଗ୍ୟ ଯେଉଁ ସ୍ଥାନରେ ଚିତ୍ର କଳ୍ପନାନେତ୍ରରେ ଭାସି ଉଠେ, ‘ବନ’ ଶବ୍ଦଦ୍ୱାରା ସେହି ଚିତ୍ର ଯଥାଯଥଭାବରେ କଳ୍ପିତ ହୋଇପାରେ ନାହିଁ । ମାତ୍ର ‘ପାତ୍ର ନିଜେ ପାତ୍ରକାର୍ଯ୍ୟର ବିଚାରକରୂପେ ମନୋନୀତ ହେଲେ ସେହି ଏକ ମନୁଷ୍ୟ ଫରିଆଦି ଓ ମୀମାଂସକ ଉଭୟ ହୋଇ ପଡ଼େ’ (ପ୍ରବନ୍ଧ ସୋପାନ ୪୧ ପୃଷ୍ଠା) ବାକ୍ୟରେ ‘ଫରିଆଦି’ ନିରର୍ଥକ ବୈଦେଶିକ ଶବ୍ଦ, ଏହା ପରିବର୍ତ୍ତରେ ‘ଅଭୀଯୋଗକାରୀ’ ଶବ୍ଦ ବ୍ୟବହୃତ ହୋଇଥିଲେ ଅର୍ଥ ସଙ୍ଗତରେ କିଛି ବାଧା ଜାତ ହୋଇ ନ ଥାନ୍ତି-। ଏହି ବାକ୍ୟରେ ପୁଣି ‘ପାତ୍ରକାର୍ଯ୍ୟ’ ଅପରିଚିତ ଶବ୍ଦ, ଏଣୁ ଏହା ମଧ୍ୟ ରସାନୁଭୂତିରେ ବ୍ୟାଘାତ ଜନ୍ମାଉଅଛି । କେତେକ ସ୍ଥାନରେ ବିଶେଷ ଶବ୍ଦ ବିଶେଷ ଅର୍ଥରେ ବ୍ୟବହୃତ ହେଉଥିବାରୁ ତାହାର ବ୍ୟବହାରଗତ ପରିବର୍ତ୍ତନ ସମ୍ଭବ ନୁହେଁ । ‘ଅରଣ୍ୟରୋଦନ’ର ଅର୍ଥ ‘ଜଙ୍ଗଲରେ କାନ୍ଦିବା’ଦ୍ୱାରା ପ୍ରକାଶିତ ହୋଇ ପାରିବ ନାହିଁ, କିମ୍ବା ‘ନିରାଭରଣ’ର ସରସତା ଓ କଳ୍ପନା ଉଦ୍ଧୀପିତ କରିବାର ଶକ୍ତି ‘ଅଳଙ୍କାରଶୂନ୍ୟ’ଦ୍ୱାରା ମଧ୍ୟ ପ୍ରକାଶିତ ହୋଇ ପାରିବ ନାହିଁ, କିମ୍ବା ‘ଆବେଦନ ନିବେଦନ’ର ସରସତା ‘ଲିଖିତ ଓ ମୌଖିକ ଦରଖାସ୍ତ’ଦ୍ୱାରା ପ୍ରକାଶିତ କରିବାକୁ ଚେଷ୍ଟା କରିବା ବିଡ଼ମ୍ବନା ମାତ୍ର-। ଅନ୍ୟ ଦିଗରେ ମୁହୁର୍ମୁହୁଃ ବୈଦେଶିକ ଶବ୍ଦର ପ୍ରୟୋଗଦ୍ୱାରା ଭାଷା ହାସ୍ୟରସାଶ୍ରିତ ହୋଇପଡ଼େ ଓ ଲଘୁ ରଚନାରେ ଏପରି ପ୍ରୟୋଗ ସମ୍ଭବପର ହେଲେହେଁ ଏହାଦ୍ୱାରା ଭାବର ଗାମ୍ଭୀର୍ଯ୍ୟ ରକ୍ଷିତ ହୋଇପାରେ ନାହିଁ । ରଚନା କରିବା ସମୟରେ ଏସବୁ ଦିଗରେ ଅବହିତ ହେବାକୁ ପଡ଼େ ।

 

ଶବ୍ଦର ସରସତା ବିଷୟରେ ଆଲୋଚନା କରିବା ସମୟରେ ତାହାର ବ୍ୟାପ୍ତି ବିଷୟରେ ମଧ୍ୟ ଅବହିତ ହେବାକୁ ହୁଏ । ଯେଉଁ ଶବ୍ଦର ବ୍ୟାପ୍ତି ଯେତେ ଅଧିକ, ତାହା ତେତେ ସରସ, ଏହାହିଁ ସାଧାରଣ ନିର୍ଦ୍ଦେଶ । ବାସ୍ତବରେ ଶବ୍ଦର ବ୍ୟାପ୍ତି ତାହାର ସରସତାର ପରିଚାୟକ କିମ୍ବା ସରସତାର ଫଳ ଏହା ମଧ୍ୟ ସ୍ୱୀକାର କରାଯାଏ । ଅନେକ ଶବ୍ଦ କେବଳ ବିଶେଷ ଦେଶାଂଶରେ, ବିଶେଷ ପ୍ରକାର ଲୋକଦ୍ୱାରା ବିଶେଷ କାଳରେ ପ୍ରଯୁକ୍ତ, ଏଣୁ ଏମାନଙ୍କର ବ୍ୟାପ୍ତି ସାଧାରଣରେ ପ୍ରଯୁକ୍ତି ଓ ସାଧାରଣରେ ବ୍ୟବହୃତ ଶବ୍ଦ ଅପେକ୍ଷା ଅଳ୍ପ; ଏଣୁ ମାଧୁର୍ଯ୍ୟଗୁଣରେ ଏମାନଙ୍କୁ ନିକୃଷ୍ଟ ବୋଲି ମନେ କରାଯାଇପାରେ । ‘କେନ୍ସି’ ଶବ୍ଦ ସମ୍ବଲପୁରରେ ପ୍ରଚଳିତ, ଓଡ଼ିଶାର ଅନ୍ୟ ସ୍ଥାନରେ ଥିବା ଲୋକେ ଏହାର ଅର୍ଥ ଗ୍ରହଣ କରି ପାରିବେ ନାହିଁ, ‘ଗଜବଳ’ ଗଞ୍ଜାମ ବଡ଼ ଖେମଣ୍ଡିରେ ବିଶେଷ ଅର୍ଥରେ ପ୍ରଚଳିତ, ଅନ୍ୟତ୍ର ଏହି ଅର୍ଥ ଅପ୍ରଚଳିତ । ଏଣୁ ଏହି ଶବ୍ଦଗୁଡ଼ିକର ବ୍ୟାପ୍ତି ବିଶେଷ ସ୍ଥାନରେ ନିବଦ୍ଧ, କେବଳ ସେହି ସ୍ଥାନର ପାଠକମାନଙ୍କ ସକାଶେ କୌଣସି ରଚନା ରଚିତ ହେଲେ ଏହି ଶବ୍ଦମାନଙ୍କର ପ୍ରୟୋଗ ସମର୍ଥନ କରାଯାଇପାରେ । ମାତ୍ର ଯେଉଁ ରଚନା ଓଡ଼ିଶାର ସମଗ୍ର ଜନସାଧାରଣ ପାଇଁ ଉଦ୍ଦିଷ୍ଟ, ସେଥିରେ ଏପରି ସ୍ୱଳ୍ପବ୍ୟାପ୍ତିଯୁକ୍ତ ପଦମାନଙ୍କର ବ୍ୟବହାର ସମର୍ଥନ କରାଯାଇ ନପାରେ । ଏହିପରି ‘ଗଛ ବୁରୁଛ’ କେବଳ ଏକ ଶ୍ରେଣୀର ଲୋକଙ୍କଦ୍ୱାରା ବ୍ୟବହୃତ, ଶିକ୍ଷିତ ଲୋକମାନଙ୍କ ମଧ୍ୟରେ ‘ବୁରୁଛ’ ଶବ୍ଦର ପ୍ରଚଳନ ନାହିଁ । ପୁଣି ‘ଗୋରାପ’ ଶବ୍ଦ କେବଳ ନାବିକ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ପୂର୍ବକାଳରେ ପ୍ରଚଳିତ ଥିଲା, ଏହି ଶବ୍ଦର କାଳଗତ ଓ ପାତ୍ରଗତ ବ୍ୟାପ୍ତି ସୀମାବଦ୍ଧ, ଏଣୁ ଏଭଳି ଶବ୍ଦମାନଙ୍କର ପ୍ରୟୋଗରେ ମଧ୍ୟ ସାବଧାନତା ଆବଶ୍ୟକ-। କେବଳ ବିଶେଷ କ୍ଷେତ୍ରରେ ବିଶେଷ ଉଦ୍ଦେଶ୍ୟରେ ସୀମାବଦ୍ଧ ବ୍ୟାପ୍ତିଯୁକ୍ତ ପଦ ବ୍ୟବହୃତ ହୋଇପାରେ ଓ ଏପରି ବ୍ୟବହାରଦ୍ୱାରା ବିଶେଷ ପ୍ରକାର ରସର ଉଦ୍ରେକ କରିବା ମଧ୍ୟ ସମ୍ଭବ ହୁଏ-। ମାତ୍ର ସାଧାରଣ ଲେଖାରେ ଏପରି ଶବ୍ଦ ପରିତ୍ୟାଗ । ବ୍ୟାପ୍ତି ଅନେକ କ୍ଷେତ୍ରରେ ପୁଣି ପାତ୍ର ସାପେକ୍ଷ, ଏଣୁ ପରିବର୍ତ୍ତନଶୀଳ । କିଛିଦିନ ପୂର୍ବେ university, tutor ପ୍ରଭୃତି ଶବ୍ଦ ଉତ୍କଟ ବୈଦେଶିକ ଶବ୍ଦ ବୋଲି ପରିଗଣିତ ହେଉଥିଲା, ମାତ୍ର ଆଜିକାଲି ଏହିସବୁ ଶବ୍ଦ ଭାଷାର ସୁପ୍ରଚଳିତ । ଅନ୍ୟ ଦିଗରେ ପ୍ରଗତି, ବୋଧି, ଭୌତିକ ପ୍ରଭୃତି ଶବ୍ଦର ଅର୍ଥ କ୍ରମଶଃ ସୀମାବଦ୍ଧ ହୋଇ ଶବ୍ଦମାନଙ୍କର ବ୍ୟାପ୍ତିକୁ ପ୍ରତିହତ କରୁଅଛି । ଆଧୁନିକ ଯୁଗରେ ସଂସ୍କୃତ ଶିକ୍ଷା ସମାଜରେ ସୁପ୍ରଚଳିତ ନ ଥିବାରୁ ଓ ଲୋକମାନଙ୍କ ମଧ୍ୟରେ ବୈଦେଶିକ ଆଚାର ବ୍ୟବହାର ପ୍ରତି ପ୍ରୀତି ପ୍ରତି କାର୍ଯ୍ୟରେ ସୁପରିସ୍ଫୁଟ ହେଉଥିବାରୁ ସଂସ୍କୃତଭାଷାର ଅନ୍ତର୍ଗତ ଶବ୍ଦର ବାହୁଲ୍ୟ ହାସ୍ୟରସର ଉଦ୍ରେକ କରୁଅଛି, ଅର୍ଥାତ୍ ସଂସ୍କୃତ ଶବ୍ଦମାନଙ୍କର ପାତ୍ରଗତ ବ୍ୟାପ୍ତି ସଂଙ୍କୁଚିତ ହୋଇଥିବାରୁ ତାହା ଆଉ ଭାଷାରେ ଅବାଧରେ ସ୍ୱୀକୃତ ହେଉ ନାହିଁ । ‘ଅଦ୍ୟ ପରିଦର୍ଶକ ମହୋଦୟ ବିଦ୍ୟାଳୟ ପରିଦାର୍ଶନ କରିବେ’ ସ୍ଥାନରେ ‘ଆଜି Inspector ସାହେବ school visit କରିବେ’ ବ୍ୟବହାର କଲେ ଉଭୟ ବାକ୍ୟର ବ୍ୟାପ୍ତି ବିଷୟରେ ସଂକୀର୍ଣ୍ଣତା ସହଜରେ ଉପଲବ୍ଧ ହେବ, ଉଭୟେ ହାସ୍ୟ ରସାଶ୍ରିତ ଭାଷାରେ ବ୍ୟବହୃତ ହୋଇ ପାରନ୍ତି ମାତ୍ର ସାଧାରଣ ରଚନାରେ ଉଭୟ ଦିଗରେ ଆଧିକ୍ୟ ବର୍ଜନୀୟ । ଉତ୍କଟତା ବା ଅତି ପ୍ରକଟତା ସାହିତ୍ୟିକ ରଚନାର ପ୍ରଧାନ ଦୋଷ, ଏହା ସର୍ବଦା ମନେ ରଖିବାକୁ ହେବ ଓ ଏକ ଦିଗରେ ଉତ୍କଟ ରକ୍ଷଣଶୀଳତା ଯେପରି ନିନ୍ଦନୀୟ, ଅନ୍ୟ ଦିଗରେ ଅତି ପ୍ରକଟ ପ୍ରଗତି ମଧ୍ୟ ସେହିପରି ହାସ୍ୟାସ୍ପଦ, ଉଭୟ ଦୋଷ ପରିହାର କରି ସାଧାରଣରେ ପରିଚିତ ଶବ୍ଦକୁ ସାଧାରଣ ଭାବରେ ବ୍ୟବହାର କରିବାହିଁ ବିଧି ।

 

ତେବେ ବ୍ୟାପ୍ତି କହିଲେ ଶବ୍ଦମାନଙ୍କର ସାଧାରଣ ଶିକ୍ଷିତ ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ହେବାର ଶକ୍ତି ସୂଚିତ କରିଥାଏ । ଅର୍ଥାତ୍ ଅଶିକ୍ଷିତ ଲୋକ ଶିକ୍ଷିତ ଲୋକମାନଙ୍କ ଅପେକ୍ଷା ସଂଖ୍ୟାରେ ଅଧିକ ହେଲେହେଁ ଗ୍ରାମ୍ୟତା, ଅସାଧୁତା, ବ୍ୟାକରଣ ବିରୁଦ୍ଧତା ପ୍ରଭୁତି ପରିହାର କରିବାକୁ ହୁଏ ଓ ଏସବୁ ପ୍ରତି ଅବହିତ ନ ହେଲେ ରଚନାର ସରସତା ନଷ୍ଟ ହୁଏ । ଅନେକ ସ୍ଥାନରେ ଅବଶ୍ୟ ବିଶେଷ ପ୍ରୟୋଜନରେ, କିମ୍ୱା ବିଶେଷ ରସର ସଞ୍ଚାର କରିବା ନିମନ୍ତେ ଗ୍ରାମ୍ୟତା ପ୍ରଭୃତି ସ୍ୱୀକୃତ ହୋଇଥାଏ, କିନ୍ତୁ ସାଧାରଣ ଲେଖକ ପକ୍ଷରେ ଏସବୁକୁ ପରିହାର କରି ମାର୍ଜିତରୁଚି ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରେ ଯାହା ସୁପ୍ରଚଳିତ ଏଭଳି ଶବ୍ଦମାନଙ୍କର ବ୍ୟବହାର କରିନାହିଁ ସଙ୍ଗତ । ବ୍ୟାକରଣବିରୁଦ୍ଧ ଶବ୍ଦ ଯଦି ସୁପ୍ରଚଳିତ ହୁଏ, ତେବେ ତାହା ମଧ୍ୟ ବ୍ୟବହାର୍ଯ୍ୟ । ରାଜନୈତିକ, ସକ୍ଷମ ପ୍ରଭୃତି ଏହିପରି ବ୍ୟାକରଣ ବିରୁଦ୍ଧ ସୁପ୍ରଚଳିତ ଶବ୍ଦର ଉଦାହରଣ, କିନ୍ତୁ ଶକ୍ତିଶାଳୀ ଲେଖକ ନ ହେଲେ ସାଧାରଣ ଶବ୍ଦରେ ବ୍ୟାକରଣର ନିୟମମାନଙ୍କୁ ଅତିକ୍ରମ କରିବାର ଚେଷ୍ଟା ବାତୁଳତା ହେବ । ‘ମର୍ମନ୍ତୁଦ’ ‘ମୃହ୍ୟମାନ’ ଏହିପରି ଶକ୍ତିଶାଳୀ ଲେଖକଦ୍ୱାରା ପ୍ରଚଳିତ, କିନ୍ତୁ ସୌକାର୍ଯ୍ୟ, ରକ୍ଷୟିତ୍ରୀ ପ୍ରଭୃତି ଶବ୍ଦ ବର୍ତ୍ତମାନ ମଧ୍ୟ ପ୍ରଚଳିତ ହୋଇ ନାହିଁ । ଏଣୁ ସରସ ସାହିତ୍ୟିକ ରଚନାରେ ଏମାନଙ୍କୁ ଅବାଧରେ ବ୍ୟବହାର କରିବା ଉଚିତ ନୁହେଁ । କୌଣସି ଶବ୍ଦ ଯଦି କେବଳ ଏକ ସ୍ଥାନର ଲୋକଙ୍କଦ୍ୱାରା ବ୍ୟବହୃତ ହେଉଥାଏ କିମ୍ବା ଶିକ୍ଷିତ ସମାଜରେ ସ୍ୱୀକୃତ ବୋଲି ପରିଚିତ ନ ହୋଇଥାଏ, ତେବେ ସେହି ସବୁ ଶବ୍ଦର ବ୍ୟବହାର ସମୟରେ ବିଶେଷ ସାବଧାନତା ପ୍ରୟୋଜନ । ଏ ସବୁ ଶବ୍ଦ ଯେ ସମ୍ପୂର୍ଣ୍ଣଭାବରେ ପରିତ୍ୟାଜ୍ୟ ତାହା ନୁହେଁ, ବରଂ ଅନେକ ସମୟରେ ଯଥାଯଥ ଭାବରେ ପ୍ରଯୁକ୍ତ ହେଲେ ଏମାନେ ରଚନାର ସରସତାକୁ ବର୍ଦ୍ଧିତ କରି ପାରନ୍ତି, ମାତ୍ର ଏମାନଙ୍କର ବ୍ୟବହାରରେ ଯେଉଁ କୌଶଳ ଓ ଶକ୍ତିର ପ୍ରୟୋଜନ, ତାହା ସାଧାରଣ ଲେଖକଠାରେ ଅନେକ ସମୟରେ ଦେଖାଯାଏ ନାହିଁ ।

 

ଶବ୍ଦର ସରସତା ଅନେକ ସମୟରେ ସମ୍ପୃକ୍ତି ଉପରେ ନିର୍ଭର କରେ । କେତେଗୁଡ଼ିଏ ଶବ୍ଦ ମଧ୍ୟରେ ନାନାବିଧ ଇଙ୍ଗିତ ନିହିତ ଥାଏ, ସେହି ଇଙ୍ଗିତମାନଙ୍କଦ୍ୱାରା ତାହା ସରସ ହୋଇଥାଏ-। ପୁଣି କେତେକ ଶବ୍ଦ ସାଧାରଣତଃ ଲଜ୍ଜାଜନକ ବୋଲି ସ୍ୱୀକୃତି ହୁଏ ଓ ଲଜ୍ଜା ବା ଘୃଣାଜନକ କାର୍ଯ୍ୟ ସହିତ ସେମାନଙ୍କର ସମ୍ପର୍କ ସ୍ଫୁଟ ଥିବାର ମନେ କରାଯାଏ; ଏଣୁ ସେଗୁଡ଼ିକ ମଧ୍ୟ ଅଶ୍ଳୀଳରୂପେ ରଚନାରୁ ପରିତ୍ୟକ୍ତ ହୁଏ । ଶବ୍ଦର ଅଶୀଳତା ଦୋଷ ସହିତ ସମସ୍ତେ ପରିଚିତ-। କେତେକ ଶବ୍ଦ ଏତେ ଲଜ୍ଜାଜନକ ଯେ ଶିକ୍ଷିତ ସମାଜରେ ସେହି ଶବ୍ଦଗୁଡ଼ିକ ଆଦୌ ଉଚ୍ଛରିତ ହୁଏ ନାହିଁ, ପ୍ରୟୋଜନ କ୍ଷେତ୍ରରେ ଆକାର ଇଙ୍ଗିତରେ ସେମାନଙ୍କୁ ପ୍ରକାଶିତ କରାଯାଏ । ଏଣୁ ଏଭଳି ଶବ୍ଦ ସାହିତ୍ୟିକ ରଚନାରେ ଯେ ସର୍ବଥା ପରିତ୍ୟାଜ୍ୟ ଏହା କହିବା ବାହୁଲ୍ୟ । ପୁଣି ଗୋଟିଏ ଶବ୍ଦ ଲଜ୍ଜାଜନକ ବା ଅଶ୍ଲୀଳ ହେଲେ ସମାର୍ଥକ ସବୁ ଶବ୍ଦ ଯେ ଅଶ୍ଲୀଳ ହେବ ତାହା ନୁହେଁ, ବରଂ ଶବ୍ଦଟି ଯେତେ ଅପରିଚିତ ହେବ, କିମ୍ୱା ବ୍ୟାପକ ହେବ ତାହାର ଅଶ୍ଳୀଳତା ଦୋଷ ତେତେ ନିବାରିତ ହେବ । ’ଗୁହ’ ହୁଏ ତ ଅଶ୍ଳୀଳ ମାତ୍ର ‘ବିଷ୍ଠା’ ବା ‘ମଇଳା’ ଅଶ୍ଳୀଳ ନୁହେଁ, ଏଣୁ ସାହିତ୍ୟିକ ରଚନାରେ ନିତାନ୍ତ ପ୍ରୟୋଜନ କ୍ଷେତ୍ରରେ ନାନା କୌଶଳ ଅବଲମ୍ୱନ କରି ଅଶ୍ଲୀଳତା ଦୋଷ ପରିହାର କରାଯାଇଥାଏ ।

 

ଶବ୍ଦର ସରସତା ତାହାର ଅନ୍ତର୍ନିହିତ ଇଙ୍ଗିତଦ୍ୱାରା ବୃଦ୍ଧିପ୍ରାପ୍ତ ହୋଇଥାଏ, ଅର୍ଥାତ୍‌ ଶବ୍ଦଟି କେତେକ ବିଶେଷ ବିଷୟ ସହିତ ସମ୍ପୃକ୍ତ ଥିବାରୁ ପାଠକମନରେ ଏହାର କଳ୍ପନା ସଞ୍ଚାର କରିବାର ଶକ୍ତି ବଢ଼ିଯାଏ ଓ ସମାର୍ଥକ ସାଧାରଣ ଶବ୍ଦର ପ୍ରୟୋଗ ଅପେକ୍ଷା ଏହା ଅଧିକ ଆନନ୍ଦପ୍ରଦ ହୁଏ । ଏହିପରି ଇଙ୍ଗିତ ପ୍ରଧାନତଃ ତିନି ପ୍ରକାରର । ଏକପ୍ରକାର ଇଙ୍ଗୀତ କୌଣସି ବିଶେଷ ଗଳ୍ପ ବା ବିଷୟ ସହିତ ସମ୍ପୃକ୍ତରୁ ଜାତ ହୁଏ, ଅନ୍ୟଟି ଶବ୍ଦ ମଧ୍ୟରେ ଥିବା ଅନ୍ତନିର୍ହିତ ଉପମାଭାସରୁ ଜାତ ହୁଏ ଓ ତୃତୀୟଟି କୌଣସି ପ୍ରସିଦ୍ଧ ଲେଖକର ଲେଖାକୁ ପାଠକର ମାନସରାଜ୍ୟରେ ଉଦ୍ଦୀପିତ କରିବା ଶକ୍ତି ଉପରେ ପ୍ରତିଷ୍ଠିତ ଥାଏ । ‘ମୁଁ ଏପରି ଅପାଣ୍ଡବା ରାଜ୍ୟ ଦେଖି ନାହିଁ’ କହିଲେ ‘ଅପାଣ୍ଡବା’ ଶବ୍ଦଦ୍ୱାରା ପାଣ୍ଡବମାନଙ୍କର ମହାଭାରତୋକ୍ତ ଅଜ୍ଞାତବାସକାଳୀନ ବହୁ ଦେଶ ପରିଭ୍ରମଣ ଗଳ୍ପକୁ ଇଙ୍ଗିତ କରୁଅଛି; ଏଣୁ ଏହି ଶବ୍ଦମଧ୍ୟରେ ଅନ୍ତର୍ନିହିତ ପୁରାଣପ୍ରସିଦ୍ଧ ଗଳ୍ପକୁ ଇଙ୍ଗିତ କରିବାର ଭାବ ଏହାକୁ ସରସ କରୁଅଛି, ଏଣୁ ସାଧାରଣ ଭାବରେ ଏହି ଶବ୍ଦର ଅର୍ଥକୁ ପ୍ରକାଶିତ କଲେ ତାହା ତେବେ ହୃଦୟଗ୍ରାହୀ ହୋଇ ପାରନ୍ତା ନାହିଁ । ଏହିପରି ‘ଆମ୍ଭମାନେ ବର୍ତ୍ତମାନ ରାମରାଇଜରେ ବାସ କରୁଅଛୁ’ ‘କୁମ୍ଭକର୍ଣ୍ଣଙ୍କ ନିଦ୍ରାଭଙ୍ଗ କରିବାକୁ ହେବ’ ’ଭୀଷ୍ମପ୍ରତିଜ୍ଞା ଟଳିବାର ନୁହେଁ’ *ପ୍ରଭୃତି ବାକ୍ୟରେ ଏଭଳି ଇଙ୍ଗିତ ସୁସ୍ଫଷ୍ଟ ଓ ବାକ୍ୟମାନଙ୍କର ମାଧୁର୍ଯ୍ୟ ମଧ୍ୟ ଏହି ଇଙ୍ଗିତ ଉପରେ ପ୍ରତିଷ୍ଠିତ । ଏ ଦିଗରେ କେବଳ ଏତିକି ଲକ୍ଷ୍ୟ ରଖିବାକୁ ହେବ ଯେ ଇଙ୍ଗିତଟି ସ୍ୱତଃ ବୋଧ୍ୟ ନ ହେଲେ ବା ଅଳ୍ପାୟାସରେ ବୁଝା ନ ଗଲେ ସରସତା ବ୍ୟାହତ ହୋଇପାରେ । ଶବ୍ଦ ମଧ୍ୟରେ ଥିବା ଉପମାଭାସ ମଧ୍ୟ ତାକୁ ସରସ କରିପାରେ । ‘ତାକୁ ଅର୍ଦ୍ଧଚନ୍ଦ୍ର ଦେଇ ବିଦାୟ କରିଦିଅ’, ‘ମୋର ଆବେଦନ ନିବେଦନ ଅରଣ୍ୟରୋଦନ ମାତ୍ରରେ ପର୍ଯ୍ୟବସିତ ହେଲା’ ‘ସେ ମୋର ବେକର କଣ୍ଟା ହୋଇ ରହିଛି’,‘ସେ ନିଷ୍କଣ୍ଟକ ରାଜ୍ୟ ଭୋଗ କଲେ’, ‘ତାଙ୍କର ସବୁ ଆଶା ଅଙ୍କୁରରେ ବିନଷ୍ଟ ହୋଇଗଲା’, ‘ଏକଥାଟି ମୋ ମନରେ ବଦ୍ଧମୂଳ ହୋଇ ରହିଛି’, ‘ତାଙ୍କର ଔଷଧଟି ଫଳପ୍ରଦ ହେଲା’ ପ୍ରଭୃତି ବାକ୍ୟରେ ଉପମାଭାସର ଉଦାହରଣ ସୁସ୍ଫଷ୍ଟ ଓ ଏହାଦ୍ୱାରା ବାକ୍ୟରେ ସରସତା ଯେ ବିଶେଷ ଭାବରେ ବୃଦ୍ଧିପ୍ରାପ୍ତ ହୋଇଅଛି, ଏଥିରେ ସନ୍ଦେହ ନାହିଁ । ରଚନା ସମୟରେ ଏପରି ଇଙ୍ଗିତପୂର୍ଣ୍ଣ ଶବ୍ଦର ବ୍ୟବହାର ସମଧିକ କଳ୍ପନା ଉଦ୍ଦୀଦକ, ମାତ୍ର ଇଙ୍ଗିତଟି ଯେପରି ପରିସ୍ଫୁଟ ହୁଏ ତାହା ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ହେବ; କାରଣ କ୍ଳିଷ୍ଟ କିମ୍ୱା ଅଜ୍ଞାତ ଇଙ୍ଗିତର ଆଶ୍ରୟ ନେଲେ ରଚନା କେବେହେଁ ମଧୁର ହୋଇପାରେ ନାହିଁ । ଇଙ୍ଗିତର ତୃତୀୟ ଉଦାହରଣ କୌଣସି ପ୍ରସିଦ୍ଧ ଉକ୍ତିର ସ୍ମାରକ ରୂପରେ ଶବ୍ଦର ବ୍ୟବହାର । ‘ଦିନକୁଦିନ ତା ଦାଉ ଅତିସର୍ବତ୍ର ହୋଇ ଉଠିଲାଣି’ ‘କିନ୍ତୁ ତାକୁ ହଜାରଥର ଶାସ୍ତି ଦେଲେ କଣ ହେବ, ସେ ସେହି ଅଙ୍ଗାର’’ ଏସବୁ ବ୍ୟାପାର ଦେଖି ମୁଁ ଦାରୁଭୂତ ହୋଇ ରହିଗଲି’ ‘ତାକୁ ମୁଁ ବହୁତ ବୁଝାଇଲି, ମାତ୍ର ତାଙ୍କ ବିନାଶକାଳ’ ସେ ମୋ କଥାକୁ, ଖାତିର କଲେ ନାହିଁ’ ‘ଏପରି ବହାରମ୍ଭରେ ଲାଭ କଣ’ ପ୍ରଭୃତି ବାକ୍ୟରେ ପ୍ରସିଦ୍ଧ ଉକ୍ତି ପ୍ରତି ଯେପରି ଇଙ୍ଗିତ କରାଯାଉଅଛି, ତାହାଦ୍ୱାରା ପାଠକମନରେ ସେହି ପ୍ରସିଦ୍ଧ ଉକ୍ତିଟି ଉଦ୍ଭାସିତ ହୋଇ ଉଠି ଶବ୍ଦଟିକୁ ମଧୁର ଓ ସରସ କରୁଅଛି । ସବୁ ସମୟରେ ଏହିପରି ପ୍ରସିଦ୍ଧୋକ୍ତିର ଆଭାସ ବାକ୍ୟକୁ ସରସ କରେ, ମାତ୍ର ଏଠାରେ ମଧ୍ୟ ଉକ୍ତିଟି ବାସ୍ତବରେ ପ୍ରସିଦ୍ଧ ନ ହେଲେ କିମ୍ୱା ତାକୁ ସହଜରେ ଚିହ୍ନି ନ ପାରିଲେ ସରସତା ବ୍ୟାହତ ହୁଏ । ରଚନାରେ ଏସବୁ ଇଙ୍ଗିତଯୁକ୍ତ ପଦମାନଙ୍କର ଯଥାଯଥ ପ୍ରୟୋଗ ବାଞ୍ଛନୀୟ, କାରଣ ଏଭଳି ପ୍ରୟୋଗର ଆଧିକ୍ୟ ଘଟିଲେ ଲେଖା ମନୋହାରୀ ହୁଏ ନାହିଁ, ବଂର ପାଠକର ମନ ବିକ୍ଷିପ୍ତ ଓ ବିଭ୍ରାନ୍ତ ହେବାରୁ ରସାନୁଭୂତିରେ ବାଧା ଜାତ ହୋଇଥାଏ ।

 

*ମନ୍ତ୍ରୀମାନେ ତାକୁ ଚକ୍ରଉହାଡ଼ କରି ରଖିଛନ୍ତି, ଏପରି ଘଣ୍ଟଘୋଡ଼ା ନୀତି ଆଉ କେତେ ଦିନ ଚାଲିବ, ବିଦୂରଘର ଖୁଦଗଣ୍ତାକ ଆମ ପକ୍ଷରେ ତେର, ବର୍ତ୍ତମାନ ଭାରମାନଙ୍କ ଭିତରେ କୁରୁକ୍ଷେତ୍ରଯୁଦ୍ଧ ଲାଗିଛି ପ୍ରଭୁକ୍ତି ମଧ୍ୟ ଦ୍ରଷ୍ଟବ୍ୟ ।

 

ଶବ୍ଦର ସକ୍ରିୟତା:– ରଚନାରେ ଶବ୍ଦମାନଙ୍କର ସକ୍ରିୟତା ପ୍ରତି ମଧ୍ୟ ଅବହିତ ହେବାକୁ ପଡ଼େ । ଯେଉଁ ଶବ୍ଦ ମନଉପରେ ପ୍ରଭାବ ବିସ୍ତାର କରିବାକୁ ସମର୍ଥ ତାହା ସକ୍ରିୟପଦ, ଯେଉଁ ଶବ୍ଦ ସମାର୍ଥକ ହେଲେ ମଧ୍ୟ ମନକୁ ପ୍ରଭାବିତ କରିବାକୁ ଅକ୍ଷମ, ଆବେଗକୁ ଉତ୍ତେଜିତ କରିବାକୁ ଅପାରଗ ତାହା ସକ୍ରିୟ ପଦ ନୁହେଁ । ଯେଉଁ ଶବ୍ଦଟି ଯେତେ ପରିଚିତ, ଯେତେ ସାଧାରଣ, ଯେତେ ବ୍ୟାପକଭାବରେ ବ୍ୟବହୃତ ତାହା ତେତେ ସକ୍ରିୟ, ଏହାହିଁ ରଚନାର ନିୟମ । ଏଣୁ ପାଣ୍ତିତ୍ୟପୂର୍ଣ୍ଣ ସଂସ୍କୃତ ଶବ୍ଦ ଓ ଗ୍ରାମ୍ୟଶବ୍ଦ ମଧ୍ୟରେ ଗ୍ରାମ୍ୟଶବ୍ଦ ସକ୍ରିୟ, ଅତଏବ ସଂସ୍କୃତ ଶବ୍ଦ ସରସ ହେଲେହେଁ ସକ୍ରିୟ ନ ହୋଇପାରେ । ଏଣୁ ସରସରଚନା ନିମନ୍ତେ ଯେପରି ଶବ୍ଦନିର୍ବାଚନ ପ୍ରୟୋଜନ, ସକ୍ରିୟ ଲେଖା ନିମନ୍ତେ ଠିକ୍ ସେହିପରି ଶବ୍ଦନିର୍ବାଚନ ସଙ୍ଗତ ନୁହେଁ । ଯାହା ଆବେଗପରିପୋଷକ ତାହା ସକ୍ରିୟ, ଯାହା କଳ୍ପନାପରିପୋଷକ ତାହା ସରସ; ଏହା ମୋଟାମୋଟିଭାବରେ ସ୍ୱୀକାର କରି ପ୍ରଥମେ ରଚନାର ଉଦ୍ଦେଶ୍ୟ ବିଷୟରେ ଅବହିତ ହୋଇ ଲେଖାରେ ପ୍ରବୃତ୍ତ ହେବାକୁ ହୁଏ । ‘ପ୍ରବନ୍ଧ ସୋପାନ’ର ଉଦ୍ଦେଶ୍ୟ ଓ ବ୍ୟାଖ୍ୟାନ ବୁଦ୍ଧିଗ୍ରାହ୍ୟ, ଆବେଗପରିପୋଷକ ନୁହେଁ, ଏଣୁ ଏହାର ଭାଷାକୁ ବିଶ୍ଳେଷଣ କଲେ ଆମ୍ଭେମାନେ ପ୍ରାୟ ଶତକରା ୭୦ ଗୋଟି ଶବ୍ଦ ଅବିକୃତ ସଂସ୍କୃତ ଶବ୍ଦ ଥିବାର ଦେଖୁଁ । (୧୯ ପୃଷ୍ଠାରେ ତୃତୀୟ ପଂକ୍ତି ‘ସଂସାର’ରୁ ଅଷ୍ଟମ ପଂକ୍ତି ‘ସୃଷ୍ଟର’ ପର୍ଯ୍ୟନ୍ତ ୫୦ ଗୋଟି ଶବ୍ଦ ମଧ୍ୟରୁ ୩୭ଗୋଟି ଶବ୍ଦ ସଂସ୍କୃତ) କିନ୍ତୁ ଯେଉଁଠାରେ ସକ୍ରିୟ ଶବ୍ଦମାନଙ୍କର ଲୋଡ଼ା, ସେଠାରେ ପରିଚିତ ସଂସ୍କୃତ ଶବ୍ଦ, ସାଧାରଣରେ ବ୍ୟବହୃତ ବୈଦେଶିକ ଶବ୍ଦ, ସଂସ୍କୃତ ବା ବୈଦେଶିକ ଶବ୍ଦରୁ ବିକୃତ ଶବ୍ଦମାନ ବ୍ୟବହୃତ ହୋଇଥାଏ, ପାଣ୍ତିତ୍ୟପୂର୍ଣ୍ଣ ଶବ୍ଦସମ୍ଭାର ସଯତ୍ନରେ ପରିତ୍ୟକ୍ତ ହୋଇଥାଏ । ‘ରାତି ହେଲା, ଘରକୁ ଫେରିଯାଅ’ ସକ୍ରିୟତା ଶବ୍ଦମାନଙ୍କର ସମାବେଶଦ୍ୱାରା ରଚିତ, ଏହାକୁ ‘ରାତ୍ରି ସମାଗତ, ଗୃହକୁ ପ୍ରତ୍ୟାଗମନ କର’ ରୂପରେ ପରିବର୍ତ୍ତିତ କଲେ ଏହାର ସକ୍ରିୟତା ଅନେକାଂଶରେ ନଷ୍ଟ ହୋଇଥାଏ-। ପୁଣି ‘ରାତ୍ରି ସମାଗତ’ ସ୍ଥାନରେ ‘ରଜନୀ ଆଗତପ୍ରାୟ’ କିମ୍ୱା ‘ତ୍ରିଯାମା ଆସନ୍ନ’ ରୂପରେ ପରିବର୍ତ୍ତିତ କଲେ ସକ୍ରିୟତାର ଯାହା ବା ଅବଶିଷ୍ଟ ଥିଲା, ତାହା ମଧ୍ୟ ନଷ୍ଟ ହୋଇ ଯାଇଥାଏ । ଶବ୍ଦର ଅସାଧାରଣତ୍ୱ ଯେତେ ବଢ଼େ ତାହାର ସକ୍ରିୟତା ତେତେ କମିଯାଏ ପାଣ୍ତିତ୍ୟପୂର୍ଣ୍ଣ ବାଗାଡ଼ମ୍ୱରରେ ପାଣ୍ତିତ୍ୟର ନିଦର୍ଶନ ମିଳେ, ମାତ୍ର ତାହାଦ୍ୱାରା ବାକ୍ୟର ଉଦ୍ଦୀପକ ଶକ୍ତି ନଷ୍ଟ ହୋଇଥାଏ । ‘ବଗିଚାରେ ଫୁଲ ଫୁଟି ମହକୁଚି’ କିମ୍ୱା ‘କାଲି ମାମୁଘରେ ଫିଷ୍ଟ ଥିଲା’ ପ୍ରଭୃତି ବାକ୍ୟକୁ ‘ଉଦ୍ୟାନରେ ନାନାବିଧ ପୁଷ୍ପ ପ୍ରସ୍ଫୁଟିତ ହୋଇ ସୁଗନ୍ଧ ବିଚରଣ କରୁଅଛି’ କିମ୍ବା ‘କଲ୍ୟ ମାତୁଳାଳୟରେ ଭୁରିଭୋଜନର ଆୟୋଜନ ଥିଲା’ ରୂପରେ ପରିବର୍ତ୍ତିତ କଲେ ଅର୍ଥସଙ୍ଗତି ବ୍ୟାହତ ହୁଏ ନାହିଁ, ମାତ୍ର ଲେଖାର ଆବେଗପ୍ରକାଶିକା ବ୍ୟାହତ ହୋଇ ପାଠକମନରେ କୌଣସି ରେଖାପାତ କରିବାକୁ ଅପାରଗ ହୁଏ । ‘ଖରାପ ତୁ ହେଲୁଣି ରେ’, ‘ଗଲାଣି ତ ଗଲା କଥାରେ ସଙ୍ଗାତ’ ପ୍ରଭୃତି ବାକ୍ୟମାନଙ୍କୁ ବିଶ୍ଲେଷଣ କରେ ସେମାନଙ୍କର ଅନ୍ତର୍ନିହିତ ସକ୍ରିୟତା ଆମ୍ଭମାନଙ୍କ ମନକୁ ପ୍ରଭାବିତ କରିବାକୁ ସକ୍ଷମ ହୁଏ । ସରସତା ଓ ସକ୍ରିୟତା ମଧ୍ୟରେ ବିରୋଧ ଅନେକ ସ୍ଥାନରେ ଦେଖାଯାଏ; ଏଣୁ ଲେଖକକୁ ଉଭୟ ଭାବ ମଧ୍ୟରୁ ଗୋଟିକୁ ଅବଲମ୍ୱନ କରିବାକୁ ପଡ଼େ; କିନ୍ତୁ ଉଭୟକୁ ସ୍ୱୀକାର କରି ପାରିଲେ ରଚନାର ଉତ୍କର୍ଷ ସାଧିତ ହୋଇପାରେ ।

 

ଶବ୍ଦର ସକ୍ରିୟତା ପୁଣି ଅନେକ କ୍ଷେତ୍ରରେ ତାର ଭାବପରିପୋଷକ ଧ୍ୱନିସମାବେଶ ଉପରେ ନିର୍ଭର କରେ । ବିସ୍ମୟରେ, ଦୁଃଖଜନିତ କ୍ରନ୍ଦନ ସମୟରେ ଆମ୍ଭମାନଙ୍କର ମୁଖ ସ୍ୱଭାବତଃ ମେଲା ହୋଇ ରହେ, ଏଣୁ କୌଣସି ଶବ୍ଦରେ ଆ ସ୍ୱରର ପ୍ରାଧାନ୍ୟ ବିସ୍ମୟର ପରିପୋଷକ; ତାହା ପାଠକମନକୁ ମଧ୍ୟ ପ୍ରଭାବିତ କରିବାକୁ ସକ୍ଷମ । ଏହି କାରଣରୁ ‘ବିରାଟ ଜନତା’ ‘ବିପୁଳ ଜନସମାଗମ’ ଅପେକ୍ଷା ଅଧିକ ସକ୍ରିୟ, ଅଧିକ ଆବେଗପରିପୋଷକ । ‘ବିପୁଳ ଜନସମାଗମ’ ବାସ୍ତବରେ ଆନନ୍ଦସୂଚକ, ‘ବିରାଟ ଜନତା’ ବିସ୍ମୟସୂଚକ । ‘ତୁମେ ଶୀଘ୍ର ଆସ’, ‘ତୁମେ ଜଲଦି ଆସ’, ‘ତୁମେ ଝଟ୍ ଆସ’, ‘ତୁମେ ଅନତିବିଳମ୍ୱେ ଆସ’ ପ୍ରଭୃତି ବାକ୍ୟକୁ ଆଲୋଚନା କଲେ ଦେଖୁ ଯେ ଶେଷ ବାକ୍ୟରେ ଆବେଗ ଆଦୌ ନାହିଁ । ‘ଅନତିବିଳମ୍ୱେ’ ଏକ ଦୀର୍ଘ, ପାଣ୍ତିତ୍ୟପୂର୍ଣ୍ଣ ପଦ, ଏହାର ସକ୍ରିୟତା ଆଦୌ ନାହିଁ, ପୁଣି ଶୀଘ୍ର ଅପେକ୍ଷା ଜଲଦି ଅଧିକ ପରିଚିତ, ଏଣୁ ଅଧିକ ଆବେଗପରିପୋଷକ ମାତ୍ର ‘ଝଟ୍’ରେ ଧ୍ୱନିସମାବେଶ ଆବେଗପରିପୋଷକ ଓ ଶବ୍ଦଟି ସଂକ୍ଷିପ୍ତତର, ଏଣୁ ଏହା ସମଧିକ ସକ୍ରିୟ । ‘ଶୀଘ୍ର’ ଏଠାରେ ସାଧାରଣ ପଦ, ଅର୍ଥାତ୍ ପଦଟି ପରିଚିତ, ସେଥିରେ ଆବେଗର ଚିହ୍ନ ନାହିଁ, କିମ୍ୱା ଅପରିଚିତ ହେତୁରୁ ଏହା ଆବେଗର ପରିପନ୍ଥୀ ମଧ୍ୟ ନୁହେଁ । ‘ଅବସନ୍ନ’ ଅପେକ୍ଷା ‘ଶ୍ରାନ୍ତ’ ଏହି କାରଣରୁ ଅଧିକ ଭାବପରିପୋଷକ, କାରଣ ଏଥିରେ ସ୍ୱରଧ୍ୱନି କ୍ରମଶଃ ଦୀର୍ଘରୁ ହ୍ରସ୍ୱ ହୋଇ ଥିବାରୁ ଏହା ‘ଶ୍ରାନ୍ତି’ର ପରିପୋଷକ; କିନ୍ତୁ ‘ଅବସନ୍ନ’ ଶବ୍ଦର ଶେଷରେ ସଂଯୁକ୍ତ ବର୍ଣ୍ଣ ଥିବାରୁ ଏହାର ଉଚ୍ଚାରଣ ଶେଷାଂଶରେ ଅଧିକ ପ୍ରୟାସ ସାପେକ୍ଷ,ଏଣୁ ‘ଅବସନ୍ନ’ ଶବ୍ଦ ‘ଅବସନ୍ନତା’ର ପରପୋଷକ ନୁହେଁ । ‘କ୍ଷିପ୍ର’ ଶବ୍ଦରେ ସ୍ପର୍ଶବର୍ଣ୍ଣର ବ୍ୟବହାର ଓ ହ୍ରସ୍ୱ ସ୍ୱରମାନଙ୍କର ପ୍ରୟୋଗ ଥିବାରୁ ଏହା ସମଧିକ ସକ୍ରିୟ, ଅର୍ଥାତ୍‌ ‘କ୍ଷିପ୍ରଗତି’ କିମ୍ୱା ‘ଦ୍ରୁତଗତି’ ‘ଶୀଘ୍ର ଗତି’ ଅପେକ୍ଷା ଅଧିକ ସକ୍ରିୟ । ରଚନା ସମୟରେ ଏ ଦିଗରେ ଅବହିତ ହେବା ଅସମ୍ଭବ, ମାତ୍ର ଶକ୍ତିଶାଳୀ ଲେଖକମାନଙ୍କ ଲେଖାରେ ଏଭଳି ଧ୍ୱନିସମାବେଶଜନିତ ସକ୍ରିୟତାର ଭୁରି ଭୁରି ଉଦାହରଣ ମିଳେ ଓ ରଚନା ଶିକ୍ଷା କରିବା ସମୟରେ ଏ ଦିଗରେ ଅବହିତ ହୋଇ ପାରିଲେ ରଚନାର ଶକ୍ତି ବୃଦ୍ଧିପ୍ରାପ୍ତ ହୁଏ ।

 

ଶବ୍ଦ ନିର୍ବାଚନ ଯେ କେବଳ ଅନ୍ୟ ନିରପେକ୍ଷ ଭାବରେ କରିବାକୁ ହେବ ତାହା ନୁହେଁ, ବାକ୍ୟରେ ବ୍ୟବହୃତ ଅନ୍ୟାନ୍ୟ ଶବ୍ଦ ସହିତ ସମ୍ପର୍କ ଘେନି ଶବ୍ଦ ନିର୍ବାଚନ କରିବାକୁ ହୁଏ । ଅର୍ଥାତ୍ ଯେପରି ଭାବରେ ସଙ୍ଗତ ରକ୍ଷିତ ହେବ ସେ ଦିଗରେ ଅବହିତ ନ ହେଲେ ସୁନିର୍ବାଚିତ ଶବ୍ଦ ମଧ୍ୟ ଅସୁନ୍ଦର ପ୍ରତୀକ ହେବ । ଶବ୍ଦର ସାହଚର୍ଯ୍ୟ ଅର୍ଥାତ୍ ବାକ୍ୟମଧ୍ୟସ୍ଥ ଅନ୍ୟାନ୍ୟ ଶବ୍ଦ ସହିତ ସଙ୍ଗତି ବଧ୍ୟ ବିଚାର କରିବାକୁ ହୁଏ । ଏହି ସଙ୍ଗତ ଉତ୍ପତ୍ତିଗତ, ଧ୍ୱନିଗତ ଓ ଅର୍ଥଗତ ଅର୍ଥାତ୍‌ ବାକ୍ୟରେ କୌଣସି ବିଶେଷ ଭାଷାରୁ ଗୃହୀତ ଶବ୍ଦର ପ୍ରାଧାନ୍ୟ ଥିଲେ ତତ୍‍ସହିତ ଅନ୍ୟ ପ୍ରକାର ଶବ୍ଦର ବ୍ୟବହାର ମଧ୍ୟରେ ଅସଙ୍ଗତ ଲକ୍ଷିତ ହୁଏ । ପୁଣି କୌଣସି ବିଶେଷ ଧ୍ୱନିଯୁକ୍ତ ଶବ୍ଦ ବିଶେଷ କାରଣରୁ ପ୍ରଯୁକ୍ତି ହୋଇଥିଲେ ସେହି ଧ୍ୱନିର ପରିପୋଷକ ଶବ୍ଦ ବ୍ୟବହାର କରିବାକୁ ହୁଏ । ଅନ୍ୟ ଦିଗରେ କୌଣସି ବିଶେଷ ଅର୍ଥ ପ୍ରକାଶ କରିବାକୁ ହେଲେ ତହିଁର ବିପରିତ ଅର୍ଥଯୁକ୍ତ ଶବ୍ଦର ପ୍ରୟୋଗ ସ୍ପଷ୍ଟ ଅସଙ୍ଗତ ହେବ । ଅବଶ୍ୟ ଅନେକ କ୍ଷେତ୍ରରେ ଶକ୍ତିଶାଳୀ ଲେଖକମାନେ ଏପରି ସଙ୍ଗତକୁ ଅତିକ୍ରମ କରି ନିଜ ରଚନାକୁ ପରିପୁଷ୍ଟ କରିଥାନ୍ତି, ମାତ୍ର ଯାହା ଶକ୍ତିସାପେକ୍ଷ, ତାହା ସାଧାରଣ ଲେଖକ ପକ୍ଷରେ ଅଶୋଭନୀୟ ।

 

ଉତ୍ପତ୍ତିଗତ ସଙ୍ଗତି ଦିଗରୁ ଦେଖିଲେ ଅବିକୃତ ସଂସ୍କୃତ ଶବ୍ଦର ବ୍ୟବହାର, କିମ୍ବା ସଂସ୍କୃତ ଶବ୍ଦପ୍ରଧାନ ରଚନାରେ ବୈଦେଶିକ ଶବ୍ଦର ବ୍ୟବହାରଦ୍ୱାରା ବାକ୍ୟର ସରସତା ନଷ୍ଟ ହୁଏ, କିନ୍ତୁ ଏ ଦିଗରେ ଏହା ମଧ୍ୟ ବିଚାର କରିବାକୁ ହେବ ଯେ ସାଧାରଣ ପାଠକ ଶବ୍ଦର ଉତ୍ପତ୍ତି ବିଷୟ ବା ଇତିହାସ ବିଷୟରେ ସେମାନେ ଅଜ୍ଞ, କେବଳ ଶବ୍ଦର ଅର୍ଥଗତ ପରିଚୟ ମାତ୍ର ସାଧାରଣ ପାଠକ ପକ୍ଷରେ ଯଥେଷ୍ଟ । ଏଣୁ ଉତ୍ପତ୍ତିଗତ ଅସଙ୍ଗତି ସାଧାରଣ ପାଠକକୁ ପ୍ରଭାବିତ କରିପାରେ ନାହିଁ । ମାତ୍ର ‘ରାତ୍ରି ମାଡ଼ି ଆସିଲା’ ବାକ୍ୟରେ ‘ରାତ୍ରି’ ସ୍ଥଳରେ ‘ରାତ୍ରି’ ଅଧିକ ସଙ୍ଗତ ଓ ‘ପୁସ୍ତକମାନ ହିପାଜତ୍ କରି ରଖ’ ଅପେକ୍ଷା ‘ବହିଗୁଡ଼ିକ ହିପାଜତ୍ କରି ରଖ’ ଅଥବା ‘ପୁସ୍ତକମାନ ଯତ୍ନ କରି ରଖ’ ଯେ ଅଧିକ ସଙ୍ଗତ ଏହା ସହଜରେ ଅନୁମେୟ । ‘ଓଡ଼ିଆ ଜାତିଟା ଭାରତୀୟ ପ୍ରାଚୀନ ସଭ୍ୟତା ସହିତ ବରାବର ସମ୍ବନ୍ଧ ରଖି ଆସିଥିଲା’ (ଶତଚିନ୍ତା ପୃ ୧୧୦) ବାକ୍ୟରେ ‘ବରାବର’ ସ୍ଥଳରେ ‘ସର୍ବଦା’ ଅଧିକ ରୁଚିସଙ୍ଗତ । ପୁଣି ଶବ୍ଦର ବ୍ୟାପ୍ତି ଦିଗରୁ ମଧ୍ୟ ଅସଙ୍ଗତ ଲକ୍ଷିତ ହୋଇପାରେ । ‘ସେ କଲେ କଲେ କଥା କହୁଚି’ ବାକ୍ୟରେ ‘କଲେ କଲେ’ କେବଳ ସମ୍ୱଲପୁରେ ଆସ୍ତେ ଆସ୍ତେ ଅର୍ଥାରେ ବ୍ୟବହୃତ, ‘ସେ’ ‘କଥା’ ‘କହୁଚି ଶବ୍ଦମାନଙ୍କର ବ୍ୟାପ୍ତି ସହିତ ସେହି ପଦର ବ୍ୟାପ୍ତିର ସଙ୍ଗତି ନାହିଁ । ଏହିପରି ଯଦି କୌଣସି ବାକ୍ୟରେ କେବଳ ସମ୍ବଲପୁରରେ କଥିତ ଶବ୍ଦର ପ୍ରାଧାନ୍ୟ ଥାଏ ତେବେ ସେଥିରେ ସମ୍ୱଲପୁରୀ ଶବ୍ଦର ବ୍ୟବହାର ମଧ୍ୟ ଅସଙ୍ଗତ ହେବ । ଏହି କାରଣରୁ ‘କୋଟ୍‍ମାନଙ୍କରେ ଓଡ଼ିଆ ଭାଷାର ବିକୃତି ଘଟିଅଛି’ ସ୍ଥଳରେ ‘ବିଚାରାଳୟମାନଙ୍କରେ ଓଡ଼ିଆ ଭାଷାର ବିକୃତି ଘଟିଅଛି’ କହିବା ଅଧିକ ସମୀଚୀନ, କାରଣ ‘କୋଟ’ର ବ୍ୟାପ୍ତି ଓ ଉତ୍ପତ୍ତି ବାକ୍ୟସ୍ଥ ଅନ୍ୟାନ୍ୟ ଶବ୍ଦର ଉତ୍ପତ୍ତି ଓ ବ୍ୟାପ୍ତିଠାରୁ ପୃଥକ୍ ।

 

ଅର୍ଥଗତ ସଙ୍ଗତି ଦିଗରୁ ଶବ୍ଦସାହଚର୍ଯ୍ୟକୁ ବିଚାର କଲେ ଆମ୍ଭେମାନେ ଦେଖୁଁ ଯେ, ଅନେକ କ୍ଷେତ୍ରରେ ସମାର୍ଥକ ଶବ୍ଦମାନଙ୍କର ସାହଚର୍ଯ୍ୟଦ୍ୱାରା ଅର୍ଥ ସୁପ୍ରକାଶିତ ହୁଏ ଓ ଏପରି ସାହାଚର୍ଯ୍ୟ କେତେକ ପ୍ରଚଳିତ ରୀତି ଉପରେ ପ୍ରତିଷ୍ଠିତ । ‘ଆବେଦନ ନିବେଦନ’ ‘ଘରଦ୍ୱାର’ ‘ବଜାର ହାଟ’ ‘ଜନ ମାନବ’ ‘ଲୋକ ଲୟର’ ପ୍ରଭୃତି ନାନା ସହରର ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳିତ ଏବଂ ନିତ୍ୟ ବ୍ୟବହୃତ । ଏହି ସାହାଚର୍ଯ୍ୟଦ୍ୱାରା ଅର୍ଥଗତ ସଙ୍ଗତ ଅଧିକ ଶୋଭନୀୟ ଭାବରେ ପ୍ରକାଶିତ ହୁଏ । ‘ଏକଥା ଜନ ମାନବ ଜାଣି ପାରିବେ ନାହିଁ’ ସ୍ଥଳରେ ‘ଏକଥା କେହି ଜାଣି ପାରିବେ ନାହିଁ’ ଲେଖିଲେ ବାକ୍ୟର ସରସତା ନଷ୍ଟ ହେବ । ଏହିପରି ବିରୁଦ୍ଧ ପଦମାନଙ୍କର ସାହଚର୍ଯ୍ୟ ଯେଉଁଠାରେ ସମଗ୍ରତା ପ୍ରକାଶକ ସେଠାରେ ଏହି ସାହଚର୍ଯ୍ୟଗତ ସରସତାକୁ ଅସ୍ୱୀକାର କରି ରଚନାକୁ ଅନ୍ୟ ପ୍ରକାରରେ ନିୟନ୍ତ୍ରିତ କଲେ ଭାଷାର ସରସତା ବ୍ୟାହତ ହେବା ସ୍ୱାଭାବିକ । ଅର୍ଥସଙ୍ଗତି ବାସ୍ତବରେ ଶବ୍ଦର ଦ୍ୱ୍ୟର୍ଥମୂଳକ ବ୍ୟବହାର ଉପରେ ପ୍ରତିଷ୍ଠିତ ନୁହେ, କାରଣ ଦ୍ୱ୍ୟର୍ଥ ବ୍ୟବହାର ବାକ୍‍ଚାତୁରୀ ମାତ୍ର, କିନ୍ତୁ ଯେଉଁଠାରେ ଶବ୍ଦମାନଙ୍କର ପରସ୍ପର ସାହଚର୍ଯ୍ୟଦ୍ୱାରା ଅର୍ଥ ଦୃଢ଼ୀକୃତ ଓ ସ୍ଫୁଟତର ହୁଏ, ତାହାହିଁ ରଚନାର ସରସତା ସମ୍ପାଦନ କରିଥାଏ-। ‘ତାହାର କବିତାମୟ ସ୍ୱପ୍ନାବେଶ ଜୀବନର ଗଦ୍ୟମୟ ବାସ୍ତବତା ସଂସ୍ପର୍ଶରେ ଆସି ରୂଢ଼ ଆଘାତ ପାଇ ନାହିଁ’ (ସାଉଣ୍ଟା ଚାଙ୍ଗୁଡ଼ି ପୃ ୯୭) ବାକ୍ୟରେ ବିରୁଦ୍ଧ ପଦମାନଙ୍କର ସୁନିର୍ବାଚିତ ସମାବେଶଦ୍ୱାରା ଅର୍ଥ ଦୃଢ଼ୀକୃତ ହେଉଅଛି । ‘ଶିଷ୍ୟଠାରୁ ପରାଜୟହିଁ ଶିକ୍ଷାକର ବାସ୍ତବ ବିଜୟ’ ବାକ୍ୟରେ ମଧ୍ୟ ଏହିପରି ବିରୁଦ୍ଧ ପଦମାନଙ୍କର ସଙ୍ଗତ ବ୍ୟବହାରଦ୍ୱାରା ବାକ୍ୟର ସରସତା ସମ୍ପାଦିତ ହେଉଅଛି ।

 

ଧ୍ୱନିଗତ ସାହଚର୍ଯ୍ୟରେ ମଧ୍ୟ ସଙ୍ଗତି ରହିବା ପ୍ରୟୋଜନ । ସ୍ୱରବର୍ଣ୍ଣମାନଙ୍କୁ ବିଶ୍ଳେଷଣ କଲେ ଆମ୍ଭେମାନେ ଦେଖୁଁ ଯେ, ‘ଅ’ ‘ଆ’ ‘ଏ’ ଓ ‘ଔ’ ଧ୍ୱନି କଣ୍ଠ୍ୟ, ମାତ୍ର ‘ଇ’ ‘ଈ’ ‘ଉ’ ଓ ‘ଊ’ ଧ୍ୱନିମାନ ତାଲବ୍ୟ, ପୁଣି ଅ,ଇ ପ୍ରଭୃତି ହ୍ରସ୍ୱସ୍ୱର, ମାତ୍ର ‘ଈ’ ‘ଊ’ ପ୍ରଭୃତି ଦୀର୍ଘସ୍ୱର । ଧ୍ୱନିସଙ୍ଗତି ରକ୍ଷା କରିବାକୁ ହେଲେ ସୁରଗୁଡ଼ିକ ଯଥାସମ୍ଭବ ଏକଜାତୀୟ ଓ ଯଥାସମ୍ଭବ ଭାବପରିପୋଷକ ହେବା ପ୍ରୟୋଜନ; ଏଣୁ ‘ଦୀର୍ଘ ମାର୍ଗ ଅତିକ୍ରାନ୍ତ ହେଲା’ ବାକ୍ୟରେ ଧ୍ୱନିମାନଙ୍କର ମୁହୁର୍ମୁହୁଃ ପରିବିର୍ତ୍ତନ ଘଟୁଥିବାରୁ ଏମାନଙ୍କର ସାହାଚର୍ଯ୍ୟ ଅସଙ୍ଗତ, ବରଂ ଏହି ବାକ୍ୟକୁ ‘ଦୀର୍ଘପଥ ଅତିକ୍ରମ କଲେ’ ରୂପରେ ପରିବର୍ତ୍ତିତ କଲେ, ତାହା ଅଧିକ ସଙ୍ଗତ ହେବ । ସ୍ୱରମାନଙ୍କର ପରସ୍ପର ସଙ୍ଗତି ନ ରଖି ବ୍ୟବହାର କଲେ ଧ୍ୱନିଗତ ବିଶୃଙ୍ଖଳା ଜାତ ହୁଏ ଓ ଏହାଦ୍ୱାରା ବାକ୍ୟର ସରସତା ନଷ୍ଟ ହୁଏ । ‘କଥା ବିଚାର କରି କହିବ’ ବାକ୍ୟଠାରୁ ‘ଭାବ ଚିନ୍ତି କଥା କହିବ’ ଅଧିକ ସଙ୍ଗତ, କାରଣ ଏଥିରେ ସ୍ୱରମାନ ସୁବିନ୍ୟସ୍ତ । ବ୍ୟଞ୍ଜନ ବର୍ଣ୍ଣମାନଙ୍କର ବ୍ୟବହାରରେ ମଧ୍ୟ ସଙ୍ଗତି ଦିଗରେ ଲକ୍ଷ୍ୟ ରଖିବାକୁ ହୁଏ । ଯେଉଁଠି ଧ୍ୱନିର ବିଶୃଙ୍ଖଳା ବ୍ୟବହାରଦ୍ୱାରା ଶବ୍ଦର ଉଚ୍ଚାରଣରେ ଅଧିକ ପ୍ରୟାସ ପ୍ରୟୋଜନ ହୁଏ (ଯଥା ସ୍ପର୍ଶ ବର୍ଣ୍ଣମାନଙ୍କର ପୁନରାବୃତ୍ତିରେ) କିମ୍ୱା ଯେଉଁଠାରେ ଧ୍ୱନିର ପୁନରାବୃତ୍ତି ଅତିପ୍ରକଟ ହୁଏ, ତାହାଦ୍ୱାରା ସରସତା ବ୍ୟାହତ ହୁଏ । ‘ତୁମେ ଚଟ୍‍କିନା କଚେରିକୁ ଯିବ’ ବାକ୍ୟ ଅସଙ୍ଗତ, କାରଣ ଏଠାରେ ସ୍ପର୍ଶ ବର୍ଣ୍ଣମାନଙ୍କର ଅଯଥା ପୁନରାବୃତ୍ତି ଘଟିଅଛି । ‘ଯେପରି କି ଆମ୍ଭେମାନେ ଏଠି ସେଠି ବେଠି ଖଟିବାକୁ ଆସିଛୁ’ (ପ୍ରବନ୍ଧ ସୋପାନ ପୃ ୧୨) ବାକ୍ୟରେ ‘ଠ’ ଧ୍ୱନିର ପୁନରାବୃତ୍ତିଦ୍ୱାରା ବାକ୍ୟର ସରସତା ନଷ୍ଟ ହେଉଅଛି । ଏହି ବାକ୍ୟରେ ‘ଏଠି ସେଠି’ ପରିବର୍ତ୍ତରେ ‘ପୃଥିବୀରେ’ ବ୍ୟବହାର କରିଥିଲେ ‘ଇ’ ସ୍ୱରର ପ୍ରାଧାନ୍ୟ ରକ୍ଷିତ ହୋଇଥାନ୍ତା, ଧ୍ୱନି ସଙ୍ଗତି ମଧ୍ୟ ଅବ୍ୟାହତ ରହିଥାନ୍ତା । ପୁଣି ‘ପଦାର୍ଥମାନ ଯେପରି ଭାବରେ ଅବସ୍ଥିତ; ତାହା ଉପରେ ପଦାର୍ଥର ଉନ୍ନତି ବା ଅବନତି ନିର୍ଭର କରେ ନାହିଁ’ (ପ୍ରବନ୍ଧ ସୋପାନ ପୃ ୪୬) ବାକ୍ୟକୁ ‘ପଦାର୍ଥମାନଙ୍କର ଅବସ୍ଥିତି ଉପରେ ତାହାର ଉନ୍ନତି ବା ଅବନତି ନିର୍ଭର କରେ ନାହିଁ’ ରୂପରେ ପରିବର୍ତ୍ତିତ କଲେ ଧ୍ୱନିସଙ୍ଗତି ବୃଦ୍ଧିପ୍ରାପ୍ତ ହୁଏ । ଧ୍ୱନିସଙ୍ଗତିର ପ୍ରକୃଷ୍ଟ ଉଦାହରଣ ଅନୁପ୍ରାସ । ଅନୁପ୍ରାସର ନାନାପ୍ରକାର ଭେଦ ଥିଲେହେଁ ଅନୁପ୍ରାସଦ୍ୱାରା କିମ୍ୱା ଅନଭିପ୍ରେତ ମିତ୍ରାକ୍ଷରଦ୍ୱାରା ଯେପରି ଭାବରେ ବାକ୍ୟର ସରସତା ସମ୍ପାଦିତ ହୁଏ ତାହା ସମସ୍ତଙ୍କୁ ବିଦିତ । ‘ବିଦ୍ୟାର ବିବିଧ ବ୍ୟବହାର’ ‘ଦୀନତାର ଯେଉଁ ତାଡ଼ନା ତାହାର ବାହ୍ୟ ପ୍ରକାଶ ହୃଦୟର ସମବେଦନା’ (ସାଉଣ୍ଟା ଚାଙ୍ଗୁଡ଼ି) ‘ମହାପୁରୁଷମାନଙ୍କର ଦାରିଦ୍ର୍ୟବରଣ ଈଶ୍ୱରଙ୍କ ନିକଟରେ ଆତ୍ମନିବେଦନ ମାତ୍ର’ ପ୍ରଭୃତି ରଚନାରେ ଏହାର ଉଦାହରଣ ମିଳେ, ମାତ୍ର ଅନୁପ୍ରାସର ଆଧିକ୍ୟ ଅଥବା ଅଯଥାପ୍ରକଟ ପ୍ରୟୋଗ ରଚନାକୁ ସରସ ନକରି କେବଳ ପାଠକର ମନକୁ ବିତ୍ରାନ୍ତ କରିଦିଏ, କାରଣ ତାହାର ମନଅର୍ଥଗ୍ରହଣ ପ୍ରତି ଉନ୍ମୁଖ ନହୋଇ ଧ୍ୱନିସମାବେଶଦ୍ୱାରା ଅଯଥା ଆକୃଷ୍ଟ ହୁଏ ।

 

ପରିଶେଷରେ ଗୋଟିଏ ଦିଓଟି ବାକ୍ୟ ଆଲୋଚନା କଲେ ଶବ୍ଦନିର୍ବାଚନରୁ ପ୍ରୟୋଜନ ସ୍ପଷ୍ଟରୂପେ ଜଣା ପଡ଼ିବ । ‘ରାଜକୀୟ ଉଚ୍ଚପଦବୀ ଲାଭରେ ଲୋକ ନିଜକୁ ଧନ୍ୟ ଓ ସୁଖୀ ମନେ କରିବା ମଧ୍ୟ ଗୋଟିଏ ମୋହ’ (ଚିତ୍ର ପୃ ୯୦) ବାକ୍ୟରେ ‘ରାଜକୀୟ’ ପଦ ବାସ୍ତବରେ ଅନାବଶ୍ୟକ, କାରଣ ଏହାଦ୍ୱାରା ଉଚ୍ଚପଦବୀକୁ ବିଶେଷିତ କରିବାରେ କୌଣସି ସର୍ଥକତା ନାହିଁ, ପୁଣି ଧନ୍ୟ ଓ ସୁଖୀ ଦୁଇଗୋଟି ପଦରୁ ଗୋଟିଏ ପଦ ବ୍ୟବହୃତ ହେଲେ ଯଥେଷ୍ଟ ହୁଅନ୍ତା, କାରଣ ‘ଧନ୍ୟ’ ମନେ କଲେ ଲୋକ ସ୍ୱଭାବତଃ ସୁଖୀ ହୁଏ । ପୁଣି ବାକ୍ୟରେ ‘ମ’ ଧ୍ୱନିର ଯେଉଁ ପୁନରାବୃତ୍ତି ଅଛି ଓ ବାକ୍ୟର ଅନ୍ତରେ ଯଥାଯଥ ଭାବରେ ଯେପରି ଗୁରୁତ୍ୱ ଆରୋପିତ ହୋଇଅଛି, ତାହାଦ୍ୱାରା ବାକ୍ୟର ସରସତା ବୃଦ୍ଧିପ୍ରାପ୍ତ ହୋଇଅଛି । ‘ବିଦ୍ୱାନ୍ ଲୋକ ବିଦ୍ୟାହଙ୍କାରରେ ମତ୍ତ ହେଲେ, ରୂପବାନ୍ ପୁରୁଷ ରୂପପ୍ରଦର୍ଶନରେ ଲାଗି ରହିଲେ, ଗୁଣ କଳଙ୍କିତ ହୁଏ । ଯେଉଁଠାରେ ଗୁଣ ଅଛି, କିନ୍ତୁ ସଂଯମ ନାହିଁ, ସେଠାରେ ଗୁଣ ନାହିଁ କହିଲେ ଚଳେ’ (ପ୍ରବନ୍ଧ ସୋପାନ ପୃ ୪୩); ବାକ୍ୟ ଦୁଇଟିରେ ପ୍ରତ୍ୟେକ ଶବ୍ଦ ସାର୍ଥକ, ପ୍ରଥମ ବାକ୍ୟ ଦୁଇଟି ଉଦାହରଣ ଉପରେ ପ୍ରତିଷ୍ଠିତ ଓ ଦ୍ୱିତୀୟ ବାକ୍ୟଟି ଏହା ଉଦାହରଣମାନଙ୍କ ସମନ୍ୱୟରେ ଗଠିତ ସାମାନ୍ୟ ବାକ୍ୟ, ପୁଣି ବିଦ୍ୱାନ୍ ସହିତ ସ୍ୱରୂପ କିମ୍ବା ରୂପବାନ୍ ସହିତ ପଣ୍ତିତ ପଦର ପ୍ରୟୋଗ କରା ନଯାଇ ପଦମାନଙ୍କର ସମତା ରକ୍ଷିତ ହୋଇଅଛି । ‘ଲୋକ’ ଶବ୍ଦର ପ୍ରୟୋଗ ଆପାତତଃ ନିରର୍ଥକ, ମାତ୍ର ‘ପୁରୁଷ’ ସହିତ ରକ୍ଷା କରିବା ନିମନ୍ତେ ପ୍ରଯୁକ୍ତ ‘ବିଦ୍ୱାନ୍’ ଶବ୍ଦ ପୁଣି ଏଠାରେ ଗ୍ରନ୍ଥକୀଟ, ଜ୍ଞାନସଞ୍ଚୟକାରି ବ୍ୟକ୍ତି ସୂଚିତ କରୁଅଛି, ଯଥାର୍ଥରେ ‘ବିଦ୍ୱାନ୍’ ଲୋକକୁ ସୂଚିତ କରୁ ନାହିଁ । ‘ବିଦ୍ୟା’ର ସାଧାରଣ ଫଳ ବିନୟ ବୋଲି ଶାସ୍ତ୍ରାଦିରେ ଲେଖା ହୋଇଥିବାରୁ ତଦ୍ ବିପରୀତ ‘ଅହଙ୍କାର’ ଗୁଣକୁ ନିର୍ଦ୍ଦେଶ କରିବା ପ୍ରୟୋଜନ ହୋଇଅଛି ଓ ଏହି ଅନ୍ତର୍ନିହିତ ଇଙ୍ଗିତଦ୍ୱାରା ଶବ୍ଦର ସରସତା ମଧ୍ୟ ବୃଦ୍ଧିପ୍ରାପ୍ତ ହୋଇଅଛି । ‘ଲାଗି ରହିବା’ ‘ମତ୍ତତା’ ସହିତ ସମତା ରକ୍ଷା କରିବା ନିମନ୍ତେ ପ୍ରଯୁକ୍ତ, ମାତ୍ର ସାମୟିକ ମତ୍ତତା ଓ ଲାଗି ରହିବାର ଅବିଚ୍ଛିନ୍ନତ୍ୱ ମଧ୍ୟରେ ଆପାତ ବିରୋଧ ଥିଲେହେଁ ବାସ୍ତବରେ ଏହି ପଦମାନଙ୍କଦ୍ୱାରା କେବଳ ବିଦ୍ୟା ଅହଙ୍କାର ଓ ରୂପ ପ୍ରଦର୍ଶନ ଯେ ସ୍ୱାଭାବିକ ଧର୍ମ ନୁହେଁ, ଏମାନଙ୍କୁ ସ୍ୱୀକାର କରିବାରେ ଯେ ପ୍ରୟାସ ଓ ସାମୟିକ ବିସୃତିର ପ୍ରୟୋଜନ ହୋଇଥାଏ, ତାହା ନିର୍ଦ୍ଦେଶିତ କରାଯାଉଅଛି । ‘କଳଙ୍କିତ’ ଶବ୍ଦଦ୍ୱାରା ସାମୟିକ ଭାବରେ ଆଚ୍ଛନ୍ନ ହେବା ସୂଚିତ ହେଉଅଛି; ଯାହା ଦୀପ୍ତିର ଅପହାରକ ମାତ୍ର ଅଳ୍ପ ପ୍ରୟାସରେ ଅପସାରିତ ହୋଇ ପାରିବ, ତାହାହିଁ କଳଙ୍କ, ମାତ୍ର କଳଙ୍କର ପରିମାଣ ସୂଚିତ ହୋଇନଥିବାରୁ ଦ୍ୱିତୀୟବାକ୍ୟରେ ‘ଗୁଣ ନାହିଁ’ କହିଲେ ଚଳେ’ ଦ୍ୱାରା କଳଙ୍କର ଆଧିକ୍ୟ ସୂଚିତ କରିବାର ପ୍ରୟାସ କରାଯାଇଛି, ଏଣୁ ବାକ୍ୟ ଦୁଇଟିରେ ଅର୍ଥସଙ୍ଗତ ଓ ସରସତା ରକ୍ଷିତ ହୋଇଅଛି ବୋଲି ସ୍ୱୀକାର କରିବାକୁ ହେବ ।

 

***

 

ଅଷ୍ଟମ ପରିଚ୍ଛେଦ

ବାକ୍ୟ ଗଠନ

 

ରଚନାର ପ୍ରଧାନ ଉପାଦାନ ବା ଅବଲମ୍ବନ ବାକ୍ୟଗଠନ କାରଣ ବାକ୍ୟ ବ୍ୟତିରେକେ ଭାବପ୍ରକାଶ ଅସମ୍ଭବ । ବାକ୍ୟ ସୁସ୍ପଷ୍ଟ ଓ ସୁବ୍ୟକ୍ତ ହୋଇପାରେ କିମ୍ୱା ଅସ୍ପଷ୍ଟ ରହିପାରେ, ବାକ୍ୟ ମନୋଜ୍ଞ ହୋଇପାରେ କିମ୍ୱା ନୀରସ ମଧ୍ୟ ହୋଇପାରେ । ବାକ୍ୟକୁ ମନୋଜ୍ଞଭାବରେ ପ୍ରକାଶିତ କରିବା, ତାହା ମଧ୍ୟରେ ସୌନ୍ଦର୍ଯ୍ୟର ଆଭାସ ଦେଇ ତଥ୍ୟ ନିର୍ଦ୍ଦେଶପୂର୍ବକ ପାଠକର ମନକୁ ଆକୃଷ୍ଟ କରିବା ସାହିତ୍ୟିକ ରଚନାର ଉଦ୍ଦେଶ୍ୟ । ଏହି କାରଣରୁ ସାହିତ୍ୟିକ ରଚନାରେ ପ୍ରତ୍ୟେକ ବାକ୍ୟରେ ତିନିଗୋଟି ଗୁଣ ରହିବା ପ୍ରୟୋଜନ- ପ୍ରତ୍ୟେକ ବାକ୍ୟ ସୁସ୍ପଷ୍ଟ, ସରସ ଓ ସକ୍ରିୟ ହେବା ଆବଶ୍ୟକ । ବାକ୍ୟର ଅର୍ଥ ସ୍ପଷ୍ଟଭାବରେ ପ୍ରକାଶିତ ହେଉଥିବ, ତାହା ସରସ ବା ମନୋଜ୍ଞଭାବରେ ବ୍ୟକ୍ତ ହୋଇଥିବ ଓ ତାହା ପାଠକ ମନକୁ ପ୍ରଭାବିତ କରିବାକୁ ସମର୍ଥ ଥିବ, ପ୍ରତ୍ୟେକ ବାକ୍ୟ ଏହିପରି ଭାବରେ ରଚିତ ହେବା ଆବଶ୍ୟକ ।

 

ବାକ୍ୟର ସୁସ୍ପଷ୍ଟତା ମୁଖ୍ୟତଃ ଶବ୍ଦ ନିର୍ବାଚନ ଉପରେ କରେ । ବାକ୍ୟର ବିନ୍ୟାସ ଯେତେ ବ୍ୟାକରଣସଙ୍ଗତ ହେବ, ସେଥିରେ ବ୍ୟବହୃତ ପ୍ରତ୍ୟେକ ପଦ ଯେତେ ସାଭିପ୍ରାୟ ଓ ଅର୍ଥ ପ୍ରକାଶକ୍ଷମ ହେବ, ପାରିଭାଷିକ ଶବ୍ଦମାନଙ୍କର ବ୍ୟବହାରଦ୍ୱାରା ଅର୍ଥ ଯେତେ ସ୍ଥିରଭାବରେ ନିର୍ବ୍ଦେଶିତ ହେଉଥିବ, ବାକ୍ୟରେ ବ୍ୟବହୃତ ଶବ୍ଦମାନଙ୍କର ପରିମାଣ ଯେତେ ସଂଯତ ଓ ଯଥାଯଥ ହେବ ଓ ବାକ୍ୟ ମଧ୍ୟରେ କଳ୍ପନା ବା ଆବେଗର ଯେତେ ଅଳ୍ପ ବ୍ୟବହାର ଥିବ, ତାହାର ଅର୍ଥ ତେତେ ସୁସ୍ପଷ୍ଟ ହେବା ସ୍ୱାଭାବିକ । ଅନେକ ସମୟରେ ବାକ୍ୟର ସୁପ୍ପଷ୍ଟତାଦ୍ୱାରା ତାହାର ସରସତା ବ୍ୟାହତ ହୁଏ, ଏଣୁ ଲେଖକକୁ ସ୍ପଷ୍ଟତା ଓ ସରସତା ମଧ୍ୟରୁ ଗୋଟିକୁ ଅନୁସରଣ କରି ଅନ୍ୟଟିକୁ ପରିହାର କରିବାକୁ ପଡ଼େ, ମାତ୍ର ସାଧାରଣତଃ ସୁସ୍ପଷ୍ଟ ଓ ସରସ ବାକ୍ୟ ସକ୍ରିୟ ହୋଇଥାଏ, ଏଣୁ ସୁସ୍ପଷ୍ଟତା ପ୍ରତ୍ୟେକ ଲେଖକ ପକ୍ଷରେ ପ୍ରଥମ ଓ ପ୍ରଧାନ ବିଚାର୍ଯ୍ୟ ବିଷୟ ହୋଇପଡ଼େ । ଲେଖାକୁ ସୁସ୍ପଷ୍ଟ କରିବାକୁ ହେଲେ ପରିଚିତ ଶବ୍ଦକୁ ପରିଚିତ ଅର୍ଥରେ ବ୍ୟବହାର କରିବାହିଁ ରୀତି, ଅପରିଚିତ ଶବ୍ଦ ସ୍ୱଭାବତଃ ଅସ୍ପଷ୍ଟ । ସାଧାରଣ ଲୋକେ ଅପରିଚିତ ଶବ୍ଦକୁ ନାନା ଅର୍ଥରେ ବ୍ୟବହାର କରିଥାନ୍ତି । ପରିଚିତ ଶବ୍ଦ କହିଲେ କେବଳ ବିଜ୍ଞ ଲୋକମାନଙ୍କର ପରିଚିତ ଏଭଳି ମଧ୍ୟ ଭାବିବା ଠିକ୍ ନୁହେଁ । ଜନସାଧାରଣ ଯେଉଁ ଶବ୍ଦକୁ ଯେଉଁ ଅର୍ଥରେ ବ୍ୟବହାର କରନ୍ତି ତାହା ଠିକ୍ ହେଉ ବା ଭୁଲ ହେଉ, ତାକୁ ସେହି ଅର୍ଥରେ ବ୍ୟବହାର କରିବାକୁ ହୁଏ । ‘କୃଷ୍ଟି’ ଶବ୍ଦର ବାସ୍ତବିକ ଅର୍ଥ ପଣ୍ଡତ ବ୍ୟକ୍ତି, ମାତ୍ର ବର୍ତ୍ତମାନ ତାହା ମାନସିକ ସଂସ୍କୃତି ଅର୍ଥରେ ବ୍ୟବହୃତ, ଅତଏବ ରଚନାରେ ଏହି ଅର୍ଥରେ ଶବ୍ଦଟିକୁ ବ୍ୟବହାର କରିବା ଉଚିତ । ଶବ୍ଦମାନଙ୍କର ଅର୍ଥ ଅହରହଃ ପରିବର୍ତ୍ତିତ ହେଉଅଛି, ତେଣୁ ଶବ୍ଦମାନଙ୍କର ବ୍ୟବହାର ବିଷୟରେ ସର୍ବଦା ସାବଧାନ ହେବାକୁ ପଡ଼େ । ଅନେକ ସମୟରେ ସଂସ୍କୃତ ଅଭିଧାନମାନଙ୍କୁ ଅନୁସରଣ କରି ଶବ୍ଦମାନ ନାନା ଅର୍ଥରେ ବ୍ୟବହୃତ ହୋଇଥାଏ, ମାତ୍ର ସାଧାରଣ ରଚନାରେ ତାହା ପରିହାର କରିବା ଉଚିତ । ଶବ୍ଦନିର୍ବାଚନ ପ୍ରସଙ୍ଗରେ ଏ ବିଷୟଟିର ଉଲ୍ଲେଖ କରାଯାଇଥିବାରୁ ଏଠାରେ ଏହାର ବିଶଦ ଆଲୋଚନା ନିଷ୍ପ୍ରୟୋଜନ ।

 

ବାକ୍ୟ ମଧ୍ୟରେ ଅନିଶ୍ଚିତ ପରିମାଣଜ୍ଞାପକ ପଦମାନ ବ୍ୟବହୃତ ହେଲେ ମଧ୍ୟ ତାହାର ‘ ଅର୍ଥ ସୁସ୍ପଷ୍ଟ ହୁଏ’ ନାହିଁ । ଅନେକ ସମୟରେ ଅବଶ୍ୟ ଏପରି ଶବ୍ଦଦ୍ୱାରା କଳ୍ପନାର ଉଦ୍ରେକ କରାଯାଇଥାଏ, ମାତ୍ର ତାହାଦ୍ୱାରା ବାକ୍ୟର ଅର୍ଥ ଅସ୍ପଷ୍ଟ ହୁଏ । ବିଚାଟ, ବିପୁଳ, ଘୋର, ସାମାନ୍ୟ, ଯଥେଷ୍ଟ, ଯତ୍କିଞ୍ଚିତ ପ୍ରଭୃତି ପଦ ଏହିପରି କଳ୍ପନାର ସାହାର୍ଯ୍ୟକାରୀ, ମାତ୍ର ପରିମାଣ ବିଷୟରେ ଅନିଶ୍ଚିତ । ଏ ଶବ୍ଦଗୁଡ଼ିକ ବାସ୍ତବରେ ଆପେକ୍ଷିକ, ଏଣୁ ଏମାନଙ୍କର ବ୍ୟବହାର କରିବା ସମୟରେ ସାବଧାନତା ପ୍ରୟୋଜନ ।

 

ବାକ୍ୟର ଅର୍ଥକୁ ସୁସ୍ପଷ୍ଟ କରିବା ନିମନ୍ତେ ଅନେକ ସମୟରେ ବାକ୍ୟ ମଧ୍ୟରେ ସମାର୍ଥ ଯୁକ୍ତ, ଅର୍ଥାତ୍ ଏକ ଭାବର ପରିପୋଷକ ନାନା ଶବ୍ଦର ବ୍ୟବହାର କରିବା ପ୍ରୟୋଜନ ହୁଏ । ‘ମନୁଷ୍ୟ ଅବସ୍ଥା ପରିବର୍ତ୍ତନରେ ଅଧୀର ହୁଏ-ସୁଖରେ ଉନ୍ନତ୍ତ ହୁଏ, ଦୁଃଖରେ ଅଭିଭୂତ ହୁଏ’ (ସାଉଣ୍ଟା ଚାଙ୍ଗୁଡ଼ି ପୃ) ବାକ୍ୟରେ ‘ଅଧୀର’ ଶବ୍ଦର ଅର୍ଥକୁ ପରିପୋଷଣ କରିବା ନିମନ୍ତେ ବାକ୍ୟର ଦ୍ୱିତୀୟ ଅଂଶଟି (ସୁଖରେ..........ଅଭିଭୂତ ହୁଏ) ବ୍ୟବହୃତ ହୋଇଅଛି ଅନ୍ୟଥା ଏହି ବାକ୍ୟାଂଶରେ ଅନ୍ୟ କିଛି ପ୍ରୟୋଜନ ନାହିଁ । ‘ରୁଟିରେ କେବଳ ମନୁଷ୍ୟ ବଞ୍ଚିବ ନାହିଁ । ବିଷୟବସ୍ତୁର ପ୍ରାଚୁର୍ଯ୍ୟ ଥାଇ ସୁଦ୍ଧା ମନୁଷ୍ୟ ଅଭାବଗ୍ରସ୍ତ, ଅନକ୍ଳିଷ୍ଟ, ତାର ଜୀବନ ବ୍ୟସ୍ତ, ବିଶୃଙ୍ଖଳ ଓ କ୍ଷିପ୍ତ’ (ସାଉଣ୍ଟା ଚାଙ୍ଗୁଡ଼ି ପୃ ୬୫) ବାକ୍ୟମାନଙ୍କରେ ମଧ୍ୟ ଗୋଟିଏ ବାକ୍ୟ ଅନ୍ୟଟିର ପରିପୋଷକରୂପେ ତାର ଅର୍ଥକୁ ସ୍ପଷ୍ଟ କରିବା ନିମନ୍ତେ ଲିଖିତ । ରଚନାରେ ଏପରି ପରିପୋଷକ ବାକ୍ୟର ବ୍ୟବହାର ଅତି ସଚରାଚର ମିଳେ, କାରଣ ଲେଖକମାନେ ଗୋଟିଏ ପଦ ପ୍ରୟୋଗ କରି ତାହାର ସକ୍ରିୟତା ବିଷୟରେ ଓ ଅର୍ଥ ନିର୍ଦ୍ଦେଶ ବିଷୟରେ ସନ୍ଦିହାନ୍ ହୋଇ ତାହାର ପରିପୋଷକ ଶବ୍ଦମାନଙ୍କର ପ୍ରୟୋଗଦ୍ୱାରା ତାହା ଉପରେ ଗୁରୁତ୍ୱ ଆରୋପ କରିବାପାଇଁ ଚେଷ୍ଟା କରିଥାନ୍ତି ।

 

ଅନେକ ସମୟରେ ବାକ୍ୟର ଅର୍ଥକୁ ସ୍ପଷ୍ଟ କରିବା ନିମନ୍ତେ କୌଣସି ବିଶେଷ ଅଂଶକୁ ବିଶିଷ୍ଟ ଭାବରେ ଅନେକଗୁଡ଼ିଏ ପଦଦ୍ୱାରା ପ୍ରକାଶିତ କରା ଯାଇଥାଏ । ‘ଧନ, ଜନ, ଲକ୍ଷ୍ମୀ ଏମାନେ ସମସ୍ତେ ଭାଗ୍ୟଠାରେ ପରାସ୍ତ’ ଏହି ବାକ୍ୟରେ ମନୁଷ୍ୟର ସୌଭାଗ୍ୟକୁ ଧନ, ଜନ, ଲକ୍ଷ୍ମୀ ପ୍ରଭୃତି ରୂପରେ ବିଶିଷ୍ଟ କରି ଦେଖାଯାଇଅଛି । ‘ଖରାପ ମାନବ, ଅନ୍ୟାୟ ଆଇନ, ଭଣ୍ଡ ନେତା, ଦୁଷ୍ଟ ଶିକ୍ଷକ, ଯେଉଁଠାରେ ପ୍ରତିବାଦ କରିବାକୁ କେହି ନ ଥାନ୍ତି, ସେ ସ୍ଥାନରେ ଦେଖିବାକୁ ମିଳନ୍ତି’; ଏହି ବାକ୍ୟର ପ୍ରଥମ ଅଂଶରେ ମଧ୍ୟ ଏହିପରି ବିଶ୍ଳେଷଣ କରି ଦେଖିବାର ଚେଷ୍ଟା କରାଯାଇଅଛି ଓ ବିଶ୍ଳେଷଣଦ୍ୱାରା ବର୍ଣ୍ଣନୀୟ ପଦାର୍ଥର ବିସ୍ତୁତି ସାଧନ କରିବାଦ୍ୱାରା ତାହା ଉପରେ ଗୁରୁତ୍ୱ ନ୍ୟସ୍ତ କରାଯାଇଅଛି ।

 

ବାକ୍ୟର ବିନ୍ୟାସ ବ୍ୟାକରଣାନୁମୋଦିତ ନ ହେଲେ ତାହାର ଅର୍ଥ ଅସ୍ପଷ୍ଟ ହୁଏ । ଅବଶ୍ୟ ଅନେକ ସମୟରେ ବାକ୍ୟ ମଧ୍ୟରେ କୌଣସି ବିଶେଷ ପଦ ଉପରେ ଗୁରୁତ୍ୱ ନ୍ୟସ୍ତ କରିବା ନିମନ୍ତେ ତାକୁ ବ୍ୟାକରଣାନୁମୋଦିତ ସ୍ଥାନରୁ ବିଚ୍ୟୁତ କରାଯାଇ ଅନ୍ୟତ୍ର ବ୍ୟବହାର କରାଯାଏ, ଅର୍ଥାତ୍ ଏପରି କରିବାଦ୍ୱାରା ପଦଟିର ସକ୍ରିୟତା ବୃଦ୍ଧି ପ୍ରାପ୍ତ ହୋଇଥାଏ । ମାତ୍ର ଅର୍ଥକୁ ସୁସ୍ପଷ୍ଟ କରିବାକୁ ହେଲେ ବ୍ୟାକରଣକୁ ସର୍ବଦା ଅନୁସରଣ କରିବା ଉଚିତ । ବାକ୍ୟର ସକ୍ରିୟତା ଓ ସୁସ୍ପଷ୍ଟତା ଘେନି ଏହି କାରଣରୁ ସ୍ଥାନେ ସ୍ଥାନେ ଦ୍ୱନ୍ଦ ହେବା ସ୍ୱାଭାବିକ, ମାତ୍ର ଲେଖକକୁ ରଚନା ମଧ୍ୟରେ ଗୋଟିକୁ ସ୍ୱୀକାର କରି ନେବାକୁ ହୁଏ, ମାତ୍ର ଏପରି ଭାବରେ ଇଛାକୃତ ସ୍ୱୀକୃତି ନ ଥିଲେ ତାହା ମନୋଜ୍ଞ ହୋଇପାରେ ନାହିଁ । ‘ରାମ ଲକ୍ଷ୍ମଣ ଓ ସୀତା ବଳ୍କଳ ପରିଧାନ କରି ବନକୁ ଗଲେ, ତାଙ୍କ ହାତରେ ଧନୁର୍ବାଣ ଦେଖି କେହି ତାଙ୍କର ଅନିଷ୍ଟ କରିବାକୁ ସାହସ କଲେ ନାହିଁ ’ ଏପରି ବିନ୍ୟାସ ଭୁଲ କାରଣ ‘ତାଙ୍କର ’ ପଦ ଠିକ କାହାକୁ ସୂଚିତ କରୁଅଛି, ତାହା ସ୍ପଷ୍ଟ ଭାବରେ ଜଣାଯାଉ ନାହିଁ, ବାକ୍ୟର ବିନ୍ୟାସରେ ସୀତାଙ୍କୁ ହାତରେ ମଧ୍ୟ ଧନୁର୍ବାଣ ଥିଲା ବୋଲି ମନେ ହେବା ସ୍ୱାଭାବିକ ଓ ସଙ୍ଗତ। ‘ତାଙ୍କର ସୌଭାଗ୍ୟତମେ ସେ ନଦୀ ପାର ହେଲେ, କାରଣ ନଦୀର ପାଣି ନ ଥିଲେ’ ଏପରି ବାକ୍ୟ ମଧ୍ୟ ସୁବିନ୍ୟସ୍ତ ନୁହେଁ’ କାରଣ ନଦୀରେ ପାଣି ଥିବା ସ୍ୱାଭାବିକ ଥିବାରୁ ପାଣି ନ ଥିବା ସୌଭାଗ୍ୟ ରୂପରେ ସୁଚିତ ହୋଇପାରେ ଓ ପାଣି ନ ଥିବା ପାରି ହେବାର କାରଣ ସ୍ୱରୂପ ଥିବାରୁ ନଦୀରେ ପାଣି ନ ଥିବାରୁ ସେ ସୌଭାଗ୍ୟକ୍ରମେ ‘ନଦୀ ପାର ହେଲେ’ ଏହିପରି ଭାବରେ ବାକ୍ୟଟି ବିନ୍ୟସ୍ତ ହେବା ଉଚିତ ଥିଲା । ‘ପ୍ରଭୁଙ୍କର ସେହି ଶାଶ୍ୱତ ରୂପ ଯେ ଦେଖେ ବିଶ୍ୱାସ ନୟନରେ ନିଜ ଆତ୍ମାରେ, ତାର ଆଖରୁ ଜଗତର ଆଲୁଅ ଲିଭିଗଲେ ସୁଦ୍ଧା’ (ସାଉଣ୍ଟା ଚାଙ୍ଗୁଡ଼ି ପୃ ୧୧୪) ବାକ୍ୟାଂଶରେ ‘ଦେଖେ’ ପଦଟି ‘ଆତ୍ମରେ’ ପଦର ପରେ ପ୍ରଯୁକ୍ତ ହେବା ଉଚିତ ଥିଲା, ମାତ୍ର ଲେଖକ ‘ଶାଶ୍ୱିତରୂପ’ ପରେ ‘ଦେଖିବାର’ ବ୍ୟବହାର କରିବାକୁ ଏତେ ବ୍ୟସ୍ତ ଯେ ଦେଖିବାର ଉପାୟ ବା ପାତ୍ର ପ୍ରଭୃତିର ନିର୍ଦ୍ଦେଶ ନ ଦେଇ ସେ ଦେଖିବା ଶବ୍ଦଟିକୁ ପ୍ରୟୋଗ କରିଅଛନ୍ତି । ଏହି ବିପର୍ଯ୍ୟସ୍ତ ବିନ୍ୟାସ ଆବେଗରେ ପରିଚାୟକ, ମାତ୍ର ଏହାର ବିଶେଷ ପ୍ରୟୋଜନ ବାକ୍ୟ ମଧ୍ୟରେ ନାହିଁ । ଏହିପରି ଶତଚିନ୍ତାରୁ ପୂର୍ବେ ଉଦ୍ଧୃତ ବାକ୍ୟରେ ‘‘ଖରାପ ମାନବ........ଦେଖିବାକୁ ମିଳନ୍ତି’ (ପୃ ୪୭) ବାକ୍ୟରେ ଖରାପ ମାନବ, ଅନ୍ୟାୟ ଆଇନ, ଭଣ୍ଡ ନେତା, ଦୁଷ୍ଟ ଶିକ୍ଷକ ପଦମାନ ‘ସ୍ଥାନରେ’ ପରେ ପ୍ରଯୁକ୍ତ ହେବା ଉଚିତ ଥିଲା । ଏଠାରେ ଲେଖକ ଏହି ପଦମାନଙ୍କ ଉପରେ ଗୁରୁତ୍ୱ ଆରୋପ କରିବା ନିମନ୍ତେ ଏମାନଙ୍କୁ ବାକ୍ୟର ପ୍ରଥମ ଭାବରେ ବ୍ୟବହୃତ କରିଅଛନ୍ତି, ମାତ୍ର ବାସ୍ତବରେ ଏପରି ଗୁରୁତ୍ୱ ଆରୋପ କରିବାର କୌଣସି ବିଶେଷ କାରଣ ନାହିଁ ।

 

ବାକ୍ୟର ଅର୍ଥକୁ ସ୍ପଷ୍ଟ କରିବାକୁ ହେଲେ ସେଥିରେ ଠିକ ଯେତେ ଗୋଟି ଶବ୍ଦର ପ୍ରୟୋଜନ, କେତେଗୋଟି ଶବ୍ଦର ପ୍ରୟୋଗ ରହିବା ଉଚିତ । ଅଧିକ ପଦ ବା ନ୍ୟୂନପଦର ବ୍ୟବହାର ଥିଲେ ବାକ୍ୟର ଅର୍ଥ ସ୍ପଷ୍ଟଭାବରେ ପ୍ରକାଶିତ ହୋଇପାରେ ନାହିଁ, ଅନ୍ତତଃ ତାହା ସରସ ହୁଏ ନାହିଁ । ବାକ୍ୟର ଅର୍ଥ ପ୍ରକାଶ କରିବା ନିମନ୍ତେ ଦ୍ୱିରୁକ୍ତି ପ୍ରଭୃତିର ପ୍ରୟୋଜନ ଥିଲେ ତାହା ସର୍ବଥା ପ୍ରୟୋଗ କରିବା ଉଚିତ, ଅର୍ଥାତ୍ ଯାହା ପ୍ରୟୋଜନ, ତାହାର ନିଶ୍ଚୟ ବ୍ୟବହାର କରିବାକୁ ହେବ, ମାତ୍ର ଅନାବଶ୍ୟକ ବସ୍ତୁମାନଙ୍କୁ ପରିହାର କରିବାକୁ ହେବ ଏହାହିଁ ସାଧାରଣ ବିଧି । ଠିକ କେତୋଟି ଶବ୍ଦର ପ୍ରୟୋଜନ, ବାକ୍ୟସ୍ଥ ସମସ୍ତ ପଦର ପ୍ରୟୋଜନ ଅଛି କି ନାହିଁ, ପୁଣି କୌଣସି ଆବଶ୍ୟକ ପଦ ଅଯଥା ପରିହୃତ ହୋଇଅଛି କି ନାହିଁ, ଏସବୁର ଆଲୋଚନା କରିବାକୁ ହୁଏ । ପ୍ରୟୋଜନାତିରିକ୍ତ ପଦର ବ୍ୟବହାରଦ୍ୱାରା ଯେପରି ଚିତ୍ତ ବିକ୍ଷିପ୍ତ ହୁଏ ଆବଶ୍ୟକ ପଦର ଅପ୍ରୟୋଗଦ୍ୱାରା ମଧ୍ୟ ସେହିପରି ଅର୍ଥ ଗ୍ରହଣରେ କ୍ଳେଶ ଜାତ ହୁଏ । ଉଭୟେ ପରିହର୍ତ୍ତବ୍ୟ ।

 

ମାତ୍ର ବାକ୍ୟର ଅର୍ଥସଙ୍ଗତିହିଁ ସାହିତ୍ୟରେ ଏକମାତ୍ର ବିଚାର୍ଯ୍ୟ ବିଷୟ ନୁହେଁ । ପ୍ରତ୍ୟେକ ବାକ୍ୟ ସରସ ଓ ସକ୍ରିୟ ହେବା ପ୍ରୟୋଜନ, ପ୍ରତ୍ୟେକ ବାକ୍ୟ ମଧ୍ୟରେ ମାଧୁର୍ଯ୍ୟ ଥିବା ଆବଶ୍ୟକ ଓ ତାହା ପାଠକକୁ ପ୍ରଭାବିତ କରିବା ନିମନ୍ତେ ରଚିତ । ବାକ୍ୟର ସରସତା ନାନା ଉପାୟରେ ସାଧିତ ହୋଇପାରେ, ‘ଶୁଷ୍କଂ ତିଷ୍ଠତ୍ୟଗ୍ରେ’ ଓ ‘ନୀରସତରୁବର ପୁରତୋ ଭାତି’ ମଧ୍ୟରେ ପାର୍ଥକ୍ୟ କେବଳ ଅର୍ଥଗତ ନୁହେଁ, ଏହା ସରସତାଜନିତ ପାର୍ଥକ୍ୟ । ବାକ୍ୟର ସରସତା ଯେ କେବଳ ମାଧୁର୍ଯ୍ୟ ଉପରେ ନିର୍ଭର କରେ ତାହା ନୁହେଁ । ଏପରି ଅନେକ ରସର ଅବତାରଣା ଅଛି, ଯେଉଁଥିରେ ମାଧୁର୍ଯ୍ୟ କାମ୍ୟ ନୁହେଁ, ବରଂ ମାଧୁର୍ଯ୍ୟ ବାକ୍ୟର ସରସତାକୁ ନଷ୍ଟ କରେ । ବୀରହବ୍ୟଞ୍ଜକ ବାକ୍ୟମାନଙ୍କରେ, ରୌଦ୍ରରସର ଅବତାରଣାରେ, ବୀଭତ୍ସରସର ପରିକଳ୍ପନାରେ, ଘୃଣ୍ୟବସ୍ତୁମାନଙ୍କର ବର୍ଣ୍ଣନାରେ ମାଧୁର୍ଯ୍ୟ ପରିତ୍ୟାଗ କରିବାକୁ ହୁଏ, କାରଣ ମାଧୁର୍ଯ୍ୟଦ୍ୱାରା ଏପରି ସ୍ଥଳରେ ବାକ୍ୟର ସକ୍ରିୟତା, ବାକ୍ୟର ରସପରିପୋଷଣ ଶକ୍ତି ନଷ୍ଟ ହୋଇଯାଏ । ମାତ୍ର ସାଧାରଣତଃ ଅନ୍ୟ ସ୍ଥାନରେ ମାଧୁର୍ଯ୍ୟର ପ୍ରୟୋଜନ ହୁଏ । ଗଭୀର ଭାବର ଅଭିବ୍ୟକ୍ତି ସମୟରେ ବାକ୍ୟର ମାଧୁର୍ଯ୍ୟ ଅନେକ ସମୟରେ ରକ୍ଷିତ ହେବା କଷ୍ଟକର ହୁଏ, କାରଣ ଭାବ ଉପରେ ମୂଳ ପଦାର୍ଥ ସେହି ବାକ୍ୟର ମାଧୁର୍ଯ୍ୟ କାମ୍ୟ ନୁହେଁ, କାରଣ ପାଠକର ମନ ମଧ୍ୟ ଭାଷାର ମାଧୁର୍ଯ୍ୟ ଉପଭୋଗରେ ବ୍ୟସ୍ତ ହୋଇ ଅନ୍ୟାନ୍ୟ ବିଷୟ ପ୍ରତି ଅନ୍ଧ ହୋଇପଡ଼େ । ମାତ୍ର ଯେଉଁଠାରେ ପ୍ରେମନିବେଦନ ପ୍ରଭୃତି ମଧୁର ତରଳ ବିଷୟମାନଙ୍କର ଅବତରଣା ଥାଏ, ସେଠାରେ ଭାଷାଗତ ମାଧୁର୍ଯ୍ୟ ନ ଥିଲେ ରଚନା କେବେହେ ଉପଭୋଗ ହୋଇପାରେ ନାହିଁ ।

 

ବାକ୍ୟର ମାଧୁର୍ଯ୍ୟର ପ୍ରଧାନ ଅବଲମ୍ବନ କଳ୍ପନାମୂଳକ ଅଳଙ୍କାରମାନଙ୍କର ପ୍ରୟୋଗ । ମାଧୁର୍ଯ୍ୟ ବାସ୍ତବରେ ଦୁଇ ପ୍ରକାର : ଗୋଟିଏ ଭାବଗତ ମାଧୁର୍ଯ୍ୟ, ଅନ୍ୟଟି ଧ୍ୱନିଗତ ମାଧୁର୍ଯ୍ୟ । ଭାବଗତ ମାଧୁର୍ଯ୍ୟ କଳ୍ପନାମୂଳକ ଅଳଙ୍କାରମାନଙ୍କର ସମାବେଶ ଉପରେ ନିର୍ଭର କରେ । ‘ଉତ୍କଳ-ପ୍ରକୃତି’ର ଭାଷା ମଧୁର, କାରଣ ତାହା ପ୍ରକୃତିର ମଧୁର ଉପଲବ୍ଧିର ବାହ୍ୟପ୍ରକାଶ । କବିକଳ୍ପନାଦ୍ୱାରା ପ୍ରକୃତିର ରୂପବିଭବ ଅନୁରଞ୍ଜିତ ହୋଇ ଭାଷାକୁ ମଧୁର କରୁଅଛି; ‘କିଶୋରଚନ୍ଦ୍ରାନନ୍ଦ ଚମ୍ପୂ’ର ଭାଷା ମଧୁର, କାରଣ ତାହା ସୁମଧୁର ଅନନ୍ତ ପ୍ରେମନିବେଦନର କଳ୍ପନାମୁଖର ସ୍ମରଣ । ପୁଣି ‘ନିର୍ଝରିଣୀ’ର ଭାଷା ସୁମଧୁର, କାରଣ କବି ଅତିପରିଚିତ ନିତ୍ୟସଙ୍ଗ । ଭାବମାନଙ୍କୁ ନିରାଡ଼ମ୍ବର ଭାଷାରେ ପ୍ରକାଶ କରି ଆମ୍ଭମାନଙ୍କ ମନରେ ବିଷୟ ବସ୍ତୁ ପ୍ରତି ଆତ୍ମୀୟତାଜନିତ ସ୍ନେହମମତା ଜାଗ୍ରତ କରିବାକୁ ସମର୍ଥ ହୋଇଅଛନ୍ତି । ଯେଉଁଠାରେ ଉପମାର ପ୍ରୟୋଗ ଥାଏ, ଯେଉଁଠାରେ ଉପମାଭାସଦ୍ୱାରା ବାକ୍ୟକୁ ସରସ କରାଯାଏ, ଯେଉଁଠାରେ ଅପ୍ରତ୍ୟକ୍ଷାନୁଭୂତିର ବର୍ଣ୍ଣନାଦ୍ୱାରା କଳ୍ପନାକୁ ଜାଗ୍ରତ କରାଯାଏ ସେହିଠାରେ ଭାଷାର ମାଧୁର୍ଯ୍ୟ ସ୍ୱତଃ ସ୍ଫୁରିତ ହୁଏ । ‘ବିପଦର କଷାଘାତ ପାଇ ମାନବ ଭ୍ରାନ୍ତ ପଥରେ ଯଦି ଗଢ଼ି କରେ ତାହାର ଫଳ ମଙ୍ଗଳପ୍ରଦ ହୁଏ ନାହିଁ’ । (ଶତଚିନ୍ତା ପୃଷ୍ଠା ୮୭) ‘ପୁଣି ପଥଭ୍ରାନ୍ତ ମାନବ ସେହି ଭାବରାଶିକୁ ଗ୍ରହଣ କରି ଜଗତରେ ବିଷାକ୍ତ ବାୟୁ ପ୍ରଧୂମିତ କରୁଥିବାର ଶତସହତ୍ର ଘଟଣା ଦେଖାପଡ଼େ’ (ଶତଚିନ୍ତା ପୃଷ୍ଠା ୧୦୩) ‘ଆଜି ଅନୁକରଣ ସ୍ରୋତ ଓଡ଼ିଆ ସାହିତ୍ୟରେ ପ୍ରବାହିତ ହେଉଅଛି’ (ଶତଚିନ୍ତା ପୃଷ୍ଠା ୧୬୩) ପ୍ରଭୃତି ବାକ୍ୟରେ କଳ୍ପନାରେ ଆଶ୍ରୟ ଗ୍ରହଣ କରାଯାଇ ସାଧାରଣ ଭାବକୁ ସୁମଧୁରରୂପରେ ବ୍ୟକ୍ତ କରାଯିବାର ଚେଷ୍ଟା କରାଯିବାର ଚେଷ୍ଟା କରାଯାଇଅଛି । ଯେଉଁଠାରେ ଲେଖକ କଳ୍ପନାର ଆଶ୍ରୟ ଗ୍ରହଣ କରେ ଭାବଟି ସେହି ସ୍ଥାନରେ ସାଧାରଣତଃ ମଧୁରତର ହୋଇପଡ଼େ । ‘ମୋର ଆବେଦନରେ କିଛି ଲାଭ ନାହିଁ’ ପରିବର୍ତ୍ତରେ ‘ମୋର ଆବେଦନ ବିଫଳ ହେଲା’ କିମ୍ବା ‘ଅରଣ୍ୟରୋଦନରେ ପରିଣତ ହେଲା’ କହିଲେ ଯେ ବାକ୍ୟକୁ ମଧୁରତର କରାଯାଉଅଛି ତାହା ସହଜରେ ଅନୁମେୟ । ସର୍ବଦା ଭାଗବତ ମାଧୁର୍ଯ୍ୟ ପ୍ରତି ଦୃଷ୍ଟି ରଖି ରଚନାରେ ପ୍ରବୃତ୍ତ ହେବା ଉଚିତ । ମାତ୍ର ଏପରି କ୍ଷେତ୍ରରେ ଯେପରି କଳ୍ପନାର ଅପପ୍ରୟୋଗ ନ ହୁଏ ତାହା ମଧ୍ୟ ଦେଖିବା ପ୍ରୟୋଜନ ।

 

ପୁଣି ଧ୍ୱନିସମାବେଶଦ୍ୱାରା ମଧ୍ୟ ବାକ୍ୟକୁ ମଧୁର ଓ ସରସ କରାଯାଇପାରେ । ଧ୍ୱନିମୂଳକ ଅଳଙ୍କାରମାନଙ୍କର ପ୍ରୟୋଗଦ୍ୱାରା, ଅନୁପ୍ରାସ ପ୍ରଭୃତିର ବ୍ୟବହାରଦ୍ୱାରା ଏହିପରି ମାଧୁର୍ଯ୍ୟ ଭାଷାରେ ସ୍ୱତଃ ଉଦ୍ଭୂତ କରାଯାଇପାରେ । ‘ଲଳିତ-ଲବଙ୍ଗଲତା’ର ମାଧୁର୍ଯ୍ୟ ସହଜରେ ସ୍ୱୀକୃତି ହେବ । ଅବଶ୍ୟ ଗଦ୍ୟ ଲେଖାରେ ଏପରି ମାଧୁର୍ଯ୍ୟ ଅନେକ ସମୟରେ ବିସଦୃଶ ବୋଧହୁଏ, କାରଣ ଗଦ୍ୟ ଭାବର ସରସତା ଉପରେ ପ୍ରତିଷ୍ଠିତ, ଭାଷାର ମାଧୁର୍ଯ୍ୟ ତାହାର ମୁଖ୍ୟ ଅବଲମ୍ବନ ନୁହେଁ, ମାତ୍ର ଗଦ୍ୟରେ ମଧ୍ୟ ଧ୍ୱନି ସମାବେଶଜନିତ ମାଧୁର୍ଯ୍ୟର ଉଦାହରଣ ବିରଳ ନୁହେଁ । ‘ପ୍ରତିଭାର ପୂଜା କରିବାକୁ ଯାଇ କ୍ରମେ ହିନ୍ଦୁ ପ୍ରତିମାପୂଜକ ହୋଇଅଛି’ (ଶତଚିନ୍ତା ପୃ ୯୭) ବାକ୍ୟରେ ‘ପ୍ରତିଭା’ ଓ ‘ପ୍ରତିମା’ ମଧ୍ୟରେ ଧ୍ୱନିଗତ ସାମ୍ୟ ମାଧୁର୍ଯ୍ୟର ଉପାଦାନ ଯୋଗାଇଅଛି । ମାତ୍ର ଗଦ୍ୟରେ ଭାବର ଆଧିକ୍ୟ, ଆବେଗର ଆଧିକ୍ୟ, ଏପରି କି ମାଧୁର୍ଯ୍ୟର ଆଧିକ୍ୟ ମଧ୍ୟ ଲୋକଙ୍କର ଆନନ୍ଦଦାୟକ ହୁଏ ନାହିଁ, କାରଣ ଗଦ୍ୟ ଲେଖାରେ ସଂଯମହଁ ମାଧୁର୍ଯ୍ୟର ସହାୟକ, ସମତା ମାଧୁର୍ଯ୍ୟର ଅବଲମ୍ବନ, ଯେଉଁ ଲେଖାରେ ସମତା ଯେତେ ଅଧିକ ଥିବ ଲେଖାଟି କେତେ ମଧୁର ବୋଲି ପରିଚିତ ହୋଇ ପାରିବ ।

 

ଗଦ୍ୟ ଲେଖାରେ ସମତା ନାନା ଉପାୟରେ ରକ୍ଷିତ ହୋଇପାରେ । ଭାବର ସମତା ଓ ଭାଷାର ସମତା ଦୁଇଗୋଟି ପ୍ରଧାନ ବିଭାଗ, ପୁଣି ଭାଷାର ସମତା କ୍ଷେତ୍ରରେ ଏକ ଦିଗରେ ବିଶେଷଣମାନଙ୍କର ସମତା, କ୍ରିୟାପଦମାନଙ୍କର ସମତା ଓ ବିଶେଷ୍ୟପଦମାନଙ୍କର ସମତା, ଅନ୍ୟ ଦିଗରେ ବ୍ୟବହୃତ ଶବ୍ଦମାନଙ୍କରେ ଉତ୍ପତ୍ତିଗତ ସମତା ପ୍ରଭୃତି ମଧ୍ୟ ବିଚାର୍ଯ୍ୟ । ଭାବର ସମତା ଆବେଗର ଅଭାବଦ୍ୱାରାହିଁ ସ୍ପଷ୍ଟ ସୂଚିତ ହୋଇପାରେ; ଯେଉଁ ଲେଖାରେ ଆବେଗର ଯେତେ ଅଭାବ, ଭାବମାନଙ୍କୁ ଯେତେ ଆବେଗଶୂନ୍ୟଭାବରେ ପ୍ରକାଶିତ କରାଯାଏ ସେହି ଲେଖା ଯେତେ ‘ସମ’ ଲେଖା । ଏ କ୍ଷେତ୍ରରେ ‘ପ୍ରବନ୍ଧସୋପାନ’ ପ୍ରଭୃତିର ଲେଖା ଆଦର୍ଶ, କାରଣ ବିଷୟବସ୍ତୁର ଭାବଗାମ୍ଭୀର୍ଯ୍ୟ ରକ୍ଷା କରିବା ନିମନ୍ତେ ଏଥିରେ ଆବେଗର ଆଦୌ ପ୍ରୟୋଗ ନାହିଁ । ଆବେଗ ଯେତେ ଅଳ୍ପ ହେବ, ଆବେଗର ପ୍ରକାଶ ଯେତେ କ୍ଷୀଣ ହେବ, ଲେଖା ମଧ୍ୟ ତେତେ ବୁଦ୍ଧିବୃତ୍ତି ଉପରେ ପ୍ରତିଷ୍ଠିତ ହେବ ଏବଂ ଭାବ ସାମ୍ୟ ଯେତେଦୂର ରକ୍ଷିତ ହୋଇପାରିବ । ‘ଦାର୍ଶନିକ କଳ୍ପନା ଆଦରର ବିଷୟ । ଏହା କପୋଳକଳ୍ପିତ କଳ୍ପନା ବା ଭିତ୍ତିହୀନ ସ୍ୱପ୍ନ କ୍ରିଡ଼ାଠାରୁ ସମ୍ପୂର୍ଣ୍ଣ ଭିନ୍ନ’ (ପ୍ରବନ୍ଧସୋପାନ ପୃ୧୦୪)ରେ ଆବେଗର ଅଭାଗ ସ୍ପଷ୍ଟ ଉପଲବ୍ଧ ହେଉଅଛି କାରଣ ଏଠାରେ କଳ୍ପନାବିଳାସଦ୍ୱାରା ଅଥବା ଆବେଗଦ୍ୱାରା ଦାର୍ଶନିକ କଳ୍ପନାକୁ ଉଚ୍ଚରେ ପ୍ରତିଷ୍ଠିତ କରିବାର କୌଣସି ପ୍ରୟାସ ନାହିଁ, କେବଳ ରୁଦ୍ଧିବୃତ୍ତିଗତ ବିଶ୍ଳେଷଣହିଁ ଏଠାରେ କାମ୍ୟ ଓ ତାହାହିଁ ଲେଖାର ପ୍ରକୃତ ଅବଲମ୍ବନ । ଯେଉଁଠାରେ ଲେଖକ ଆବେଗଦ୍ୱାରା ବିଚଳିତ ହୁଏ ସେଠାରେ ଭାବର ସମତା ରକ୍ଷିତ ହୋଇପାରେ ନାହିଁ । ‘ଏଣୁ କଳଙ୍କିତ ହିନ୍ଦୁ ନାମଟା ଏ ଦେଶରୁ ତଥା ସମାଜରୁ ଯେତେ ଶୀଘ୍ର ସମ୍ଭବ ଲୁପ୍ତ କରିଦେଲେ କୌଣସି ଦୁଃଖ ହୁଅନ୍ତା ନାହିଁ’’ (ଶତଚିନ୍ତା ପୃ୫୩) ବାକ୍ୟରେ ଲେଖକଙ୍କର ଆବେଗଜନିତ ଲେଖାଦ୍ୱାରା ଭାବର ସମତା ରକ୍ଷିତ ହୋଇ ପାରୁ ନାହିଁ । ଯେଉଁଠାରେ ଆବେଗ, ଯେଉଁଠାରେ ଧର୍ମୋନ୍ନାଦନା, ଯେଉଁଠାରେ ଅତୀତ ଗୌରବପ୍ରୀତି ସ୍ପଷ୍ଟ ସେହିଠାରେ ଭାବର ସମତା ରକ୍ଷିତ ହେବା ଅତ୍ୟନ୍ତ କଠିନ ।

 

ଭାଷାର ସମତା ନାନା ଉପାୟରେ ରକ୍ଷିତ ହୋଇପାରେ । ‘ଧନ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଆନନ୍ଦ ଉପଭୋଗ କରିବା’ (ଶତଚିନ୍ତା ପୃ ୭୭) ବାକ୍ୟରେ ଧନ ଓ ଆନନ୍ଦ ମଧ୍ୟରେ ପାର୍ଥକ୍ୟ ସୂଚିତ କରି ‘ଉପାର୍ଜନ’ ଓ ‘ଉପଭୋଗ’ ମଧ୍ୟରେ ମଧ୍ୟ ସେହି ପାର୍ଥକ୍ୟ ସୂଚିତ କରିବାଦ୍ୱାରା ଭାଷାଗତ ସାମ୍ୟ ରକ୍ଷିତ ହୋଇଅଛି । ‘ଇଉରୋପୀୟ ନାଟ୍ୟଶାସ୍ତ୍ରର ଉଦ୍ଦେଶ୍ୟ ବାହ୍ୟ ଅବୟବର ବିଶ୍ଳେଷଣ, ଭାରତୀୟ ନାଟ୍ୟଶାସ୍ତ୍ରର ଉଦ୍ଦେଶ୍ୟ ଅନ୍ତରର ରସାନୁଭୂତିର ପରିଚୟ ପ୍ରଦାନ’ ବାକ୍ୟରେ ମଧ୍ୟ ଏହିପରି ଭାଷାଗତ ସମତାର ଉଦାହରଣ ସୁସ୍ପଷ୍ଟ, କାରଣ ବାକ୍ୟର ଦୁଇଗୋଟି ଅଂଶରେ ଦୁଇଗୋଟି ପୃଥକ ବିଷୟର ଅବତାରଣା କରା ଯାଇଅଛି । କିନ୍ତୁ ସାଧାରଣତଃ ବିଶେଷଣ ପଦର ବ୍ୟବହାରରେ ଏପରି ସମତାର ଉଦାହରଣ ବିଶେଷଭାବରେ ମିଳେ । ‘ତାଙ୍କ ଲେଖାରେ ଗଭୀର ଚିନ୍ତା, ପ୍ରଗାଢ଼ ଅଧ୍ୟବସାୟ, ଅସୀମ ପ୍ରଯତ୍ନ ଓ ଅଗାଧପାଣ୍ଡିତ୍ୟର ନିଦର୍ଶନ ମିଳେ’ ବାକ୍ୟରେ ପ୍ରତ୍ୟେକ ବିଶେଷ ପଦ ପୂର୍ବରେ ଯଥାଯଥ ବିଶେଷଣ ପଦକୁ ଲୋପ କରିଦେଲେ ବାକ୍ୟର ମାଧୁର୍ଯ୍ୟ ସମ୍ପୂର୍ଣ୍ଣଭାବରେ ବିନଷ୍ଟ ହୋଇଯିବ । ‘ଶକ୍ତି ଲାଭ କରିବାକୁ ହେଲେ ଗଭୀର ସାଧନା, ଏକାଗ୍ରତା, ନିଷ୍ଠାପରତାକୁ ପୂଜା କରିବା ଦରକାର’ (ଶତଚିନ୍ତା ପୃ ୭୬) ବାକ୍ୟରେ ଏକାଗ୍ରତା ଓ ନିଷ୍ଠାପରତା ପୂର୍ବରେ ଯଥାଯଥ ବିଶେଷଣ ପଦ ବ୍ୟବହୃତ ହୋଇଥିଲେ ସମତା ରକ୍ଷିତ ହୋଇ ପାରିଥାନ୍ତି । ଏହିପରି ‘ଏକ ସୁନ୍ଦର ଚିତ୍ର, ସୁନ୍ଦର ମୂର୍ତ୍ତି, ସୁନ୍ଦର ସାହିତ୍ୟ, ଭକ୍ତି ଓ ପ୍ରେମ କେବଳ ଏକ ବ୍ୟକ୍ତିର ନୁହେଁ, ଜନସାଧାରଣଙ୍କର ଭୋଗ୍ୟ ଓ ସମାନ ଭାବରେ ଭୋଗ୍ୟ’ (ପ୍ରବନ୍ଧସୋପାନ ପୃ ୯୦) ବାକ୍ୟରେ ଶବ୍ଦମାନଙ୍କର ପୁନଃପୁନଃ ବ୍ୟବହାରଦ୍ୱାରା ଆବେଗ ପ୍ରକାଶ ପାଉଅଛି, ଏଣୁ ଭାବଗତ ସମତା ନଷ୍ଟ ହେଉଅଛି, ପୁଣି ଭକ୍ତି ଓ ପ୍ରେମ ପୂର୍ବରେ ଯଥାଯଥ ବିଶେଷଣ ପଦର ବ୍ୟବହାର ନ ଥିବାରୁ ମଧ୍ୟ ବାକ୍ୟର ଭାଷାଗତ ସମତା ବ୍ୟାହତ ହୋଇଅଛି । ‘ସୁନିର୍ବାଚିତ ସର୍ବୋକୃଷ୍ଟ ଗ୍ରନ୍ଥାବଳୀଦ୍ୱାରା ଗଠିତ’ (ଶତଚିନ୍ତା ୭୬ପୃଷ୍ଠା) ବାକ୍ୟାଂଶରେ ସର୍ବୋକୃଷ୍ଟ ନିରର୍ଥକ, ପୁଣି ତାହାଦ୍ୱାରା ‘ସୁନିର୍ବାଚିତ’ ସହିତ ଧ୍ୱନିର ସମତା ରକ୍ଷିତ ହୋଇ ନାହିଁ ଏଣୁ ତାହା ଲେଖାର ସରସତାର ମଧ୍ୟ ପରିପନ୍ଥୀ, ତାହା ସ୍ଥାନରେ ‘ସୁଚିନ୍ତିତ’ କିମ୍ବା ଅନୁରୂପ କୌଣସି ପଦର ପ୍ରୟୋଗ କରାଯାଇଥିଲେ ଭାଷାର ସମତା ରକ୍ଷିତ ହୋଇ ପାରିଥାନ୍ତା । ଭାଷାଗତ ସମତା ପୁଣି ଅନ୍ୟ ନାନା ଉପାୟରେ ବ୍ୟାହତ ହୋଇପାରେ । ଶବ୍ଦମାନଙ୍କ ମଧ୍ୟରେ ଉତ୍ପତ୍ତିଗତ ସମତା ରହିବା ପ୍ରୟୋଜନ । ସଂସ୍କୃତମୂଳକ ଶବ୍ଦମାନଙ୍କ ସହିତ ଗୋଟିଏ ଅପ୍ରଚଳିତ ବୈଦେଶିକ ଶବ୍ଦର ବ୍ୟବହାର ଥିଲେ ତାହାଦ୍ୱାରା ବାକ୍ୟର ସମତା ନଷ୍ଟ ହୁଏ । ‘ସେଠାରେ ବାତ୍ୟାବିକ୍ଷୁବ୍ଧ ନଦୀତଟରେ କୌଣସି ନୌକାର ସନ୍ଧାନ ନ ପାଇ ମୁଁ ପାଏ ବନ୍ଦ ହୋଇଗଲି’ ବାକ୍ୟରେ ‘ପାଏ ବନ୍ଦ’ ଶବ୍ଦଦ୍ୱାରା ବାକ୍ୟର ସରସତା ନଷ୍ଟ ହେଉଅଛି, ଏହିପରି ‘ବିଦ୍ୟାଳୟମାନଙ୍କରେ ଟିଚରମାନେ ଅଳ୍ପ ବେତନ ପାଆନ୍ତି’ ବାକ୍ୟରେ ଟିଚର ଶବ୍ଦ ସ୍ଥାନରେ ‘ଶିକ୍ଷକ’ ଶବ୍ଦ ବ୍ୟବହୃତ ହେଲେ ସରସତା ରକ୍ଷିତ ହୋଇପାରେ । ପୁଣି ଏଠାରେ ‘ମାଷ୍ଟର’ ଶବ୍ଦ ପରିଚିତ ବୋଲି ‘ଟିଚର’ ଅପେକ୍ଷା ଅଧିକ ଉପଯୁକ୍ତ ହୋଇପାରେ ମାତ୍ର ତାହାଦ୍ୱାରା ବାକ୍ୟର ସମତା ନଷ୍ଟ ନ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ରକ୍ଷିତ ହୋଇପାରେ ନାହିଁ । ପୁଣି ଭାଷାର ସମତା ରକ୍ଷା କରିବା ନିମନ୍ତେ ଗୁରୁ ବିଷୟର ବର୍ଣ୍ଣନା ମଧ୍ୟରେ ଲଘୁବାକ୍ୟର ପ୍ରୟୋଗ ମଧ୍ୟ ଅନୁଚିତ କାରଣ ତାହାଦ୍ୱାରା ମଧ୍ୟ ରଚନା ବିସଦୃଶ ହୋଇପଡ଼େ । ମନର ଭାବସାମ୍ୟ ରକ୍ଷିତ ନ ହେଲେ କୌଣସି ରଚନା ସୁନ୍ଦର ଓ ସରସ ହୋଇପାରେ ନାହିଁ । ଏହିପରି ଭାଷା ମଧ୍ୟରେ ରସଗତ ସମତା ମଧ୍ୟ ପ୍ରତ୍ୟାଶିତ ହୋଇପାରେ, ଅର୍ଥାତ୍ ଗୋଟିଏ ରସବସ୍ତୁ ମଧ୍ୟରେ ଅନ୍ୟ ରସର ଅବତାରଣାଦ୍ୱାରା ଭାଷାର ସରସତା ନଷ୍ଟ ହୋଇପାରେ । ବସନ୍ତକାଳୀନ ସୌନ୍ଦର୍ଯ୍ୟ ମଧ୍ୟରେ ଯୁଦ୍ଧକ୍ଷେତ୍ରର ଭୀଷଣତାର ବର୍ଣ୍ଣନା, କିମ୍ବା ମରୁଭୂମିର ରିକ୍ତତା ମଧ୍ୟରେ ପ୍ରେମ ନିବେଦନର ଚିତ୍ର ଦେଲେ ତାହା ନିଶ୍ଚୟ ଅସୁନ୍ଦର ହେବ । ଏହିପରି ବର୍ଣ୍ଣନା ମଧ୍ୟରେ ସମତାବିଧାନ କରିବା ଏକାନ୍ତ ପ୍ରୟୋଜନ ହୁଏ ।

 

ଭାଷାର ସରସତା ରକ୍ଷା କରିବା ନିମନ୍ତେ ରଚନାରେ ଏକପ୍ରକାର ପଦର ପୁନଃପୁନଃ ପ୍ରୟୋଗ ପରିହାର କରାଯାଇଥାଏ, କାରଣ ତାହା ଆବେଗସୂଚକ ଓ ଶ୍ରୁତିକଟୁ । ଭାଷାର ବୈଚିତ୍ୟ ରକ୍ଷା କରିବାକୁ ହେଲେ, ଏକ ଶବ୍ଦର ବା ସ୍ଥାନବିଶେଷରେ ଏକଜାତୀୟ ଶବ୍ଦମାନଙ୍କର ପୁନଃପୁନଃ ବ୍ୟବହାର କରିବାକୁ ପଡ଼େ । ଉପରେ ପ୍ରବନ୍ଧସୋପାନରୁ ଉଦ୍ଧୃତ ବାକ୍ୟରୁ ‘ସୁନ୍ଦର’ ପୁନଃପୁନଃ ଉକ୍ତି ପ୍ରତି ଇଙ୍ଗିତ କରାଯାଇଅଛି, ବାସ୍ତବରେ ‘ସୁନ୍ଦର ଚିତ୍ର, ସୁନ୍ଦର ମୂତ୍ତି, ସୁନ୍ଦର ସାହିତ୍ୟ’ ଅପେକ୍ଷା ‘ସ୍ୱରୂପ ଚିତ୍ର, ମନୋଜ୍ଞ ମୂର୍ତ୍ତି ଓ ସୁନ୍ଦର ସାହିତ୍ୟ’ ଅଧିକ ସରସ ହୋଇଥାନ୍ତା । ମାତ୍ର ‘ବିଚିତ୍ର ଚିତ୍ର’ ପଦ ବ୍ୟବହୃତ ହୋଇଥିଲେ କିମ୍ବା ‘ମନୋଜ୍ଞ ମୂର୍ତ୍ତି ଓ ମନୋହର ସାହିତ୍ୟ’ ପଦମାନ ପ୍ରଯୁକ୍ତ ହୋଇଥିଲେ ଧ୍ୱନିମାନଙ୍କର ପୁନଃପୁନଃ ବ୍ୟବହାର ଶ୍ରୁତିକଟୁ ହୋଇଥାନ୍ତା । ଲେଖକକୁ ଏସବୁ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼େ ଓ ଲେଖିବା ସମୟରେ ଭାବପ୍ରକାଶ ପ୍ରତି ତାହାର ଲକ୍ଷ୍ୟ ଥିଲେହେଁ ଯେଉଁ ଭାବ ପ୍ରକାଶ କରିବା ନିମନ୍ତେ ଗୋଟିଏ ବିଶେଷ ଶବ୍ଦର ପୁନଃପୁନଃ ଉକ୍ତି ପ୍ରୟୋଜନ ନାହିଁ ତାହାକୁ ପରିହାର କରିବାକୁ ପଡ଼େ । କିନ୍ତୁ ‘ସାଉଁଣ୍ଟା ଚାଙ୍ଗୁଡ଼ି’ର (ପୃ ୬୦) ଏକ ସ୍ଥାନରେ ଏହି ଭୟରେ ‘ଗବାକ୍ଷ ଭିତରେ ହାତ ଗଳାଇ କହୁଛନ୍ତି, ହେ ମୋର ପ୍ରିୟ ଉଠ, ନିଦ ଭାଙ୍ଗ, ଦ୍ୱାର ପିଟାଅ, ଏହି ଦେଖ ଖିଡ଼କି ଭିତରେ ମୋର ହାତ’ ବାକ୍ୟରେ ‘ଗବାକ୍ଷ’ ଓ ‘ଖିଡ଼କି’ ଶବ୍ଦମାନଙ୍କର ପ୍ରୟୋଗ କରାଯାଇଥିଲେହେଁ ଏଟାରେ ପଦ ଦିଓଟିର ଦୂର ସନ୍ନିବେଶ ହେତୁରୁ ପୁନରୁକ୍ତି ଦୋଷ ଘଟି ନ ଥାନ୍ତା ।

 

ଭାବ ବା ଶବ୍ଦମାନଙ୍କର ବିନ୍ୟାସ ଘେନି ବାକ୍ୟକୁ ତିନି ପ୍ରକାରେ ବିଭକ୍ତ କରାଯାଇପାରେ-। ପ୍ରତ୍ୟେକ ବାକ୍ୟରେ ଅବଶ୍ୟ ଗୋଟିଏ ଭାବ ଥିବାହିଁ ବିଧି; ମାତ୍ର ସାଧାରଣତଃ ଗୋଟିଏ ପ୍ରଧାନ ଭାବ ଥିଲେହେଁ ବାକ୍ୟରେ ଅନ୍ୟାନ୍ୟ ଭାବମାନଙ୍କର ସମାବେଶ ମଧ୍ୟ ଦେଖାଯାଏ । ଏକପ୍ରକାର ବାକ୍ୟ ବ୍ୟାଖ୍ୟାନ ବାକ୍ୟ, ଅନ୍ୟ ପ୍ରକାର ବାକ୍ୟ ପର୍ଯ୍ୟାୟ ବାକ୍ୟ ଓ ତୃତୀୟ ପ୍ରକାର ବାକ୍ୟ ଆନ୍ତିକ ବାକ୍ୟ । ବ୍ୟାଖ୍ୟାନ ବାକ୍ୟରେ ପ୍ରଧାନ ଭାବଟି ବାକ୍ୟର ପ୍ରଥମରେ ରହେ, ଆନ୍ତିକ ବାକ୍ୟରେ ତାହା ବାକ୍ୟର ଶେଷ ଭାବରେ ରହେ । ପୁଣି ପର୍ଯ୍ୟାୟ ବାକ୍ୟରେ ତାହା ପ୍ରୟୋଜନ ଅନୁସାରେ ମଧ୍ୟରେ ବା ଅନ୍ୟ ବାକ୍ୟାଂଶ ସହିତ ପର୍ଯ୍ୟାୟରେ ଅବସ୍ଥାପିତ ହୋଇପାରେ । ‘ପକ୍ଷାନ୍ତରରେ ଏହା ମଧ୍ୟ କୁହାଯାଇପାରେ ଯେ, ଫଳ ପ୍ରତି ଦୃଷ୍ଟି ଦେଲେ କାର୍ଯ୍ୟର ସୌଷ୍ଠବ ନଷ୍ଟ ହୁଏ’ (ପ୍ରବନ୍ଦସୋପାନ ପୃ ୩୮) ବାକ୍ୟରେ ପ୍ରଧାନ ଭାବଟି ବାକ୍ୟର ଶେଷାଂଶରେ ସନ୍ନିବେଶିତ ହୋଇଅଛି । ଏଣୁ ଏହା ବାସ୍ତବରେ ଆନ୍ତିକ ବାକ୍ୟ । ‘ଯେଉ ଭାରତ ଏକ ସମୟରେ ଜ୍ଞାନବିଜ୍ଞାନର ଉଦ୍ଭବସ୍ଥଳୀ ଥିଲା, ଯେଉଁ ଭାରତର ବିଶାଳ ବକ୍ଷରେ ନାନା ଧର୍ମର ଆବିର୍ଭାବ ହୋଇ ମନୁଷ୍ୟମାନଙ୍କୁ ସଭ୍ୟତା ଦିଗରେ ଅଗ୍ରସର କରିଅଛି, ଯେଉଁ ଭାରତର ଶିଳ୍ପକଳା ବର୍ତ୍ତମାନ ପର୍ଯ୍ୟନ୍ତ ଜଗତରେ ବିସ୍ମୟକର ବ୍ୟାପାର ବୋଲି ପରିଗଣିତ, ସେହି ଭାରତ ଆଜି ପରପଦାନତ’ ବାକ୍ୟରେ ମଧ୍ୟ ପ୍ରଧାନ ଭାବଟି ବାକ୍ୟର ଶେଷରେ ବ୍ୟବହୃତ, ଏଣୁ ଏହା ମଧ୍ୟ ଆନ୍ତିକ ବାକ୍ୟ । ‘ଯେଉଁମାନେ ଦେଶର ସୁସନ୍ତାନ, ଯେଉଁମାନେ ଦେଶ ପାଇଁ ନିଜର ସ୍ୱାର୍ଥକୁ ବଳି ଦେଇଛନ୍ତି, ଯେଉଁମାନଙ୍କର କାର୍ଯ୍ୟାବଳୀ ସାଧାରଣଙ୍କ ପ୍ରାଣରେ ନବଜୀବନ ଦାନ କରୁଅଛି ସେହି ସୁସନ୍ତାନମାନଙ୍କ ପ୍ରତି ଭକ୍ତି, ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରିବା ସର୍ବତୋଭାବରେ କର୍ତ୍ତବ୍ୟ’ (ଶତଚିନ୍ତା ପୃ ୯୬) ମଧ୍ୟ ଆନ୍ତିକ ବାକ୍ୟ । ଅନ୍ୟ ପକ୍ଷରେ ‘ଆମ୍ଭମାନଙ୍କ ଦେଶରେ ଦାତା ନାହାନ୍ତି କହିଲେ ଚଳେ, କାରଣ ଅପାତ୍ରରେ ତଥା ଅସ୍ଥାନରେ ଦାନର ପ୍ରକାଶ ପାଇଥାଏ’ (ଶତଚିନ୍ତା ପୃ ୫୯) ଟି ବ୍ୟାଖ୍ୟାନ ବାକ୍ୟ, କାରଣ ମୂଳ ଭାବଟି ଏ ବାକ୍ୟରେ ପ୍ରଥମରେ ସନ୍ନିବେଶିତ ହୋଇ ପରେ ତାହାର କାରଣ ନିର୍ଦ୍ଦେଶିତ ହୋଇଅଛି-। ଏହିପରି ‘ଓଡ଼ିଶାର ଅତୀତ ଗୌରବ ସମସ୍ତଙ୍କର ଅନୁଶୀଳନ କରିବା ଉଚିତ, ସେହି ଗୌରବରେ ଗର୍ବିତ ହୋଇ ଭବିଷ୍ୟତ୍ ଉନ୍ନତି ମାର୍ଗରେ ଅଗ୍ରସର ହେବା ପ୍ରୟୋଜନ, କାରଣ ଅତୀତର ଗୌରବ ହୃଦୟରେ ଅନୁଭବ କରି ନ ପାରିଲେ ବର୍ତ୍ତମାନରେ କାର୍ଯ୍ୟ କରିବାର ପ୍ରବୃତ୍ତି ମଧ୍ୟ ଜାଗ୍ରତ ହୋଇ ପାରିବ ନାହିଁ ’ ବାକ୍ୟରେ ମଧ୍ୟ ପ୍ରଧାନ ଭାବଟି ବାକ୍ୟର ପୂର୍ବାଂଶରେ ସ୍ଥାପିତ ହୋଇଅଛି । କିନ୍ତୁ ଯେଉଁ ବାକ୍ୟ ମଧ୍ୟରେ ମୂଳ ଭାବଟି ଅନ୍ୟ ମୂଳ ଭାବ ସହିତ ସମ୍ବନ୍ଧ ଭାବରେ ବା ପର୍ଯ୍ୟାୟରେ ବ୍ୟକ୍ତ ହୁଏ ସେଠାରେ ପର୍ଯ୍ୟାୟ ବାକ୍ୟ ସ୍ୱୀକାର କରିବାକୁ ହୁଏ । ‘ଛତ୍ରପତି ଶିବାଜୀ ଗୁରୁଙ୍କୁ ନାନାବିଧ ଉପହାର ଦେବାକୁ ପ୍ରସ୍ତୁତ, ମାତ୍ର ରାମଦାସ ଆଦୌ ସ୍ୱୀକୃତ ହେଲେ ନାହିଁ’ (ଶତଚିନ୍ତା ପୃ ୨୯) ଏହିପରି ଗୋଟିଏ ପର୍ଯ୍ୟାୟ ବାକ୍ୟ କାରଣ ବାକ୍ୟର ଉଭୟ ଅଂଶରେ ଶକ୍ତି ନ୍ୟସ୍ତ ହୋଇଅଛି । କିନ୍ତୁ ଯେଉଁଠାରେ ଗୋଟିଏ ବାକ୍ୟାଂଶଦ୍ୱାରା ଅନ୍ୟ ଅଂଶରେ ପରିପୋଷିତ କରାଯାଏ ସେଠାରେ ମଧ୍ୟ ପର୍ଯ୍ୟାୟ ବାକ୍ୟ ସ୍ୱୀକାର କରିବାକୁ ହୁଏ । ‘ବସ୍ତୁର ଭାବ ବିଭାଗରେ ସୌନ୍ଦର୍ଯ୍ୟ ଥାଏ ନାହିଁ, ବରଂ ଖଣ୍ଡ ବିଖଣ୍ଡ ହେବାଦ୍ୱାରା ତାହାର ସୌନ୍ଦର୍ଯ୍ୟ ନଷ୍ଟ ହୁଏ’ (ପ୍ରବନ୍ଧସୋପାନ ପୃ ୧୧୭) ଏହିପରି ଗୋଟିଏ ପର୍ଯ୍ୟାୟ ବାକ୍ୟ କାରଣ ଏହି ବାକ୍ୟରେ ଗୋଟିଏ ଅଂଶଦ୍ୱାରା ଅନ୍ୟ ଅଂଶର ଅର୍ଥ ପରିପୋଷିତ ହେଉଅଛି । ଏହିପରି ‘ଯେଉଁ ସାହିତ୍ୟ ମହତ୍‍ଭାବ ସୃଷ୍ଟି କରେ, ଯାହା ନୂତନ ଛାଞ୍ଚ, ନୂତନ ଆଦର୍ଶ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥାପିତ କରେ, ଯାହା ପୁରାତନକୁ ନୂତନ ଛାଞ୍ଚରେ ଗଢ଼ିବାରେ, ବାସ୍ତବକୁ ଆଦର୍ଶ ଦିଗରେ ଘେନି ଯିବାରେ ସହାୟତା କରିପାରେ ସେ ସାହିତ୍ୟର ସ୍ଥାନ ଅନେକ ଉପରେ’ (ପ୍ରବନ୍ଧସୋପାନ ପୃ ୧୧୭) ମଧ୍ୟ ଏହିପରେ ପର୍ଯ୍ୟାୟ ବାକ୍ୟ; କାରଣ, ‘ମହତ୍’ ଶବ୍ଦର ପରିପୋଷକରୂପେ ଅନେକଗୁଡ଼ିଏ ବାକ୍ୟାଂଶ ବ୍ୟବହୃତ ବାକ୍ୟରେ ହୋଇଅଛି । ସରସତା ଦିଗରୁ ଆଲୋଚନା କଲେ ସ୍ପଷ୍ଟ ଦେଖାଯିବ ଯେ ପର୍ଯ୍ୟାୟ ବାକ୍ୟରେ ସାଧାରଣତଃ ସରସତା ଅଧିକ, ଆନ୍ତିକ ବାକ୍ୟରେ ସକ୍ରିୟତା ଅଧିକ, ମାତ୍ର ବ୍ୟାଖ୍ୟାନ ବାକ୍ୟରେ ସାମାନ୍ୟ ସରସତା ଓ ସାମାନ୍ୟ ସକ୍ରିୟତା ଥାଏ । ଏହା ବାକ୍ୟର ସାଧାରଣ ରୂପ ମାତ୍ର ।

 

ଅନେକ ସମୟରେ ବାକ୍ୟଗଠନରେ ଲେଖକ ବାକ୍ୟର ରୂପ ବିଷୟରେ ଅବହିତ ନ ହୋଇ ଯଥେଚ୍ଛଭାର ବାକ୍ୟଗଠନ କରନ୍ତି ଏଣୁ କୌଣସି ବାକ୍ୟଗଠନରେ ଶିଥିଳତା, କୌଣସିଥିରେ ବା ଆକସ୍ମିକତା ଦୋଷ ଘଟିଥାଏ । ଯେଉଁ ବାକ୍ୟକୁ ଦୁଇ ବା ତତୋଧିକ ବିଭକ୍ତ କଲେ ତାହାର ସରସତା ବା ସକ୍ରିୟତା ବର୍ଦ୍ଧିତ ହୋଇପାରେ କିମ୍ୱା ଦୁଇ ବା ତତୋଧିକ ବାକ୍ୟକୁ ଏକ ବାକ୍ୟରେ ପରିଣତ କଲେ ଏହିପରି ସରସତା ବର୍ଦ୍ଧିତ ହୋଇପାରେ ତାହା ଶିଥିଳବାକ୍ୟ, କାରଣ ବାକ୍ୟର ଅଂଶଗୁଡ଼ିକ ସୁବିନ୍ୟସ୍ତ ଓ ସୁସମ୍ୱନ୍ଧ ହୋଇଥିଲେ ଏପରି ବିନ୍ୟାସ ସମ୍ଭବପର ହୁଅନ୍ତା ନାହିଁ । ପ୍ରଭୂ କୌଣସି ଶୂନ୍ୟଗର୍ଭ କାଳ୍ପନିକସୁତ୍ର ବା ନିୟମର ବିଚାରରେ ପ୍ରବୃତ୍ତ ନ ହୋଇ ଯେଉଁସବୁ ବିଷୟ ବାସ୍ତବିକ ସତ୍ୟ ଏବଂ ଯାହା ସକାଶୁ ପୁରାତନର ଅନ୍ତର୍ଦ୍ଧାନ ଓ ନୂତନର ଅଭ୍ୟୁତ୍‍ଥାନ ହୋଇଥାଏ ସେହି ମୂଳ କଥାଟି କହିଥାନ୍ତି’ (ସାଉଣ୍ଟାଚାଙ୍ଗୁଡ଼ିପୃ ୫) ଏହିପରି ଗୋଟିଏ ଶିଥିଳବାକ୍ୟ, କାରଣ ଏହାକୁ ଦୁଇ ଭାଗରେ ବିଭକ୍ତ କଲେ ଓ ପରିପୋଷକ ପଦମାନ ପ୍ରଯୁକ୍ତ ହେଲେ ବାକ୍ୟର ସକ୍ରିୟତା ବର୍ଦ୍ଧିତ ହେବା ସମ୍ଭବ । ଅନ୍ୟ ଦିଗରେ ‘ବାସ୍ତବରେ କିନ୍ତୁ ତାହା ନୁହେଁ । ରୂପବର୍ଣ୍ଣ ପ୍ରଭୃତିକୁ ବସ୍ତୁରୁ ବିଚ୍ଛିନ୍ନ କରାଯାଇ ନପାରେ । ରୂପବର୍ଣ୍ଣ, ଆକୃତି ପରସ୍ପର ସହିତ ପୁଣି ବସ୍ତୁ ସହିତ ସମ୍ୱନ୍ଧରେ ଜଡ଼ିତ । ବସ୍ତୁର ଏହି ସ୍ଥାନ ବା ଘଟଣାରୁ ସେହି କ୍ରମସୌନ୍ଦର୍ଯ୍ୟ ଧାରଣ କରିଅଛି ଏପ୍ରକାର ପ୍ରୟୋଗ ଅଜ୍ଞାନତାରୁ ଜନ୍ମ’ (ପ୍ରବନ୍ଧସୋପାନ ପୃ ୧୧୬) ବାକ୍ୟମାନଙ୍କୁ ଏକତ୍ର କରି ଏକ ବାକ୍ୟରେ ପରିଣତ କଲେ ତାହାର ସୌନ୍ଦର୍ଯ୍ୟ କୌଣସିକ୍ରମେ ବ୍ୟାହତ ହୋଇ ନ ଥାନ୍ତା-। ଏଣୁ ଏହା ମଧ୍ୟ ଶିଥିଳାବାକ୍ୟଗଠନର ଉଦାହରଣ । ପୁଣି ‘ବିଚାରକ ଏହି ପଦବୀଟି ବହୁକାଳରୁ ମନୁଷ୍ୟସମାଜରେ ଚଳିଆସୁଅଛି’ ବାକ୍ୟରେ ‘ବାକ୍ୟରେ ‘ବିଚାରକ’ ପଦଦ୍ୱାରା ବାକ୍ୟଟିକୁ ଆରମ୍ଭ କରିବାର ପ୍ରୟାସ କେବଳ ଉକ୍ତ ପଦ ଉପରେ ଗୁରୁତ୍ୱ ଆରୋପ କରିବା ନିମନ୍ତେ କରାଯାଇଅଛି, ମାତ୍ର ଏପରି କରିବାଦ୍ୱାରା ବାକ୍ୟଟି ଆକସ୍ମିକ ହୋଇଅଛି । ବାକ୍ୟଗଠନରେ ଏହିସବୁ ଦୋଷ ପରିହାର କରିବା ସାଧାରଣ ଲେଖକ ପକ୍ଷରେ ଉଚିତ, କାରଣ ପ୍ରତିଭାବାନ୍‍ ଲେଖକ ବିଧି ନିୟମ ଅତିକ୍ରମ କରି ବାକ୍ୟରଚନାରେ ସମର୍ଥ ହେଲେହେଁ, ସାଧାରଣ ଲେଖକ ପକ୍ଷରେ ତାହା ଅସମ୍ଭବ, ‘ତେଜୀୟସାଂ ନ ଦୋଷାୟ’ କିନ୍ତୁ ଅନନ୍ୟ-ସାଧାରଣ ପ୍ରତିଭା ପକ୍ଷରେ ଯାହା ଗୁଣ ତାହା ସାଧାରଣ ଲେଖକ ପକ୍ଷରେ ଦୋଷ ।

 

ବାକ୍ୟର ସକ୍ରିୟତା କିନ୍ତୁ ବାକ୍ୟରଚନା ସମ୍ଭୟରେ ପ୍ରଧାନ ବିଚାର୍ଯ୍ୟ ବିଷୟ । ସାଧାରଣ ବାକ୍ୟକୁ ଅନେକ ପ୍ରକାରରେ ସକ୍ରିୟ କରାଯାଇଥାଏ । ଯେଉଁ ପ୍ରକାର ବାକ୍ୟଗଠନଦ୍ୱାରା ପାଠକମନ ପ୍ରଭାବିତ ହୁଏ ତାହାହିଁ ବାକ୍ୟର ସକ୍ରିୟତା ସମ୍ପାଦନ କରେ । ବାକ୍ୟର ସଂକୋଚନ, ବାକ୍ୟର ବିସ୍ତୃତି, ବାକ୍ୟର କ୍ରମଭଙ୍ଗ, ବାକ୍ୟର ରୂପାନ୍ତର, ବାକ୍ୟରେ ଭାବସମାବେଶ ପ୍ରଭୁତିନାନା ଦିଗରୁ ବାକ୍ୟର ସକ୍ରିୟତା ଆଲୋଚନା କରିବା ପ୍ରୟୋଜନ ।

 

ବାକ୍ୟର ସଂକୋଚନ ତାହାର ସକ୍ରିୟତାକୁ ବର୍ଦ୍ଧିତ କରେ, କାରଣ ଅନାବଶ୍ୟକ ଶବ୍ଦମାନ ପରିହୃତ ହୋଇଥିବାରୁ ବାକ୍ୟର ପ୍ରତ୍ୟେକ ପଦ ପ୍ରତି ପାଠକର ମନ ସ୍ୱତଃ ଆକୃଷ୍ଟ ହୁଏ । ‘ଜାତି ବ୍ୟକ୍ତି ଅପେକ୍ଷା ବୃହତ୍ତର’ (ପ୍ରବନ୍ଧ-ସୋପନ ପୃ: ୬୯୮) ବାକ୍ୟଟି ସଂକୁଚିତ ଏଣୁ ତାହାର ପ୍ରତ୍ୟେକ ଅଂଶ ଉପରେ ପାଠକ ଗୁରୁତ୍ୱ ଆରୋପ କରିବାକୁ ସମର୍ଥ ହୁଏ । ଏହି ବାକ୍ୟକୁ ପ୍ରସାରିତ କଲେ (ବ୍ୟକ୍ତିର ସମୂହଦ୍ୱାରା ଜାତି ଗଠିତ ହୋଇଥିବାରୁ ଜାତି ବୃହତ୍, ବ୍ୟକ୍ତି ଅପେକ୍ଷାକୃତ କ୍ଷୁଦ୍ର) ସେଥିରେ ପାଠକର ମନ ବିକ୍ଷିପ୍ତ ହୁଏ । ପୁଣି ଏହି ବାକ୍ୟର ପରବର୍ତ୍ତୀ ବାକ୍ୟରେ ‘ବୃହହ’ର ପରିଣତି ସୂଚିତ ହୋଇଅଛି । (ଏଣୁ ଜାତିର ମଙ୍ଗଳ ମାନବର ଧର୍ମ) କିନ୍ତୁ ଏହି ବାକ୍ୟ ଦୁଇଟିକୁ ଏକତ୍ରିତ କରି ଏକ ବାକ୍ୟରେ ପରିଣତ କରିବା ସମ୍ଭବପର ହେଲେହେଁ ଏହାଦ୍ୱାରା ବାକ୍ୟଟି ପ୍ରସାରିତ ହୋଇ ତାହାର ସକ୍ରିୟତା ନଷ୍ଟ ହୋଇପାରେ । ବାକ୍ୟଟି ଯେତେ ସଂକୁଚିତ ହୁଏ ଓ ଯେତେଗୁଡ଼ିଏ ସଂକୁଚିତ ବାକ୍ୟପରମ୍ପରା ବ୍ୟବହୃତ ହୁଏ ବାକ୍ୟରେ ସକ୍ରିୟତା ତେତେ ବୃଦ୍ଧିପ୍ରାପ୍ତ ହୁଏ, ମାତ୍ର ଅନ୍ୟଦିଗରେ ସଂକୁଚିତ ବାକ୍ୟମାନଙ୍କର ପୁନଃପୁନଃ ବ୍ୟବହାର କ୍ଳାନ୍ତିଜନକ ହୋଇପାରେ ଓ ତାହାଦ୍ୱାର ରଚନାର ମସୃଣତା ନଷ୍ଟ ହୋଇପାରେ, କାରଣ ଚାରି ପାଞ୍ଚଗୋଟି ପଦ ପରେ ପୂର୍ଣ୍ଣଚ୍ଛେଦଠାରେ ପାଠକର ମନର ଗତି ବ୍ୟାହତ ହେଉଥିବାରୁ ତାହା ବନ୍ଧୁର ମନେ ହୋଇପାରେ ଓ ଅନାବଶ୍ୟକ ବନ୍ଧୁରତା ହେତୁରୁ ଭାଷାର ମାଧୁର୍ଯ୍ୟ ନଷ୍ଟ ହୋଇଯାଇପାରେ । ବାକ୍ୟମାନଙ୍କର ସଂକୋଚନଦ୍ୱାରା ଯେଉଁ ଉତ୍ତେଜନାର ଆଧିକ୍ୟ ହେତୁରୁ ମନ ଆବସନ୍ନ ହେବା ମଧ୍ୟ ସ୍ୱାଭାବିକ । ଏହି କାରଣରୁ ସଂକୋଚନା ସକ୍ରିୟତା ବିବର୍ଦ୍ଧକ ହେଲେ ମଧ୍ୟ ତାହାର ପୁନଃପୁନଃ ବ୍ୟବହାର ଅନୁଚିତ କାରଣ ରଚନାର ପ୍ରସାଦଗୁଣ ତାହାଦ୍ୱାରା ବ୍ୟାହତ ହେବା ସମ୍ଭବ ।

 

ପୁଣି ଅନ୍ୟ ଦିଗରେ ବାକ୍ୟର ବିସ୍ତୃତିଦ୍ୱାରା ମଧ୍ୟ ତାହାର ସକ୍ରିୟତା ରକ୍ଷିତ ହୋଇପାରେ-। ଏହି ବିସ୍ତୁତି ବାକ୍ୟ ମଧ୍ୟରେ ଗୋଟିଏ ଶବ୍ଦର ବା ଭାବରେ ପରିପୋଷକ ଅନ୍ୟ ବାକ୍ୟାଂଶର ବ୍ୟବହାରଦ୍ୱାରା ହୋଇପାରେ, ପୁଣି ଗୋଟିଏ ଶବ୍ଦର ବିଶ୍ଳେଷଣଦ୍ୱାରା ମଧ୍ୟ ସମ୍ଭବ ହୋଇପାରେ କିମ୍ୱା ଏକ ବାକ୍ୟରେ ନାନାଭାବର ସମାବେଶ କରିବାଦ୍ୱାରା ମଧ୍ୟ ଏହିପରି ବିସ୍ତୃତି ସାଧିତି ହୋଇପାରେ । ‘ସତ୍ୟ ପଦାର୍ଥ ଜଣକଠାରେ ନୁହେ, ଜନସମାଜରେ ଗୃହୀତ, ସୁନ୍ଦର ବସ୍ତୁ ଏକ ମନୁଷ୍ୟକ ନୁହେ ସାରାମାନବକୁ ଆକର୍ଷଣ କରେ, ଉତ୍ତମ କର୍ମ ମାନବସମୂହର ମଙ୍ଗଳବିଧାନରେ ସମର୍ଥ (ପ୍ରବନ୍ଧସୋପାନ ପୃ ୧୧୫) ବାକ୍ୟରେ ଏକାଧିକ ଭାବରେ ସମନ୍ୱୟରେ ବାକ୍ୟଟି ଗଠିତ ହୋଇଅଛି, ମାତ୍ର ପ୍ରତ୍ୟେକ ବିରାମସ୍ଥଳରେ ପୂର୍ଣ୍ଣଚ୍ଛେଦ ଦିଆଯାଇ ତିନିଗୋଟି ବାକ୍ୟରେ ବିଭକ୍ତ କରିଦେଲେ ମଧ୍ୟ ତାହାର ଭାବ କୌଣସିରୂପରେ ନଷ୍ଟ ହେବ ନାହିଁ । ଏଠାରେ ଲେଖକ କେବଳ ଭାବସମାବେଶଦ୍ୱାର ବାକ୍ୟକୁ ବିସ୍ତୃତ କରିବା ଇଚ୍ଛାରେ ତିନିଗୋଟି ଭାବକୁ ଏକତ୍ର କରି ଏକ ବାକ୍ୟଦ୍ୱାରା ପ୍ରକାଶିତ କରିଅଛନ୍ତି ଓ ପ୍ରସାରିତ ବାକ୍ୟ ମଧ୍ୟରେ ‘ଐକିକ ବିଚ୍ଛିନ୍ନ ମଙ୍ଗଳ’ ଓ ‘ସମୂହର ମଙ୍ଗଳ’ ମଧ୍ୟରେ ବିରୋଧକୁ ପାଠକ ମନରେ ସ୍ପଷ୍ଟଭାବରେ ଅଙ୍କିତ କରିବାର ଚେଷ୍ଟା କରିଅଛନ୍ତି, ଏଣୁ ଏହି ବିସ୍ତୃତି ଓ ଭାବସମାବେଶ ସକ୍ରିୟ ହୋଇଅଛି । ପୁଣି ଅନେକ ସ୍ଥାନରେ ଭାବସମାବେଶ ନ ଥାଇ କେବଳ ଗୋଟିଏ ଭାବକୁ ପରିସ୍ପୋଷଣ କରିବା ନିମନ୍ତେ ଅନ୍ୟ ଭାବମାନଙ୍କର ବ୍ୟବହାର କରାଯାଇ ବାକ୍ୟକୁ ସକ୍ରିୟ କରାଯାଇଥାଏ । ‘ମନୁଷ୍ୟଜୀବନର କାର୍ଯ୍ୟକଳାପରେ ମଧ୍ୟ ସମୟର ଜୁଆରଭଟ୍ଟା ଅଛି ଅନୁକୂଳ ଓ ପ୍ରତିକୂଳ ସମୟ ଅଛି’ (ସାଉଣ୍ଟା-ଚାଙ୍ଗୁଡ଼ି ପୃ ୬୧) ବାକ୍ୟରେ ଦ୍ୱିତୀୟ ଅଂଶଟି ପ୍ରଥମ ପରିପୋଷକ, ଏହାଦ୍ୱାରା ପ୍ରଥମ ଅଂଶର ବିସ୍ତୃତି ସାଧିତ ହୋଇ ତାହା ପାଠକମନକୁ ପ୍ରଭାବିତ କରିବାକୁ ସମର୍ଥ ହେଉଅଛି । ‘ସମୟାନୁକ୍ରମେ କ୍ଲାନ୍ତପ୍ରାଣ ବ୍ୟଥିତ ହୋଇ ଉଠେ । କହେ ଅସାରରୁ ଅସାର, ସମସ୍ତଇ ଅସାର, କେବଳ ବାୟୁର ପଶ୍ଚାଦ୍ଧାବନ’ (ସାଉଣ୍ଟାଚାଙ୍ଗୁଡ଼ି ପୃ ୭୩) ‘ଯାହାର ପ୍ରୟୋଜନ ଅଛି, ତାହାର ମୂଲ୍ୟ ଅଛି: ଯାହାର ମୂଲ୍ୟ ଅଛି, ତାହାର ପ୍ରୟୋଜନ ଅଛି’ (ପ୍ରବନ୍ଧସୋପାନ ପୃ ୭୪) ‘କହି ଯେବେ ମନେକହେ ଯେହେତୁ ମୋର ସ୍ୱାଧୀନତା ଅଛି ମୁଁ ଅତ୍ୟାଚାର କରିବି, ନରହତ୍ୟା କରିବି, ଆତ୍ମହତ୍ୟା କରିବି, କାରାଗାରରେ ବାସ କରିବି, ଚିନ୍ତାର ନିୟମ ଲଘଂନ କରି ଚିନ୍ତା କରିବି, ସମାନକୁ ଅସମାନ, ଅସମାନକୁ ସମାନ, କ୍ଷୁଦ୍ରକୁ ବୃହତ୍, ସ୍ୱାଧୀନତାର ନୁହେଁ (ପ୍ରବନ୍ଧସୋପାନ ପୃ୮୪) ବାକ୍ୟମାନଙ୍କରେ ଏହିପରି ବାକ୍ୟଟିକୁ ବିସ୍ତୃତ କରି ତାକୁ ସକ୍ରିୟ କରାଯିବାର ଚେଷ୍ଟା କରାଯାଇଅଛି । ବାକ୍ୟର ବିସ୍ତାର ମନକୁ ଅଭିଭୂତ କରେ, ଏଣୁ ତାହାର ପ୍ରଭାବ ସଂକୁଚିତ ବାକ୍ୟର ପ୍ରଭାବଠାରୁ ଭିନ୍ନ କିନ୍ତୁ ଭିନ୍ନ ହେଲେହେଁ ତାହାର ଯେ ପ୍ରଭାବ ବିସ୍ତାର କରିବାର କ୍ଷମତା ଅଛି ତାହା ସ୍ୱୀକାର କରିବାକୁ ହୁଏ ।

 

ବାକ୍ୟକୁ ସକ୍ରିୟ କରିବାର ତୃତୀୟ ଉପାୟ ରଚନାର କ୍ରମଭଙ୍ଗ । ବ୍ୟାକରଣନୁମୋଦିତ ନିୟମମାନ ପ୍ରତିହତ ହେଲେ ସ୍ୱତଃ ବାକ୍ୟପ୍ରତି ମନ ଆକୃଷ୍ଟ ହୁଏ । ‘ମୁଁ ଆଜି ଘରକୁ ଯିବି’ ସାଧାରଣ ବାକ୍ୟ ମାତ୍ର ଏହି ବାକ୍ୟକୁ ‘ଆଜି ଯିବି ମୁଁ ଘରକୁ’ କିମ୍ୱା ‘ଘରକୁ ସାଧାରଣ ବାକ୍ୟ ମାତ୍ର ଏହି ବାକ୍ୟକୁ ‘ଆଜି ଯିବି ମୁଁ ଘରକୁ ଯିବି ମୁଁ ଆଜି’ ରୂପରେ ପରିବର୍ତ୍ତିତ କରାଗଲେ ବାକ୍ୟରେ ବ୍ୟାକରଣାନୁମୋଦିତ ଶବ୍ଦକ୍ରମ ଭଙ୍ଗ କରାଯାଇ ବାକ୍ୟକୁ ସକ୍ରିୟ କରାଯିବାର ଚେଷ୍ଟା କରାଯାଇଥାଏ । ନାଟକରେ ଏପରି କ୍ରମଭଙ୍ଗର ଭୁରି ଭୂରି ଦୃଷ୍ଠାନ୍ତ ମିଳେ । ‘ବିବେଚକ ସେହି ଯେ ଭୁତ ଭବିଷ୍ୟତ ବର୍ତ୍ତମାନର ସମସ୍ତ ଦାବୀ ଗ୍ରହଣ କରିଛି’ (ସାଉଁଣ୍ଟା ପୃ ୩୯) ‘ ମତାନ୍ଧତା କଦାପି ପଦାର୍ଥର ମୂଲ୍ୟ ନିରୂପଣରେ ମାନଦଣ୍ଡ ହୋଇ ନପାରେ ’(ପ୍ରବନ୍ଧସୋପାନ ପୃ ୧୦୩) ‘ସାହିତ୍ୟ କ୍ଷେତ୍ରରେ ଅମୂର୍ତ୍ତ ସୌନ୍ଦର୍ଯ୍ୟର ବହୁତ ନିଦର୍ଶନ ମିଳେ’ (ପ୍ରବନ୍ଧ ସୋପାନ ପୃ ୧୧୭) ପ୍ରଭୁତି ବାକ୍ୟରେ ଏହିପରି କ୍ରମଭଙ୍ଗର ନିଦର୍ଶନ ସ୍ପଷ୍ଟ । ସାଧାରଣତଃ ଲେଖକମାନେ ଏହପରି କ୍ରମଭଙ୍ଗଦ୍ୱାରା ଗୋଟିଏ ବିଶେଷ ପଦ ପ୍ରତି ପାଠକର ମନୁକୁ ଆକୃଷ୍ଟ କରିବାର ଚେଷ୍ଟା କରନ୍ତି, ଗୋଟିଏ ବିଶେଷ ପଦ ଉପରେ ଗୁରୁତ୍ୱ ଆରୋପ କରିବାର ପ୍ରୟାସ କରନ୍ତି ଓ ଏହି କାରଣରୁ ବାକ୍ୟଟି ଅଧିକ ସକ୍ରିୟ ହୋଇଥାଏ ।

 

ବାସ୍ତବରେ ଯେଉଁଠାରେ ଆବେଗପରିପୋଷକ ଅଳଙ୍କାରର ବ୍ୟବହାର ଥାଏ ବାକ୍ୟଟି ସେହିଠାରେ ସକ୍ରିୟ ହେବାହିଁ ସମ୍ଭବ, । କାରଣ ବାକ୍ୟର ସକ୍ରିୟତା ପାଠକର ଆବେଗ ଉପରେ ଅଧିକାଂଶ ସ୍ଥାପରେ ନିର୍ଭର କରେ ଓ ପାଠକର ଆବେଗ ଲେଖକର ଆବେଗର ଅଂଶବିଶେଷ ବୋଲି ସହଜରେ ସ୍ୱୀକୃତ ହୋଇପାରେ, ଏଣୁ ବାକ୍ୟର ରୂପାନ୍ତର ତାକୁ ସକ୍ରିୟ କରିବା ସ୍ୱାଭାବିକ । ପ୍ରଶ୍ନୋକ୍ତି, ଭଗ୍ନୋକ୍ତି, ଅନୁକ୍ତି ପ୍ରଭୁତି ଏହି ରୂପାନ୍ତରର ନିଦର୍ଶନ । ପ୍ରଶ୍ନଦ୍ୱାରା ସାଧାରଣ ବାକ୍ୟ ସକ୍ରିୟ କରାଯିବାର ଉଦାହରଣ ଆମ୍ଭେମାନେ ନାନା ସ୍ଥାନରେ ପାଉଁ । ‘ମନୁଷ୍ୟର ସକଳ କାର୍ଯ୍ୟ ମଧ୍ୟରେ ଅନୁତାପ କି ସର୍ବାପେକ୍ଷା ସ୍ୱର୍ଗୀୟ ବ୍ୟାପାର ନୁହେଁ’ । (ଶତଚିନ୍ତା ପୃ ୯୫) ବାକ୍ୟର ସାଧାରଣ ରୂପ ‘ମନୁଷ୍ୟର ସକଳ କାର୍ଯ୍ୟ ମଧ୍ୟରେ ଅନୁତାପ ସର୍ବାପେଷା ସ୍ୱ ମାତ୍ର ଲେଖକ ଏହି ସାଧାରଣ ବାକ୍ୟଟିକୁ ପ୍ରଶ୍ନ ବାକ୍ୟଦ୍ୱାରା ପ୍ରକାଶିତ କରି ତାକୁ ଅଧିକତର ସକ୍ରିୟ କରୁଅଛନ୍ତି । ପ୍ରଶ୍ନୋକ୍ତି, ଭଗ୍ନୋକ୍ତି, ଅନୁକ୍ତି ପଭାତିର ଉଦାହରଣ ଏଥିପୁର୍ବେ ଦିଆଯାଇଅଛି ଏଣୁ ପୁନରାୟ ସେହିସବୁ ଉଦାହରଣ ଦେବା ନିଷ୍ପୟୋଜନ । କେବଳ ଏତିକି ମନେ ରଖିବାକୁ ହେବ ଯେ ଯେଉଁଠାରେ ବାକ୍ୟର ସାଧାରଣ ରୂପକୁ ପରିବର୍ତ୍ତିତ କରାଯାଏ, ସେହିଠାରେ ଆବେଗର ଅବକାଶ ଥାଏ ଓ ବାକ୍ୟର ସକ୍ରିୟତା ମଧ୍ୟ ବର୍ଦ୍ଧିତ ହୋଇଥାଏ । ମାତ୍ର ଏପରି ସକ୍ରିୟ ବାକ୍ୟ-ମାନଙ୍କର ପୁନଃପୁନଃ ପ୍ରୟୋଗ ବିରକ୍ତ କର ହୁଏ, କାରଣ ପାଠକର ମନ ପୁନଃପୁନଃ ସକ୍ରିୟ ବାକ୍ୟମାନଙ୍କର ଅନୁଧାବନ କରି କ୍ଳାନ୍ତ ଓ ଅବସନ୍ନ ହୋଇପଡ଼େ ।

 

ବକ୍ୟର ସକ୍ରିୟତା ସମ୍ପାଦନ କରିବା ନିମନ୍ତେ ଆଉ ଗୋଟିଏ ଉପାୟ ମଧ୍ୟ ଅବଲମ୍ୱିତ ହୋଇଥାଏ । ତାହା ବିରୁଦ୍ଧଭାବମାନଙ୍କର ଏକତ୍ର ସମାବେଶ । ଗୋଟିଏ ଅସ୍ତ୍ୟର୍ଥକ ବାକ୍ୟ ସହିତ ଗୋଟିଏ ନାସ୍ତ୍ୟର୍ଥକ ବାକ୍ୟ ଏକତ୍ର କରି ବ୍ୟବହାର କଲେ ବାକ୍ୟର ଗୋଟିଏ ଅଂଶଦ୍ୱାରା ଅନ୍ୟଟି ପ୍ରଭାବିତ ହେବା ସ୍ୱାଭାବିକ । ପରିପୋଷକ ଭାବଯୁକ୍ତ ବାକ୍ୟରେ ଗୋଟିଏ ଭାବରେ ବିଶ୍ଳୋଷଣ କରାଯାଇ କିମ୍ୱା ତାହାର ପରିପୋଷକ ଅନ୍ୟ ଭାବ ତାହା ସହିତ ଏକତ୍ରିତ କରାଯାଇ ବାକ୍ୟର ବିସ୍ତାର କରାଯାଇଥାଏ, ମାତ୍ର ଗୋଟିଏ ଭାବର ଉଲ୍ଲେଖ କଲେ ବାକ୍ୟର ଭିନ୍ନ ପ୍ରକାର ବିସ୍ତାର ହୋଇଥାଏ । ‘ଯାହା ସ୍ଥାୟୀ ତାହା ପ୍ରଧାନ, ସାହା ଅସ୍ଥାୟୀ ତାହା ଅପ୍ରଧାନ (ପ୍ରବନ୍ଧସୋପାନ ପୃ ୧୨୦) ‘ଏଆଡ଼େ ଅତୀତର ମହାପୁରୁଷମାନଙ୍କର କବର ତୀର୍ଥଯାତ୍ରୀମାନଙ୍କର କୋଳାହଳରେ ମୁଖରିତ, ଅଥଚ ବର୍ତ୍ତମାନର ମହାତ୍ମାଙ୍କର ଉଦ୍‍ବୋଧନ ଯେ ମନ୍ଦିରରେ ଶୁଭୁଛି ତାହା ଜନଶୂନ୍ୟ’ (ସାଭଣ୍ଟାଜାଙ୍ଗୁଡ଼ି ପୃଷ୍ଠା ୪୫) ମୁଁ ଜାତିପାଇ ନୁହେ ଦଳପାଇଁ ଶଙ୍କିତ, ଭଲପାଇଁ ନୁହେଁ । ମୋହପାଇଁ ଚିନ୍ତିତ (ପ୍ରବନ୍ଧସୋପାନ ୬୪’ ‘ଇତର ମନୁଷ୍ୟ ନିମ୍ନପାବଚ୍ଛରେ ଅବସ୍ଥିତ, ଦାର୍ଶନିକ ଉଚ୍ଚସ୍ତରରେ ପ୍ରତିଷ୍ଠିତ’ (ପ୍ରବନ୍ଧ ସୋପାନ ପୃ ୧୦୭) ପ୍ରଭୁତି ବାକ୍ୟରେ ଦୁଇଗୋଟି ଅଂଶ ମଧ୍ୟରେ ବିରୋଧ ପ୍ରତ୍ୟେକର ଅର୍ଥକୁ ସୂଦୃଢ଼ କରୁଅଛି । ଭାବସମାବେଶ ସମୟରେ ଅନେକ କ୍ଷେତ୍ରରେ ପୁନରକ୍ତି ମଧ୍ୟ କରାଯାଇଥାଏ, ଏହା ମଧ୍ୟ ଭାବପରିପୋଷକ ବାଗବିସ୍ତାର ମାତ୍ର ନୁହଁ ସ୍ପଷ୍ଟ ପୁନରୁକ୍ତି ଏକଭାବର ବାକ୍ୟମାନଙ୍କର ଏକତ୍ର ସମାବେଶ, ଏହାଦ୍ୱାରା ମଧ୍ୟ ବାକ୍ୟର ସକ୍ରିୟତା ବର୍ଦ୍ଧିତ ହୋଇଥାଏ । ‘ଆଜିଠୁ ସେ ତାଙ୍କର କ୍ରୀତଦାସୀ, ପ୍ରଭୁ ତାଙ୍କର ପ୍ରଭୁ, ମାଲିକ’ (ସାଉଣ୍ଟାଗୁଙ୍ଗ ଡ଼ି ପୃ ୩୯) ବାକ୍ୟରେ ଗୋଟିଏ ଭାବର ପୁନରୁକ୍ତିଦ୍ୱାରା ତାହା ଦୃଢ଼ତର କରିବାର ପ୍ରୟାସ କରାଯାଛଅଛି-। ପୁଣି ‘ଅତଏବ ପରିବର୍ତ୍ତନ ପରିବର୍ତ୍ତନର ହେତୁ ନୁହେଁ ପରିବର୍ତ୍ତନରେ ଯାହାର ଆରମ୍ଭ ତାହାର ସମାପ୍ତି ପରିବର୍ତ୍ତନରେ ନାହିଁ । ପରିବର୍ତ୍ତନ ଜାଗତିକ ପନ୍ଥା, ଲକ୍ଷ୍ୟ ନୁହେଁ । (ପ୍ରବନ୍ଧ ସୋପାନ ପୃ ୧୨) ବାକ୍ୟରେ ମଧ୍ୟ ପରିବର୍ତ୍ତନ ଶବ୍ଦର ପୁନଃପୁନଃ ଉକ୍ତିଦ୍ୱାରା ବାକ୍ୟକୁ ସକ୍ରିୟ କରାଯାଉଅଛି । ‘କାର୍ଯ୍ୟର ମୂଲ୍ୟ କାର୍ଯ୍ୟରେ, କି କାର୍ଯ୍ୟକ୍ରମରେ କି କାର୍ଯ୍ୟସଂଖ୍ୟାରେ ନାହିଁ ତାହା କାର୍ଯ୍ୟର ମହତ୍ତ୍ୱରେ ଅଛି’ (ପ୍ରବନ୍ଧସୋପାନ) ଏହି ବାକ୍ୟରେ ଏକ ଦିଗରେ ‘କାର୍ଯ୍ୟ’ର ପୁନରୁକ୍ତି ଅନ୍ୟ ଦିଗରେ ବିରୁଦ୍ଧ ଭାବମାନଙ୍କର ସମାବେଶଦ୍ୱାରା ବାକ୍ୟଟି ବିଶେଷ ସକ୍ରିୟ ହୋଇଅଛି ‘ଏହା ଧର୍ମ ବିଚାର ଉଚ୍ଛୃଙ୍ଖଳର ଅବିଚାର ନୁହେ’ ବାକ୍ୟରେ ମଧ୍ୟ ବିଚାରର ପୁନରୁକ୍ତି ଓ ଅଭିଚାର ସହିତ ବିରୋଧ ତାହାରୀ ସକ୍ରିୟତାକୁ ବର୍ଦ୍ଧିତ କରୁଅଛି ।

 

ବାସ୍ତବରେ ବାକ୍ୟଗଠନ ରଚନାର ଏକ ପ୍ରଧାନ ଅଙ୍ଗ, ବାକ୍ୟକୁ ସରସ ଓ ସକ୍ରିୟ କରିବା ନିମନ୍ତେ ସମସ୍ତେ ବ୍ୟସ୍ତ, କିନ୍ତୁ ତାହାର ସକ୍ରିୟତା ନାନା ଉପାୟରେ ସାଧିତ ହୋଇପାରେ, ଏପରିକି ବାକ୍ୟ ମଧ୍ୟରେ କ୍ରମର ଅନୁବର୍ତ୍ତନଦ୍ୱାରା ମଧ୍ୟ ବାକ୍ୟକୁ ସରସ ଓ ସକ୍ରିୟ କରାଯାଇପାରେ । ଅବଶ୍ୟ ଅନେକ କ୍ଷେତ୍ରରେ ବାକ୍ୟର ସରସତା ଓ ସକ୍ରିୟତା ମଧ୍ୟରେ ଦ୍ୱନ୍ଦ ଉପସ୍ଥିତ ହୁଏ । ଯାହା ସରସ ଓ କଳ୍ପନାମୁଖର ତାହା ସକ୍ରିୟ ବା ଆବେଗପରିପୋଷକ ନ ହୋଇପାରେ । ଏପରି କ୍ଷେତ୍ରରେ ଲେଖକକୁ ନିଜର ରଚନାର ଉଦ୍ଦେଶ୍ୟଦ୍ୱାରା ପରିଚାଳିତ ହେବାକୁ ପଡ଼େ । ବାଗ୍ନୀ ଆବେଗର ଭକ୍ତ, ସାହିତ୍ୟିକ ସରସତାର ଉପାସକ ଏହି କାରଣରୁ ବିଭିନ୍ନ ରଚନାରେ ବିଭିନ୍ନ ପ୍ରକାର ଉପାଦାନ ଘେନି ବିଭିନ୍ନ ରୂପର ବାକ୍ୟ ଗଠିତ ଓ ବ୍ୟବହୃତ ହୁଏ । । ଲେଖକ ଅବଶ୍ୟ ଅଧିକାଂଶ କ୍ଷେତ୍ରରେ ଅଜ୍ଞନ ଭାବରେ ଏପରି ବାକ୍ୟମାନଙ୍କର ପ୍ରୟୋଗ କରେ ଓ ତାହାର ଫଳ କଣ ହେବ ସେ ବିଷୟରେ ତାହାର ସ୍ପଷ୍ଟ ଧାରଣା ନ ଥାଏ । କିନ୍ତୁ ପ୍ରତ୍ୟେକ ବାକ୍ୟ ବିଶ୍ଳେଷିତ ହେଲେ ତାହାର ପଦ ନିର୍ବାଚନରେ ସାର୍ଥକତା, ପ୍ରୟୋଗଜନିତ ସରସତା ଓ ଗଠନଜନିତ ସକ୍ରିୟତା ପ୍ରଭୁତି ବିଷୟରେ ସ୍ପଷ୍ଟ ଧାରଣା କରାଯଇ ପାରେ । ସାହିତ୍ୟିକ ବା ସମାଲୋଚକମାନଙ୍କୁ ଏପରି ଆଲୋଚନା ନିତ୍ୟ କରିବାକୁ ପଡ଼େ ।

 

ରଚନାର ବୈଶିଷ୍ଟ୍ୟ ଓ ପରିପୁଷ୍ଟି ପାଇଁ ଏହିପରି ନାନାବିଷୟର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ବିଚାର ଆବଶ୍ୟକ । ଯେଉଁ ରଚନାରେ ଏହି ସବୁ ଗୁଣ ସନ୍ନିବେଶିତ ହୋଇଥାଏ ତାହା ଉନ୍ନତ ଧରଣର ରଚନାରୂପେ ପାଠକର ହୃଦୟକୁ ସ୍ପର୍ଶ କରେ । ପାଠକ ହୁଦୟରେ ତଦ୍ୱାରା ଯେଉଁ ଭାବର ସଞ୍ଚାର ହୁଏ ତାହାର ସ୍ଥାୟିତ୍ୱ ଓ ଗାମ୍ଭୀର୍ୟ୍ୟଦ୍ୱାରା ରଚନାର ବିଶିଷ୍ଟତା ଜଣାଯାଏ । ରଚନାରେ ପାରିଦର୍ଶିତା ପ୍ରତିଭାସାପେକ୍ଷ । ଅବିରାମ ସାଧନାଦ୍ୱାରା ଅନ୍ତନିର୍ହିତ ପ୍ରତିଭାର ଉନ୍ନୋଷ ସାଧିତ ହୋଇଥାଏ । କଳାର ବିକାଶ ନିମନ୍ତେ ଅକ୍ଳାନ୍ତ ସାଧନାହିଁ ଏକମାତ୍ର ପନ୍ଥା । ସାହିତ୍ୟ ସାଧକମାନଙ୍କର ସାଧାନାରେ ସାହାଯ୍ୟ କରିବା ଏହି ପୁସ୍ତକର ଉଦ୍ଦେଶ୍ୟ । ଏଥିରେ ବିଚାର କରାଯାଇଥିବା ବିଷୟମାନଙ୍କ ପ୍ରତି ତୀକ୍ଷ୍‍ଣ ଦୃଷ୍ଟିରଖି ରଚନା ଲେଖିବାରେ ଅଗ୍ରସର ହେଲେ ରଚନା ରୁଚିକର ଓ ସର୍ବାଙ୍ଗସୁନ୍ଦର ହେବା ସମ୍ଭବ ।

 

***